Unknown

 

 

 

 

 

 

 

 

 

 

ନାହିଁ ନାହିଁର ବନ୍ଧନ

(ତିନୋଟି ବ୍ୟଙ୍ଗାତ୍ମକ କାହାଣୀ)

ଅଧ୍ୟାପକ ଶ୍ରୀ ନିଖିଳାନନ୍ଦ ପାଣିଗ୍ରାହୀ

 

 

 

 

 

 

 

 

 

 

 

 

....ଜନୈକା ରୂପସୀକୁ ନିବେଦିତ, ଯିଏ କି ତା’ର

ଶେଷ ନିଃଶ୍ଵାସ ଯାଏଁ ବଣମଲ୍ଲୀ ପରି ବଞ୍ଚି ରହିଥିଲା ।

 

ବାହାର ଦୁନିଆର ବ୍ୟସ୍ତତା ଓ କୋଳାହଳକୁ ଏଡ଼ାଇ ଯେଉଁମାନେ ମଧ୍ୟାହ୍ନରେ କବାଟ କିଳି ସୁଖ ପାଇଁ ଶୁଅନ୍ତି, କିମ୍ବା ଅଫିସ୍ ଖୋଲାଥିବା ଦିନମାନଙ୍କରେ ଛୁଟି ନେଇ ଯେଉଁମାନେ ମ୍ୟାଟିନି ସୋ’ ଦେଖନ୍ତି କିମ୍ବା ସାହିତ୍ୟ (କାହାଣୀ ଓ କବିତା କଦାପି ସମ୍ବାଦ ନୁହେଁ ବୋଲି) ପଢ଼ିବା ପାଇଁ ଯେଉଁମାନେ ସମ୍ବାଦପତ୍ର କିଣନ୍ତି–ଏମିତି ଧଳାରେ ମଧ୍ୟ କଳା ଖଞ୍ଜି ପାରୁଥିବା ଅଥବା କଳା ଖୋଜି ବାହାର କରିପାରୁଥିବା ରସରସିଆ ଲୋକଙ୍କ ଦୀର୍ଘ ଜୀବନ କାମନା କରି ବହିଟିର କିଛି ଅଂଶ ଲିଖିତ ।

񤦬񤦬񤦬

 

ଶ୍ରୀ ଅବିନାଶ ଦାଶଙ୍କ ଆତ୍ମକଥାରୁ

 

ରାମଗଡ଼ ଗାଁର ରଘୁନାଥ ଦାଶଙ୍କର ମୁଁ ଜ୍ୟେଷ୍ଠ ପୁତ୍ର । ମୋର ନାମ ଅବିନାଶ ଦାଶ । ମୁଁ ଆଜି ଯାଏଁ ଅବିବାହିତ । ବୟସ ଦୃଷ୍ଟିରୁ ବିଚାର କଲେ ଆଉ ମୋର ବିବାହ ଏକ ରକମ ଅସମ୍ଭବ । ଆଜିଯାଏଁ ବିବାହ ହୋଇ ନ ଥିବା ଯୋଗୁଁ ଏବଂ ପ୍ରାୟ ସବୁବେଳେ ନିର୍ଜ୍ଜନ ଓ ନୀରବ ଭାବେ ରହୁଥିବା ଯୋଗୁଁ ଅନେକ ଲୋକ ଭାବୁଥିବେ ଯେ କୌଣସି ଯୁବତୀ ସହିତ ମୁଁ କେବେ ଛନ୍ଦି ହୋଇ ନ ଥିବି । ଅବଶ୍ୟ ଏହା ଠିକ୍ ଯେ ମୋ ଜୀବନରେ ଯୌନ-ଘଟଣା ବିରଳ । ତଥାପି ଥରେ ଦୁଇଟି ଯୁବତୀକୁ କେନ୍ଦ୍ର କରି ମୋ ଜୀବନରେ ଯେଉଁ ଦୁର୍ଘଟଣା ଘଟିଥିଲା, ତା’ର ବିବୃତି ଏଠାରେ ଦେଉଛି ।

񤦬񤦬񤦬

 

ଲୋକଙ୍କ ପଡ଼ୋଶୀ ସାଧାରଣତଃ ବାମ ପଟେ ଓ ଡାହାଣ ପଟେ ରହନ୍ତି । କିନ୍ତୁ ମୋର ବିଶେଷତ୍ଵ ହେଉଛି ଯେ, ବାମ ଓ ଡାହାଣ ପଟ ବ୍ୟତୀତ ମୋ ମୁଣ୍ଡ ଉପରେ ଗୋଟିଏ ପଡ଼ୋଶୀ ରହୁଛନ୍ତି । କଥା ହେଉଛି ଯେ, ମୁଁ ଏଇ ସହରର ଗୋଟିଏ ଦୋମହଲା ଘରର ତଳ-ମହଲାରେ ଭଡ଼ାରେ ରହୁଛି । ଉପର ମହଲାରେ ଜଣେ ମେଡ଼ିକାଲ ରିପ୍ରେଜେଣ୍ଟେଟିଭ୍ ରହୁଛନ୍ତି । ଏଇ ଦୁଇଟି ମହଲା ପରସ୍ପରଠାରୁ ପ୍ରାୟ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ବୋଲି କହିବାକୁ ହେବ । ଯେଉଁ ଅଳ୍ପ କେତୋଟି ବିଷୟରେ ଏମାନଙ୍କର ସମ୍ପର୍କ ରହିଛି, ତାହା ହେଉଛି; ଦୁଇଟି ମହିଳା ପାଇଁ ଗୋଟିଏ ଇଲେକ୍‌ଟ୍ରିକ୍‌ ମିଟର ରହିଛି । ତେଣୁ ମାସିକ ଇଲେକ୍‌ଟ୍ରିକ୍‌ ବିଲ୍ ଯାହା ହୁଏ, ଆମେ ଉଭୟେ ସମାନ ଭାବେ ବାଣ୍ଟି ଦେଇଥାଉ–ଏଥିରେ କିଏ କେତେ କରେଣ୍ଟ ଖର୍ଚ୍ଚ କଲେ ତାହା ଜାଣିବା ସମ୍ଭବପର ନୁହେଁ । ପୁଣି ଆମର ବାଡ଼ିପଟେ ଗୋଟିଏ କୂଅ ଅଛି । ଏହା ଉଭୟେ ବ୍ୟବହାର କରିଥାଉଁ–ଏଥିପାଇଁ ଉପର ପୁରର ଲେକଙ୍କୁ ତଳକୁ ଓହ୍ଲାଇବାକୁ ପଡ଼ୁ ନ ଥାଏ । କାରଣ କୂଅର ଠିକ୍ ଉପର ଯାଏ, ଉପର ମହଲାର ସ୍ଲାବ୍‍ଟି ଲମ୍ବି ଯାଇଛି ଓ ଏହା ଉପରେ ଠିଆ ହୋଇ ସେଥିରୁ ପାଣି ପାଣି ନେଇ ହେବ । କେବଳ ଗୋଟିଏ ମାତ୍ର ଅସୁବିଧା ହେଉଛି ଯେ ଏଥିପାଇଁ ଉପରବାଲାଙ୍କୁ ପ୍ରାୟ ଚାଳଶି ଫୁଟର ଲମ୍ବା ଦଉଡ଼ି ଆବଶ୍ୟକ ହୁଏ ଓ ପାଣି ଟାଣିବା ବେଳେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼େ-। ମୁଁ ଏହି ଦୃଷ୍ଟିରୁ ଭାଗ୍ୟବାନ; କାରଣ ମୁଁ ଅଳ୍ପ ପରିଶ୍ରମରେ କୂଅରୁ ପାଣି ଉଠାଇପାରେ । ଅବଶ୍ୟ କୂଅ ପାଣି ଆମ ପାଇଁ ଦୈନକ ଆବଶ୍ୟକ ନୁହେଁ କାରଣ ଏଇ ଘରେ ପାଇପ୍ ଅଛି । ଯଦି ପାଇପ୍ ବନ୍ଦ ହୋଇଯାଏ ଓ ସେତେବେଳେ ଆମେ ପାଇପ୍‌ ପାଣି ଷ୍ଟୋର୍‌ କରି ନ ଥାଉଁ, ତାହା ହେଲେ କୂଅର ଆଶ୍ରୟ ନେଉ ।

 

ଏହି କୋଠିଟି ଟ୍ରେନ୍ ପରି ଖୁବ୍ ଲମ୍ବା ଓ କମ୍ ଚଉଡ଼ା । ସହରର ପ୍ରାୟ ସବୁଗୁଡ଼ିକ ଘର ଏମିତି ଡିଜାଇନ୍‌ରେ ତିଆରି । ଉତ୍ତର ଓଡ଼ିଶାର ଲେକଙ୍କୁ ଏହା ଅଜବ ଜଣା ପଡ଼େ । ଯାହାହେଉ, ଘର ବାରଣ୍ଡା ଠାରୁ ପ୍ରାୟ ପନ୍ଦର ଫୁଟ ଖୋଲା ଜାଗା ରଖାଯାଇ ପ୍ରାଚୀର ଦିଆଯାଇଛି । ଏହାର ଗୋଟିଏ କଡ଼ରେ ଉପର ମହଲାକୁ ଯିବା ପାଇଁ କଂକ୍ରିଟ୍‌ର ଗୋଟିଏ ଚଉଡ଼ା ସିଡ଼ି ଅଛି । ଅନ୍ୟ ଗୋଟିଏ କଡ଼ରେ ଟଗର ଗଛଟିଏ ଅଛି । ଏହାର ଫୁଲ ଗୁଡ଼ିକ ଦେଖିବାକୁ ସୁନ୍ଦର ନୁହେଁ; ସେଥିରେ ବାସ୍ନା ମଧ୍ୟ ନାହିଁ । ତଥାପି ସହରରେ ସାଧାରଣତଃ ଫୁଲର ଘୋର ଅଭାବ ଥିବାରୁ ଏହାର ଆଦର ଯଥେଷ୍ଟ । ଦ୍ଵିତୀୟ ମହଲାର ବାରଣ୍ଡାରେ ଗୋଟିଏ ଛୋଟ ସିଡ଼ି ଅଛି । ଏହା ସାହାଯ୍ୟରେ ସବା ଉପର ସ୍ଲାବ୍‍କୁ ଯାଇ ମୁକ୍ତ ପବନ ଓ ଆଲୋକ ଉପଭୋଗ କରିହେବ । ତଥାପି ମୁଁ ସବା ଉପରକୁ ଯାଉ ନ ଥାଏ । କାରଣ ମୁଁ ଯିବା ବେଳେ ଉପର ମହଲାର ପରିବାର ବର୍ଗ ହୁଏତ ତାଙ୍କର ବାରଣ୍ଡାରେ ଅପ୍ରସ୍ତୁତ ଅବସ୍ଥାରେ ବସିଥିବେ ବା ଶୋଇଥିବେ ! ମୋଟାମୋଟି ଭାବେ, ମୁଁ ଚାହେଁ ଯେ, ମୁଁ କେବେ ହେଲେ ଉପରବାଲାଙ୍କ ଦୈନନ୍ଦିନ ଜୀବନରେ ବ୍ୟାଘାତ ସୃଷ୍ଟି କରିବି ନାହିଁ । ସେମାନେ ମଧ୍ୟ ଅନୁରୂପ ମୋ ସୁଖ ସ୍ଵାଚ୍ଛନ୍ଦ୍ୟରେ ଯେମିତି ହସ୍ତକ୍ଷେପ ନ କରନ୍ତି ।

 

ଉପର ଘରେ ସର୍ବମୋଟ ତିନି ଜଣ ରହନ୍ତି । ସ୍ଵାମୀ, ସ୍ତ୍ରୀ ଓ ତାଙ୍କର ଆଠ-ଦଶ ମାସିଆ ଝିଅ, ଚିନମ୍ । ସ୍ୱାମୀ ଘରେ ପ୍ରାୟ ରହନ୍ତି ନାହିଁ । ସେ ସବୁବେଳେ ଗସ୍ତରେ । ତାଙ୍କ କମ୍ପାନୀ ନିର୍ମିତ ଔଷଧର ମହତ୍ତ୍ୱ ବିଷୟରେ ପ୍ରଚାର କରିବାକୁ ବିଭିନ୍ନ ଟାଉନର ଔଷଧ-ଦୋକାନମାନ ବୁଲନ୍ତି । ପୁଣି ତାଙ୍କର ଜୋନ (ଅଂଚଳ) ହେଉଛି-ଗଞ୍ଜାମ, ଫୁଲବାଣୀ ଓ ଆମ୍ବଗଛ ଜିଲ୍ଲା । ତେଣୁ ତାଙ୍କୁ ବିସ୍ତୃତ ଅଂଚଳରେ ବୁଲିବାକୁ ପଡ଼ୁଥାଏ । ତାଙ୍କ ସହିତ ମୋର ଦେଖା ସାକ୍ଷାତ୍ ପ୍ରାୟ ହୁଏ ନାହିଁ । ଏମିତିକି ମୁଁ ଆଜି ଯାଏଁ ବ୍ୟକ୍ତିଗତ ଭାବରେ ତାଙ୍କର ନାଁ ଓ ହାଲଚାଲ ବୁଝି ନାହିଁ । ତାଙ୍କର ସ୍ତ୍ରୀର ନାମ ଲକ୍ଷ୍ମୀ । ସେମାନେ ତେଲଗୁ ବ୍ରାହ୍ମଣ-କମ୍ମା । ହଠାତ୍ ଆନ୍ଧ୍ରପ୍ରଦେଶରୁ ବଦଳି ହୋଇ ଏହି ସହରକୁ ଆସିଛନ୍ତି । ଓଡ଼ିଆ ଭାଷାରେ ବିଶେଷ ପ୍ରବେଶ ନାହିଁ । ବୋଧହୁଏ ଆମ ଭାଷା କିଛି କିଛି ବୁଝନ୍ତି । କହିବାକୁ ଚେଷ୍ଟା କରି ହାସ୍ୟାସ୍ପଦ ହୁଅନ୍ତି । ମୋର କେତେ ବେଳେ ଦରକାର ହେଲେ, ତାଙ୍କ ପାଖକୁ ଯାଏ । କିନ୍ତୁ ସେଠାରୁ ଯାଇ ଆଖିରେ କେହି ହଠାତ୍ ନ ପଡ଼ିଲେ ମୁଁ ଗୃହିଣୀର ନାମ ଧରି ଡାକେ ନାହିଁ । କାରଣ ଏହା ଅଭଦ୍ର ବ୍ୟବହାର ବୋଲି ମୁଁ ବିବେଚନା କରେ । ତାଙ୍କର ପୋଷା ବିଲେଇର ନାମ ଧରି ଡାକେ । (ବିଲେଇଟିର ନାଁ ହେମା) ହେମା ବହୁ ଦିନରୁ ତାଙ୍କର ଗୃହରେ ପାଳିତ । ଏହି ଘରେ ସେ ଗୋଟିଏ ଉପାଦେୟ କାମ କରିଥାଏ । ଏଠାରେ ଟୁଙ୍ଗେଇ ମୂଷା (ଏକ ପ୍ରକାର ଚୁଟିଆ ମୂଷା) ପ୍ରବଳ । ହେମା ଏମାନଙ୍କୁ ସତର୍କତାର ସହିତ ଜଗିଥାଏ । ତଥାପି ଉପରବାଲା ଅଭିଯୋଗ କରିଥାନ୍ତି ଯେ, ଏହି ଉଗ୍ର, ଦୁଷ୍ଟ ଓ ଧୃତ୍ତ ଟୁଙ୍ଗେଇ ମୂଷାମାନେ ତାଙ୍କର ଚାଲୁଣୀର ସରୁ ସରୁ ଲୁହା-ଜାଲିକୁ କାଟି ପକାଇଥାନ୍ତି । ଏହି ଦୃଷ୍ଟିରୁ ସେମାନେ ସବୁ ଜିନିଷ (ଏମିତିକି ଉପରୋକ୍ତ ଶସ୍ତା ଚାଲୁଣୀ ପରି ଜିନିଷ) ଷ୍ଟିଲ ଅଲମାରୀରେ ରଖିବାକୁ ବାଧ୍ୟ ହେଉଛନ୍ତି । ଥରେ ଥରେ ସେମାନେ ଅତ୍ୟନ୍ତ ଭୟଭୀତ ହୋଇ କହନ୍ତି ଯେ, ଟୁଙ୍ଗେଇ ମୂଷାମାନେ ହୁଏତ ତାଙ୍କର ସାନ ଛୁଆ ବିନମ୍‌ର କାନ ଖୁଣ୍ଟି ଖୁଣ୍ଟି କଣା କରି ଦେବେ । ଏମାନଙ୍କୁ ଦମନ କରି ନ ପାରି ସେମାନେ କେତେବେଳ ମୋ ଉପରେ ଭୀଷଣ ବିରକ୍ତ ହୋଇ ଦୋଷ ଢାଳନ୍ତି ଓ ମତେ ଗୋଟିଏ ବିଲେଇ ପୋଷିବାକୁ କିମ୍ବା ଯନ୍ତା ରଖିବାକୁ ନିର୍ଦ୍ଦେଶ ଦିଅନ୍ତି । ସେମାନଙ୍କର ଆରୋପ ହେଉଛି ଯେ, ହେମାର ଭୟରେ ଚୂଟିଆ ମୂଷାମାନେ ଉପର ମହଲାରେ ରହନ୍ତି ନାହିଁ । ମୁଁ ରହୁଥିବା ତଳ ମହଲାରେ ବସା ବାନ୍ଧିଛନ୍ତି । ସମୟ ଓ ସୁଯୋଗ ଉଣ୍ଡି ସେମାନେ ଉପର ମହଲାକୁ ଯାଇ ସବୁ ପ୍ରକାର ଉପଦ୍ରବ ଓ କ୍ଷୟକ୍ଷତି କରି ପୁଣି ମୋ ମହଲାକୁ ଫେରି ଆସନ୍ତି । ଯାହାହେଉ, ସେମାନଙ୍କର ଅଭିଯୋଗ ହୁଏତ ସତ ହୋଇପାରେ । କିନ୍ତୁ ମୁଁ ବିଲେଇ ପୋଷିବାକୁ ପ୍ରସ୍ତୁତ ନୁହେଁ-। କିମ୍ବା ଉପରବାଲାଙ୍କ ଅନୁରୋଧ ଅନୁସାରେ ଯନ୍ତା ଦୈନିକ ଖୋଲି ରଖିବାର ଯନ୍ତ୍ରଣା ସହିବାକୁ ଚାହୁଁ ନାହିଁ । ଅବଶ୍ୟ ଏହା ମୁଁ ମୋର ସ୍ଵାର୍ଥ ଦୃଷ୍ଟିରୁ କହୁଛି । କାରଣ ଏହି ଯେ, ଏହି ତଳ ମହଲାରେ ମୁଁ ଏକା ରହେ ଓ ସାଧାରଣତଃ ହୋଟେଲରେ ଖାଏ । ମୋର ଘରକରଣା ଜିନିଷ କିଛି ନାହିଁ ବୋଲି କହିଲେ ଚଳେ । ପୁଣି ମୋର ବଦଳି-ଚାକିରି ହୋଇଥିବା ଯୋଗୁଁ ମୁଁ ସବୁବେଳେ କମ୍ ଲଗେଜ ମୋ ପାଖରେ ରଖିଥାଏ । ତେଣୁ ଟୁଙ୍ଗେଇ ମୂଷାମାନେ ସଙ୍ଗଠିତ ହୋଇ ଉପଦ୍ରବ କଲେ ମଧ୍ୟ ମୋର ବିଶେଷ କ୍ଷତି କରି ପାରିବେ ନାହଁ । ଉପରବାଲାଙ୍କର ମୂଷା-ନିରାକରଣ ସମ୍ବନ୍ଧୀୟ ଉପଦେଶକୁ ମୁଁ ଆଦୌ ଖାତିର୍ କରି ନ ଥାଏ । ମୋ ଘରୁ ଯାଇ ମୂଷାମାନେ ଉପରବାଲାକୁ ହଇରାଣ କଲେ, ମୁଁ ‘Sorry, Madam’ ବୋଲି କହିବା ଛଡ଼ା ଅନ୍ୟ କିଛି କରି ନ ଥାଏ ।

 

ବର୍ତ୍ତମାନ ମୋର ପରିଚୟ ଦେଉଛି । ମୁଁ ଅବିବାହିତା ଯଦିଓ ଆସନ୍ତା ପହିଲାରେ ମତେ ପଞ୍ଚତିରିଶ ବର୍ଷ ପୂରିଯିବ । ମୁଁ ଏଥିପାଇଁ ବିଚଳିତ ନୁହେଁ କାରଣ ପୁରୁଷମାନଙ୍କ ଉପରେ ବୟସ କୌଣସି ପ୍ରକାର ପ୍ରଭାବ ପକାଇ ନ ଥାଏ । ମୁଁ ନିକଟସ୍ଥ ଗୋଟିଏ ଅଫିସରେ ସରକାରୀ ଚାକିରିଆ । ମୋର କର୍ତ୍ତବ୍ୟ ସମୟ ହେଉଛି ଦିନ ଦଶଟାରୁ ସନ୍ଧ୍ୟା ପାଞ୍ଚଟା । ଥରେ ଥରେ ଅଫିସ୍‌ରେ କାମ ନ ଥିଲେ, ବେନିୟମ ଭାବେ ଘରକୁ ବାହୁଡ଼ି ଘରେ ନିଶ୍ଚିନ୍ତରେ ବିଶ୍ରାମ ନିଏ । ସୁଖ ଓ ଶାନ୍ତିରେ ସମୟ ବିତାଇବାକୁ ମୁଁ କେବଳ ଜଣକ (ମୋର ପାଇଁ) ପାଇଁ ଶହେ ଟଙ୍କା ଘରଭଡ଼ା ଦେଇ ଏହି ସାହିରେ ରହିଛି ।

 

ଆଜିକାଲି ଉପର ମହଲାକୁ ଗୋଟିଏ ଚାକରାଣୀ ଦୈନିକ ଆସୁଛି । ତା’ର ନାମ ରାଜଲକ୍ଷ୍ମୀ । ମାଲିକାଣୀର ନାଁ ଲକ୍ଷ୍ମୀ; ଚାକରାଣୀର ନାଁ ରାଜଲକ୍ଷ୍ମୀ ! ଥରେ ଥରେ ମୁଁ ଆଗ୍ରହର ସହିତ ଭାବେ ଯେ, ବୋଧହୁଏ ନାମ ଓଲଟି ଯାଇଛି । ଦୁହିଁଙ୍କ ମଧ୍ୟରେ ଯଥେଷ୍ଟ ସାମାଜିକ ଅସମାନତା ଥିବା ସତ୍ତ୍ୱେ ଉଭୟଙ୍କ ଆକାର ଓ ଚେହେରା ସମାନ–ଯେମିତି ସିନେମାରେ କୌଣସି ଅଭିନେତ୍ରୀର ଡବଲ ଗୋଲାପରି । ଅବଶ୍ୟ ଚାକରାଣୀ ଏହି ସହରର ସ୍ଥାୟୀ ବାସିନ୍ଦା ଓ ସେ ଉଭୟ ଭାଷୀ-ଓଡ଼ିଆ ଓ ତେଲଗୁ ବୁଝିପାରେ; କହିପାରେ ମଧ୍ୟ ।

 

ଥରେ ଚିଠି ନେବା ପାଇଁ ଡାକପିଅନ ପ୍ରାଚୀର ବାହାରୁ ଡାକିଲା । ମୁଁ ତା’ ପାଖରେ ପହଞ୍ଚିବାରୁ ସେ ଚିଠିଟି ମୋ ହାତକୁ ବଢ଼ାଇ ଦେଇ ସାଇକେଲରେ ଅନ୍ୟତ୍ର ଚାଲିଗଲା । ମୁଁ ଚିଠିଟି ମୋର ବୋଲି ସରଳରେ ବିଶ୍ଵାସ କଲି ଓ ଲଫାପାଟି ଚିରିବା ପରେ ଦେଖିଲି ଯେ ଏହା ଉପରବାଲାର । ତେଣୁ ସାମାନ୍ୟ ଅପମାନିତ ବୋଧ କଲି । ତା’ପରେ ବାଧ୍ୟ ହୋଇ ସିଡ଼ି ଚଢ଼ି ଉପରକୁ ଗଲି । ଡାକପିଅନର ପରିଶ୍ରମ ମତେ କରିବାକୁ ପଡ଼ୁଛି ବୋଲି ଦୁଃଖିତ ହେଲି । ଉପରେ ଦେଖିଲି ଯେ, ସମସ୍ତେ ବାଡ଼ି ପଟେ ଅଛନ୍ତି । ତେଣୁ ହେମାକୁ ଡାକିଲି । ବହୁତ ସମୟ ପରେ ରାଜଲକ୍ଷ୍ମୀ ଆସିଲା ଓ ଚିଠିଟି ମୋ ହାତରୁ ନେଲା । ମୁଁ ସେତେବେଳେ ତାକୁ ଗାଳି ଦେଇ କହିଲି, ‘ପୋଷ୍ଟମ୍ୟାନ ଚିଠି ଦେବାବେଳେ ତୁ ତଳକୁ ଯାଇ ଚିଠି ଆଣୁ ନାହୁଁ କାହିଁକି ?...ମୁଁ କ’ଣ ତମମାନଙ୍କର ଚାକର ବୋଲି ଭାବୁଛ ? ଉପରକୁ ଆସି ମୋ ଗୋଡ଼ ଥକିଗଲାଣି । ଏବେ ପୁଣି ଏ ଉପରୁ ତଳକୁ ଯିବା ଗୋଟିଏ ସମସ୍ୟା…..’ଚାକରାଣୀଟି ମୋ କଥାଗୁଡ଼ିକୁ ଗ୍ରହଣ କରିବା ପରିବର୍ତ୍ତେ ମତେ ଥଟ୍ଟା କରି କହିଲା, ‘ଯଦି ଓହ୍ଲାଇବାକୁ ହାଲିଆ ଲାଗୁଛି, ତାହାହେଲେ ଏହି ଛାତରୁ ତଳକୁ ଡେଇଁ ପଡ଼ୁ ନାହିଁ କାହିଁକି ?’ ତା’ର ଏହି ପ୍ରତ୍ୟୁତ୍ତରରେ ମୋ ପ୍ରତି ଅସମ୍ମାନର ଯଥେଷ୍ଟ ସୂଚନା ମିଳୁଛି । ମୁଁ କ୍ରୋଧରେ ଚଣ୍ଡାଳ ପରି ହାତ ଉଞ୍ଚାଇ ଗର୍ଜନ କଲି, ‘ସାମାନ୍ୟ ଚାକରାଣୀଟାର କେତେ ବହପ ! ପାଟି ତୁରନ୍ତ ବନ୍ଦ କରେ ! ନଚେତ୍ ଗୋଟିଏ ଚାପୁଡ଼ାରେ ତତେ ପଞ୍ଚତ୍ଵ ପ୍ରାପ୍ତି କରାଇ ଦେବି ।’ ଏମିତି ସମୟରେ ଲକ୍ଷ୍ମୀ ଘର ଭିତରୁ ପାଟି କରି ରାଜଲକ୍ଷ୍ମୀକୁ ଚୁପ୍ ରହିବାକୁ ତାଗିଦା କରାଇଲା । ଚାକରାଣୀଟି ହଠାତ୍ ଦବିଗଲା । ତଥାପି ସେ ଅସ୍ପଷ୍ଟ ଭାବେ ମତେ ପ୍ରଶ୍ନ କଲା, ‘ଆମ ଚିଠି ଚିରିବା ପାଇଁ ତମେ କିଏ ? ଅବଶ୍ୟ ଚିଠିଟିର ଠିକଣା ନ ପଢ଼ି ଲଫାଫା ଚିରିବା ମୋର ଭୁଲ ହୋଇଛି । ତଥାପି ଗୋଟିଏ ଚାକରାଣୀଠାରୁ ମୁଁ ଏମିତି ଅସୈାଜନ୍ୟ ମୂଳକ ପ୍ରଶ୍ନ ଆଶା କରୁ ନ ଥିଲି । ଭାବିଲି ଯେ, ରାଜଲକ୍ଷ୍ମୀର ସ୍ୱଭାବ କ୍ରୂର । ସେ ଗୋଟିଏ ଅଣ୍ଡିରାଚଣ୍ଡୀ । ତା’ର ଲିଙ୍ଗ ପରିବର୍ତ୍ତନ ଆବଶ୍ୟକ ।

 

ତା’ ପରଦିନ ପୋଷ୍ଟମ୍ୟାନ ପ୍ରାଚୀର ବାହାରୁ ଚିଠି ନେବା ପାଇଁ ଡାକିଲା । ମୁଁ କବାଟ ଖୋଲି ଘର ଭିତରୁ ଦାଣ୍ଡକୁ ଗଲି । ସେତେବେଳେ ରାଜଲକ୍ଷ୍ମୀ ଦୌଡ଼ି ଦୌଡ଼ି ସିଡ଼ିରୁ ଓହ୍ଲାଇଲା (ବୋଧହୁଏ ଗତ ଦିନର ମୋର କଡ଼ା ନିର୍ଦ୍ଦେଶ ଯୋଗୁଁ) । ପୋଷ୍ଟମ୍ୟାନ୍ ଆମ ଦୁଇ ଜଣଙ୍କୁ ଚାହିଁଲା-। ତା’ପରେ ମୁରୁକି ହସି ମୋ ହାତକୁ ଚିଠିଟି ବଢ଼ାଇ ଦେଲା । ରାଜଲକ୍ଷ୍ମୀ ନିରାଶ ହୋଇ ମୁହଁ ଆମ୍ବିଳା କରିବାବେଳେ ମୁଁ ଗତକାଲିର ପ୍ରତିଶୋଧ ନେବା ପାଇଁ କହିଲି, ‘ଦିନେ ଚିଠିଟିଏ ଆସିଗଲା ବୋଲି ସବୁଦିନେ ଆସୁଥିବ ବୋଲି ଭାବୁଛ କି ? ....ବର୍ତ୍ତମାନ ଖାଲି ହାତଟା ମୁଠା କରି ଚାଲି ଯା...’ ଏମିତି କହି ମୁଁ ଉପରକୁ ଚାହିଁବାବେଳେ ଦେଖିପାରିଲି ଯେ ଲକ୍ଷ୍ମୀ ଆଶାୟୀ ଭାବେ ବାଲ୍‌କୋନି ଉପରେ ଠିଆ ହୋଇଛି । ବିଚାରୀକୁ ଦେଖି ମୋ ମନରେ ଦୟାଭାବ ଜାତ ହେଲା-। ଯଦି ମୋ ହାତରେ ଯାଦୁ ବିଦ୍ୟା ହେଇ ପାରୁଥାନ୍ତା, ମୁଁ ତାକୁ ନିଶ୍ଚୟ ସାହାଯ୍ୟ କରିଥାନ୍ତି-। ଯାହାହେଉ, ତା’ପରେ ମୁଁ ମୋ ରୁମ୍‌କୁ ଯାଇ ଲଫାଫାଟି ଖୋଲିଲି । ଚିଠିଟି ବେନାମୀ ଓ ଇଂରାଜୀରେ ଲେଖା ଯାଇଥିଲା । ମୁଁ ଚିଠିର ବିଷୟବସ୍ତୁ ପଢ଼ି ଜାଣିଲି ଯେ ଏହା ସତ୍ୟ ସାଇବାବାଙ୍କ ଜନୈକ ଭକ୍ତ ଦ୍ଵାରା ପ୍ରେରିତ । ସେଥିରେ ଲେଖାଯାଇଛି ଯେ, ଏହି ଚିଠିଟି ପାଇବାର ପନ୍ଦର ଦିନ ମଧ୍ୟରେ କୋଡ଼ିଏ ଜଣଙ୍କୁ ଏହାର ଅବିକଳ ନକଲ ପଠାଇବାକୁ ହେବ । ଯଦି ଏହା କରା ନ ଯାଏ, ତାହା ହେଲେ ବିଭିନ୍ନ ପ୍ରକାର ଯନ୍ତ୍ରଣା, ମର୍ମନ୍ତୁଦ ଦୁର୍ଘଟଣା ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିବ । ସେଥିରେ ପୁଣି ଲେଖା ଯାଇଥିଲା ଯେ, ଏହି ଧରଣର ଚିଠି ପାଇବାର ଅଳ୍ପ ଦିନ ମଧ୍ୟରେ ଅମୁକ ଅମୁକ ଲୋକମାନଙ୍କର ଅମୁକ ଅମୁକ ପଦୋନ୍ନତି ହୋଇଥିଲା କାରଣ ସେମାନେ ଚିଠିର ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ନିଷ୍ଠାର ସହିତ ପାଳନ କରିଥିଲେ । ଅବଶ୍ୟ ଯେଉଁମାନେ ଚିଠିର ନିର୍ଦ୍ଦେଶକୁ ଅବଜ୍ଞା କରିଛନ୍ତି ସେମାନଙ୍କର ବିପର୍ଯ୍ୟସ୍ତ ଜୀବନୀ ସଂପର୍କରେ ମଧ୍ୟ ସୂଚନା ଦିଆଯାଇଛି । ମୁଁ ବିଚାର କରେ ଯେ, ସାଇବାବାଙ୍କ ସଂପର୍କରେ ପ୍ରଚାର କରିବାକୁ ଏହା ତାଙ୍କ ଭକ୍ତମାନଙ୍କର ଗୋଟିଏ ଅସଲ ଫାନ୍ଦ । ତେଣୁ ମୁଁ ଏଇ ଚିଠିର ନିର୍ଦ୍ଦେଶକୁ ମାନିବା ପ୍ରଶ୍ନ ଉଠୁ ନାହିଁ ।

 

ଚିଠିଟି ପଢ଼ି ସାରି ମୁଁ ଉପର ମହଲାକୁ ଗଲି । ସେତେବେଳେ ଲକ୍ଷ୍ମୀ ଚିନମ୍‌କୁ ବ୍ଲାଉଜ୍‍ ଖୋଲି କ୍ଷୀର ପିଆଉଥିଲା ଓ ରାଜଲକ୍ଷ୍ମୀ ଚାଉଳରୁ ଗୋଡ଼ି ବାଛୁ ବାଛୁ ସମ୍ମୁଖସ୍ଥ ଦର୍ପଣରେ ନିଜ ମୁହଁକୁ ଚୋରାଇ ଚୋରାଇ ଚାହୁଁଥାଏ । ମୁଁ ଗଳାଖଙ୍କାର ମାରି ରୁମ୍ ଭିତରକୁ ଗଲି । ସେମାନେ ସଂଯତ ହୋଇଗଲେ । ତା’ପରେ ଲକ୍ଷ୍ମୀକୁ ଚିଠିଟି ବଢ଼ାଇ ଦେଇ ଇଂରାଜୀରେ କହିଲି, ‘ଭୁଲବଶତଃ ଆପଣଙ୍କ ଚିଠିଟି ମତେ ପୋଷ୍ଟମ୍ୟାନ ଦେଇଥିଲା । ଲଫାଫା ଖୋଲି ଦେଇଥିବାରୁ ମୁଁ ବିଶେଷ ଦୁଃଖିତ । ନିଅନ୍ତୁ…..’ଲକ୍ଷ୍ମୀର ଚରିତ୍ରର ଗୋଟିଏ ବିଶେଷତ୍ଵ ହେଉଛି ଯେ, ଚିଠିଟିଏ ପାଇଲେ ସେ ସ୍ଵତଃସ୍ପୁର୍ତ୍ତ ଭାବେ ଆନନ୍ଦିତ ହୁଏ । ସେ ଆଗ୍ରହର ସହିତ ମୁଁ ଦେଇଥିବା ଚିଠିଟି ପଢ଼ିବାକୁ ଆରମ୍ଭ କରିବା ବେଳେ ମୁଁ ତା’ ରୁମ୍‌ରୁ ଖସି ଚାଲି ଆସିଲି । ଲକ୍ଷ୍ମୀ ଓ ରାଜଲକ୍ଷ୍ମୀ ସେ ଚିଠିଟିର କୋଡ଼ିଏଟି କପି ଶୀଘ୍ର ଟାଇପ କରିବାକୁ ଉଦ୍‌ବିଗ୍ନତାର ସହିତ ଯୋଜନା କରୁଥିବାର ବାର୍ତ୍ତାଳାପ ଶୁଣି ମନେ ମନେ ଖୁସି ହୋଇଗଲି । ସତ୍ୟସାଇ ବାବାଙ୍କ ପ୍ରତି ଲକ୍ଷ୍ମୀର ଭକ୍ତି ଅଛି କି ନାହିଁ, ମୁଁ କହି ପାରିବି ନାହିଁ । କିନ୍ତୁ ତା’ ମୁହଁରୁ ଜଣା ପଡ଼ୁଥିଲା ଯେ ତାକୁ ଭୀଷଣ ଭୟ ଜାବୁଡ଼ି ଧରିଛି । ଯାହାହେଉ ଭାଲୁ ଲାଙ୍ଗୁଡ଼ଟି ତାକୁ ସଫଳ ଭାବେ ବଢ଼ାଇ ଦେଇ ଥିବାରୁ ମୁଁ ପ୍ରସନ୍ନ ହୋଇଗଲି ।

 

ଆମ ଘରଠାରୁ ଅଳ୍ପ ଦୂରରେ ଗୋଟିଏ ତେଲୁଗୁ-କରଣ ପରିବାର ଅଛନ୍ତି । ଏମାନେ ପ୍ରବାସୀ ଓଡ଼ିଆ ଭାବେ ଦିନେ ଆନ୍ଧ୍ରପ୍ରଦେଶରେ ଥିଲେ । ବର୍ତ୍ତମାନ ପୁଣି ଓଡ଼ିଶାକୁ ଫେରି ଆସିଛନ୍ତି-। ଉପରମହଲାର ଲୋକଙ୍କ ସହିତ ଏହି ତେଲୁଗୁ-କରଣ ପରିବାରର ସ୍ଵତଃ ଭଲ ସମ୍ପର୍କ ବଢ଼ି ଚାଲିଲା । ତେଲୁଗୁ-କରଣ ପରିବାରଟିରେ ଯଥେଷ୍ଟ ସନ୍ତାନ ଥାଆନ୍ତି । ତେଣୁ ଉପରବାଲା ନିଜର ନିଃସଙ୍ଗ ଜୀବନକୁ ସରସ କରିବା ପାଇଁ ଏମାନଙ୍କୁ ସାଦରେ ନିମନ୍ତ୍ରଣ କରୁଥାନ୍ତି । ଏହି କାରଣରୁ ଏମାନେ ସଦା ସର୍ବଦା ଉପରମହଲାରେ ଜମା ହୁଅନ୍ତି । ନାନା ପ୍ରକାର ଖେଳ ଖେଳନ୍ତି । ତେଣୁ ଉପରମହଲାଟି ଗୋଟିଏ ଖେଳପଡ଼ିଆ ହୋଇଗଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଧାଁ ଧପଡ଼, ହୋ’ ହା’, ପାଟିତୁଣ୍ଡ ଅହର୍ନିଶି ହେବାରୁ ମୁଁ ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ । ଦିନେ ଖରାବେଳେ ମୁଁ କ୍ଳାନ୍ତ ହୋଇ ଶୋଇବା ପାଇଁ ଉଦ୍ୟତ ହେବା ବେଳେ ଏମିତି ହଟ୍ଟଗୋଳ ସେଠାରେ ଆରମ୍ଭ ହେଲା । ପୁଣି ସେଦିନ ରାଜଲକ୍ଷ୍ମୀ ହେମଦସ୍ତାରେ ଓଦା ଚାଉଳ କୁଟୁଥାଏ । ଲକ୍ଷ୍ମୀର ଝିଅର ନୂଆହୋଇ ଦାନ୍ତ ଉଠିବା ଯୋଗୁଁ ଦାନ୍ତି-ଗଇଁଠା କରିବାକୁ ଏହି ଅୟୋଜନ ଚାଲିଥିଲା । ହେମଦସ୍ତାରେ କୁଟିବା ଯୋଗୁଁ ଉପର ସ୍ଲାବରୁ ଘଡ଼ିକି ଘଡ଼ି ପ୍ରଚଣ୍ଡ ଶବ୍ଦ ହେଉଥାଏ । ମୁଁ ବଡ଼ ଅଥୟ ହୋଇ ପଡ଼ିଲି । ମୋର ଅଧିକାର ନଥିବା ସତ୍ତ୍ୱେ ଉପରକୁ ଯାଇ ସମସ୍ତଙ୍କୁ (ବିଶେଷତଃ ରାଜଲକ୍ଷ୍ମୀ) ନୀରବ ରହିବାକୁ ଚିତ୍କାର କଲି । ମୋର ଅସ୍ୱାଭାବିକ ବ୍ୟବହାର ଯୋଗୁଁ ସମସ୍ତେ ହଠାତ୍ ସ୍ତବ୍‍ଧ ହୋଇଗଲେ । ତା’ପରେ ରାଜଲକ୍ଷ୍ମୀ ପୂର୍ବ ପରି ହେମଦସ୍ତାରେ ଚାଉଳ କୁଟିବା ଆରମ୍ଭ କଲା ଓ କହିଲା, ‘ସବୁ ଘରେ ଢିଙ୍କି ଥାଏ । ଏଠାରେ ତ ଢିଙ୍କି ନାହିଁ । ତେଣୁ ଏମିତି କରିବାକୁ ପଡ଼ୁଛି…’ ମୁଁ ତାକୁ ଅଟକାଇ କହିଲି, ‘ପ୍ରଥମେ କୁଟିବା ବନ୍ଦ କରେ । ତା’ପରେ ଯାହା କହିବାକୁ ଅଛି, କହିବୁ । ମଣିଷ ଦେଖି କଥା କହିବା, ଶିଖେ । ଗୋଟିଏ ଚାକରାଣୀ ହୋଇ ତୋର ଏମିତି ବେଖାତିର୍ ଭାବ କାହିଁକି ?’ ସେ ମୋ କଥା ନ ଶୁଣିବା ପରି ରହିବାରୁ ତା’ ଆଡ଼କୁ ମାଡ଼ି ଯାଇ କହିଲି, ‘ମୁଁ କହୁଛି ପରା ତୁ ଏମିତି କୁଟାକୁଟି କଲେ ମତେ ନିଦ ମାଡ଼ୁ ନାହିଁ...’ ରାଜଲକ୍ଷ୍ମୀ ହେମଦସ୍ତାର ଲୁହା ସିଲଣ୍ଡର୍‌ଟି ଧରି ରାଗରେ ଉଠି ପଡ଼ିଲା ଓ ଉତ୍ତର ଦେଲା, ‘ଆମେ ଏଠାରେ ଯେତେବେଳେ ଘର କରି ରହିଅଛୁଁ, କୁଟିବୁନି, ବାଟିବୁନି, ପେଷିବୁନି...ତମେ ମହାରାଜ ପରି ଦିନ ବାରଟାରେ ଅବେଳରେ ଶୋଇବ ବୋଲି ଆମକୁ କାଶ କିମ୍ବା ଛିଙ୍କ ମାଡ଼ିଲେ, ଘର ଭିତରୁ ସଡ଼କକୁ ଦୌଡ଼ି ଦୌଡ଼ି ଯାଇ କାଶିବୁ, ଛିଙ୍କିବୁ । ମୁଁ ଆଜି ଯାଏଁ କେଉଁ ଯୁବକ ଦିନ ବାରଟା ବେଳେ କବାଟ କିଳି ଦେଇ ଶୋଇବାର ଶୁଣି ନାହିଁ, ଜାଣି ନାହିଁ । ଦେହ ବେମାରୀ ହେଲେ ଅଲଗା କଥା । ତୁଚ୍ଛା ତୁଚ୍ଛାରେ ଶରୀରକୁ ସୁଖ ଦେବା ପାଇଁ ଏମିତି ଶୋଇବ କିଏ ?’ ତା’ର କଟୁ ଭାଷା ଶୁଣି ମୁଁ ଆହୁରି ଉତ୍ତେଜିତ ହୋଇ ପଡ଼ିଲି । ବର୍ତ୍ତମାନ ରାଜଲକ୍ଷ୍ମୀ ଭୟଭୀତ ହୋଇଗଲା ଓ ମତେ ଶାନ୍ତ କରିବାକୁ କହିଲା, ‘ଖାଲି ହାଣ୍ଡିରୁ ଯେମିତି ଶବ୍ଦ ହୁଏ…ସେମିତ ଉପର ମହଲାରେ ଅଳ୍ପ ଶବ୍ଦ ହେଲେ ମଧ୍ୟ ତମକୁ ଏତେ ଜୋରରେ ଶୁଭୁଛି…ୟା ବୋଲି ମୁଁ ଦୋଷ କଲି ନା ମୋ ମା’ ଦୋଷ କଲେ ? ...ତମେ କାହିଁକି କିଛି ନ ବୁଝି ଏମିତି ଝିଙ୍କାରି ହେଉଛ ?’ ତା’ ନମନୀୟତାରେ ମୁଁ କିଛି କିଛି ପ୍ରଭାବିତ ହୋଇ ସେଠାରୁ ବିଦାୟ ନେଇ ଦାଣ୍ଡ ଘରେ ପହଞ୍ଚିବା ବେଳେ ସେ ଲକ୍ଷ୍ମୀକୁ କହୁଥିବାର ମୁଁ ଶୁଣି ପାରିଲି, ‘ଏଇ ଲୋକଟା ସାଥିରେ କିଏ ରହିବ ? ...ପୁଅ ନାହିଁ, ମାଇପ ନାହିଁ ଅଘରୀଟାଏ-। ଟିକିଏ କଥାରେ ଚିଡ଼ୁଛି, ମାରି ଗୋଡ଼ାଉଛି…ବଣଜନ୍ତୁ ପରି ।’ ଏହି ବାକ୍ୟଗୁଡ଼ିକ ମୋ କାନରେ ପଡ଼ିବା ପରେ ପରେ ମୁଁ ତା’ ପାଖକୁ ପୁଣି ଫେରି ଆସି କହିଲି, ‘.....ବଦ୍‌ମାସ ! ପାଟି ବନ୍ଦ କରେ-। ମହିଳା-କଲେଜମାନଙ୍କରେ ଡୋମେଷ୍ଟିକ୍‌ ସାଇନ୍‌ସ ପଢ଼ା ହେଉଛି । …ବର୍ତ୍ତମାନ ତୁ ସେଠାକୁ ଯାଆ-। ଡୋମେଷ୍ଟିକ୍ ଆର୍ଟସ୍ ବୋଲି ଗୋଟିଏ ନୂଆ ବ୍ରାଞ୍ଚ୍ ଖୋଲି ଲୋକମାନଙ୍କୁ ଗାର୍ହସ୍ଥ୍ୟ-ଟ୍ରେନିଂ ଦେବୁ....’ ରାଜଲକ୍ଷ୍ମୀ ମୋ କଥା ବୁଝିଥିବ କି ନାହିଁ, ମୁଁ ଜାଣିବାକୁ ଚାହୁଁ ନ ଥିଲି । ମୁଁ ସେତେବେଳେ ଅତ୍ୟଧିକ ମାନସିକ ଉତ୍ତେଜନା ଭୋଗ କରୁଥିବାରୁ, ଅନ୍ଧ-ଦେଶକୁ ଦର୍ପଣ ବିକି ଯିବାକୁ ମଧ୍ୟ ପ୍ରସ୍ତୁତ ଥିଲି । ମୁଁ ରାଜଲକ୍ଷ୍ମୀ ସହିତ ଆଉ ଅଧିକ ବାକ୍-ବିତଣ୍ଡା ନ କରି ସବା ଉପରମହଲାକୁ ବାହାର ସିଡ଼ି ଦ୍ଵାରା ଉଠିଲି । ସେଠାରେ ତେଲୁଗୁ-କରଣ ପରିବାରର ଦୁଇ ଚାରି ଜଣ ପିଲା ଦୌଡ଼ି ଦୌଡ଼ି ଗୁଡ଼ି ଉଡ଼ାଉଥାନ୍ତି । ମୁଁ ତତ୍‌କ୍ଷଣାତ୍‌ ଦଉଡ଼ି ଛିଣ୍ଡାଇ ସେମାନଙ୍କ ଗୁଡ଼ିର କାଗଜ-ମୁଣ୍ଡଗୁଡ଼ିକୁ ଅଲଗା କରିଦେଲି । ଇତ୍ୟବସରରେ ଲକ୍ଷ୍ମୀ, ରାଜଲକ୍ଷ୍ମୀ ଓ ଅନ୍ୟମାନେ ମୋ ପଛେ ପଛେ ସେଠାରେ ପହଞ୍ଚି ଗଲେଣି । ମୁଁ ସମସ୍ତଙ୍କୁ ସତର୍କ କରାଇ କହିଲି ଯେ, ତମେମାନେ ଉପରମହଲାକୁ ଗୋଟିଏ ଖେଳପଡ଼ିଆ କରି ସାରିଲଣି...’ ତା’ପରେ ରାଜଲକ୍ଷ୍ମୀକୁ ଲକ୍ଷ୍ୟ କରି କହିଲି, ‘...ତୁ ଉପରମହଲାକୁ କଳ-କାରଖାନାର ଅଞ୍ଚଳ ବୋଲି ଭାବୁଛୁ…ଆଉ କେତେ ଦିନ ପରେ ଏଠାରେ ଗୋଟିଏ ଚୂନା-କଳ ବସାଇ ଦେବୁ…ମୁଁ ଘର ମାଲିକକୁ ତମମାନଙ୍କର ଉପଦ୍ରବ ବିଷୟରେ ବିସ୍ତୃତ ବିବରଣୀ ସହିତ ଗୋଟାଏ ଚିଠି ଲେଖିବି ଓ ତମଙ୍କୁ ମୂଲିଆମାନଙ୍କ ସାହାଯ୍ୟରେ ଜବରଦସ୍ତି ଅତି ଅପମାନ ଜନକ ପରିସ୍ଥିତିରେ ନିକାଲି ଦେବି....’ ସେତେବେଳେ ରାଜଲକ୍ଷ୍ମୀ ରାଗରେ ଜବାବ ଦେଲା, ‘ମୁଁ ଲକ୍ଷ୍ମୀ-ଅମ୍ମାକୁ ଏଠାରେ ରଖାଇବା ଲୋକ-। ତମେ ଆମକୁ ବାହାର କରିଦେବ ନା, ଆମେ ତମକୁ ବାହାର କରି ଦେବୁ, ଦେଖିବା । ଏଇ ଗାଁରେ ମୋର ଚଉଦ ପୁରୁଷ ଜନ୍ମ ହୋଇଛନ୍ତି । ତମେ କେଉଁ ଦେଶରୁ ଉଡ଼ି ଉଡ଼ି ଆସି ମୋ ଉପରେ ଟାଣପଣ ଦେଖାଉଛ ? …ତମେ ଯେତେ ଚିଠି ପତ୍ର ଲେଖୁଛ, ଲେଖ...ତମ ହାତରେ ଯାହା ହୋଇପାରିବ, କର…..’ ଚାକରାଣୀଟା ବଡ଼ ବଡ଼ କଥା କହୁଛି । ଅବଶ୍ୟ ଯିଏ ଯୁବତୀ ହେବା ପରେ ବାର-ଘରକୁ ବିନା ସଂକୋଚରେ ଯିବା ଆସିବା କରୁଛି, ତା’ ପକ୍ଷରେ ଏମିତି ହେବା ଅତି ସ୍ଵାଭାବିକ । ତଥାପି ରାଜଲକ୍ଷ୍ମୀର ବହପ ଦେଖି ମୁଁ ରକ୍ତ ଚାଉଳ ଚୋବାଇଲି । ମୋ ଆଖି ନାଲି ପଡ଼ିଗଲା । ପ୍ରାଚୀନ କାଳରେ ମୁନି-ଋଷି ହୋଇଥିଲେ ମୁଁ-ତତ୍‌କ୍ଷଣାତ୍ ଅଭିଶାପ ଦେଇ ତାକୁ ପୋଡ଼ି ପାଉଁଶ କରି ଦେଇଥାନ୍ତି । ଏମିତି ସମୟରେ ଲକ୍ଷ୍ମୀର ଘରେ କଂସା-ଗିନା ଖଡ଼୍ ଖଡ଼୍ ଓ ଧଡ଼୍ ଧଡ଼୍ ଶବ୍ଦ ହେବାରୁ ଲକ୍ଷ୍ମୀ ତା’ ଘରକୁ ଓହ୍ଲାଇ ଆସିଲା । ତା’ ପଛେ ପଛେ ରାଜଲକ୍ଷ୍ମୀ ଓ ଅନ୍ୟମାନେ ମଧ୍ୟ ଚାଲିଲେ । ମୁଁ କିଛି ସମୟ ପରେ ସବା ଉପରୁ ଓହ୍ଲାଇ ଯିବା ସମୟରେ ଦେଖିଲି ଯେ ଲକ୍ଷ୍ମୀ ରାଜଲକ୍ଷ୍ମୀକୁ ତେଲୁଗୁ ଭାଷାରେ ଭୀଷଣ ଗାଳି ଦେଉଛି । କାରଣ ସେ କ୍ଷୀର ଭଲ ଭାବେ ଜାଗ୍ରତରେ ଘୋଡ଼ାଇ ରଖି ନ ଥିବାରୁ ହେମା ସେ କ୍ଷୀର ପିଇବାର ସୁଯୋଗ ପାଇଲା-। ଅବଶ୍ୟ ସେ କ୍ଷୀର ପିଉ ପିଉ ସେ ହାଣ୍ଡି ଓଲଟାଇ ଦେଲା । ସବା ଉପରେ ଥିବା ବେଳେ ଆମେ ଯେଉଁ କଂସା ଗିନାର ଶବ୍ଦ ଅଳ୍ପ ସମୟ ପୂର୍ବେ ଶୁଣିଥିଲୁ, ତାହା ହେମାର ଏହି କୁକର୍ମର ଫଳ-। ମୁଁ ତଳକୁ ଓହ୍ଲାଉଥିବା ବେଳେ ଲକ୍ଷ୍ମୀ ଠାରୁ ରାଜଲକ୍ଷ୍ମୀ ଗାଳି ଶୁଣି ସକସକ ହୋଇ କାନ୍ଦୁଥିବାର ଦୃଶ୍ୟ ଦେଖି ମୁଁ ବେଶ୍ ଉପଭୋଗ କଲି-। ମତେ ଦେଖି ରାଜଲକ୍ଷ୍ମୀ ଲଜ୍ଜା ଓ ଅପମାନରେ ମୁହଁ ବୁଲାଇ ଦେଲା । ମୁଁ ସ୍ଵାଭାବିକ ଅବସ୍ଥାରେ ଥିଲେ ଦୁଇ ଚାରି ପଦ ଚୁଗୁଲି କଥା ଶୁଣାଇ ତା’ର ଲୁହ ସ୍ରୋତକୁ ନିଶ୍ଚୟ ବଢ଼ାଇଥାନ୍ତି ଯାହା ହେଉ ସେଠାରୁ ନୀରବରେ ମୋ ରୁମ୍‌କୁ ଆସି ଭିତର ପଟୁ କବାଟ କିଳି ଦେଲି ଓ ଗାଲରେ ହାତ ଦେଇ ଘଣ୍ଟାଏ ଯାଏଁ ଭାବିଲି–ଏମାନଙ୍କୁ କେଉଁ ପ୍ଲାନ୍ ଦ୍ଵାରା ଉପର ମହଲାରୁ ତଡ଼ି ହେବ-! ତିନି-ମହଲା-ଉପରେ ପିଲା ଓ ମାଇପିମାନଙ୍କ ସମ୍ମୁଖରେ ମୁଁ ଏଠାରୁ ଲକ୍ଷ୍ମୀକୁ ନିକାଲିବାକୁ ଭୀଷ୍ମ-ପ୍ରତିଜ୍ଞା କରିଛି-। ମୋ ଆତ୍ମସମ୍ମାନ ଦୃଷ୍ଟିରୁ ତାହା ପାଳନ କରିବାକୁ ପଡ଼ିବ । କେବଳ ତାହା କରି ପାରିଲେ, ମୋ ପୁରୁଷ ପଣ ବଜାୟ ରହିବ ।

 

ଆମ ଘରର ଗୋଟିଏ ବିଶେଷ ସୁବିଧା ହେଉଛି ଯେ ଏହା ପୂର୍ବ ଦିଗକୁ ମୁହଁ କରି ରହିଛି । ପୁଣି ସମ୍ମୁଖରେ ଖେଳ ପଡ଼ିଆ । ତେଣୁ ସୂର୍ଯ୍ୟ ଉଦୟ ହେଉ ହେଉ ଏଠାରେ କୋମଳ ଆଲୋକ-ରଶ୍ମୀ ପ୍ରଚୁର ପରମାଣରେ ପଡ଼େ । ମୁଁ ଡିସେମ୍ବର ମାସର ଶୀତ-ସକାଳେ ଉଠି ଏଠାରେ ସୂର୍ଯ୍ୟକିରଣ ଉପଭୋଗ କରେ । ଦିନେ ସକାଳ ଆଠଟାରେ ଶେଯ ଛାଡ଼ି ନିତ୍ୟକର୍ମ ଶେଷ କଲି । ତା’ପରେ ବାରଣ୍ଡାର ସାମାନ୍ୟ ଆଗକୁ (ଯେଉଁଠାରେ ପ୍ରଚୁର ସୂର୍ଯ୍ୟାଲୋକ ପଡ଼ିଥାଏ) ଯାଇ ଠିଆ ହେଲି । ମୁଁ ମୋ ଭଣଜାକୁ ଲେଖିଥିବା ଇନ୍‌ଲ୍ୟାଣ୍ଡ ଲେଟର୍‌ଟି ଅଠା ବୋଳି ପୋଷ୍ଟିଂ କରିବା ପୂର୍ବରୁ ପୁଣି ଥରେ ଆଖି ବୁଲାଉଥିଲି । ସେତେବେଳେ ହଠାତ୍ ମୋ ଉପରେ ଓ ଚିଠଟି ଉପରେ ମଧ୍ୟ, ଟପର୍ ଟପର୍ ହୋଇ ପାଣି-ବୁନ୍ଦା ପଡ଼ିଲା । ମୁଁ ବଡ଼ ବିଚଳିତ ହୋଇ ଉପରକୁ ଚାହିଁବା ବେଳେ ମୋ ଆଖି-ଡୋଳା ଉପରକୁ ବିନ୍ଦୁ ବିନ୍ଦୁ ପାଣି ଖସିଲା । ସାମାନ୍ୟ ଆଗକୁ ଡେଇଁ ପଡ଼ି ଦେଖିଲି ଯେ ରାଜଲକ୍ଷ୍ମୀ ସବା ଉପର ବାଲକୋନିରେ ତା’ର ଆମ୍ମାର ଶାଢ଼ୀ ଶୁଖାଉଛି-। ମୁଁ ଭୀଷଣ ବିରକ୍ତ ହୋଇ କହିଲି, ‘କ’ଣ ତୁ ଖାଇ ନାହୁଁ କି ? ଲୁଗା ଭଲ ଭାବେ ଚିପୁଡ଼ି ଶୁଖାଇ ପାରୁ ନାହୁଁ ? ପୁଣି ଲୁଗା ଶୁଖାଇବା ପୂର୍ବରୁ ତଳେ କିଏ ଅଛି ନା ନାହିଁ ତଦନ୍ତ କରୁ ନାହୁଁ ? ....ତୋର ଭାରି ମୁଣ୍ଡବୁଲା !’ ରାଜଲକ୍ଷ୍ମୀ ତ ଆଗ ଦିନରୁ ମୋ ସହିତ ଯୁଦ୍ଧ-ଘୋଷଣା କରିଛି । ତେଣୁ ମୋ ସାମାଜିକ ସ୍ଥିତିକୁ ସେ ଖାତିର ନ କରି କହିଲା, ‘ବାବୁ ! ଟେରିଲିନ୍-ଟେରିକଟ୍ ଲୁଗା ପିନ୍ଧି ନାହଁ ? ସେଗୁଡ଼ାକ ପରା ଓଦା ସାଲୁବାଲୁ ହୋଇଥିବା ଅବସ୍ଥାରେ, ଚିପୁଡ଼ା ନ ହୋଇ ଶୁଖା ଯାଇଥାଏ ! ଭଲ ଭାବେ ବିଚାର କର ତ, ଏଥିରେ ମୋର କେମିତି ଦୋଷ ହେଲା ?’ ତା’ର ବ୍ୟଙ୍ଗ ମୋତେ ଯଥେଷ୍ଟ ପୀଡ଼ା ଦେଲା । ମୁଁ ଅନୁଭବ କଲି ଯେ ସେ ମତେ ଦୈହିକ ଯନ୍ତ୍ରଣା ଦେଇ ଘରୁ ବାହାର କରି ଦେବା ପାଇଁ ଚେଷ୍ଟା କରୁଛି । ତା’ପରେ ମୁଁ ଧରିଥିବା ଚିଠିଟି ଉପରେ ଆଖି ବୁଲାଇଲି-। ତାହା ପାଣି ପଡ଼ି ଏକ ରକମ ଧୋଇ ହୋଇ ଯାଇଥିଲା । ଅକ୍ଷର ଗୁଡ଼ିକ ଚିହ୍ନି ହେଉ ନ ଥାଏ-। ମୁଁ ବାଧ୍ୟ ହୋଇ ଗୋଟିଏ ନୂଆ ଇନ୍‌ଲ୍ୟାଣ୍ଡ ଲେଟର୍‌ରେ ଚିଠିଟି ପୁଣି ଥରେ ଲେଖିଲି ଓ ଅଠା ବୋଳି ପୋଷ୍ଟିଂ କଲି । ସେଦିନ ମୋ ମନ ଭୀଷଣ ଯନ୍ତ୍ରଣାରେ ଛଟପଟ ହେଉଥାଏ । ଛାର ଚାକରାଣୀଟାଏ ମତେ ସୁବିଧା ସୁଯୋଗ ଉଣ୍ଡି ଚିମୁଟୁଛି । ମୁଁ କ୍ରମଶଃ ଉପଲବ୍‌ଧି କଲି ଯେ ଏଥି ପ୍ରତି ଲକ୍ଷ୍ମୀର ପ୍ରଚ୍ଛନ୍ନ ସାହାଯ୍ୟ ଓ ସମର୍ଥନ ଅବଶ୍ୟ ରହିଛି । ନଚେତ୍ ରାଜଲକ୍ଷ୍ମୀର ଏତେ ଦୂର ସାହସ ହୋଇ ନ ଥାନ୍ତା ।

 

ସେଦିନ ସନ୍ଧ୍ୟାବେଳେ ମୋ ମୁଣ୍ଡକୁ ଗୋଟିଏ ଉପାୟ ଜୁଟିଲା । ଏହି ମାସର ଇଲେକ୍‌ଟ୍ରିକ୍ ବିଲ୍ ମୁଁ ପ୍ରାୟ ଏକ ସପ୍ତାହ ପୂର୍ବେ ପାଇଛି । ଏହି ବିଲ୍‌ଟି ତଳ ଓ ଉପରମହଲାର ଲାଇଟ୍ ଖର୍ଚ୍ଚ ଦେଖାଏ । ମୁଁ ପୂର୍ବ ପରମ୍ପରା ଅନୁସାରେ ଗତ କାଲି ଉପରମହଲାରୁ ବିଲ୍‌ଟିର ଅଧା ପଇସା ସଂଗ୍ରହ କରି ସାରିଛି । ତେଣୁ ମୁଁ ମୋ ଭାଗର ଆଉ ଅଧା-ପଇସା ମିଶାଇ ଇଲେକ୍‌ଟ୍ରିକ୍‌ ସିଟି ବୋର୍ଡ଼ର କାଉଣ୍ଟରରେ ପୈଠ କରି ରସିଦ ଆଣିବା କଥା ନିର୍ଦ୍ଧାରିତ ତାରିଖ (ଡ୍ୟୁ ଡେଟ୍‌) ପୂର୍ବରୁ ବିଲ୍ ପଇସା ଜମା କରିଦେଲେ, ରିବେଟ ମିଳିଥାଏ । ତେଣୁ ଜଲଦି ବିଲ୍-ପେମେଣ୍ଟ କରିବା ଉଚିତ୍ । କିନ୍ତୁ ମୁଁ ଏହି ପରିସ୍ଥିତିରୁ ଫାଇଦା ଉଠାଇବାକୁ ଚାହିଁଲି । ମୁଁ ଜାଣେ ଯେ, ବର୍ତ୍ତମାନ ଲକ୍ଷ୍ମୀର ସ୍ଵାମୀ ଗସ୍ତରେ ଅଛନ୍ତି । ତେଣୁ ମନେ ମନେ ପାଞ୍ଚିଲି ଯେ, ଏବେ ଉପରମହଲାକୁ ଯାଇ ମିଛରେ ଲକ୍ଷ୍ମୀକୁ କହିବି ଯେ, ଯେହେତୁ ଆମେ ଉଭୟେ ବିଜୁଳିବତୀ ବ୍ୟବହାର କରୁଛୁଁ, ଇଲେକ୍‌ଟ୍ରି ବିଲ୍ ପେମେଣ୍ଟ କରିବା ଆମ ଉଭୟଙ୍କର ଦାୟିତ୍ଵ । ଆଜି ଯାଏଁ ପ୍ରତି ମାସରେ ଠିକ୍-ତାରିଖ ପୂର୍ବରୁ କ୍ୟୁରେ ଠିଆ ହୋଇ ମୁଁ କାଉଣ୍ଟର୍‌ରେ ଟଙ୍କା ଦେଉଥିବାରୁ, ଆମେ ରିବେଟ ପାଉଛୁଁ (ଅବଶ୍ୟ ପ୍ରକୃତରେ ମୁଁ କେବେ କାଉଣ୍ଟର୍‌କୁ ଯାଇ ଝାଳ-ନାଳରେ ସେ ଲମ୍ବା କ୍ୟୁରେ ଆଜି ଯାଏଁ ଠିଆ ହୋଇ ନାହିଁ । ଆମ ଅଫିସର ଗୋଟାଏ ପିଅନ ସମସ୍ତଙ୍କର ଇଲେକ୍‌ଟ୍ରିସିଟି ବିଲ୍‌ ପେମେଣ୍ଟ କରିବାକୁ ପଇସା ନେବା ବେଳେ ମୋ ବିଲ୍‌ଟି ମଧ୍ୟ ନେଇଥାଏ ।) କିନ୍ତୁ ଆଜିଠାରୁ ମୋର ଆଉ ସୁବିଧା ହେବ ନାହିଁ କାରଣ ବର୍ତ୍ତମାନ ଜରୁରୀ-ପରିସ୍ଥିତି ଦେଶରେ ଜାରି ହୋଇଥିବାରୁ ମତେ ଦିନ ରାତି ଫାଇଲ୍ ଚାଷ କରିବାକୁ ପଡ଼ୁଛି । ତେଣୁ ମୁଁ ଆଉ ବିଲ୍ ଟଙ୍କା କାଉଣ୍ଟରରେ ଜମା ଦେଇ ପାରିବି ନାହିଁ । ମନେ ମନେ ପୁଣି ସ୍ଥିର କଲି ଲକ୍ଷ୍ମୀକୁ ଜୋର ଦେଇ କହିବି ଯେ, ଏଥିପାଇଁ ସେ ଅଫିସ-କାଉଣ୍ଟରକୁ ନିଜେ ଯାଉ କିମ୍ବା ରାଜଲକ୍ଷ୍ମୀ ବା ଅନ୍ୟ କାହାରି ଦ୍ଵାରା ଟଙ୍କା ପଠାଉ–ଏଥିରେ ମୋର କୌଣସି ପ୍ରକାର ଆପତ୍ତି ନାହିଁ–କିନ୍ତୁ ମତେ ଦରକାର ରିବେଟ୍ ।

 

ମୁଁ ଜାଣେ ଯେ ଏହି ପ୍ରସ୍ତାବଟି ଧରି ଲକ୍ଷ୍ମୀ ପାଖକୁ ଗଲେ ସେ ନିଶ୍ଚୟ ଅଡ଼ୁଆରେ ପଡ଼ିବ କାରଣ ତା’ର ସ୍ୱାମୀ ତ ବର୍ତ୍ତମାନ ଘରେ ନାହିଁ; ପୁଣି ରାଜଲକ୍ଷ୍ମୀ କୌଣସି ଅଫିସ୍ ବାରଣ୍ଡାରେ ଆଜି ଯାଏଁ ପାଦ ଦେଇ ନ ଥିବା ଯୋଗୁଁ ଏହି କାମଟି ସାମାନ୍ୟ ହୋଇଥିଲେ ସୁଦ୍ଧା, କରିବାକୁ ମନା କରିବ । ତେଣୁ ବିଲ୍‌ଟି ଓ ଟଙ୍କା ଧରି ଉପରମହଲାକୁ ଉଠିଲି । ଦାଣ୍ଡ ଘରେ କେହି ଦେଖା ଯାଉ ନ ଥାନ୍ତି । ଗୋଟିଏ ଷ୍ଟୁଲ୍ ଉପରେ ଗରମ ଦୋସା ଷ୍ଟିଲ୍‌ ପ୍ଲେଟରେ ରଖା ଯାଇ ଥିଲା ଓ ତାହା ଖାଇବାକୁ ହେମା ଲାଙ୍ଗୁଡ଼ ହଲାଇ ଖଟ ତଳୁ ପ୍ରସ୍ତୁତ ହେଉଥିଲା । ଏହି ପରିସ୍ଥିତିରେ ମୁଁ କ’ଣ କରିବି, ହଠାତ୍ କିଛି ବୁଝି ପାରିଲି ନାହିଁ । ପରେ ଭାବିଲି ଯେ, ହେମା ମୁହଁରୁ ଦୋସା ପ୍ଲେଟଟି ରକ୍ଷା କରିବା ମୋ ପକ୍ଷରେ ଉଚିତ୍ ହେବ । ତେଣୁ ପୋଷା ବିଲେଇଟିକୁ ସେଠାରୁ ତଡ଼ିବାକୁ ଚେଷ୍ଟା କଲି । କିନ୍ତୁ ସେ ନଛୋଡ଼ ବନ୍ଧା । ମତେ ବେଖାତିର କରି, ସେ ପ୍ଲେଟ ଆଡ଼କୁ ମୁହଁ ଉଠାଇଲା । ମୁଁ ବାଧ୍ୟ ହୋଇ ପ୍ଲେଟଟି ଉପରକୁ ଉଠାଇ ଧରିଲି । ଫଳରେ ହେମା କ୍ରମଶଃ ବଳ ପ୍ରୟୋଗ କରି ପ୍ଲେଟ ଆଡ଼କୁ ଲମ୍ପ ମାରିଲା । ଯେତେଦୂର ସମ୍ଭବ ଦୋସା ଦେଖି ତା’ ପାଟିରୁ ଲାଳ ନିଗୁଡ଼ୁଛି, ତେଣୁ ତାକୁ ସ୍ଵର୍ଗ-ମର୍ତ୍ତ୍ୟ, ଭଲ-ମନ୍ଦ କିଛି ଜଣାପଡ଼ୁନାହିଁ । ତା’ ମୁହଁରୁ ଦୋସାଗୁଡ଼ିକୁ ରକ୍ଷା କରିବାକୁ ମୁଁ ଥାଳିଟି ବାଁ-ପଟରୁ ଡାହାଣକୁ, ଡାହାଣରୁ ବାଁ ପଟକୁ ଇତ୍ୟାଦି ନେବା ଆଣିବା କରୁଥାଏ । ଇତ୍ୟବସରରେ ରାଗରେ ତାକୁ ନାତେ, ଦୁଇ ନାତ କଷି ଦେଲି । ତଥାପି ସେ ନ ଦବିବାରୁ ମୁଁ ଥାଳିଟି ଧରି ଠିଆ ହୋଇ ପଡ଼ିଲି ଓ ଆଖ-ପାଖରେ କେଉଁଠାରେ ବାଡ଼ିଟାଏ ମିଳିବ ବୋଲି ଆଖି ବୁଲାଇଲି । ଏହି ଅବସରରେ ମୁଁ ଦେଖିଲି ଯେ, ଲକ୍ଷ୍ମୀ କେତେ ବେଳୁ ଆସି ମୋର ଏହି ଏକ୍‌ସର୍‍ସାଇଜ୍ ଉପଭୋଗ କରୁଛି । ମୁଁ ବିଲେଇ ଘଉଡ଼ିବାରେ ଏତେ ନିବିଡ଼ ଭାବେ ଲାଗି ପଡ଼ିଥିଲି ଯେ ଲକ୍ଷ୍ମୀର ଉପସ୍ଥିତି ସମ୍ପର୍କରେ ମୁଁ କିଛି ଜାଣି ପାରି ନ ଥିଲି । ଯାହାହେଉ ହେମାକୁ ତଡ଼ିବା ପାଇଁ ମୋର ଆନ୍ତରିକ ଉଦ୍ୟମ ଦେଖି ସେ ନିଶ୍ଚୟ ଭାବିଥିବ ଯେ ଦୋସା ଥାଳିଟିକୁ ମୁଁ ନିଜର ବୋଲି ଗ୍ରହଣ କରି ନେଇଛି । ମୁଁ ଲକ୍ଷ୍ମୀକୁ ଦେଖି ସଂଯତ ହୋଇଗଲି । ସେ ହେମାକୁ ଡାକି ପାଖକୁ ନେଇଗଲା ଓ ମତେ ନିକଟରେ ଗୋଟିଏ ଚୌକିରେ ବସିବାକୁ କହିଲା । ତା’ପରେ ହାତରେ ଧରିଥିବା ସମ୍ବାରୁ (ଏକ ପ୍ରକାର ଡାଲି-ଜାତୀୟ ଝୋଳ) ଥାଳିଟି ଷ୍ଟୁଲ ଉପରେ ରଖିଲା ଓ ଦୋସା ଖାଇବାକୁ ମତେ ଅନୁରୋଧ କଲା । ମୁଁ ଭଲ ଭାବେ ଜାଣେ ଯେ, ମତେ ଖୁଆଇବା ପାଇଁ ସେ ଏହି ଦୋସା ତିଆରି କରି ନାହିଁ । ପରିସ୍ଥିତିରେ ପଡ଼ି ସାଧାରଣ ଭଦ୍ରାମି ଦୃଷ୍ଟିରୁ ସେ ମତେ ଜଳଖିଆ ଖାଇବା ପାଇଁ କହୁଛି l ମନ ଭିତରେ ଇଚ୍ଛା ଥିଲେ ସୁଦ୍ଧା ମୁଁ ତା’ର ଅନୁରୋଧକୁ ପ୍ରଥମେ ପ୍ରତ୍ୟାଖ୍ୟାନ କଲି । କିନ୍ତୁ ସେ ମତେ ପୁଣି ଥରେ ବଳାଇଲା । ସାଧାରଣତଃ ମୋର ଜଳଖିଆ ହେଉଛି ସଜ ମୁଢ଼ି, କଟା ପିଆଜ, ସୋରିଷ ତେଲ, କଞ୍ଚା ଲଙ୍କା (ସାମାନ୍ୟ) ଓ ଲେମ୍ବୁ ରସର ମିକ୍‌ଶଚର୍ । ଗରମ ଦୋସା ଓ ସମ୍ବାରୁ ବେଳେ ବେଳେ ହୋଟେଲରେ ଖାଏ । କିନ୍ତୁ ଦୋସା-ସମ୍ବାରୁ ଖୋଦ୍ ଦକ୍ଷିଣାଞ୍ଚଳର କୌଣସି ତେଲୁଗୁ-ପରିବାରରେ ଖାଇବାର ସୁଯୋଗ ମତେ ମିଳି ନ ଥିଲା । ଏହା ଖାଇବାକୁ ବହୁ ଦିନରୁ ଥିବା ମୋର କୌତୂହଳ ଓ ବାସନା ବର୍ତ୍ତମାନ ଚରିତାର୍ଥ ହେବ ବୋଲି ମୁଁ ଲକ୍ଷ୍ମୀର ଅନୁରୋଧରେ ରାଜି ହୋଇଗଲି । ଦୋଷାଗୁଡ଼ିକୁ ଗୋଟି ଗୋଟି କରି ଶେଷ କରିବାରେ ଲାଗିଲି । ଇତ୍ୟବସରରେ ହେମା ଦୁଃଖର ସହିତ ଘରକୋଣରେ ବସିଥାଏ । ଏମିତି ସମୟରେ ସମ୍ମୁଖସ୍ଥ ଦୋଳିରେ ଶୋଇଥିବା ଚିନମ୍ କାନ୍ଦିବାରୁ ଲକ୍ଷ୍ମୀ ତାକୁ ତୁନାଇବା ପାଇଁ ଦୋଳିଟି ଝୁଲାଇବାରେ ମନ ଦେଲା । ଏହି ସୁଯୋଗରେ ମୁଁ ପ୍ରଥମ ଥର ପାଇଁ ତାକୁ ନିବିଷ୍ଟ ଭାବେ ଦେଖିଲି–ପ୍ରକୃତରେ ଲକ୍ଷ୍ମୀ ଓ ରାଜଲକ୍ଷ୍ମୀ ଜାଆଁଳା ଭଉଣୀ ପରି । ସେମାନଙ୍କର ଶରୀର-ଗଠନ ଓ ରୂପ ସୌନ୍ଦର୍ଯ୍ୟରେ କୌଣସି ପ୍ରଭେଦ ଜାଣି ହେଉନାହିଁ । ଅବଶ୍ୟ ଗୋଟିଏ ମୂଳ ତଫାତ୍ ହେଉଛି ଯେ, ଲକ୍ଷ୍ମୀର ସିଉଁତାରେ ଉଜ୍ଜ୍ୱଳ ସିନ୍ଦୂର ବିନ୍ଦୁ; କିନ୍ତୁ ରାଜଲକ୍ଷ୍ମୀ ଅବିବାହିତା । ରୂପ-କଳନାରେ ମୁଁ ମଗ୍ନ ଥିବା ବେଳେ ହେମା ମୋ ଷ୍ଟୁଲ ଉପରକୁ ଡେଇଁ ସମ୍ଭାରୁ-ଥାଳିଟି ଗଡ଼ାଇ ଦେଲା । ଫଳରେ ସମ୍ଭାରୁ-ଝୋଳ ଛିଟିକି ମୋ ସାର୍ଟର କିଛି ଅଂଶ ଓ ପ୍ୟାଣ୍ଟର ଅଧିକାଂଶରେ ପଡ଼ିଲା । ମୋର ନାମ କହୁଣୀ-ଠାରୁ ହାତ ପର୍ଯ୍ୟନ୍ତ ଝୋଳରେ ଅଇଁଠା ହୋଇଗଲା । ଅବଶ୍ୟ ସେତେବେଳେ ମୁଁ ସବୁତକ ଦୋସା ଖାଇ ସାରିଥିଲି । ଲକ୍ଷ୍ମୀ ମତେ ବର୍ତ୍ତମାନ ସୁଦ୍ଧା ପାଣି ଦେଇ ନ ଥିବାରୁ, ଦୋଳି-ଝୁଲା ବନ୍ଦକରି ରୋଷେଇଶାଳକୁ ଗଲା । ଯିବାବେଳେ ହେମାର ଦୁଷ୍ଟାମି ଓ ମୋ ପ୍ରତି ଅତ୍ୟାଚାର ଯୋଗୁଁ ତାକୁ ଗୋଟିଏ ନାତ ମାରିଲା । ଗୋଟିଏ ଢାଳରେ ସେ ପାଣି ଆଣିଲା । କିନ୍ତୁ ମୋର ଦୁଇହାତ ଅଇଁଠା ହୋଇଥିବା ଯୋଗୁଁ ସେ ନାଳ ଯାଏଁ ମୋ ସହିତ ଆସି ମୋ ହାତରେ ପାଣି ଢାଳିଲା । ଜଳଖିଆ ଖାଇବାପରେ ମୁଁ ଆଶା କରୁଥିଲି ଯେ ଲକ୍ଷ୍ମୀ ମୋ ପାଇଁ କଫି ଆଣିଦେବ । ଦକ୍ଷିଣାଞ୍ଚଳର ଘର-ତିଆରି କଫି ଖାଇବାକୁ ମୋର ବହୁ ଦିନରୁ ଇଚ୍ଛା ଅଛି । କିନ୍ତୁ କିଛି ସମୟ ଇତସ୍ତତଃ ହେଉଥିବାବେଳେ ମୁଁ ଜାଣି ପାରିଲି ସେ ଲକ୍ଷ୍ମୀ କଫିର କିଛି ଆୟୋଜନ କରୁନାହିଁ । ଯାହାହେଉ, ମୁଁ ଆଉ ଅପେକ୍ଷା ନ କରି ସିଡ଼ିରେ ଓହ୍ଲାଇଲି, ମୋ ବଖରାରେ ପ୍ରାୟ ପହଞ୍ଚିବା ବେଳେ ଲକ୍ଷ୍ମୀ ଟେଲିଫୋନ୍‌ରେ ଡାକିବା ପରି ‘ହେଲୋ’ ‘ହେଲୋ’ ବୋଲି କହି ମତେ ଡାକିଲା, ମୁଁ ସେତେବେଳେ ପୁଣି ଆଶାୟୀ ହୋଇଗଲି ଓ ତା’ ପାଖକୁ ଯିବାବେଳେ ଭାବିଲି ଯେ କଫି ଯାଚିବାକୁ ସେ ବୋଧହୁଏ ଭୁଲି ଯାଇ ଥିବାରୁ ମତେ ପୁଣି ଥରେ ଡାକିବାକୁ ବାଧ୍ୟ ହେଲା । ଉପରେ ପହଞ୍ଚି ଦେଖିଲି ଯେ, ମୋର ଅନୁମାନ ଠିକ୍ । କଫି ଖାଇ ସାରିବା ପରେ ମୁଁ ଅନୁଭବ କଲି ଯେ ସ୍ଥାନୀୟ ଯେ କୌଣସି ହୋଟେଲ୍‌ର ସ୍ପେଶାଲ୍ କଫିଠାରୁ ଏହା ଅଧିକ ଉତ୍କୃଷ୍ଟ, ତା’ପରେ ଷ୍ଟୁଲ୍‌ ପାଖରେ ଭୁଲରେ ମୁଁ ଛାଡ଼ି ଦେଇଥିବା ଇଲେକ୍‍ଟ୍ରିକ୍ ବିଲଟି ଲକ୍ଷ୍ମୀ ମୋ ହାତକୁ ବଢ଼ାଇ ଦେଲା ଓ ଡିଉ ଡ଼େଟ ପାଖେଇ ଆସୁଥବାରୁ ଖୁବ୍ ଶୀଘ୍ର ପେମେଣ୍ଟ୍ କରିଦେବା ପାଇଁ ଅନୁରୋଧ କଲା । ଦୋସା ଖିଆ ଆରମ୍ଭ ହେବାଠାରୁ ମୁଁ କରେଣ୍ଟ-ବିଲ ସମ୍ପର୍କୀୟ ଷଡ଼ଯନ୍ତ୍ରକୁ ପୂରାପୂରି ମୁଣ୍ଡରୁ ପୋଛି ସାରିଥିଲି । ବର୍ତ୍ତମାନ ତା’ର ଆଜ୍ଞାକୁ ଭୃତ୍ୟପରି ମୁଣ୍ଡ ହଲାଇ ମାନିଗଲି । କେବଳ ସେତିକି ନୁହେଁ–ସଙ୍ଗେ ସଙ୍ଗେ ଲାଇଟ୍ ବିଲ୍ ଓ ଟଙ୍କା ଧରି ଆମ ଅଫିସକୁ ଦୌଡ଼ିଲି ଓ ବେଠିକାମ କରୁଥିବା ଆମ ପିଅନକୁ ତାହା ଦେଲି । ଟଙ୍କା ଓ ବିଲ୍ ଗ୍ରହଣ କରିବା ବେଳେ ପିଅନ୍‌ଟି ମୋ ହାତର ଦୋସା-ସମ୍ବାରୁର ବାସ୍ନା ନିଶ୍ଚୟ ଶୁଙ୍ଘିଥିବ ! ଘରକୁ ପେରି ମୁଁ ଲକ୍ଷ୍ମୀ ପରି ଗୋଟିଏ ଅତିଥି-ପରାୟଣା ପଡ଼ୋଶିନୀ ପାଇଥିବାରୁ ନିଜକୁ ଧନ୍ୟ ବୋଲି ଭାବିଲି । ସେତେବେଳେ ମନରେ ଭାବନା ଜାଗରିତ ହେଲା ଯେ, ତାକୁ ଏଇ ଘରୁ ତଡ଼ିବା ଉଚିତ୍‌ ହେବ ନାହିଁ । ରାଜଲକ୍ଷ୍ମୀ ପ୍ରତି ଅବଶ୍ୟ ସତର୍କ ଦୃଷ୍ଟି ରଖିବାକୁ ପଡିବ ।

 

ସବୁଦିନ ହୋଟଲରେ ଖାଇ ଖାଇ ମତେ ଖରାପ ଲାଗିଲା । ତେଣୁ ସାମାନ୍ୟ ପରିବର୍ତ୍ତନ ପାଇଁ ଦିନେ ଘରେ ରୋଷେଇ କରିବି ବୋଲି ଭାବିଲି । ଆମ ଘରେ ଆବଶ୍ୟକୀୟ ସାମଗ୍ରୀ ଥିବାରୁ ମୋର ଏଥିରେ ବିଶେଷ ଅସୁବିଧା ହେବ ନାହିଁ । ସେଦିନ ଏହି ଅଞ୍ଚଳର ଖାଦ୍ୟ ପ୍ରସ୍ତୁତ କରିବାକୁ ମୋର ଭାରି ଇଚ୍ଛା ହେଲା । ମୋର ଖାଦ୍ୟ–ତାଲିକା ହେଉଛି, ପଖାଳ ଭାତ, କାଞ୍ଜି, କୋଶଳା ଶାଗ-ଭଜା, ସାନ ଶୁଖୁଆ ଘାଣ୍ଟି ଦେଶୀ-ଆଳୁ-ବାଇଗଣ-ମୂଳା ତରକାରି ଓ କଡ଼ା ଶୁଖୁଆ ଭଜା । କାଞ୍ଜି ପାଇଁ ବାସି ଖଟା ତୋରାଣି ଦରକାର । ଏହା ମୁଁ ଗତ କାଲି ରାତିରୁ ସଂଗ୍ରହ କରିଛି । ଭଜା ପାଇଁ ଲମ୍ବା ପତଳା ଶୁଖୁଆ ଗୁଡ଼ିକୁ ପନିକିରେ କାଟି ପ୍ରସ୍ତୁତ କରିଛି । ଏଥିପାଇଁ ସୋରିଷ ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ବେସର ବାଟିବା ବେଳେ ମୋ ହାତ ହୁଗୁଳି ଗଲା । ଏ ପଟେ ଚୁଲିରେ କାଠ ପୁରାଇଲି । ତା’ପରେ କିରାସିନି ଢାଳି ନିଆଁ ଲଗାଇଲି । ଦୁର୍ଭାଗ୍ୟବଶତଃ କାଠଗୁଡ଼ିକ ଓଦା ଥିବାରୁ ଫୁଙ୍କନାଳୀରେ ଫୁଙ୍କି ଫୁଙ୍କି ମୋ ନାକ ଓ ଆଖିରୁ ଧାରଧାର ପାଣି ବୋହିଲାଣି । ତଥାପି ଚୁଲି ଭଲ ଭାବେ ଜଳୁ ନାହିଁ । ଭୀଷଣ ଭାବେ କୁହୁଁଳୁ ଥାଏ । ସେଦିନ ସକାଳୁ ପୂର୍ବ-ମୁହାଁ ପବନ ବହୁ ଥିବାରୁ ଓ ତଳ ମହଲାର ଧୂଆଁ ନଳା ଉପରମହଲାର ମଧ୍ୟ ଭାଗରେ ଶେଷ ହୋଇଥିବାରୁ ମୋ ଚୁଲିର ଧୂଆଁ ଉପରମହଲାର ରୁମ୍‌ଗୁଡ଼ିକ‌ ଭିତରକୁ ପଶି ଯାଉଥାଏ । ଏହି ବିଷୟଟି ମୁଁ ବହୁତ ବିଳମ୍ବରେ ଜାଣିଲି, ଯେତେବେଳେ ଲକ୍ଷ୍ମୀ ବାରିର ସ୍ଲାବ୍‌ ଉପରେ ଠିଆ ହୋଇ ବିରକ୍ତିରେ ତା’ ଛାତି ଉପରକୁ ବିଧା ମାରୁଥିବାର ମୁଁ ଦେଖି ପାରିଲି । କିନ୍ତୁ ତା’ର ଅଭିଯୋଗକୁ ମାନି ମୁଁ ତ ରୋଷେଇ ଅଧା ଅଧିରେ ବନ୍ଦ କରିଦେବି ନାହିଁ । ତେଣୁ ବାଉଁଶ ଫୁଙ୍କନଳା ଦ୍ୱାରା ଚୁଲି-ମୁହଁରେ ବସି ଫୁ’ ଫୁ’ କରିବାରେ ଲାଗିଲି । ସେତେବେଳେ ମୁଁ ଚିନ୍ତା କଲି; ଏହି ଅସହଯୋଗୀ ରନ୍ଧାଶାଳରେ ମୁଁ ଏତେଗୁଡ଼ିଏ ତରକାରୀ କେତେବେଳେ ପ୍ରସ୍ତୁତ କରିବି ? ତା’ପରେ ବାଧ୍ୟ ହୋଇ ବଜାରକୁ ଯାଇ ଶୁଖିଲା କାଠ କିଣିଲି ଏବଂ ଏକ ଟଙ୍କାର କାଠ ପାଇଁ ଦୁଇ ଟଙ୍କା ରିକ୍‍ସା ଭଡ଼ା ଦେଲି । ନୂଆ କାଠ ଚୂଲୀରେ ଦେଲି । ବର୍ତ୍ତମାନ ଅଗ୍ନି ପ୍ରଖର ହେଲା । ଧୂଆଁ ମଧ୍ୟ କମିଗଲା । ପରେ ପରେ କରେଇରେ ତେଲ ଢାଳି ଫୁଟାଇଲି । ଶୁଖୁଆ ଖଣ୍ଡରେ ବେସର ବୋଳି ଗୋଟି ଗୋଟି କରି ସେଗୁଡ଼ିକୁ ତତଲା ତେଲରେ ଛାଡ଼ିଲି । ଭୀଷଣ ଭାବେ ଚେଁ ଚାଁ ଶବ୍ଦ ହେଲା । ପୁଣି ଶୁଖୁଆ-ଭଜାର ଆକର୍ଷଣୀୟ ବାସ୍ନାରେ ପାଖ-ପଡ଼ିଶା ଚମକିଲା । ମତେ କଡ଼ା ଭାବେ ଭଜା ଯାଇଥିବା ଶୁଖୁଆ ରୁଚି ଲାଗେ ବୋଲି ବହୁତ ସମୟ ଯାଏଁ କାଳକୁ ନିୟନ୍ତ୍ରଣ କରି ଏହି ପ୍ରକ୍ରିୟାରେ ଲାଗି ପଡ଼ିଥାଏ । ଇତ୍ୟବସରରେ ରାଜଲକ୍ଷ୍ମୀ ଉପର ସ୍ଲାବରେ ଠିଆ ହୋଇ, ମୋ ଆଡ଼କୁ ଲକ୍ଷ୍ୟ କରି ପାଟି କରିବା ଆରମ୍ଭ କରି ଦେଲାଣି । ତା’ ପାଖରେ ଲକ୍ଷ୍ମୀ ଛିଙ୍କି ଛିଙ୍କି ଠିଆ ହୋଇଥାଏ । ସେମାନେ ମତେ ଗାଳି ଦେଉଥାନ୍ତି ଓ କହୁଥାନ୍ତି ଯେ, ଭଗବାନ ମତେ ଅଭିଶାପ ଦେଇ ମାଛ-ମାଉଁସ ଖିଆ ଓଡ଼ିଆ-ବ୍ରାହ୍ମଣ ଘରେ ଜନ୍ମ ଦେଇଛନ୍ତି । ଲକ୍ଷ୍ମୀ ହେଉଛି କମ୍ମା-ତେଲୁଗୁ ବ୍ରାହ୍ମଣ । ଏମାନେ ଆମିଷ ଛୁଅନ୍ତି ନାହିଁ । ତେଣୁ ଆମ ଓଡ଼ିଆ-ବ୍ରାହ୍ମଣମାନଙ୍କ ପ୍ରତି ସେମାନଙ୍କର ସ୍ୱଭାବତଃ ଘୃଣା ଭାବ ରହିଛି ବୋଲି ମୁଁ ବର୍ତ୍ତମାନ ଚାକ୍ଷୁସ ପ୍ରମାଣ ପାଇଲି । ଏହି ଅବକାଶରେ ହେମା କେତେବେଳ ଠାରୁ ସମସ୍ତଙ୍କ ଅଲକ୍ଷ୍ୟରେ ଉପରମହଲାରୁ ଆସି ମୋ ଠାରୁ ସାମାନ୍ୟ ଦୂରରେ ଆଖି ବୁଜି ବସିଛି । ମଝିରେ ମଝିରେ ଆଖି ଖୋଲି ଶୁଖୁଆ ଉଜା ଗୁଡ଼ିକୁ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଚାହୁଁଛି ଓ ଲାଙ୍ଗୁଡ଼ ହଲାଉଛି । କ୍ରମେ କ୍ରମେ ସେ ତା’ର ଆସନ ଘୁଞ୍ଚାଉ ଥିବାର ମୁଁ ଲକ୍ଷ୍ୟ କଲି । ମୁଁ ବର୍ତ୍ତମାନ ପାଟି କରି ଲକ୍ଷ୍ମୀକୁ ଥଟ୍ଟା କରି କହିଲି, ‘ତମେ ନିରାମିଷାଶୀ' । କିନ୍ତୁ ତମର ପୋଷା ବିଲେଇଟିକୁ ବର୍ଷ ବର୍ଷ ଧରି ପାଖରେ ରଖି ମଧ୍ୟ ତାକୁ ଖାଣ୍ଟି ନିରାମିଷ ଭୋଜନ ଖାଇବାରେ ଟ୍ରେନିଂ ଦେଇ ପାରିଲ ନାହିଁ ।” ମୋ ମନ୍ତବ୍ୟଟି ଲକ୍ଷ୍ମୀକୁ ନିଶ୍ଚୟ ବାଧିଥିବ । ସେ ବାରମ୍ବାର ହେମାକୁ ଡାକିଲେ ସୁଦ୍ଧା, ହେମା ଆଖି ଭଲ ଭାବେ ବନ୍ଦ କରି, ନ ଶୁଣିବା ପରି ରହୁଥାଏ । ଇତ୍ୟାବସରରେ ରାଜଲକ୍ଷ୍ମୀ ଉପର ପୁରରୁ ଆସି ମୋ ଦାଣ୍ଡ-କବାଟରେ (ଯାହାକି ଭିତର ପଟୁ ମୁଁ ବନ୍ଦ କରି ଦେଇଥିଲି) ଧଡ୍‌ ଧାଡ୍‌ ଆଘାତ କରି ମତେ ଡାକିଲା । ସେ କ୍ରମଶଃ ଏତେ ଜୋରରେ କବାଟଟିକୁ ବିଧା, ଚାପୁଡ଼ା ଓ ଗୋଇଠା ମାରୁଥାଏ ଯେ, ମୁଁ ଭାବିଲି, ହୁଏତ କବାଟଟି ଫାଟି ଯାଇଥିବ । ତେଣୁ ଅଣନିଃଶ୍ୱାସୀ ହୋଇ ଦୌଡ଼ି ଆସି କବାଟ ଖୋଲିଲି । ରାଜଲକ୍ଷ୍ମୀ ମତେ କିଛି ନ କହି ରୋଷେଇଶାଳକୁ ଧାଇଁଲା । ମୁଁ ତା’ର ଉଦ୍ଦେଶ୍ୟ ବୁଝି ନ ପାରି ପଛେ ପଛେ ଚାଲିଲି । ସେ ଚତୁର୍ଦ୍ଦିଗକୁ ତନ୍ନ ତନ୍ନ କରି ଦେଖୁଥାଏ । ଶେଷରେ ମୁଁ ଜାଣି ପାରିଲି ଯେ, ସେ ହେମାକୁ ଖୋଜୁଛି । କିନ୍ତୁ ବିଲେଇଟି ତା’ ଆଖିରେ ପଡ଼ୁ ନ ଥାଏ । ସେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି, ଜାଣିବା ପାଇଁ ଆମେ ଉଭୟେ ଲାଗି ପଡ଼ିଲୁ । ରାଜଲକ୍ଷ୍ମୀ ହାତରେ ଖଣ୍ଡିଏ ବାଡ଼ି ଧରିଥାଏ ଓ ମୁଁ ତା’ ପଛେ ପଛେ ଅଣ୍ଟାରେ ହାତ ଦେଇ ଚାଲିଥାଏ । ରାଜଲକ୍ଷ୍ମୀ ଚମତ୍କାର ଭାବେ କବାଟ ବା ଖୁଣ୍ଟରେ ଗୋଡ଼ ଦେଇ ଭାଡ଼ି ଉପରକୁ ଚଢ଼ି ପଡ଼ୁଥାଏ । ବେଳେ ବେଳେ ମାଙ୍କଡ଼ ପରି ତଳକୁ ବିନା ଦୁର୍ଭାବନାରେ ଡେଇଁ ପଡ଼େ । ଏହା ମତେ ସର୍କସ ପରି ଜଣା ପଡ଼ୁଥାଏ । ମୁଁ ତାକୁ କିଛି ସମୟ ଯାଏଁ ଆଁ କରି ଅନାଇ ରହିଲି । ବର୍ତ୍ତମାନ ଅନ୍ଧାରୁଆ ଭାଡ଼ି ଉପରେ ଚଢ଼ି ସେ ମତେ ଉପରକୁ ଟର୍ଚ୍ଚଟିଏ ଧରି ଚଞ୍ଚଳ ଆସିବାକୁ କହିଲା । ଉପରକୁ ଉଠିବାକୁ ମତେ ଉପାୟ ଦେଖା ଯାଉ ନ ଥାଏ । ମୁଁ ଅବଶ୍ୟ ହାତ ଓ ଗୋଡ଼ ବିଫଳ ଭାବେ ଉଠାଇ ଚେଷ୍ଟା କରୁଥାଏ । ଶେଷରେ ଗୋଟିଏ ଷ୍ଟୁଲ୍ ସାହାଯ୍ୟରେ ଉପରକୁ ଚଢ଼ି ପାରିଲି । ସେତେବେଳେ କହୁଣିଆରେ ଲାଗି ରହିଥିବା ଗୋଟିଏ ଲୁହା କଣ୍ଟା ମୋ ନାକରେ ଘଷି ହେବା ଫଳରେ ମୋ ନାକଟା ନାଲିଆ ହୋଇ ଯାଇ ଥିଲା ।

 

ଭାଡ଼ି ଭିତରେ ଥିବା ବାଜେ କାଗଜ ପତ୍ର ଓ ଚିରା କନାରେ ଖସ୍ ଖସ୍ ଶବ୍ଦ ଶୁଭୁଥାଏ । ସେଠାରେ ହେମା ଆତ୍ମଗୋପନ କରିଛି ବୋଲି ଭାବି ଅଳିଆ ଗୁଡ଼ିକୁ ଧୀରେ ଧୀରେ ଆଡ଼େଇବା ବେଳେ ଦଳେ ଛୋଟ ଛୋଟ ଟୁଙ୍ଗେଇ ମୂଷା ସଲବଲ ହେଉଥିବାର ଆମେ ଦେଖିବାକୁ ପାଇଲୁ । ସେଗୁଡ଼ିକର ଆହୁରି ଆଖି ଖୋଲି ନ ଥାଏ ଓ ତାଙ୍କରି ପାଖରେ ମା’ ଜଗି ରହିଥାଏ । ରାଜଲକ୍ଷ୍ମୀ ନିରାଶରେ ମତେ ଚାହିଁଲା । ମୁଁ ତାକୁ କହିଲି, ‘ଏଇ ମୂଷା ଛୁଆ ଗୁଡ଼ିକ ଉପରେ ସେ ବାଡ଼ିରେ ଗୋଟିଏ ପାହାର ପକାଅ । ତୋ ସାହୁଆଣୀ ଲକ୍ଷ୍ମୀ ମତେ ବାରମ୍ବାର ମୂଷା ମାରିବାକୁ କହୁଥାଏ । ବର୍ତ୍ତମାନ ତ ତୁ ସୁଯୋଗଟିଏ ପାଇଛୁ... ଆଉ ଚାହୁଁଛୁ କାହିଁକି ?” ରାଜଲକ୍ଷ୍ମୀ ମତେ ଉତ୍ତର ଦେଲା, ‘ମୁଁ ଜୀବହତ୍ୟା କରିବି ନାହିଁ । ଆଗ ଜନ୍ମରେ ପାପ କରିଛି ବୋଲିତ ଏବେ ଚାକରାଣୀ ହେଲି । ଆଉ ଏ ଜନ୍ମରେ ସେମିତି ପାପ କାହିଁକି କରିବି ?” ମୁଁ ତାକୁ ଥଟ୍ଟା କରି କହିଲି, ‘ଆରେ ! ନ ମାରିଲେ, ମୂଷାମାନେ ତୋ ମାଲିକାଣୀର ଖୋସା କାଟିଦେବେ….” ରାଜଲକ୍ଷ୍ମୀ ମୋ ମନ୍ତବ୍ୟରେ ରାଗିଯାଇ ଉତ୍ତର ଦେଲା, ‘...ମୋ ମା’କୁ ଅପବାଦ ଦେଉଛ ? ...ତାଙ୍କର ବାପା ଓ ଶଶୁରଙ୍କ ପ୍ରତିପତ୍ତି ଜାଣିଛ ତ.. ମୁଁ କଥାଭାଷାର ଦିଗ ବଦଳାଇବାକୁ କହିଲି, ‘ଲକ୍ଷ୍ମୀର ବାପା ବଡ଼ ଲୋକ । ସେ ମଧ୍ୟ ବଡ଼ ଘରର ବୋହୂ ହୋଇପାରେ । ...ତଥାପି ସେ କଦାପି ତୋ ଠାରୁ ବଡ଼ ନୁହେଁ । କାରଣ ତୁ ରାଜଲକ୍ଷ୍ମୀ ଓ ସେ କେବଳ ମାତ୍ର ଲକ୍ଷ୍ମୀ…ମୋ ଠାରୁ ପ୍ରଶଂସା ଶୁଣି ତା’ ମୁହଁ ସତେଜ ହୋଇ ଉଠିଲା ଓ ବଶୀଭୂତ ହେବାର ସ୍ପଷ୍ଟ ଲକ୍ଷଣ ମୁଁ ତା’ଠାରେ ଦେଖିବାକୁ ପାଇଲି । ସେତେବେଳେ କୌଣସି କାରଣରୁ ବିଚଳିତ ଭାବେ ଲକ୍ଷ୍ମୀ ଉପର ସ୍ଲାବରୁ ରାଜଲକ୍ଷ୍ମୀକୁ ଡାକିଲା; ଠିକ୍ ଯେମିତି ମା’ ଓ ବଡ଼ ଭଉଣୀ ମାନେ ଘରର ଅବିବାହିତା ଯୁବତୀ ଝିଅ ପ୍ରତି ସତର୍କତା ଅବଲମ୍ବନ କରି ଥାଆନ୍ତି । ରାଜଲକ୍ଷ୍ମୀ ତତ୍‌କ୍ଷଣାତ୍ ଭାଡ଼ିରୁ ଡେଇଁ ପଡ଼ିଲା । ତା’ ମୁହଁ, ଛାତି ଓ ପିଠିରେ କଳା ଅଳନ୍ଧୁ ବୋଳି ହୋଇ ଯାଇ ଥିଲା ! ସେ ଅଣନିଃଶ୍ୱାସୀ ହୋଇ ଧାଇଁ ଧାଇଁ ମୋ ଘରୁ ଚାଲିଗଲା ।

 

ମୁଁ ବାଡ଼ି ପଟକୁ ଯାଇ ସ୍ଲାବ ଉପରରୁ ଚାହିଁବା ବେଳେ ଦେଖି ପାରିଲି ଯେ ଲକ୍ଷ୍ମୀ ଗୋଟିଏ ହାତରେ ହେମାର ବେକକୁ ଟାଣି ଧରିଛି ଓ ରାଜଲକ୍ଷ୍ମୀକୁ ଚାପୁଡ଼ାଟିଏ ମାରି ତେଲୁଗୁରେ ଗାଳି ଦେଉଛି । ମୁଁ ତ ତେଲୁଗୁ ବୁଝି ପାରେ ନାହିଁ । ତଥାପି ଲକ୍ଷ୍ମୀର ଭର୍ତ୍ସନାକୁ ଏଇ ପ୍ରକାରେ କଳ୍ପନା କଲି-‘ହେମା ତ କେତେବେଳୁ ଏଠାକୁ ଆସି ଗଲାଣି । ତୁ ତଳେ ଆଉ କାହାକୁ ଖୋଜୁଥିଲୁ-? ଲଜ୍ଜ୍ୟା ନାହିଁ ! ...ବାର ଘର ବୁଲିବାକୁ ଇଚ୍ଛା ହେଉଛି ! ଦଉଡ଼ି ଦେଇ ମରୁ ନାହୁଁ ?' ଭର୍ତ୍ସନା ଶୁଣି ରାଜଲକ୍ଷ୍ମୀ ସକ୍‌ ସକ୍ ହୋଇ କାନ୍ଦିଲା । ତା’ପରେ ସେ ଗୋଟିଏ ପ୍ଲାଷ୍ଟିକ୍ ତାର ଆଣି ହେମାର ଚାରିଗୋଡ଼କୁ ବାନ୍ଧି ଗୋଟିଏ ଲୁହା ଛଡ଼ରୁ ଝଲାଇ ଦେଲା । କିନ୍ତୁ ହେମାକୁ ଠିକ୍ ମୋ ମୁଣ୍ଡ ଉପରିସ୍ଥ ଜାଗାରେ ବନ୍ଧା ହୋଇଥିଲା । ମୁଁ ସେତେବେଳେ ପୁଣି ଦେଖି ପାରିଲି ଯେ, ମୋର ଖଣ୍ଡେ ଶୁଖୁଆ-ଭଜା ହେମା ପାଟିରେ ଭିଡ଼ି ଧରିଛି । ମୋ ଶୁଖୁଆ ସେ ଚୋରାଇ ନେଇଥିବାରୁ ତାକୁ ଏମିତି ଦଣ୍ଡ ଦେବା ଦ୍ୱାରା ମୁଁ ଖୁସି ହୋଇଗଲି । କିନ୍ତୁ କିଛି ସମୟ ପରେ ମୁଁ ଲକ୍ଷ୍ୟ କରି ପାରିଲି ଯେ, ବିଲେଇଟି ପରିସ୍ରା କଲେ ଠିକ୍ ମୋ ଘରେ ପଡ଼ିବ । ଠିକ୍ ସେମିତି ସେ ଯଦି ମଳତ୍ୟାଗ କରେ, ତାହାହେଲେ ମୋ ବାଡ଼ି ଦୁର୍ଗନ୍ଧମୟ ହୋଇଯିବ । ତେଣୁ ଉଚ୍ଚ ସ୍ୱରରେ କର୍କଶ ଭାବେ ରାଜଲକ୍ଷ୍ମୀକୁ ଡାକିଲି ଓ ହେମାକୁ ସ୍ଥାନାନ୍ତରିତ କରିବାକୁ କହିଲି । କିନ୍ତୁ ମୋ କଥାକୁ କେହି କାନ ଦେଉ ନ ଥାନ୍ତି । ତା’ପରେ ରାଜଲକ୍ଷ୍ମୀ ମୁହଁ ଫୁଲାଇ ବଡ଼ ବଡ଼ ହାଣ୍ଡି, ମାଠିଆ ଓ ବାଲତି ଧରି ସ୍ଲାବ୍ ଉପରେ ପହଞ୍ଚିଲା ଓ କୂଅରୁ ପାଣି ଉଠାଇବାକୁ ବାଳତିରେ ଦଉଡ଼ି ଭିଡ଼ିଲା । ରାଗରେ ସେ ଗରଗର ହେଉଥାଏ । ଘଟଣା ହେଉଛି ଯେ, ହେମା ମୋ ରୋଷେଇଶାଳରୁ ଶୁଖୁଆ ଭଜା ଧରି ଉପରମହଲାକୁ ଚାଲିଗଲା । (ସେତେବେଳେ ମୁଁ ଓ ରାଜଲକ୍ଷ୍ମୀ ମୋ ମହଲାର ଭାଡ଼ି ଉପରେ ତାକୁ ଖୋଜୁଥିଲୁ) ଓ ଲକ୍ଷ୍ମୀର ଦିଅଁ-ଘର (ଯାହାକୁ ସାଧାରଣତଃ ନିଜନ ଥାଏ) ଭିତରେ ଲୁଚି ଶୁଖୁଆ ଖାଇଲା । କିନ୍ତୁ ସମୟ ପରେ ଲକ୍ଷ୍ମୀ ସେଠାରେ ଦରଖିଆ ଶୁଖୁଆ ଖଣ୍ଡ ଓ କଣ୍ଟା ପଡ଼ିଥିବାର ଦେଖି ପାରିଲା । ତେଣୁ ସେ ରାଜଲକ୍ଷ୍ମୀକୁ ବର୍ତ୍ତମାନ ଆଦେଶ ଦେଇଛି ଯେ, ପୂଜାଘରକୁ ପବିତ୍ର କରିବାକୁ ଘରଟି ଏକୋଇଶି ଥର ଧୋଇବାକୁ ପଡ଼ିବ । ବର୍ତ୍ତମାନ ପାଇପ୍ ବନ୍ଦ ହୋଇ ଯାଇ ଥିବାରୁ କୂଅରୁ ପାଣି ଉଠାଇବା ଛଡ଼ା ଅନ୍ୟ ଉପାୟ ନାହିଁ । ଆଜିର ଏହି ଅତିରିକ୍ତ କାମ ରାଜଲକ୍ଷ୍ମୀ ଉପରେ ପଡ଼ିବାରୁ ସେ ବଡ଼ ବିରସ ହୋଇ ପଡ଼ିଛି । ତେଣୁ ମୁଁ ହେମାକୁ ଅନ୍ୟ ସ୍ଥାନକୁ ନେବା ପାଇଁ ତାକୁ ଅନୁରୋଧ କଲେ ମଧ୍ୟ ସେ ସେଥିପ୍ରତି କାନ ଦେଉ ନ ଥାଏ । ଏହି ସବୁ ଦୋଷର ମୁଁ କାରଣ ହୋଇଥିବାରୁ ସେ ରାଗରେ ନାକ ଫୁଲାଇ ମତେ ଚାହୁଁଥାଏ ।

 

ବର୍ତ୍ତମାନ ମୁଁ ରୋଷେଇଶାଳକୁ ଯାଇ ଦେଖିଲି ଯେ କରେଇରେ ଗୋଟିଏ ଶୁଖୁଆ ମୁଣ୍ଡ ବ୍ୟତୀତ ଆଉ ଖଣ୍ଡିଏ ମଧ୍ୟ ଶୁଖୁଆଭଜା ନାହିଁ । ମୁଁ ବୁଝି ପାରିଲି ଯେ ସବୁଗୁଡ଼ିକୁ ହେମା ଗିଳି ପକାଇଛି । ତେଣୁ ସେଦିନ ଆମିଷଖିଆ ମତେ ଭଲ ଲାଗିଲା ନାହିଁ । ଏଥିପାଇଁ ଅବଶ୍ୟ ରାଜଲକ୍ଷ୍ମୀ ଦାୟୀ କାରଣ ଆମେ ଭାଡ଼ିରେ ହେମାକୁ ଖୋଜୁଥିବା ବେଳେ ସେ ଆମ ଅନୁପସ୍ଥିତିର ସୁଯୋଗ ନେଇ ଶୁଖୁଆ ଭଜା ଖାଇ ଦେଲା । ମୁଁ ରାଜଲକ୍ଷ୍ମୀ ଉପରେ ରାଗିଥିବା ବେଳେ ସେ ପାଣି ଢାଳି ଢାଳି ଖଡ଼ିକା-ମୁଠାରେ ଉପରମହଲା ଛର୍‌ର୍‌ ଛର୍‌ର୍‌ ଶବ୍ଦ କରି ଧୋଉଥାଏ ଓ ମତେ ଗାଳି ଦେଉଥାଏ । ଆମ ପାରସ୍ପରିକ ସମ୍ପର୍କ ତିକ୍ତ ହେଉଥିବାରୁ ମୁଁ ଦୁଃଖିତ ହେଲି । ଖରାବେଳେ ଅଶାନ୍ତ ମନରେ ଶୋଇବାକୁ ଚେଷ୍ଟା କଲି । ନିଦ ମାଡ଼ୁ ନ ଥାଏ; କେବଳ ଛଟପଟ ହୋଇ କଡ଼ ଲେଉଟାଉ ଥାଏ । ଜୀବନ ଏମିତି ଦୁଃସହ ହୋଇ ପଡ଼ୁଥିବା ସମୟରେ ଦାଣ୍ଡରେ ଦଳେ ଶିଶୁଙ୍କର ପାଟିତୁଣ୍ଡ ଶୁଣିବା ଯୋଗୁଁ ବିରକ୍ତିରେ ଶେଯ ଛାଡ଼ିଲି ଓ ଦାଣ୍ଡ-କବାଟ ଖୋଲି ପ୍ରାଚୀର ପାଖରେ ଠିଆ ହେଲି । ଦେଖିଲି ଯେ, ଗୋଟିଏ ପ୍ରାୟତଃ ଉଲଗ୍ନ ପାଗଳପୁରୁଷ ଗୁଡ଼ାଏ ପ୍ରଳାପ କରୁଛି ଓ କେତେକ ପିଲା ତାକୁ ଥଟ୍ଟା କରି ତା’ ଉପରକୁ ସାନ ସାନ ଗୋଡ଼ି ଓ ପଚା ପରିବା ଫୋପାଡ଼ୁଛନ୍ତି । ଏହା. ମତେ ମର୍ମନ୍ତୁଦ ବୋଧ ହେଲା ଓ ପିଲାମାନଙ୍କୁ ଏମିତି ନ କରିବା ପାଇଁ ମୁଁ ଉପଦେଶ ଦେଲି । ମୋ କଥାକୁ କେହି ଧ୍ୟାନ ନ ଦେବାରୁ ମୁଁ ରାଗିଯାଇ ସେମାନଙ୍କୁ ସାବଧାନ କରାଇଦେଲି । ସେତେବେଳେ ଆମ ସବା ଉପରମହଲାର ବାଲ୍‌କୋନିର ଦାଣ୍ଡ-କାନ୍ଥ ଉପରେ ଲମ୍ବାଇ ଶୁଖା ଯାଇଥିବା ଲକ୍ଷ୍ମୀର ଗୋଟିଏ ଶାଢ଼ୀ, ତା’ରି ଉପରେ ଲଦା ଯାଇଥିବା ଛୋଟ ଇଟା-ଖଣ୍ଡଟିକୁ ପବନରେ ଫୋପାଡ଼ି ଦେଇ, ମୋର ଠିକ୍ ମୁଣ୍ଡ ଉପରେ ଉଡ଼ି ଆସି ପଡ଼ିଲା । ଫଳରେ ମୋ ମୁହଁ ଶାଢ଼ୀଦ୍ୱାରା ହାସ୍ୟସ୍କର ଭାବେ ଘୋଡ଼ାଇ ହେଇଗଲା ଓ ପିଲାମାନେ ମତେ ଦେଖି ତାଳି ମାରି ଠୋ’ଠୋ’ ହୋଇ ହସିଲେ । ସେହି ଦୁଷ୍ଟ ପିଲାମାନଙ୍କର ଥଟ୍ଟା ଓ ପରିହାସର ପାତ୍ର ଉକ୍ତ ପାଗଳଟି ପରିବର୍ତ୍ତେ ବର୍ତ୍ତମାନ ମୁଁ ହୋଇଗଲି । ମୁଁ ଲଜ୍ଜ୍ୟା ଓ ଅପମାନର ସହିତ ଶାଢ଼ୀଟି ମୋ ମୁଣ୍ଡରୁ ବାହାର କରିଦେଲି ଓ ପଛ ପଟକୁ, ବାଲ୍‌କୋନୀ ଉପରକୁ ଚାହିଁଲି । ବାଲ୍‌କୋନିରେ କେହି ନ ଥିଲେ । କିନ୍ତୁ ପବନ ଯୋଗୁଁ ସେଠାରେ ଶୁଖାଯାଇଥିବା ଅନ୍ୟ ଲୁଗାଗୁଡ଼ିକ ସ୍ଥାନାନ୍ତରିତ ହୋଇଥିବାର ମୁଁ ଲକ୍ଷ୍ୟ କଲି । ମୋର ଧାରଣା ହେଲା ଯେ, ଯେଉଁ ଶାଢ଼ୀଟି ମୋ ମୁଣ୍ଡ ଉପରେ ପଡ଼ିଥିଲା, ତାହା ଲକ୍ଷ୍ମୀ କିମ୍ବା ରାଜଲକ୍ଷ୍ମୀ ମୋ ଉପରକୁ ଫୋପାଡ଼ି ନାହାନ୍ତି । ପବନ ଯୋଗୁଁ ତାହା ହୋଇଥିଲା । ତଥାପି ଏହି ଘଟଣା ପାଇଁ ଉପରବାଲା କେତେକାଂଶରେ ଦାୟୀ । ମୁଁ ଶାଢ଼ୀଟି ଗୁଡ଼ାଇ ହାତରେ ଧରିଲି ଓ ଉପରମହଲାକୁ ଚାଲିଲି । ଦୁଆର ପାଖରେ ଦେଖିଲି ଯେ ଆଖ ପାଖରେ କେହି ନାହାନ୍ତି । ବାରମ୍ବାର ଡାକିବା ପରେ ମଧ୍ୟ କେହି ଶୁଣିଲେ ନାହିଁ । ତା’ପରେ ଦାଣ୍ଡର ରାସ୍ତାକୁ ଚାହିଁ ଦେଖିଲି ଯେ ତେଲୁଗୁ-କରଣ-ଘରର ଗୋଟିଏ ଦଶ ବର୍ଷିଆ ପୁଅ ଦାଣ୍ଡରେ ଠିଆ ହୋଇଛି । ସେ ଲକ୍ଷ୍ମୀ-ଘରକୁ ପ୍ରାୟେ ସବୁ ଦିନେ ଆସେ । ତେଣୁ ତାକୁ ହାତ ଠାରି ଡାକିଲି । ସେ ଉପରକୁ ଆସି ଲକ୍ଷ୍ମୀକୁ ତେଲୁଗୁରେ ଡାକିଲା । ସେତେବେଳେ ଲକ୍ଷ୍ମୀ ନିଦରେ ଶୋଇଥିଲା । ମୁହଁ ନ ଧୋଇ ତରବରରେ ସେ ମୋ ପାଖକୁ ଆସିଲା । କାଖରେ ମୁଁ ତା’ର ଶାଢ଼ୀଟିକୁ ଜାକି ଧରିଥିବା ଯୋଗୁଁ ସେ ଆଶ୍ଚର୍ଯ୍ୟ ହୋଇଗଲା । ତା’ପରେ ସେମାନଙ୍କର ବାଲ୍‌କୋନିରେ ଶାଢ଼ୀ ଶୁଖାଇବା ପ୍ରଣାଳୀ ଯୋଗୁଁ ମୁଁ କେମିତି ଅପଦସ୍ଥ ହେଲି, ତାହା ଇଂରାଜିରେ ବୁଝାଇବାକୁ ଚେଷ୍ଟା କଲି । ଭଲଭାବେ ଇଂରାଜିରେ କହିବା ମୋର ଅଭ୍ୟାସ ନାହିଁ । ତେଣୁ ଘଟଣାଟି ବର୍ଣ୍ଣନା କରୁଥିବା ବେଳେ ମୁଁ ଆପାତତଃ ବାରମ୍ବାର ଓଡ଼ିଆ ଶବ୍ଦ ବ୍ୟବହାର କରି ପକାଏ । ଥରେ ଥରେ ଭାବ-ପ୍ରବଣ ହୋଇ ମନର କଥା ପ୍ରକାଶ କରିବାକୁ କୌଣସି ଶବ୍ଦ ନ ପାଇ ପାଟି ପାକୁ ପାକୁ କରେ ଓ ଏକରକମ ଜାଡ଼ ହୋଇ ଯାଇ ମୁଁ ଲକ୍ଷ୍ମୀକୁ ଅସହାୟ ଭାବେ ଚାହିଁ ରହେ । ଏମିତି ସମୟରେ ତେଲୁଗୁ-କରଣ-ଘରର ବାଳକଟି, ଯିଏ କି ମୁଁ ଶାଢ଼ୀ ତଳେ ଉବୁ ଟୁବୁ ହେବାର ଦୃଶ୍ୟ ଦେଖିଥିଲା, ମୋ ଠାରୁ ଶାଢ଼ୀଟି ଛଡ଼ାଇ ନେଇ ତା’ ମୁହଁରେ ଘୋଡ଼ାଇ, ଅବିକଳ ଅଭିନୟ କରି, ତେଲୁଗୁରେ ଲକ୍ଷ୍ମୀକୁ ଘଟଣାଟି ପ୍ରାଞ୍ଜଳ ଭାବେ ବୁଝାଇଲା । ଲକ୍ଷ୍ମୀ ହସି ହସି ବେଦମ । ଏତେ ଦିନରେ ପ୍ରଥମ ଥର ପାଇଁ ସେ ଖୋଲା ଭାବେ ମୋ ସମ୍ମୁଖରେ ହସୁଥିବାର ମୁଁ ଦେଖି ପାରିଲି । ସେ ଏତେ ପ୍ରବଳ ଭାବେ ହସୁଥାଏ ଯେ ତା’ କାଖରେ ଥିବା ଛୁଆଟି ତଳକୁ କାଳେ ଖସିଯିବ ବୋଲି ମୁଁ ଭୟ କରୁଥାଏ । ଲକ୍ଷ୍ମୀର ହସ ମତେ ଯଥେଷ୍ଟ ପୀଡ଼ା ଦେଲା । ସେତେବେଳେ ମତେ ଶହ ଶହ ବିଛା କାମୁଡ଼ିବା ପରି ଲାଗୁଥାଏ । ମୁଁ ତେଲୁଗୁ-କରଣ ବାଳକଟି ଠାରୁ ଜବରଦସ୍ତି ଶାଢ଼ୀଟି ଟାଣି ନେଇ ବାନ୍ଧିବୁନ୍ଧି ବୁଜୁଳା ପରି କରି ଦେଲି ଓ ଭବିଷ୍ୟତ ପ୍ରତି ଦୃଷ୍ଟି ନ ରଖି, ଶାଢ଼ୀଟି ନିକଟସ୍ଥ ନର୍ଦ୍ଦମାରେ ପକାଇ ଦେଲି । ତା’ପରେ ମୋ ରୁମ୍‌କୁ ଫେରିଲି ଓ ପୋଷାକ ପିନ୍ଧି ସାନ୍ଧ୍ୟ-ଭ୍ରମଣରେ ଷ୍ଟେସନ ଆଡ଼କୁ ବାହାରିଲି । ଭାବିଲି ଯେ, ମନକୁ ଶାନ୍ତ ରଖିବା ପାଇଁ ଘର ବଦଳାଇବା ନିତାନ୍ତ ଜରୁରୀ । ଯିବାବେଳେ ବାଟରେ ‘ଘର ଭଡ଼ାକୁ ଦିଆଯିବ’ ପୋଷ୍ଟର କିମ୍ବା କାଳେ କେଉଁ ଘରେ ତାଲା ପଡ଼ିଥିବ, ସେଥିପ୍ରତି ମୁଁ ରାସ୍ତାର ବାମ ଓ ଡାହାଣ ପଟକୁ ମୁହଁ ବୁଲାଇ ନିରୀକ୍ଷଣ କରୁଥାଏ । କିନ୍ତୁ ଏହି ସହରଟି ଏତେ ଜନାକୀର୍ଣ୍ଣ ଯେ, ମାସ ମାସ ଧରି ଖୋଜିଲେ ସୁଦ୍ଧା, ଘରଟିଏ ପାଇବା ମୁସ୍କିଲ୍-। ସାନ୍ଧ୍ୟ-ଭ୍ରମଣ ସାରି ଘରକୁ ଫେରିବା ବେଳେ ପ୍ରାୟ ସନ୍ଧ୍ୟା ସାଢ଼େ ପାଞ୍ଚ । ସେତେବେଳେ ରାଜଲକ୍ଷ୍ମୀ ମୁଁ ନର୍ଦ୍ଦମାରେ ଫୋପାଡ଼ିଥିବା ଶାଢ଼ୀଟି ସଫା କରି ବାଲ୍‌କୋନିରେ ଶୁଖାଉଥିଲା । ମତେ ଶୁଭିବା ପରି ପାଟିରେ ସେ କହିଲା, ‘...ଏଇ ଲୋକଟାର ଉତ୍ପାତ ପୃଥବୀ ସହିବ ନାହଁ-। ...ଯମ ଏବେ ମଇଁଷିରେ ବସି ଆସୁଥିବ ।’ ଏହା ମୋ ପ୍ରତି ଉଦ୍ଦିଷ୍ଟ ଥିଲା । ତଥାପି ମୁଁ ଜିତେନ୍ଦ୍ରିୟ ପରି ନୀରବରେ ମୋ, ରୁମକୁ ଗଲି: ତା’ ମୁହଁକୁ ଥରେ ମଧ୍ୟ ଚାହିଁଲି ନାହିଁ ।

 

ତା’ପର ଦିନ ଘଟଣା । ଖରାବେଳେ ମୁଁ ଟ୍ରାନ୍‌ଜିଷ୍ଟର୍‌ର କଟକ-ସେଣ୍ଟାର୍ ଖୋଲି ବସିଥାଏ–ରାଜ୍ୟ ମନ୍ତ୍ରୀମଣ୍ଡଳର ଭବିଷ୍ୟତ ବିଷୟରେ ତାଜା ସମ୍ବାଦ ଶୁଣିବା ପାଇଁ । ସେତେବେଳେ ଅଚାନକ ରାଜଲକ୍ଷ୍ମୀ ମୋ ପାଖକୁ ଆସିଲା ଓ ଲକ୍ଷ୍ମୀ ମତେ ଡାକୁଥିବା ବିଷୟ ଜଣାଇଲା । ଏହା ଶୁଣି ମୁଁ ସାମାନ୍ୟ ଚକିତ ହୋଇଗଲି । ତା’ପରେ ତାକୁ କହିଲି ଯେ, ଆଉ କିଛ ସମୟ ପରେ ମୁଁ ଯିବି । ରାଜଲକ୍ଷ୍ମୀ ମୋ ପାଖରୁ ଚାଲିଗଲା । କିନ୍ତୁ ମିନିଟେ, ଦୁଇ ମିନିଟ ପରେ ପୁଣି ମୋ ପାଖକୁ ଆସି କହିଲା ଯେ ଜରୁରୀ କାମ ଅଛି ବୋଲି ଲକ୍ଷ୍ମୀ ଡାକୁଛି । ମୁଁ ସେହି ପୁରୁଣା ଉତ୍ତର ଦେଲି । ସେ ମତେ ପ୍ରଥମେ ଫୁଲାଫାଙ୍କିଆ ବୋଲି ଅଭିମାନରେ କହିଲା ! କ୍ରମଶଃ ବିଭିନ୍ନ ପ୍ରକାର ମିଠା ମିଠା କଥା କହି ମତେ ପ୍ରବର୍ତ୍ତାଇଲା । ପରିଶେଷରେ ମୁଁ ତା’ କଥା ଅନୁସାରେ ଉପରମହଲାକୁ ଯିବା ପାଇଁ ରାଜି ହୋଇଗଲି । କିନ୍ତୁ ଆକାଶବାଣୀର ସମ୍ବାଦ-ସମୟ ଆସନ୍ନ ହୋଇଥିବାରୁ ଟ୍ରାନ୍‌ଜିଷ୍ଟର୍‌ଟି ମୋ ସାଥୀରେ ନେବା ପାଇଁ ସ୍ଥିର କଲି । ଉକ୍ତ ଟ୍ରାନ୍‌ଜିଷ୍ଟର୍‌ଟି ରାଜଲକ୍ଷ୍ମୀକୁ ଧରିବା ପାଇଁ କହିଲି ଓ ମୁଁ କବାଟରେ ତାଲା ଝୁଲାଇଲି । ତା’ପରେ ତା’ର ପଛେ ପଛେ ଚାଲିଲି । ଯିବାବେଳେ ରାଜଲକ୍ଷ୍ମୀ ମୁହଁ ମୋଡ଼ି ମୋଡ଼ି କହୁଥାଏ, ‘ମୁଁ ଜଣକର ନୌକର ରହି ଅନ୍ୟ ଜଣକର ଜିନିଷ କାହିଁକି ବୋହିବି ? ....ମତେ ଇଏ କ’ଣ ଖୋଇ ପେଇ ରଖିବ ? ...ମୁଁ ବୁଝି ପାରିଲି ଯେ ସେ ମତେ ଲକ୍ଷ୍ୟ କରି ଏହି ମନ୍ତବ୍ୟ ଦେଉଛି । ଯାହାହେଉ, ହୁଏତ କିଛି ଗୁରୁତର ବିଷୟ ଥିବ କିମ୍ବା ଗତକାଲିର ଶୁଖୁଆ-ପ୍ରସଙ୍ଗ ଉଠିପାରେ ବୋଲି ମୁଁ ସନ୍ଦେହ କରୁଥାଏ । କିନ୍ତୁ ଉପରେ ପହଞ୍ଚି ଦେଖିଲି ଯେ, ପୋଷ୍ଟମ୍ୟାନ ଠିଆ ହୋଇଛି । ମତେ ଲକ୍ଷ୍ମୀ ଜଣାଇଲା ଯେ, ତା’ ନାଁ ରେ ଆସିଥିବା ମନିଅର୍ଡ଼ରରେ ସାକ୍ଷୀ ହିସାବରେ ଦସ୍ତଖତ କରିବାକୁ ସେ ମତେ ଏମିତି ଘନ ଘନ ଜରୁରୀ ଡାକ ଦେଉଥିଲା । ମନିଅର୍ଡ଼ର ଫର୍ମରେ ଦସ୍ତଖତ କରୁଥିବା ବେଳେ ଏମିତି ସାମାନ୍ୟ ବିଷୟ ପାଇଁ ମତେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ମଧ୍ୟ ସମୟ ନ ଦେଇ ଡକାଇ ଥିବାରୁ ମୁଁ ତା’ ଉପରେ ବିଡ଼ି ବିଳିବିଲୋଉ ଥାଏ । ମୁଁ ଦସ୍ତଖତ ଶେଷ କରିବା ପାଏଁ ରାଜଲକ୍ଷ୍ମୀ ଧୈର୍ଯ୍ୟ ଓ ଚଲାକିର ସହିତ ଅପେକ୍ଷା କଲା । ତା’ପରେ ସେ ମନ୍ତବ୍ୟ ଦେଲା, …..ମୋ ସାହୁଆଣୀର ଯାହା କିଛି କାମ, ତମ ଆଖିକୁ ଛୋଟ ଦିଶୁଛି । ତାଙ୍କର ସବୁ କାମ, ତମକୁ ବେଠି ପରି ଲାଗୁଛି । ...ମା’ଙ୍କର ହାତ-ତିଆରି ଦୋସା ଖାଇବା ବିଷୟ ପାସୋର ଗଲାଣି କି ? ....ଖାଇ ସାରି ଝାଡ଼ା ଫେରିଦେବା ପରେ ତ ତମେ ଭୁଲିଯିବା ଲୋକ ! ...ନିମକ-ହାରାମ ଆଉ କାହାକୁ ଲୋକେ କହିଥାନ୍ତି ?’ ମୋର ଯାହା ମନେପଡ଼ୁଛି, ମୁଁ ଦୋସା ଖାଇବା ଦିନ ରାଜଲକ୍ଷ୍ମୀ ଘରେ ଉପସ୍ଥିତ ନ ଥିଲା । ତାହାହେଲେ ନିଶ୍ଚୟ ଲକ୍ଷ୍ମୀ ତା’ର ଚାକରାଣୀ ପାଖରେ ପରେ ଏହି ସବୁ ବିଷୟ ବର୍ଣ୍ଣନା କରିଛି । ପୁଣି ରାଜଲକ୍ଷ୍ମୀ ଚାରି ପାଞ୍ଚଟି ପରିବାରରେ ନୌକରି କରେ । ତେଣୁ ସେ ଦରକାର ପଡ଼ିଲେ (ଏମିତିକି ସାହୁଆଣୀମାନଙ୍କର ମନୋରଞ୍ଜନ କରିବାକୁ) ମୋର ଦୋସା-ଖିଆ ବିଷୟରେ ଗପିବ ଓ ମୋର ଆତ୍ମସମ୍ମାନ କମାଇବ । ଏହା ଅସମ୍ଭବ ନୁହେଁ କାରଣ ବର୍ତ୍ତମାନ ତ ଡାକ-ପିଅନ ସମ୍ମୁଖରେ ସେ ନିଃସଙ୍କୋଚରେ ମୋର ଦୋସା ଖିଆ କଥା କହି ପକାଇଲା । ସେତେବେଳେ ମୁଁ ଅନୁଭବ କଲି ଯେ, ସେଦିନ ମୁଁ ଜିହ୍ୱା-ଲାଳସାରୁ ଦୋସା ବଦଳରେ ବିଷ ଖାଇ ଦେଇଛି । କିନ୍ତୁ ଦୋସା-ଅପବାଦ ପାଇଁ ଲକ୍ଷ୍ମୀ କମ୍ ଦାୟୀ ନୁହେଁ । ସେ କହିବା ଯୋଗୁଁ ତ ତା’ ଚାକରାଣୀ ଏହି ବିଷୟରେ ଜାଣିପାରିଲା । ମୁଁ ଗୋଟିଏ ଉପସଂହାରରେ ପହଞ୍ଚିଲି ଯେ ଲକ୍ଷ୍ମୀ ମତେ ଅପମାନିତ କରିବାକୁ ପ୍ରତି ମୁହୂର୍ତ୍ତରେ ଯୋଜନା କରୁଛି ଓ ରାଜଲକ୍ଷ୍ମୀ ଉକ୍ତ ଯୋଜନାକୁ କାର୍ଯକାରୀ କରୁଛି । ତେଣୁ ଉଭୟେ ମୋର ଚରମ ଶତ୍ରୁ । ଅବଶ୍ୟ ଲକ୍ଷ୍ମୀ ଚୁପ୍ ଶୟତାନ ପରି କାମ କରୁଛି ଏବଂ ରାଜଲକ୍ଷ୍ମୀ ପ୍ରତ୍ୟକ୍ଷ ଭାବେ ମୋ ବିରୁଦ୍ଧାଚରଣ କରୁଛି । ତେଣୁ ମୁଁ ବିଶେଷ ଭାବେ ଚାକରାଣୀଟି ପ୍ରତି ବର୍ତ୍ତମାନ ଭୀଷଣ କ୍ରୁଦ୍ଧ ହେଲି । ବର୍ତ୍ତମାନ ମୁଁ ତା’ର ରକ୍ତ ପିଇବା ପରି ତାକୁ ଏକଲୟରେ ଚାହିଁ ରହିଲି । ସେତେବେଳେ ମୋ ସର୍ବାଙ୍ଗ ହୁଏତ ନାଲି ପଡ଼ି ଯାଇଥିବ । ମୋର ଭୟଙ୍କର ରୂପ ଦେଖି ରାଜଲକ୍ଷ୍ମୀ ପ୍ରମାଦ ଗଣିଲା । ଯେତେଦୂର ସମ୍ଭବ, ସେ ତା’ ଜୀବନ ପ୍ରତି ବିପଦ ଅଛି ବୋଲି ଭାବିଥିବ । ସେ ତତ୍‌କ୍ଷଣାତ୍‌ ଆତ୍ମରକ୍ଷା ଦୃଷ୍ଟିରୁ ପାହାଚରେ ତଳକୁ ଖସିଗଲା । ମୁଁ ତା’ ପଛେ ପଛେ ଦୌଡ଼ିବାରେ ଲାଗିଲି । କିନ୍ତୁ ସେ ତ ବଣ-ହରିଣୀ ପରି ଚଞ୍ଚଳ । ମୁଁ ତାକୁ ଧରି ପାରୁ ନ ଥାଏ । ଅଳ୍ପ ଦୂର ଯିବା ପରେ ଭାବିଲି ଯେ ଗୋଟିଏ ଯୁବତୀକୁ ରାସ୍ତା ମଝିରେ ଏମିତି ଅନୁସରଣ କରିବା ଦ୍ୱାରା ଲୋକେ ମତେ ବିଭିନ୍ନ ଅପବାଦ ଦେବେ । ତେଣୁ ମୋର ଗତି ଯଥେଷ୍ଟ କମାଇ, ମୁଁ ତା’ ଉପରେ ଲକ୍ଷ୍ୟ ରଖି ଧୀରେ ଧୀରେ ଚାଲିଲି, କ୍ରମେ କ୍ରମେ ମୋ ମୁଣ୍ଡ ଥଣ୍ଡା ହେଲା । ଏଥି ପୂର୍ବେ ତାକୁ ଟିକି ଟିକି କରି ହାଣି ଦେବି ବୋଲି ମୁଁ ଯେଉଁ ଧମକ ଦେଇଥିଲି, ତାହା ମତେ ବର୍ତ୍ତମାନ ଗୋଟିଏ ଫମ୍ପା ଆବାଜପରି ଲାଗୁଥାଏ । ମୁଁ ଏବେ ହଠାତ ଚାହୁଁଥାଏ, ତା’ ହାତରୁ ମୋ ଟ୍ରାନ୍‌ଜିଷ୍ଟର୍‌ଟି କେମିତି ଶୀଘ୍ର ଫେରି ପାଇବି । ସମ୍ବାଦ ସମୟ ନିକଟତର ହୋଇଯିବାରୁ ମୋର ମାନସିକ ବ୍ୟାକୁଳତା ବୃଦ୍ଧି ପାଇଲା । ଅଳ୍ପ ସମୟ ମଧ୍ୟରେ ଦେଖିଲି ଯେ, ମେହନ୍ତରାଣୀ ପାଇଖାନା ସଫା କରିବାକୁ ଥିବା ଆମ ସାହି ପଛପଟର ଗୋଟିଏ ଗଳି ରାସ୍ତାରେ, ସେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି । ତେଣୁ ବିଫଳତାର ସହିତ ବାହୁଡ଼ିବାବେଳେ ଆମ ଘରର ଦୁଇ ଚାରୋଟି ଘର ଅନ୍ତରରେ ଥିବା ଜନୈକ ଉଦ୍‌ବ୍ୟକ୍ତିଙ୍କର ରେଡ଼ିଓକୁ ରାସ୍ତାରେ ଠିଆ ହୋଇ କାନେଇଲି । ସେଥିରେ ଦିଲ୍ଲୀରୁ ଓଡ଼ିଆ-ସମ୍ବାଦ ରିଲେ କରାଯାଉଥିଲା । କିନ୍ତୁ ସେତେବେଳକୁ ସମ୍ବାଦ ଶେଷ ହେବା ଉପରେ କି ବୋଧହୁଏ ମନ୍ତ୍ରୀମଣ୍ଡଳ ସମ୍ପର୍କରେ ଖବର ସରିଲାଣି । ନିଜର ରେଡ଼ିଓ ଥାଇ ସୁଦ୍ଧା ତାଜା ସମ୍ବାଦ ଶୁଣି ନ ପାରିବାରୁ ମୁଁ ବିଷର୍ଣ୍ଣ ହୋଇଗଲି । ଏହି ସବୁର କାରଣ ହେଉଛି ସେଇ ଉଦଣ୍ଡୀ ରାଜଲକ୍ଷ୍ମୀ । ତାକୁ ଉପଯୁକ୍ତ ଶିକ୍ଷା ଦେବାକୁ ପଡ଼ିବ ।

 

ମୁଁ ଅନ୍ୟ ଗୋଟିଏ ଦିନ ଅଫିସ୍ କାମ ସାରି ସନ୍ଧ୍ୟାବେଳେ ଘରକୁ ବାହୁଡ଼ୁଥିବା ସମୟରେ ଜଣେ ଦୁଇ ଜଣ ବାଳକ ଗୋଟିଏ ବଡ଼ ବାବୁଲ (ଲମ୍ବା-ଲମ୍ବା ଶକ୍ତିଶାଳୀ କଣ୍ଟା ଥିବା ଗୋଟିଏ ଗଛ) ଡାଳ ମୋ ପଛ ପଟେ ରାସ୍ତାରେ ଟାଣି-ଟାଣି ଆଣୁଥାନ୍ତି । ସେତେବେଳେ ରାସ୍ତାରେ ଭିଡ଼ ଥାଏ । ପୁଣି ରାସ୍ତାଟି ଏକ-ମୁହାଁ (ୱାନ୍‌-ୱେ-ଟ୍ରାଫିକ ।) ଏହି ଦୃଷ୍ଟିରୁ ଟ୍ରାଫିକ୍‌ ପୋଲିସ ସେମାନଙ୍କୁ ଏହି ରାସ୍ତାରେ ଝଙ୍କାଳିଆ କଣ୍ଟା ଗଛ ନ ଟାଣିବା ପାଇଁ ନିର୍ଦ୍ଦେଶ ଦେବା କଥା, ତଥାପି ପୋଲିସ ନୀରବ । ଏହାର କାରଣ ହେଉଛି ଯେ ଏହା ସଦରରେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ପ୍ରାୟ ଅର୍ଦ୍ଧେକ । ଆସନ୍ତାକାଲି ମକର ସଂକ୍ରାନ୍ତି ଦିନ ସେମାନଙ୍କର ଭୋଗୀ-ଉତ୍ସବ ପାଳିତ ଦେବ । ଉକ୍ତ ଦିନ ସେମାନେ ପରମ୍ପରା ଅନୁସାରେ ରାତିସାରା କାଠ ପୋଡ଼ି ନିଆଁ ପୁଅଁନ୍ତି । ତେଣୁ ବର୍ତ୍ତମାନ ଠାରୁ କାଠ-ସଂଗ୍ରହ ଆନନ୍ଦ-ଉଲ୍ଲାସରେ କରିଥାନ୍ତି । ଏଥିପାଇଁ ସାଧାରଣ ନିୟମର ଯଦି ବ୍ୟତିକ୍ରମ ହୋଇଥାଏ,ସମସ୍ତେ ସହିଯାନ୍ତି । ଯାହାହେଉ ମୁଁ ସେଦିନ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ବାଉଁଶ ବୋଝେଇ ଟ୍ରକ୍‌ ମାଡ଼ି ଆସିବାରୁ ପିଲାମାନେ ବାବୁଲ୍ ଡାଳର କଣ୍ଟା ମୋ ଗୋଡ଼ର ପେଣ୍ଡାରେ ତରବରରେ ରାସ୍ତା କଡ଼କୁ ପାଣି ନେଇଗଲେ । ଫଳରେ ବାବୁଲ୍-ଡାଲର କଣ୍ଟା ମୋ “ଗୋଡ଼ର ପେଣ୍ଡାରେ ଘଷି ଦେଲା । ସାମାନ୍ୟ ରକ୍ତ ମଧ୍ୟ ବାହାରିଲା । ମୁଁ ଏହା ବିରୁଦ୍ଧରେ ଆପତ୍ତି କଲେ ସୁଦ୍ଧା ରାସ୍ତାର କେହି ମତେ ସମର୍ଥନ ଜଣାଉ ନଥାନ୍ତି । ସମସ୍ତେ ଭୋଗୀ (ଉତ୍ସବ) ମତାବଲମ୍ବୀ ହୋଇଥିବାର ଏହା ହେଉଛି ଫଳ । ମୁଁ ଘରେ ପହଞ୍ଚିବାବେଳେ ଦେଖିଲି ସେ ଉପର ମହଲାରେ ପାଞ୍ଚ ବର୍ଷ ବୟସ୍କ ଠାରୁ ଆରମ୍ଭ କରି ଷୋହଳ ସତର ବର୍ଷର ଦଳେ ବାଳକ ଭଙ୍ଗା ଟିଣକୁ କାଠିରେ ବାଡ଼େଇ ଶ୍ରୁତି କଟୁ ଶବ୍ଦ ସୃଷ୍ଟି କରୁଛନ୍ତି ଓ ଭୋଗୀ ଉତ୍ସବ ପାଇଁ ଚାନ୍ଦା ମାଗୁଛନ୍ତି । ଲକ୍ଷ୍ମୀ ସେମାନଙ୍କୁ ପାଞ୍ଚ ଟଙ୍କା ଚାନ୍ଦା ଦେଲା ଓ କେତୋଟି ଖାଲି ଢାବଲ ରାତିରେ ପୋଡିବା ପାଇଁ ମଧ୍ୟ ଦାନ କଲା । ତା’ପରେ ମତେ ଦେଖି ପିଲାମାନେ ଉପରମହଲାରୁ ଓହ୍ଲାଇ ଆସିଲେ ଓ ପଇସା ମାଗିଲେ । ସେତେବେଳେ କଣ୍ଟାରେ ଗୋଡ଼ ଆଞ୍ଛୁଡ଼ି ହୋଇଥିବା କଥା ମୋର ମନେ ପଡ଼ିଯାଉଥାଏ । ‘ମୁଁ ଓଡ଼ିଆ: ତେଲୁଗୁ ନୁହେଁ’ ବୋଲି କହି ଦେଇ ଘରର ଚାବି ଖୋଲିବାକୁ ଆଗେଇଲି । କିନ୍ତୁ ସେମାନେ ମତେ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ ସେମାନଙ୍କ କବଳରୁ ତ୍ରାହି ପାଇବାକୁ, (ଇଚ୍ଛା ନ ଥିଲେ ସୁଦ୍ଧା), ଚାରିଅଣିଟିଏ ବଢ଼ାଇ ଦେଲି । ସେମାନେ ଗ୍ରହଣ‌ କଲେନାହିଁ । ପୁଣି ମତେ ବାଧିବାପରି କହିଲେ, ‘ଉପରବାଲା ଖୋଲା ହାତରେ ପଇସା ଦେଉଥିବା ବେଳେ, ତଳବାଲା ଗୋଟିଏ କୃପଣ । ଗୋଟିଏ ଚଣା-ଖାଇ-ହାତ-ଚାଟିବା-ଲୋକ ।’ ସେତେବେଳେ ମୋର ମନେ ହେଲା ସେ, ଏମାନଙ୍କୁ ଚାନ୍ଦା-ସଂଗ୍ରହର କୌଶଳ ତ ଜଣାନାହିଁ । ପୁଣି କଥାଭାଷା ଓ ଉପଯୁକ୍ତ ବ୍ୟବହାର ଶିଖି ନାହାନ୍ତି । ତେଣୁ ମୁଁ ଅତ୍ୟନ୍ତ କ୍ରୁଦ୍ଧ ହୋଇଗଲି । ପୁଣି ଉପରବାଲା ସହିତ ତୁଳନା କରି ମତେ ନୃତନ ଦୃଷ୍ଟିରେ ଦେଖିଥିବା ଯୋଗୁଁ ମୁଁ ଅପମାନିତ ବୋଧ କଲି । ସେମାନଙ୍କୁ ବିଚଳିତ ଭାବେ କ୍ରୁଦ୍ଧ ହୋଇ କହିଲି‌ ଉପରବାଲା Sample Medicine ଓ ମୃତ-ଔଷଧ (ଅର୍ଥାତ୍‌ ଏକସ୍‌ପାରି ଡେଟ ପରେ) ବିକୁଛି । ଖାଣ୍ଟି ପାଣିକୁ ଔଷଧ ବୋଲି କହି ଇଂଜେକସନ୍‌ ଦେଉଛି । ତେଣୁ ସେ ତମକୁ ଟଙ୍କା ଅଜାଡ଼ି ଦେଲା । ମୋର ତ ସେମିତ କଳାଧନ ନାହିଁ । ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରୁଛି । ମୁଁ ତୁମକୁ ଆଉ ଅଧିକ ଦେଇ ପାରିବି ନାହିଁ-।’ ମୋ କଥାକୁ ସେମାନେ ଗ୍ରହଣ କଲେ ନାହିଁ ଓ ଅଧିକ ପଇସା ପାଇଁ ଅଡ଼ି ବସିଲେ-। ସେତେବେଳେ ମୁଁ ବିରକ୍ତିର ସହିତ ଗୋଟିଏ ଆଧୁନିକ ଯୁବକକୁ ଲକ୍ଷ୍ୟ କରି କହିଲି. ‘ଏ ଚାନ୍ଦା ନେଇ ଭୋଗୀ-ଉତ୍ସବ କରିବ ନାହିଁ ଯେ…ତୁମ ଭିତରୁ ଯିଏ ଲିଡ଼ର୍‌, ସିଏ ଟେରିକଟ୍‌ ଡ୍ରେସ କରିବ…” ମୋ କଥା ଶୁଣି ସେମାନେ ସମସ୍ତେ ରାଗିଗଲେ ଓ ଅଧୁନିକ ଯୁବକଟିର ନିର୍ଦ୍ଦେଶ ଅନୁସାରେ ମୁଁ ଦେଇଥିବା ଚାରିଅଣିଟି ମୋ ମୁହଁ ଉପରକୁ ଫୋପାଡ଼ି ଚାଲିଗଲେ । ସେଦିନ ରାତିରେ ଶୋଇବା ବେଳେ ମୁଁ ଭଲଭାବେ ବୁଝି ପାରିଲି ଯେ, ଚାନ୍ଦା ମାଗୁଥିବା ପିଲାଗୁଡ଼ିକ ମୋ ଉପରେ ରାଗି ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିବେ । ଇତ୍ୟବସରରେ ମୁଁ ଖବର ସଂଗ୍ରହ କରିଛି ଯେ ଏଠାରେ ଭୋଗୀ ଉତ୍ସବ-ରାତ୍ରିରେ କାଠ ଜିନିଷ ଭୀଷଣ ଭାବେ ଚୋରି ହୁଏ-। ଏମିତିକି ଘର-ବାରଣ୍ଡାରେ ଥିବା କାଠ ସାମାନ, ଚେୟାର୍‌ ଇତ୍ୟାଦି ଦୁଷ୍ଟ ପିଲାମାନେ ଚୋରାଇ ନେଇ ଜାଳି ଦିଅନ୍ତି । ତେଣୁ ସତର୍କତା ମୂଳକ ପଦକ୍ଷେପ ଭାବେ, ପାଚେରିର ଦୁଇ ଫାଳିଆ କବାଟଟି (ଯାହାକି ସହଜରେ ଟେକି ବାହାର କରି ହେବ) ଆଣି ମୋ ରୁମ୍‌ରେ ରଖିଲି । ତା’ପରେ ବହୁତ ସମୟ ଯାଏଁ ଶାନ୍ତିରେ ଶୋଇ ପାରିଲି ।

 

ତା’ ପରଦିନ ମୁଁ ଉଠିବା ବେଳେ ଡେରି ହୋଇଗଲା । ମୁଁ ଜାଣିଲି ଯେ, ମୁଁ ଉଠିବାର କିଛି ସମୟ ପୂର୍ବରୁ ଆମ ପାଚେରି ପାଖରେ ଭୋଗୀରେ ଅଶଂଗ୍ରହଣ କରିଥିବା ଦଳେ ପିଲାଙ୍କୁ ରାଜଲକ୍ଷ୍ମୀ ଚକଲେଟ୍‌ ଦେଇ ହଜିଥିବା ପାଚେରିର କାଳି-କବାଟଟି ବିଷୟରେ ପଚରା ଉଚରା ଆରମ୍ଭ କରିଛି । ଜଣେ ଦୁଇ ଜଣଙ୍କୁ କାଖେଇ ଓ ଚୁମା ଦେଇ ସେ ଫୁସୁଲା ଫୁସୁଲି କଲାଣି । କାହାରି କାହାରି ନିରୀହତାର ସୁଯୋଗ ନେଇ ଧମକ ଚମକ ଦେଉଥାଏ ଓ ପୋଲିସର ନାଁ କହି ଡରାଉଥାଏ । କାରଣ ସେ ସନ୍ଦେହ କରୁଥିଲା ଯେ, ଏହି ପିଲାଗୁଡ଼ିକ ହିଁ କବାଟଟି ଜାଳି ଦେଇଥିବେ । କିମ୍ବା କେଉଁଠାରେ ଲୁଚାଇ ରଖି ଆଜିର ଦ୍ୱିତୀୟ ଦିନର ଭୋଗୀ-ନଆଁରେ ଜାଳିବେ-। ରାଜଲକ୍ଷ୍ମୀ ବର୍ତ୍ତମାନ ଏମିତି ବ୍ୟସ୍ତ ହେବାର କାରଣ ହେଉଛି ଯେ ଯଦି ଜାଲି-କବାଟଟି ନ ମିଳେ, ତାହାହେଲେ ଘର ମାଲିକ ମତେ ଓ ଲକ୍ଷ୍ମୀକୁ ନିଜ ହାତରୁ ପଇସା ଖର୍ଚ୍ଚ କରି ଗୋଟିଏ କବାଟ ତିଆରି କରିବାକୁ କହିବ । ମୁଁ ନିଦରୁ ଉଠି କବାଟ ଖୋଲିଵା ବେଳେ ରାଜଲକ୍ଷ୍ମୀ ଆରମ୍ଭ କରିଥିବା ଅନୁସନ୍ଧାନ ବିଷୟରେ କିଛି ଜାଣି ନ ଥିଲି । ମୁଁ ସେତେବେଳେ ନିଦର ପ୍ରଭାବରୁ ପୂର୍ଣ୍ଣଭାବେ ମୁକ୍ତ ହୋଇ ନ ଥିଲି । ଯାହାହେଉ, ତଥାକଥିତ ହଜି ଯାଇଥିବା ପାଚେରୀର ଦୁଇ ଫାଳିଆ କବାଟଟି କାନ୍ଧରେ ଧରି ଗେଟ୍‌ ପାଖକୁ ଚାଲିଲି । ହଜି ଯାଇଥିବା କବାଟଟି ବର୍ତ୍ତମାନ ଦେଖି ପାରି ପିଲାମାନେ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରେ ପରେ ଠୋ ଠୋ ହୋଇ ହସିଲେ-। ସେମାନଙ୍କ ମଧ୍ୟରୁ ଦୁଇ ଚାରିଜଣ ଖଚଡ଼ ଟୋକା ରାଜଲକ୍ଷ୍ମୀକୁ ଥଟ୍ଟା ପରିହାସ କଲେ । ରାଜଲକ୍ଷ୍ମୀ ମୋ ଉପରେ ତ ପୂର୍ବରୁ ବଗିଡ଼ି ଯାଇଥିଲା । ବର୍ତ୍ତମାନ ପିଲାମାନଙ୍କର ମନ୍ତବ୍ୟରେ ଆହୁରି ଅଧିକ କ୍ଷୁବ୍‌ଧ ହୋଇଗଲା ଓ ମତେ ଆକ୍ଷେପ କରି କହିଲା, ‘ଏଗୁଡ଼ାକ ନାରଦ ମୁନୀବର । ସବୁ ନାଟର ଗୋବର୍ଦ୍ଧନ । ଘଡ଼ିକରେ ଘର ଭାଙ୍ଗିଦେବେ । ଏହି ଅଧୁଆ ମୁହାଁ ଯୋଗୁଁ ମୁଁ ଆଜି ରାତି ନ ପାହୁଣୁ ମୋ ସାହୁଆଣୀଠାରୁ ଗାଳି ଶୁଣିଲିଣି..ଦିନ ସାରା ଆହୁରି କ’ଣ ହେବ, କିଏ କହିବ ?’ ସେତେବେଳେ ମୁଁ ଅନୁଭବ କଲି, ହୁଏତ ଦାଣ୍ଡର ଜାଲି-କବାଟଟି ଲୁଚାଇ ରଖିବା ବିଷୟ ମୁଁ ଗତ ରାତିରେ ଲକ୍ଷ୍ମୀକୁ ଜଣାଇବା ଉଚିତ ଥିଲା । ଏହା କରି ନ ଥିବାରୁ ଲକ୍ଷ୍ମୀ ଓ ରାଜଲକ୍ଷ୍ମୀ ସକାଳୁ ହଇରାଣରେ ପଡ଼ିଲେ । କିନ୍ତୁ ଏଥିପାଇଁ ମୁଁ ବିଶେଷ ଦୁଃଖିତ ନୁହେଁ କାରଣ ସାଧାରଣତଃ ପଡ଼ୋଶୀମାନଙ୍କ ମଧ୍ୟରେ ଯେମିତି ବନ୍ଧୁତ୍ୱପୃଣ୍ଣ ସମ୍ପର୍କ ରହିବା କଥା, ତାହା ଆମ ମଧ୍ୟରେ ନାହିଁ । ସେତେବେଳେ ରାଜଲକ୍ଷ୍ମୀ ସମ୍ମୁଖସ୍ଥ ପିଲାମାନଙ୍କୁ ଚାହିଁବା ପାଇଁ ଲଜ୍ଜ୍ୟା ଅନୁଭବ କରୁଥାଏ । ଏହା ଜାଣି ମୁଁ ମନେ ମନେ ଖୁସି ହେଉଥାଏ । ବର୍ତ୍ତମାନ ଅପମାନଜନକ ପରିସ୍ଥିତିରେ ରାଜଲକ୍ଷ୍ମୀ ତା’ ମୁହଁ ଲୁଚାଇବାକୁ ଭଲ ଜାଗାଟିଏ ପାଇଁ ଉପର ମହଲକୁ ତତ୍‌କ୍ଷଣାତ ଦୌଡ଼ି ଦୌଡ଼ି ଚାଲିଗଲା ଏବଂ ଲକ୍ଷ୍ମୀ ନିକଟରେ ଏହି ଅବାଞ୍ଛିତ ପରିସ୍ଥିତି ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ଦୋଷାରୋପ କାଲା । ସେହି ଦିନ ଠାରୁ ମତେ ଦେଖିଲେ ତା’ର ଦେହ ଓ ମନ ରାଗରେ ଜଳି ଯାଉଥାଏ ।

 

ତା’ପରେ ତିନି ଚାରି ଦିନ ପାଇଁ ମୁଁ ବାଲୁଗାଁକୁ ଜଣେ ବନ୍ଧୁଙ୍କ ନିମନ୍ତ୍ରଣରେ ଗଲି । ସେଠାରେ ଚଲିକା-ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛ ପେଟେ ପେଟେ ଖାଇଲି । ସେଠାରୁ ଫେରିବା ବେଳେ ଭାବିଲି ଯେ, ଭଲ ପଡ଼ୋଶିନୀଟିଏ ଥିଲେ ଦଳରେ ବଡ଼ ବଡ଼ ଜିଅନ୍ତା କଙ୍କଡ଼ା ବାନ୍ଧି ଆଣିଥାନ୍ତି । ମୋ କପାଳକୁ ଲକ୍ଷ୍ମୀ ପରି ଗୋଟିଏ ନିରାମିଷାଶୀ ଜୁଟି ଥିବାରୁ ଦୁଃଖିତ ହୋଇଗଲି । ବାଲୁଗାଁରୁ ଘରେ ପହଞ୍ଚିବା ବେଳେ ଅଫିସ ସମୟ ହୋଇ ଯାଇଥଲା । ତେଣୁ ଜିନିଷ ପତ୍ର ଘରେ ଫୋପାଡ଼ି ଦେଇ କବାଟରେ ତରବରରେ ତାଲା ଝୁଲାଇବା ବେଳେ ରାଜଲକ୍ଷ୍ମୀ ଉପରମହଲାରୁ ଧାଇଁ ଆସି ମୋ ପାଖରେ ପହଞ୍ଚିଲା ଓ କବାଟ ଖୋଲିବା ପାଇଁ ମତେ ପ୍ରଥମେ ଅନୁରୋଧ କଲା; ତା’ପରେ ଜିଦ୍‌ ଧରିଲା । ଏହାର କାରଣ ହେଉଛି ଯେ ମୁଁ ବାଲୁଗାଁକୁ ଯାଇଥିବା ବେଳେ କାଉ ଚିନମ୍‌ର ଝିରପିଆ ବେଲା ଓ ଗିନା ବାସନ କୁସନ ଧୋଇବା ଜାଗାରୁ ଥଣ୍ଟରେ ଉଠାଇ ନେଇ ମୋର ବାଡ଼ି ପଟେ ପକାଇ ଦେଇଛି । ଏହା ବ୍ୟତୀତ ମୋର ମନେ ପଡ଼ୁଛି ଯେ ଲକ୍ଷ୍ମୀର ଗୋଟିଏ ଚ୍ର ମଧ୍ୟ ଉଡ଼ିଆସି, କୁଅ ପାଖରେ ପଡ଼ିଛି ଏବଂ ଏହାକୁ ଉଠାଇ ନେବା ପାଇଁ ବୋଧ ହୁଏ ଗୋଟିଏ ବାଉଁଶରେ କାଠି ବାନ୍ଧି ରାଜଲକ୍ଷ୍ମୀ ଚେଷ୍ଟା କରିବା ବେଳେ ତା’ ହାତରୁ ଖସି ଯାଇ ମୋ ବାରିରେ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି । ରାଜଲକ୍ଷ୍ମୀ ମିନତିଭରା କଣ୍ଠରେ ଅନ୍ତତଃ ଛୁଆଟିର ବେଲାଟି ହଠାତ୍‌ ଦେଇ ଦେବା ପାଇଁ ମୋତେ ଅନୁରୋଧ କଲା । ସେତେବେଳେ ତା’ର ଆଖି ଲୁହରେ ଛଳ ଛଳ କିନ୍ତୁ ମୁଁ କଥାଗୁଡ଼ିକୁ ହସି ଉଡ଼ାଇ ଦେଲି । ତା’ପରେ ମୋର ଅଫିସ ସମୟ ହୋଇଗଲାଣି ବୋଲି କହି ଦୀର୍ଘ ପଦକ୍ଷେପ ନେଉଥିବା ସମୟରେ ମୋ ପଛେ ସେ ଆସିଲା । ମୁଁ ତାକୁ କହିଲି, ‘ତୋ ସାହୁଆଣୀକୁ କହି ଦେବୁ ଯେ, କାଉ ଯେତେବେଳେ ତା’ର ଅଇଁଠା ପେଜ-ହାଣ୍ଡିରୁ ଲଙ୍କା ଓ ନିରସ ସଜନା-ଛୁଇଁ ମୋ ବାଡ଼ି ପଟେ କୂଅ ମୂଳେ ଫୋପାଡ଼ୁ ଥିଲା, ସେତେବେଳେ ସେ ସବୁକୁ ବାହାର କରିବା ପାଇଁ ସେ ତ ମୋଟେ ତତ୍‌ପର ହେଉ ନ ଥିଲା । ବର୍ତ୍ତମାନ ଦାମିକା କିମ୍ବା ଅତ୍ୟାବଶ୍ୟକୀୟ ଜିନିଷ ପଡ଼ି ଯାଇଥିବାରୁ ସେ ଖୁବ୍‌ ଚଞ୍ଚଳ ହୋଇ ପଡ଼ିଛି !..‘ତୋର ସାହୁଆଣୀକୁ କହ ଯେ, ମୁଁ ତା’ର Double Dealing ଭଲ ଭାବେ ଜାଣି ସାରିଲିଣି ଏବଂ ଏମିତି ବ୍ୟବହାର ମୁଁ ମୋଟେ ପସନ୍ଦ କରୁ ନାହିଁ ..’ ତା’ପରେ ମୁଁ କ୍ଷୀପ୍ର ପଦଚାଳନା କରି ଅଫିସ ଆଡ଼କୁ ମୁହାଁଇଁଲି ।

 

ଦିନେ ଦୁଇ ଦିନ ପରେ ମୁଁ ଅଫିସ ସମୟ ହେବାରୁ ତେଲ ଲଗାଇ ଗାଧୋଇବା ପାଇଁ ବାଡ଼ି ପଟକୁ ବାହାରିଲି । ସେ ସମୟଟି‌ ଡିସେମ୍ବର ମାସ । ପ୍ରବଳ ଶୀତ ହେଉଥାଏ । ତେଣୁ ଥଣ୍ଡା ପାଣିରେ ଗାଧୋଇବା ସହଜ ନୁହେଁ । ମୁଁ ବାଲ୍‌ତିରେ ଥଣ୍ଡା ପାଣି ରଖି ତଉଲିଆଟି ସାମାନ୍ୟ ଓଦା କଲି । କିନ୍ତୁ ଦେହ ଉପରକୁ ଓଦା ତଉଲିଆ ଆଣିବାକୁ ଶୀତ ଯୋଗୁଁ ମୁଁ ପଛଘୁଞ୍ଚା ଦେଉଥାଏ । ସାଧାରଣତଃ ଶୀତଦିନ ମାନଙ୍କରେ ସ୍ନାନକରିବା ମୋ ପକ୍ଷରେ ଗୋଟିଏ ସମସ୍ୟା । ଏହି ଦିନ ଗୁଡ଼ିକରେ ମୁଁ ଭଲ ଭାବେ ଘଷା ଘଷି ହୋଇ ଗାଧୋଇ ନ ଥାଏ । ପୁଣି ତଥା-କଥିତ (ଅଶୋଧିତ) ସ୍ନାନ ସରାଇବା ପାଇଁ ମତେ ପ୍ରାୟ ଘଣ୍ଟାଏ ସମୟ ଲାଗେ । କାରଣ ମୁଁ ବେକାରରେ ବହୁ ସମୟ ଧରି ପାଣି ବାଲତିକୁ ଅନାଇ ରହେ ଓ ଧୀରେ ଧୀରେ ଗାଧୁଆ ଆରମ୍ଭ କରେ । ସେ ଦିନ ମଧ୍ୟ ଅଭ୍ୟାସବଶତଃ ମୁଁ ଶୀତକୁ ଡରି ପାଣି-ବାଲତି ପାଖରେ ବହୁତ ସମସ୍ତ ଧରି ଠିଆ ହୋଇଥିଲି । ସେତେବେଳେ ଲକ୍ଷ୍ମୀ ଝିଅ ଚିନମ୍‌ ତାଙ୍କ ସ୍ଲାବ ଉପରୁ ମୋର ଅଜାଣତରେ ଢାଳେ ପାଣି ତଳକୁ ଅଜାଡ଼ିଲା । ତାହା ମୋ ମୁଣ୍ଡ ଉପରେ ସିଧା ସଳଖ ପଡ଼ିଲା । ଅବଶ୍ୟ ଚିନମ୍‌ ମଜା ଦେଖିବା ପାଇଁ କିମ୍ବା ମୋ ଗାଧୁଆ ଶୀଘ୍ର ଆରମ୍ଭ କରିବାକୁ… ମୋ ଉପରକୁ ପାଣି ଢାଳି ନ ଥିଲା । ପାଣି ସହିତ ଖେଳିବା ତା’ର ରୀତିମତ ଅଭ୍ୟାସ (ବଦଭ୍ୟାସ) ଯୋଗୁଁ ସେ ଏମିତି କରିଥଲା । ସେ ଯାହାହେଉ ନା କାହିଁକି, ମୁଁ ଶୀତକୁ ଡରୁଥିବା ବେଳେ ସେ ଏମିତି ମୋ ମୁଣ୍ଡରେ ଥଣ୍ଡା ପାଣି ଢାଳିଦେବା ଯୋଗୁଁ ମତେ ବଡ଼ ବାଧିଲା । ମୁଁ ସେ ଛୁଆଟି ଉପରେ ଭୀଷଣ ଭାବେ ରାଗିଲି । ଇତ୍ୟବସରରେ ଲକ୍ଷ୍ମୀ ଘର ଭିତରୁ ସ୍ଲାବ ଉପରକୁ ଆସି, ଚିନମ୍‌ ପାଣି ପକାଇଥିବା ହେତୁ ମୁଁ ଶୀତରେ ଛଟପଟ ଦେଉଥିବା ଦୃଶ୍ୟ ଦେଖିଲା ଓ ଝିଅକୁ ସାବଧାନ କରାଇବା ପରିବର୍ତ୍ତେ ମତେ ଲକ୍ଷ୍ୟ କରି ମନଖୋଲା ଭାବେ ହସିଲା । ଲକ୍ଷ୍ମୀର ଏହି Sadistic pleasure ଓ ଅଭଦ୍ର ବ୍ୟବହାରରେ ମୋ ରାଗ ଦ୍ଵିଗୁଣିତ ହେଲା । ମୁଁ ଦେଖିଲି ଯେ, କ୍ରମଶଃ ଲକ୍ଷ୍ମୀର ଅଟ୍ଟହାସ୍ୟ ଚିନମ୍‍କୁ ସଂକ୍ରମିତ ହେଉଛି । ମୁଁ ଉଚ୍ଚ ସ୍ଵରରେ ଘୋଷଣା କଲି, ‘ଯଦି ପ୍ରକୃତରେ ତୁଳସୀ ଦୁଇ ପତ୍ରରୁ ବାସେ’ ତାହାହେଲେ ଦିନେ ଲକ୍ଷ୍ମୀର ଝିଅ ଚିନମ୍‌ ଓଡ଼ିଶାର ଏକ ନମ୍ବର ଅଣ୍ଡିରାଚଣ୍ଡୀ ହେବ !’ ତରବରରେ ଗାଧୁଆ (ଗାଧୁଆ ତ ନୁହଁ; ଓଦା ଲୁଗାରେ ଦେହ ପୋଛା ପୋଛି ହେବା) ସାରି ଘର ଭିତରକୁ ଆସିଲି । ସେତେବେଳେ ମୋ ବାରଣ୍ଡାରେ ରାଜଲକ୍ଷ୍ମୀ ଗୋଟିଏ ପରିବା-ବିକାଳୀ ମାଇକିନା ସହିତ ମୂଲାମୁଲି କରୁଥିବା ବିଷୟ ମୁଁ ଶୁଣି ପାରିଲି । କଥା ହେଉଛି ଯେ, ଲକ୍ଷ୍ମୀର ଘରେ କେହି ପୁରୁଷ ପ୍ରାୟ ରହୁ ନ ଥିବାରୁ ସେ ଫେରିବାଲାଙ୍କ ଠାରୁ ଦୈନିକ ପରିବା କିଣେ । କିନ୍ତୁ ଉପରମହଲାକୁ ସେମାନଙ୍କୁ ଡାକିଲେ ସେମାନେ ଭାରି ବୋଝ ଧରି ପାହାଚ ଚଢ଼ିବାକୁ ସାଧାରଣତଃ ଅମଙ୍ଗ ହୁଅନ୍ତି-। ସେଥିପାଇଁ ମୋ ବାରଣ୍ଡାର ଛାଇ ତଳେ ବସି ସବୁବେଳେ ଲକ୍ଷ୍ମୀର ଏହି ପରିବା କିଣା ସମ୍ପର୍କୀୟ ମୂଲାମୁଲି ହେଉଥାଏ । ଆଜି ଯାଏଁ ମୁଁ ଏହା ଉଦାର ଚିତ୍ତରେ ସହି ଯାଉଥିଲି । କିନ୍ତୁ ମୁଁ ବର୍ତ୍ତମାନ ଉପରବାଲା ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଚାହିଁଲି । ଗାଧୋଇବାବେଳେ ଲକ୍ଷ୍ମୀ ଓ ତା’ ଝିଅ ଉପରେ ମୋର ଯେଉଁ କ୍ରୋଧ ଜନ୍ମିଥିଲା, ତାହା ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୂତନ ରୂପ ନେଲା । ମୁଁ ସ୍ଥିର କଲି ଯେ ରାଜଲକ୍ଷ୍ମୀକୁ ମୋ ବାରାଣ୍ଡାରୁ ତଡ଼ି ଅପମାନିତ କରିବି । ସେହି ଉଦ୍ଦେଶ୍ୟରେ ଦାଣ୍ଡଦୁଆର ଖୋଲିବାକୁ ଗଲି । କିନ୍ତୁ କବାଟ ଖୋଲିବା ଠିକ୍‌ ପୂର୍ବରୁ ରାଜଲକ୍ଷ୍ମୀ ପରିବା-ବିକାଳିକୁ ମୋ ବିରୁଦ୍ଧରେ କ’ଣ କହୁଥିବାର ମୁଁ ଶୁଣି ପାରିଲି । ତେଣୁ କବାଟ ପାଖରେ ରହି କାନେଇଲି । ରାଜଲକ୍ଷ୍ମୀ ମୋ ବିଷୟରେ କହୁଥାଏ, ‘ୟା’ର ପୁଅ ନାହିଁକି ମାଇପ ନାହିଁ….ଦରବୁଢ଼ା ହେଲାଣି । ୟା’କୁ କିଏ ବାହା ହେବ ? ..ୟା’ର ମାଇପ ବୋଲି ଯିଏ ଆସିବ, ତାକୁ ଠିଆରେ ଚିରି ପକାଇବ । ସବୁବେଳେ ନାକଟିପରେ ରାଗ…’ ଏହା ଶୁଣି ମୁଁ ରାଗରେ ଧଡ଼୍‌ ଧାଡ଼୍‌ କବାଟ ଖୋଲି ପକାଇଲି ଓ ଏଠାରୁ ସଙ୍ଗେ ସଙ୍ଗେ ପରିବା-କୁଣ୍ଡି ବାହାର କରିବାକୁ ପରିବା-ବିକାଳିକୁ ଆଦେଶ ଦେଲି । ସେତେବେଳେ ରାଜଲକ୍ଷ୍ମୀ ଭେଣ୍ଡି ବାଛୁଥାଏ । ସେ ମୋ କଥାକୁ କାନ ନ ଦେଇ ଭେଣ୍ଡିର ଅଗଗୁଡ଼ିକୁ ଭାଙ୍ଗି କଅଁଳିଆ ଭେଣ୍ଡିଗୁଡ଼ିକ ବାଛୁଥାଏ । ମୁଁ ରାଜଲକ୍ଷ୍ମୀକୁ କହିଲି, ‘ଏଇ ବାରଣ୍ଡାଟା ତୋ ବାପାର ? ....ନା ମାସକୁ କେତେ ଭଡ଼ା ଏଥିପାଇଁ ଦେଉଛୁ ? ..ଏଠାରୁ ଉଠିବୁ ନା କ’ଣ ? ମୋ ଧମକ ସତ୍ତ୍ୱେ ରାଜଲକ୍ଷ୍ମୀ ତ କାମରେ ବ୍ୟସ୍ତ । ମୁଁ ଆଉ ସମ୍ଭାଳି ନ ପାରି ସେ ବାଛିଥିବା ଭେଣ୍ଡିଗୁଡ଼ିକ ପରିବା ବିକାଳୀର ଟୋକେଇରେ ଭର୍ତ୍ତି କରିଦେଲି ଓ ଭଲ-ପୋକରା, କଅଁଳ-ବୁଢ଼ା ଇତ୍ୟାଦି ସବୁ ପ୍ରକାର ମିଶାଇ ଘାଣ୍ଟି ପକାଇଲି । ମୋର ଏହି ବ୍ୟବହାରରେ ପରିବା-ବିକାଳୀଟି ତା’ର କୁଣ୍ଡି ମୁଣ୍ଡ ଉପରକୁ ଉଠାଇବାକୁ ଆଉ ଫୁରୁସତ ନ ପାଇ, ଘୋଷାରି ଘୋଷାରି କୁଣ୍ଡିଟି ପାଚେରୀ ପାଖକୁ ଟାଣି ନେଇଗଲା ଓ ସେଠାରେ କୁଣ୍ଢିଟି ମୁଣ୍ଡ ଉପରକୁ ଉଠାଇ ଝପଟ ଝପଟ ଚାଲିଗଲା । କିନ୍ତୁ ରାଜଲକ୍ଷ୍ମୀ ମୋ ସମ୍ମୁଖରେ ଛାତି ଫୁଲେଇ ଠିଆ ହେଲା । ପ୍ରକୁତରେ ସବୁ ପରିବା ମଧ୍ୟରେ ଭେଣ୍ଡି ବାଛିବାଟା ସବୁଠାରୁ କଷ୍ଟସାଧ୍ୟ । ତେଣୁ ସେ ଅଧିକ କ୍ରୂଦ୍ଧ ହେବା ସ୍ଵାଭାବିକ । ସେ ମୋ ମୁହଁ ଉପରେ କହିଲା, ‘ଏମିତି ଲୋକମାନେ ଅକାଳରେ କାଳରେ ରୋଗରେ ମରନ୍ତି । ଏମାନଙ୍କୁ ବସନ୍ତ ରୋଗ ଡେଇଁଲେ, ଆଉ ଭଲ ହୁଏ ନାହିଁ । ...ମରିବା ପୂର୍ବରୁ ଦିନେ ନା ଦିନେ କୁଷ୍ଠ ରୋଗ ହୋଇ ହାତରୁ ପୂଜ ପାଣି ବାହାରେ …’ ମୁଁ ଆଉ ଅଧିକ ନ କହି ଚୁପ୍‌ ରହିବା ପାଇଁ ତାକୁ ସତର୍କ କରିଦେଲି । ମୋ କଥା ମାନି ସେ ନୀରବ ରହିଲେ ସୁଦ୍ଧା ମତେ ସେ କ୍ରୂଦ୍ଧ ହୋଇ ଚାହୁଁଥାଏ; ମୁଁ ମଧ୍ୟ ସେମିତି ତା’ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିଥାଏ । ଆମେ ଉଭୟେ ସେତେବେଳେ ନୃସିଂହ‌-ଅବତାରରେ ଥିଲୁ-ପରସ୍ପର ପରସ୍ପରର ଛାତି ବିଦାରି ଦେବାକୁ ପ୍ରସ୍ତୁତ ଥିଲୁ । କିନ୍ତୁ ଏହା ହୃଦୟ-ବିଦାରଣ କିଏ ଆରମ୍ଭ କରିବ-ତାହା ହିଁ ସମସ୍ୟା ଥିଲା । ସେତେବେଳ ଜଣେ ଭଦ୍ର ବ୍ୟକ୍ତି ପାଚେରୀ ଉପରେ ହାତ ରଖି ସାଇକେଲ୍‌-ବେଲ୍‌ରେ କ୍ରିଂ କ୍ରିଂ ଶବ୍ଦ କଲେ । ମୁଁ ତାଙ୍କ ଆଡ଼କୁ ଚାହିଁବା ବେଳେ ସେ ପଚାରିଲେ, ‘ବିଦ୍ୟାସାଗର ବାବୁ ଏହି ସାହିରେ କେଉଁଠାରେ ରହୁଛନ୍ତି ?’ ମୁଁ ରାଜଲକ୍ଷ୍ମୀ ଆଡ଼କୁ ଆଙ୍ଗୁଠି ବଢ଼ାଇ ତାଙ୍କୁ ଜବାବ ଦେଲି, ‘ଏହି ବିଷୟ ମତେ ନ ପଚାରି, ଏହି ବାରବୁଲା ମାଇକିନାଟିଠାରୁ ବୁଝା…. ଇଏ ଦେହ ଦେଖାଇ ଘର ଘର ବୁଲୁଛି…. ଏହି ସହରର ଟିକିନିଖି ଖବର ତାକୁ ଜଣା….’ ଭଦ୍ର ବ୍ୟକ୍ତିଟି ଆଶାର ସହିତ ରାଜଲକ୍ଷ୍ମୀକୁ ଚାହିଁବା ବେଳେ ରାଜଲକ୍ଷ୍ମୀ ପରିବା-ବିକାଳୀଟି ଛାଡ଼ି ଦେଇଥିବା ପଚା ପୋଟଳଟିଏ ଗୋଟାଇଲା ଓ ‘ଏଁ ବିଦ୍ୟାସାଗର ବାବୁ ? ...ଏଁ ବିଦ୍ୟାସାଗର ବାବୁ ?’ ବୋଲି ଖିଙ୍କାରି ହୋଇ କହିଲା ଏବଂ ପଚାରୁଥିବା ଭଦ୍ର ଲୋକଟି ଆଡ଼କୁ ତାହା ଫୋପାଡ଼ିବା ପାଇଁ ଉଦ୍ୟତ ହେଲା । ଫଳରେ ଲୋକଟି ଡବଲ୍‌ ସ୍ପିଡ୍‌ରେ ସାଇକେଲ ଚଳାଇ ନିମିଷକରେ ଅନ୍ତର୍ଦ୍ଧାନ ହୋଇଗଲା । ତା’ପରେ ମୋ ପାଳି ପଡି଼ଲା । ବର୍ତ୍ତମାନ ରାଜଲକ୍ଷ୍ମୀ ମୋ ଆଡ଼କୁ ପଚା ପୋଟଳଟି ଉଞ୍ଚାଇଲା । ମୁଁ ଗୋଟିଏ ଯୁବତୀ ସହିତ ମଲ୍ଲଯୁଦ୍ଧ କରିବାକୁ ପ୍ରସ୍ତୁତ ନ ଥିଲି । ତେଣୁ ଘର ଭିତରକୁ ପଶିଯାଇ କବାଟ ଧଡ଼ାସ୍‌ କିନା କିଳିଦେଲି ଓ ପ୍ରସାଧନ-ଘରକୁ ଯିବା ବେଳେ ରାଜଲକ୍ଷ୍ମୀକୁ କହିଲି, ‘ମୁଁ ଡରୁଆ ନୁହେଁ... ମୋ ଅଫିସ-ଟାଇମ‌ ହୋଇଗଲାଣି... ଏଥିପାଇଁ ଶୀଘ୍ର ପ୍ରସ୍ତୁତ ହେବାକୁ ପଡ଼ିବ ।’ ତା’ପରେ ମୋର କାମ ସାରି ପୋଷାକ ପିନ୍ଧିଲି ଓ ପ୍ରଥମ ଝରକା ବାଟେ ରାଜଲକ୍ଷ୍ମୀ ବାରଣ୍ଡାରେ ଅଛି ନା ନାହିଁ ବୋଲି ଦେଖିଲି । ତାକୁ ନ ଦେଖିବାରୁ ବିନା ଦ୍ଵିଧାରେ, ବୀର-ଦର୍ପରେ କବାଟ ଖୋଲିଲ । ଅବଶ୍ୟ କାଳେ ରାଜଲକ୍ଷ୍ମୀ ସହିତ ଚାରି-ଚକ୍ଷୁ-ମିଳନ ଘଟିବ ବୋଲି ଭୟ କରି, ମୁଁ ସେଦିନ ସେତେବେଳ ଅଫିସକୁ ଯିବା ସମୟରେ ଆଉ ଉପରକୁ କିମ୍ବା ପଛକୁ ଚାହିଁବାକୁ ସାହାସ କରି ନ ଥିଲି ।

 

ଥରେ ରାତିରେ ମୁଁ ନିଘୋଡ଼ ନିଦରେ ଶୋଇଥାଏ । ମୋ କବାଟରେ କେହି ଜଣେ କେତେ ବେଳଠାରୁ ଖଟ୍‌ ଖଟ୍‌ ଶବ୍ଦ ଆରମ୍ଭ କରିଛି ମୁଁ ଜାଣି ନାହିଁ । ମୋ ନିଦ ଭାଜିବା ବେଳକୁ ଏହି ଶବ୍ଦ ପ୍ରଥମେ ଶୁଣି ମୁଁ ବଡ଼ ବିରକ୍ତ ହେଲି । ଏହି ଶୀତ ରାତିରେ ଉଠି କବାଟ ଖୋଲିବାକୁ ମୋର ଆଦୌ ଇଚ୍ଛା ନ ଥାଏ । ମୁଁ ଭାବିଲି ଯେ ମୁଁ ଏମିତି ବିନା ପ୍ରତିକ୍ରୟାରେ କିଛି ସମୟ ଯାଏ ଶୋଇ ରହିଲେ ଲୋକଟି ବିରକ୍ତ ହୋଇ ଚାଲିଯିବ । କିନ୍ତୁ ଶବ୍ଦ ବେଳକୁ ବେଳ ପ୍ରବଳ ହେଲା । ସେତେବେଳ ମୁଁ ଦେହ ସାରା ରେଜେଇରେ ଘୋଡ଼ାଇ ହୋଇ ଶୋଇଥାଏ । ବାଧ୍ୟ ହୋଇ, ରେଜେଇ ବାହାର କରି, ଶୀତରେ ଥରି ଥରି କବାଟ ପାଖକୁ ଗଲି । ଚଟାଣଟା ସେତେବେଳେ ହିମାଳୟ ପରି ଥଣ୍ଡା ଲାଗୁଥାଏ । ଦାଣ୍ଡଘରର ଲାଇଟ୍‌ ଜଳାଇବାକୁ ସୁଇଚ୍‌ ଟିପିବା ବେଳେ ବଲବ୍‌ଟି ସାମାନ୍ୟ ଲାଲ ରଙ୍ଗ ଧରି ଲିଭିଗଲା । ଭାବିଲି, କରେଣ୍ଟ ଚାଲିଗଲା । ତେଣୁ ପରୀକ୍ଷା କରିବାକୁ ଫୋନ୍‌ ସୁଇଚ୍‌ ଟିପିଲି । ଲକ୍ଷ୍ୟ କଲି ସେ ଘର୍‌ର ଘର୍‌ର ଶବ୍ଦ ସୃଷ୍ଟି କରି ଫୋନ୍‌ ବୁଲିଲା । ତେଣୁ ମୁଁ ଅପ୍ରୀତିକର ଉପସଂହାରରେ ପହଞ୍ଚିଲି ଯେ ବଲବ୍‌ଟି ଫ୍ୟୁଜ୍‌ ହୋଇଗଲା । ଅଳ୍ପ ଦିନ ତଳେ କିଣିଥିବା ଅହି ବଲବ୍‌ଟିର ଅକାଳ ବିୟୋଗ ଯୋଗୁଁ ମୁଁ ଭାବିଲି ଯେ ଏମିତି ହେଲେ କୁବେର ମଧ୍ୟ ଦେବାଳିଆ ହୋଇଯିବ । ଦୁଃଖର ସହିତ କବାଟ ଖୋଲିବା ବେଳେ ମୁଁ ରାସ୍ତା-ବିଜୁଳିବତୀର ସାମାନ୍ୟ ଆଲୋକରେ ଦେଖିଲି ଯେ, ମୋ ବାରଣ୍ଡାରେ ତଳେ ଅପରିଚିତ ଲୋକ (ପୁରୁଷ, ସ୍ତ୍ରୀ ଓ ପିଲା) ଠିଆ ହୋଇଛନ୍ତି । ମୁଁ ସେମାନଙ୍କୁ ପରିଚୟ ମାଗିବାରୁ ବୁଢ଼ା ଜଣକ କହିଲା ଯେ, ତା’ର ନାମ ପାନୁଲୁ । ତା’ ଘର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାରେ । ସେମାନେ ଗୋଟିଏ ଚାଷୀ ପରିବାରର । ବର୍ତ୍ତମାନ ଶ୍ରୀନିବାସ ରାଓ (ଲକ୍ଷ୍ମୀର ସ୍ଵାମୀ) ପାଖକୁ ଆସିଛନ୍ତି । ଶ୍ରୀନିବାସର ବାସ-ଘର ଏହିଠାରେ ବୋଲି ଏହି ଗଳି ଆରମ୍ଭରେ ଜଣେ କହିବାରୁ ପାନୁଲୁ ନିର୍ଭୟରେ ମୋ କବାଟକୁ ଏତେ ଜୋରରେ ପିଟିଥିଲା । ମୁଁ ପାନୁଲୁକୁ ବୁଝାଇଲି ଯେ ଏହି ଘରେ ଦୁଇଟି ପରିବାର ରୁହନ୍ତି । ଉପରମହଲା ହେଉଛି ଲକ୍ଷ୍ମୀ ଓ ଶ୍ରୀନିବାସ ରାଓର ଘର ଓ ତଳେ ମୁଁ ରହେ । ମତେ ପାନୁଲୁ ଭାତ-ନିଦରୁ ଉଠାଇ ଥିବାରୁ ମୁଁ ମନେ ମନେ ଭୀଷଣ ଅପ୍ରସନ୍ନ ଥିଲେ ମଧ୍ୟ ନିଜକୁ ସଂଯତ କରି ଏଇତକ ଖବର ଦେଇ କବାଟ କିଳି ଦେଲି ଓ ପୁଣି ରେଜେଇ ଘୋଡ଼ାଇ ଶୋଇ ପଡ଼ିଲି । ଶେଯରେ ଶୋଉଥିବାବେଳେ ମୁଁ ଜାଣି ପାରିଲି ଯେ, ଏଇ ପଙ୍ଗପାଳ ଦଳ ବେଡ଼ିଂ ଇତ୍ୟାଦି ମୁଣ୍ଡାଇ ଉପରମହଲାକୁ ହଟ୍ଟଗୋଳ କରି ଯାଉଛନ୍ତି । କିଛି ସମୟ ମଧ୍ୟରେ ସେମାନେ ମୋ ବାରଣ୍ଡାରେ ପୁଣି ଜମା ହେବାର ମୁଁ ପାଦଶବ୍ଦରୁ ଅନୁମାନ କରି ପାରିଲି । ପାନୁଲୁ ବୁଢ଼ାକୁ ତା’ର ସ୍ତ୍ରୀ ବାରମ୍ୱାର ଧମକାଉଥାଏ । କାରଣ ସେମାନେ ବର୍ତ୍ତମାନ ଉପରମହଲାରୁ ଦେଖି ଆସିଲେ ଯେ ଲକ୍ଷ୍ମୀର ଦାଣ୍ଡଦୁଆରରେ ତାଲା ଝୁଲୁଛି । ଏବେ ପାନୁଲୁର ସ୍ତ୍ରୀ ତା’ର ସ୍ଵାମୀଠାରୁ ଜାଣିବାକୁ ଚାହୁଁଛି ଯେ, ଲକ୍ଷ୍ମୀ ଏଠାରେ ଅଛି ନା ଅନ୍ୟ କେଉ ଗାଁକୁ ଯାଇଛି । ଯଦି ସେ ଏଠାରେ ଅଛି, ତେବେ କେତେବେଳେ ଘରକୁ ଫେରିବ ଓ ସେ ଫେରିବା ଯାଏଁ ସେମାନେ ଏହିଠାରେ ଅପେକ୍ଷା କରିବା ସାର୍ଥକ ହେବ । ଯଦି ସେ ଅନ୍ୟ କୋଉ ଗାଁକୁ ଯାଇଥିବ, ତାହାହେଲେ ସେମାନେ ଏଠାରେ ଜଗିବା ନିଷ୍ପ୍ରୟୋଜନ । ଏହି ସବୁ ବିଷୟରେ ମୁଁ ଖବର ଦେଇ ପାରିବି ବୋଲି ବୁଢ଼ୀର ବିଶ୍ଵାସ । ତେଣୁ ମତେ ପୁଣି ଥରେ ଉଠାଇ ପଚାରିବାକୁ ବୁଢ଼ୀ ପାନୁଲୁ-ବୁଢ଼ାକୁ ମତାଉ ଥାଏ । କିନ୍ତୁ ବୁଢ଼ା ଟିକିଏ ଡରୁଆ, ବୋଧହୁଏ । ସେ ମତେ ଆଉ ଥରେ ଉଠାଇବା ପାଇଁ ସାହାସ କରୁ ନ ଥାଏ । ତଥାପି କାଳେ ସେମାନେ ମତେ ପୁଣି ଉଠାଇବାର ଚେଷ୍ଟା କରିବେ ବୋଲି ସନ୍ଦେହ କରି ମୁଁ ନିଜ ଆଡ଼ୁ ସତର୍କ ହୋଇଗଲି ଓ ଛଳନାରେ ଙ୍ଘୁଘୁଡ଼ି ମାରିବାକୁ ଲାଗିଲି । କିନ୍ତୁ ଫଳ ଓଲଟା ହେଲା । ବୁଢ଼ା, ବୁଢ଼ୀ ଓ ପିଲାମାନେ ମୋ ଘୁଙ୍ଘୁଡ଼ି ନକଲି ବୋଲି ବୋଧହୁଏ ଜାଣି ପାରିଲେ । ତେଣୁ ସେମାନେ ହୋ ହା ହୋଇ ହସିଲେ । ଅବଶ୍ୟ ଏହା ସତ୍ୟ ଯେ ମୁଁ ଆଜିଯାଏ ଶୋଇବା ବେଳେ ସ୍ଵଭାବତଃ କେଭେ ଘୁଙ୍ଘୁଡ଼ି ମାରେ ନାହିଁ । ପୁଣି ମୁଁ ଅଭିନେତା ନୁହେଁ । ଏହି ସବୁଦୃଷ୍ଟିରୁ ବିଚାର କଲେ ମୁଁ ଘୁଙ୍ଘୁଡ଼ି ମାରିବାକୁ ଚେଷ୍ଟା କରି ବୋକାମୀ କରିଛି । ଯାହାହେଉ ବୁଢ଼ା ସାହସ ସଂଗ୍ରହ କରି ପୁଣି ଥରେ କବାଟରେ ହାତ ପିଟିଲା l ମୁଁ ଜାଣେ ଯେ ଏହି ବୁଢ଼ା ଥରେ ଗୋଟିଏ କାମ ଆରମ୍ଭ କରିଦେଲେ ଲକ୍ଷ୍ୟ ହାସଲ ହେବାଯାଏ ଜିଦ୍‌ ଧାରି କବାଟ ଠକ୍‌ ଠକ୍‌ କରୁଥିବ । ତେଣୁ ବଡ଼ ବିରକ୍ତ ହୋଇ କବାଟ ଖୋଲିଲି ଓ ତାକୁ କଡ଼ା ଭାଷାରେ ଶୁଣାଇଲି, ‘ତମମାନଙ୍କ ଯୋଗୁଁ ମୋର ଚାରିଟଙ୍କିଆ ବଲବ୍‌ଟି ଫ୍ୟୁଜ ହୋଇଗଲା । ପୁଣି ମତେ କଞ୍ଚାନିଦରୁ ଉଠାଇଲ । ମୋର ଏମିତି ଗୋଟିଏ ଜନ୍ମଗତ ସ୍ଵଭାବ ଯେ ଥରେ ନିଦ ଭାଜିଗଲେ ଆଉ ନିଦ ମାଡ଼ିବ ନାହିଁ...ପ୍ରକୃତରେ ତମମାନକୁ ସାଧାରଣ ଭଦ୍ରାମି ଜଣା ନାହିଁ । ନିଦରେ ଶୋଇଥିବା ଲୋକଙ୍କୁ ଉଠାଇବା ପାପ ବୋଲି କ’ଣ ତମେମାନେ ଜାଣିନାହଁ ? ତମ ଗୁରୁଜନମାନେ ତମକୁ ଏହି ବିଷୟରେ ଶିକ୍ଷା ଦେଇ ନାହାନ୍ତି ? ….ପାନୁଲୁ ଗାରୁ ! ତମ ଦେହରେ ଚମଡ଼ା ଯେମିତି ଓହଳି ଗଲାଣି, ରାତି ପାହୁ ପାହୁ ତମେ ମରିଯିବ ବୋଲି ମତେ ଜଳଜଳ ହୋଇ ଦିଶୁଛି । ତେବେ ସାଧାରଣ ଭଦ୍ରାମି ବିଷୟରେ ଆଉ କେବେ ଜାଣିବ ?’ ମୋ ଭର୍ତ୍ସନା ଶୁଣି ସୁଦ୍ଧା ପାନୁଲୁ ବୁଢ଼ା ଉପରମହଲାରେ ତାଲା ପଡ଼ିଥିବ-। ବିଷୟ ମତେ ଜଣାଇଲା ଓ ଲକ୍ଷ୍ମୀ ସମ୍ପର୍କରେ ଜାଣିବାକୁ ପ୍ରଶ୍ନ କଲା । ମୁଁ ତାକୁ କହିଲି, ‘ଲକ୍ଷ୍ମୀ ବିଷୟରେ ମୁଁ କିଛି କହି ପାରିବି ନାହିଁ । ଏହି ସାହିରେ ଗୋଟିଏ ତେଲୁଗୁ-କରଣ ପରିବାର ଅଛି, ଯାହାର ଅଧ ଡଜନେ ଗପୁଡ଼ି ପୁଅଝିଅ ଅଛନ୍ତି । ସେମାନ ଲକ୍ଷ୍ମୀ ପାଖକୁ ବାରମ୍ୱାର ଆସନ୍ତି-। ସେମାନଙ୍କଠାରୁ ଯାଇ ତମେ ବୁଝ । ନଚେତ ରାଜଲକ୍ଷ୍ମୀ ବୋଲି ଗୋଟିଏ ଚାରି ଦଉଡ଼ି-କଟା ମାଇକିନା-ଯିଏକି ଲକ୍ଷ୍ମୀର ପାର୍ଟଟାଇମ ଚାକରାଣୀ ଅଛି-ଏହି ଆଖପାଖରେ ରହେ । ତମେ ଏହି ରାତି ଅଧରେ ତା’ ପାଖକୁ ଗଲେ ମଧ୍ୟ ସେ ସଂକୋଚ ବୋଧ କରିବ ନାହିଁ । ତେଣୁ ତମେ ଲକ୍ଷ୍ମୀର ଖବର ଜାଣିବା ପାଇଁ ବର୍ତ୍ତମାନ ତା’ ପାଖକୁ ଯାଇପାର ।’ ତା’ପରେ କବାଟ ବନ୍ଦ କରିବା ପାଇଁ ମୁଁ ଇଚ୍ଛା କରୁଥିବା ସମୟରେ ବୁଢ଼ା ନେହୁରା ହୋଇ ମତେ ଜଣାଇଲା, ଏଇ ରାତି ଅଧରେ ପିଲା କୁଟୁମ୍ବ ଧରି ମୁଁ କୁଆଡ଼େ ଯିବି ? ...ଆମକୁ ସାହାଯ୍ୟ କର ।’ ସେତେବେଳେ ବୁଢ଼ାର ଗୋଟିଏ ଗୋଡ଼ ଏରୁଣ୍ଡିର ଏପଟେ-ମୋ ଘର ଭିତରେ; ଏବଂ ଅନ୍ୟ ଗୋଡ଼ଟି ସେପଟେ–ବାରଣ୍ଡାରେ । ବୁଢ଼ୀ ଶୀତରେ ଥରି ଥରି ବାରଣ୍ଡାର ଗୋଟିଏ କୋଣରେ ହାତ ଗୋଡ଼ ମୁଦା କରି ବସିଲାଣି । ପିଲା ଦୁଇଟି ତା’ର ପଣତ କାନି ତଳେ ଘୋଡ଼ାଇ ହୋଇ ରହିବାକୁ ଚେଷ୍ଟା କରୁଥାନ୍ତି । ମୋ ମନରେ ଦୟାଭାବ ଜାତ ହେଲା ଓ ମୁଁ ସେମାନଙ୍କୁ ଘର ଭିତରକୁ ଆସିବା ପାଇଁ କହିଲି । ମୋ ମନରେ ସେତେବେଳେ କାହିଁକି ଗୋଟିଏ ଆଶା ହେଲା ଯେ, ଲକ୍ଷ୍ମୀ ସେକେଣ୍ଡ ସୋ’ ସିନେମା ଦେଖିବାକୁ ଯାଇଥିବ ଓ ଆଉ ଦେଢ଼ ଘଣ୍ଟା ପରେ (ସେତେବେଳେ ନିକଟସ୍ଥ ଫାୟାର୍‌ ଷ୍ଟେସନ୍‌ରୁ ଏଗାରଟା ବାଜିବାର ମୁଁ ଶୁଣିଲି) ସେ ଫେରି ଆସିବ । ଏବେ ମହମବତୀଟିଏ ଜାଳି ଟେବୁଲୁ ଉପରେ ରଖିଲି । ମୁଁ ଲକ୍ଷ୍ୟ କଲି ଯେ ପାନୁଲୁ ବୁଢ଼ାର ଆଖି ନାଲି ପଡ଼ିଗଲାଣି ଓ ସେ ସୁଯୋଗ ପାଉ ପାଉ ଅବିରତ ଭାବେ ଢୁଳାଇବ । ତା’ର ନାତି ଦୁଇଟି ସାଙ୍ଗେ ସାଙ୍ଗେ ବୁଢ଼ୀର ଛାତି ଉପରେ ମୁଣ୍ଡ ରଖି ଶୋଇ ପଡ଼ିଲେଣି । ବୁଢ଼ୀ ମଧ୍ୟ ନିଦର ନିଶାରେ ଝାଙ୍କି ହେଲାଣି । ସେତେବେଳ ବୁଢ଼ୀ ତା’ର ଅଣ୍ଟା ପାଖରେ ବନ୍ଧା ଯାଇଥିବା ଲୁଗାର ଗଣ୍ଠିରୁ ଗୋଟିଏ କଂସା-କରାଟ ବାହାର କଲା ଓ ସେଥିରୁ କିଛି ସେ ଖାଇଲା ଓ ବୁଢ଼ାକୁ କିଛି ଅଂଶ ଦେଲା । ମୁଁ ଅନୁମାନ କଲି ଯେ, ଏହା ଗୋଟିଏ ନିଶାଦ୍ରବ୍ୟ-ଆପୁ । ବୁଢ଼ା ବୁଢ଼ୀ ପ୍ରତି ପ୍ରୀତ ହୋଇ ଗଦ୍‌ଗଦ୍‌ ସ୍ଵରରେ କହିଲା, ‘ଏଥର ଗୋଟିଏ ନିଦରେ ରାତି ପାହିଯିବ ।’ ମୁଁ ଯାହା ବୁଝିଲି, ମତେ ବର୍ତ୍ତମାନ ଏମାନଙ୍କୁ ଜଗିବାକୁ ପଡ଼ିବ । ସେତେବେଳେ ମୋ ମନ ବିଭିନ୍ନ ଆଶଙ୍କାରେ ଆନ୍ଦୋଳିତ ହେବାକୁ ଲାଗିଲା–ହୁଏତ ଏହି ଲୋକଗୁଡ଼ିକ କୌଣସି କାରଣରୁ ଫେରାର୍‌ ହୋଇଥିବେ କିମ୍ବା ମତେ ଠକି ବିଶ୍ରାମ ନେବା ବାହାନାରେ ମୋ ଘରେ ଆଉ କେତେ ସମୟ ପରେ ଚୋରି କରିବେ । ମୁଁ କ୍ରମଶଃ ଏହି ପରିବେଶକୁ ବିପଦପୂର୍ଣ୍ଣ ବୋଲି ଭାବିଲି । ତା’ପରେ ମୋ ପାଖରେ ଥିବା ତାଲାଗୁଡ଼ିକୁ ଗୋଟି ଗୋଟି କରି ଜମା କଲି । ଯେଉଁଠାରେ ଉପଯୁକ୍ତ, ସେଠାରେ ତାଲା ଝୁଲାଇଲି । ତା’ପରେ ମୋ ଘର ବାହାରକୁ ଆସିଲି ଓ ଦାଣ୍ଡର କବାଟ ବନ୍ଦ କରି ବାହାରପଟୁ ତାଲା ଦେଲି ଏବଂ ବ୍ୟସ୍ତତାର ସହିତ ଉପରମହଲାକୁ ଗଲି । ଲକ୍ଷ୍ମୀ ଅନ୍ୟ କେଉଁ ଗାଁକୁ ଯାଇଛି ନା ଏଠାରେ ଅଛି–ଜାଣିବା ମୋର ଉଦ୍ଦେଶ୍ୟ । ବାହାର ପଟୁ ତା’ର ଘର ଅନୁସନ୍ଧାନ କରି ଯଦି ଜାଣି ପାରିବି ଯେ ସେ ଏଠାରେ ନାହିଁ, ତାହାହେଲେ ପାନୁଲୁ ପରିବାରକୁ ମୋ ଘରୁ ବାହାର କରି ଲଜିଂକୁ ପଠାଇଦେବି । ମୁଁ ଉପରମହଲାକୁ ଯିବା ବେଳେ ସାଥିରେ ଗୋଟିଏ ଜଳନ୍ତା ମହମବତୀ ନେଇଥାଏ । ଜୋତା ତଳେ ରଖି ଲକ୍ଷ୍ମୀର ଦାଣ୍ଡ-ଝରକାର ଭେଣ୍ଟିଲେଟର୍‌ ବାଟେ ତା’ ଘର ଭିତରକୁ ଚାହିଁବାକୁ ଚେଷ୍ଟା କଲି । ସେତେବେଳେ ଝରକାର ରେଲିଂ ମୁଁ ମୁଠାଇ ଧରିଥାଏ ଓ ମହମବତୀଟି ଅନ୍ୟ ହାତରେ ଧରିଥାଏ । ମୁଁ ସେଠାରେ ଚଢ଼ି ଭିତର ରୁମ୍‌ଗୁଡ଼ିକର ଦୁଆର ଓ ଝରକା-କବାଟଗୁଡ଼ିକ ଖୋଲା ଅଛି ନା ନାହିଁ ଜାଣିବାକୁ ଚେଷ୍ଟା କରୁଥିବା ସମୟରେ ଗୋଟିଏ ଟୁଙ୍ଗେଇ ମୂଷା ମୋ ହାତ ଉପରକୁ ହଠାତ୍‌ ଡେଇଁ ପଡ଼ିବା ଯୋଗୁଁ ମୁଁ ଛାନିଆଁ ହୋଇ ହାତ ପଦାକୁ ଟାଣି ଦେଲି । ଫଳରେ ମହମବତୀଟି ଭେଣ୍ଟିଲେଟର୍‌ ଉପରାକୁ ଅର୍ଦ୍ଧ-ସମକୋଣରେ ହୁକ୍‌ ଦ୍ଵାରା ଝୁଲି ଯାଇଥିବା ଛୋଟ କାଠ-ପଟାଟିରେ ଘଷି ହୋଇ ଲିଭିଗଲା । ସେତେବେଳେ ଘର ଭିତରେ ଓ ବାହାରେ ଘଞ୍ଚ ଅନ୍ଧକାର । ଘର ଭିତରେ କେବଳ ଦୁଇଟି ତେଜୀୟାନ ଗୋଲ ଆଖି ମୁଁ ଦେଖିପାରିଲି । ଏହି ଦୁଇଟି ହେମାର ଆଖି । ମୁଁ ହେମାକୁ ନାଁ ଧରି ଡାକିଲି । ସେ ଟାଣି ହୋଇ ମୋ ଆଡ଼କୁ ଆସିବା ପାଇଁ ଚେଷ୍ଟା କରିବା ବେଳେ, ଗୋଟିଏ ଫୋଲଡ଼େଡ୍‌ ଲୁହା-ଚେୟାର ଘୋଷାରି ହେବାର ଶବ୍ଦ ମୁଁ ଶୁଣି ପାରୁଥାଏ । ଏଥିରୁ ମୁଁ ଅନୁମାନ କଲି ଯେ, ହେମାକୁ ଫୋଲଡ଼୍ ଚେୟାର୍‌ର ଗୋଡ଼ରେ ଦଉଡ଼ି ଦ୍ଵାରା ବନ୍ଧା ଯାଇଛି । ବର୍ତ୍ତମାନ ମୁଁ ପ୍ରାୟ ନିଶ୍ଚିତ ଭାବେ ଜାଣିପାରିଲି ଯେ ଲକ୍ଷ୍ମୀ କିଛି ସମୟପାଇଁ ବାହାରକୁ ଯାଇଛି ଓ ଶୀଘ୍ର ଫେରି ଆସିବ । ନଚେତ ସେ ହେମାକୁ ସାଥିରେ ନେଇଥାନ୍ତା କିମ୍ବା ଚେୟାରରେ ନ ବାନ୍ଧି ମୁକ୍ତ ଭାବେ ଘରେ ଛାଡ଼ି ଦେଇଥାନ୍ତା । ମୁଁ ସେଠାରେ ଏମିତି କଳ୍ପନା କରୁଥିବା ସମୟରେ ଲକ୍ଷ୍ମୀ, ଶ୍ରୀନିବାସ (ସେ ସେହିଦିନ ରାତିରେ ଗସ୍ତରୁ ଫେରିଥାଏ) ଓ ରାଜଲକ୍ଷ୍ମୀ ଉପରକୁ ଚଢ଼ି ଆସିଲେ । ମୋ ଜୋତା ଝୁଣ୍ଟି ରାଜଲକ୍ଷ୍ମୀ ଆଣ୍ଠେଇ ହୋଇ ପଡ଼ିଯାଇଥିବା ବେଳେ କାନ୍ଥକୁ ଧରି ରକ୍ଷା ପାଇଗଲା । ତା’ପରେ ସେ ଚାରିଆଡ଼କୁ ଆଖି ବୁଲାଇବା ବେଳେ ମତେ ଦେଖି ଚିହ୍ନି ନପାରି ଚୋର ବୋଲି ପାଟି କଲା । ଅବଶ୍ୟ ମତେ ସେଦିନ ଅନ୍ଧାରରେ ଚିହ୍ନି ନ ପାରିବାର ଯଥେଷ୍ଟ କାରଣ ଥିଲା କାରଣ ମୁଁ ନାକଟିକୁ ଛାଡ଼ିଦେଲେ ମୁହଁର ସର୍ବାଙ୍ଗ ମଫଲର୍‌ ଦ୍ଵାରା ବାନ୍ଧି ଦେଇଥିଲି–ଏବଂ ଏହା ଏକ ରକମ ଚୋରଙ୍କର ମୁଖା-ପିନ୍ଧିବା ପରି । ପୁଣି ମୁଁ ଦେହସାରା ଗୋଟିଏ ନୂଆ ଚାଦର ଘୋଡ଼ାଇଥିଲି । ସେ ଯାହାହେଉ, ରାଜଲକ୍ଷ୍ମୀ ଚିତ୍କାର ଶୁଣି ଶ୍ରୀନିବାସ ସିଗାରେଟ୍‍‌ ଖାଇବା ପାଇଁ ପକେଟରେ ରଖିଥିବା ଦିଆସିଲି ବାହାର କରି ଜଳାଇଲା । ମୁଁ ଝରକା ଉପରୁ ଲମ୍ଫ ମାରି ଓହ୍ଲାଇ ପଡ଼ିଲି । ତା’ପରେ ସେମାନଙ୍କୁ ମୋର ପରିଚୟ ଜଣାଇ ଦେବା ପାଇଁ ମୁହଁରୁ ମଫ୍‌ଲର୍‌ଟି ବାହାର କରି ଦେଲି । ମତେ ଦେଖି ରାଜଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇଗଲା । ସେ ମତେ ସନ୍ଦେହ-ଚକ୍ଷୁରେ ଦେଖିଲା । ଯେତେଦୂର ସମ୍ଭବ ସେ ଭାବିଥିବ ଯେ, ମୁଁ ଦିନ ବେଳେ ସରକାରୀ ଚାକିରିଆ, କିନ୍ତୁ ରାତିରେ ଚୋର । ସରକାରୀ ଚାକିରିର ମୁଖା ପିନ୍ଧି ମୁଁ ବାସ୍ତବରେ ଚୌର୍ଯ୍ୟ ବୃତ୍ତି କରେ । ଶ୍ରୀନିବାସ ସାଧାରଣତଃ ଘରେ ରହୁ ନଥିବା ଯୋଗୁଁ ମତେ ଭଲଭାବେ ଆଜିଯାଏ ଚିହ୍ନିଁ ନାହିଁ । ସେ ବର୍ତ୍ତମାନ ମୋ ପ୍ରତି ଅପରିଚିତଙ୍କ ପରି ବ୍ୟବହାର କଲା । ମୁଁ ଗୋଟିଏ ଡାକୁ ବୋଳି ତା’ ମନରେ ଭୁଲ୍‌ ଧାରଣା ଜନ୍ମିଛି । ତେଣୁ କାଳେ ମୁଁ ଅସ୍ତ୍ରଶସ୍ତ୍ର ଧରିଥିବି ବୋଲି ସନ୍ଦେହ କରି ହାତ ଦୁଇଟି ଉପରକୁ ଉଠାଇବା ପାଇଁ ଆଦେଶ ଦେଲା । ଶ୍ରୀନିବାସ ହୃଷ୍ଟପୁଷ୍ଟ ଓ ଲମ୍ବା । ପୂର୍ବକାଳର ରାଜାମାନଙ୍କ ପରି ଗୋଟିଏ ଆକର୍ଷଣୀୟ ନିଶ ଜାଗ୍ରତର ସହିତ ରହିଥାଏ । ତା’ର ବର୍ଣ୍ଣ ଗାଢ଼ କଳା ଓ ବପୁ ବିଶାଳ ହେଇଥିବାରୁ ସେ ରାରିଗଲେ ରାକ୍ଷସପରି ଦେଖଯାଏ । ତା’ ଆଗରେ ମୁଁ ଗୋଟିଏ ଛୋଟ ମାଛ ପରି । ତେଣୁ ମୁଁ ତା’ର ଆଜ୍ଞା ଅନୁସାରେ ହାତ ଉପରକୁ ଟେକିଲି । କିନ୍ତୁ ସେତେବେଳେ ମୋ ହାତ ମୁଠା ହୋଇଥିବାରୁ ସେ ହାତ ଖୋଲିବାକୁ କହିଲା । ମୁଁ ‘କିଛି ନାହିଁ’ (ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ) ବୋଲି କହି ହାତ ଖୋଲିବା ବେଳେ ମୋ ହାତମୁଠାରୁ ମୋ ଦାଣ୍ଡ ଘରର ଚାବି ଓ ଗୋଟିଏ ଦରପୋଡ଼ା ମହମବତୀ ଖସି ପଡ଼ିଲା । ମୁଁ ସେଗୁଡ଼ିକୁ, ବିଶେଷତଃ ଚାବିଟିକୁ, ଗୋଟାଇବାକୁ ଚେଷ୍ଟା କରିବା ବେଳେ ଶ୍ରୀନିବାସ ମନା କଲା ଓ ରାଜଲକ୍ଷ୍ମୀ ସେଗୁଡ଼ିକୁ ଉଠାଇ ତା’ର କାନିରେ ବାନ୍ଧିଲା । ପାନୁଲୁର ବିଷୟ ବର୍ଣ୍ଣନା କରିବାକୁ ମୁଁ ଆରମ୍ଭ କରିବା ମାତ୍ରେ ସେମାନେ ମତେ ଡରାଇ ଓ ପାଟିତୁଣ୍ଡ କରି ନୀରବ କରାଇ ଦିଅନ୍ତି । ସେମାନଙ୍କର ମନୋବୃତ୍ତି ଯାହା, ପାନୁଲୁ ବିଷୟରେ କହିଥିଲେ ମଧ୍ୟ ତାହା କପୋଳକଳ୍ପିତ ବୋଲି ହସି ଉଡ଼ାଇ ଦେଇଥାନ୍ତେ ଓ କହିଥାନ୍ତେ ଯେ ସବୁ ଚୋରମାନେ ଅଦାଲତରେ ଜେରା କରିବା ବେଳେ ନିଜକୁ ନିର୍ଦ୍ଦୋଷୀ ବୋଲି ପ୍ରମାଣ କରିବା ପାଇଁ ସାଧାରଣତଃ ଏମିତି ମିଛ କାହାଣୀମାନ ବର୍ଣ୍ଣନା କରିଥାଆନ୍ତି । ପାଞ୍ଚ ତୁଣ୍ଡରେ ଛେଳି କୁକୁର ହୋଇଯାଏ ବୋଲି ଗୋଟିଏ ପ୍ରବଚନ ରହିଛି । ତଦନୁସାରେ ମୁଁ, ଲକ୍ଷ୍ମୀ, ରାଜଲକ୍ଷ୍ମୀ ଓ ଶ୍ରୀନିବାସର ବ୍ୟାଖ୍ୟା ଅନୁସାରେ ଭଲଲୋକ ହେଇଥିଲେ ମଧ୍ୟ ଚୋର ପାଲଟି ଗଲି । ଶ୍ରୀନିବାସର ପୂର୍ବ ଆଦେଶ ଯୋଗୁଁ ମୁଁ ମୁଣ୍ଡ ଉପରକୁ ସିଧା ହାତଟେକି ରଖିଥାଏ । ଏମିତି ଆକାଶକୁ ହାତ ଉଠାଇଥିବା ଅବସ୍ଥାରେ ଅସହାୟ ଭାବେ ମନେ ମନେ ଜପୁଥାଏ ‘ଈଶ୍ଵର ଆଲ୍ଲା ତେରେ ନାମ’ ।

 

ଇତ୍ୟବସରରେ ରାଜଲକ୍ଷ୍ମୀ ଲକ୍ଷ୍ମୀକୁ କହିଲା, ‘ମା ! ତମେ ଆଜି ମଧୂମତୀ (କାନର ଗୋଟିଏ ଗହଣାର ନାମ ଦୁଇଟି ଦାଣ୍ଡଘରର ଟେବୁଲ ଉପରେ ରଖିଥିବା ବିଷୟ ଏହି ପାଜି କେଉଁଠି ଲୁଚି ଲୁଚି ରହି ଦେଖୁଥିଲା । ଆମେ ଘରେ ନ ଥିବାର ଜାଣି ଚୋରାଇ ନେବାକୁ ଏବେ ସଜ ହେଉଥିଲା । ଆଉ ଟିକକରେ ସବୁ ସାରି ଦେଇଥାନ୍ତା …’ ମୁଁ ରାଗି ଯାଇ ଉତ୍ତର ଦେଲି, ‘ରାଜଲକ୍ଷ୍ମୀ ! ତୁ ଯଦି ଆଉ ପାଟି ଖୋଲିବୁ, ତାହା ହେଲେ ଗୋଟିଏ ଚାପୁଡ଼ାରେ ତୋର ମୁଣ୍ଡ ଗଣ୍ଡି ଅଲଗା ଅଲଗା କରି ଦେବି ।’ କିନ୍ତୁ ରାଜଲକ୍ଷ୍ମୀ ମୋ ସତର୍କ ବାଣୀକୁ ଭ୍ରୂକ୍ଷେପ ନ କରି ଶ୍ରୀନିବାସକୁ ମୋର ବାଁ ହାତ-ପାପୁଲି ଦେଖିବାକୁ କହିଲା । ମୁଁ ଯେତେବେଳ ଯାଏଁ ଜାଣି ନଥିଲି ଯେ, ମହମବତୀ ଧରିଥିବା ବେଳେ ସେଥିରୁ ଗରମ ଗରମ ମହମ ମୋ ହାତରେ ପଡ଼ି ଏମିତି ବଡ଼ ବଡ଼ ଫୋଟକା ହୋଇ ଯାଇଛି । ମୁଁ ଶ୍ରୀନିବାସକୁ କହିଲି ଯେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ମୋ ଏହି ଦୁର୍ଦ୍ଦଶା ମୋ କଥା ଶୁଣି ସେ ଟାହି ଟାପରା କରି କହିଲା, ‘ଗୋପବନ୍ଧୁ ଦାଶେ ଚାଲିଗଲେ । ଏବେ ତମେ ଏକମାତ୍ର ପରୋପକାରୀ ଭାବେ ରହିଛ ଉତ୍କଳ-ଦେଶରେ ।’ ଇତି ମଧ୍ୟରେ ମୋ ବିଷୟରେ ଥାନାରେ ଜଣାଇବାକୁ ରାଜଲକ୍ଷ୍ମୀ ଲକ୍ଷ୍ମୀକୁ ମତାଉଥାଏ । ମୁଁ ଆଉ ସମ୍ଭାଳି ନ ପାରି କହିଲି ଯେ, ତମେମାନେ ଯେତେବେଳେ ଥାନାକୁ ନେବାକୁ ଥିବ, ନେବ । କିନ୍ତୁ ମୁଁ ଏହିଠାରୁ ତମର ଏମିତି ନଜରବନ୍ଦୀ ହୋଇ ରହି ପାରିବି ନାହିଁ । ତା’ପରେ ରାଜଲକ୍ଷ୍ମୀକୁ ମୋର ଚାବି ଓ ଜୋତା ମାଗିଲି । ସେ ମତେ ନ ଦେବାରୁ ମୁଁ ରାଗ ଓ ଅଭିମାନରେ ତଳକୁ ଚାଲି ଆସିଲି । ମୋ ଘର ବନ୍ଦ ଥିବାରୁ ମନସ୍ତାପରେ ବାରଣ୍ଡାରେ ଇତସ୍ତତଃ ବୁଲୁଥାଏ । କିଛି କ୍ଷଣ ପରେ ମୋ ଜୋତା ଓ ଚାବିଟି ଉପରମହଲାରୁ ବାରଣ୍ଡାକୁ ଫୋପଡ଼ା ଗଲା । ମୁଁ ରୁମ୍ ଖୋଲି ଘର ଭିତରକୁ ପଶିଲି ଓ ଦେଖି ପାରିଲି ଯେ, ଇତ୍ୟବସରରେ ପାନୁଲୁ ବୁଢ଼ା ତା’ ଟ୍ରଙ୍କରୁ କମ୍ବଳଟିଏ ବାହାର କରି ଦେହ ସାରା ଘୋଡ଼ାଘୋଡ଼ି ହୋଇ ଶୋଇ ପଡ଼ିଲାଣି । ମୁଁ ପୁଣି ଦେଖିଲି ଯେ ବୁଢ଼ୀ ମୁହଁ ମାଡ଼ି ଶାଢ଼ୀରେ କଛା ମାରି ଶୋଇଛି । ମୁଁ ପୂର୍ବରୁ ଶୁଣିଥିଲି ଯେ ଦକ୍ଷିଣ ଅଞ୍ଚଳରେ କେତେକ ରକ୍ଷଣଶୀଳ ପରିବାରର ସ୍ତ୍ରୀମାନେ ଶାଢ଼ୀରେ କଛା ମାରନ୍ତି । ତା’ର ଚାକ୍ଷୁସ ନଜର ଏଠି ପାଇଲି । ବୁଢ଼ୀକୁ ଦେଖି ମତେ ବଡ଼ ଖାପଛଡ଼ା ଲାଗିଲା । କିଛି ସମୟ ପରେ ମୁଁ ଅନୁଭବ କଲି ଯେ ଏଇ ଶରଣାର୍ଥୀ ଗୁଡ଼ିକ ଚକ୍ରବର୍ତ୍ତୀ ପରି ଶୋଇଥିବା ବେଳେ ମୁଁ ପ୍ରେତ ପରି ଅଥୟ ଭାବେ ଏ ଘରକୁ, ସେ ଘରକୁ ବୁଲୁଛି । ବର୍ତ୍ତମାନ ମୋର ପ୍ରଥମ ଉଦ୍ଦେଶ୍ୟ ହେଉଛି; ଏହି ପଙ୍ଗପାଳ-ପଲକୁ ଏଠାରୁ ତଡ଼ିବା । ତେଣୁ ମୁହଁ ଘୋଡ଼ାଇ ହୋଇ ଶୋଇଥିବା ବୁଢ଼ାର କମ୍ବଳଟିକୁ କାଢ଼ି ତା’ର ନାକ-ପୁଡ଼ା ଦୁଇଟିକୁ ଚିପି ଧରିଲି । ମୁଁ ଜାଣେ ଯେ ମନୁଷ୍ୟର ନିଶ୍ଵାସ ପ୍ରଶ୍ଵାସ ବନ୍ଦ କରିଦେଲେ, ସେ ମରିଯିବ । ତଥାପି ଏହି କଠୋର ମର୍ମନ୍ତୁଦ ପଦକ୍ଷେପ ମୁଁ ନେଲି । କିନ୍ତୁ ବୁଢ଼ା ମରିବା ତ ଦୂରର କଥା; ସେ ଆରାମରେ ତା’ର ପୂର୍ବରୁ ବନ୍ଦ ହୋଇ ରହିଥିବା ପାଟି ମେଲି ନିଶ୍ଵାସ ପ୍ରଶ୍ଵାସ ନେଲା । ତେଣୁ ତାକୁ ଉଠାଇବାର ଅମାନୁଷିକ ପ୍ରଯତ୍ନ ମଧ୍ୟ ବିଫଳ ହୋଇଗଲା । ତା’ର ନିଦ ଭାଙ୍ଗିବାକୁ ମୁଁ ପାଟିକଲି; ଝାଙ୍କିଲି । ତଥାପି ସେ ନୀରବ । ବୋଧହୁଏ ଆପୁର ଫଳ । ବାଧ୍ୟ ହୋଇ ରାଜଲକ୍ଷ୍ମୀକୁ ଡାକିବା ପାଇଁ ଉପରକୁ ଗଲି । ସେତେବେଳେ ଉପରମହଲାର ଦାଣ୍ଡ କବାଟଟି ସାମାନ୍ୟ ଖୋଲାଥାଏ (ଅବଶ୍ୟ ସେଠାରେ ଟେରିଲିନ୍ ସ୍କ୍ରିନ୍‌ ଝୁଲୁଥାଏ) ଏବଂ ବୋଧହୁଏ ଲକ୍ଷ୍ମୀ ଲୁଗା ବଦଳାଉଥିଲା । ମୁଁ ସେଠାରେ ଅପ୍ରତ୍ୟାଶିତ ଭାବେ ପହଞ୍ଚିଯିବା ଯୋଗୁଁ ସେ ତା’ର ଶାଢ଼ୀର କାନି ଘୋଷାରି ଘୋଷାରି ଅନ୍ତଃପୁରକୁ ଧାଇଁ ଚାଲିଗଲା ।

 

ଏହି ଲୁଗା ବଦଳାଇବା ପଛରେ ଗୋଟିଏ ରହସ୍ୟ ଅଛି । ଶ୍ରୀନିବାସର ସବୁଦିନେ ଟୁର୍ ଜୀବନ । ତେଣୁ ସେ ଦାମ୍ପତ୍ୟ ସୁଖ ପାଇବା ପାଇଁ ବଡ଼ ବ୍ୟାକୁଳ । ଆଜି ରାତି ସାଢ଼େ ଆଠଟାରେ ଟୁର୍‌ରୁ ଫେରି, ପ୍ରବଳ ଶୀତ ହେଉଥିଲେ ମଧ୍ୟ ସଙ୍ଗେ ସଙ୍ଗେ ସ୍ତ୍ରୀ ସହିତ ସେକେଣ୍ଡ୍ ସୋ ସିନେମାକୁ ଯିବା ପାଇଁ ପୋଗ୍ରାମ୍ କଲା କାରଣ କାଲି ସକାଳୁ ତାକୁ ପୁଣି ଅନ୍ୟ କେଉଁଠାକୁ ଯିବାକୁ ପଡ଼ିବ । ସମସ୍ତେ ସିନେମା ଦେଖିବାକୁ ଗଲେ । ରାଜଲକ୍ଷ୍ମୀକୁ ସେମାନେ ସାଥିରେ ନେବାର ଉଦ୍ଦେଶ୍ୟ ହେଉଛି ଯେ, ଚିନମ୍ ଯଦି ସିନେମା ହଲରେ କାନ୍ଦିବ, ତାହାହେଲେ ସେ ତାକୁ ବୁଲାବୁଲି କରି ତୁନାଇ ରଖିବ । ଯାହା ହେଉ, ଲକ୍ଷ୍ମୀ ଚିନମ୍‌କୁ କୋଳରେ ଧରିଥିବା ବେଳେ, ଚିନମ ପରିସ୍ରା କରିଦେଲା । ତେଣୁ ଲକ୍ଷ୍ମୀର ଅଣ୍ଟା ତଳ ଠାରୁ ଶରୀରର ଅର୍ଦ୍ଧାଂଶ ଓଦା ହୋଇଗଲା । ପୁଣି ସେମାନେ ଯେଉଁ ସିନେମାଟିକୁ ଦେଖିବା ପାଇଁ ଯାଇଥିଲେ, ତାହା ଫର୍ମୁଲା-ଫିଲ୍ମ ନୁହେଁ । ସେଥିରେ ଲଭ୍-ଟ୍ରାଙ୍ଗେଲ୍‌ ନ ଥିଲା କିମ୍ବା ନାଚ ଗୀତର ମସଲା ନ ଥିଲା । ତେଣୁ ଲକ୍ଷ୍ମୀ ବାରମ୍ବାର ହାଇ ମାରୁଥାଏ । ରାଜଲକ୍ଷ୍ମୀର ମନୋଭାବ ବିଷୟରେ ନ କହିବା ଭଲ । ଯାହା ହେଉ, ଲକ୍ଷ୍ମୀର ଲୁଗା ପରିସ୍ରାରେ ଓଦା ହୋଇଯିବା ଯୋଗୁଁ ଶୀତରେ ଥରି ଥରି ସିନେମା ହଲରେ ବସି ରହିବାକୁ ସେ ଯୋଗ୍ୟ ମନେ କଲେ ନାହିଁ । ତେଣୁ ସମସ୍ତେ ଇଣ୍ଟର୍‌ଭେଲ୍ ପୂର୍ବରୁ ଘରକୁ ବାହୁଡ଼ିଲେ । ମୁଁ ବର୍ତ୍ତମାନ ରାଜଲକ୍ଷ୍ମୀକୁ ଡାକି ଯିବା ସମୟରେ ଲକ୍ଷ୍ମୀ ଏହି ପରିସ୍ରା ଲୁଗାଟି ବଦଳାଉଥିଲା ।

 

ମୁଁ ରାଜଲକ୍ଷ୍ମୀକୁ ତଳକୁ ଆସି ପାନୁଲୁ ପରିବାରକୁ ଉଠାଇବାପାଇଁ କହିଲି । ପ୍ରଥମେ ପ୍ରଥମେ ମୋ କଥାରେ ସେ ବିଶ୍ଵାସ କଲାନାହିଁ । ତେଣୁ ମୋ ସାଥିରେ ଆସିବାକୁ ଅମଙ୍ଗ ହେଲା । କିନ୍ତୁ ଶ୍ରୀନିବାସ କହିବା ପରେ କୌତୂହଳର ସହିତ ଆସିଲା । ମୁଁ ଯେତେବେଳେ ମୋର ଅନ୍ଧାରୁଆ ଘର ଭିତରେ ପଶି ତାକୁ ଡାକିଲି, ସେ ଦୌଡ଼ି ଦୌଡ଼ି ଉପରକୁ ଚାଲି ଯାଇ ସମସ୍ତଙ୍କୁ କହିଲା, ‘...ମତେ ଅଧ ରାତିରେ ଅନ୍ଧାରଘରକୁ ଡାକୁଛି…ମୋର ମହତ ନେବ… ଚୋର-ଲମ୍ଫଟୀ ! ... ବାହା ନ ହୋଇ ମାଇପ ଗୋଟାଉଛି..’ କ୍ରମେ କ୍ରମେ ଲକ୍ଷ୍ମୀ ଓ ଅନ୍ୟମାନେ ପାନୁଲୁ-ପରିବାରକୁ ମୋର ଗୋଟିଏ ମନଗଢ଼ା କାହାଣୀ ବୋଲି ଭାବିଲେ ଓ ମୁଁ ଯେତେ ଡାକିଲେ ସୁଦ୍ଧା ଆଉ କବାଟ ଖୋଲିବେ ନାହିଁ ବୋଲି ରୋକଠୋକ୍ ଭାବେ ଜବାବ ଦେଲେ । ନୈରାଶ୍ୟରେ ମୋ ରୁମ୍‌କୁ ଫେରିଲି । ମୁଁ ପାନୁଲୁ-ପରିବାରର ଚାରିଜଣ ସଦସ୍ୟଙ୍କୁ ସୁଖରେ ଶୋଇଥିବାର ଦେଖି ଈର୍ଷାରେ ଜଳିଗଲି । ଏହି ଚାରୋଟି ଶତ୍ରୁଙ୍କୁ କାହିଁକି ଆଶ୍ରୟ ଦେଲି ବୋଲି ମୋର ଭୀଷଣ ମନସ୍ତାପ ହେଲା-। ମୋର ସୌଭାଗ୍ୟକୁ, ଏମିତି ସମୟରେ ପାନ୍ତୁଲୁ-ବୁଢ଼ା ନିଦରୁ ଉଠିଲା ଓ ପରିସ୍ରା କରିବା ପାଇଁ ଜାଗା ଦେଖାଇବାକୁ ମତେ କହିଲା । ମୁଁ ତାକୁ କହିଲି, ‘ଆଚ୍ଛା ମୁଁ ଜାଗା ଦେଖାଉଛି… ତମର ଯେଉଁ ନାତି ଦୁଇଟି ଶୋଇଛନ୍ତି, ଏମାନଙ୍କର ରାତିରେ ଶେଯରେ ପରିସ୍ରା କରିବାର ହୁଏତ ବଦଭ୍ୟାସ ଥିବା ସେମାନଙ୍କୁ ପରିସ୍ରା କରାଇ ଆଣିବା ଉଚିତ ହେବ । ତେଣୁ ସେମାନଙ୍କୁ ଉଠାଅ…ପୁଣି ମୁଁ କହି ଦେଉଛି ଯେ, ଏହି ପରିସ୍ରା ସଂକ୍ରାନ୍ତରେ ମତେ ଆଉ ଥରେ କହିଲେ ମୁଁ ନିଦରୁ ଉଠି ପାରିବି ନାହିଁ । ତେଣୁ ବୁଢ଼ୀକୁ ଉଠାଇଁ ଭଲ ଭାବେ ପଚାର ଯେ ତାକୁ ରାତିରେ ପରିସ୍ରା ମାଡ଼ିବ ନା ନାହିଁ । …ମୋ ମତରେ, ସମସ୍ତେ ଏକାବେଳକେ ମୂତ୍ରତ୍ୟାଗ କରିବା ଠିକ୍ ହେବ । ଏହି ଶୀତ ରାତିରେ ଜଣ ଜଣକ ପାଇଁ ଉଠି କେତେଥର ହଇରାଣ ହେଉଥିବା.....’ ବୁଢ଼ା ମୋ କଥାକୁ ସହଜରେ ବିଶ୍ଵାସ କରି, ଜଣ ଜଣ କରି ସମସ୍ତଙ୍କୁ ତା’ର ବାଙ୍କଡ଼ା ବାଡ଼ିରେ ଠେଲାଠେଲି କଲା । ଇଚ୍ଛା ବିରୁଦ୍ଧରେ ସମସ୍ତେ ନିଦରୁ ଉଠିଲେ । ବିଶେଷତଃ ବୁଢ଼ୀର ମୋଟେ ଇଚ୍ଛା ନ ଥିବା ବିଷୟ ମୁଁ ବେଶ ଲକ୍ଷ୍ୟ କରି ପାରିଥିଲି । ତା’ପରେ ମୁଁ ସମସ୍ତଙ୍କୁ ବାଟ କଢ଼ାଇ ରୁମ୍ ବାହାରକୁ ନେଲି ଓ ଘର ପାଖରେ ପରିସ୍ରା କଲେ ଦୁର୍ଗନ୍ଧ ହେବ ବୋଲି କହି ପାଖେରୀ ବାହାରକୁ ନେଇଗଲି । ବୁଢ଼ା ବସାଉଠା କଲେ ତା’ର ଗଣ୍ଠିରେ ବ୍ୟଥାହୁଏ ବୋଲି ଠିଆରେ ପରିସ୍ରା କଲା । ବୁଢ଼ୀ ଖଣ୍ଡେଦୂରକୁ ଯାଇ କଚ୍ଛା ଖୋଲିଲା । ଅବଶ୍ୟ ବୁଢ଼ା ପାଖରେ ପରିସ୍ରା କରିବା ପାଇଁ ସେ ସଙ୍କୋଚ ବୋଧ କରିବାର କୌଣସି କାରଣ ନାହିଁ । କେବଳ ମତେ ଲଜ୍ଜ୍ୟା ଓ ଖାତିର୍ କରି ସେ ଏମିତି ଦୂରକୁ ଗଲା-। ତା’ ସାଥିରେ ତା’ର ନାତି ଦୁଇଟି ମଧ୍ୟ ଯାଉଥାନ୍ତି । ସେମାନେ ପରିସ୍ରା କାର୍ଯ୍ୟ ଆରମ୍ଭ କରିବା ବେଳେ ମୁଁ ହଠାତ୍ ଘର ଭିତରରୁ ପଶି ଯାଇ ଭିତର ପଟୁ ଧଡ଼୍ ଧାଡ୍ କରି କବାଟ ବନ୍ଦ କଲି । ବୁଢ଼ା ଏହି ବିଷୟ ଜାଣି ବୁଢ଼ୀକୁ ଶୀଘ୍ର ଆସିବା ପାଇଁ ପାଟି କଲା । ବୁଢ଼ୀ କଛା ଭିଡ଼ିବାକୁ ଆଉ ଫୁରସତ ପାଇଲା ନାହଁ । ରାସ୍ତାରେ କଛା ଘୋଷାରି ଘୋଷାରି ଧାଇଁ ଆସିଲା । ସେତେବେଳେ ନାତି ଦୁଇଟି ପରିସ୍ରା ଆରମ୍ଭ କରିଥିଲେ । ସେମାନେ ପରିସ୍ରା ଶେଷ ହେବା ଯାଏଁ ଆଉ ଅପେକ୍ଷା ନକରି ବାଟ ସାରା ମୁତି ମୁତି ବୁଢ଼ା ପାଖକୁ ଦୌଡ଼ି ଆସିଲେ । ମୁଁ ଏହି ସବୁ ଦୃଶ୍ୟ ଉପଭୋଗ କରୁଥାଏ-। ମତେ ଏମାନେ ଯେତେ ହଇରାଣ କରିଛନ୍ତି, ସେମାନେ ତା’ଠାରୁ ଅଧିକ କଷ୍ଟ ପାଇଲେ ମୋର ଆତ୍ମା ଶାନ୍ତି ପାଇବ । ସମସ୍ତେ ମିଳିମିଶି ପାଟି ତୁଣ୍ଡ କଲେ । ଇତ୍ୟବସରରେ ବୁଢ଼ା ତା’ର ବାଙ୍କଡ଼ା ବାଡ଼ିଟି ପରିସ୍ରା କରିବା ଜାଗାରେ ଛାଡ଼ି ଦେଇ ଘର ଆଡ଼କୁ ପଡ଼ି ଉଠି ଦୌଡ଼ି ଆସିଲା । ତା’ର ଜିନିଷଗୁଡ଼ିକ କାଳେ ମୁଁ ରଖି ପକାଇବି ବୋଲି ହୁଏତ ସେ ଭୟକଲାଣି । ମୁଁ ଘରର ଝରକା ବାଟେ ତାକୁ ଜଣାଇଲି ଯେ, ଉପରମହଲାକୁ ଲକ୍ଷ୍ମୀ ପ୍ରାୟ ଅଧଘଣ୍ଟାଏ ପୂର୍ବରୁ ଆସିଲାଣି । ପଙ୍ଗପାଳ ଦଳ ସେତେବେଳେ କେବଳ ଖଣ୍ଡେ ଖଣ୍ଡେ ଗଞ୍ଜି ପିନ୍ଧିଥାନ୍ତି । ଶୀତରେ ସେମାନଙ୍କର ହାଡ଼ ଦୋହଲି ଯାଉଥାଏ । ସେମାନେ ବାଧ୍ୟ ହୋଇ ଉପରମହଲାକୁ ଚାଲିଲେ । ସମସ୍ତଙ୍କ ପଛରେ କଛା ମାରିଥବା ମୋଟି ବୁଢ଼ୀଟି ଟଳ ମଳ ହୋଇ ବୁଢ଼ାକୁ ଗାଳି ଗୁଲଜ କରି ଚାଲିଥାଏ । ସେ କହୁଥାଏ, ‘ମୁଁ ତ ସୁଖରେ ଶୋଇଥିଲି । ମତେ କଞ୍ଚା ନିଦରୁ କାହିଁକି ଉଠାଇଲ ? ...ମୁଁ କ’ଣ ମା’-କ୍ଷୀର ଖାଉଥିବା ଛୁଆ ହୋଇଛି ଯେ, ଶେଯରେ ମୁତି ଦେଇଥାନ୍ତି ?’ ସମସ୍ତେ କାନ୍ଦି କୁନ୍ଥାଇ ଲକ୍ଷ୍ମୀର କବାଟରେ ବିଧା ମାରି ଡାକିଲେ । ଲକ୍ଷ୍ମୀ କବାଟ ଖୋଲିଲା ଏବଂ ଏମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଏମାନେ ତା’ର ସମ୍ପର୍କୀୟ । ବର୍ତ୍ତମାନ ଲକ୍ଷ୍ମୀ ଭାବିଥିବ ଯେ ମୁଁ ଚୋର ନୁହେଁ ଓ ସବୁବେଳେ ସତ କଥା କହେ । ଯାହାହେଉ, ବୁଢ଼ା ତା’ର ଜିନିଷପତ୍ର ମୋ ଘରୁ ଶୀଘ୍ର ଅଣାଇବା ପାଇଁ ଲକ୍ଷ୍ମୀକୁ କହିଲା । ଏଥିପାଇଁ ରାଜଲକ୍ଷ୍ମୀକୁ ଆଦେଶ ଦିଆଗଲା । ରାଜଲକ୍ଷ୍ମୀ ଯେତେବେଳେ ମତେ କବାଟ ଖୋଲିବା ପାଇଁ କହିଲା, ମୁଁ ତାକୁ ପଚାରିଲି, ‘ରାତି ଅଧରେ ଗୋଟିଏ ଭେଣ୍ଡା ପାଖକୁ ଏକା ଏକା ଆସିଲେ, ତୋର ମହତ ଚାଲି ଯିବ ନାହିଁତ-?’ ସେ ଅଭିମାନରେ ମତେ ପ୍ରଥମେ କୌଣସି ଉତ୍ତର ଦେଲା ନାହିଁ । କିନ୍ତୁ ମୁଁ ଅଡ଼ି ବସିଲି ଯେ ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ନ ଦେଲେ, ମୁଁ କବାଟ ଖୋଲିବି ନାହିଁ । ସେ ପାଟି ଖୋଲି ମୋର ମନ ମୁତାବକ ଉତ୍ତର ଦେଲା ମୁଁ କବାଟ ଖୋଲିଲି । ତା’ପରେ ସେ ପଙ୍ଗପାଳ ଦଳର ଲଗେଜ ତା’ ମୁଣ୍ଡ ଉପରେ ଲଦି ଦେବା ପାଇଁ ମତେ କହିଲା । ମୁଁ ସବୁ ବୁଜୁଳା ବୁଜୁଳି ତା’ ବେକ ଓ ପିଠି ଉପରେ ଲଦି ଦେଲି । ଭାରି ବୋଝରେ ତା’ର ଅଣ୍ଟା ନଇଁ ପଡ଼ୁଥାଏ ଓ ଯିବାବେଳେ ତାକୁ ବଡ଼ ଅସୁବିଧା ଓ କଷ୍ଟ ହେଉଥାଏ । ଏମିତି ସମୟରେ ବୁଢ଼ା ଅଧା ପରିସ୍ରା କରି କମ୍ପାଉଣ୍ଡ୍ ପାଖରେ ଛାଡ଼ି ଯାଇଥିବା ବାଙ୍କଡ଼ା ବାଡ଼ିଟି ମୋ ଆଖିରେ ପଡ଼ିଲା । ମୁଁ ରାଜଲକ୍ଷ୍ମୀ ହାତକୁ ଉକ୍ତ ବାଡ଼ିଟି ବଢ଼ାଇ ଦେଲି ଓ ସେ ସତୁରି ବର୍ଷର ବୁଢ଼ୀ ପରି ଅଣ୍ଟା ନୁଆଁଇ ବାଡ଼ିଟି ସାହାଯ୍ୟରେ ଉପରମହଲାକୁ ଉଠୁଥିବା ବେଳେ ମୁଁ ପରିସ୍ଥିତିକୁ ବେଶ ଉପଭୋଗ କରୁଥାଏ । ବାଡ଼ିଟି ତା’ ପାଇଁ ତୃତୀୟ ଗୋଡ଼ର କାମ କଲା-

 

ଦିନକର ଘଟଣା । ପ୍ରାୟ ରାତି ଆଠଟା ବେଳେ ଆମ ଅଞ୍ଚଳରେ ବିଜୁଳି ଯୋଗାଣ ସମ୍ପର୍କୀୟ ଟ୍ରାନ୍‌ସଫରମର ର ମରାମତି କାମ ଚାଲିଥିବା ଯୋଗୁଁ କରେଣ୍ଟ ସପ୍ଲାଇ ବନ୍ଦ ହୋଇଗଲା । କେତେବେଳେ ଲାଇଟ୍ ଆସିବ ଠିକ୍ ଭାବେ କହି ହେଉ ନ ଥାଏ । ଅବଶ୍ୟ ସେତେବେଳେ ସହରର ଅନ୍ୟ ଭାଗରେ ଲାଇଟ୍ ଜଳୁଥାଏ । ମୁଁ ହୋଟେଲରେ ରାତିଖିଆ ଶେଷ କରିବା ପରେ ଘରକୁ ଆହୁରି କରେଣ୍ଟ ଆସି ନ ଥିବ ବୋଲି ସନ୍ଦେହ କରି ସମୟ ବିତାଇବା ପାଇଁ ସେକେଣ୍ଡ ସୋ ସିନେମାକୁ ଗଲି । ପ୍ରାୟ ରାତି ଗୋଟାଏ ବେଳେ ଘରକୁ ଫେରିଲି | ଶେଯରେ କିଛି ସମସ୍ତ ଗଡ଼ପଡ଼ ହେବାପରେ କ୍ରମଶଃ ମତେ ଛାଇ-ନିଦ ଘୋଟିଲା । ମୋର ସେହି ଅର୍ଦ୍ଧଚେତନ ଅବସ୍ଥାରେ ମତେ ଏକ ପ୍ରକାର ସ୍ୱପ୍ନ ଘାରିଥାଏ । ତାହା ହେଉଛି, ମହାପ୍ରଭୁ ବିଷ୍ଣୁ ଅନନ୍ତ ଶୟନରେ ଶୋଇଥିବା ପରି ମୁଁ ମୋ ଖଟରେ ଗୋଡ଼ ଲମ୍ବାଇ ଚେଇଁ ଶୋଇଛି ଓ ମୋ ପାଦ ପାଖରେ ଆଜି ଦେଖିଥିବା ଛବିଟିର ହିରୋଇନ ବସି ପ୍ରେମ-ଆଳାପ କରୁଛି । ସେତେବେଳେ ସିନେମାରେ ଅନ୍ୟ ସବୁ ଷ୍ଟାରମାନେ (ହିରୋକୁ ମିଶାଇ) କିଏ କେଉଁ ଆଡ଼େ ଭୟରେ ଚୁପ୍‌ଚାପ୍ ଲୁଚି ପଡ଼ିଛନ୍ତି । ମୋର ଏମିତି ଉଦ୍ଦୀପକ ମାନସିକ ଅବସ୍ଥା ଥିବା ସମୟରେ ଉପର ମହଲାରେ ହାତୁଡ଼ିର ଠକ୍ ଠକ୍ ଶବ୍ଦ ହେଲା । ଫଳରେ ମୋର ମଧୁମୟ ସୁଖ ସ୍ଵପ୍ନ ଭାଜିଗଲା । ପୂର୍ଣ୍ଣଜ୍ଞାନ ଫେରିବା ବେଳକୁ ମୁଁ ଜାଣିପାରିଲି ଯେ କାଠପଟାରେ ଲୁହା-କଣ୍ଟା ପିଟି ଢାବଲ ତିଆରି ଓ ସିଲ୍ ପକାଇବା କାମ ଚାଲିଛି । ମୁଁ ଆଉ ଶାନ୍ତିରେ ରହି ନ ପାରି ଉପରମହଲାକୁ ଯିବା ପାଇଁ ପାହାଚ ଚଢ଼ିଲି ଓ ସ୍ଵୟଂ ଶ୍ରୀନିବାସକୁ ଏହି ବଢ଼େଇ କାମରେ ଦେଖିଲି । ତା’ପରେ ଖୁବ୍ ଅସନ୍ତୋଷର ସହିତ ମତବ୍ୟକ୍ତ କଲି ‘ଏଇ ଘରଟା କ’ଣ ୱର୍କସପ୍‌ ହୋଇଗଲାଣି କି ? ... ତମ ସ୍ତ୍ରୀ ଲକ୍ଷ୍ମୀ ତ ଉପରମହଲାକୁ ବହୁଦିନ ପୂର୍ବରୁ ପ୍ଲେ-ଗ୍ରାଉଣ୍ଡ କରି ସାରିଛି ! …ତୁମେ ଜାଣିବା ଉଚିତ ଯେ ତଳ ମହଲାକୁ ଗୋଟିଏ ଲୋକ ରହୁଛି ଏବଂ ସେ କାଲ ନୁହଁ କିମ୍ବା ତା’ କାନରେ ସେ ତୁଳା-ବିଣ୍ଡି ପୁରାଇ ରାତିରେ ଶୁଏ ନାହଁ । ...ମୁଁ ଭଦ୍ରାମୀର ସହିତ ଧୀର ସ୍ଥିର ଭାବେ ତମକୁ ସୂଚାଇ ଦେବାକୁ ଚାହୁଁଛି ଯେ ତମେ ଓ ତମ ସ୍ତ୍ରୀର ଦୁର୍ବ୍ୟବହାର ଚରମ ସୀମାରେ ପହଞ୍ଚିଲାଣି । ଏଣିକି ତମେ ଜଗି ରଖି ଚଳିଲେ ଭଲ ହେବ ।’ ମୋ କଥା ଶୁଣି ଶ୍ରୀନିବାସ ଉତ୍ତର ଦେଲା, ‘ଏଠାକୁ ଆପଣ ବିନାନୁମତିରେ ଆସି ପାରିବେ ନାହିଁ । …ଏଠାରୁ ଏହି ମୁହୂର୍ତ୍ତରେ ଚାଲିଯାନ୍ତୁ-।’ ସେ ମୋ ପ୍ରତି ହଠାତ୍ ରାଗିଯିବା ପଛରେ ପ୍ରକୃତ କାରଣ ହେଉଛି ଆଜି ରାତିରେ ଲକ୍ଷ୍ମୀ ଓ ଶ୍ରୀନିବାସ କରେଣ୍ଟ ଆସିଲେ ଢାବଲ ଗୁଡ଼ିକରେ ଔଷଧ ପ୍ୟାକିଂ କରିବେ ବୋଲି ଅଯଥାରେ ହେଳା କଲେ । ଇତ୍ୟବସରରେ ଅବଶ୍ୟ ସେମାନେ ଅଜାଣତରେ ଶୋଇ ପଡ଼ିଲେ । ନିଦ ଭାଜିବା ବେଳକୁ ରାତି ତିନିଟା । ଆଉ ଘଣ୍ଟାକ ପରେ ଶ୍ରୀନିବାସର ବସ୍ ଚାଲିଯିବ । କିନ୍ତୁ ସେତେବେଳଯାଏ ବିଜୁଳିବତୀ ଆସିନାହିଁ । ତା’ପରେ ସ୍ଵାମୀ-ସ୍ତ୍ରୀ ତରବରରେ ଡିବିରି ଜଳାଇ, ଢାବଲରେ ଔଷଧ ଭର୍ତ୍ତି କରି ପ୍ୟାକିଂ କରିବାରେ ଲାଗିଲେ । କିନ୍ତୁ ସେମାନଙ୍କର ସିରିଅସ୍ ନେଶ୍‍ର କାରଣ ମୁଁ ଜାଣିବାକୁ ଚାହୁଁ ନ ଥିଲି କିମ୍ବା ସେମାନଙ୍କ ଦୁଃଖ-ଦୁର୍ଦ୍ଦଶାରେ ଭାଗୀ ହେବା ପାଇଁ ମୁଁ ଇଚ୍ଛୁକ ନୁହେଁ । ମୋର ଉଦ୍ଦେଶ୍ୟ ହେଉଛି ଯେ, ଯେତେବେଳେ ମୁଁ ଟଙ୍କା ଦେଇ ଘର ଭଡ଼ାରେ ରହୁଛି, ସେମାନେ ମୋ ସୁଖଶାନ୍ତିରେ ବ୍ୟାଘାତ ସୃଷ୍ଟି କରିବା ଆଇନ ସମ୍ମତ ନୁହେଁ । ପୁଣି ସେମାନେ ପଡ଼ୋଶୀ-ଧର୍ମକୁ ମାନି ଚଳିବା ଉଚିତ୍ । କିନ୍ତୁ ସେମାନଙ୍କୁ ଠିକ୍ ବାଟକୁ ଆଣିବା ପାଇଁ ମୁଁ ହଠାତ୍ କୌଣସି ଉପାୟ ଖୋଜି ପାଇଲି ନାହିଁ । କିଛି ସମୟ ପରେ ରାଗରେ ତମ୍ ତମ୍ ହୋଇ ମୋ ରୁମକୁ ଚାଲି ଆସିଲି ଓ ଶ୍ରୀନିବାସର ସାଇକେଲଟି ମୋ ଘରୁ ଟାଣି ଆଣିଲି–ଯେମିତିକି ମ୍ୟୁନିସିପାଲଟିର ଅଳିଆ ଗାଡ଼ି ଉପରକୁ ରାସ୍ତାକଡ଼ର ମଇଳା ବୁହା ହେଉଥାଏ ।

 

ଉପରବାଲାର ସାଇକେଲ୍ ସମ୍ପର୍କରେ ଏଠାରେ ପଦେ ଅଧେ କହି ଦେଉଛି । ଆମେ ରହୁଥିବା ଏହି ଘରେ ଉପରବାଲାର ଯାନବାହାନ (ସାଇକେଲ, ସ୍କୁଟର ଇତ୍ୟାଦି) ରଖିବା ପାଇଁ ଭୂପୃଷ୍ଠରେ କିଛି ବନ୍ଦୋବସ୍ତ ନାହିଁ । ତେଣୁ ଯେଉଁମାନେ ଉପରମହଲାରେ ରହନ୍ତି, ସେମାନଙ୍କୁ ସାଇକେଲ୍ ଟେକି ଟେକି ଉପରକୁ ନେବାକୁ ପଡ଼ିଥାଏ । ଶ୍ରୀନିବାସ ମଧ୍ୟ ପୂର୍ବେ ବଳ ଖଟାଇ ଏମିତ କରୁଥାଏ । ଏହା ତା’ ପକ୍ଷରେ ଯଥେଷ୍ଟ କଷ୍ଟକର ହେଉଥାଏ । ଦିନେ ସେ ମତେ ମୋ ଘରେ ତା’ର ସାଇକେଲଟି ରଖିବାକୁ ଅନୁରୋଧ କଲା । ମୁଁ ତା’ ପ୍ରସ୍ତାବରେ ରାଜି ହୋଇ ଯାଇଥିଲି କାରଣ ମୋ ଘରେ ଯଥେଷ୍ଟ ଜାଗା ଥିବାରୁ ତା’ର ସାଇକେଲଟି କୌଣସି ଗୋଟିଏ ରୁମ୍‌ରେ ରଖିହେବ । ଏଥିରେ ମୋର କୌଣସି ଅସୁବିଧା ହେବ ନାହିଁ । ଅବଶ୍ୟ ମୁଁ ତା’ ପ୍ରତି ମାର୍‌ସିଅଲ୍ ଅର୍ଡ଼ର୍ କରିଥାଏ ଯେ, ସେ ଠିକ୍ ରାତି ନଅଟାରେ ମୋ ଘରେ ସାଇକେଲ ରଖି ପାରିବ ଓ ସକାଳ ଆଠଟାରେ ବାହାର କରି ପାରିବ । ଏହି ସମୟ-ନିର୍ଘଣ୍ଟକୁ ଅମାନ୍ୟ କଲେ ମୋ ଘରେ ସାଇକେଲ ରଖିବାକୁ ସୁଯୋଗ ମୁଁ ଆଉ ତାକୁ ଦେବି ନାହଁ । ସେ ଯାହାହେଉ, ଆଜି ଯାଏଁ ଶ୍ରୀନିବାସ ମୋର ଏହି ସର୍ତ୍ତକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି । ତେଣୁ ସାଇକେଲ ସମ୍ପର୍କରେ ଆମ ଦୁହଁଙ୍କ ମଧ୍ୟରେ ଥରେ ସୁଦ୍ଧା ମନୋମାଳିନ୍ୟର ସୂତ୍ରପାତ ହୋଇ ନାହିଁ । କିନ୍ତୁ ଆଜି ମୋର ମାନସିକ ଅବସ୍ଥା ଭିନ୍ନ ଧରଣରେ । ମୁଁ ଶ୍ରୀନିବାସର ବ୍ୟବହାରରେ କ୍ଷୁବ୍‌ଧ ହୋଇଥିବା ଯୋଗୁଁ ତାକୁ ଦୁଇଗୁଣ କରିବି ବୋଲି ସଂକଳ୍ପ କଲି । ତେଣୁ ତା’ର ସାଇକେଲଟି ଟାଣି ଟାଣି ବାରଣ୍ଡାକୁ ଆଣିଲି ଓ ତାକୁ ଶୁଭିବା ପରି ସାଇକେଲର ଘଣ୍ଟି ବଜାଇ ବଜାଇ ପାଚେରୀ ପାଖରେ କଚାଡ଼ି ଦେଲି । ତା’ପରେ ଦାଣ୍ଡ କବାଟ ବନ୍ଦ କରି ମୋ ଖଟକୁ ଚାଲିଗଲି । କିଛି ସମୟ ମଧ୍ୟରେ ଶ୍ରୀନିବାସ ତଳକୁ ଆସି ତା’ର ସାଇକେଲଟି ଅପ୍ରଶସ୍ତ ପାହାଚରେ ଉପରକୁ ଉଠାଇଲା । କିନ୍ତୁ ସାଇକେଲଟି ଅନେକ ସମୟରେ ପାହାଚର ଉପରକୁ ଉଠିବା ପରିବର୍ତ୍ତେ ତଳକୁ ଖସି ଯାଉଥାଏ । ଶେଷରେ ଏଇ କାମରେ ସାହାଯ୍ୟ କରିବାକୁ ଲକ୍ଷ୍ମୀ ଆସିଲା । ସେତେବେଳେ ଲକ୍ଷ୍ମୀ ମତେ ଗାଳି ସହ ଅଭିଶାପ ଦେଉଥାଏ–ସତେ ଯେମିତି ତା’ର ସ୍ଵାମୀର ସାଇକେଲ ରଖିବା ମୋର ଗୋଟିଏ ଦାୟିତ୍ଵ । ଲକ୍ଷ୍ମୀର କଡ଼ା ଶବ୍ଦ ଶୁଣି ମୋ ମନ ବିସ୍ଫୋରକ ଅବସ୍ଥାରେ ପହଞ୍ଚିଲା । ତଥାପି ମୁଁ ନିଜକୁ ସଂଯତ କଲି । କିନ୍ତୁ ମନେ ମନେ ସ୍ଥିର କଲି ଯେ ଲକ୍ଷ୍ମୀକୁ ହଇରାଣ କରି ଏହି ଘରୁ ବାହାର କରିଦେବି ।

 

ଲକ୍ଷ୍ମୀର ପୂଜା-ଉପାସନାରେ ପ୍ରବଳ ବିଶ୍ୱାସ । ସେ ରାତି ନ ପାହୁଣୁ ଉଠି ଆମର ବାରଣ୍ଡା ସମ୍ମୁଖସ୍ଥ ରାସ୍ତା କଡ଼ରେ ସବୁ ଦିନେ ମୁରୁଜରେ ଝୋଟି ଦିଏ । ଏହି ଝୋଟି ଦେଖି ରାସ୍ତାରେ ଯାଇଥିବା କେହି କେହି ଯାତ୍ରୀ ହୁଏତ ଭାବୁଥିବେ ଯେ ମୁଁ ବିବାହିତ ଓ ବର୍ତ୍ତମାନ ସ୍ତ୍ରୀ ସହିତ ରହୁଛି । ସେ ଯାହାହେଉ, ଲକ୍ଷ୍ମୀର ଆଉ ଗୋଟିଏ ବୈଶିଷ୍ଟ୍ୟ ହେଉଛି ଯେ ସେ ସବୁଦିନ ସକାଳୁ ପୂଜାପାଠ କରେ । ଏଥିପାଇଁ ଆମ ପାଚେରୀ ଭିତରେ ଥିବା ଟଗର ଗଛରୁ ପ୍ରାୟ ସକାଳ ପାଞ୍ଚଟାରୁ ଉଠି ଫୁଲ ତୋଳେ । ତା’ର ଏହା ଦୈନନ୍ଦିନ କାର୍ଯ୍ୟରେ ଆଜି ଠାରୁ ବାଧା ଦେବା ପାଇଁ ମୁଁ ସ୍ଥିର କଲି । ତେଣୁ ରାତି ଚାରିଟାରୁ ଉଠି କେହି ନ ଜାଣିବା ପରି ଗଛର ସବୁ ଫୁଲ ତୋଳି ଦେଲି-। ଲକ୍ଷ୍ମୀ ସବୁଦିନ ପରି ଉକ୍ତ ଦିନ ମଧ୍ୟ ପାଞ୍ଚଟାରୁ ଆସି ଫୁଲ ଖୋଜିଲା ଓ ଗୋଟିଏ ସୁଦ୍ଧା ଫୁଲ ନ ଦେଖି ପାରି, ବିରକ୍ତ ହୋଇ ଫୁଲଚୋରକୁ ଅଭିଶାପ ଦେଲା । ମୁଁ ସବୁଦିନ ଫୁଲ ଲୁଟି କରିବାରେ ଲାଗିଲି । ଏହି ଫୁଲଚୋରକୁ ଜାଣିବା ପାଇଁ ଲକ୍ଷ୍ମୀ ନିଜେ ଜଗିବାକୁ ହୁଏତ ଦିନେ ଦିନେ ଭାବିଥିବ କିମ୍ବା ରାଜଲକ୍ଷ୍ମୀକୁ ଏହି ଦାୟିତ୍ଵ ଦେବା ପାଇଁ ସେ ହୁଏତ ମନେ ମନେ ସ୍ଥିର କରଥିବ । ଦିନକର ଘଟଣା, ସେ ଦିନ ମୁଁ ରାତି ଚାରିଟାରେ ଫୁଲ ତୋଳିବା ବେଳେ ରାଜଲକ୍ଷ୍ମୀ ଉପରମହଲାରେ ସତର୍କତାର ସହିତ ଜଗି ରହିଥଲା । ସେ ମତେ ଅତର୍କିତ ଭାବେ ଉପର-ଘରୁ ପଚାରିଲା, ‘ଫୁଲ କ’ଣ କରିବ ? …କେଉଁଠି ଗୋଟିଏ ମାଇକିନା ରଖିଛ କି, ଫୁଲ-ମାଳ ତା’ ବେକରେ ଲମ୍ବାଇବ ? ମୁଁ ଧରା ପଡ଼ି ଯାଇଥିବାରୁ ପ୍ରଥମେ ଦବି ଗଲି । ପରେ ପରେ ତାକୁ ଉତ୍ତର ଦେଲି, ...ତୁ ଯେତେବେଳେ ଏତେ ପାଖରେ ଅଛୁ, ଆଉ କାହାରିକୁ ଖୋଜିବା କ’ଣ ଦରକାର ?” ଏହା କହିବା ବେଳେ ମୋର ସେମିତି କିଛି ଭବିଷ୍ୟତ ଆଶା ବା ଉଦ୍ଦେଶ୍ୟ ଥିଲା ନା ନାହିଁ ମୁଁ କହିପାରିବି ନାହିଁ । ମୋ କଥାରେ କିଛି ରସିକତା ଥିଲା ବୋଧହୁଏ । କିନ୍ତୁ ରାଜଲକ୍ଷ୍ମୀ ମୋର ରସିକତା ବିଷୟ ଅତି ରଞ୍ଜିତ ଭାବେ ବୁଝି ନେଇଛି । ସେତେବେଳେ ସେ ଚିନମ୍ ପାଇଁ ଗୋଟିଏ ଗ୍ଲାସରେ ସାମାନ୍ୟ ଗରମ ପାଣିରେ ହର୍‌ଲିକସ ଗୁଣ୍ଡ ଓ ଚିନି ଚାମୁଚାରେ ଘାଣ୍ଡୁଥିଲା । କିନ୍ତୁ ପାଣିର ଉତ୍ତାପ ଠିକ୍ ନ ଥବା ଯୋଗୁଁ ସେଗୁଡ଼ିକ ଅର୍ଦ୍ଧ ମିଶ୍ରିତ ଅବସ୍ଥାରେ ଛୋଟ ଛୋଟ ଗୁଳା ବାନ୍ଧି ରହିଥିଲା । ବର୍ତ୍ତମାନ ମୋ ରସିକତାର ଉତ୍ତର ଦେବାକୁ ଯାଇ ସେ ହର୍ଲିକ୍‌ସ-ପାଣି ମୋ ମୁଣ୍ଡ ଉପରକୁ ଲକ୍ଷ୍ୟ କରି ଢାଳି ଦେଲା । ସେଥିରୁ ଅଧିକାଂଶ ମୋ ମୁଣ୍ଡରେ ଲାଖି ରହିଗଲା । ମୁଁ ଫୁଲତୋଳା ବନ୍ଦ କରି ମୁଣ୍ଡ ଆଉଁସି ଅଠାଳିଆ ହର୍ଲିକ୍‌ସ ପେଷ୍ଟ ବାହାର ବରୁଥିବା ବେଳେ ସେ ବଜ୍ଜାତ ! ଲଫଙ୍ଗା । ପାପୀ ! ‘ଇତ୍ୟାଦି ଶବ୍ଦ ମୋ ପ୍ରତି ପ୍ରୟୋଗ କରି ମୋର ଚରିତ୍ର ବିଶ୍ଳେଷଣ କରୁଥାଏ । ମୁଁ ଏମିତି ଅପମାନଜନକ ଅବସ୍ଥାରେ ରହି ନ ପାରି ମୋ ଘର ଭିତରକୁ ଗଲି ଏବଂ ଦାଣ୍ଡ ଦୁଆର ବନ୍ଦ କଲି । ଫୁଲତୋଳା ଆରମ୍ଭ କରିବା ବେଳେ ମୋର ଉଦ୍ଦେଶ୍ୟ ଥିଲା ଯେ, ଫୁଲତୋଳା ସରିବା ପରେ ମୁଁ ପୁଣି ଶୋଇବି କାରଣ ସ୍ୱଭାବଶତଃ ମୁଁ ସକାଳ ଆଠଟା ଯାଏଁ ଶୁଏ । କିନ୍ତୁ ବର୍ତ୍ତମାନ ମୋ ମୁଣ୍ଡରେ ଦର୍ଲିକ୍‌ସ-ପାଣି ବୋଳି ହୋଇ ଯାଇ ଥିବାରୁ ଆଉ ଶୋଇବା ପଶ୍ନ ଉଠୁ ନାହିଁ କାରଣ ତକିଆରେ ମୁଣ୍ଡ ଦେବାର ପାଞ୍ଚ ମିନଟ୍ ମଧ୍ୟରେ ପିମ୍ପୁଡ଼ିମାନେ ମୋ ମୁତକୁ ବେଢ଼ିଯିବେ ଓ ମତେ କାମୁଡ଼ି ପକାଇବେ । ତେଣୁ ଏହି ମୁହୂର୍ତ୍ତରେ ଭଲଭାବେ ସାବୁନରେ ମୁଣ୍ଡ ଧୋଇ ବାଳ ସଫା କରିବାକୁ ପଡ଼ିବ । ସ୍ୱଭାବବଶତଃ ମୁଁ ଶୀତଦିନେ ଥଣ୍ଡା ପାଣିକୁ ଭୟ କରେ । ତେଣୁ ଏମିତି ଶୀତ ରାତିରେ ମୁଣ୍ଡ ଧୋଇ ଗାଧୋଇବା ମୋ ପକ୍ଷରେ କେତେଦୂର ଯନ୍ତ୍ରଣାଦାୟକ ତାହା ଭଗବାନଙ୍କୁ ହଁ ଗୋଚର । ସେତେବେଳେ ମୋ ମୁଣ୍ଡ ବାଳରୁ ଟପ୍ ଟପ ହୋଇ ହର୍‌ଲିକସ-ପାଣି ଝରୁଥାଏ । ମୁଁ ଆଉ କୌଣସି ଉପାୟ ନ ପାଇ ଦେହରେ ତେଲ ବୋଳିଲି ଓ ସାବୁନ ଧରି, କୂଅ ପାଖକୁ ଗଲି । ମୁଁ ସାଧାରଣତଃ ପାଇପ-ପାଣିରେ ଗାଧାଏ । ପୁଣି ଏକାକୀ ରହୁଥିବାରୁ ପାଇପ୍‌ରୁ ପାଣି ଷ୍ଟୋର କରିବା ଆବଶ୍ୟକ ହେଇ ନ ଥାଏ । ତେଣୁ ସବୁ ଦିନ ପରି ସେଦିନ ମଧ୍ୟ ପାଇପ୍‍-ପାଣି ଜମା କରି ନ ଥିଲି । ଆଜି ଅବେଳରେ ଗାଧୋଇବା ପାଇଁ ମତେ କୂଅ-ପାଣି ବ୍ୟବହାର କରିବାକୁ ପଡ଼ିବ । ବହୁତ ଦିନପରେ ସେଦିନ ଅରଘଟ୍ଟଟିରେ ଦଉନି ବୁଲାଇ କୂଅ ଭିତରକୁ ବାଲତି ଛାଡ଼ିଲି । ପାଣି ବାହାର କରିବା ବେଳେ ଅରଘଟ୍ଟଟିରେ ବାରମ୍ବାର କେଁ କଟର ଶବ୍ଦ ଦେଉଥାଏ । ସେତେବେଳେ ପାଣି ବରଫଠାରୁ ଅଧିକ ଥଣ୍ଡା ଲାଗୁଥାଏ । ତଥାପି ମୁଣ୍ଡରେ ପାଣି ଢାଳି ସାବୁନ ଘଷିଲି । ଅଳ୍ପ ସମୟ ପରେ ମୁଣ୍ଡରେ ହାତ ବୁଲାଇବା ବେଳେ ଜାଣିପାରିଲି ଯେ ବାଳ ଭିତରେ ଆଙ୍ଗୁଠି ଗଳୁ ନାହିଁ । ବାଲିଗୁଡ଼ିକ ବିଣ୍ଡା ବାନ୍ଧି ଯାଇଛି । କୂଅ-ପାଣିର ଖରତ୍ଵକୁ ଯୋଗୁଁ ମୁଣ୍ଡରେ ପଣସ-ଅଠା ବୋଳି ଦେବା ପରି ହାଡ଼ୂଆ ହୋଇ ରହିଲା । ମତେ ଆଉ ଉପାୟ ଦେଖାଗଲା ନାହିଁ । ମୋ ଦୂଶ୍ଚିନ୍ତା ଚରମ-ସୀମାରେ ପହଞ୍ଚିବା ବେଳକୁ ମୁଁ ଭାବିଲି ଯେ, ଯେତେଦୂର ସମ୍ଭବ, ରାତି ପାହିଲେ ମତେ ଲଣ୍ଡିତ ହେବାକୁ ପଡ଼ିବ ଓ ଏହାର ରହସ୍ୟ ରାଜଲକ୍ଷ୍ମୀ ଜାଣିପାରିଲେ ଏହି ସାହର କୋଣେ କୋଣେ ପ୍ରଚାର କରିଦେବ । ମନ ଦୁର୍ଭାବନାରେ ଆନ୍ଦୋଳିତ ହେଉଥିବା ବେଳେ ଉପରମହଲାର ପାଇଖାନା (ଯାହାକି ମୁଖ୍ୟ କୋଠାଠାରୁ ବିଚ୍ଛିନ୍ନ ଓ ଉପରର ସ୍ଳାବରେ ଅଛି)ର ଲାଇଟ୍ ଜଲିଲା ଓ ଲକ୍ଷ୍ମୀ ବାଲତିଏ ପାଣିଧରି ଝାଡ଼ା ଫେରିବାକୁ ପାଇଖାନା ଭିତରକୁ ଗଲା । ସେତେବେଳେ ରାତି ଆହୁରି ସଫାହୋଇ ନ ଥାଏ । ମୁଁ ମନକୁ ମନ ବୁଝାଇଲି ଯେ ମତେ ଯାହା ହଇରାଣ କରିବା କଥା, ଏମାନେ ମିଳିମିଶି କରି ସାରିଲେଣି । ଆହୁରି ହୀନସ୍ତା କରିବାକୁ ଏମାନଙ୍କର ଅହର୍ନିଶି ଯୋଜନା ଓ ଷଡ଼ଯନ୍ତ୍ର ଚାଲିଛି । ବର୍ତ୍ତମାନ ମୁଁ ଏମାନଙ୍କ ଉପରେ ପ୍ରତିଶୋଧ ନେବି । ତେଣୁ ମୋ ଦାଣ୍ଡଘରକୁ ଶୀଘ୍ର ଆସି ମେନ୍ ସୁଇଚ୍‍ଟି ଅଫ୍ କରିଦେଲି । ତଳ ଓ ଉପରମହଲା ପାଇଁ ଏହି ଗୋଟିଏ ମେନ୍ ସୁଇଚ୍ ଅଛି ମୋ ଦାଣ୍ଡଘରରେ । ଫଳରେ ତଳ ଓ ଉପରମହଲାର ସବୁ ବଲବ୍‌ ଲିଭିଗଲା । ଲକ୍ଷ୍ମୀର ଝାଡ଼ା ଅଧା ହୋଇଥିବା ବେଳେ ସେ ଚିତ୍କାର କରି ପାଇଖାନାରୁ ମେନ୍ ବିଲଡ଼ିଂ ଆଡ଼କୁ ବାହାରି ଆସିଲା ଓ ତତ୍‌କ୍ଷଣାତ୍ ଘର ଭିତରେ ପଶି କବାଟ କିଳି ଦେଲା । ମୋର ଯାହା ମନେ ହେଉଛି, ସେ ରାତି ପାହିବା ଯାଏଁ ଆଉ ଶୌଚ ହୋଇ ନାହିଁ ।

 

ସେଦିନ ବଡ଼ ବିଷାକ୍ତ ମନରେ ଅଫିସକୁ ଗଲି । ଅଫିସରେ ମଧ୍ୟ ବହୁତ ବାକିଆ କାମ ଥିଲା । ଫାଇଲ୍‌ରେ ନୋଟ୍ ଲେଖି ଦସ୍ତଖତ କରୁ କରୁ ସନ୍ଧ୍ୟା ଛଅଟା ହୋଇଗଲା । ତା’ପରେ ଘରକୁ ଫେରିବା ବେଳେ ଦେଖିଲି ଯେ ଆମ ଘରର ଇଲେକ୍‌ଟ୍ରିକ୍‌ ପୋଲ୍‌ରେ ଲମ୍ବା ସିଡ଼ିରୁ ଲାଇନ୍‌ମ୍ୟାନ୍‌ ଓହ୍ଲାଉଛି । ସେ ରାଜଲକ୍ଷ୍ମୀକୁ କହିଲା ଯେ, ପୋଲ୍‌ର ଫ୍ୟୂଜ୍‌ ଠିକ୍ ଅଛି । ଯଦି ଲାଇଟ୍ ଜଳୁ ନାହିଁ, ତାହାହେଲେ ଘର ଭିତରେ ଯାହା କିଛି ଗଲତି ଥିବ । ଏମିତି ସମୟରେ ମୁଁ ସେଠାରେ ଉପସ୍ଥିତ ହୋଇଗଲି । ରାଜଲକ୍ଷ୍ମୀ ମତେ ସେତେବେଳେ ରୁମ୍ ଖୋଲିବାକୁ କହବାରୁ ମୁଁ ମୋ ଘରର ଗଲା ଖୋଲିଲି । ଲାଇନ୍‌ମ୍ୟାନ୍‌ ବଡ଼ ବ୍ୟସ୍ତ ହୋଇ ମିଟର୍ ପାଖର ଫ୍ୟୁଜ୍‌ ଚେକ୍ କଲା । କିନ୍ତୁ ତାହା ଠିକ ଥଲା । ତେଣୁ କେଉଁଠାରେ ଭୁଲ୍ ଅଛି ସେ ଜାଣି ନ ପାରି, ଚିନ୍ତାରେ ବାରମ୍ବାର ମୁଣ୍ଡକୁ ଚିପିବାରେ ଲାଗିଲା । ଏମିତି ସମୟରେ ହେଲପର୍ (ଯିଏକି ସିଡ଼ି ବୋହିଥାଏ) କହିଲା, ‘ଆଜ୍ଞା ! ଏତେ କ’ଣ ଚିନ୍ତା କରୁଛନ୍ତି ! …ମେନ୍ ସୁଇଚ୍‌ଟି ପରା ଅଫ୍ ଅଛି ! ...’ ଏମିତି କହୁ କହୁ ଲାଇନ୍‌ମ୍ୟାନଟି ସଙ୍ଗେ ସଙ୍ଗେ ମେନ୍ ସୁଇଚଟି ଅନ୍ କଲା । ତା’ପରେ ତଳ-ଉପରମହଲାର ସବୁ ଲାଇଟ୍ ଜଳି ଉଠିଲା । ଘଟଣା ହେଉଛି ଯେ, ଆଜି ପାହାନ୍ତିଆରେ ମୁଁ ଲକ୍ଷ୍ମୀକୁ ପାଇଖାନାରେ ହଇରାଣ କରିବାକୁ ମେନ୍‌ସୁଇଚ୍ ଅଫ୍ କରିଦେବା ପରେ, ଅଫିସକୁ ଯିବା ପୂର୍ବରୁ ତାକୁ ଅନ୍ କରିବାକୁ ଭୁଲି ଯାଇଥିଲି । ଇତ୍ୟବସରରେ ରାଜଲକ୍ଷ୍ମୀ ଫ୍ୟୁଜ୍-କଲ ଅଫିସ୍‌ରେ ଘରେ ଲାଇଟ୍ ଜଳୁ ନ ଥିବା ବିଷୟ ଜଣାଇଲା ଓ ଲାଇନ୍‌ମ୍ୟାନ୍ ବର୍ତ୍ତମାନ ଆସି ପୋଲ୍‍ଠାରୁ ଆରମ୍ଭ କରି ଫ୍ୟୁଜ୍ ଚେକିଂରେ ଲାଗି ପଡ଼ିଥିଲେ । ସେ ଯାହାହେଉ, ରାଜଲକ୍ଷ୍ମୀ ଲାଇଟ୍ ନ ଜଳିବାର ପ୍ରକୃତ ରହସ୍ୟ ବର୍ତ୍ତମାନ ବୁଝି ପାରି ମତେ କହିଲା, ‘ଘର-ଢିଙ୍କି କୁମ୍ଭୀର ହେ ! ..ଆଜି ମା’ ଭୋରରେ ଝାଡ଼ା ଫେରୁଥିବା ବେଳେ ତମେ ମେନ୍‌ସୁଇଚ୍ ଲିଭାଇ ଦେଇଥିଲ ! ...ତମେ ଆମର ଅସଲ ଶତ୍ରୁ...ମା’ ଏବେ ତିନି ମାସ ହେଲା ଗର୍ଭବତୀ ହୋଇଛନ୍ତି । ସେ ଡରିବା ଯୋଗୁଁ ପେଟର ପିଲା ନଷ୍ଟ ହୋଇ ଯାଇଥିଲେ, କ’ଣ ହୋଇଥା’ନ୍ତା ?’ ମୁଁ ରାଗି ଯାଇ କହିଲି, ‘ଏମିତି ଘଟିଥିଲେ, ଖୁବ୍‌ ଭଲ ହୋଇଥା’ନ୍ତା । ଏ ଘରେ ଭୁତ ଡରାଉଛି ବୋଲି ଭାବି ତମେମାନେ ଘର ଛାଡ଼ି ଚାଲି ଯାଇଥା’ନ୍ତ…’ ବର୍ତ୍ତମାନ ରାଜଲକ୍ଷ୍ମୀ ଉପରକୁ ଦୌଡ଼ି ଯାଇ ଲକ୍ଷ୍ମୀକୁ ମୋର ଶତ୍ରୁତାପୂର୍ଣ୍ଣ ଆଚରଣ ବିଷୟରେ ପାଟି କରି କହିଲା, ‘ଇଏ ଗୋଟିଏ ପଲଖିଆ ରାକ୍ଷସ । …ୟା' କୁ ତଳେ ପୃଥବୀ, ଉପରେ ଧର୍ମ ସାକ୍ଷୀ ।’ ଏହି ଘଟଣାଟି ଯୋଗୁଁ ଲାଇନ୍‌ମ୍ୟାନ୍‌ ଓ ଅନ୍ୟ କେତେ ଜଣ ଦର୍ଶକ ମତେ ଘୃଣ ଚକ୍ଷୁରେ ଚାହିଲେ-‘ସତେ ଯେମିତି ମୁଁ ଗୋଟାଏ କ୍ରିମିନାଲ୍‍ !”

 

ଏହା ହେଉଛି ମୋର ପଡ଼ୋଶୀ-ଜୀବନ । ଅଳ୍ପଦିନ ପୂର୍ବେ ମୁଁ ଏଠାରୁ ବଦଳି ହୋଇ ଯିବାର ଆଦେଶ ପାଇଛି । ମୁଁ ଘର ମାଲିକକୁ ଏହି ବିଷୟ ଜଣାଇ ସାରିଲିଣି । ମୋର ସବୁ ଜିନିଷ ପତ୍ର ଟ୍ରେନ୍‌ରେ ପାର୍ସଲ କରି ପଠାଇ ଦେଲିଣି ମଧ୍ୟ । ଏଠାରୁ ଯେକୌଣସି ମୁହୂର୍ତ୍ତରେ ଚାଲିଯିବା ପାଇଁ ମୁଁ ପ୍ରସ୍ତୁତ ହୋଇ ରହିଛି । ଦୁର୍ଭାଗ୍ୟବଶତଃ ମୋ ରିଲିଭର୍ ଆଜି ଯାଏଁ ଆସି ନାହିଁ । ମୁଁ ଏହି ଘରେ ଛାଡ଼ୁଥିବା ବିଷୟ ଚାରିଆଡ଼େ ପ୍ରଚାରିତ ହୋଇଗଲାଣି । ମୋ ପାଖକୁ ବହୁତ ଲୋକ ଆସି ଘରମାଲିକର ଠିକଣା ପଚାରନ୍ତି । ସେମାନଙ୍କର ଏହି ଘର ଭଡ଼ାରେ ରହିବାକୁ ଇଚ୍ଛା । ମୁଁ ସେମାନଙ୍କୁ ଲକ୍ଷ୍ମୀ ଓ ରାଜଲକ୍ଷ୍ମୀର ଦୁବ୍ୟବହାର ଓ ଅନ୍ୟାନ୍ୟ ଅସାର ଗୁଣମାନ ଦର୍ଶାଇ ଏଠାରେ ନ ରହିବାକୁ ପରାମର୍ଶ ଦିଏ । ହଠାତ୍ ଦିନେ ମୋ ରିଲିଭର୍ ପହଞ୍ଚିଯିବାରୁ, ଘର ମାଲିକକୁ ମୁଁ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲି ଯାଉଥିବା ବିଷୟ କହିଲି । ସେ ଏଠାକୁ ଆସିଲି । କିନ୍ତୁ, ତା’ ପଛେ ପଛେ ସତର୍କତାର ସହିତ ଜଗି ରହିଥିବା କେତେକ ଲୋକ ମଧ୍ୟ ଆସିଥିଲେ । ମୋର କାରଣ ସତ୍ତ୍ୱେ, ଏମାନେ ଏହି ଘରେ ଭଡ଼ାରେ ରହିବାକୁ ପ୍ରବଳ ଭାବେ ଆଗ୍ରହୀ । କ୍ରମେ କ୍ରମେ ଏମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ମୁଁ ଏମାନଙ୍କୁ ବାରମ୍ବାର ଉଦଣ୍ଡୀ ରାଜଲକ୍ଷ୍ମୀର ଅତ୍ୟାଚାର ସମ୍ପର୍କରେ ବର୍ଣ୍ଣନା କଲି । କିନ୍ତୁ ମୋ କଥାକୁ କେହି କାନ ଦେଉ ନଥାନ୍ତି । ଘରମାଲିକ ମତେ ଦେଖି ଥଟ୍ଟା କରିବା ପାଇଁ ପାଟି ଖୋଲି ହସୁଥାଏ । ସେତେବେଳେ ତା’ର ଦାନ୍ତଗୁଡ଼ିକ (ବିଶେଷତଃ ପାଟି ଆଗରେ ଥିବା ସୁନା ଦାନ୍ତ ଦୁଇଟି) ଦେଖି ମୋ ମନ ଉତ୍ତ୍ୟକ୍ତ ହୋଇ ଉଠୁଥାଏ-। ମୁଁ ଦେଖିଲି ଯେ ସମ୍ମୁଖସ୍ଥ ଲୋକମାନେ ଘରଉଡ଼ା ପାଇଁ ଅଗ୍ରୀମ ଟଙ୍କା ବଢ଼ାଉଥା’ନ୍ତି । କଥା ହେଉଛି ଯେ, ଯାହାର ଟଙ୍କା ଘରମାଲିକ ଗ୍ରହଣ କରିବ, ସେହି ବ୍ୟକ୍ତି ଘରଟି ଉଡ଼ାରେ ପାଇବ-। ଏଥିପାଇଁ ଠେଲାପେଲା ଓ ଷଡ଼ଯନ୍ତ୍ର ଚାଲିଥାଏ । ଏହି ଦୃଶ୍ୟ ଘରମାଲିକ ତା’ର ସୁନାଦାନ୍ତ (ସୁନାରେ ତିଆରି ଦାନ୍ତ) ଦେଖାଇ ଉପଭୋଗ କରୁଥାଏ । ସେ ମତେ ଟିହାଇବାକୁ କଣେଇ କଣେଇ ଚାହୁଁଥାଏ । ତା’ ସହିତ ମୁକାବିଲା କରିବା ପାଇଁ ମୁଁ ଚାହୁଁ ନଥିଲି । ତେଣୁ ମୁଣ୍ଡ ପୋତି ପୋତି ବାରଣ୍ଡାରୁ ଦାଣ୍ଡ-ପାଚେରୀ ଆଡ଼କୁ ଭାରି ଚମଡ଼ା ହ୍ୟାଣ୍ଡ-ବ୍ୟାଗଟି ଓ ବେଡ଼ିଂଟି ଧରି ଆଗେଇଲି ଏବଂ ସେଠାରେ ରହି ରିକ୍‌ସାକୁ ଅପେକ୍ଷା କଲି । ରାଜଲକ୍ଷ୍ମୀ ଏତେବେଳ ଯାଏଁ ଆଜି କାମକୁ ଆସି ନ ଥିବାରୁ ମୁଁ ନିଜକୁ ବଡ଼ ଭାଗ୍ୟବାନ ମଣୁଥାଏ । ପ୍ରକୃତରେ, ଏହି ଉଚ୍ଛୁଙ୍ଖଳ ଅବିବାହିତା ଯୁବତୀଟି ମୋ ପାଇଁ ଗୋଟିଏ ଶନିଗ୍ରହ । ସେ ବର୍ତ୍ତମାନ ଏଠାରେ ଥିଲେ ମୋ ପ୍ରତି ବିଭିନ୍ନ ପ୍ରକାର, ବ୍ୟଙ୍ଗ ବିଦ୍ରୁପ କରିଥାନ୍ତା । ତାକୁ କେନ୍ଦ୍ର କରି ନାନାପ୍ରକାର କଳ୍ପନା ମୁଁ କରୁଥିବାବେଳେ, ସେ ଲକ୍ଷ୍ମୀର ଘରେ କାମ କରିବାକୁ ହଠାତ୍ ଦାଣ୍ଡପଟୁ ମାଡ଼ିଆସିଲା । ତା’ର ଆର୍ବିଭାବରେ ମୁଁ ପ୍ରମାଦ ଗଣିଲି ଓ ତାକୁ ନ ଦେଖିବା ପରି ରହିଲି । କିନ୍ତୁ, ସେ ତା’ ଆଡ଼ୁ ପ୍ରଶ୍ନ କଲା, ‘ବାବୁ ! ଆଜି ଚାଲି ଯାଉଛ କି ?” ମୁଁ ତା’ ସହିତ ସୁଖଦୁଃଖ ସମ୍ପର୍କରେ କଥାଭାଷା ହେବାକୁ ଚାହୁଁ ନ ଥିଲେ । ତେଣୁ କେବଳ ମୁଣ୍ଡ ହଲାଇ ସମ୍ମତି ଜଣାଇଲି । କିନ୍ତୁ ସେ ସହଜରେ ତୁନି ପଡ଼ିବା ଲୋକ ନୁହେଁ । ଚୁଗୁଲି କରି କହିଲା, ‘ଲକ୍ଷ୍ମୀ-ମା’କୁ ବିଦା କରିଦେବ ବୋଲି ପଇତା ଛୁଇଁ ପ୍ରମାଣ କରିଥିଲ । ଆମେ ଯିବା ତ ଦୂରର କଥା… ଏବେ ତମେ ନିଜେ ବିଦା ହୋଇଯାଉଛ । ….ବାଃ, ମରଦ୍‌କା ବାତ୍….’ ତା’ ମନ୍ତବ୍ୟରେ ମୁଁ ଉତ୍‌କ୍ଷିପ୍ତ ହୋଇଗଲି ଏବଂ ହିଂସ୍ରଭାବେ କହିଲି, 'କ’ଣ କହିଲୁ ? ...ମୋ ପୁରୁଷପଣ ବିଷୟରେ ତୋର ସନ୍ଦେହ ହେଉଛି ? ମୋର ଅଙ୍ଗମାନ ପରୀକ୍ଷା କରିବାକୁ ତୋର ଇଚ୍ଛା ହେଉଛୁ କି ?’ ମୋର ଏହି କ୍ରୂଦ୍ଧ ଶବ୍ଦଗୁଡ଼ିକ ଶୁଣିବା ପୂର୍ବରୁ ସେ ଘରଭଡ଼ା ସମ୍ପର୍କରେ ବାରଣ୍ଡାରେ ଯେଉଁ ହାଟ ବସିଛି, ସେଠାକୁ ଯାଇ ଘରମାଲିକଠାରୁ ସବୁ ଖବର ବୁଝିନେଲା । ମୁଁ ଅନୁମାନ କରୁଛି ଯେ ମୁଁ ତା’ ବିରୁଦ୍ଧରେ ପୂର୍ବରୁ ସମସ୍ତଙ୍କୁ କହିଥିବା ବିଷୟ ସେ ଘରମାଲିକ ଠାରୁ ଜାଣିଥିବ । ତା’ପରେ ରାଜଲକ୍ଷ୍ମୀ ଉପରମହଲାକୁ ଗଲା ଏବଂ ଚିନମ୍‌କୁ କାଖେଇ ଉପରମହଲାର ବାଲ୍‌କୋନିରେ ଠିଆ ହେଲା । ମୁଁ ଉପରକୁ ଚାହିଁ ଦେଖିଲି ସେ ଚିନମ୍‌ର ହୁଇସିଲ୍‌ଟି (ଯାହାକି ଚିନମ୍ ଅନେକ ସମୟରେ ଖେଳନାଭାବେ ବ୍ୟବହାର କରି ମନୋରଞ୍ଜନ କରିଥାଏ), ସେ ନିଜ ହାତରେ ଧରିଛି । ଯଦି ଭଡ଼ାଟିଆ ପ୍ରାର୍ଥୀମାନଙ୍କ ମଧ୍ୟରୁ କେହିଜଣେ ତିନି ଚାରିଟଙ୍କା ଭଡ଼ା ବଢ଼ାଇବାର ଘୋଷଣା କରେ ତାହାହେଲେ ରାଜଲକ୍ଷ୍ମୀ ତତ୍‌ପରତାର ସହିତ ହୁଇସିଲ‌୍‌ଟି ଚିନମ୍‌‌ର ପାଟିରେ ପୁରାଇ ଦିଏ, ଏବଂ ଚିନମ୍ ସୁ' ସୁ’ କରି ଖୁବ୍ ଜୋରରେ ହୁଇସିଲ୍‌ଟି ଦୁଇ ଚାରିଥର ଫୁଙ୍କି ଉତ୍କଟ ଶବ୍ଦ କରେ । ଇଚ୍ଛା ନ ଥିଲେ ସୁଦ୍ଧା, ବେଳେବେଳେ ମୁଁ ପଛକୁ ମୁହଁ ବୁଲାଇ ସେମାନଙ୍କୁ ଚାହେଁ । ସେଇ ସମୟରେ ମୋ ମୁହଁ ଆପାତତଃ ଫିକା ପଡ଼ିଯାଏ । କାରଣ ଏହି ହୁଇସିଲ୍ ବଜାଇବା ପଛରେ ମତେ ଅପମାନିତ ଓ ଉତ୍ତେଜିତ କରିବା ପାଇଁ ରାଜଲକ୍ଷ୍ମୀର ଖଳ ଉଦ୍ଦେଶ୍ୟ ଥିବାର ମୁଁ ସ୍ପଷ୍ଟ ଭାବେ ବୁଝି ପାରୁଛି । ସେ ଏହାଦ୍ଵାରା ମତେ ଚେତାଇ ଦେବାକୁ ଚାହୁଁଛି ଯେ ମୁଁ ସେଠାରେ ଉପସ୍ଥିତ ଥବା ଲୋକମାନଙ୍କୁ ଏଥି ପୂର୍ବରୁ ତା’ର (ଅର୍ଥାତ୍ ରାଜଲକ୍ଷ୍ମୀର) ଖଳ ବୁଦ୍ଧି ସମ୍ପର୍କରେ ଯେତେ ବୁଝାଇଥିଲେ ମଧ୍ୟ କେହି ମୋ କଥାକୁ ଗୁରୁତ୍ଵ ଦେଉ ନାହାନ୍ତି; ବରଂ ସେମାନେ ଅଧିକ ଭଡ଼ା ଦେଇ ସେ ଘରେ ରହିବାକୁ ପ୍ରସ୍ତୁତ ଅଛନ୍ତି । ଏହି ପରିସ୍ଥିତିରେ ରାଜଲକ୍ଷ୍ମୀ ଗର୍ବ ଅନୁଭବ କରୁଛି ଏବଂ ମତେ ପରାଜିତ କରିଛି ବୋଲି ଭାବୁଛି । ତା’ର ଏହି ବିଜୟ-ଉଲ୍ଲାସକୁ ସେ ଚିନମ୍ ଦ୍ଵାରା ହୁଇସିଲ ବଜାଇ ଉପଭୋଗ କରୁଛି । ଏଥିରେ ମୁଁ ନିଜକୁ ବଡ଼ ଅପମାନିତ ବୋଧ କଲି । ଏଠାରୁ ଶୀଘ୍ର ଚାଲିଗଲେ ମୋର ଆତ୍ମମର୍ଯ୍ୟାଦା ରକ୍ଷା ହେବ ବୋଲି ମୁଁ ଭାବୁଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି ଖାଲି ରିକ୍‌ସା ଆସୁ ନ ଥାଏ । ପ୍ରକୃତରେ, ମୋର ହ୍ୟାଣ୍ଡ ବ୍ୟାଗ୍ ଓ ବେଡ଼ିଂଟି ଭାର ହୋଇ ନ ଥିଲେ ମୁଁ ଚାଲି ଚାଲି ଏଠାରୁ ଷ୍ଟେସନକୁ ଚାଲି ଯାଇଥା’ନ୍ତି । ଯାହାହେଉ ପ୍ରାୟ ଦଶ ପନ୍ଦର ମିନିଟ୍ ପରେ ଗୋଟିଏ ଖାଲି ରିକ୍‌ସା ଖୋଲା ଭାବେ ଯାଇଥିବାର ମୁଁ ଦେଖିପାରିଲି । ମୁଁ ତାକୁ ଅଟକାଇବାକୁ କହି ଏବଂ ତା’ର ଅଟକିବା-ନ-ଅଟକିବା ପ୍ରତି ସତର୍କ ନ ହୋଇ ଆତ୍ମସମ୍ମାନ ଦୃଷ୍ଟିରୁ ତତ୍‌କ୍ଷଣାତ୍ ଗୋଟିଏ ଅନୁମାନିକ ଲମ୍ଫ ମାରି ଚଳନ୍ତା ରିକ୍‌ସାଟି ଉପରକୁ ଡେଇଁ ପଡ଼ିଲି । ରିକ୍‌ସାରେ ଯିବାବେଳେ ବୁଜି ହୋଇ ରହିଥିବା କନା-ଛାତଟିକୁ ଛତା ପରି ମୋ ମୁଣ୍ଡ ଉପରେ ବିଛାଇବାକୁ ରିକ୍‌ସାବାଲାକୁ କହିଲି–ସତେ ଯେମିତି ସେତେବେଳେ ଲଜ୍ଜା ଓ ଅପମାନରୁ ରକ୍ଷା ପାଇବାକୁ ମୁଁ କୌଣସି ଏକ ଅନ୍ଧାର କୋଣରେ ଆତ୍ମଗୋପନ କରିବାକୁ ଚାହୁଁଥିଲି ।

񤦬񰊸񤦬

 

ଶ୍ରୀ ନରେଶ ଚନ୍ଦ୍ର ରଥଙ୍କ ଆତ୍ମଜୀବନୀରୁ :

 

ଲୋକେ କହନ୍ତି ଯେ ଅଜାଗା ଘା’ ଦେଖି ହୁଏ ନାହିଁ କିମ୍ବା ଦେଖାଇ ହୁଏ ନାହଁ । ହୁଏତ ଏହା ଦେଖି ହେବ ନାହିଁ । କିନ୍ତୁ ଦେଖାଇ ହେବ...ଅନ୍ତତଃ ଜଣକୁ-ନିଜ ସ୍ତ୍ରୀକୁ । ଏମିତି ବିଶେଷ କ୍ଷମତାର ଅଧିକାରିଣୀ ମୋ ସ୍ତ୍ରୀ, ଜ୍ୟୋତ୍ସାମୟୀ ରଥ, ସହିତ ମୋ ‘ସମ୍ବନ୍ଧ’ ବିଷୟରେ ଏଠାରେ ଲେଖୁଛି ।

 

ମୋର ଜନ୍ମସ୍ଥାନ ହେଉଛି ନୂଆଁ ଗାଁ । ଗୋଟିଏ ମଫସଲ । ମୁଁ ଆମ ଗାଁ ଠାରୁ ପ୍ରାୟ କୋଡ଼ିଏ ମାଇଲ ଦୂରରେ ଥିବା ଗୋବିନ୍ଦପୁର ହାଇସ୍କୁଲରେ ପଢୁ଼ଥାଏ । ମତେ ଦଶ ବର୍ଷ ହୋଇଥିବା ବେଳେ ଆମ ପରିବାରର ପାରମ୍ପରିକ ରୀତିରେ ଜ୍ୟୋତ୍ସ୍ନାମୟୀ ସହିତ ମୋର ବାଲ୍ୟ ବିବାହ ହେଲା । ସେତେବେଳେ ତା’ର ବୟସ ଥିଲା ନଅ ବର୍ଷ । ଆମ ବିବାହର ପାଞ୍ଚ ଛଅ ବର୍ଷ ପରେ ମୋ ସ୍ତ୍ରୀ ଗୃହଯୋଗ୍ୟ ହେଲା । ତେଣୁ ଶ୍ଵଶୁର, ଝିଅକୁ-ଶାଶୁଘରକୁ ଶୀଘ୍ର ପଠାଇବା ପାଇଁ ତତ୍ପର ହେଲେ । ମୋ ବାପାଙ୍କୁ ସେ ଏହି ବିଷୟରେ ସେ ସୂଚାଇଲେ । କିନ୍ତୁ ବାପା ଏହି ପ୍ରସ୍ତାବକୁ କିଛି ସମୟ ବନ୍ଦ ରଖିବାକୁ କହିଲେ, କାରଣ ସେତେବେଳେ ମୁଁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି ।

 

ମୋର ମାଟ୍ରିକ୍ ପରୀକ୍ଷା ସରିବା ପରେ, କିନ୍ତୁ ପରୀକ୍ଷା ଫଳ ଜଣା ପଡ଼ିବା ପୂର୍ବରୁ, ବିହାହ-ତିଥି ପାଞ୍ଜି ଦେଖି ସ୍ଥିର କରାଗଲା । ଦୁର୍ଭାଗ୍ୟବଶତଃ ସେହି ବିବାହ-ଯୋଗ ସମୟକୁ ମୋର ବୁଢ଼ା ଗୋସାଇଁ ବାପାଙ୍କ ଅଚାନକ ମୃତ୍ୟୁ ଘଟିଲା । ପୁରୋହିତ କହିଲେ ଯେ, ଆଗାମୀ ଏକବର୍ଷ ଯାଏଁ ଆମ ଘରେ କୌଣସି ପ୍ରକାର ଶୁଭକାର୍ଯ୍ୟ କରାଯାଇ ପାରିବ ନାହିଁ । ତେଣୁ ମୋର ବିବାହ ବର୍ଷକ ପାଇଁ ଘୁଞ୍ଚାଇ, ଆସନ୍ତା ଖରାଛୁଟିରେ କରିବା ପାଇଁ ସ୍ଥିର ହେଲା ।

 

ଇତ୍ୟବସରରେ, ମୁଁ ତୃତୀୟ ଶ୍ରେଣୀରେ ମାଟ୍ରିକ୍ ପାସ୍‍ କରି, ଗୋବିନ୍ଦପୁରର କଲେଜରେ ନାମ ଲେଖାଇଛି । ମୋର ଆଇ.ଏ.ପ୍ରଥମ ବର୍ଷ । ଆମର ପ୍ରଥମ ବର୍ଷରେ ବିଶ୍ଵବିଦ୍ୟାଳୟ ଦ୍ଵାରା ପରୀକ୍ଷା ହୁଏ ନାହିଁ । କେବଳ ଶ୍ରେଣୀରେ ଉପସ୍ଥାନ ଦେଖି ପାଶ୍ କରାଯାଇଥାଏ । ତେଣୁ ଛାତ୍ରମାନେ ପାଠପଢ଼ା ପ୍ରତି ବିଶେଷ ଗୁରୁତ୍ଵ ଦିଅନ୍ତି ନାହିଁ । ଏହି କାରଣରୁ ସମସ୍ତେ କହନ୍ତି–First Year is Marriage Year ଏହି ‘ବିବାହ-ବର୍ଷ’ ରେ ଖରାଛୁଟିରେ ଶେଷ ଆଡ଼କୁ ମୋର ବିବାହ ଦିନ ସ୍ଥିର କରାଯାଇଥାଏ । ମୁଁ ଗାଁକୁ ପ୍ରାୟ ଦଶଦିନ ଆଗରୁ ଚାଲି ଯାଇଥିଲି ! କାହାରିକୁ ମୁହଁ ଦେଖାଇବାକୁ ଲାଜ ମାଡ଼ୁଥାଏ । ତଥାପି ମନେ ମନେ ପୁଆଣୀରାତି ବିଷୟରେ ଅସରନ୍ତି ରଙ୍ଗୀନ କଳ୍ପନା କରୁଥାଏ ।

 

ମୋର ଶ୍ୱଶୁରଘର ବାଳମୁକୁନ୍ଦପୁର ଶାସନରେ । ଶ୍ୱଶୁରଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ । ତେଣୁ ଯଥେଷ୍ଟ ଯୌତୁକ ପାଇବାର ସମ୍ଭାବନା ଥିଲା । ଝିଅ ଆମ ଗାଁକୁ କାରରେ ରାତି ଆଠଟା ବେଳେ ପହଞ୍ଚିବ । ତା’ ସହିତ ଗୋଟିଏ ଟ୍ରକରେ ଯୌତୁକ ଜିନିଷ ପଠାଯିବ । ଆମ ଗାଁ ପିଚୁ ରାସ୍ତାଠାରୁ ବହୁତ ଦୂରରେ ନ ଥବା ଯୋଗୁଁ ଯାନବାହାନ ଆସିବାରେ କୌଣସି ଅସୁବିଧା ନ ଥାଏ-। ତେଣୁ ଶ୍ଵଶୁରଙ୍କ ତରଫରୁ ଯୌତୁକ ସରଞାମ ଟ୍ରକରେ ଓ ଝିଅକୁ କାରରେ ପଠାଇବା ପାଇଁ ସବୁ ବନ୍ଦୋବସ୍ତ ହୋଇଥିଲା । ନିର୍ଦ୍ଧାରିତ ସମୟ ଅନୁଯାୟୀ କନ୍ୟା ଓ କନ୍ୟା ଯାତ୍ରୀମାନେ ରାତି ଆଠଟା ବେଳେ ଆମ ଗାଁରେ ପହଞ୍ଚିବା କଥା । କିନ୍ତୁ ସେମିତି କିଛି ସୂଚନା ମିଳିଲା ନାହିଁ । ଆମର କେତେ ଜଣ ବନ୍ଧୁ ବାନ୍ଧବ ଉଦବିଗ୍ ହୋଇ ପିଚୁରାସ୍ତା ଆଡ଼କୁ ଗଲେ । ବହୁତ ସମୟ ଅପେକ୍ଷା କଲେ ସୁଦ୍ଧା ସେମାନେ ଗାଡ଼ିର ହର୍ଣ୍ଣ ଶୁଣି ପାରିଲେ ନାହିଁ କିମ୍ବା କୌଣସି ଯାନର ହେଡ଼ ଲାଇଟରୁ ଆଲୋକ ରେଖାଟିଏ ଦେଖି ପାରିଲେ ନାହିଁ । ତେଣୁ ନିରାଶ ହୋଇ ପ୍ରାୟ ରାତି ଦଶଟା ବେଳେ ଘରକୁ ଫେରିଲେ । ଅଧିକାଂଶ ନିମନ୍ତ୍ରିତ ଲୋକ ଖାଇ ପିଇ ଶୋଇଲେଣି । କିନ୍ତୁ ମତେ ନିଦ ନାହିଁ-। ମୁଁ ଚାତକ ପରି ଆମ ଘରର ଉପରମହଲାରେ ଚାହିଁ ବସିଥାଏ । କିଛି ସମୟପରେ କନ୍ୟାପକ୍ଷର ଜଣେ ଆସି ଖବର ଦେଲା ଯେ, ଯେଉଁ ଗାଡ଼ିରେ କନ୍ୟା ଆସିବାକୁ ଥିଲା, ସେ ଗାଡି଼ବାଲା ଅନ୍ୟ ତିନି ଚାରୋଟି ମ୍ୟାରେଜ୍ ପାର୍ଟିଠାରୁ ଆଡ଼ଭାନ୍‌ସ ଟଙ୍କା ନେଇ ଯାଇଛି । ତେଣୁ ଗୋଟିଏ ପରେ ଗୋଟିଏ କନ୍ୟାକୁ ବରଘରେ ପହୁଞ୍ଚାଇ ଆସୁଛି । ବର୍ତ୍ତମାନ ମୋ ସ୍ତ୍ରୀକୁ ଆଣିବା ପାଇଁ ତା’ର ଦୟା ହେଲା । ଉପରୋକ୍ତ ଲୋକଟି ପୁଣି ଜଣାଇଲା ଯେ, ଗାଡ଼ି ବାଳମୁକୁନ୍ଦପୁର ଛାଡ଼ିଲାଣି, ଏଠାରେ ଶୀଘ୍ର ପହଞ୍ଚିଯିବ । ଏହା ଶୁଣି ମୁଁ ଆଶ୍ଵସ୍ତ ହୋଇଗଲି । ପ୍ରାୟ ଅଧ ଘଣ୍ଟା ପରେ ଶଙ୍ଖ ଧ୍ଵନି ଶୁଣି ମୋ ଆନନ୍ଦ ଦ୍ଵିଗୁଣିତ ହୋଇଗଲା । ମାଇପିମାନେ ବାରମ୍ବାର ହୁଳୁହୁଳି ରାବ ଦେଲେ ଓ ସେମାନଙ୍କ ମଧ୍ୟରୁ କେତେଜଣ ଶାଢ଼ୀରେ ବାଡ଼ ତିଆରି କରି, ମୋ ସ୍ତ୍ରୀକୁ ଘୋଡ଼ାଇ କାର୍‌ରୁ ଓହ୍ଲାଇଲେ ଓ ଜାଗ୍ରତରେ ତାକୁ ଘର ଭିତରକୁ ଆଣିଲେ ।

 

ଆମ ଘରର ଲମ୍ବ ଦୁଇଶହ ଫୁଟ । କିନ୍ତୁ ଓସାର ଦଶ ଫୁଟରୁ କିଛି କମ ହୋଇପାରେ । ତେଣୁ ସାଇଡ୍ ରୁମ୍‌ର ପ୍ରଶ୍ନ ଉଠୁ ନାହିଁ । ଘରର ବାରଣ୍ଡାରୁ ବାଡ଼ିପଟକୁ ଯିବାକୁ ହେଲେ, ପ୍ରତ୍ୟେକ ବଖରା ଦେଇ ଯିବାକୁ ହୋଇଥାଏ । ଘରର ମଧ୍ୟଭାଗରେ ଗୋଟିଏ ବଖରାରେ ପୁଆଣୀ ପାଇଁ ହୋମ୍ କରିବାରୁ ଆବଶ୍ୟକୀୟ ବ୍ୟବସ୍ଥା ହୋଇଥିଲା । ମୁଁ ଏଥିପାଇଁ ଧୋତି ପିନ୍ଧି ପ୍ରସ୍ତୁତ ହୋଇଗଲି । ହୋମଘରକୁ ମୋ ସ୍ତ୍ରୀକୁ ଅଣାଗଲା । ଶାସ୍ତ୍ରାନୁସାରେ ଏହି ହୋମ-କାର୍ଯ୍ୟରେ ମାମୁଁ-ଶ୍ୱଶୁରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ସେ କନ୍ୟାପକ୍ଷର ପ୍ରକୃତ ପ୍ରତିନିଧିତ୍ଵ କରିଥା'ନ୍ତି । ମୋର ମାମୁଁ-ଶ୍ୱଶୁରଙ୍କ ଗୋଟିଏ ବଶିଷ୍ଟ ଗୁଣ ହେଉଛି ଯେ, ସେ ଶାସନ-ଗାଁର ଜଣେ ଜଣାଶୁଣା ପଣ୍ଡିତ ଏବଂ କେତେକ ସ୍ଥଳରେ ମଧ୍ୟ ଯଜମାନି କରିଛନ୍ତି । ଆମ ଘରର ପୁରୋହିତ ଏହି ବିଷୟ ପୂର୍ବରୁ ଜାଣିଥିବା ଯୋଗୁଁ ଖୁବ୍‍ ସତର୍କତାର ସହିତ ଗୋଟିଏ ପରେ ଗୋଟିଏ ଶ୍ଳୋକ ପ୍ରାଞ୍ଜଳ ଭାବେ ବୋଲୁଥା’ନ୍ତି ଓ ହୋମ କାଠ ଉପରେ ଥରକୁ ଥର ଘିଅ ଢାଳି ଅଗ୍ନିଶିଖାକୁ ଉତ୍ତେଜିତ କରୁଥା’ନ୍ତି । ମୋ ବିବାହ ଗ୍ରୀଷ୍ମ ଋତୁରେ ହୋଇଥିଲା । ପୁଣି ଆମ ଘରର ଲମ୍ବା ଟ୍ରେନ ପରି ହୋଇଥବାରୁ ଭଲଭାବେ ପବନ ଯାତାୟତ କରି ପାରୁ ନ ଥିଲା । ତେଣୁ ନିଃଶ୍ୱାସ ପ୍ରଶ୍ଵାସ ଖୋଲାଭାବେ ନେଇ ହେଉ ନ ଥାଏ । ଏମିତି ପରିବେଶରେ ହୋମ କାଠ ଦାଉ ଦାଉ ହୋଇ ଜଳିବା ଯୋଗୁଁ, ମୁଁ ଭାବୁଥାଏ; ହୋମ ଶେଷ ହେବାବେଳକୁ ମୁଁ ଜୀବନ୍ତ ଦଗ୍‌ଧ ହୋଇ ଶେଷ ହୋଇଯିବ । ଶୀଘ୍ର ଶୀଘ୍ର ଶ୍ଳୋକ ବୋଲିବା ପାଇଁ ମୁଁ ପୁରୋହିତଙ୍କୁ ପ୍ରତ୍ୟକ୍ଷ ଭାବେ ସୂଚନା ଦେଇ ପାରୁ ନ ଥାଏ; କାରଣ ଏହା ଫଳରେ ହୁଏତ, ଉପସ୍ଥିତ ବନ୍ଧୁ ବାନ୍ଧବ ମୋର ପ୍ରକୃତ ଉଦ୍ଦେଶ୍ୟ ବୁଝିବେ ନାହିଁ ଏବଂ ଓଲଟି ମୋତେ କାମାତୁର ବୋଲି ସନ୍ଦେହ କରିବେ । ପ୍ରକୃତରେ ମତେ କେହି କାମାସକ୍ତ କହି ଦେବେ ବୋଲି ମୁଁ ଏତେଦୂର ସଚେତନ ଥିଲି ଯେ ପାଖରେ ବସିଥିବା ମୋ ସ୍ତ୍ରୀକୁ ଦେଖିବା ପାଇଁ ପ୍ରବଳ ଇଚ୍ଛା ହେଉଥିଲେ ସୁଦ୍ଧା ମୁଁ ତା’ ଆଡ଼କୁ ଭୁଲବଶତଃ ମଧ୍ୟ ମୁହଁ ନ ବୁଲାଇ, ସିଧା ଆଗକୁ ପଲକହୀନ ଭାବେ ଚାହିଁ ରହିଥାଏ । ମତେ ଦେଖି ସେଠାକାର କେହି କେହି ଭାବୁଥିବେ ଯେ ମୁଁ ଏନ୍. ସି. ସି. ପ୍ୟାରେଡ୍‌ର ‘‘ସାବଧାନ-ପୋଜିସନ୍‌ରେ ଅଛି ।’’

 

ପ୍ରାୟ ରାତି ତିନିଟା ବେଳେ ହୋମକାର୍ଯ୍ୟ ଶେଷ ହେଲା । ମାମୁଁ-ଶ୍ଵଶୁର ସେ ଘରେ ଥିବା ହୋମ ବାଲି ଦରପୋଡ଼ା କାଠ, ଫୁଲ, ପତ୍ର ଇତ୍ୟାଦି ଗୋଟିଏ କୁଣ୍ଢିରେ ଭର୍ତ୍ତି କଲେ ଏବଂ ସେଗୁଡ଼ିକୁ ଫୋପାଡ଼ିବା ପାଇଁ ପୋଖରୀକୁ ଗଲେ । ଇତ୍ୟବସରରେ ଖାଇବା ପାଇଁ ମତେ ଘରୁ ଡକରା ଆସିଲା । ଶାସ୍ତ୍ର ମାନି ଦିନ ସାରା ଭୋକରେ ରହିଥିଲେ ସୁଦ୍ଧା, ଏମିତ ଅବେଳରେ ଖାଇବାକୁ ମୋର ଆଦୌ ଇଚ୍ଛା ହେଲା ନାହଁ । ନାଁକୁ ମାତ୍ର ଅଇଁଠା ହୋଇ ଭାତ ଥାଳି ପାଖରୁ ଉଠିଗଲି । ଦେଖିଲି ସେ, ଯେଉଁ ଘରେ ହୋମ ହୋଇଥିଲା, ସେହି ସ୍ଥାନଟି ଭଲଭାବେ ଝାଡୁ଼ ବୁଲାଇ ନିର୍ମଳ କରାଗଲାଣି । ଏଠାରେ ଆମର ମଧୁଶଯ୍ୟା କରାଯିବ । ଏହିସବୁ ଆୟୋଜନ ଚାଲିଥିବା ବେଳେ, ମୁଁ ସେଇ ବଖରାରେ ଠିଆ ହୋଇ ରହିବାକୁ ଲାଜେଇଲି । ମୋର ଇଚ୍ଛା ହେଲା ମୁଁ ଏହି ବଖରା ଛାଡ଼ି ଦାଣ୍ଡ ଘରକୁ ଚାଲିଯିବି । ଯେତେବେଳେ ମଧୁଶଯ୍ୟା ପ୍ରସ୍ତୁତ ହେବ, ବନ୍ଧୁବାନ୍ଧବମାନେ ମତେ ଟାଣି ଓଟାରି ଆଣନ୍ତୁ–ଏହା ମୁଁ ଚାହୁଁଥାଏ । ଏମିତ ହେଲେ, ଲୋକ-ଆଖିରେ କଥାଟା ସୁନ୍ଦର ଦିଶିବ । ତେଣୁ ହୋମ-ଘରୁ ଦାଣ୍ଡ ବଖରାକୁ ଚାଲିଯିବି ବୋଲି ଆଗେଇଲି । କିନ୍ତୁ ଦାଣ୍ଡଘର ଓ ଅନ୍ୟାନ୍ୟ ବଖରାର ଅଧିକାଂଶ ସ୍ଥାନ ଯୌତୁକ ସାମଗ୍ରୀ ଯୋଗୁଁ ଭର୍ତ୍ତି ହୋଇ ଯାଇଛି । ଆଉ ଯାହା କିଛି ଜାଗା ବଳକା ଥିଲା, ସେଥିରେ କୁଣିଆଁ ମଇତ୍ରମାନେ ବିଶୃଙ୍ଖଳିତ ଭାବେ ଠେଲାଠେଲି ହୋଇ ଶୋଇଥିଲେ । ତେଣୁ ଦାଣ୍ଡଘରକୁ ଯିବାର କୌଣସି ଉପାୟ ନ ପାଇ ନିକଟସ୍ଥ ବଖରାର ଗୋଟିଏ କୋଣରେ ସାପ ପରି ମଳା ବାନ୍ଧି ନିର୍ବିକାର ଚିତ୍ତରେ ଶୋଇବାର ଛଳନା କଲି । କିଛ ସମୟ ଯାଏଁ ଗୋସେଇଁ ମା’ ଓ ଭାଉଜ ଖୋଜାଖୋଜି କରିବାପରେ ମତେ ଦେଖି ପାରିଲେ । ମତେ କୁତୁକୁତୁ କରି ଉଠାଇଲେ । ତା’ପରେ ହୋମ ହୋଇଥିବା ଘର ଭିତରକୁ ଠେଲି ଠେଲି ନେଇଗଲେ । ଠିକ୍ ସେମିତି ମୋ ଭଉଣୀମାନେ ଜ୍ୟୋତ୍ସ୍ନାକୁ ସାମନାରେ ଥିବା ବିପରୀତ କବାଟ ବାଟେ ସେହି ଘର ଭିତରକୁ ଭିଡ଼ି ଓଟାରି ଆଣିଲେ-। ଆମ ଦୁହିଁଙ୍କୁ ସେ ବଖରାରେ ବନ୍ଦୀ ରଖି ବାହାର ପଟୁ କବାଟ କିଳି ଦେଲେ ।

 

କିଛି ସମୟ ଯାଏଁ ମୁଁ ଖୁବ୍ ସତର୍କତାର ସହିତ ଚାରିପଟକୁ କାନେଇଲି । ସେତେବେଳେ ମୋର ହୃଦ୍‌ବୋଧ ହେଲା ଯେ, କୌଣସି ଦିଗରୁ ସାମାନ୍ୟ ଶବ୍ଦ ମଧ୍ୟ ଶୁଭୁ ନାହିଁ, ମୁଁ ନିଶ୍ଚିନ୍ତ ହୋଇଗଲି । ତା’ପରେ ଘରର ଚତୁର୍ଦ୍ଦିଗରେ ଆଖି ବୁଲାଇଲି । ସେ ବଖରାର ଗୋଟିଏ କୋଣରେ ଦୀପଟିଏ ଜଳୁଥାଏ । ସେଥିରେ ଘିଅ ଭର୍ତ୍ତି କରାଯାଇଥିଲା । ମତେ ବାରମ୍ଵାର ସତର୍କ କରାଯାଇଛି, ଦୀପଟି ଯେମିତି ଲିଭି ନ ଯିବ । ଏଥିପାଇଁ ମଝିରେ ମଝିରେ ସଳିତାକୁ କାଠି ଦ୍ଵାରା ସଜାଡ଼ିବାକୁ ପଡ଼ିବ । ଦୀପଠାରୁ ଅଳ୍ପ ଦୂରରେ ଚଟାଣରେ ଗୋଟିଏ ଶେଯ ବିଛା ଯାଇଥିଲା । ବୋଧହୁଏ ଫୋଲଡ଼୍ ଖଟ ପକାଇବାକୁ ବହୁତ ସମୟ ଲାଗିବ ବୋଲି, ତରବରିଆ ଭାବେ ଏମିତି ବନ୍ଦୋବସ୍ତ କରାଯାଇଛି । ଜ୍ୟୋତ୍ସ୍ନା ଘରର ବିପରୀତ କୋଣରେ ଓଢ଼ଣା ଦେଇ ମୋ ଆଡ଼କୁ ପିଠି କରି ଠିଆ ହୋଇଥିଲା । ମୁଁ ଅନୁମାନ କଲି ଯେ, ସେ ମୋ ଅପେକ୍ଷା ପ୍ରାୟ ଚାଖେଣ୍ଡେ ଅଧିକା ଲମ୍ବା ହେବ । ତେଣୁ ଶାରୀରିକ ଅନୁପାତ ଦୃଷ୍ଟିରୁ ଆମର ମୋଟେ ଭଲ ମ୍ୟାଚ୍ ହେଲା ନାହିଁ । ସମୁଦ୍ର କୂଳରେ କିମ୍ବା ପାର୍କ ଭିତରେ ଅନ୍ୟାନ୍ୟ ଦମ୍ପତିମାନଙ୍କ ପରି ଆମେ ପରସ୍ପର କାନ୍ଧ ଉପରେ ହାତ ଛନ୍ଦାଛନ୍ଦି କରି ଚାଲିଲେ, ଲୋକେ ଆମ ଆଡ଼କୁ ଆଙ୍ଗୁଠି ଦେଖାଇ ହସିବେ । ଏହି କାରଣରୁ ତା’ ସହିତ ରିକ୍‌ସାରେ ଗଲେ ମଧ୍ୟ ରିକ୍‌ସାବାଲାକୁ କଭର ଢାଙ୍କିବା ପାଇଁ କହିବାକୁ ପଡ଼ିବ । ଏହି ଦୀର୍ଘଜୀବନରେ ଏମିତି ପରସ୍ଥିତିମାନ ବାରମ୍ବାର ଆସିପାରେ ଯେ, ତାକୁ ମୋର ସ୍ତ୍ରୀ ବୋଲି କହିବାକୁ ଲଜ୍ଜାବଶତଃ ମୋର ଜିଭ ଲେଉଟିବ ନାହିଁ । ମୋର ଯାହା ମନେ ପଡ଼ୁଛି, ବାଲ୍ୟବିବାହ ସମୟରେ ତା’ର ଉଚ୍ଚତା ମୋ ଠାରୁ ଯଥେଷ୍ଟ କମ୍ ଥିଲା । କିନ୍ତୁ ଇତ୍ୟବସରରେ ଭଗବାନ କାରସାଦି କଲେ ! ତାକୁ ଯେମିତି ଆଖିବୁଜା ଭାବେ ଲମ୍ବାଇବାରେ ଲାଗିଲେ, ଠିକ୍ ସେମିତ କୌଣସି ପ୍ରକାର ଚେକ୍ ନ ଥାଇ, ମୋର ଚଉଡ଼ା ବଢ଼ାଇଲେ । ଆମର ଶାରୀରିକ ବୃଦ୍ଧିରେ ସମତଳ ରହିଲା ନାହିଁ । ଏହି ବିଷୟଟି ଭାବିବା ମାତ୍ରେ ମୋ ମନରେ ବାଲ୍ୟ ବିବାହ ପ୍ରତି ଘୃଣା ଭାବ ଜାତ ହେଲା ।

 

ରାତି ସରିଯାଉଛି ବୋଲି ଭାବି ମୁଁ ବଡ଼ ତତ୍ପର ହୋଇ ପଡ଼ିଲି । ବିଲେଇ ପରି ପାଦ ଚିପି ଚିପି ନିଃଶବ୍ଦରେ ଜ୍ୟୋସ୍ନା ପାଖରେ ପହଞ୍ଚିଲେ । ମୁଁ ଜାଣେ ଯେ ରସିକମାନେ ଇତର ନାରୀମାନଙ୍କୁ ମନେଇବା ପାଇଁ ମିଠା କଥା, ଅଳଙ୍କାର ଉପହାର ଇତ୍ୟାଦି ଦେଇଥା’ନ୍ତି । କିନ୍ତୁ ନିଜ ସ୍ତ୍ରୀ ପାଇଁ ଏ ସବୁରି ଆବଶ୍ୟକତା ନାହିଁ । ମୁଁ ପାଶବିକ ଅତ୍ୟାଚାର ସମ୍ପର୍କରେ ବହୁ ଅଭିଯୋଗମାନ ପଢ଼ିଛି ଓ ଶୁଣିଛି । କିନ୍ତୁ ବେଶ୍ୟା କିମ୍ବା ନିଜ ସ୍ତ୍ରୀ ଉପରେ ଏପର ପାଶବିକ ଅତ୍ୟାଚାରର ପ୍ରଶ୍ନ ଉଠି ନ ପାରେ । ଏହି ବିଶ୍ଵାସ ଥିବା ଯୋଗୁଁ ଜ୍ୟୋତ୍ସ୍ନାକୁ କୌଣସି ପ୍ରକାରେ ମିଠା ସମ୍ବୋଧନ କଲି ନାହିଁ । ତାକୁ ମନାଇବା ପାଇଁ କୌଣସି ଚେଷ୍ଟା କଲି ନାହିଁ । ସିଧା ସଳଖ ତା’ ଅଣ୍ଟାକୁ ଭିଡ଼ି ଧରିବାପାଇଁ ହାତ ବଢ଼ାଇଲି । କିନ୍ତୁ ସେ ମୋ ହାତରୁ ଲମ୍ଫ ମାରି ଖସି ଚାଲିଗଲା-। ତାକୁ ଧରିବା ପାଇଁ କେତେ ଥର ଉଦ୍ୟମ କଲେ ସୁଦ୍ଧା, ସେ ମତେ ଧରା ଦେଲା ନାହିଁ-। ସେତେବେଳେ ମୁଁ ଉପଲବ୍‌ଧି କଲି ସେ ପୋଖରୀର ଚିକକ‌୍‌ଣ ଶେଉଳ କିମ୍ବା ଗଡ଼ିଶା ମାଛ ଧରିବାବେଳେ ମୁଁ ଏତେ ଦୂର ହଟହଟ୍ଟା ହୋଇ ନ ଥିଲି । ଅଳ୍ପ ସମୟ ପରେ ମୋ ମୁଣ୍ଡରେ ଚେତା ପଶିଲା ଏବଂ ତା’ ଅଣ୍ଟା ଆଡ଼କୁ ମୁଁ ଆଉ ହାତ ବଢ଼ାଇଲି ନାହିଁ । କାରଣ ସେ ପାଦରେ ରୂପାର ପଟି ହଳେ ବାନ୍ଧିଥାଏ । ସେଥିରେ ଅସଂଖ୍ୟ ଘାଗୁଡ଼ି ଗୁନ୍ଥା ହୋଇଥିଲା । ତେଣୁ ସେ ମୋ ହାତର ବନ୍ଧନରୁ ଖସିବା ବେଳେ ରୁଣୁଝୁଣୁ ଶବ୍ଦ ହେଉଥାଏ । ପୁଣି ସେତେବେଳେ ଚାରିଆଡେ଼ ନୀରବତା ଥିବା ଯୋଗୁଁ ଏହି ଶବ୍ଦ ବହୁ ଗୁଣରେ ବଢ଼ି ଯାଉଥାଏ । ମୋର ସନ୍ଦେହ ହେଲା ଯେ ହୁଏତ, କେହି ଦୁଷ୍ଟ ମାଇକିନା ଆମେ କ’ଣ କରୁଛୁ ବୋଲି ଜାଣିବାକୁ କବାଟ ସେପଟେ କାନେଇ ରହିଥିବ–ବର୍ତ୍ତମାନର ରୁଣୁଝୁଣୁ ଶବ୍ଦ ସେ ଶୁଣିଲେ, ରାତି ପାହିବା କ୍ଷଣି ଆମକୁ ଥଟ୍ଟା ପରିହାସରେ ଉଡ଼ାଇ ଦେବ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ତତ୍‌କ୍ଷଣାତ ଜ୍ୟୋତ୍ସ୍ନାର ପାଦ ତଳେ ବସି ପଡ଼ିଲି ଓ ସ୍କୃ ମୋଡ଼ି ତା’ର ପାଟି ଦୁଇଟି ଖୋଲି ଦେଲି । ସେଗୁଡ଼ିକୁ ସୁରକ୍ଷିତ କରିବାପାଇଁ ଶେଯର ତକିଆ ତଳେ ରଖିଦେଲି । ତା’ପରେ ମୋର ଦୃଷ୍ଟି ପଡ଼ିଲା କବାଟ ଉପରକୁ । ଅବଶ୍ୟ ବାହାରପଟୁ କବାଟ କିଳି ଦିଆ ଯାଇଛି । କିନ୍ତୁ ଭିତର ପଟୁ ଆମେ କବାଟ ଦେବା ଉଚିତ ହେବ । ନଚେତ ହୁଏତ ଆମକୁ ଅପମାନିତ ହେବାକୁ ପଡ଼ିପାରେ । ମୋର ସନ୍ଦେହ ହେଲା ଯେ ଭୋଜିଭାତରେ କାଳେ କେହି ମାଇପି ଲୋଭରେ ବେକ ଯାଏଁ ଭର୍ତ୍ତିକରି ଖାଇଥିବ ଏବଂ ରାତି ପାହାନ୍ତାରେ ଅଜୀର୍ଣ୍ଣ ଝାଡ଼ା ମାଡ଼ିଲେ, ବାଧ୍ୟ ହୋଇ ବାରି ପାଇଖାନାକୁ ଯିବ । ସେଥିପାଇଁ ତ ଏହି ଘର ଦେଇ ଯିବାକୁ ହେବ । ପୁଣି ନିଦବାଉଳାରେ କେତେକ ଲୋକ ଚଲାବୁଲା ମଧ୍ୟ କରିଥା’ନ୍ତି । ତେଣୁ ଝାଡ଼ା ଚାପରୁ ହେଉ କିମ୍ବା ନିଦବାଉଳାରୁ ହେଉ-କେହି ଯଦି ଧଡ଼ାସ୍ କିନା କବାଟ ଖୋଲି ଦେବ, ତାହାହେଲେ ହୁଏତ ଆମ ଦୁହିଁଙ୍କୁ ଯୁଗଳଅବତାରରେ ଦେଖିପାରେ । ତେଣୁ ମୁଁ ବିଳମ୍ବ ନ କରି ଭିତର ପଟୁ କବାଟ କିଳି ଦେଲି । ମୋ ସ୍ତ୍ରୀ ଏଥିରୁ କ’ଣ ବୁଝିଲା, ତାକୁ ହିଁ ଜଣା । କିନ୍ତୁ ମୁଁ କବାଟ ବନ୍ଦ କରୁଥିବାବେଳେ, ସେ କବାଟ ଖୋଲିବାକୁ ଉଦ୍ୟତ ହେଲା । ଅବଶ୍ୟ ସେ ପାରିଲା ନାହିଁ । ବୋଧହୁଏ, ଇଚ୍ଛା ନ ଥାଇ ଚେଷ୍ଟା କରୁଥିଲା । ବର୍ତ୍ତମାନ ମୁଁ ମୋ କାମ ନିର୍ଭୟରେ କରି ପାରିବି । ସେଥିପାଇଁ ମୁଁ ତାକୁ ଖୁବ୍ ଜୋରରେ ଟାଣିଲି । କିନ୍ତୁ ତାକୁ ଯେତେ ବଳ ଖଟାଇ ଝିଙ୍କିଲେ ସୁଦ୍ଧା ସେ ଶେଯ ଆଡ଼କୁ ପାଦେ ମଧ୍ୟ ଘୁଞ୍ଚିଲା ନାହିଁ । ଦିନ ସାରା ଭୋକରେ ଅଛି । ତଥାପି ତା’ ପାଖରେ ଏତେ ବଳ କେମିତି ଅଛି-? ତାକୁ ଶଯ୍ୟାଶାୟିନୀ କରିବାକୁ ମୋର ସବୁ ବଳ ଓ ବୁଦ୍ଧି ବିଫଳ ହେବା ପରେ ମୁଁ ବଡ଼ ହତାଶ ହୋଇଗଲି । ପରିଶେଷରେ, ଅନ୍ୟ କୌଣସି ଉପାୟ ନ ପାଇ ଭାବିଲି ଯେ, ଠିଆ ଠିଆରେ ଯାହା କିଛି କରିବାକୁ ପଡ଼ିବ । ଆଉ କିଛି ନ ହେଲେ ମଧ୍ୟ ଅତି କମରେ ଗୋଟିଏ ଚୁମ୍ବନ ଦେବା ଉଚିତ୍‌ ହେବ । ସେଥିପାଇଁ ପାଦ ଆଙ୍ଗୁଠି ଟିପରେ ଠିଆ ହେଲି । କିନ୍ତୁ ମୋ ସ୍ତ୍ରୀ ମୋଠାରୁ ଅଧିକ ଚତୁର । ମୋ ମତି ଗତି ବୁଝିପାରି ସେ ମଧ୍ୟ ଆଙ୍ଗୁଠି ଟିପରେ ଠିଆ ହୋଇ ପଡ଼ିଲା । ସେ ତ ମୋ ଠାରୁ ଯଥେଷ୍ଟ ଲମ୍ବା । ତେଣୁ ତା’ ଗାଲ ପାଖରେ ମୋ ଓଠ ଆଉ ପହଞ୍ଚି ପାରିଲା ନାହିଁ-ସେହି ଚାଖଣ୍ଡେ ବ୍ୟବଧାନ ରହିଗଲା । ମୋ ସ୍ତ୍ରୀ ମୋ ଭାବାବେଗକୁ ବେଖାତିର କରିବା ବଡ଼ ଦୁଃଖର ବିଷୟ । ମୁଁ ତା’ର ସଂସ୍ପର୍ଶ ପାଇଁ ବ୍ୟଗ୍ର ହେଉଥିବା ବେଳେ ସେ କୌଣସି ପ୍ରକାର ସହଯୋଗ କରୁ ନ ଥାଏ । ଏମିତିକି ମୁଁ ତା’ ଶାଢ଼ୀର ଆଦି, ଅନ୍ତ ଓ ଗଣ୍ଠି ଜାଣିବାକୁ ଚେଷ୍ଟା କରୁଥିବା ସମୟରେ ସେ କବାଟକୁ ଧଡ୍ ଧାଡ୍ ବାଡ଼େଇଲା । ସେତେବେଳେ କେଉଁଠାରେ କୁକୁଡ଼ା ଗୋଟିଏ ଗୋଟିଏ ବୋବାଇଲେଣି-। କାଉର କା’ କା’ ରାବ ମଧ୍ୟ କ୍ଷୀଣ ଭାବେ ଶୁଭିଲାଣି । ଭାବିନେଲି ଯେ ଏଥର ବାହାର ପଟୁ କବାଟ ଖୋଲା ହୋଇଯିବ । ତେଣୁ ‘‘ଦେହି ପଦ ପଲ୍ଲବ….. ବୋଲି ମନାସି, ତା’ର ଅଣ୍ଟା ପାଖରେ ଅଣ୍ଟା ଭାଙ୍ଗି ଠିଆ ହେବାର କୌଣସି ପ୍ରୟୋଜନୀୟତା ନାହିଁ ବୋଲି ମୁଁ ସ୍ଥିର କଲି । ତତକ୍ଷଣାତ୍‌ ଶେଯକୁ ଯାଇ ଗଡ଼ି ପଡ଼ିଲି । ତା’ପରେ ପାଟି ଖୋଲି ନାକପୁଡ଼ା ଫୁଲାଇ ଘୁଙ୍ଘୁଡ଼ି ମାରିବାକୁ ଚେଷ୍ଟା କଲି–ସତେ ଯେମିତି ମୁଁ ନିଘୋଡ଼ ନିଦରେ ରାତି ସାରା ଶୋଇଛି । ମୋ ସ୍ତ୍ରୀ ଅନବରତ କବାଟ ଖୋଲିବାକୁ ଠକ୍ ଠକ୍ ଶବ୍ଦ କରୁଥାଏ । କିଛି ସମୟ ପରେ ଭାଉଜ କବାଟ ଖୋଲିଲେ-। ସେତେବେଳକୁ ପାହାନ୍ତିଆ ପାଞ୍ଚଟା ସମୟ । ଜ୍ୟୋତ୍ସ୍ନା ଗାଧୋଇବା ପାଇଁ ବାଡ଼ିକୁ ଗଲା । ମୁଁ ଶେଯରେ ନିରାଶ ହୋଇ ପଡ଼ି ରହିଥାଏ-। ମୋ ମନ ଅତି କଦର୍ଯ୍ୟ ଭାବେ ଛଟପଟ ହେଉଥାଏ । ମୁଁ ଭାବି ପାରିଲି ନାହିଁ–ଇଏ କେଉଁ ପ୍ରକାରର ମଧୁଶଯ୍ୟା । ରାତି ସାରା ତ ଶେଯ ଖାଲି ପଡ଼ିଲା…ଆଉ ମଧୁ ମିଳିବ କାହାଠାରୁ ? କେମିତି ?

 

ମୁଁ ଆଉ ବହୁତ ସମୟ ଛଳନାରେ ଶୋଇ ନ ପାରି ବିଛଣା ଛାଡ଼ିଲି । ଦାନ୍ତ ଘଷିବା ପରେ ଟିକିଏ ବିଶ୍ରାମ ନେବା ପାଇଁ ଯୋଜନା କରୁଥିବାବେଳେ ବାପା ରୋଷେଇଶାଳକୁ ଯିବା ପାଇଁ ଆଦେଶ ଦେଲେ । ବାଧ୍ୟ ହୋଇ ଆଜ୍ଞା ମାନିଲି । ସେତେବେଳେ ପୁରି, ଉପମା ଏ ତରକାରୀ ହୋଇ ସାରିଥିଲା । ବର୍ତ୍ତମାନ ମୋର କାମ ହେଉଛି, ସବୁ କୁଣିଆଁମାନଙ୍କୁ ଧାଡ଼ିରେ ବସାଇବା ଏବଂ ସେମାନଙ୍କୁ ଜଳଖିଆ ପରଶିବା । ମୁଁ ଶୁଣିବାକୁ ପାଇଲି ଯେ, ସେମାନଙ୍କ ମଧ୍ୟରୁ କେତେଜଣ ଆମ ଗାଁଠାରୁ ମାଇଲିଏ ଦୂରରେ ଥିବା ପିଚୁରାସ୍ତା ଆଡ଼କୁ ଭୋକରେ ବସ୍ ଧରିବା ପାଇଁ ଏକମୁହାଁ ହୋଇ ଚାଲିଲେଣି । ଏହି ଘଟଣାକୁ କେନ୍ଦ୍ର କରି ହୁଏତ ଭବିଷ୍ୟତରେ ପ୍ରଚାରିତ ହୋଇଯିବ ଯେ ଆମେ ଉପଯୁକ୍ତ ଅତିଥି ସତ୍‌କାର କଲୁ ନାହିଁ । ତେଣୁ ମୁଁ ତରବରରେ ସମସ୍ତଙ୍କୁ ଗୋଟିଏ ଜାଗାରେ ଜମା କରାଇଲି । କେତେକଙ୍କୁ ଅଧାବାଟରୁ ମଧ୍ୟ ଫେରାଇ ଆଣି ପାରଲି । ସମସ୍ତେ ଧାଡ଼ି ବାନ୍ଧି ବସିବା ପରେ ଖଲିପତ୍ର ବଣ୍ଟାଗଲା । ଆମେ ପ୍ରାୟ ଚାରି ପାଞ୍ଚଜଣ ପରଶିବାରେ ବ୍ୟସ୍ତ ରହିଲୁ । ମୁଁ ଗୋଟିଏ ବଡ଼ ବାଲ୍‌ଟିରୁ ଡଙ୍କାରେ ତରକାରୀ ଦେଉଥାଏ । କିନ୍ତୁ ତରକାରୀ ଅତ୍ୟନ୍ତ ଗରମ ଥିବା ଯୋଗୁଁ ମୋର ହାତ ତାତି ଯାଉଥାଏ ଏବଂ ମୁଁ ରହି ରହି ମୋ କାମ କରୁଥାଏ । ଏମିତି ସମୟରେ ମୋ ପଛ ପଟେ କେତେ ଜଣ ପିଲା ମୋ ଆଡ଼କୁ ଆଙ୍ଗୁଠି ଦେଖାଇ ହେଁ ହେଁ ହୋଇ ହସିବାର ଶୁଣି ମୁଁ ସେମାନଙ୍କ ଆଡ଼କୁ ମୁହଁ ବୁଲାଇଲି । ତା’ପରେ ‘ତରକାରୀ ଦରକାର କି-?’ ବୋଲି ପଚାରିଲି । ସେତେବେଳେ ସେମାନଙ୍କ ପାଟିରେ ପାଟିଏ ହସ ଭର୍ତ୍ତି ହୋଇ ରହିଥିଲା-। ସେମାନଙ୍କ ମଧ୍ୟରୁ ଜଣେ ମୁଣ୍ଡ ହଲାଇ ନାସ୍ତି କଲା । ମୁଁ ଆଗକୁ ଯିବା ପାଇଁ ମୁହଁ ବୁଲାଇବା ବେଳେ, ହଠାତ୍ ପୁଣି ଥରେ ସେମାନେ ପାଟିରେ ଚିପି ରଖିଥବା ହସକୁ ଖିଲି ଖିଲି ଭାବେ ହସି ଉଡ଼ାଇବାରେ ଲାଗିଲେ । ମୁଁ ବର୍ତ୍ତମାନ ରାଗିଯାଇ ସେମାନଙ୍କୁ ଚାହିଁରହିଲି । ମନେ ହେଉଥାଏ ଯେ ଏହି ଗରମ ତରକାରୀ ସେମାନଙ୍କ ମୁଣ୍ଡ ଉପରେ ଅଜାଡ଼ି ଦେଇ ଜୀଅନ୍ତା ପୋଡ଼ି ଦେବି । ଠିକ୍ ସେତେବେଳେ ତାଳି ମାରି ମୋର ଭିଣୋଇମାନେ (ଅବଶ୍ୟ ଏମାନଙ୍କ ମଧ୍ୟରୁ କେତେ ଜଣ ମୋର ଦୂର-ସମ୍ପର୍କୀୟା ଭଉଣୀମାନଙ୍କର ସ୍ୱାମୀ) ମତେ ଡାକିଲେ । ମୁଁ ତରବରରେ କ୍ରମାନୁସାରେ ତରକାରୀ ବାଣ୍ଟି ସେମାନଙ୍କ ପାଖରେ ପହଁଞ୍ଚିଗଲି । ମୁଁ ଭାବୁଥିଲି ସେ ସେମାନେ ତରକାରୀ ମାଗିବା ପାଇଁ ମତେ ଡାକୁଛନ୍ତି । କିନ୍ତୁ ଟାପରା କରିବାକୁ ମତେ ସେମାନେ ଡାକିଥିଲେ-। ଜଣେ ଭିଣୋଇ ମୋର ବେକ, କାନ୍ଧ ଇତ୍ୟାଦିରେ ହାତ ବୁଲାଇ କହିଲେ, ‘କିରେ, ରାତିରେ ମାଇପ ମଙ୍ଗିଲା ନାହିଁ କି ? .....ଦେହସାରା ନଖରେ ଆମ୍ପୁଡ଼ି ପକାଇଛି ।’ ସେତେବେଳେ ମୁଁ ଅନୁମାନ କଲି ଯେ ଗତକାଲି କାମ-ନିବେଦନ କରି ମୋ ସ୍ତ୍ରୀ ସହିତ ଧସ୍ତାଧସ୍ତି ହେବା ବେଳେ ତା’ର ସୁନା ଅଳଙ୍କାର ଗୁଡ଼ିକର (ତାଡ଼, ଚୁଡ଼ି, ଦାନ୍ତଥିବା ପଥର ବସା ମୁଦି ଇତ୍ୟାଦି) ଧାରୁଆ ମୁନ ଦ୍ୱାରା ମୋ ଦେହସାରା ଆଞ୍ଚୁଡ଼ି ହୋଇ ଯାଇଛି । ଏହାଛଡ଼ା ମୁଁ ଗତ ରାତିରେ ପିନ୍ଧିଥିବା ବାନିଅନର ପଛ ପଟେ ଜ୍ୟୋସ୍ନା କପାଳରୁ ସିନ୍ଦୂର ବୋଳି ହୋଇଯାଇଛି । ବର୍ତ୍ତମାନ ଜାଣି ପାରିଲି ଯେ ମୋର ଏହି ଦୂରାବସ୍ଥା ଦେଖି ଉପରୋକ୍ତ ପିଲାଗୁଡ଼ିକ ହସୁଥିଲେ । ଏହି ଅପମାନଜନକ ପରିସ୍ଥିତିରେ ମୁଁ ନିଷ୍ପ୍ରଭ ହୋଇଗଲି । ବାଲତିର ତରକାରୀ ସରି ଯାଇ ଥିବାରୁ ରୋଷେଇଶାଳାରୁ ଆଉ କିଛି ଆଣିବ ବୋଲି କହି ଦେଇ କୌଣସି ମତେ ସେଠାରୁ ଖସି ଚାଲିଆସିଲି । ମୁଁ ଏବେ ଲଜ୍ଜିତ ଓ ଅପମାନିତ ବୋଧ କରୁଥିଲି ଯେ ପୁଣି ଥରେ ତରକାରୀ ଧରି ଯିବାର ପ୍ରଶ୍ନ ଉଠୁ ନ ଥିଲା । ଘରର କେଉଁ ଅନ୍ଧାରୁଆ କୋଣରେ ଆତ୍ମଗୋପନ କରିବା ଉଚିତ ବୋଲି ଭାବିଲି ।

 

Unknown

ଇତ୍ୟବସରରେ ଘର ଭିତରେ ଗୋଟିଏ ଅସୁନ୍ଦର ଘଟଣା ଘଟି ଯାଇଛି । ସକାଳେ ଜ୍ୟୋତ୍ସ୍ନା ହୋମଘରୁ ଯିବା ପରେ ଆମ ବାରିର କୁଅଁ ପାଖରେ ଗାଧୋଇଲା । ତା’ପରେ ତା’ର ଯାଆ ଓ ନଣନ୍ଦମାନେ ତାକୁ ବିଭିନ୍ନ ଉପାୟ ଦ୍ୱାରା ସୁନ୍ଦର ଭାବେ ସଜାଇବାରେ ଲାଗିଲେ କାରଣ କିଛି ସମୟ ପରେ ଦିନସାରା ସାହି ପଡ଼ିଶାର ମାଇପିମାନଙ୍କର ନୂଆ ବୋଉଦେଖା ଆରମ୍ଭ ହେବ-। ହଠାତ୍ ମୋ ଭଉଣୀ ଜ୍ୟୋତ୍ସ୍ନାର ପାଦକୁ ଚାହିଁ, ରୂପାର ପଟି ନ ଥିବା ବିଷୟ ଜାଣି ପାରିଲା । ସେ ସଙ୍ଗେସଙ୍ଗେ ମୋ ସ୍ତ୍ରୀକୁ ତାହା କେଉଁଠାରେ ଅଛି ବୋଲି ପଚାରିଲା । ତା’ ପାଦରୁ ମୁଁ ଗତ ଗତିରେ ପଟି ବାହାର କରିଥିବା ଜ୍ୟୋତ୍ସ୍ନାର ମନେ ପଡ଼ୁଥିବା ସତ୍ଵେ ସେ ଲଜ୍ଜାବସତଃ ସେହି ବିଷୟରେ କୌଣସି ସୂଚନା ଦେଲା ନାହିଁ । ବିନା ବିଳମ୍ବରେ ମୋ ଭଉଣୀମାନେ ପାଇଖାନା, ଗାଧୁଆଘର ଠାରୁ ଆରମ୍ଭ କରି ହୋମଘର ଯାଏଁ ଖୋଜାଖୋଜି କଲେ । ତଥାପି ପଟିର ସନ୍ଧାନ ମିଳିଲା ନାହିଁ । ଶେଷରେ ଆମ ମଧୁଶଯ୍ୟା ପାଇଁ ବ୍ୟବହୃତ ହେଉଥିବା ଶେଯ (ଯାହାକି ପିଲାମାନେ କାଳେ ଦଳା-ଚକଟା କରିଦେବେ ବୋଲି ମୁଁ ବିଛଣା ଛାଡ଼ିବା ପରେ ବନ୍ଧାବନ୍ଧି କରି ରଖା ଯାଇଥିଲା) ଖୋଲାଗଲା । ସେଥିରୁ ଉଦ୍ଦିଷ୍ଟ ପଟିହଳ ଉଦ୍ଧାର କରାଗଲା । ଏହି ଘଟଣାକୁ କେନ୍ଦ୍ର କରି ମୋ ଭାଉଜ ଓ ଅନ୍ୟମାନେ ଜ୍ୟୋସ୍ନା ପାଖକୁ ଯାଇ କାଲି ରାତିରେ ଆମ ମଧ୍ୟରେ ପ୍ରଚୁର ପ୍ରେମ କାରବାର ହୋଇଛି ବୋଲି କହି ଥଟ୍ଟା ଆରମ୍ଭ କଲେ । ମାଇପିମାନେ ତ ଗୋଟିଏ ଗୋଟିଏ Chatter box. ତେଣୁ ମୁଁ ଆଶଙ୍କା କରୁଥାଏ ଯେ ଏହି ବିଷୟ ସାହି ପଡ଼ିଶାରେ ଅତି ଶୀଘ୍ର ପ୍ରଚାରିତ ହୋଇଯିବ । ଏହା ଭାବିବା ମାତ୍ରେ ମୋ ମୁଣ୍ଡ ଆପେ ଆପେ ପୋତି ହୋଇ ଯାଉଥାଏ । ମୋ ସ୍ତ୍ରୀ ବର୍ତ୍ତମାନ ଯାଏଁ ଅକ୍ଷତ ଯୋନି ହୋଇଥିଲେ ସୁଦ୍ଧା ଘରର ମାଇପିଙ୍କ ଠାରୁ ଆରମ୍ଭ କରି ଭୋଜି ଘରର କୁଣିଆଁ ମାନଙ୍କ ଯାଏଁ, ସମସ୍ତେ ଆମ ପ୍ରତି ଯେଉଁ ଭୁଲ ଧାରଣା ପୋଷଣ କରିଛନ୍ତି, ସେଥିପାଇଁ ମୁଁ ଚିନ୍ତିତ ହୋଇପଡ଼ିଲି ।

 

ଗତକାଲି ଉପବାସ ଓ ଉଜାଗର ଯୋଗୁଁ ମୋ ଶରୀର ଅବଶ ହୋଇପଡ଼ିଥିଲା । ତେଣୁ ଶୀଘ୍ର ଗାଧୋଇ ପେଟ ପୁରାଇ ଖାଇଲି । ତା'ପରେ ଶୋଇବା ପାଇଁ ଗୋଟିଏ ନିଛାଟିଆ ଅନ୍ଧାରୁଆ ଜାଗା ଖୋଜିବା ବେଳେ ବାପା ଡାକ ପକାଇଲେ । ତାଙ୍କ କଥା ଶୁଣିବା ପାଇଁ ହାଜର ହେଲି । ଦେଖିଲି ଯେ ସେଠାରେ ମୋର ସଡ଼ୁ, ଶଳା ଓ ବାପା ବସିଛନ୍ତି । ସଡ଼ୁ ଯୌତୁକର ଗୋଟିଏ ତାଲିକା ଧରିଥାନ୍ତି । ବର୍ତ୍ତମାନ ତାହା ଚେକିଂ ହେବ । ଏହି କାର୍ଯ୍ୟରେ ସହାୟତା କରିବାକୁ ମତେ ବାପା କହିଲେ । ସଡ଼ୁ ତାଲିକାରୁ ଗୋଟିଏ ଗୋଟିଏ ଜିନିଷ ପଢୁଥା’ନ୍ତି । ଶଳା ସେ ଜିନିଷକୁ ଚିହ୍ନାଉଥା'ନ୍ତି । ବାପା ମୁଣ୍ଡ ହଲାଇ ସମ୍ମତ ଜଣାଉଥା'ନ୍ତି ଏବଂ ମୁଁ ସେ ଜିନିଷଟିକୁ ଚେକିଂ ନ ହୋଇଥିବା ଜିନିଷମାନଙ୍କଠାରୁ ଅଲଗା ରଖେ । ଲିଷ୍ଟ ସହଜରେ ଶେଷ ହେଉ ନାହିଁ । ହଣ୍ଡା, ହାଣ୍ଡି, ଢାଳ, ଚତୁଆ, ଗିନା, କରେଇ, ବେଲା, ଚଟୁ ଇତ୍ୟାଦି । ଏଥିରୁ ପ୍ରତ୍ୟେକ ଜିନିଷ ପୁଣି ତିନି ପ୍ରକାରର ଧାତୁରେ । କଂସା, ପିତଳ ଓ ରସ । ଏହା ପରେ ପରେ ସୁନା, ରୂପା ଗହଣା, କାଠ ସରଞ୍ଜାମ ଇତ୍ୟାଦିର ତାଲିକା ତନଖା ଗଲା । ସେତେବେଳ ଯାଏଁ ଟିକିଏ ଆଖିପତା ପକାଇବାକୁ ମତେ ଫୁର‌୍‌ସତ ମିଳି ନ ଥିଲା । ଅନିଦ୍ରା ଯୋଗୁଁ ଆଖି ଜଳୁଥାଏ । ପୁଣି ଆଜି ରାତିରେ କେମିତି ଚେଇଁ ରହିବି, ତାହା ମୋ ପକ୍ଷରେ ଗୋଟାଏ ସମସ୍ୟା ହେଲା । ଅବଶ୍ୟ ଭୋଜି ଘରେ ସାଧାରଣତଃ ବିଶ୍ରାମ ମିଳେ ନାହିଁ । ଯୁଦ୍ଧକାଳୀନ ଭିତରେ କାମ କରିବାକୁ ପଡ଼ିଥାଏ । ସେ ଯାହାହେଉ, ଯୌତୁକ ସମ୍ପର୍କରେ ବରପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଅନେକ ସମୟରେ ମନୋମାଳିନ୍ୟ ଘଟିଥାଏ । କିନ୍ତୁ ଆମ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିନଥିଲା କାରଣ ବାପାଙ୍କର ନୀତି ହେଉଛି ଯେ, ଯୌତୁକ ଦିନକର ଘଟଣା । କିନ୍ତୁ ବନ୍ଧୁ ସମ୍ପର୍କ ସାତ ପୁରୁଷ ପାଇଁ ରହେ । ତେଣୁ ଯୌତୁକ ସାମଗ୍ରୀରେ ଯାହା କିଛି ତ୍ରୁଟି ପରିଲକ୍ଷିତ ହେଲେ, ବାପା ସେଥିପ୍ରତି କୌଣସି ଗୁରୁତ୍ଵ ଦେଉ ନ ଥା'ନ୍ତି ।

 

ଆମ ଗାଁର ଘରଟା ଦୋ ମହଲା । ଉପରମହଲାର ପ୍ରଥମ ମହଲାରେ (ଯାହାକି ଦାଣ୍ଡକୁ ଲାଗିଛି) ଆମେ ଶୋଇବା ପାଇଁ ବ୍ୟବସ୍ଥା କରା ଯାଇଥିଲା । କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ନ ଥିଲେ ସେଠାକୁ କେହି ଯିବାର କାରଣ ନାହିଁ । ତେଣୁ ନୂତନ ଦମ୍ପତି ପାଇଁ ଏହା ଆଦର୍ଶ ସ୍ଥାନ । ମୁଁ ରାତି ସାତଟାରେ ଖାଇ ସାରିବା ପରେ ସେ ରୁମ୍‌କୁ ଗଲି । ଦେଖିଲି ଯେ ସେଠାରେ ମୋ ସ୍ତ୍ରୀ ଆଣିଥିବା ଫୋଲଡ଼ ଖଟଟି ଫିଟ୍ ହୋଇ ରଖା ଯାଇଥିଲା । ମୁଁ ସେଠାରେ ଲୋଟି ପଡ଼ିଲି । ଗତ ରାତିରୁ ଅନିଦ୍ରା ରହିବା ଯୋଗୁଁ ଶେଯ ଛୁଉଁ ଛୁଉଁ ମତେ ନିଦ ମାଡ଼ିବା କଥା । କିନ୍ତୁ ଦୈହିକ ଓ ମାନସିକ ଉତ୍ତେଜନା ଯୋଗୁ ତାହା ସମ୍ଭବ ହେଉ ନ ଥାଏ । ଇତ୍ୟବସରରେ ବହୁତ ସମସ୍ତ ବିତି ଯାଇଥିଲେ ସୁଦ୍ଧା ମୋ ସ୍ତ୍ରୀ ମୋ ପାଖକୁ ଆସି ନାହିଁ । ତେଣୁ ମୁଁ କ୍ରମେ କ୍ରମେ ଅସ୍ଥିର ହୋଇ ପଡ଼ିଲି । ଆମର ଏଇ ମଫସଲିଆ ଗାଁରେ ପ୍ରାୟ ସମସ୍ତେ ରାତି ସାତଟା ସୁଦ୍ଧା ଖାଇ ପିଇ ଶୋଇ ପଡ଼ନ୍ତି । ତେଣୁ ବର୍ତ୍ତମାନ ଗାଁର ଚାରିଆଡ଼େ ଶୁନଶାନ । ମୁଁ ଖଟରୁ ବାରମ୍ବାର ଓହ୍ଲାଉଥାଏ; ଚଢ଼ୁଥାଏ-ସ୍ତ୍ରୀକୁ ଅପେକ୍ଷା କରି ।

 

କିଛି ସମୟ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ମୋର ମନେ ପଡ଼ିଲା । ଆମର ବିବାହ ଯୋଗ ଯେଉଁଦିନ ନିଶ୍ଚିତ ହୋଇଥିଲା, ପ୍ରାୟ ସେଇ ଦିନକୁ ମୋର ସ୍ତ୍ରୀର ମାସିକ ଅଶୌଚ ଆରମ୍ଭ ହେବା କଥା । ତେଣୁ ଏହି ଅଶୌଚକୁ କିଛି ଦିନ ଘୁଞ୍ଚାଇବା ପାଇଁ ସେ ମେଡ଼ିସିନ ଖାଇଛି । ଏହି ଔଷଧର କେତେ ପାୱାର ତାହା କିଏ ଜାଣିଛି ? ମୋ' ମନରେ ସନ୍ଦେହ ଜାତ ହେଲା ଯେ ଯେତେ ଦୂର ସଂଭବ, ସେ ଔଷଧ ଆଉ କାମ କରି ନ ଥିବ ଏବଂ ଆଜି ସେ ଅଶୌଚ ହୋଇଥିବ । ତେଣୁ ଏହି ବିଷୟରେ ତଦନ୍ତ ନ କରି, ମୁଁ ତାକୁ ଜଗି ବାରମ୍ବାର ବସାଉଠା ହେବା କେବଳ ବୋକାମି । ଆମ ଘରର ତଳ ମହଲାକୁ ଆଲୋକ ଓ ପବନ ସଞ୍ଚାଳନ କରିବା ପାଇଁ ସ୍ଲାବରୁ ଖଣ୍ଡେ କଟା ଯାଇ ଦିଆ ଯାଇଥିଲା । ଏହାର ସାହାଯ୍ୟରେ ଏହି ଉପର ମହଲାକୁ ଜ୍ୟୋସ୍ନା ସମ୍ପର୍କରେ ଜାଣି ପାରିବି ବୋଲି ଆଶା କଲି । ମୋର ଆଶଙ୍କା ଥିଲା ଯେ ମୋ ସ୍ତ୍ରୀ ହୁଏତ ଅଶୌଚ ହୋଇ, ଘରକୋଣରେ ହାତ ଗୋଡ଼ ଜାକିଜୁକି, କୁଜୀ ପରି ବସିଥିବ । କିନ୍ତୁ ମୁଁ ଜାଲି ପାଖକୁ ଯାଇ ଦେଖିଲି ଯେ ଦୃଶ୍ୟଟା ପୁରା ଓଲଟା ମୋର ଆଶଙ୍କା ପୁରା ଅମୂଳକ ଥିଲା । ଅଶୌଚ ବନ୍ଦ କରିବାରୁ ଜ୍ୟୋତ୍ସ୍ନା ଖାଇଥିବା ଔଷଧ ବେଶ୍ ଶକ୍ତିଶାଳୀ ଥିଲା । ମୁଁ ଦେଖିଲି ଯେ, ତଳ ମହଲାରେ ଲାଇଟ୍‌ ଜଳୁଛି । ମୋ ସ୍ତ୍ରୀ ଘର ମଝିରେ ବସିଛି ଓ ତାକୁ କେନ୍ଦ୍ର କରି ମୋର କେତେକ ଭାଣିଜୀ ଓ ଝିଆରୀ ବସିଛନ୍ତି । ସେମାନେ ଉଲ୍-ସୂତା ପିଣ୍ଡୁଳା ଓ ଉଲ୍ ସିଲେଇବା ପାଇଁ ଲମ୍ବା ଲମ୍ବା ଛୁଞ୍ଚି ଧରିଥିଲେ । ମୋ ସ୍ତ୍ରୀ ସେମାନଙ୍କୁ ସ୍ୱେଟର ବୁଣା ଶିଖାଉଛି ।

 

ମଝିରେ ମଝିରେ ସିଲେଇ ଗଣନା ଭୁଲ୍ ହୋଇଗଲେ ପୁଣି ଥରେ ଭଲ ସୂତା ଖୋଲି ସିଲେଇ ଆରମ୍ଭ କରା ଯାଉଥାଏ । ମୋ ସ୍ତ୍ରୀର ମାଷ୍ଟ୍ରାଣୀ ଭୂମିକାକୁ.. ମୁଁ ଖୁବ୍ ନାପସନ୍ଦ କଲି । ମନେ ମନେ ପଚାରିଲି–ଏ ସିଲେଇ କ୍ଲାସ କେତେବେଳେ ସରିବ ? ମୋର ଭାଣିଜୀମାନେ ଆସନ୍ତା କାଲି ସକାଳୁ ନିଜ ନିଜ ଗାଁକୁ ଚାଲିଯିବେ ବୋଲି ଆଜି ଏମିତି ତତ୍ପରତାର ସହିତ ଜୋରସୋରରେ ଶିଖୁଛନ୍ତି । ହୁଏତ ଏମିତି ଶିଖୁ ଶିଖୁ ରାତି ପାହିଯିବ । ମୋର ଭାଉଜ ଓ ଭଉଣୀମାନେ ପେଟେ ପେଟେ ଖାଇ କାଠ ଗଡ଼ ପରି ନିଦରେ ଗଡ଼ୁଛନ୍ତି । ଏଥି ଯୋଗୁଁ ମୁଁ ସେମାନଙ୍କ ଉପରେ କ୍ଷୁବ୍‌ଧ ହୋଇଗଲି କାରଣ ସାଧାରଣତଃ ଶାଶୁଘରକୁ ଯିବା ପୁର୍ବରୁ ମା ଓ ଭଉଣୀମାନେ ଝିଅକୁ କେତେକ କଥା ଶିଖାଇଥାନ୍ତି । ଯଥା: ବହୁତ ଖାଇବୁ ନାହିଁ; ସ୍ୱାମୀ ପାଖକୁ ନିଜେ ନିଜେ ଶୋଇବାକୁ ଯିବୁ ନାହିଁ; କାଉ କୁକୁଡ଼ା ଡାକିବା ଆଗରୁ ଶେଯ ଛାଡ଼ିବୁ ଇତ୍ୟାଦି । ଏହି ନିର୍ଦ୍ଦେଶ ଅନୁସାରେ ମୋ ସ୍ତ୍ରୀ ସ୍ୱତଃପ୍ରବୃତ୍ତ ହୋଇ ଶୋଇବା ଘରକୁ ଆସିବ ନାହିଁ । ଏମିତିକି ଭିତରେ ଭିତରେ ତା’ର ମନ ଛନ ଛନ ହେଉଥିଲେ ସୁଦ୍ଧା ବାହାରକୁ ପ୍ରଶାନ୍ତ ଓ ଶୀତଳ ଜଣାପଡ଼ୁଥିବ । ତେଣୁ ମୋର ଭାଉଜ ଓ ଭଉଣୀମାନେ ତାକୁ ମୋ ପାଖରେ ଛାଡ଼ିବା ଉଚିତ । ସେମାନେ ଏହା ନ କରିଥିବା ଯୋଗୁଁ ତାଙ୍କର ଦାୟିତ୍ଵହୀନତାର ପରିଚୟ ଦେଉଛନ୍ତି । ସେମାନେ ଯଦି ଏଇତକ କାମ କରୁ ନାହାନ୍ତି, ତାହାହେଲେ ମତେ ବାହା କରାଇଲେ କାହିଁକି । ଏମିତି ନାଁକୁ ମାତ୍ର ବିବାହ ହେବା ଅପେକ୍ଷା ବାବାଜୀ ହୋଇ ରହିବା ଯଥେଷ୍ଟ ଭଲ ।

 

ମନସ୍ତାପରେ ପୁଣି ଖଟ ଉପରକୁ ଚଢ଼ିଲି । ସେତେବେଳେ ମୁଁ ମୁଖ୍ୟ ଲାଇଟ ଲିଭାଇ, ନୀଳବର୍ଣ୍ଣର ଶୂନ ପାୱାର ବଲ୍‍ଟି ଜଳାଇଥାଏ । ତା’ପରେ ମୁଁ କେତେବେଳେ ଶୋଇଲି, ମୁଁ ଜାଣେ ନାହିଁ । କେତେ ସମୟ ପରେ ଜୋରରେ ପରିସ୍ରା ମାଡ଼ିବାରୁ ମୋ ନିଦ ଭାଙ୍ଗିଗଲା । ମୁଁ ଦେଖିଲି ଯେ ଚତୁର୍ଦ୍ଦିଗ ଅନ୍ଧକାରମୟ । ବୋଧହୁଏ କରେଣ୍ଟ ଚାଲିଯାଇଛି । ତେଣୁ ଅନ୍ଧାରରେ ପାଦ ଘୋଷାରି ଘୋଷାରି କବାଟ ପାଖକୁ ଗଲି । ଦରାଣ୍ଡି ଦରାଣ୍ଡି ଜାଣି ପାରିଲି ଯେ ଭିତର ପଟୁ କବାଟ କିଳି ଦିଆଯାଇଛି । ମୁଁ ଶୋଇବା ପୂର୍ବରୁ ତ ଏହା ଖୋଲା ଥିଲା । ବର୍ତ୍ତମାନ ଏହା କେମିତି ବନ୍ଦ ହେଲା ? ମନରେ ଭୟ ଓ ଆଶଙ୍କା ଉଙ୍କି ଉଠିଲା । ତରବରିଆଭାବେ ସୁଇଚ ବୋର୍ଡ଼ ପାଖକୁ ଯାଇ ଲାଇଟ ଜଳାଇଲି । ଯାହା ଦେଖିଲି ସେଥିରେ ମୁଁ ବଶୀଭୂତ ହୋଇଗଲି । ଗତ ରାତିରେ ଯାହାକୁ ବଶୀକରଣ କରିବାକୁ ମୁଁ ପ୍ରତି ମୁହୂର୍ତ୍ତରେ ନାନା ପ୍ରକାର ଚେଷ୍ଟା କରୁଥିଲି, ସେ ଆଜି ମୋ ଖଟରେ ଶୋଇଛି ! ଆନନ୍ଦ ଓ ଉତ୍ସାହରେ ମୁଁ ଉତ୍‌ଫୁଲିତ ହୋଇଗଲି । ନିମିଷରେ ତା’ ପାଖରେ ପହଞ୍ଚିଗଲି-। ଉଠାଇବା ପାଇଁ ତା’ କାନ୍ଧରେ ହାତ ପକାଇ ଝାଙ୍କିଲି । ତଥାପି ସେ ମଲା ମଣିଷପରି ନୀରବ-। ତା’ପରେ ତା’ ନାକକୁ ଚିପି ଧରିଲି–ନିଃଶ୍ୱାସ ଚୁଣ୍ଟି ହୋଇ ସେ ନିଦରୁ ଉଠି ପଡ଼ିବ ବୋଲି-। କିନ୍ତୁ ସେ ସେମିତି ନ କରି ପାଟିବାଟେ ପବନ ଛାଡ଼ିଲା । ଏଥିରୁ ମୁଁ ସୂଚନା ପାଇଗଲି ଯେ ସେ ଚେଇଁ ଶୋଇଛି । ତା’ପରେ ମୁଁ ତାକୁ କୋଳାଗ୍ରତ କରି ତାର କଡ଼ ଲେଉଟାଇବା ପାଇଁ ବଳ ପ୍ରୟୋଗ କଲି । କିନ୍ତୁ ମୋର ଏହି ଉତ୍ପାତ ହଠାତ୍ ବନ୍ଦ କରିବାକୁ ପଡ଼ିଲା କାରଣ ଆମେ ଯେଉଁ ଖଟରେ ଶୋଇଥିଲୁ, ତାହା ଫୋଲଡ଼ ଟାଇପ୍‌ର । ବଢ଼େଇ ତା’ର ସ୍କୃ ଗୁଡ଼ିକ ଭଲଭାବେ ଭିଡ଼ିବା କଥା । କିନ୍ତୁ ଗଞ୍ଜଡ଼ ବଢ଼େଇ ସ୍କ୍ରୁ ଗୁଡ଼ିକ ଢିଲାରେ ମୋଡ଼ିଥିଲା । ତେଣୁ ଆମେ ଖଟରେ ହଲଚଲ ହେବା ମାତ୍ରେ ତାହା ମଟ୍ ମଟ୍ ଶବ୍ଦ କରୁଥାଏ । ମୋର ସନ୍ଦେହ ହେଲା ଯେ ହୁଏତ ରାତି ଅଧରେ ଖଟର ମେରୁଦଣ୍ଡ ଦୁଇଟି ହୁଗୁଳି ବାହାରି ପଡ଼ିବ ଏବଂ ଅମେ ଦୁହେଁ ଭୋତ୍ ଭାତ ହୋଇ ତଳେ ପଡ଼ିଯିବୁ-। ଆଉ ସେଠାରେ ଶୋଇବା ନିରାପଦ ନୁହେଁ ବୋଲି ମୁଁ ମନେକଲି । ତା’ପରେ ଖଟରୁ ଶେଯ ଟେକି ନେଇ ତଳେ ବିଛାଇଲି । ସେଠାରେ ଆମେ ଶୋଇଲୁ । ସେଇ ସମୟଟା ଖରାଦିନ-। ଅସହ୍ୟ ଗୁଳୁଗୁଳି ଦେଉଥାଏ । ରାତି ପାହିବା ବେଳକୁ ହୁଏତ ଘା ଘିମିରି ଦେହସାରା ଛାଇ ହୋଇଯିବ । ତଥାପି ସେ ବଖରାର ଝରକା କବାଟ ଭଲଭାବେ କିଳି ଦେଲୁ ଏବଂ ଆମର ସେଇ ଭୁସ୍ଵର୍ଗ ମଧ୍ୟରେ ଆବଦ୍ଧ ହୋଇ ରହିଲୁ ।

 

ରାତି ତିନିଟା ସମୟରେ ଜ୍ୟୋତ୍ସ୍ନାର ନିଦ ଭାଙ୍ଗିଗଲା । ତା’ପରେ ସେ ମତେ ବାରମ୍ବାର ଟାଣି ଓଟାରି ଅଥୟ କରିଦେଲା । ତା’ର ଉଦ୍ଦେଶ୍ୟ ହେଉଛି, ଶେଯ ପୁର୍ବରୁ ଯେମିତି ଖଟ ଉପରେ ପଡ଼ିଥିଲା, ଠିକ୍ ସେମିତି ପୁଣି ଥରେ ରଖିବା ପାଇଁ । ନିଦ ନିଶାରେ ଘାରି ହେଉଥିଲେ ସୁଦ୍ଧା ମୁଁ କୌଣସିମତେ ଖଟ ଉପରକୁ ଉଠିଗଲି । ତା’ପରେ ସେ ଖଟଉପରେ ବିଛଣା ସଜାଡ଼ିଲା । ମୁଁ ଶୋଇବା ପାଇଁ ଉଦ୍ୟତ ହେଲି । ଆଖିପତା ନିବିଡ଼ ଭାବେ ବୁଜି ହୋଇ ଆସୁଥିବା ବେଳେ ମୁଁ ଝାପ‌୍‌ସାଭାବେ ଦେଖିଲି ଯେ ଜ୍ୟୋତ୍ସ୍ନା ଡ୍ରେସିଂ ଟେବୁଲର ଫୁଲ ସାଇଜ୍ ଦର୍ପଣ ଆଗକୁ ଯାଉଛି । ନିଜ ପ୍ରତିବିମ୍ବକୁ ଦେଖି ସେ ଚମକି ପଡ଼ିଲା । ତା’ପରେ ସେ ମୋ ଛାତି ଉପରେ ମୁଣ୍ଡରଖି କୋହକୁ ଚାପି ନ ପାରି କାନ୍ଦିବାରେ ଲାଗିଲା । ତା’ର କାନ୍ଦଣାରେ ମୋର ହୃଦୟ ତରଳି ଗଲା । ମୁଁ ଯେତେ ଯାହା ପଚାରିଲେ ମଧ୍ୟ ସେ କୌଣସି ଉତ୍ତର ଦେଲାନାହଁ । କିଛି ବୁଝି ନ ପାରି ମୁଁ ତା’ର ମୁହଁକୁ ବଲବଲ ହୋଇ ଚାହିଁଲି । ସେତେବେଳେ ମୁଁ ତା’ର କାନ୍ଦର କାରଣ ବୁଝିପାରଲି । ସେ ସମୟରେ ମୁଁ ଲକ୍ଷ୍ୟ କଲି ଯେ ତା’ର ମୁହଁ, ବେକ ଓ ଦେହର ଅନ୍ୟ କେତେକ କୋମଳ-ମାଂସଳ ସ୍ଥାନରେ ମୋର ନଖଚିହ୍ନ ଏବଂ ଦାନ୍ତଚିହ୍ନ ବସିଛି । ଏହାଛଡ଼ା ଠାଏଁ ଠାଏଁ ଓଠ ଜୋରରେ ଭିଡ଼ି ଚୁମ୍ବନ ଦେବା ଫଳରେ ରକ୍ତ ଜମାଟ ବାନ୍ଧି ଗାଢ଼ ଭାବେ ନାଲି ଦେଖାଯାଉଥାଏ । ମୁଁ ପ୍ରକୃତ କଥା କହୁଛି ଯେ ମତେ ଚୁମ୍ବନ ଦେବା ଜଣା ନାହିଁ । ଆଜି ପ୍ରାକ୍ଟିସ କରୁ କରୁ କୁଆଡେ କ’ଣ ହୋଇଗଲା । ମୋ ଛାତି ଉପରେ ମୁଣ୍ଡ ରଖି ଜ୍ୟୋତ୍ସ୍ନା ଶୋଇପଡ଼ିଲା । ମତେ ମଧ୍ୟ ନିଦ ହୋଇଗଲା । ରାତି ପାଞ୍ଚଟାବେଳେ ମୋ ନିଦ ଭାକିବାବେଳେ ମୁଁ ଦେଖିଲି ଯେ, ଜ୍ୟୋତ୍ସ୍ନା କବାଟ ଅଧା ଖୋଲି ଓଢ଼ଣା ଟାଣି କବାଟ କୋଣରେ ବସିଛି । ଆଉ ଦୁଇଚାରି ଘଣ୍ଟା ପରେ ବୋହୁ-ଦେଖା ପାଇଁ ସାହି ପଡ଼ିଶାରୁ ମାଇପିମାନେ ଦଳ ଦଳ ହୋଇ ତା’ ପାଖକୁ ଆସିବେ । ସେମାନେ ଯେତେ ଝିଙ୍କାଝିଙ୍କି କଲେ ମଧ୍ୟ ବିଚାରୀ ମୁଣ୍ଡରୁ ଓଢ଼ଣା ଉଠାଇ ଦେବ ନାହିଁ–ଶାଢ଼ୀ ଚିରିଯାଉ ପଛକେ । ଖଣ୍ଡିଆ ଖାବରା ମୁହଁକୁ ଲୁଚାଇବା ତା’ର ପ୍ରଥମ କର୍ତ୍ତବ୍ୟ ହେବ ।

 

ଆମର କିଛି ଜମିବାଡ଼ି ନିଜ ଚାଷରେ ଅଛି । ଏଥିପାଇଁ ଆମେ ହଳିଆ ରଖିଛୁ । ଏହାବ୍ୟତୀତ ଘରଠାରୁ ପ୍ରାୟ ମାଇଲିଏ ଦୂରରେ ପିଚୁରାସ୍ତା କଡ଼ରେ ଆମର ଗୋଟିଏ ବଡ଼ ଦୋକାନ ଅଛି । ସେଠାରେ ଆମେ ଚାଉଳ, ଡାଲି, ଆଳୁ, ପିଆଜ ଠାରୁ ଆରମ୍ଭ କରି ସାବୁନ, ଅତର, ଛୁଞ୍ଚି, ସୂତା ପର୍ଯ୍ୟନ୍ତ ସବୁ ପ୍ରକାରର ଜିନିଷ ବିକ୍ରି କରୁ । ନିକଟରେ ଥିବା ଚାରୋଟି ଗାଁରେ କୌଣସି ଷ୍ଟାଣ୍ଡାର୍ଡ଼ ଦୋକାନ ନ ଥିବା ଯୋଗୁଁ ଲୋକେ ସାଧାରଣତଃ ଆମ ଦୋକାନରୁ ଜିନିଷ କିଣିଥାନ୍ତି । ତେଣୁ ଆମର ଯଥେଷ୍ଟ ଲାଭ ହୋଇଥାଏ । ମୋର ବଡ଼ଭାଇ ଏହି ଦୋକାନ ବିଷୟ ବୁଝନ୍ତି । କିନ୍ତୁ କାଲିଠାରୁ ସେ ଆମ ବଳଦ ପାଇଁ ଶସ୍ତାରେ କୁଣ୍ଡା ଆଣିବାକୁ ଶଗଡ଼ ଧରି ଏଠାରୁ ପ୍ରାୟ ପଚିଶି ମାଇଲ ଦୂରକୁ ଯାଇଛନ୍ତି । ଆଜି ହୁଏତ ସେ ଫେରି ଆସିବେ । କିନ୍ତୁ ଫେରିବା ପରେ ହାଲିଆହୋଇ ଦୋକାନକୁ ଆସିବେ କି ନାହଁ, ତାହା କହି ହେବନାହିଁ । ମୋର ସାନଭାଇ ମାଟ୍ରିକ ପରୀକ୍ଷାରେ ଭଲଭାବେ ଲେଖି ନ ଥିବା ଯୋଗୁଁ ପରୀକ୍ଷକମାନଙ୍କୁ ଧରାଧରି କରିବା ପାଇଁ ବହୁତ ଦିନ ପୂର୍ବରୁ ଗାଁରେ ନାହିଁ । ଓଡ଼ିଶା-ଗସ୍ତ ସାରି ସେ କେବେ ଘରକୁ ଫେରିବ, ତାହା କହିବା କଷ୍ଟସାଧ୍ୟ । ତେଣୁ ଦୋକାନ ଖୋଲିବା ପାଇଁ ଆମ ଘରେ ଆଉ କେହି ନଥିଲେ । ବାପା ମତେ ଏହିକାମ କରିବାକୁ କହିଲେ । ମୁଁ ଆଜ୍ଞାମୁତାବକ ଦୋକାନକୁ ଗଲି । ସେଦିନ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାମ ମତେ କରିବାକୁ ପଡ଼ିବ । ଗୋବିନ୍ଦପୁର ଟାଉନ‌୍‌ରୁ ଦୋକାନ ପାଇଁ ଜିନିଷ ଅଣାଯିବ । ସେଥିପାଇଁ ବଡ଼ଭାଇ ଓ ବାପା ଗୋଟିଏ ତାଲିକା ପୂର୍ବରୁ କରିଥିଲେ । ଆଜି ସକାଳବେଳା ଶଙ୍କର ଟ୍ରାନ୍‌ସପୋର୍ଟ ସର୍ଭିସ୍‍ର ଗୋଟିଏ ଟ୍ରକ୍ ଆମ ଦୋକାନ ଦେଇ ଯିବ । ସେତେବେଳେ ଏହି ତାଲିକାଟି ମୁଁ ତାକୁ ଦେଲେ, ସେ ସନ୍ଧ୍ୟା ସୁଦ୍ଧା ଆମ ପାଇଁ ଜିନିଷ ଆଣିଦେବ-। ତେଣୁ ମୁଁ ଶୀଘ୍ର ଶୀଘ୍ର ଦୋକାନକୁ ଚାଲିଗଲି । କବାଟ ଖୋଲି ପ୍ରଥମେ ଲକ୍ଷ୍ମୀ ଫୋଟକୁ ଧୂପଦୀପ ଦେଇ ଜୁହାର ହେଲି । ତା’ପରେ ବାରଣ୍ଡାରେ ଜିନିଷ ସଜେଇ ରଖିବାବେଳେ ଉଦ୍ଦିଷ୍ଟ ଟ୍ରକ୍‌ଟି ହଠାତ୍ ପହଞ୍ଚିଗଲା । ଡ୍ରାଇଭର ମତେ ବାରମ୍ବାର ହର୍ଣ୍ଣ ଦେଇ ଡାକୁଥିବାବେଳେ ମୁଁ ଦୋକାନ ଭିତରକୁ ଯାଇ ବାପା ତିଆର କରିଥିବା ଜିନିଷ-ତାଲିକାରେ ମୋ ତରଫରୁ ଆଉ ଗୋଟିଏ ଜିନିଷ ଗୋପନୀୟ ଭାବେ ଯୋଡ଼ି ଦେଲି । ଏହି ଜିନିଷଟି ହେଉଛି ଗୋଟିଏ ନିରୋଧ ପ୍ୟାକେଟ୍ । ତା’ପରେ ତାଲିକାଟି ଡ୍ରାଇଭରଙ୍କୁ ବଢ଼ାଇଦେଲି । ସେ ମତେ କହିଲା ଯେ ଆଜି ଯେ କୌଣସି ମତେ ସନ୍ଧ୍ୟା ସୁଧା ଜିନିଷ ଆସିଯିବ । ତେଣୁ ଦୋକାନ ଖୋଲାରଖି ଅପେକ୍ଷା କରିବା ପାଇଁ ସେ ମତେ ବାରମ୍ବାର କହିଲା । ତା’ର କଥାକୁ ମୁଁ ସହଜରେ ବିଶ୍ଵାସ କରି ନେଲି ଏବଂ ସନ୍ଧ୍ୟାବେଳେ ଜିନିଷ ଓହ୍ଲାଇ ଗାଁକୁ ଚାଲିଯିବି ବୋଲି ଆଶା କଲି ।

 

ଆମର ଦୋକାନର ପଛପଟେ ଗୋଟିଏ ମହାଦେବଙ୍କ ମନ୍ଦିର ଥାଏ । ତାକୁ ଲାଗି ଗୋଟିଏ ପୋଖରୀ ଥାଏ । ଏହି ପୋଖରୀର ପାଣି ନିର୍ମଳ ଓ ଶୁଦ୍ଧ । କାରଣ ଏଠାରେ କୌଣସି ଗୋରୁ, ପୋଡ଼ୁଅ ଓ ଅନ୍ୟାନ୍ୟ ଗୃହପାଳିତ ପଶୁ ଗାଧୁଅନ୍ତି ନାହିଁ । କିମ୍ବା କେହି ଝାଡ଼ାଫେରି ଶୌଚ ହୁଅନ୍ତି ନାହଁ । ଅବଶ୍ୟ ଲୋକଙ୍କର ଧର୍ମଭୀରୁତାଯୋଗୁ (ମହାଦେବଙ୍କ ଭୟ) ଏହା ବିନା ପୋଲିସ ଜଗୁଆଳରେ ମଧ୍ୟ ନିଷ୍ଠାପରଭାବେ ପାଳିତ ହେଉଥାଏ । ସନ୍ଧ୍ୟାହୋଇ ପ୍ରାୟ ରାତି ମାଡ଼ି ଆସିବା ବେଳେ ଶିବ-ମନ୍ଦିରରେ ଆଳତି ପାଇଁ ଘଣ୍ଟା ଓ ଶଙ୍ଖ ବାଜିଲା । ମୁଁ ସେଠାରେ ପହଁଞ୍ଚି ମହାଦେବଙ୍କୁ ପ୍ରଣିପାତ କଲି । ତା’ପରେ ସେ ମନ୍ଦିର ସମ୍ମୁଖରେ ଥିବା ଛୋଟ ବଗିଚା ଭିତରକୁ ଗଲି । ସେଠାରେ ବାରମାସିଆ ମଲ୍ଲୀ ଫୁଲ ଫୁଟି ଚତୁର୍ଦ୍ଦିଗ ବାସ୍ନାରେ ପୁରି ଉଠିଥିଲା । ମୁଁ କେତୋଟି ଫୁଲ ପକେଟରେ ପୁରାଇଲି । ଏମିତି ସମୟରେ ସେ ମନ୍ଦିରର ମାଳୀ ପୁଅ ମୋ ପାଖରେ ପହଞ୍ଚିଲା ଓ ସେ ଧରିଥିବା ଟୋକେଇରୁ ଗୋଟିଏ ଫୁଲମାଳ (ଯେଉଁଥିରେ କି ମଲ୍ଲୀ ସହିତ ଆହୁରି ବହୁତ ପ୍ରକାର ସୁଗନ୍ଧିତ ଫୁଲ ଗୁନ୍ଥା ଯାଇଥିଲା) ଯାଚିଲା । ମୁଁ ସେଥିରୁ ସବୁଠାରୁ ଉତ୍କୃଷ୍ଟ ମାଳଟି କିଣିଲି । ମୋର ଉଦ୍ଦେଶ୍ୟ ଥାଏ ଯେ ଆଜି ରାତିରେ ସ୍ତ୍ରୀକୁ ଫୁଲମାଳଟି ପିନ୍ଧାଇବି । ତେଣୁ ମାଳଟିକୁ କାଗଜ ପୁଡ଼ିଆରେ ଜାଗ୍ରତରେ ବାନ୍ଧି ମୋର ପଞ୍ଜାବୀର ପକେଟ୍‌ରେ ରଖିଲି । ତା’ପରେ ଦୋକାନକୁ ଫେରି ଆସି ଟ୍ରକ୍‌କୁ ଅପେକ୍ଷା କଲି ।

 

ଆଜି ଅପ୍ରତ୍ୟାଶିତଭାବେ ଭଲ ବର୍ଷା ଅସରାଏ ହୋଇଛି । ତେଣୁ ଜ୍ୟେଷ୍ଠମାସ ହୋଇଥଲେ ସୁଦ୍ଧା ଖରାର ତାପ ମୋଟେ ଜଣା ପଡ଼ୁ ନ ଥିଲା । ମଝିରେ ମଝିରେ ମହାଦେବଙ୍କ ବଗିଚାରୁ ସୁଗନ୍ଧିତ ଶୀତଳ ବାୟୁ ଆମ ଦୋକାନ ଆଡ଼କୁ ମାଡ଼ି ଆସୁଥାଏ । ମନଟା ଘର ଆଡ଼କୁ ଟାଣିଲାଣି । କିନ୍ତୁ ଟ୍ରକ୍ ପାଇଁ ଅପେକ୍ଷା କରିଥିବା ଯୋଗୁଁ ମୁଁ ଦୋକାନ ଛାଡ଼ି ଯାଇପାରୁ ନ ଥାଏ । କ୍ରମେ କ୍ରମେ ରାତି ଗଭୀର ହେବାକୁ ଲାଗିଲା । ଏଠାରେ ଆଉ ଯେଁଉ ଦୁଇ ଚାରି ଜଣ ଦୋକାନବାଲା ଦୋକାନ ଖୋଲି ଥିଲେ, ସେମାନେ ଦୋକାନ ବନ୍ଦ କରି ଚାଲିଗଲେଣି । ତେଣୁ ମୁଁ ବର୍ତ୍ତମାନ ଏକା । ଆକାଶରେ ମେଘ ଆହୁରି ଘୋଟିହୋଇ ରହିଥିବା ଯୋଗୁଁ ଚାରିଆଡ଼େ ଅନ୍ଧାରୁଆ ଦେଖାଯାଉଛି । ମୁଁ ଭୟରେ ଦୋକାନ ଭିତରକୁ ଯାଇ କବାଟ କିଳିଦେଲି । ହୁଏତ ନିରୋଧ ପ୍ୟାକେଟ୍‌ଟି ବାପାଙ୍କ ତାଲିକାରେ ଯୋଡ଼ି ନ ଥିଲେ, ମୁଁ ଏତେବେଳକୁ ଗାଁକୁ ଚାଲି ଯାଇ ଅନ୍ୟ କାହାରିକୁ ପଠାଇ ଦେଇଥାନ୍ତି ।

 

ବହୁତ ସମୟ ପରେ ଟ୍ରକ୍ ଆମ ଦୋକାନ ଆଗରେ ଅଟକିଲା । ମୁଁ କବାଟ ଖୋଲି ଡ୍ରାଇଭରକୁ ଭୀଷଣ ଗାଳି ଦେଲି । ରାସ୍ତାରେ ଟାୟାର ଫାଟିଯିବା ଯୋଗୁଁ ବିଳମ୍ବ ହୋଇଗଲା ବୋଲି କହିବାରୁ ମୁଁ ଶାନ୍ତ ହୋଇଗଲି । ଲରିରେ ଥବା ମୂଲିଆ ଆମ ଜିନିଷଗୁଡ଼ାକ ଦୋକାନ ଭିତରେ ଜମା କରି ଦେବା ପରେ ଟ୍ରକ୍ ଚାଲିଗଲା । ବର୍ତ୍ତମାନ ମୁଁ ମହମବତୀ ଜାଳି ନିରୋଧ ପ୍ୟାକେଟ୍‌ଟି ଖୋଜିବାରେ ଲାଗିଲି । ଏହା ପାଇବା ମୋଟେ ସହଜ ନୁହେଁ କାରଣ ଟ୍ରକ୍‌ଵାଲା ଆମର ଦେକାନ-ସାମାନଗୁଡ଼ିକୁ ଦଶ ପନ୍ଦରଟି ପ୍ୟାକେଟ୍‌ରେ ଭଲଭାବେ ପ୍ୟାକିଂ କରି ଆଣିଥିଲା-। ତେଣୁ ମୋର ଛୋଟ ଜିନିଷଟି କେଉଁ ପ୍ୟାକେଟ୍‌ରେ ଅଛି, ତାହା ଜାଣିବା କଷ୍ଟକର । ବାଧ୍ୟ ହୋଇ ଗୋଟିଏ ପରେ ଗୋଟିଏ ପ୍ୟାକେଟ୍ ଖୋଲିବାରେ ଲାଗିଲି । ଶେଷରେ ନିରୋଧ ପ୍ୟାକେଟ୍‌ଟି ପାଇ ପକେଟରେ ରଖିଲି । ଏହା ବ୍ୟତୀତ ଆମ ଦୋକାନରେ ଥବା ସେଣ୍ଟ, ସ୍ନୋ, ପାଉଡ଼ର୍, ଲିପଷ୍ଟିକ୍ ଓ ରିବନ ମୋ ସ୍ତ୍ରୀ ପାଇଁ ଲୁଚାଇ ଧରିଲି, ଯଦିଓ ଏହା ଦ୍ଵାରା ଦୋକାନର ହିସାବ ପତ୍ରରେ ଗଣ୍ଡଗୋଳ ହୋଇ ଦିନେ ଚୋରି ଧରା ପଡ଼ିଯାଇ ପାରେ । କିନ୍ତୁ ଏହି ସବୁ ସାମଗ୍ରୀ ଏଇ ରାତି ଅଧିରେ ଜ୍ୟୋସ୍ନା ପାଖରେ ପହୁଞ୍ଚାଇବି କେମିତି ? ଦୋକାନରୁ ଆମ ଘର ଯାଏଁ ରାସ୍ତା ବିପଦସଙ୍କୁଳ-ସାଧାରଣତଃ ନିକଟସ୍ଥ ବଣରୁ ଭାଲୁମାନେ ପାଣି ପିଇବା ପାଇଁ ଏହି ମହାଦେବଙ୍କ ପୋଖରୀକୁ ଆସନ୍ତି । ଗତ ରାତିରେ ଗୋଟିଏ ଭାଲୁ ବାଟର ବଟଗଛ ତଳେ ଆଣ୍ଠୁଏ ଖାଲ କରି ମାଟି ଖୋଳିଥିବାର ଦୃଶ୍ୟ ମୁଁ ନିଜେ ଦେଖିଛି । ତେଣୁ ପ୍ରବଳ ଇଚ୍ଛା ଓ ଆକର୍ଷଣ ସତ୍ତ୍ୱେ ମୁଁ ଗାଁକୁ ଯିବା ପାଇଁ ଦୁଃସାହସ କରି ପାରିଲି ନାହିଁ ।

 

ଗାଲରେ ହାତ ଦେଇ ସିରିଅସ ଭାବେ ଚିନ୍ତା କରୁଥିବା ବେଳେ ଘଣ୍ଟି ଘାଗୁଡ଼ିର ରଣଝଣ ଶବ୍ଦ ଶୁଣିଲି । ବୋଧହୁଏ କୌଣସି ଶଗଡ଼ ଆସୁଛି । ଆମ ଦୋକାନଠାରୁ ଅଳ୍ପ ଦୂରରେ ଶଗଡ଼ିଆ ଶଗଡ଼ ବନ୍ଦ କଲା । ମୁଁ ଦୋକାନର ଝରକା ବାଟେ ଦେଖିଲି ଯେ, ଶଗଡ଼ିଆ ଆଖିରେ ଜଡ଼ା ତେଲ ଢାଳୁଛି । ଦୋକାନରୁ ବାହାରକୁ ଆସି ବୁଝିଲି ଯେ ଶଗଡ଼ ଆମ ଗାଁର କାହାରି ଘରକୁ ନ ଯାଉଥିଲେ ମଧ୍ୟ ଆମ ଗାଁ ଦେଇ ଯିବ । ତେଣୁ ଏହି ସୁଯୋଗ ପାଇ ତତ୍‌କ୍ଷଣାତ୍ ଶଗଡ଼ ପଛେ ପଛେ ଚାଲିଛି ! କିଛି ସମୟ ପରେ ଘରେ ପହଞ୍ଚିଲି । କବାଟରେ ଠକ୍ ଠକ୍ ଶବ୍ଦ କଲି । ଦାଣ୍ଡଘରେ ସାଧାରଣତଃ ବାପା ସବୁ କବାଟ ଭିତର ପଟୁ ବନ୍ଦ କରି ଶୁଅନ୍ତି । କିନ୍ତୁ ଆଜି ଶଶୁର ଘରୁ ଶାଗ ଓ ମାଛ ଭାର (ଆମର ଏପଟେ ଝିଅ ଶାଶୁଘରକୁ ଯିବାର ଦଶ ଦିନ ମଧ୍ୟରେ ଏମିତି ଶାଗ ଓ ମାଛ ଭାର ପଠାଯାଇଥାଏ) ଆଣିଥିବା ଭଣ୍ଡାରୀ (ତାର ନାଁ ହରିଆ) ଶୋଇଛି । ତେଣୁ ମୋ ଆଶା ଅନୁସାରେ ଶବ୍ଦ ଶୁଣି ହରିଆ କବାଟ ଅନ୍ଧାରରେ ଖୋଲିଲା । ମୁଁ ସୁଇଚ ବୋର୍ଡ଼ ପାଖକୁ ହାତ ନେଉ ନେଉ ସେ ଜଣାଇଲା ଯେ ଆଜି ବର୍ଷା ପବନ ହେବା ଠାରୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇ ଯାଇଛି । ଅନ୍ଧାରରେ ଘର ଭିତରକୁ ଯିବା ବେଳେ ଖଟ ପାଖରେ ଥିବା ବାପାଙ୍କ ପିକଦାନି ଝୁଣ୍ଟି ଦେଲି । ତେଣୁ ସେଥିରେ ଭର୍ତ୍ତି ହୋଇଥିବା ଛେପ, ଖଙ୍କାର ଓ ପିକ ଢାଳି ହେଇଗଲା । ଭଣ୍ଡାରୀ ମତେ ଆସ୍ତେ ଆସ୍ତେ ଯିବାକୁ କହିଲା । ମୁଁ ନାରୀ ମହଲକୁ ଯିବ ପାଇଁ ସାମନାରେ ବନ୍ଦ ଥିବା କବାଟଟି ମୋ ଆଡ଼କୁ ଟାଣିଲି । କିନ୍ତୁ ଏହା ଦ୍ଵାରବନ୍ଧରେ ଏତେ ଜୋରରେ ଚାପି ହୋଇ ଲାଗିଯାଇଛି ଯେ ତାକୁ ବଳକାରେ ଖୋଲିବା ବେଳେ ଗୋଟିଏ କାନଫଟା କେଁ କଟର ଶବ୍ଦ ଦେବ । ସେ କବାଟର ଏହି ଦୁର୍ଗୁଣ ସମ୍ବନ୍ଧରେ ମୁଁ ପିଲାଦିନରୁ ଜାଣେ । ଏହି ଶବ୍ଦରେ ବାପା କଞ୍ଚା-ନିଦରୁ ଉଠି ପଡ଼ିବେ । ସ୍ତ୍ରୀ-ସଂଭୋଗ କରିବାକୁ ମୋର ବୁଢ଼ା ରୁଗ୍‌ଣ ବାପାଙ୍କୁ ହଇରାଣ କରିବାକୁ ମୁଁ ଧର୍ମ ଦୃଷ୍ଟିରୁ ଚାହିଁଲି ନାହିଁ । ତେଣୁ ସେ ଦାଣ୍ଡ ଘରେ ଶୋଇ ପଡ଼ିବି ବୋଲି ଭାବି ଲୁଗା ବଦଳାଇଲି । ପଞ୍ଜାବୀଟି କାନ୍ଥର ଲୁହା-କଣ୍ଟାରେ ଝୁଲାଇ ଦେଲି ଓ ଚଟାଣରେ ଗୋଟିଏ ସପ ବିଛାଇ ଗଡ଼ପଡ଼ ହେଲି । ମତେ ମୋଟେ ନିଦ ମାଡ଼ୁ ନ ଥାଏ । ମୁଁ ନିଷ୍ଠୁର ଭାଗ୍ୟକୁ ମନେ ମନେ ଗାଳି ଦେଉଥାଏ । ପ୍ରକୃତରେ ଆଜିର ଅନୁକୂଳ ପାଣିପାଗରେ ଜ୍ୟେଷ୍ଠ ମାସର ଚିହ୍ନ ବର୍ଣ୍ଣ ସୁଦ୍ଧା ନ ଥିଲା । ମୁଁ ଭାବୁଥିଲି ଯେ, ଭଗବାନ ମୋ ପାଇଁ ‘ଆଷାଢ଼ସ୍ୟ ପ୍ରଥମ ଦିବସ’ ଆଜି ଦିନକୁ ଘୁଞ୍ଚାଇ ଦେଇଛନ୍ତି ।

 

ଏମିତି ସମୟରେ ନିକଟସ୍ଥ ବଖରାରେ ପାଟିତୁଣ୍ଡ, ଧାଁ ଧପଡ଼ ଓ ହେଁ ହେଁ ହସ ଶୁଭିଲା-। ବାପାଙ୍କର ନିଦ ଭାଜିଗଲା । ସେ ଅତ୍ୟନ୍ତ ବିରକ୍ତ ହୋଇ ମତେ ଘର ଭିତରକୁ ଯାଇ ଘଟଣା ସମ୍ପର୍କରେ ବୁଝି ଆସିବାକୁ କହିଲେ । ଅନୁମତି ପାଇ ମୁଁ ଚାପି ରହିଥିବା କବାଟଟି ସଶବ୍ଦରେ ଖୋଲି ଦେଲି । ତା’ପରେ ଯାହା ଦେଖିଲି ସେଥିରେ ବିସ୍ମିତ ହୋଇଗଲି । ଘଟଣା ହେଉଛି ଯେ, ମାଇପିମାନେ ଯେଉଁ ବଖରାରେ ଶୋଇଥିଲେ, ସେଠାରେ ସନ୍ଧ୍ୟାବେଳୁ ଗୋଟିଏ ବିଲେଇ କେମିତି ଲୁଚି ରହିଯାଇଥିଲା । ସେମାନେ ସବୁ କବାଟ ବନ୍ଦ କରି ଶୋଇବା ପରେ, ବିଲେଇଟି ଦୁଇ ଆଲମାରୀର ସନ୍ଧିରେ ଝାଡ଼ା ଫେରିଲା । ଫଳରେ ଉତ୍କଟ ଦୁର୍ଗନ୍ଧ ହେଲା I କେହି କେହି ନାକ ଟେକି ନିଦରୁ ଉଠି ପଡ଼ିଲେ । ସେ ମାଇପି ଦଳ ଭିତରେ ବର୍ଷକରୁ କମ୍ ବୟସ ହୋଇଥିବା ପ୍ରାୟ ପାଞ୍ଚଟା ଛୁଆ ଥିଲେ । ସେମାନେ ନିଜ ନିଜ ଛୁଆମାନଙ୍କର ପିଚା ଅଣ୍ଡାଳି ଝାଡ଼ା ଫେରିଛି ନା ନାହିଁ ପରୀକ୍ଷା କଲେ । ସମସ୍ତେ ନାସ୍ତି କଲେ । ଶେଷରେ ବିଷ୍ଠାର ଦୁର୍ଗନ୍ଧ ଠଉରାଇ ଜଣେ ଆଲମାରୀର ସନ୍ଧି ନିକଟରେ ପହଞ୍ଚିଲା ଓ ବିଲେଇ ଝାଡ଼ା ଫେରିଥିବା କଥା ଘୋଷଣା କଲା-। ଏହା ଶୁଣୁ ଶୁଣୁ କେତେକ ମାଇପିଙ୍କୁ ବାନ୍ତି ଓଟାର ମାଡ଼ିଲା । ବର୍ତ୍ତମାନ ରାତିରେ ବିଲେଇ ଝାଡ଼ା କିଏ ସଫା କରିବ ଓ ମୁଣ୍ଡରେ ଗଙ୍ଗାପାଣି ଛିଞ୍ଚି ଗାଧୋଇବ ? ତେଣୁ ସେମାନେ ଗୋଟିଏ ଆଟିକା ଦ୍ଵାରା ମଳ ଘୋଡ଼ାଇଲେ । ତା’ପରେ ବିଲେଇଲୁ ଖୋଜାଖୋଜି କରି ଦେଖି ପାରିଲେ । ତାକୁ ଧରିବା ପାଇଁ ଷଡ଼ଯନ୍ତ୍ର କଲେ । କିନ୍ତୁ ସେ କୌଣସି ଫାନ୍ଦରେ ପଡ଼ିଲା ନାହିଁ । ଶେଷରେ କୌଶଳ କ୍ରମେ ଆଲମାରୀ ଉପରକୁ ଯାଇ ବିଲେଇଟି ବସି ରହିଲା । ତାକୁ ବାଡ଼ି ଦେଖାଇଲେ ମଧ୍ୟ ସେ ଲାଙ୍ଗୁଡ଼କୁ ସାମାନ୍ୟ ଜାକି ଯେମିତି ସେମିତି ବସି ରହେ । ବିଶେଷ ହଲଚଲ ହୁଏ ନାହିଁ । ମୁଁ କବାଟ ଖୋଲି ଏହି ଦୃଶ୍ୟ ଦେଖିଲି । ଗୋଟିଏ ଷ୍ଟୁଲ ଉପରେ ଚଢ଼ି ବିଲେଇଟିର ବେକକୁ ଧରି ଓହ୍ଲାଇ ଆସିଲି । ତାକୁ ଦାଣ୍ଡରେ ଛାଡ଼ି ଦେବା ପାଇଁ ଦୌଡ଼ି ଯିବା ବେଳେ ବାପାଙ୍କ ଖଟ ପାଖରେ ମୋ ଯୋଗୁଁ ହିଁ ବିଛାଡ଼ି ହୋଇଥିବା ଛେପ ଖଙ୍କାରରେ ମୋ ଗୋଡ଼ ଖସିଗଲା । ମୁଁ କଚାଡ଼ି ହୋଇ ତଳେ ପଡ଼ିଲି । ସେତେବେଳେ ଘରଟା ପୁରା ଅନ୍ଧାର ଥାଏ । ମୋର ଏହି ଦୁର୍ଦ୍ଦଶା ଯୋଗୁଁ ସାନ ଭାଣିଜୀଟି ପାଖ ବଖରାରେ ଜଳୁଥିବା ଏକମାତ୍ର ଡିବିରିଟି ଧରି ଦୌଡ଼ି ଆସିଲା । କିନ୍ତୁ ତାହା ମଧ୍ୟ ବାହାରର ଦଲକାଏ ପବନରେ ହଠାତ୍ ଲିଭିଗଲା । ତେଣୁ ଚାରିଆଡ଼େ ପୁଣି ଅନ୍ଧକାର । ମୋ ଭାଣିଜୀ ଜାଣେ ଯେ ମୁଁ ସିଗାରେଟ ଖାଇବା ପାଇଁ ସବୁବେଳେ ମୋ ପକେଟରେ ଦିଆସିଲି ରଖିଥାଏ । ତେଣୁ ସେ ସିଧାଶଳଖ ମୋ ପଞ୍ଜାବୀ ପାଖରେ ପହଞ୍ଚିଲା ଓ ପକେଟରେ ହାତ ପୁରାଇଲା । ସେଥିରୁ ସେ ସ୍ନୋ, ପାଉଡ଼ର, ସେଣ୍ଟ ଓ ଲିପ୍‌ଷ୍ଟିକ୍ ପାଇ ଦିଆସିଲି ବିଷୟ ପୂରା ଭୁଲିଗଲା ଓ ଏଇତକ ପ୍ରସାଧାନ-ସାମଗ୍ରୀ ତା’ର ପକେଟରେ ରଖି ବାପାଙ୍କ ପାଖକୁ ଚାଲିଗଲା । ସେ ବାପାଙ୍କ ପାଖକୁ ଯିବାର ଉଦ୍ଦେଶ୍ୟ ହେଉଛି ଯେ ମୁଁ କେବଳ ବାପାଙ୍କୁ ହିଁ ଡରେ । ତେଣୁ ବାପାଙ୍କର ଶରଣରେ ସେ ରହିଲେ, ଆଉ ମୁଁ ତା’ଠାରୁ ସେ ଜିନିଷଗୁଡ଼ିକ ଛଡ଼ାଇ ଆଣି ପାରିବି ନାହିଁ । ଅନ୍ୟ ଗୋଟିଏ ଭାଣିଜୀ ତା’ର ବଡ଼ ଭଉଣୀକୁ ଏତେଗୁଡ଼ିଏ ଲୋଭନୀୟ ଜିନିଷ ସହିତ ଦେଖି ସହି ପାରିଲା ନାହଁ । ସେ ଦୌଡ଼ିଯାଇ ଆଶାର ସହିତ ମୋ ପକେଟରେ ହାତ ମାରିଲା । ଫୁଲମାଳଟି ପାଇବାରୁ ତା’ର ପସନ୍ଦ ହେଲା ନାହିଁ ଓ ସେ ମାଳଟି ଅସନ୍ତୋଷରେ ଫୋପାଡ଼ି ଦେଲା-। ତା’ପରେ ପୁଣିଥରେ ପକେଟରେ ଭଲଭାବେ ହାତ ବୁଲାଇ ନିରୋଧ ପ୍ୟାକେଟ୍‌ଟି ପାଇଲା । ପ୍ୟାକିଂ ଖୋଲିଲା । ସେ ଯାହା ବୁଝିଲା-ଏଗୁଡ଼ାକ ବେଲୁନ । ସେଥିରୁ ଗୋଟିଏ ଫୁଙ୍କି ଫୁଟେ ଲମ୍ବର ବେଲୁନଟିଏ କଲା । କାନ୍ଦୁଥିବା ସାନ ଭାଣିଜୀକୁ ସେଥିରୁ ଆଉ ଗୋଟିଏ ଦେଲା । ତା’ପରେ ତା’ର ଯାହାକୁ ମନ ପାଇଲା, ସେମାନଙ୍କୁ ମଧ୍ୟ ଗୋଟିଏ ଗୋଟିଏ ଦେଲା । ଫଳରେ ଅତି ଅଳ୍ପ ସମୟ ମଧ୍ୟରେ ମୁଁ ଦେଖିଲି ଯେ ପିଲାମାନେ ବେଲୁନ ଫୁଙ୍କି ଆନନ୍ଦରେ ନାଚୁଛନ୍ତି । ନିରୋଧ ଏହି ମଫସଲ ଅଞ୍ଚଳରେ ନୂଆ । ତେଣୁ ମୁଁ ଭାବିଲି ଯେ ଯେତେଦୂର ସମ୍ଭବ, ଏଠାରେ ଏହାର ପ୍ରୟୋଗ ସମ୍ପର୍କରେ କେହି କିଛି ଜାଣି ନ ଥିବେ । କିନ୍ତୁ ପିଲାମାନେ ନିରୋଧ ଫୁଙ୍କିବା ବେଳେ ଭାଉଜ ଯେମିତି ଲଜ୍ଜାରେ ଏଠାରୁ ଖସି ଚାଲିଗଲେ–ସେଥିରେ ମୁଁ ବଡ଼ ବିଚଳିତ ହୋଇଗଲି । ମୋର ମନେ ହେଲା, ଏ ବିଷୟରେ ବୋଧହୁଏ ତାଙ୍କୁ ସବୁ କଥା ମାଲୁମ୍ । ସେତେବେଳେ ମୋ ମୁଣ୍ଡକୁ ଶତ-ସହସ୍ର ବିଛା କାମୁଡ଼ିବା ପରି ମୁଁ ଅନୁଭବ କଲି ।

 

ଏତେ ସମୟ ଯାଏଁ ମୁଁ ବିଲେଇଟି ବିଷୟରେ ପୁରା ଭୁଲି ଯାଇଥିଲି ଓ ତା’ର ବେକକୁ ପୂର୍ବପରି ସେମିତି ହାତରେ ଭିଡ଼ି ଧରିଥିଲି । ସେ ମୋ ହାତରୁ ମୁକ୍ତି ପାଇବା ପାଇଁ ମିଆଉଁ ମିଆଉଁ କରୁଥାଏ । ତା’ର ପେଟ, ଗୋଡ଼, ଲାଙ୍ଗୁଡ଼ ଇତ୍ୟାଦି ବାରମ୍ବାର ମୋଡ଼ୁଥାଏ ! ବର୍ତ୍ତମାନ ମୋ ଆଙ୍ଗୁଠିକୁ କାମୁଡ଼ି ଖସି ଚାଲିଯିବା ପାଇଁ ପାଟି ବଢ଼ାଉଥିଲା । ଏମିତି ସମୟରେ ହରିଆ ଭଣ୍ଡାରି ଆସି ବିଲେଇଟିକୁ ମୋ ହାତରୁ ଛଡ଼ାଇ ନେଇ ଦାଣ୍ଡରେ ଫୋପାଡ଼ି ଦେଲା । ତା’ପରେ ମୋ କାନ୍ଧକୁ ଧରି ସିଧା କରି ଠିଆ କରାଇଲା । ଛେପ ଖଙ୍କାରରେ ବୋଳି ହୋଇଥିବା ଧୋତିଟି ମୋ ଅଣ୍ଟାରୁ ବାହାର କରି ଗୋଟିଏ ସଫା ଲୁଙ୍ଗି ପିନ୍ଧାଇ ଦେଲା । (ପ୍ରକାଶ ଥାଉ କି ଏହି ଭଣ୍ଡାରି ସହିତ ମୋର ପୂର୍ବରୁ ଆତ୍ମୀୟତା ରହିଛି କାରଣ ବିବାହ ପଦ୍ଧତି-ଅନୁଯାୟୀ ବିବାହ ବେଳେ ବେଦୀରେ ବାରମ୍ବାର ଲୁଗା ବଦଳାଇବାକୁ ପଡ଼ିଥାଏ । ସେତେବେଳେ ଏହି ଭଣ୍ଡାରି ହିଁ ମତେ ଅଧା ଲଙ୍ଗଳା କରି ଥରକୁ ଥର ନୂଆ ଲୁଗା ପିନ୍ଧାଉ ଥାଏ । କଛା ଓ ପାଞ୍ଚିକରି ମୋ ଅଣ୍ଟାରେ ଖୁଞ୍ଚୁଥାଏ ।)

 

କଚାଡ଼ି ହେଇ ପଡ଼ିଥିବା ଯୋଗୁଁ ମୋ ପିଚାରେ ବଥା ହେଉଥାଏ । ମୁଁ ଥଙ୍ଗେଇ ଥଙ୍ଗେଇ ଚାଲୁଥାଏ । ହରିଆ ମୋ ଡେଣା ଧରି ମସିଣାରେ ଶୁଆଇଲା । ତା’ପରେ ପିଚାରୁ ଧୋତି ଉଠାଇ ଆୟୁବୈଦିକ ମହାମାଷ ତୈଳ ମାଲିସ କଲା । ମୁଁ ମହାଦେବଙ୍କ ମନ୍ଦିରର ବଗିଚାରୁ ଆଣିଥିବା ମଲ୍ଲୀଫୁଲଗୁଡ଼ିକ ମୋ ଭାଣିଜୀମାନେ ଚଟାଣରେ ଇତସ୍ତତଃ ଫୋପାଡ଼ି ଦେଇଥିଲେ । ବର୍ତ୍ତମାନ ଝରକା ବାଟେ ଥଣ୍ଡା ପବନ ଧୀରେ ଧୀରେ ଘର ଭିତରକୁ ମାଡ଼ି ଆସୁଥିବାବେଳେ ଏହି ଫୁଲଗୁଡ଼ିକର ସୁଗନ୍ଧ ବୋହି ଆଣୁଥାଏ । ଏହି ବାସ୍ନା ମୋ ମନରେ ଯନ୍ତ୍ରଣାଦାୟକ ସ୍ମୃତି ଜାଗରିତ କଲା । ଶଗଡ଼ ପଛ ପଟେ ଆସୁଥିବା ବେଳେ ମୁଁ ଯେଉଁ ରୋମାଣ୍ଟିକ କଳ୍ପନା କରୁଥିଲି, ତାହା ବର୍ତ୍ତମାନ ପାଣି ଫାଟିଗଲା । ଏବେ ଅନ୍ତଃପୁରରେ ମୋ ସ୍ତ୍ରୀର ମାନସିକ ବେଦନା ମୋ ଠାରୁ ହୁଏତ ଉତ୍କଟ ହେଉଥିବ । ତା’ର ମନ ମୋହିବାକୁ ମୁଁ ସଜଫୁଲଠାରୁ ଆରମ୍ଭ କରି ଦାମିକା ସେଣ୍ଟ ଲୁଚାଇ ଆଣିଥିଲି । କିନ୍ତୁ ପ୍ରକୃତ କ୍ଷେତ୍ରରେ ଫଳ ଓଲଟା ହେଲା । ଏକ ପକ୍ଷରେ, ଜ୍ୟୋତ୍ସ୍ନା ଏହି ବିଷୟ ଭାବି ଦୁଃଖ ଓ ଅପମାନରେ ଶୋଇ ପାରୁ ନ ଥିବ । ଅନ୍ୟ ପକ୍ଷରେ ଆମ ଘରର ସମସ୍ତେ ଭାବିଥିବେ ଯେ ପ୍ରୀୟା ପ୍ରୀତି ଉଦ୍ଦେଶ୍ୟରେ ମୁଁ ଦୋକାନରୁ ଚୋରି ମଧ୍ୟ କରିପାରେ । ଏହି କାରଣରୁ ମୋ ଚରିତ୍ର ଦୂଷିତ ହୋଇଗଲା । ଲଜ୍ଜାର ସହିତ ଭାବିଲି ଯେ ପେଟ ତ ପୁରିଲା ନାହିଁ–ତା’ ସାଙ୍ଗକୁ ଜାତି ମଧ୍ୟ ଗଲା ।

 

ହରିଆ ତେଲ ମାଲିସ କରି କରି ହାଲିଆ ହୋଇଗଲାଣି । ତଥାପି ବଥା ଯାଉ ନାହିଁ । ପ୍ରକୃତରେ ମାଡ଼ଟା ଖୁବ ଜୋର ହୋଇ ଯାଇଛି । ସବୁଦିନ ପାଇଁ ମନେ ରହିଯିବ । ଇଚ୍ଛା ବିରୁଦ୍ଧରେ ଘଷାଘଷି ବନ୍ଦ କରାଇଲି । ତା’ପରେ ଯନ୍ତ୍ରଣାରେ ବାରମ୍ବାର କଡ଼ ଲେଉଟାଇବାରେ ଲାଗିଲି । ବିଲେଇକୁ ଦାଣ୍ଡରେ ଛାଡ଼ିବାବେଳେ ଆମ କାନ୍ଥ-ଘଡ଼ିରେ ଚାରିଟା ବାଜିଲା । ସେତେବେଳେ ଘରର ସମସ୍ତେ ଶୋଇବାକୁ ଚେଷ୍ଟା କଲେ ସୁଦ୍ଧା ସେମାନଙ୍କୁ ନିଦ ମାଡ଼ୁ ନଥାଏ । ଶେଯରେ ପଡ଼ି ରହି ଫୁସୁର ଫାସର୍ ଗପୁଥା’ନ୍ତି । ଏମିତି ସମୟରେ ଇଲେକଟ୍ରିସିଟି ବୋର୍ଡ଼ର ଆକସ୍ମିକ-ଭାବେ ଦୟା ହେବାରୁ ଘରର ଫ୍ୟାନ ଗୁଡ଼ିକ ଘର୍‌ର୍ ଘର୍‌ର୍ ହୋଇ ବୁଲିଲା । ଲାଇଟ୍ ଜଳି ଉଠିଲା । ମହିଳା-ମହଲରେ ଚେଇଁ ଶୋଇଥିବା ପିଲାମାନେ ଆନନ୍ଦରେ ତାଳି ମାରି ମାରି ହୋ’ ହାଲ୍ଲା କଲେ । ମୁଁ ଲକ୍ଷ୍ୟ କଲି ଯେ ଏମାନେ ବେଳେ ବେଳେ ମତେ ଆସି ଦେଖି ଯାଉଛନ୍ତି । ବୋଧହୁଏ ମୁଁ ଶୋଇଛି ନା ନାହିଁ–ଜାଣିବାକୁ ସେମାନେ ଏମିତି ଆସୁଛନ୍ତି । ମୁଁ ଶୋଇ ନ ଥିଲେ, ମତେ ତାଙ୍କ ଘର ଭିତରକୁ ନେବାକୁ ମୋର ଭାଉଜ ଓ ବଡ଼ ଭଉଣୀମାନେ ଏହି ଅନୁସନ୍ଧାନକାରୀ ପିଲାମାନଙ୍କୁ ପରାମର୍ଶ ଦେଇଥା’ନ୍ତି । ମୁଁ ଜାଣେ ଯେ ମୁଁ ମହିଳା-ମହଲକୁ ଯିବା ମାତ୍ରେ ଫୁଲମାଳ, ସ୍ନୋ ପାଉଡ଼ର ଇତ୍ୟାଦିକୁ କେନ୍ଦ୍ରକରି ସେମାନେ ମତେ ନାନା ପ୍ରକାର ଥଟ୍ଟା ପରିହାସ କରିବେ । ଏଥିରୁ ରକ୍ଷା ପାଇବାପାଇଁ ମୁଁ ଗୋଟିଏ ଉପାୟ ପାଞ୍ଚିଲି; ଯଦିଓ ମୁଁ କେବେ ମୁହଁ ଘୋଡ଼ାଇ ଶୁଏ ନାହିଁ (ଏପରିକି ଶୀତଦିନରେ ମଧ୍ୟ), ବର୍ତ୍ତମାନ ବେକ ଯାଏ ଘୋଡ଼ାଇଥିବା ପାଛୁଡ଼ାଟି ମୁହଁ ଉପରକୁ ଟାଣି ଦେଲି । ତେଣୁ ତଦନ୍ତକାରୀ ପିଲାମାନେ ବିଶ୍ଵାସ କଲେ ଯେ ମୁଁ ଶୋଇ ପଡ଼ିଛି । କିନ୍ତୁ ପାଛୁଡ଼ା ତଳେ ମୋର ଦୂରାବସ୍ଥା କହିଲେ ନ ସରେ । ଶ୍ଵାସରୁଦ୍ଧ ହୋଇଯିବା ପରି ମୁଁ ଅନୁଭବ କରୁଥାଏ । ନିଜେ ନିଃଶ୍ଵାସରେ ଛାଡ଼ିଥିବା ଅଙ୍ଗାରକାମ୍ଳ ବାଷ୍ପ ପୁଣି ପ୍ରଶ୍ଵାସରେ ଟାଣି ନେବା ପାଇଁ ମତେ ବଡ଼ ଘୃଣା ଲାଗେ । ହୁଏତ ପକାଇଥିବା ଛେପକୁ ଚାଟିବା ଠାରୁ ଏହା ଅଧିକ କଦର୍ଯ୍ୟ । ତଥାପି ମୋ ପାଖରେ ଆଉ କୌଣସି ଉପାୟ ନ ଥିବାରୁ ମୁଁ ସବୁ ସହି ନେଲି ଏବଂ ଏହି ଶବ-ଅବତାରରେ ସକାଳ ଛଅଟା ଯାଏଁ ରହିଥିଲି । ଏହି ଅବସରରେ ମୁଁ ଭାବୁଥାଏ ଯେ, ବୋଧହୁଏ ମୁଁ ଅପ୍ରାପ୍ତବୟସ୍କ ଭାବେ ବିବାହ କରିଛି । ତେଣୁ ଏମିତି ସବୁ ବିଘଟନ ଘଟୁଛି ।

 

ମୋ ବିବାହର ଅଳ୍ପ ଦିନ ପରେ ଖରାଛୁଟି ସରିଗଲା । ମୋର ଆଇ.ଏ. ଶେଷ ବର୍ଷ । ତେଣୁ କଲେଜ ଖୋଲୁ ଖୋଲୁ ଲେକ୍‌ଚର୍ ଆରମ୍ଭ ହୋଇଯିବ । ତଥାପି କଲେଜ ଖୋଲିବାର ଦୁଇ ସପ୍ତାହ ପରେ ଗୋବିନ୍ଦପୁରକୁ ଗଲି । ଗାଁରୁ ବାହାରିବା ବେଳେ ଶୀଘ୍ର ଫେରିବା ପାଇଁ ଖୋଲାଖୋଲି ଭାବେ ଜ୍ୟୋତ୍ସ୍ନା ନ କହିଲେ ମଧ୍ୟ, ମୋ ପାଦଧୂଳି ମୁଣ୍ଡରେ ଲଗାଇ ନୀରବରେ ଆଖିରୁ ଲୁହ ଢାଳିଥିଲା । ଏହି ଦୁଃଖଦାୟକ ଦୃଶ୍ୟରେ ମୁଁ ତରଳି ଯାଇଥିଲି ଓ ସୁବିଧା ଯୋଗାଡ଼ କରି ଗାଁକୁ ଶୀଘ୍ର ଆସିଯିବ ବୋଲି ମନସ୍ଥ କଲି ।

 

ଗୋବିନ୍ଦପୁରରେ ପହଞ୍ଚିବା ବେଳେ କ୍ଳାସ ଆରମ୍ଭ ହୋଇ ଯାଇଥିଲା । ମୁଁ ସେଦିନ ପ୍ରଥମଥର ପାଇଁ ଇଂରେଜି କ୍ଳାସରେ ଉପସ୍ଥିତ ହେଲି । ସାର ଉପସ୍ଥାନ ନେବାବେଳେ ମୋର ରୋଲ ନମ୍ବର ପାଖରେ ଅଟକି ଗଲେ ଏବଂ ମୋର ଉପସ୍ଥାନ କମ୍ ହୋଇଥିବାରୁ ମତେ ଚେତାଇ ଦେଲେ । ବିଶ୍ଵବିଦ୍ୟାଳୟର ଗୋଟିଏ ନିୟମ ଅଛି ଯେ ଯେଉଁମାନଙ୍କର ଶତକଡ଼ା ପଞ୍ଚସ୍ତରୀ ଭାଗ ଉପସ୍ଥାନ ନ ଥିବ, ସେମାନେ ବଛାବଛି-ପରୀକ୍ଷାରେ ଯେତେ ମାର୍କ ଆଣିଲେ ସୁଦ୍ଧା ବିଶ୍ଵବିଦ୍ୟାଳୟ ପରୀକ୍ଷା ଦେଇ ପାରିବେ ନାହିଁ । ତେଣୁ ମୋ ମୁଣ୍ଡରେ ଚଡ଼କ ପଡ଼ିଲା–ଖରା ଛୁଟି ପରେ ପନ୍ଦର ଦିନ ଗାଁରେ ରହି ଯିବାର ଏହା ହେଉଛି କୁଫଳ । ସାର୍ ଗୋଟିଏ ଇଂରେଜି ପ୍ରବନ୍ଧ ବିଷୟ ବୁଝାଇବା ଆରମ୍ଭ କଲେ । ମୁଁ ସହଜରେ ଇଂରେଜି ପାଠ ବୁଝିପାରେ ନାହିଁ । ଅବଶ୍ୟ ଇଂରେଜି ପାଠ ଓଡ଼ିଆରେ ବୁଝାଇଲେ, ବୁଝିଯିବି । କିନ୍ତୁ ଆମ ସାର୍ ବ୍ରିଟିଶ୍ ଲୋକ ପରି ଖାଣ୍ଟି ଇଂରେଜିରେ ଅନର୍ଗଳ ବକ୍ତୃତା ଦିଅନ୍ତି । ତେଣୁ ମତେ ପ୍ରଥମେ ହାଇ ଓ ପରେ ନିଦ ମାଡ଼ିଲା । ମୁଁ ଢୁଳାଇବାରେ ଲାଗିଲି । ତତ୍‌କ୍ଷଣାତ୍ ସାର୍‌ଙ୍କ ଶ୍ଵାନ-ଦୃଷ୍ଟି ମୋ ଉପରେ ପଡ଼ିଲା । ସେ ମତେ ଠିଆ ହେବା ପାଇଁ କହିଲେ । ମୁଁ ଲଜ୍ଜିତ ହୋଇ ଆସନରୁ ଉଠିଗଲି । ତା’ପରେ ସାର୍, ଅତି ଘୃଣାର ସହିତ ମୁହଁ ଧୋଇ ଆସିବା ପାଇଁ ମତେ ଆଦେଶ ଦେଲେ । ଆମ କ୍ଳାସ-ରୁମରେ ଗୋଟିଏ କବାଟ ଥାଏ । ତାହା ପୁଣି ସାର୍‌ଙ୍କ ସିଟ୍ ପାଖରେ । ତେଣୁ ମୁହଁ ଧୋଇବା ପାଇଁ ବାଧ୍ୟ ହୋଇ ସେଇ କବାଟ ବାଟେ ଗଲି । ଦ୍ଵାରବନ୍ଧ ଅତିକ୍ରମ କରିବାବେଳେ ସାର୍ ମତେ ପଛପଟୁ ଡାକି ହସି ହସି କହିଲେ, ‘ମୁହଁ ତ ଧୋଇବ । ପାଦ ମଧ୍ୟ ଧୋଇବ ।’ ବିବାହ ବେଦୀରେ ମୋ ପାଦରେ ଭଣ୍ଡାରି ଏକ ନମ୍ବର ଅସଲି ବମ୍ବେଇ ଅଳତା ଗାଢ଼ ଭାବେ ବୋଳି ଦେଇଥିଲା । ତାହା ଆଜି ଯାଏଁ ଆହୁରି ଲିଭି ନାହିଁ । ସେ ଯାହାହେଉ, ସାର୍‍ଙ୍କ ଏହି ମନ୍ତ୍ୟବ ଯୋଗୁଁ ମୋ ବିବାହ ବିଷୟ କ୍ଳାସ-ରୁମରେ ରାଷ୍ଟ୍ର ହୋଇଗଲା । ମୁଁ ମୁହଁ ହାତ ଧୋଇ କ୍ଲାସ-ରୁମକୁ ଫେରିବାବେଳେ ସମସ୍ତେ ମୁରୁକି ହସୁଥା’ନ୍ତି–ଆଗ ସିଟ୍‌ରେ ବସିଥିବା ଝିଅମାନେ ମଧ୍ୟ ।

 

ସାର୍ ଦଶ ମିନିଟ ପୂର୍ବରୁ କ୍ଳାସ ଶେଷ କରିଦେଲେ । ଏହି ବେକାର ସମୟର ସୁଯୋଗ ନେଇ ସହପାଠୀମାନେ ‘No Wife, No life’ ବୋଲି ଘୋଷି ଘୋଷି ମୋର ବିବାହ ଅନୁଭୂତି ଜାଣିବା ପାଇଁ ମତେ ବେଢ଼ି ଗଲେ । ସେମାନଙ୍କ ସଂଖ୍ୟା ଓ ଉତ୍‌କଣ୍ଠା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ବୋଧହୁଏ ମୁଁ ଚନ୍ଦ୍ରପୃଷ୍ଠରୁ ଫେରିଛି ବୋଲି ସେମାନେ ଭାବୁଛନ୍ତି । ସ୍ତ୍ରୀ ସହିତ ମୋର ନିବିଡ଼ ଓ ଯୌନ ସମ୍ପର୍କ ଇତର ଲୋକଙ୍କୁ ବର୍ଣ୍ଣନା କରି କହିବା ଯାହା, ରାସ୍ତାରେ ଲଙ୍ଗଳା ହୋଇ ଚାଲିବା ତାହା । ତେଣୁ ସେମାନଙ୍କୁ ଏହି ଗୋପନୀୟ ବିଷୟରେ କହିବା ଉଚିତ ହେବ ନା ନାହିଁ ବୋଲି ଭାବି ସ୍ଥିର କରି ପାରୁ ନଥିବାବେଳେ ମୁଁ ମୁଣ୍ଡବାଳ ରାମ୍ପୁ ଥାଏ । ଏହି ଦୃଶ୍ୟରେ ଜଣେ ଦୁଷ୍ଟସାଥୀ ଥଟ୍ଟା କଲା, କିରେ, ‘ଶୋଇବାବେଳେ ମାଇପ ମୁଣ୍ଡରୁ ଉକୁଣି ତୋ ବାଳରେ ମିଶି ଯାଉଛି କି ?’ ମୁଁ ହଠାତ୍ ସଚେତନ ହୋଇ ହାତ ତଳକୁ ଖସାଇଲି । ସେତେବେଳେ ଅନାମିକା ଆଙ୍ଗୁଠିରେ ଲଗାଇ ଥିବା ମୁଦିଟି ବିଷୟ ମୋର ମନେ ପଡ଼ିଗଲା, ଯାହାକି ମତେ ବିବାହ ବେଦୀରେ ଶ୍ଵଶୁରଙ୍କ ତରଫରୁ ଉପହାର ଦିଆଯାଇଥିଲା ଏବଂ ଯେଉଁଥିରେ ଜ୍ୟୋତ୍ସ୍ନାର ନାମ ଲେଖାଯାଇଥିଲା । କାଳେ ମୋ ସହପାଠୀମାନେ ମୋର ସ୍ତ୍ରୀର ନାମ ଜାଣିଦେବେ ବୋଲି ମୁଁ ହଠାତ୍ ହାତଟି ପ୍ୟାଣ୍ଟ ପକେଟରେ ଲୁଚାଇ ଦେଲି । ସେମାନଙ୍କୁ କୌଣସି ପ୍ରକାର ଗୁପ୍ତ ବିଷୟ ନ କହିବାକୁ ମୁଁ କ୍ରମେ କ୍ରମେ ଦୃଢ଼ ପ୍ରତିଜ୍ଞା ହେଉଥିଲି । ମୁଁ କ’ଣ ଲମ୍ଫଟୀ ନା ମୋ ସ୍ତ୍ରୀ ଗୋଟିଏ ବେଶ୍ୟା ଯେ, ମୋର ଯୌନ କାରବାର ଏମାନଙ୍କୁ କହିବି ? ସେମାନେ ଯଦି ଏହି ବିଷୟରେ ଜାଣିବାକୁ ଇଚ୍ଛୁକ, ତାହାହେଲେ କେଉଁ ବେଶ୍ୟାର କୋଚିଂ ସେଣ୍ଟର୍‌କୁ ଯାଉ ନାହାନ୍ତି ? ମନ ମଧ୍ୟରେ ଦୃଢ଼ ସଂକଳ୍ପ ଥିଲେ ମଧ୍ୟ ମୁଁ ସେମାନଙ୍କୁ ଜୋରରେ ମନା ନ କରି, ବିଷୟଟି ଏଡ଼ାଇ ଦେବା ପାଇଁ କହିଲି ଯେ ଏମିତି ଗୋଟିଏ ପବ୍ଲିକ୍ ଜାଗାରେ ଏ ସବୁ ବିଷୟ କହି ହେବ ନାହିଁ । ମୋର ଏହି ମନ୍ତବ୍ୟରେ ସେମାନେ ନିରୁତ୍ସାହିତ ହେଲେ ନାହିଁ । କିଏ କବାଟ ବନ୍ଦ କରିବା ପାଇଁ ଦୌଡ଼ିଲାଣି ତ, ଆଉ କେହି କେହି ମୋ ପାଟି ପାଖରେ କାନ ଲଗେଇ ଦେଲେଣି । ମୁଁ କ’ଣ କରିବି ସ୍ଥିର କରି ପାରୁ ନ ଥିବାବେଳେ, ଭାଗ୍ୟବଳରୁ ରକ୍ଷା ପାଇଗଲି । ଅଧ୍ୟକ୍ଷ ମହାଶୟ ସେଦିନ କ୍ଳାସ ଇନ୍‌ସପେକ୍‌ସନ ପାଇଁ କଲେଜ ସାରା ବୁଲୁଥିଲେ । ସେ ଆମ ରୁମ୍‌ର କବାଟ ବନ୍ଦ ଥିବା ଯୋଗୁ, ହୁଏତ ଜିଜ୍ଞାସାରେ, କବାଟଟି ଠେଲି ଦେଲେ । ପ୍ରିନ୍‌ସପାଲଙ୍କୁ ଦେଖି ଆମର ପିଳେହି ପାଣି । ମିଟିଂ ଅପାତତଃ ସଙ୍ଗେ ସଙ୍ଗେ ଭାଙ୍ଗିଗଲା । ସମସ୍ତେ ଛତ୍ରଭଙ୍ଗ ଦେଇ ନିଜ ନିଜ ସିଟ୍‌କୁ ଧାଇଁଲେ ।

 

ଏହି କ୍ଷଣସ୍ଥାୟୀ ମିଟିଂ ସମୟରେ ମୋର କେତେ ଜଣ ସାଥୀ ‘ମାଲ୍ (ମାନେ, ମୋ ସ୍ତ୍ରୀ)’ କେମିତି ବୋଲି ଜାଣିବାକୁ ଚାହୁଁଥିଲେ । ନିଜ ସ୍ତ୍ରୀର ସୌନ୍ଦର୍ଯ୍ୟ ବିଷୟରେ ନିଜେ ବର୍ଣ୍ଣନା କଲେ, ଲୋକେ ଫୁଲଣିଆ ବୋଲି କହିବେ । ତଥାପି ମୁଁ କିଛି ସୂଚନା ଏଠାରେ ଦେଉଛି । ମୋ ବିବାହ ପରଦିନ ପୋଖରୀ ତୁଠ ଠାରୁ ଆରମ୍ଭ କରି ବିଲବାଡ଼ି ଯାଏଁ, ସବୁଠାରେ ମାଇପିମାନେ ଏକମୁଖରେ ଜ୍ୟୋତ୍ସ୍ନାର ରୂପଯୌବନର ଅଜସ୍ର ପ୍ରଶଂସା କରୁଥା’ନ୍ତି । ମୁଁ ପୁରାଣରେ ସୁନ୍ଦରୀ ନାରୀମାନଙ୍କ ସମ୍ପର୍କରେ ବର୍ଣ୍ଣନା ପଢ଼ିବା ସମୟରେ ଭାବୁଥିଲି ଯେ, ପୁରାଣକାରମାନେ ନିହାତି ନାରୀରଙ୍କୁଣା ଓ ଛଅକୁ ନଅ କରି ଅତିରଞ୍ଜିତ ଭାବେ ବର୍ଣ୍ଣନା କରନ୍ତି । କିନ୍ତୁ ମୋ ସ୍ତ୍ରୀକୁ ଦେଖିବା ପରେ ଯେ କେହି ମତ ଦେବ ଯେ ଏହି ବର୍ଣ୍ଣନା ବାସ୍ତବ ଏବଂ ମର୍ତ୍ତ୍ୟରେ–ଏହା କଳିଯୁଗରେ ମଧ୍ୟ–ସେମିତି ଦେବକନ୍ୟା ଜନ୍ମ ହୋଇପାରନ୍ତି ।

 

କଲେଜରେ ପଢ଼ୁଥିବାବେଳେ ଜ୍ୟୋତ୍ସ୍ନା ବିଷୟରେ ମୋର ବାରମ୍ବାର ମନେ ପଡ଼ୁଥାଏ । ଗାଁକୁ ଯିବା ପାଇଁ ମନ ଉଡ଼ିଲା । କିନ୍ତୁ କ୍ଳାସରେ ଉପସ୍ଥାନ କମିଗଲେ ଫେଲ୍‌ ହୋଇଯିବି ବୋଲି ବାଧ୍ୟରେ ଏଠାରେ ବାନ୍ଧିହୋଇ ରହିଥାଏ । ଥରେ ଆମ କ୍ଲାସର ଡୋକି ସତ୍ୟନାରାୟଣ ରାଓ ବୋଲି ଗୋଟିଏ ଛାତ୍ର ମତେ ଅଭୟବାଣୀ ଶୁଣାଇଲା ଯେ ସେ ମୋ ପାଇଁ ପ୍ରକ୍‌ସି ପକାଇ ଦେବ । ତେଣୁ ମୁଁ ଗାଁକୁ ଗଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ । ତା’ କଥାରେ ବିଶ୍ଵାସ ରଖି ମୁଁ ଗାଁକୁ ଚାଲିଗଲି । ଦୁଇ ଚାରିଦିନ ପରେ ପୁଣି ଗୋବିନ୍ଦ ପୁରକୁ ଫେରିଲି । କଲେଜରେ ପ୍ରକ୍‌ସି ବିଷୟ ନେଇ ମୋ ସାଙ୍ଗମାନଙ୍କଠାରୁ ଯାହା ଶୁଣିଲି, ସେଥିରେ ମୁଁ ଅବାକ୍ । ଅର୍ଥଶାସ୍ତ୍ରର ଅଧ୍ୟାପକ ପାଢ଼ୀବାବୁ କ୍ଳାସ ନେଉଥିଲେ । ସେ ଉପସ୍ଥାନ ନେବାପାଇଁ ରୋଲନମ୍ବର ଡାକିବାବେଳେ ସତ୍ୟନାରାୟଣ ‘ପ୍ରେଜେଣ୍ଟ, ସାର୍, ବୋଲି କହିଲା । ପାଢ଼ୀ ସାର୍ ଗୋଟିଏ ପାଞ୍ଚ ଫୁଟିଆ ବାଙ୍ଗରା ମଣିଷ । ଦେଖିବାକୁ କମଳାପରି କୋମଳ । କିନ୍ତୁ ତାଙ୍କର ଭିତରଟା ଲୁହାପଥରଠାରୁ ଆହୁରି ଟାଣ-। ସତ୍ୟନାରାୟଣ ମୋ ପାଇଁ ପ୍ରକ୍‌ସି ପକାଉଛି ବୋଲି ଜାଣି ପାରି ସେ ତାକୁ ପ୍ରଶ୍ନ କଲେ, ‘ଆଚ୍ଛା, ତମ ନାମ କ’ଣ ?’ ସତ୍ୟନାରାୟଣ ଚାଲାଖିର ସହିତ ତା’ ନିଜ ନାଁ ନ କହି ମୋ ନାଁ (ମୋର ନାମ ହେଉଛି ନରେଶ ରଥ) କହିଦେଲା । ସାର୍ ପୁଣି ପଚାରିଲେ, ‘ଆଚ୍ଛା, ତୁମ ନାଁ ତ ନରେଶ ରଥ-। ତମ ବାପାଙ୍କ ନାଁ କ’ଣ ? ସତ୍ୟନାରାୟଣ ଏମିତ ପ୍ରଶ୍ନପାଇଁ ପ୍ରସ୍ତୁତ ନ ଥିଲା । ସେ କୌଣସି ଉତ୍ତର ନ ଦେଇ ଚୁପ୍ ରହିଲା । ସାର୍ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ‘ତମେ ଯଦି ନରେଶ ରଥ, ତମ ବାପା ନିଶ୍ଚୟ କେହି ଜଣେ ରଥ ହୋଇଥବେ ।’ ଏହା ଶୁଣି କ୍ଲାସର ସମସ୍ତେ ହସି ଉଠିଲେ-। ତା’ପରେ ସାର୍ ପୁଣି କହିବାରେ ଲାଗିଲେ, ‘ତମେ ଏମିତି କୌଣସି କାମ କର ନାହିଁ, ଯାହା ଦ୍ଵାରା ତମ ମା’ଙ୍କର ସତୀତ୍ଵର ଆଞ୍ଚ ଆସିବ.....’ ସାର୍‌ଙ୍କ କଟୁ ମନ୍ତବ୍ୟ ସତ୍ୟନାରାୟଣ କ୍ଷୁବ୍‌ଧ ହୋଇଗଲା । ସିଏ ତ ସହଜେ ଗୁଣ୍ଡା । ସାର୍‍ଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସଂକଳ୍ପ କଲା । ସେ ମତେ କହିଲା ସେ ସେ ସାର୍‍ଙ୍କ ଉପରକୁ ହାତ ବୋମା ଫୋପାଡ଼ି ଖତମ୍ କରିଦେବ । ଖତମ୍ ପଦଟି ଶୁଣିବା ମାତ୍ରେ ମୁଁ ଭୟରେ କମ୍ପି ଉଠିଲି । ସତ୍ୟନାରାୟଣ ଏମିତି ବିଭିନ୍ନ ସ୍ଥାନରେ ଗୁଣ୍ଡାମି କରିଥିବା ଯୋଗୁଁ ତା’ ନାଁରେ ଅଧିକାଂଶ ଦିନ କିଛି ନା କିଛି ପୋଲିସ କେଶ ଥାଏ । ସାର୍‍ଙ୍କୁ ମାଡ଼ ଦେଲେ, ପୋଲିସ ତାକୁ ବାନ୍ଧିନେବ ବୋଲି ସେ ଜାଣେ । ତଥାପି ତା’ର କୌଣସି ଖାତିର୍ ନାହିଁ । ଏହି ସବୁରେ ସେ ଅଭ୍ୟସ୍ତ ହୋଇଗଲାଣି । କିନ୍ତୁ ସାର୍‍ଙ୍କ ଉପରେ ମାଡ଼ ବିଷୟରେ ପୋଲିସ ସତ୍ୟନାରାୟଣଙ୍କୁ ଭଲ ଭାବେ ପଚରା ଉଚରା କଲେ ଜାଣି ପାରିବ ଯେ ଏହି କେଶ୍‍ର ସର୍ବପ୍ରଥମ ଓ ସର୍ବପ୍ରଧାନ କାରଣ ହେଉଛି ମୁଁ ନିଜେ, ତେଣୁ ମୁଁ ମଧ୍ୟ ପୋଲିସ କେଶ୍ ରେ ଛନ୍ଦି ହୋଇ ଯାଇପାରେ । ଆସ ଚଉଦ ପୁରୁଷରେ କେହି କୋର୍ଟ କଚେରୀରେ ପାଦ ଦେଇ ନାହାନ୍ତି । ମୁଁ ଯଦି ଥାନାକୁ ଚାଲାଣ ହେବି, ତାହାହେଲେ ଘରେ ଓ ଗାଁରେ ଲୋକେ ମୋ ମୁହଁରେ ଛେପ ପକାଇବେ । ଏ ବିଷୟରେ ମୁଁ ଯେମିତି ଭୟଭୀତ ହେଲି, ସେମିତି ସତର୍କ ମଧ୍ୟ ରହିଲି । ଆଉ ସତ୍ୟନାରାୟଣ ସହିତ ମିଳାମିଶା କଲି ନାହିଁ । ସେ ମତେ କ’ଣ ପଚାରିଲେ ମଧ୍ୟ ମୁଁ ନ ଶୁଣିବାର ବାହାନା କଲି ।

 

ଗୋବିନ୍ଦପୁରରେ ହୋଟେଲର ଭେଜାଲ ଖାଦ୍ୟ ଖାଇ ଦିନେ ମୁଁ ହଠାତ୍ ଅସୁସ୍ଥ ହୋଇ ପଡ଼ିଲି । ଗାଁକୁ ଏହି ବିଷୟରେ ଟେଲିଗ୍ରାମ୍ କଲି । ବୋଉ ଓ ଜ୍ୟୋତ୍ସ୍ନା । ମତେ ଜଗାରଖା କରିବା ପାଇଁ ଏଠାକୁ ଆସିଲେ । ମୁଁ କ୍ରମେ କ୍ରମେ ଆରୋଗ୍ୟ ହେଲି । ତଥାପି ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହେବା ପାଇଁ ଆହୁରି କିଛି ଦିନ ଲାଗିଯିବ । ଇତ୍ୟବସରରେ, ମାର୍ଗଶୀର ମାସ ପହଞ୍ଚିଲା । ଏହି ମାସର ପ୍ରତି ଗୁରୁବାର ଦିନ ମାଣ ବସାଇ ଲକ୍ଷ୍ମୀପୂଜା ଆମ ଘରେ କରାଯାଏ । ଏଥିପାଇଁ ଘରର ମୁଖ୍ୟା ହିସାବରେ ବୋଉକୁ ଯିବାକୁ ପଡ଼ିବ । ଘର ଲିପା ପୋଛା ଓ ଚୂନ ଦେବା ପାଇଁ ଲକ୍ଷ୍ମୀ ପୂଜାର ଦୁଇ ଦିନ ଆଗରୁ ବୋଉ ଗାଁକୁ ଚାଲିଗଲା । ମୋ ପାଖରେ କେବଳ ଜ୍ୟୋତ୍ସ୍ନା ରହିଲା । ତାର ସେବା ଯୋଗୁଁ ମୁଁ ଶୀଘ୍ର ଆରୋଗ୍ୟ ହୋଇଗଲି । ମୁଁ ସୁସ୍ଥ ହୋଇଯିବା ପରେ ମଧ୍ୟ ସେ ଗାଁକୁ ଯାଇପାରିଲା ନାହିଁ; କାରଣ ଘରର ସମସ୍ତେ ମତ ଦେଲେ ଯେ ହୋଟେଲ ଖାଦ୍ୟ ମୋ ଦେହରେ ଆଉ ଚଳିବ ନାହିଁ । ଇତ୍ୟବସରରେ କଲେଜ-ରୋଲ୍‌ରୁ ମୋ ନାମ କଟିଯାଇଥିଲା । ଆବଶ୍ୟକୀୟ ଫିସ୍‌ ଦେଇ ପୁଣି ନାମ ଲେଖାଇଲି । କ୍ଲାସ ଆଟେଣ୍ଡ କଲି । କିନ୍ତୁ ପାଠ ସହିତ ବହୁତ ଦିନ ଧରି ସମ୍ପକ ରହି ନ ଥିବା ଯୋଗୁଁ କିଛି ବୁଝି ପାରିଲି ନାହିଁ । ହୁଏତ ଚେଷ୍ଟା କରିଥିଲେ ସଫଳ ହୋଇଥା’ନ୍ତି । କିନ୍ତୁ ଜ୍ୟୋତ୍ସ୍ନା ସହିତ ସାରା ରାତି ଅପାଠ ପଢ଼ି ଦିନ ବେଳେ ପାଠ ପଢ଼ିବା ସମ୍ଭବ ନୁହେଁ । ପରୀକ୍ଷାରେ ପାଶ୍ ହେବା ବିଷୟ ମନରୁ ପୋଛି ଦେଲି । ଏପରକି ପରୀକ୍ଷା-ଫର୍ମ ପୂର୍ଣ୍ଣ କରିବାକୁ ଯିବି ନାହଁ ବୋଲି ସ୍ଥିର କଲି । ତତ୍‌ସଙ୍ଗେ ନିଷ୍ପତ୍ତି ନେଲି ଯେ ଚାକିରି କରିବି । ଆମ ସମୟରେ ବେକାର-ସମସ୍ୟା ଉତ୍କଟ ନ ଥିଲା । ସାମାନ୍ୟ ଚେଷ୍ଟାରେ ଚାକିରି ଖଣ୍ଡେ ମିଳି ଯାଉଥିଲା । ଏଠାରୁ ଦଶ ମାଇଲ ଦୂରରେ ଚନ୍ଦନପୁରରେ କଲେକ୍ଟର ଅଫିସ ଅଛି । ସେ ଅଫିସରେ ମୁଁ ଖଣ୍ଡେ କିରାଣି ଚାକିରି ସହଜରେ ପାଇଗଲି ।

 

ଏଠାରୁ ଚନ୍ଦନପୁରକୁ ମୁଁ ସବୁ ଦିନେ ବସ୍‌ରେ ଯିବା ଆସିବା କରେ । ସେଥିପାଇଁ ମତେ ଦିନ ଦଶଟାରେ ଖାଇ ପିଇ ବସ୍ ଧରିବାକୁ ପଡ଼େ । ଘରେ ପହଞ୍ଚିବା ସମୟକୁ ସନ୍ଧ୍ୟା ପାଞ୍ଚଟା ହୋଇଯାଏ । ତେଣୁ ଦିନସାରା ମୋ ସ୍ତ୍ରୀ ଘରେ ଏକାକିନୀ ହୋଇ ରହେ । ଏହି ବିଷୟରେ ବୋଉ ଜାଣିବାରୁ ଆମ ଗାଁରୁ ମୋ ଝିଆରୀ (ବଡ଼ ଭାଇଙ୍କର ସାତ ଆଠ ବର୍ଷର ଝିଅ) ସୁରମାକୁ ପଠାଇଲା । ସୁରମାର ଉପସ୍ଥିତ ଯୋଗୁଁ ମୁଁ ଯଥେଷ୍ଟ ଆଶ୍ଵସ୍ତି ଅନୁଭବ କଲି ।

 

ମୁଁ ସାଧାରଣତଃ ସକାଳ ନଅଟାବେଳେ ଗାଧୁଆ ସାରି ଖାଇବାକୁ ବସେ । ସେତେବେଳେ ମୋ ସ୍ତ୍ରୀ ପାଖରେ ବସି ନାନା ପ୍ରସଙ୍ଗ ପକାଏ । ଦିନେ ମୁଁ ଏମିତି ଖାଉଥିବା ସମୟରେ ଜ୍ୟୋତ୍ସ୍ନା । ମୋ ଖୁସି ମିଜାଜ ଦେଖି ତା’ ପାଇଁ ଖଣ୍ଡେ ବ୍ଲାଉଜ ଆଣିବାକୁ ଅନୁରୋଧ କଲା । ତା’ କଥାରେ ମୁଁ ଏତେ ଜୋରରେ ହସିଲି ଯେ ମୋ ପାଟିରେ ପୁରାଇଥିବା ଭାତଗୁଣ୍ଡାଟିରୁ ଗୋଟି ଗୋଟି ହୋଇ ଭାତ ତଳକୁ ଖସିବାରେ ଲାଗିଲା । ମୁଁ ହସ ସମ୍ଭାଳିବା ସମୟକୁ ମୋ ମୁହଁ ନାଲି ପଡ଼ିଗଲାଣି । ପ୍ରକୃତରେ ଏହି ବ୍ଲାଉଜ ସମ୍ପର୍କରେ ମୋର କିଶୋର ଅବସ୍ଥାରେ ବଡ଼ ବିଚିତ୍ର ଅନୁଭୂତି ହୋଇଥିଲା । ସେତେବେଳେ ମୁଁ ନୂଆ ନୂଆରେ ଆମ ଗାଁର ଗୋବିନ୍ଦପୁରକୁ ଆସିଥାଏ । ମୁଁ ଭାବୁଥାଏ ଯେ ଯେମିତି ପୁଅମାନେ ଟେଲର୍ ପାଖରେ ତାଙ୍କର ପ୍ୟାଣ୍ଟ ସାର୍ଟର ମାପ ଦିଅନ୍ତି, ସେମିତି ଝିଅମାନେ ମଧ୍ୟ ତାଙ୍କର ବ୍ଲାଉଜ ପାଇଁ ମାପ ଦେଉଥିବେ । ଏମିତି ଗୋଟିଏ ଧାରଣା ମୋ ମନରେ ଭିଡ଼ି ରହିଥିବା ଯୋଗୁଁ, ରାସ୍ତା କଡ଼ର କୌଣସି ସିଲେଇ ଦୋକାନରୁ ଅତିକ୍ରମ କରିବା ବେଳେ, ସେଠାରେ କାଳେ କୌଣସି ଯୁବତୀ ତା’ର ଛାତିର ମାପ ଟେଲରକୁ ଦେବାର ଉତ୍ତେଜକ ଦୃଶ୍ୟ ଦେଖି ପାରିବି ବୋଲି ଆଶା କରି କାମ-ବିହ୍ଵଳ ଭାବେ ଚାହିଁଦିଏ । ଗଜା-ନିଶୁଆ ଅବସ୍ଥାରେ ଏହି ବିଷୟ ମନେ ପଡ଼ିଯିବା ଯୋଗୁଁ ମତେ ବର୍ତ୍ତମାନ ହଠାତ୍ ଏତେ ଜୋରରେ ହସମାଡ଼ିଲା । ସେ ଯାହାହେଉ, ସ୍ତ୍ରୀକୁ ମୋର ଏହି ଆଦିମ ପ୍ରବୃତ୍ତି ସମ୍ପର୍କରେ କୌଣସି ସୂଚନା ନ ଦେଇ ଅଫିସକୁ ଚାଲିଗଲି ।

 

ସାଧାରଣତଃ ଚାକିରି ଆରମ୍ଭ କଲାବେଳେ, ଲୋକେ ଖୁବ ଉତ୍ସାହର ସହିତ ଅଫିସରେ କାମ କରିଥା’ନ୍ତି । କିନ୍ତୁ ମୋର ଅଫିସ କାମରେ କୌଣସି ପ୍ରକାର ଶ୍ରଦ୍ଧା ବା ଆଗ୍ରହ ନ ଥାଏ । ଜ୍ୟୋତ୍ସ୍ନାର ମୁହଁ ଅହରହ ମନେ ପଡ଼ୁଥାଏ । ସୁଯୋଗ ପାଇବା କ୍ଷଣି ଘରକୁ ଫେରି ଆସେ । ଆମର ହେଡ୍‌ କ୍ଲର୍କ ମୋ ମନୋବସ୍ଥା ଭଲଭାବେ ଜାଣିଥାନ୍ତି । ସେ ମୋତେ ପରୋକ୍ଷଭାବେ ସମର୍ଥନ କରୁଥା’ନ୍ତି । ତେଣୁ ଦିନେ ମୁଁ ଉପରବେଳା ଦୁଇଟାବେଳେ ଚନ୍ଦନପୁରରୁ ବସ୍ ଧରିଲି । ବସଷ୍ଟାଣ୍ଡରେ ଓହ୍ଲାଇ ଆଉ ଘରକୁ ଗଲି ନାହଁ–ରେଡ଼ିମେଡ୍‌ ଲୁଗା ଦୋକାନୀ ପାଖକୁ ଗଲି । ସ୍ତ୍ରୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ଲାଉଜ ସହିତ ବ୍ରା’ ମଧ୍ୟ କିଣିଲି । ଭାବିଲି ସେ, ବର୍ତ୍ତମାନ ଅପ୍ରତ୍ୟାଶିତଭାବେ ଘରେ ପହଞ୍ଚି ତାକୁ ମୁଁ ନିଜେ ଏହିସବୁ ପିନ୍ଧାଇବି । ଘରେ ପହଞ୍ଚିବା ସମୟରେ ଦାଣ୍ଡକବାଟ ଖୋଲ ଥୁଲା । ଖୁସ୍ କିନା ଘରେ ପଶିଲି । ଦାଣ୍ଡଘରର ଚେୟାରରେ ବସି ଫୁଲ୍‌ସୁର ଲେଶ୍ ଖୋଲିଲି । (ଆଜିକାଲି ଆମ ଘର ଭିତରକୁ ଜୋତା ପିନ୍ଧି ଯିବା ମନା କାରଣ ମୋ ସ୍ତ୍ରୀ ଦୈନିକ ଲକ୍ଷ୍ମୀ ପୂଜା କରୁଛି । ଏଥିପାଇଁ ସେ ନିକଟସ୍ଥ ଗୋଟିଏ ବଖରାରେ ଲକ୍ଷ୍ମୀଙ୍କର ଫଟୋ ରଖିଛି ଓ ସେଥିରେ ଦୈନିକ ଧୂପଦୀପ, ଫୁଲଚନ୍ଦନ ଚଢ଼ାଉଛି । ଅହୋରାତ୍ର ଗୋଟିଏ ଶୂନ୍ୟ ପାୱାର୍‌ର ବଳ୍‌ବ ସେଠାରେ ଜଳାଉଛି) । ଜୋତା ଖୋଲିବା ବେଳେ ମୁଁ ଜ୍ୟୋତ୍ସ୍ନାକୁ ଦେଖି ନ ପାରିଲେ ସୁଦ୍ଧା ସେ ଘରେ ନିଶ୍ଚୟ ଅଛି ବୋଲି ଭାବି ସାମାନ୍ୟ ପାଟିରେ ପଚାରିଲି, ‘ପ୍ରିୟେ ! ତମର ବତିଶ୍ ନା ଅଠତିରିଶ...ପ୍ରିୟେ ! ତମର ବତିଶ୍ ନା ଅଠତିରିଶ୍ …’ଏହି ପ୍ରଶ୍ନଟିର ପ୍ରସଙ୍ଗ ସମ୍ପର୍କରେ ମୁଁ କହି ଦେଉଛି । ମୁଁ ଯେତେବେଳେ ଲୁଗା ଦୋକାନୀ ପାଖକୁ ବ୍ରା’ କିଣିବାକୁ ଗଲି, ସେ ହଠାତ୍‌ ମତେ ବତିଶ୍‌ ନା ଅଠତିରିଶ ବୋଲି ପଚାରିଲା । ପୂର୍ବରୁ ମୁଁ ଏହି ବ୍ୟାପାର କେବେ କରି ନ ଥିଲି । କରିବାର ଆବଶ୍ୟକତା ମଧ୍ୟ ନ ଥିଲା । ତା’ର ଏ ପ୍ରଶ୍ନ ବୁଝି ନପାରି, ମୁଁ ବୋକାଙ୍କ ପରି ମିନିଟିଏ ଚାହିଁ ରହିଲି । ତା’ପରେ ସେ ଯେତେବେଳେ ବ୍ରା’ର ସାଇଜ୍‌ ବିଷୟରେ କହିଲା, ମୁଁ ତା’ ପୂର୍ବରୁ ପ୍ରଶ୍ନର ପ୍ରସଙ୍ଗ ବୁଝି ପାରିଲି । ତଥାପି କେଉଁ ସାଇଜ୍‌ଟି ଠିକ୍ ହେବ ଜାଣି ନ ପାରି, ସେଥିରୁ କୌଣସି ଗୋଟିଏକୁ ଆଙ୍ଗୁଳି ବଢ଼ାଇଲି । ବର୍ତ୍ତମାନ ଜୋତା ଖୋଲୁଥିବାବେଳେ ଦୋକାନୀର ସେହି ପ୍ରଶ୍ନଟିର ହିଁ ପୁନରାବୃତ୍ତି କରୁଥିଲି । ଲେଶ୍‌ ଖୋଲିବାବେଳେ ଘର ଭିତରର ବିଭିନ୍ନ କବାଟକୋଣରୁ ଥରକୁ ଥର ମୁଁ ଖସ୍ ଖସ୍ ଶବ୍ଦ ଶୁଣି ପାରୁଥାଏ । ଚୁଡ଼ିର ଝଣ୍‌ଝଣ୍‌ ଶବ୍ଦ ମୋ କାନରେ ବାଜୁଥାଏ । ପାଦ ଚିପି ଚିପି ନିଃଶବ୍ଦରେ ମୋ ଠାରୁ ଦୂରକୁ ଚାଲିଯିବାର ଯେତେ ଚେଷ୍ଟା ହେଉଥାଏ, ମୁଁ ଏଠାରେ ଜୋତା ଖୋଲୁଥିବା ବେଳେ ସବୁ ବୁଝି ପାରୁଥାଏ । ମୋର ବଦ୍ଧମୂଳ ଧାରଣା ହେଲା ଯେ, ମୋ ସ୍ତ୍ରୀ ମୋ ସହିତ ଲୁଚକାଳି ଖେଳୁଛି ରାଧାପ୍ରେମଲୀଳା ଭିଆଇବା ପାଇଁ-। ଖୋଲିବା ପରେ ଜୋତା ଛିଞ୍ଚାଡ଼ି ଫୋପାଡ଼ି ଦେଲି । ମୋଜା ଖୋଲିବାକୁ ଆଉ ସମୟ କିମ୍ବା ଧୈର୍ଯ୍ୟ ନାହିଁ । ଘର ଭିତରକୁ ମାଡ଼ି ଯାଇ ପ୍ରତି କବାଟ କୋଣକୁ ଚେକ୍‌ କଲି ଖଟ ତଳକୁ ମଧ୍ୟ ଚାହିଁ ତଦନ୍ତ କଲି । ଅଳନ୍ଧୁ ଓ ବୁଢ଼ିଆଣୀ ଘର । ମାଡ଼ି ଯାଇଥିଲେ ସୁଦ୍ଧା ଆଲମାରି-ସନ୍ଧିକୁ ତନଖିଲି-। ମୋ ସ୍ତ୍ରୀ କେଉଁଠି ରହସ୍ୟ ଜନକ ଭାବେ ଲୁଚି ରହି ମୋ ମଜା ଦେଖୁଥିବ, ତାହା କିଏ କହିବ ? ଏମିତି ସମୟରେ ବାରିଘରର ସିଡ଼ିରେ ଚଢ଼ୁଥିବାର ମୁଁ ଜାଣି ପାରିଲି କାରଣ ପାଦର ଘାଗୁଡ଼ି-ପାଟିର ଝୁମୁଝୁମୁ ଶଦ୍ଦ ମତେ ସ୍ପଷ୍ଟଭାବେ ଶୁଭିଲା । ତେଣୁ ଆଉ କାଳବିଳମ୍ବ ନ କରି ସେଠାରେ ପହଞ୍ଚିଗଲି । ଅବଶ୍ୟ ମୁଁ ସେଠାକୁ ଯିବା ପୂର୍ବରୁ ସେ ସିଡ଼ି ଦ୍ୱାରା ସେଇ ଅନ୍ଧାରୁଆ କାଠଭାଡ଼ି ଚଢ଼ି ସାରିଥିଲା । ମୁଁ ବାଧ୍ୟ ହୋଇ ଭାଡ଼ିକୁ ଗଲି । ଏଇ ଧରଣର ପ୍ରେମ ଖେଳକୁ ମୁଁ ଅନ୍ତରରରେ ମୋଟେ ପସନ୍ଦ କରେ ନାହିଁ କାରଣ କାଠ ଭାଡ଼ିରେ ବିଛା ବସା ବାନ୍ଧି ଥାଏ । କେବେ କେବେ ମଧ୍ୟ ସାପ ବୁଲି ଆସୁଥିବ । ତଥାପି ହାତରେ ବ୍ଲାଉଜ ଓ ବ୍ରା’ ଧରି କାମାତୁର ଭାବେ କାଠ-ଭାଡ଼ି ଉପରକୁ ଚଢ଼ିଗଲି । ଅନ୍ଧାରରେ ମୁହଁକୁ ମୁହଁ ଦେଖାଯାଉ ନଥାଏ । ପୁଣି ମୁଁ ଦିନଆଲୁଅରୁ ଅନ୍ଧାର ଭିତରକୁ ବର୍ତ୍ତମାନ ହଠାତ୍‌ ଯାଇଥିବାଯୋଗୁଁ ଅନ୍ଧାର ମୋ ପକ୍ଷରେ ଆହୁରି ଉତ୍କଟ ଓ ଘନୀଭୁତ ହୋଇଥିଲା । ମୁଁ ଦରାଣ୍ଡି ଦରାଣ୍ଡି ଅନୁନୟ ହୋଇ ତାକୁ କହୁଥାଏ, ‘ପ୍ରିୟେ ! ପ୍ରିୟେ !! ...କୋଳକୁ ଆସ’ । ମୋର ବିକଳ ଅନୁରୋଧ ସତ୍ତ୍ୱେ, ପ୍ରିୟେ ଅବିଚଳିତ । ଏମିତି ସମୟରେ ଗୋଟିଏ ଲମ୍ବା ବେଣୀ ମୋ ହାତରେ ପଡ଼ିଗଲା । ମୁଁ ବେଣୀଟି ଟାଣି ଦେଲି । ଅବଶ୍ୟ ମୋ ସ୍ତ୍ରୀ ଆଜିକୁ ପନ୍ଦର ଦିନ ହେଲା, ବେଣୀ ଲମ୍ବାଏ ନାହିଁ । ସେ ବାଳକୁ ଗୁଡ଼ାଇ ଗୁଡ଼ାଇ କୁକୁଡ଼ା ଚୂଳ ପରି ମୁଣ୍ଡ ଉପରକୁ ଟେକିଦିଏ ଏବଂ ତାରି ଉପରେ ଗୋଟିଏ କଳା ଜାଲ ବିଛାଇ ଭିଡ଼ି ରଖେ । ତଥାପି ନାରୀମାନଙ୍କର (ବିଶେଷତଃ ଯୁବତୀମାନଙ୍କର) ସ୍ଵଭାବ ଏତେ ତରଳ ଯେ ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ରୂପରେଖ ନ ଥାଏ । ସେମାନେ ଘଡ଼ି ଘଡ଼ିକୁ ରୂପ ବଦଳାଇଥାନ୍ତି । ଏହି ବିଷୟରେ ପ୍ରଶ୍ନ ପଚାରିଲେ ଲୋକେ ଆମକୁ ଅରସିକ ବୋଲି ଆଖ୍ୟା ଦେବେ । ସେମାନଙ୍କର ‘ଘଡ଼ି-ଘଡ଼ିକୁ ଆନ’ ରୂପ ରଙ୍ଗ ଓ ଭାବଭଙ୍ଗୀକୁ ଆମେ ମୁଣ୍ଡ ହଲାଇ ସମ୍ମତି ଜଣାଇବା କଥା । ସେ ଯାହାଦେଉ, ମୋ ହାତରେ ଯେଉଁ ବେଣୀଟି ପଡ଼ିଛି, ତାକୁ ଜୋରରେ ଝିଙ୍କିଲି । ତା’ ରିବନ୍‌ର ଫରଫାସି-ଗଣ୍ଠି ଖୋଲିଗଲା । ମୁଁ ତାକୁ କୁଣ୍ଢାଇ ମୋ ଛାତି ଉପରକୁ ଆଣିବାବେଳେ ଜାଣିଲି ଯେ ସିଏ ଜ୍ୟୋତ୍ସ୍ନା ନୁହେଁ ମୋ ଝିଆରୀ ସୁରମା । ମୋର ସେଇ ମୁହୂର୍ତ୍ତରେ ହାର୍ଟଫେଲ୍‌ ହୋଇ ଯାଇଥାନ୍ତା । କୌଣସିମତେ ସେ ଭାଡ଼ିରୁ ଓହ୍ଲାଇ ଦାଣ୍ଡ-ଘରକୁ ଆସିଲି ଓ ଖଟରେ ମୁହଁ ମାଡ଼ି ଶୋଇ ପଡ଼ିଲି । ସୁରମା ମୋ ସହିତ କାହିଁକି ଲୁଚୁକାଳି ଖେଳୁଥିଲା, ସେ ବିଷୟରେ ପଦେ ଅଧେ କହି ଦେଉଛି । ତାକୁ ବର୍ତ୍ତମାନ ସାତ ଆଠ ବର୍ଷ ହେଲେ ସୁଦ୍ଧା, ସେ ସବୁଦିନେ ବୁଢ଼ା ଆଙ୍ଗୁଠି ଚାପେ । ଏହି ବଦଭ୍ୟାସ ଯୋଗୁଁ କ୍ରମଶଃ ତା’ର ସେହି ଆଙ୍ଗୁଠିଟି ସରୁ ହୋଇଗଲାଣି । ତା’ର ଏହି କଦର୍ଯ୍ୟ ବଦଗୁଣକୁ ଦୂର କରିବାକୁ ମୁଁ ତାକୁ ନିର୍ଧୁମ ମାଡ଼ ଦିଏ । ସେଥିପାଇଁ ସେ ମତେ ଭୟ କରେ । କିନ୍ତୁ ଆଙ୍ଗୁଠି ଚପା ଛାଡ଼େ ନାହିଁ । କବାଟ-କୋଣରେ କିମ୍ଵା ରୋଷେଇଘରକୁ ଯାଇ ସେଇ କଥା କରେ । ଏମିତି ଆଙ୍ଗୁଠି ଚାପିବାକୁ ଇଚ୍ଛା ହେଲେ, ଝାଡ଼ା ଦେଖାଉଛି ବୋଲି କହି ପାଇଖାନା-ଘରକୁ ଯାଏ ଓ ସେଠାରେ ନିଶ୍ଚିନ୍ତରେ, ବିନା ମାଡ଼ ଭୟରେ, ଆଙ୍ଗୁଠି ଚାପେ । ବର୍ତ୍ତମାନ ମୁଁ ଜ୍ୟୋତ୍ସ୍ନା ପାଇଁ ବ୍ରା, ବ୍ଲାଉଜ ଆଣିବା ବେଳେ ସେ ଆଙ୍ଗୁଠି ଚାପିବା ଆରମ୍ଭ କରିଥିଲା । ଥରେ ଆରମ୍ଭ ହୋଇଗଲେ, ତାହା ଅଧଘଣ୍ଟା ଯାଏଁ ଚାଲିବ । ସେଥିରୁ କ’ଣ ଅମୃତ ମିଳେ, ତାହା ତାକୁ ହିଁ ଜଣା । ମୋର ଆଖିରୁ ଦୂରେଇ ଯିବା ପାଇଁ ସେ ଶେଷରେ କାଠ ଭାଡ଼ିରେ ଚଢ଼ିଥିଲା । କିନ୍ତୁ ସେତେବେଳେ ଜ୍ୟୋତ୍ସ୍ନାର ଛାତିରେ ହାତ ପକାଇବାକୁ ମୁଁ ଏତେ ଦୂର ଆତୁର ହୋଇ ଯାଇଥିଲି ଯେ, ମୋ ଆଖିକୁ ଆଉ କିଛି ଦେଖା ଯାଉ ନ ଥିଲା । ଯାହାହେଉ, ସେତେବେଳେ ସ୍ଥାନ-କାଳ-ପାତ୍ର ଠିକ୍‌ ଭାବେ ବିବେଚନା କରି ପାରି ନ ଥିବାରୁ, ମୁଁ ଅନୁତପ୍ତ ହୋଇ ଶେଯରେ ବର୍ତ୍ତମାନ ପଡ଼ି ରହିଲି । ଏମିତି ସମୟରେ ମୋ ସ୍ତ୍ରୀ ଦାଣ୍ଡପଟୁ ଆସିଲା । ବୋଧହୁଏ ଏତେବେଳ ଯାଏଁ ପଡ଼ିଶାଘରକୁ ଗପିବା ପାଇଁ ଯାଇଥିଲା । ମୋ ଖଟରେ ବସି ଆଳାପ କରିବା ପାଇଁ ସେ ମତେ ଚିମୁଟି ଉଠାଇଲା । ମୁଁ ରାଗିଯାଇ କହିଲି ଯେ ଦିନବେଳେ ଏହିସବୁ କାମ ନିଷିଦ୍ଧ । ଏହି ସମ୍ପର୍କରେ ଗୋଟିଏ ଉପଦେଶମୂଳକ ଭାଷଣ ଦେବାପାଇଁ ମୁଁ ପ୍ରସ୍ତୁତ ହେଉଥିବାବେଳେ ସ୍ଥାନୀୟ ଶ୍ରୀରାମ ଟକିଜ୍‌ ମ୍ୟାଟିନି ସୋ ପାଇଁ ମାଇକ୍‌ ଦ୍ଵାରା ପ୍ରଚାର ହଠାତ ଆମ ଘର ଭିତରକୁ ମାଡ଼ି ଆସିଲା । ମାଇକ୍‌ର ପ୍ରବଳ ଶବ୍ଦରେ ମୁଁ କହୁଥିବା କଥା ପୂରାପୂରି ବୁଡ଼ିଗଲା । ମୋ ସ୍ତ୍ରୀ ମତେ ଚେତାଇ ଦେଲା ଯେ, ଇଏ ତ ମ୍ୟାଟିନ ସୋ’ର ଯୁଗ ଦିନବେଳେ କବାଟ କିଳି ଦେଲେ ରାତି ହୋଇଯିବ । ଏମିତି କହୁ କହୁ ଘରର ସବୁଗୁଡ଼ିକ କବାଟ ଓ ଝରକା ସେ ଧଡ଼୍‌ଧାଡ଼ କରି ବନ୍ଦ କରି ଦେଲା ଓ ମୋ ଉପରକୁ ନଇଁ ପଡ଼ିଲା ।

 

ଏମିତି ଛୋଟ ଛୋଟ ଘଟଣା ଦୁର୍ଘଟଣାରେ ମୋ ଦାମ୍ପତ୍ୟ ଜୀବନର ବହୁଦିନ ବିତିଗଲା-। ଦିନେ ଆମେ ସ୍ୱାମୀ-ସ୍ତ୍ରୀ ସକାଳେ ବହୁତ ସମୟ ଯାଏଁ ଶୋଇ ପଡ଼ିଲୁ । ପାଗ ମେଘୁଆ ଥିଲା । ସୂର୍ଯ୍ୟୋଦୟ ଜଣା ପଡ଼ୁ ନ ଥିଲା-। ସାଢ଼େ ସାତଟା ବେଳେ ଶେଯ ଛାଡ଼ିଲୁ । ମୋ ସ୍ତ୍ରୀ ଯେତେ ତରବରରେ ରୋଷେଇ କଲେ ସୁଦ୍ଧା ମୁଁ ଅଫିସ୍‌କୁ ବାହାରିବା ବେଳେ କିଛି ବିଳମ୍ବ ହୋଇଗଲା । ବସଷ୍ଟାଣ୍ଡକୁ ଦୌଡ଼ିଲି । ସେତେବେଳେ ମୁଁ ସବୁଦିନେ ଯେଉଁ ଓ.ଆର୍‌.ଟି. ବସ୍‌ରେ ଯାଉଥିଲି, ତାହା ଚାଲିଗଲାଣି । ଗୋଟିଏ ପ୍ରାଇଭେଟ୍ ବସ୍ ଧରିଲି । କଣ୍ଡକ୍‌ଟର୍‌କୁ ଚନ୍ଦନପୁରକୁ ଟିକେଟ କରିବାକୁ କହିଲି । ତା’ପରେ ପଇସା ଦେବାପାଇଁ ପକେଟରେ ହାତ ପୁରାଇବାବେଳେ ଦେଖିଲି ଯେ ମୋର ମନିପର୍ସଟି ନାହିଁ । ମୁଁ ଚମକି ସିଟ୍‌ରୁ ଠିଆ ହୋଇ ପଡ଼ିଲି । ବସ୍‌ର ଯାତ୍ରୀମାନେ ମୋର ପକେଟମାର୍ ହୋଇ ଯାଇଛି ବୋଲି ଭାବି ପ୍ରଥମେ କାଳେ ସେମାନଙ୍କ ନିଜର ପକେଟମାର୍ ହୋଇ ଯାଇଥିବ ବୋଲି ସନ୍ଦେହ କଲେ ଓ ଯିଏ ଯାହାର ପକେଟ ଦରାଣ୍ଡି ଆଶ୍ଵସ୍ତ ହେଲେ-। ତା’ପରେ ସେମାନେ ମତେ ସହାନୁଭୂତି ଜଣାଇ ନାନା ପ୍ରକାର ପ୍ରଶ୍ନ ଓ ଆଶ୍ୱାସନା ଦେବା ପୂର୍ବରୁ ମୁଁ ବସ୍‌ରୁ ଓହ୍ଲାଇ ପଡ଼ିଲି ଓ ଘର ଆଡ଼କୁ ଦୌଡ଼ିଲି । ସେତେବେଳେ ମୋର ଉଗ୍ରମୂର୍ତ୍ତି । ଏଥି ପୂର୍ବରୁ ମୁଁ ବହୁ ପୁରୁଷମାନଙ୍କ ଠାରୁ ଶୁଣିଛି ଯେ, ସେମାନଙ୍କ ସ୍ତ୍ରୀ ମାନେ ପକେଟରୁ ପଇସା କେମିତି ଚୋରାଇ ଥା’ନ୍ତି । କିନ୍ତୁ ମୋର ଏହି ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହୋଇ ନଥିଲା-। ବର୍ତ୍ତମାନ ମୁଁ ଭାବିଥିଲି ଯେ, ଜ୍ୟୋତ୍ସ୍ନା ମୋ ପକେଟ୍‌ରୁ ପର୍ସଟି ନେଇଛି ଓ ତା’ ଯୋଗୁଁ ମୁଁ ହଟହଟା ହେଉଛି । ସ୍ତ୍ରୀ ପ୍ରତି କ୍ରୋଧ ଥିବା ଅବସ୍ଥାରେ ମୁଁ ଘରେ ପହଞ୍ଚିଲି । ମୋ ଝିଆରୀ ସୁରମା ବାରଣ୍ଡାରେ ଠିଆ ହୋଇଛି । ଜ୍ୟୋତ୍ସ୍ନା ବିଷୟରେ ତାକୁ ପଚାରିଲି । ସେ ମତେ ଜଣାଇଲା ଯେ, ଜ୍ୟୋତ୍ସ୍ନା ଶୌଚ ହେବା ପାଇଁ ପାଇଖାନାକୁ ଯାଇଛି । ତା’ର ଭାଗ୍ୟ ଭଲ । ନଚେତ୍ ତା’ର ଗାଲ ଲହୁଣି ପରି ହୋଇଥିଲେ ସୁଦ୍ଧା ଚଟକଣିଟିଏ କଷି ଦେଇଥାନ୍ତି । ମୋର ସେତେବେଳେ ପୂରାପୂରି ସନ୍ଦେହ ଥାଏ ଯେ ମୋ ସ୍ତ୍ରୀ ହିଁ ପକେଟରୁ ମନିପର୍ସ ବାହାର କରିଛି । କାରଣ ସେ ଆଜିକାଲି କନାରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ନାନାରଙ୍ଗର ସୂତାରେ ଫୋଟ ସିଲାଇ କରୁଛି ଏବଂ ସେଗୁଡ଼ିକୁ ଫ୍ରେମିଂ କରିବା ତା’ର ଇଚ୍ଛା । ଏଥିପାଇଁ ସେ ମତେ ବହୁବାର କହିଲାଣି । କିନ୍ତୁ ତା’ର ଫୋଟଗୁଡ଼ିକ ଏତେ ଅସୁନ୍ଦର ଯେ ମୁଁ ସେଗୁଡ଼ିକୁ ତୁଚ୍ଛାରେ କାଚରେ ବନ୍ଧାଇ ଅର୍ଥଶ୍ରାଦ୍ଧ କରିବାକୁ ଚାହୁଁ ନାହିଁ-। ଅବଶ୍ୟ ତାକୁ ଖୁସି କରିବାକୁ ମୁଁ ଉପରଠାଉରିଆ ଭାବେ ତା’ ସିଲାଇକୁ ପ୍ରଶଂସା କରେ ଏବଂ ତା’ର ଅର୍ଥ ଦବାକୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଏଡ଼ାଇ ଦିଏ । ମୋର ମନେ ହେଲା ଯେ, ଯେତେ ଦୂର ସମ୍ଭବ, ଗତ କାଲି ସନ୍ଧ୍ୟାରେ ମୁଁ ଅଫିସ୍‌ରୁ ଫେରି ଗାଧୁଆ ପାଧୁଆ କଲା ବେଳେ ଜ୍ୟୋତ୍ସ୍ନା ମନିପର୍ସଟି ନେଇଥିବ । ବର୍ତ୍ତମାନ ମୁଁ ରାଗରେ ଥରହର ହୋଇ ତାକୁ କିଛି ସମୟ ଅପେକ୍ଷା କଲି । ତା’ପରେ ସେ ପାଇଖାନା କବାଟ ଖୋଲୁଖୋଲୁ ତାକୁ ଅତି ହିଂସ୍ର ଭାବେ ପଦାକୁ ଟାଣି ଆଣିଲି । କିନ୍ତୁ ଅଳ୍ପ ସମୟ ମଧ୍ୟରେ ତଦନ୍ତରୁ ଜଣାଗଲା ସେ ପର୍ସ ଚୋରି ସମ୍ପର୍କରେ ମୋ ସ୍ତ୍ରୀ ନିର୍ଦ୍ଦୋଷ । ସୁରମା ସବୁ ବିଷୟ ନିଜେ ସ୍ଵୀକାର କରି ଜଣାଇଲା । ଗତ ଚାରି ପାଞ୍ଚ ଦିନ ଧରି ସୁରମାକୁ ନାଳରକ୍ତ ଝାଡ଼ା ହେଉଥିବାରୁ ତାକୁ ଖାଇବା ପାଇଁ ପ୍ରାୟ କିଛି ଦିଆଯାଉ ନାହିଁ । ସେ ଉପବାସ ସମ୍ଭାଳି ନ ପାରି ବୁଲାବିକାଳୀ ଠାରୁ କିଛି କିଣି ଖାଇବ ବୋଲି ପଇସା ଖୋଜୁଥିଲା । ଆଜି ସକାଳେ ଆମେ ଅଧିକ ସମୟ ଶୋଇବାର ଦେଖି ସେ ମୋ ପକେଟରୁ ପର୍ସ ବାହାର କଲା-। କିନ୍ତୁ ସେ ଏମିତି ଭାବେ ପର୍ସଟି ଖୋଲିଲା ଯେ ସେଥିରେ ଲାଗିଥିବା ଚେନ୍‌ର ଦାନ୍ତ ବାହାଡ଼ା ହୋଇଗଲା । ତେଣୁ ଚେନ୍ ବନ୍ଦ କରିବାକୁ ତା’ର ସବୁ ଚେଷ୍ଟା ବିଫଳ ହେଲା । ଏଥିରେ ସେ କଳାକାଠ ପଡ଼ିଗଲା । ଏମିତି ସମୟରେ ଆମେ ନିଦରୁ ଉଠି ପଡ଼ିବାରୁ ସେ ଆଉ କୌଣସି ଉପାୟ ନ ଦେଖି ପର୍ସଟି ରୋଷେଇ ଘରର ଭାଡ଼ି ଉପରକୁ ଫୋପାଡ଼ି ଦେଲା । ବର୍ତ୍ତମାନ ସେ ତା’ର ଦୋଷ ମାନି ମତେ ନିର୍ଦ୍ଦିଷ୍ଟ ସ୍ଥାନଟି ଦେଖାଇଲା । ମୁଁ କାନ୍ଥକୁ ଆଶ୍ରୟ କରି ପର୍ସଟି ବାହାର କଲି । ପୁଣି ବସ୍‌ଷ୍ଟାଣ୍ଡକୁ ଦୌଡ଼ିଲି । କିନ୍ତୁ ଠିକ୍ ସେତେବେଳେ ପ୍ରାଇଭେଟ୍ ବସ୍‌ଟି ମୋ ଆଖିରେ ଧୂଳି ପକାଇ ଚାଲିଗଲା । ଅଧଘଣ୍ଟାଏ ପରେ ଅନ୍ୟ ଗୋଟିଏ ବସ୍‌ରେ ମୁଁ ଚନ୍ଦନପୁରରେ ଓହ୍ଲାଇଲି ଓ ଅଫିସ୍‌କୁ ଗଲି । ସେତେବେଳେ ହେଡ଼କ୍ଳର୍କଙ୍କୁ ସିଟ୍‌ରେ ନ ଦେଖି ମୁଁ ବଡ଼ ଖୁସି ହୋଇଗଲି-। ତା’ପରେ ମୋ ଚେୟାର ପାଖକୁ ଗଲି । ସମ୍ମୁଖରେ ବସିଥିବା ଜଣେ ସହକର୍ମୀ ମୋ ସାର୍ଟ-ପକେଟ କାଳିରେ ଭିଜି ଯାଇଥିବା ବିଷୟ ସୂଚାଇଲା । ସେତେବେଳେ ମୁଁ ଜାଣିଲି ଯେ, ବସ୍ ପଛରେ ଏକ ନିଃଶ୍ଵାସରେ ଧାଇଁବା ଯୋଗୁଁ ଏହି ଫଳ ହେଲା । ଏମିତି ସମୟରେ ମୋ ନିକଟସ୍ଥ ଆଉ ଜଣେ ସହକର୍ମୀ ମୋ ସାର୍ଟର ପଛପଟେ କଳା ବୋଳି ହୋଇଥିବା ବିଷୟ ସମସ୍ତଙ୍କୁ ଶୁଭିବା ପରି ଉଚ୍ଚ ପାଟିରେ କହିଲା । ଜଣେ ରସିକତା ସହିତ ଉତ୍ତର ଦେଲା, ‘ଭାଇନା ଆଜି ଭାଉଜକୁ ରୋଷେଇଶାଳରେ କୁଣ୍ଢାଇ ପକାଇଛନ୍ତି !’ ମୁଁ ମୁଁ ବଡ଼ ଲଜ୍ଜିତ ହୋଇଗଲି-। ଫାଇଲ୍ ଖୋଲିବା ପୂର୍ବରୁ କିଛି ସମୟ ବିଶ୍ରାମ ନେବା ପାଇଁ ଚେୟାର୍‌ରେ ଖାଲି ବସିଲି-। ଇତ୍ୟବସରରେ ହେର୍ଡ଼ କ୍ଳର୍କ ଅଫିସରଙ୍କ ପାଖରୁ ଆସିଲେ । ସେ ମତେ ଡାକିଲେ । ବିଳମ୍ବରେ ଆସିଥିବା ଯୋଗୁ ଶୀଘ୍ର ଛୁଟି ପାଇଁ ଦରଖାସ୍ତ କରିବାକୁ ମତେ ରୁକ୍ଷଭାବେ ନିର୍ଦ୍ଦେଶ ଦେଲେ-। ତାଙ୍କର ଆଦେଶ ମତେ ବଡ଼ ବାଧିଲା । ଆଜିଯାଏଁ ସେ ମୋର ଅନିୟମତା ଓ ଅବହେଳାକୁ କ୍ଷମା ଦେଉଥିଲେ । ତେଣୁ ଆଜି ତାଙ୍କର ବିପରୀତ ଆଚରଣ ଯୋଗୁଁ ମୁଁ ବିବ୍ରତ ଓ ଦୁଃଖିତ ହୋଇ ପଡ଼ିଲି । ସେ ବାରମ୍ବାର ବାଧ୍ୟ କରିବାରୁ ଛୁଟି ଦରଖାସ୍ତ ଦେଇ ଅବେଳାରେ ଘରକୁ ଫେରିଲି । ବାଟରେ ଭାବୁଥାଏ ଯେ, ସେ ମତେ କର୍ତ୍ତବ୍ୟ ପ୍ରତି ସଚେତନ କରାଇବାର ଆଜି ଏମିତି ନିଷ୍ଠୁର ବ୍ୟବହାର କଲେ । ବସ୍‌ରୁ ଓହ୍ଲାଇ ଘରେ ପହଞ୍ଚିବାବେଳେ ଦାଣ୍ଡରୁ ଲକ୍ଷ୍ୟ କରି ପାରିଲି ଯେ ମେକ୍-ଅପ୍ ଯୋଗୁଁ ମୋ, ସ୍ତ୍ରୀ ଖୁବ୍ ଚକଚକିଆ ଦେଖାଯାଉଛି ଓ ଆମ ବିବାହ ଉପଲକ୍ଷେ ମୋର ଜଣେ ବନ୍ଧୁ ଉପହାର ଭାବେ ଦେଇଥିବା ଗୋଟିଏ ଶଙ୍ଖ-ମର୍ମର ନିର୍ମିତ ଯୁଗଳ ମୂର୍ତ୍ତିକୁ ଧୂଳି ଝାଡ଼ି ସଫା କରୁଛି । ସେ ମତେ ଅପ୍ରତ୍ୟାଶିତ ଭାବେ ଦେଖି ଆଶ୍ଚର୍ଯ୍ୟରେ କହିଲା, ‘ତମ କଲେକ୍ଟର ଭାରି ଭଲ ଲୋକ ନିଶ୍ଚୟ-। ଏତେ ଡେରିରେ ଗଲେ ସୁଦ୍ଧା ଶୀଘ୍ର ଘରକୁ ଫେରିବା ପାଇଁ ଅନୁମତି ଦେଉଛନ୍ତି ।’ ତା’ର ସତେଜ ଓ ପ୍ରଫୁଲ୍ଲ ମନୋଭାବ ଦେଖି ମୁଁ କଳ୍ପନା କଲି ଯେ ସେ ତା’ର ହାତ ଦୁଇଟି ଖୋଲି ମୋ ଉପରେ ଲୋଟି ପଡ଼ିବ । ଏହି ଆଶଙ୍କାରେ ମୁଁ ଚଟାଣରେ ତତ୍‌କ୍ଷଣାତ୍ ବସି ପଡ଼ିଲି । ଅଫିସ ସମ୍ପର୍କରେ ନାନା ପ୍ରକାର ଦୁର୍ଭାବନା ଯୋଗୁଁ ମୋ ମୁଣ୍ଡ ଭାରି ଲାଗୁଥାଏ । ମୋ ସ୍ତ୍ରୀ ମତେ ଶେଯରେ ଶୁଆଇଲା ଓ ଅମୃତାଞ୍ଜନ ମଲମ ଲଗାଇ ହାଲୁକାଭାବେ ମାଲିସ କଲା । କ୍ରମେ କ୍ରମେ ଜୀବନ ମୋ ପିଣ୍ଡକୁ ପୁଣି ଫେରି ଆସୁଥିବାର ମୁଁ ଅନୁଭବ କଲି ।

 

ବିବାହର ଦଶ ପନ୍ଦର ବର୍ଷ ମଧ୍ୟରେ ମୋ ଜୀବନରେ ବହୁ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନମାନ ଘଟିଲା । ପ୍ରଥମତଃ ଆମ ଭାଇମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବାରୁ ଆମ ସମଷ୍ଟିରେ ଥିବା ସବୁ ସମ୍ପତ୍ତି ବାଣ୍ଟିଲୁ । ମୋ ଭାଗକୁ ଗାଁର କିଛି ଜମି ପଡ଼ିଥିଲା । କିନ୍ତୁ କାଦୁଅ କଣ୍ଟା ମାଡ଼ି ଜମିବାଡ଼ି ବୁଝିବା ତ ଦୂରର କଥା–ଗାଁରେ ପାଦ ଦେବାକୁ ମଧ୍ୟ ମୋର ଇଚ୍ଛା ନ ଥିଲା । ତେଣୁ ମୁଁ ଜମି ପରିବର୍ତ୍ତେ ନଗଦ ଟଙ୍କା ଆଣିଥିଲି । ଟାଉନରେ ସ୍ଥାୟୀ ବାସିନ୍ଦା ହେବା ପାଇଁ ଆମେ ଉଭୟ ପ୍ରାଣୀ ଚାହୁଁଥିବାରୁ ଗୋବିନ୍ଦପୁରରେ ଗୋଟିଏ ଘର କିଣିବାକୁ ସ୍ଥିର କଲୁ । ସୌଭାଗ୍ୟକୁ ମୁଁ ଯେଉଁ ଘରେ ଭଡ଼ାରେ ଥିଲି, ସେଇ ଘରଟି ହିଁ କମ୍ ଦାମରେ କିଣିଲି । ଏହି ପରିସ୍ଥିତିରେ ମୋର ଗାଁ ସହିତ କୌଣସି ସମ୍ପର୍କ ରହିଲା ନାହିଁ । ସେ ଯାହାହେଉ, ଆମେ ବିଭକ୍ତ ହେବା ପରେ ସମ୍ପତ୍ତି ବାଣ୍ଟି ହୋଇଯିବାରୁ ମୋ ଜୀବନ ଧାରଣର ମାନରେ ଯଥେଷ୍ଟ ଅବନତି ଘଟିଲା ଓ ମୁଁ ଦାରିଦ୍ର୍ୟ ବିଷୟରେ ସବୁବେଳେ ସଚେତନ ରହିଲି । ମୋ ଜୀବନର ଦ୍ଵିତୀୟ ଉଲ୍ଲେଖନୀୟ ଘଟଣା ହେଉଛି ପରିବାରରେ ହଠାତ୍ ସଂଖ୍ୟା ବୃଦ୍ଧି । ଅବଶ୍ୟ ବିବାହର ପ୍ରାୟ ଦଶ ବର୍ଷ ପରେ ମୋର ପ୍ରଥମ ସନ୍ତାନ ଜନ୍ମ ହେଲା । କିନ୍ତୁ ତା’ ପରେ ପରେ ଲାଇନ୍ ଆରମ୍ଭ ହୋଇଗଲା । ପ୍ରଥମେ ଗୋଟିଏ ଝିଅ ଜନ୍ମ ହେଲା । ତା’ର ନାଁ ଦେଲି ରୁଲି । (ଅବଶ୍ୟ ତା’ର ନାମକରଣ ଠିକ୍ ହେଲା ନାହିଁ, କାରଣ ସ୍ୱଭାବତଃ ସେ ଅନ୍‌ରୁଲି । ) ତା’ ପର ବର୍ଷ (ବୋଧହୁଏ ପୁରା ବର୍ଷେ ହୋଇ ନ ଥିଲା । ଏଗାର ମାସ ହୋଇଥିବ) ଗୋଟିଏ ପୁଅ ଜନ୍ମ ହେଲା । ତା’ର ନାଁ ବୁଲୁ । ପୁଣି ଗୋଟିଏ ପୁଅ ଚଉଦ ମାସ ପରେ ଜନ୍ମ ହେଲା । ତାକୁ ଡୁଲୁ ବୋଲି ଆମେ ଶ୍ରଦ୍ଧାରେ ଡାକୁଥାଉଁ । ଏହି ରୁଲି, ବୁଲୁ ଓ ଡୁଲୁର ଆକୃତି, ପ୍ରକୃତି ଓ ବ୍ୟବହାର ସାମଞ୍ଜସ୍ୟ ଦେଖିଲେ ଯେ କେହି କହିବ ଯେ ମୋ ସ୍ତ୍ରୀ ଏହି ତିନୋଟି ଛୁଆକୁ ଗୋଟିଏ ଦିନରେ ଜନ୍ମ କରିଛି । ଏମାନଙ୍କ ଯୋଗୁଁ ଆମ ପରିବାରରେ ସବୁଦିନେ ବୋଲାବୋଲି, ଧରାଧରି, ଠେଲାଠେଲି, ଗଡ଼ାଗଡ଼ି ଓ କନ୍ଦାକନ୍ଦି । ରାତି ଅଧରେ ମଧ୍ୟ ପାଟିତୁଣ୍ଡ ଓ ହାଟନାଟ । ପ୍ରକୃତରେ ଏହି ତିନୋଟି କ୍ଷୁଦ୍ର ମହାପୁରୁଷଙ୍କର ଆବିର୍ଭାବ ପରେ ମୋ ଘର ପ୍ରତି ମୁହୂର୍ତ୍ତରେ ସମୁଦ୍ର ପରି ଅଶାନ୍ତ ।

 

ଛୁଆଗୁଡ଼ିକୁ ଶୃଙ୍ଖଳିତ କରିବାକୁ ମୁଁ ଗାଳିଗୁଲଜ କରେ । ଥରେ ଥରେ ମାଡ଼ ଦିଏ । ମୋର ଏହି କଠୋର ବ୍ୟବହାର ଜ୍ୟୋତ୍ସ୍ନା ସହିପାରେ ନାହିଁ । ସେ ଅନ୍ଧଭାବେ ପିଲାମାନଙ୍କର ପକ୍ଷ ସମର୍ଥନ କରେ ଓ ହୁଣ୍ଡୀ ପରି ଯୁକ୍ତିତର୍କ କରେ । ଏହା ଫଳରେ ଛୁଆଗୁଡ଼ିକ ଅଧିକ ଉତ୍ପାତ କରିବାକୁ ଉତ୍ସାହିତ ହୁଅନ୍ତି । ପୁଣି ଗୃହକର୍ତ୍ତା ହିସାବରେ ମୋର ଘରତିଆପଣରେ ଘୋର ଆଞ୍ଚ ଆସେ । ଏହି ସମ୍ପର୍କରେ ମୁଁ ଗୋଟିଏ ଦୃଷ୍ଟାନ୍ତ ଦେଉଛି । ଥରେ ବିଭାଗୀୟ ମନ୍ତ୍ରୀ ଆସେମ୍ବ୍ଲିରେ ଜମିପଟ୍ଟା ବଣ୍ଟନ ବିଷୟରେ ଉତ୍ତର ଦେବା ପାଇଁ ଜରୁରୀ ଆବଶ୍ୟକତା ପଡ଼ିଲା । ତେଣୁ ଗୁଡ଼ାଏ ଶୂନ୍ୟ ଫର୍ମରେ ବିଭିନ୍ନ ରୟତଙ୍କର ନାମ, ଜମିର ପରିମାଣ, କିସମ ଇତ୍ୟାଦି ବିଷୟ ପୂର୍ଣ୍ଣ କରିବାକୁ ପଡ଼ିଲା । ପ୍ରତ୍ୟେକ ରୟତ ପାଇଁ ପାଞ୍ଚୋଟି ଫର୍ମରେ ସେଇ ଗୋଟିଏ ବିଷୟ ହିଁ ଲେଖିବାକୁ ପଡ଼ିବ-। ତେଣୁ ପରିଶ୍ରମ କମାଇବାକୁ ଯଥେଷ୍ଟ ପରିମାଣରେ କାର୍ବନ ପେପର୍ ଆମେ ବ୍ୟବହାର କରୁ-। ଅଫିସର୍, ଆମମାନଙ୍କୁ ଏଗୁଡ଼ା ଶୂନ୍ୟ ଫର୍ମ ଓ କାର୍ବନ ପେପର୍ ଘରକୁ ନେଇ ରାତାରାତି କାମ ସରାଇବାକୁ କହିଲେ । ମୁଁ ଏହି ନିର୍ଦ୍ଦିଷ୍ଟ କାଗଜପତ୍ର ବିଡ଼ାଏ ଘରକୁ ଧରି ଆସିଲି । ସେଦିନ ଗୋବିନ୍ଦପୁରରେ ସାମାନ୍ୟ ବର୍ଷା ହୋଇ ଛାଡ଼ି ଯାଇଥିଲା । ତଥାପି ଆକାଶରେ କଳା ମେଘ ଘୋଟି ରହିଥିଲା । ବିଜୁଳି ଥରକୁ ଥର ଚିକ୍‌ଚିକ୍ ମାରୁଥାଏ । ଘରକୁ ସନ୍ଧ୍ୟା ସାତଟା ବେଳେ ଆସିବା ପରେ ମୁଁ ଅଫିସ କାମ ଆରମ୍ଭ କରିଦେଲି । ଅଳ୍ପ ସମୟ ମଧ୍ୟରେ ବିଜୁଳି ଆଲୋକ ପ୍ରତି ଆକୃଷ୍ଟ ହୋଇ ଝଡ଼ିପୋକ ଓ ମୁଣ୍ଡରେ କଳାଟୋପା ଥିବା ଛୋଟ ଛୋଟ ଶାଗୁଆ ପୋକ (ଯାହା ସାଧାରଣତଃ ଦୀପାବଳୀ ଅମାବାସ୍ୟା ବେଳେ ପ୍ରଚୁର ପରିମାଣରେ ବ୍ୟାପିଥାନ୍ତି) ଘର ଭିତରକୁ ମାଡ଼ି ଆସିଲେ । ମୋର ଫାଇଲ, ଆଖି, କାନ ଓ ନାକ ଭିତରକୁ ଡେଇଁ ସେମାନେ ମତେ ବଡ଼ ବିରକ୍ତ କରାଉଥା’ନ୍ତି । ତଥାପି ଏସବୁ ପ୍ରତି ମୁଁ ଖାତିର୍ ନ କରି ମୋ କାମରେ ବ୍ୟସ୍ତ ଥାଏ । ଏମିତି ସମୟରେ ମୋ ଝିଅ ରୁଲିର ଆଖିରେ ଗୋଟିଏ ଶାଗୁଆ ପୋକ ପଶିଗଲା । ସେ ସଙ୍ଗେ ସଙ୍ଗେ ଆଖିପତା ଘୋଡ଼ାଇ ମନ୍ଥି ଦେବାରୁ ତା’ ଆଖି ଜଳିଲା ଓ ସେଥିରୁ ଥପ୍ ଥପ୍ ହୋଇ ପାଣି ନିଗିଡ଼ିଲା । ତା’ର କାନ୍ଦ ଶୁଣି ଜ୍ୟୋତ୍ସ୍ନା ରୋଷେଇ ଘରୁ ଦୌଡ଼ି ଆସିଲା ଓ ତାକୁ କାନ୍ଧ ଉପରକୁ ଟେକି ଗେହ୍ଲା କଲା । ମୁଁ ଦାଣ୍ଡ ଘରର ଲାଇଟ୍ ଜଳାଇଥିବା ଯୋଗୁଁ ଏହା ଘଟିଲା ବୋଲି ଅଭିଯୋଗ କରି ସେ ମତେ ଦୋଷ ଦେଲା ଓ ଲାଇଟ୍ ଶୀଘ୍ର ବନ୍ଦ କରିବାକୁ ବାରମ୍ବାର ଦାବି କଲା-। ବହୁତ ଗୁଡ଼ାଏ ଲେଖାଲେଖି କରିଥିବା ଯୋଗୁଁ ସେତେବେଳେ ମୋ ଆଙ୍ଗୁଠି ଟିପ ବିନ୍ଧିଲାଣି-। ଅବଶ୍ୟ ମୋ କାମ ମଧ୍ୟ ସରି ଆସିଲାଣି । କେବଳ କପିଗୁଡ଼ିକ ମଧ୍ୟରେ ରଖା ଯାଇଥିବା କାର୍ବନ ପେପର୍ ଗୁଡ଼ିକ ଅଲଗା କରି ନ ଥିଲି । ଯାହାହେଉ, ମନଖୁସିରେ ଟିକିଏ ବୁଲି ଆସିବା ପାଇଁ ବାହାରିଲି । ଘରଠାରୁ ଦୁଇ ପାଂର୍ଲାଙ୍ଗ ରାସ୍ତା ଚାଲିଲି । ସେଠାରେ ଗୋଟିଏ ଜଳଖିଆ ହୋଟେଲ ଅଛି । ତା’ ପାଖରେ ମୋର ବାକି ଖାତା ଥାଏ । ତାକୁ ଗୋଟିଏ କଡ଼ା ଚା’ ମାଗିଲି । ଚାହା ଭୀଷଣ ଗରମ ଥିବା ଯୋଗୁଁ ଫୁଙ୍କି ଫୁଙ୍କି, ଦୁଇ ମିନିଟକୁ ଥରେ ହିସାବରେ, କପ୍‌ରେ ଓଠ ଲଗାଉ ଥାଏ-। ଏହି ଅବସରରେ ଖୁବ୍ ଜୋରରେ ବର୍ଷା ଆରମ୍ଭ ହୋଇଗଲା । ପବନରେ ହୋଟେଲ ଭିତରକୁ ଥରେ ଥରେ ପାଣି ଛିଞ୍ଚାଡ଼ି ହୋଇ ଆସୁଥାଏ । ବୋଧହୁଏ, ଏହି ପ୍ରବଳ ବର୍ଷା ଯୋଗୁଁ ମୁଁ ସେଠାରେ ଅଧ ଘଣ୍ଟାଏ ଯାଏଁ ଅଟକିଲି । ତା’ପରେ ଝିପିଝିପି ବର୍ଷା ଲାଗି ରହିଥିଲେ ସୁଦ୍ଧା ମୁଁ ଘରକୁ ବାହୁଡ଼ିଲି-। ରାସ୍ତାରେ ଉଦ୍‌ବୃତ୍ତ ପାଣି ଚାଲିଥାଏ । ନାନା ପ୍ରକାର କୁଟା, କାଠ, ଅଳିଆ ପତର ଭାସି ଯାଉଥାଏ । ଏହି ଆବର୍ଜନା ସହର କେତେଗୁଡ଼ାଏ କାଗଜ ଡଙ୍ଗା ଭାସୁଥିବାର ମଧ୍ୟ ମୁଁ ଲକ୍ଷ୍ୟ କଲି-। ରାସ୍ତାରୁ ଦେଖିଲି ଯେ ଦାଣ୍ଡଘରର ଆଲୋକ ଲିଭି ଯାଇଛି । ବୋଧହୁଏ ପୋକ ଘଉଡ଼ାଇବା ପାଇଁ ଜ୍ୟୋତ୍ସ୍ନା ଏମିତି କରିଥିବ । ମୁଁ ଆମ ଘରର ଛାତର ପାଇପ୍‌ରୁ ପଡ଼ିଥିବା ମୋଟା ପାଣି ଧାରରେ ଜୋତା ଓ ପାଦ ଧୋଇଲି । ସେତେବେଳେ ଦାଣ୍ଡ ଘରୁ କେହି କେହି ହଠାତ୍ ଧାଇଁ ଯିବାର ମୁଁ ଅନୁଭବ କଲି । ମୁଁ ଦାଣ୍ଡଘର ଲାଇଟ୍ ଚଞ୍ଚଳ ଜଳାଇଲି । ଦେଖିଲି ଯେ କେତେଗୁଡ଼ିଏ କାଗଜ ଡଙ୍ଗା ତିଆରି ହୋଇ ଘର-କୋଣରେ ଜମା ହୋଇଛି । କାଗଜର କେତେକ ଉଡ଼ାଜାହାଜ ମଧ୍ୟ ଇତସ୍ତତଃ ତଳେ ପଡ଼ିଥିଲା–ସେଥିରୁ କେତୋଟି ଉଡ଼ି ଉଡ଼ି ଯାଇ କାନ୍ଥ ଓ ଛାତର ଅଳନ୍ଧୁରେ ଛନ୍ଦି ହୋଇ ରହିଛନ୍ତି । ପିଲାମାନଙ୍କର ଏହି ଖେଳ ଯୋଗୁଁ ମୁଁ ବିଚଳିତ ହେବାର କୌଣସି କାରଣ ନ ଥିଲା । କିନ୍ତୁ ଏହି କାଗଜ-ଖେଳନା-ଗୁଡ଼ିକ ଅଫିସରୁ ଆଜି ଆଣିଥିବା ଫର୍ମ କାଗଜରେ ତିଆରି ହୋଇଥିବାରୁ ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ । ରୁଲି ଓ ବୁଲୁକୁ ତଳେ ପକାଇ ପାଦରେ ମନ୍ଥି ଦେବି ବୋଲି ଧମକ ଦେଲି । ସେତେବେଳେ ମୋ ସ୍ତ୍ରୀ ରୋଷେଇ ଘରେ ବନ୍ଧାକୋବି, ମଟର ଓ ଆଳୁ ମିଶାଇ ଭାଜୁଥିଲା । ଭଜା ପୋଡ଼ି ଯିବାର ଭୟ ଥିଲେ ସୁଦ୍ଧା ସେ ମୋର ସାମନା କରିବାକୁ ଦାଣ୍ଡ ଘରକୁ ତତଲା ଚଟୁ ଧରି ଆସିଲା । ମା’ର ଗୋଡ଼ ଦୁଇଟିକୁ ଜାକି ଧରି ରୁଲି ଓ ବୁଲୁ ଠିଆ ହେଲେ । ଜ୍ୟୋତ୍ସ୍ନା ମତେ ଦବାଇବା ପାଇଁ କହିଲା, ‘ପିଲାମାନେ ନୋଟ (କାଗଜଟଙ୍କା) ବିଡ଼ା ତ ଚିରି ନାହାନ୍ତି । ସାମାନ୍ୟ ଫାଇଲ୍ କାଗଜ ପାଇଁ ତୁଚ୍ଛାରେ ଏମିତି କାହିଁକି ହେଉଛ ?’ ସେ ଆହୁରି କେତେ କ’ଣ ସାଂସାରିକ ଜ୍ଞାନ ଶୁଣାଉଥାନ୍ତା । କିନ୍ତୁ ଭଜାର ପୋଡ଼ା ଗନ୍ଧ ଆସିବାରୁ ଦୌଡ଼ି ଦୌଡ଼ି ରୋଷେଇ ଘରକୁ ଚାଲିଗଲା । ମୁଁ ମୁଣ୍ଡ ପୋତି ଖଟ ଉପରେ ବସିଲି । ମୋ ଠାରୁ ଅଳ୍ପ ଦୂରରେ ରୁଲି ମତେ ଏକ ଲୟରେ ଚାହିଁ ଠିଆ ହୋଇଥାଏ । ଏହାର କାରଣ ମୁଁ ବୁଝିପାରିଲି । ମୁଁ ହୋଟେଲକୁ ଯିବା ବେଳେ ସେ କାନ୍ଦୁଥିଲା ବୋଲି ମୁଁ ତା’ ପାଇଁ ଦୁଇଟି ଚକଲେଟ କିଣି ଆଣିଥିଲି । ସେ ଦୁଇଟି ମୋ ଟେରିଲିନ୍ ସାର୍ଟ ପକେଟରେ ଥିଲା; ଯାହାକି ସ୍ପଷ୍ଟଭାବେ ପଦାକୁ ଦେଖା ଯାଉଥିଲା । ରୁଲି ଏହି ଦୁଇଟି ପାଇବାକୁ ଆଶା କରିଛି । ମୁଁ ତାକୁ ପାଖକୁ ଡାକିଲି ଓ ଚକେ୍‌ଲେଟ ଦୁଇଟି ବଢ଼ାଇଲି । ମୋର କାଗଜପତ୍ର ନ ଛୁଇଁବା ପାଇଁ ତାକୁ ଉପଦେଶ ଦେବା ବେଳେ ସେ ମତେ କହିଲା ଯେ ତା’ର ମା’ ଗୁଡ଼ାଏ ଫର୍ମ କାଗଜ ଆଲମାରି ଭିତରେ ଲୁଚାଇ ରଖିଛି । ମୁଁ ଚମକି ପଡ଼ିଲି । ଟେବୁଲ ପାଖକୁ ଯାଇ ଦେଖିଲି ଯେ ବ୍ୟବହୃତ ହୋଇ ନ ଥିବା ବଳକା ଫର୍ମ କାଗଜ ଗୁଡ଼ିକ ପ୍ରକୃତରେ ନାହିଁ । ତେଣୁ କାଗଜ ନିଜେ ନିଜେ ଫେରାଇ ଦେବାପାଇଁ ନଚେତ ମତେ ଆଲମାରି ଚାବି ଦେବା ପାଇଁ ସ୍ତ୍ରୀକୁ କହିଲି । କିନ୍ତୁ ସେ ଶୁଣିବାକୁ ନାରାଜ । ସେ ମତେ ଓଲଟା ଜବାବ ଦେଲା ଯେ ଚାକିରିଆମାନେ ସରକାରର ଶହ ଶହ ଟଙ୍କା ମାରି ନେଉଛନ୍ତି…ଆଉ ସିଏ କ’ଣ ଖଣ୍ଡେ କାଗଜ ଲୁଚାଇ ରଖିବ ଗର୍ହିତ ହେବ ? ସେ କହିଲା ଯେ ଏହି କାଗଜରେ ସେ ରୁଲି ପାଇଁ ରଫ୍ ଖାତା କରିବ । ମୁଁ ଆଉ କୌଣସି ଉପାୟ ନ ପାଇ କାନମୁଣ୍ଡା ଆଉଁସିଲି । ମନଟା ଭାରି ଖରାପ ହୋଇଗଲା । ଆଉ ଅଫିସ-କାଗଜ ସମ୍ପର୍କୀୟ ବଳକା କାମ କରିବାକୁ ମୋର ଇଚ୍ଛା ହେଲା ନାହିଁ । ଟେବୁଲ ଉପରେ ଥିବା ବାକି କାଗଜ ଗୁଡ଼ିକୁ ବିଡ଼ା ବାନ୍ଧି ଜାଗ୍ରତରେ ସାଇତି ରଖିଲି-। ସକାଳେ ଖାଇ ପିଇ କାଗଜ ବିଡ଼ାଟି ସଜାଇବା ବେଳେ ଦେଖିଲି ଯେ ଫାଇଲ୍ ଉପରେ କେତେକ ସ୍ଥାନରେ ଅ ଆ ଇ ଈ ଲେଖା ଯାଇଛି । ଏହା ରୁଲିର ହାତ ଅକ୍ଷର । ମୁଁ ଆଶଙ୍କାରେ ଚମକି ପଡ଼ିଲି । କାରଣ ଫର୍ମ କାଗଜ ଗୁଡ଼ିକରେ ଗୋଟିଏ ପରେ ଗୋଟିଏ ଦଶଟି ଯାଏଁ–କାର୍ବନ ପେପର ରାତିରୁ ଗୁନ୍ଥି ହୋଇ ରହିଥିଲା । ତେଣୁ ରୁଲି ଫାଇଲ୍‌ର ମଲାଟ ଉପରେ ଜୋରରେ ହସ୍ତାକ୍ଷର ଅଭ୍ୟାସ କଲାବେଳେ ତାହା ଫର୍ମଗୁଡ଼ିକ ଉପରେ କପି ହୋଇଯାଇଛି । ଏମିତିକି ଦୁର୍ଭାଗ୍ୟ କ୍ରମେ ପ୍ରାୟ ଦଶଟି ଫର୍ମର ଯେଉଁଠାରେ ଅଫିସର ଦସ୍ତଖତ କରିବା କଥା, ସେଇ ଜାଗାରେ ଅ ଆ ଇ ଈ ଲେଖି ହୋଇ ଯାଇଛି । ଭାଗ୍ୟବଶତଃ ଏହି କାଗଜ ଗୁଡ଼ିକ ମୋ ଆଖିରେ ଏବେ ଘରେ ପଡ଼ି ନ ଥିଲେ ମୁଁ ଦସ୍ତଖତ ପାଇଁ ଅଫିସରଙ୍କୁ ବଢ଼ାଇ ଦେଇଥାନ୍ତି ଓ ମୋର ସର୍ବନାଶ ହୋଇଥାନ୍ତା । ଅଫିସ୍‌କୁ ଠିକ୍ ବାହାରିବା ପୂର୍ବରୁ କାହାରିକୁ ଏହି ସମ୍ପର୍କରେ ଗାଳି ଦେଇ ଅନୁକୂଳ ବିଗାଡ଼ିବା ପାଇଁ ମୋର ଇଚ୍ଛା ହେଲା ନାହିଁ । ଅବଶ୍ୟ ଅଫିସ୍‌କୁ ‘ବାହୁଡ଼ିବା ପରେ ସମସ୍ତଙ୍କୁ ଗାଳି ଓ ମାଡ଼ ଦେଇ ଥଣ୍ଡା କରିଦେବି ବୋଲି ଭାବିଲି । ତେଣୁ ଏହି ଦୂଷିତ କାଗଜ ଗୁଡ଼ିକ ଯଥା ସ୍ଥାନରେ ଘରେ ଛାଡ଼ି ଦେଇ ନୀରବରେ ଅଫିସ୍‌କୁ ବାହାରିଲି । ମୁଁ ଟିକିଏ ତରବରରେ ଯାଉଥାଏ କାରଣ ଶୀଘ୍ର ଅଫିସ୍‌କୁ ଯାଇ ଏହି ଦଶଟି ଫର୍ମର ବିଷୟବସ୍ତୁ ପୁଣି ଥରେ ଅଫିସ୍‌ରୁ ନୂଆ ଫର୍ମ କାଗଜ ଆଣି ଲେଖିବି ଏବଂ ଠିକ୍ ସମୟରେ ଅଫିସର୍‌ଙ୍କ ହାତକୁ ବଢ଼ାଇ ଦେବି ବୋଲି ମୁଁ ସ୍ଥିର କରିଥିଲି । ସାହିର ପ୍ରଥମ ମୋଡ଼ ବୁଲିବା ପୂର୍ବରୁ ରୁଲି ଦୌଡ଼ି ଆସି ମୋ ହାତକୁ ପଛପଟୁ ଟାଣିଲା ଏବଂ ତା’ର ମା’ ଡାକୁଥିବା ବିଷୟ ଜଣାଇଲା । ତା’ର କଥା ମାନି ମୁଁ ଘରକୁ ଗଲି । ମୋର ସୁଦକ୍ଷା ସହକର୍ମିଣୀ ସ୍ତ୍ରୀ ଜ୍ୟୋତ୍ସ୍ନା ସେ ଦୂଷିତ କାଗଜ ଗୁଡ଼ିକ ଘରେ ଦେଖି ସନ୍ଦେହ କରିଛି ସେ ଭୁଲବଶତଃ ମୁଁ ସେଇ ସବୁ ଛାଡ଼ି ଦେଇଛି ଏବଂ ହୁଏତ ସେଗୁଡ଼ିକୁ ନେବା ପାଇଁ ମତେ ପୁଣି ଥରେ ଅଫିସ୍‌ରୁ ଦୌଡ଼ି ଆସିବାକୁ ପଡ଼ିବ । ତେଣୁ ସେଇସବୁକୁ ନେବା ପାଇଁ ସେ ମତେ ରୁଲିଦ୍ଵାରା ଡକାଇଥିଲା । କାଗଜ ଗୁଡ଼ିକୁ ବଢ଼ାଇ ଦେବା ମାତ୍ରେ ମୁଁ ସେଗୁଡ଼ିକୁ ମୋଡ଼ାମୋଡ଼ି କରି ଗୋଲ କରିଦେଲି ଓ ଅ ଆ ଇ ଈ ବୋଲି କହି ରୁଲିର ମୁହଁ ଉପରକୁ ଫୋପାଡ଼ି ଦେଲି । କାଗଜତକ ଗୋଲ କରିବାବେଳେ ସେଥିରେ ଲାଗିଥିବା ପିନ୍‌ଗୁଡ଼ିକ ମୋ ହାତରେ ଫୋଡ଼ି ହୋଇ ଯାଉଥିଲେ ସୁଦ୍ଧା ମୁଁ ଯନ୍ତ୍ରଣାର କୌଣସି ସୂଚନା ନ ଦେଇ ନାଲି ଆଖିରେ ସେମାନଙ୍କୁ ଚାହୁଁଥାଏ । ଏହି ଦୃଶ୍ୟ ପରେ ମୁଁ ମୁଣ୍ଡପୋତି ଜୋତାର ଲେସ୍ ଭିଡ଼ିଲି । ସେତେବେଳେ ମୁଁ ମନେମନେ ଭାବୁଥାଏ ଯେ ମୋ ସ୍ତ୍ରୀ ଓ ଛୁଆମାନେ ମୋ ଅସନ୍ତୋଷକୁ ଖାତିର କରି ଦବି ଯାଇଥିବେ ଏବଂ ବର୍ତ୍ତମାନଠାରୁ ଦାୟିତ୍ଵ ସମ୍ପନ୍ନ ଲୋକମାନଙ୍କ ପରି ବ୍ୟବହାର କରିବେ-। ଏହି ବିଷୟରେ ନିଶ୍ଚିତ ହେବାକୁ ଘର ଭିତରକୁ ଚାହିଁଲି । କିନ୍ତୁ ଦେଖିଲି ଯେ ଦୂଷିତ କାଗଜର ପିଣ୍ଡଳାକୁ ସେମାନେ ଭଲି-ବଲ୍ (Volleyball) କରି ସାରିଲେଣି । ରୁଲି ସଟ୍ ମାରୁଛି ଓ ବୁଲୁ କଡ଼ା ଜବାବ ଦେବା ପାଇଁ ଜାଗ୍ରତ ହୋଇ ରହିଛି.... ଏବଂ ମୋ ସ୍ତ୍ରୀ ଅଣ୍ଟାରେ ହାତ ରଖି ଠିଆ ହୋଇଛି ରେଫରି ପରି । କାହାରି ମନରେ ଅନୁଶୋଚନାର ଚିହ୍ନ ବର୍ଣ୍ଣ ନାହିଁ । ଏହା ଦେଖି ମୋ ମୁଣ୍ଡ ଖରାପ ହୋଇଗଲା । ଗୃହ ସ୍ଵାମୀ ହିସାବରେ ମତେ ଏ ଘରେ କେହି ଥୋଉ ନାହାନ୍ତି-

 

ଆଉ ଗୋଟିଏ ଦିନ ମୋ ସ୍ତ୍ରୀ କହିଲା ଯେ ମୋ ଚାକିରିରେ ଉନ୍ନତି, ଘରର ଶ୍ରୀବୃଦ୍ଧି ପିଲାମାନଙ୍କର ସ୍ଵାସ୍ଥ୍ୟରକ୍ଷା ପାଇଁ ସେ କୌଣସି ଦେବତାଙ୍କ ଉଦ୍ଦେଶ୍ୟରେ ଉପବାସ କରିବ । ମୋର ଐଶ୍ଵରିକ ଶକ୍ତି ଉପରେ ଅତୁଟ ବିଶ୍ଵାସ ରହିଛି । ତା’ ପ୍ରସ୍ତାବରେ ମୁଁ ବିନା ବିଳମ୍ବରେ ରାଜି ହୋଇଗଲି । ତା’ପରେ ସେ କେଉଁ ବ୍ରାହ୍ମଣକୁ ପୂର୍ବରୁ ବୁଝି ତିଆରି କରିଥିବା ତାଲିକାଟି ମୋ ହାତକୁ ବଢ଼ାଇ ଦେଲା । ମୁଁ ବଜାରରୁ ନଡ଼ିଆ, କଦଳୀ, କମଳା ଠାରୁ ଆରମ୍ଭ କରି ସୁଜି, ମଇଦା, ଗହମଚୂନା ଯାଏଁ ଖାଦ୍ୟପଦାର୍ଥମାନ ଦୁଇଟି ବଡ଼ ବ୍ୟାଗରେ ଭର୍ତ୍ତି କରି ଆଣିଲି । ଘରକୁ ଆସିବାବେଳେ ମୋ ହାତ ଦୁଇ ଗୋଡ଼ ବିନ୍ଧୁଥାଏ । ତେଣୁ ଚେୟାରରେ ଲଥ୍‌କିନା ବସି ପଡ଼ିଲି । ସେତେବେଳେ ପ୍ୟାଣ୍ଟର ପଛପଟ ଓଦା ହେବା ପରି ଅନୁଭବ କଲି । ବୋଧହୁଏ ଚେୟାର୍‌ରେ ମୋ ସାନ ପୁଅ ଡୁଲୁ ପରିସ୍ରା କରିଥିଲା ଓ ମୁଁ ନ ଦେଖି ବସି ପଡ଼ିଲି । ମୁଁ ନାକ ଟେକି ଠିଆ ହେଲି ଓ ସ୍ତ୍ରୀକୁ ଭର୍ତ୍ସନା କଲି । ଜ୍ୟୋତ୍ସ୍ନା ପରିସ୍ରାକୁ ପାଣି ବୋଲି ଭୂରୁଡ଼ି କାଢ଼ିଲା ଓ ବିନା ଦ୍ଵିଧାରେ ତା’ର ପଣତ କାନି ଚେୟାର୍‌ରେ ବୁଲାଇ ମତେ ବସିବା ପାଇଁ କହିଲା । ପ୍ରକୃତରେ ଗାଁ ନିର୍ମଳ ଯଦି ଧୋବାତୁଠରୁ ଜଣାପଡ଼େ, ତାହାହେଲେ ସ୍ତ୍ରୀର ନିର୍ମଳ ତା’ର ପଣତ କାନିରୁ ଜଣାପଡ଼ିବ । ଏହାଦ୍ଵାରା ସ୍ତ୍ରୀମାନେ ସବୁପ୍ରକାର ପବିତ୍ର ଅପବିତ୍ର କାମ କରିଥା’ନ୍ତି । ରୋଷେଇ ଘରର ହାଣ୍ଡି କଳା ଓ ପିଲାମାନଙ୍କର ସିଙ୍ଘାଣି ବୋଳିବା ସଙ୍ଗେ ସଙ୍ଗେ ସକାଳୁ ଉଠୁ ଉଠୁ ଏହି ପଣତ କାନିରେ ମୁହଁ ଧୋଇ ପୋଛନ୍ତି ।

 

ମୋ ସ୍ତ୍ରୀ ବ୍ୟାଗର ଜିନିଷ ଗୋଟିଏ କୁଲାରେ ଢାଳି ଦେଲା । ତା’ପରେ ମୁଁ ସାର୍ଟର ବୋତାମ ଖୋଲୁଥିବାବେଳେ ସେ ମୋ ପାଖକୁ ଆସିଲା । ସେତେବେଳେ ମୁଁ ତାକୁ ଜିନିଷ ଗୁଡ଼ିକର ଦାମ କହିଲି । ଏହି ଚଢ଼ା ଦରକୁ ସେ ମୋଟେ ବିଶ୍ୱାସ କରୁ ନ ଥାଏ । ଘର ଖର୍ଚ୍ଚ କମାଇବା ପାଇଁ ମୁଁ ମିଛରେ ଏମିତି କହୁଛି ବୋଲି ସେ ମତେ ସନ୍ଦେହ କରୁଥାଏ । ଏମିତି ସମୟରେ ରୁଲି ଅନ୍ୟ ବଖରାରୁ ଭେଁ ଭେଁ କରି କାନ୍ଦି ଉଠିଲା । କାରଣ ବୁଲୁ ମୁଁ ଆଣିଥିବା କମଳାର ଚୋପା ଛଡ଼ାଇ ଚୋପାଟି ରୁଲିର ଆଖି ଉପରକୁ ଚିପିବା ଯୋଗୁଁ, ସେଇଥିପାଇଁ ତା’ର ଆଖି ଜଳିଲା । ମୁଁ ରାଗରେ ଜୋରରେ ‘ରେ-ରେ-କାର’ କଲି । କିଛି ସମୟ ପାଇଁ ସେମାନେ ନୀରବ ରହିଲେ ଓ ମୁଁ ଖର୍ଚ୍ଚ-ତାଲିକା ସମ୍ପର୍କରେ ମୋ ସ୍ତ୍ରୀ-କୁ କହିବାରେ ଲାଗିଲି । ତା’ପରେ ହଠାତ୍ ଗୋଟିଏ ଠୋ-ଠା ଶବ୍ଦ ହେଲା । ତା’ର ମିନିଟିଏ ପରେ ଆଉ ଥରେ ଠୋ ଶବ୍ଦ ହେଲା ଓ ଛୁଆଗୁଡ଼ିକ ହସି ହସି ଗଡ଼ିଲେ । ମୁଁ ଆଉ ସମ୍ଭାଳି ନ ପାରି ସେମାନଙ୍କ ପାଖକୁ ଗଲି । ଦେଖିଲି ଯେ କୁଲାରେ ସୁଜି ଢାଳି ଦିଆଯାଇଛି ଓ ସେଇ ଖାଲି ଠୁଙ୍ଗାଟିରେ ପବନ ଭର୍ତ୍ତିକରି ବୁଲୁ ରୁଲିର ପିଠି ଉପରେ ପ୍ରଥମେ ଠୋ’ କରି ଫୁଟାଇଛି । ଏହାର ଜବାବରେ ରୁଲି ମଇଦା ଠୁଙ୍ଗାଟି ତତ୍‌କ୍ଷଣାତ୍‌ ଖାଲି କରି, ଠିକ ସେମିତି ଏହି ଠୁଙ୍ଗାରେ ପବନ ପୁରାଇ ବୁଲୁର ପିଠି ଉପରେ ପିଟିଲା-। ମୁଁ ଏସବୁ ଦେଖି କ୍ରୋଧାନ୍ଵିତ ହୋଇଗଲି । କାରଣ ସୁଜି, ଉପରେ ମଇଦା ପ୍ରାୟ ଘୋଡାଇ ହୋଇରହିଛି । ଏହି ମିଶ୍ରିତ ଚୂନାରେ ମୋ ସ୍ତ୍ରୀ ଆସନ୍ତାକାଲି କେମିତି ପିଠା କରିବ ? ବଦମାସ୍ ଛୁଆମାନେ ଏତେ ଦାମ୍‌ରେ କିଣାଯାଇଥିବା ଜିନିଷଗୁଡ଼ିକ ନଷ୍ଟ କରି ଦେଉଛନ୍ତି ! ମୁଁ ଛୁଆ ଦୁହିଁଙ୍କୁ କହିଲି, ‘ବର୍ତ୍ତମାନ ଯାଏଁ ନକଲି ଠୋ-ଠା ହେଉଥିଲା । ଏଇଥର ମୁଁ ତମକୁ ଅସଲି ଠୋ-ଠା ଦେଉଛି ।' ଏମିତି କହି ପ୍ରତ୍ୟେକଙ୍କ ପିଠିରେ ଗୋଟିଏ ଲେଖାଏଁ ବ୍ରହ୍ମଚାପୁଡ଼ା କଷି ଦେଲି-। ଫଳରେ ମୋ ପାଞ୍ଚ ଆଙ୍ଗୁଠିର ନୋଳା ସେମାନଙ୍କ ପିଠିରେ ସ୍ପଷ୍ଟଭାବେ ଛାପି ହୋଇଗଲା-। ମୋ ସ୍ତ୍ରୀ ସେମାନଙ୍କ ପିଠି ଆଉଁସି ଆଉଁସି ମତେ ଧମକ ଦେଲା, ‘ବଜାରରେ ହଳଦୀଗୁଣ୍ଡରେ କରତ-କଳର କାଠ-ଗୁଣ୍ଡ ମିଶାଇଲେ, ତମେ ଉଁ ଚୁଁ ନ କରି ହାତ ଚାଟି ଖାଇଦେଉଛ । ଝଣ୍ଡ ଖଣ୍ଡ ଫିଲଟର ପେପର ଘଣ୍ଟା ହୋଇଥିବା ଦହି ଉକୃଷ୍ଟ ବୋଲି ଚଢ଼ା ଦରରେ କିଣୁଛ ଓ ଦେବତା-ପୂଜାଠାରୁ ଆରମ୍ଭ କରି ଶୁଳାଝାଡ଼ା ରୋଗୀର ପଥି ପାଇଁ ବ୍ୟବହାର କରୁଛ । ଖାଦ୍ୟରେ ଅଖାଦ୍ୟ ମିଶାଇଲେ ତମର ପାଟି ଫିଟୁନାହିଁ ମାତ୍ର ମୋ ପିଲାମାନେ ଖାଦ୍ୟରେ ଖାଦ୍ୟ ମିଶାଇ ଦେଲେ ବୋଲି ତମେ ତାଙ୍କର ପିଠି ଫଟାଇ ଦେଲ । ମୋ ପିଲାମାନଙ୍କୁ କ’ଣ ବେଧ-ପିଲା ବୋଲି ଭାବୁଛ-? ମୋ ସ୍ତ୍ରୀ ଠାରୁ ଦେଶ-ଖବର ଶୁଣିବା ପାଇଁ ମୁଁ ପ୍ରସ୍ତୁତ ନ ଥିଲି ଓ ତାକୁ ଚୁପ୍ ରହିବାକୁ କହିଲି-। ମୋ ଆଦେଶ ତାକୁ ବଡ଼ ବାଧିଲା । ସେ ନୀରବ ରହିବା ପରିବର୍ତ୍ତେ ନାଗ ସାପ ପରି ଫଁ ଫଁ ହେଲା ଓ ଓଠ କାମୁଡ଼ି ବାକ୍ୟବାଣ ବର୍ଷଣ କରିବାକୁ ଲାଗିଲା । ତାକୁ ଖାତିର୍ ନ କରି ମୁଁ ଯେତେଦୂର ପାରିବି, ମଇଦାରୁ ସୁଜିକୁ ପୃଥକ୍ କରିବା ପାଇଁ ଆଗେଇଲି । ସେ ମତେ ବାଧା ଦେଇ କହିଲା, ‘ପିଲାଜନ୍ମ କରିବାକୁ ମୋ ସହଯୋଗ ପାଇବା ପାଇଁ ତମେ ଯେମିତି ହାଲିଆ ହୋଇ ଯାଉଥିଲ, ଏବେ ପିଲାମାନଙ୍କୁ ବଡ଼ କରିବାବେଳେ ସେମିତ ସହଯୋଗ ଲୋଡ଼ୁ ନାହଁ କାହଁକି ?’ ତା’ର ସିଧା କଥାରେ ମୋ ମୁହଁ ବଙ୍କା ହୋଇଗଲା ।

Unknown

 

ଜ୍ୟୋତ୍ସ୍ନାର ଉପବାସ ପରେ ମଧ୍ୟ ମୋ ଘରକୁ ଶାନ୍ତି ସଦ୍‌ଭାବ ଫେରିଲା ନାହିଁ । ବୋଧହୁଏ ଭଗବାନ ଡେରିରେ ଆମ ପ୍ରତି ସନ୍ତୁଷ୍ଟ ହେବେ । ଇତ୍ୟ-ବସରରେ ମୋ ସାନ ପୁଅ ଡୁଲୁ ଭଙ୍ଗାରୁଜା ଓ ଅନ୍ୟାନ୍ୟ ଅନିଷ୍ଟକର କାମ କରି ଆମକୁ ଅଥୟ କରି ଦେଲାଣି । ଆମ ଘରେ କୂଅ ଥିଲେ ସୁଦ୍ଧା କୂଅ-ପାଣି କେବଳ ବାସନ କୁସନ ମଜାମଜି ପାଇଁ ବ୍ୟବହାର କରି ଥାଉଁ ଏବଂ ରୋଷେଇ ଓ ପିଇବା ପାଇଁ ପାଣି ପାଇପ୍‌ରୁ ଆଣୁ । ଦାଣ୍ଡ-ପାଇପ୍‌ରେ ନିର୍ଦ୍ଦିଷ୍ଟ ସମୟରେ ହିଁ ପାଣି ଆସେ । ଜ୍ୟୋତ୍ସ୍ନା ପ୍ରତ୍ୟେହ ସେଠାରୁ ପାଣି ଆଣି ଦିନକପାଇଁ ଜମା କରେ । ଦିନେ ଡୁଲୁର ଖଳ ଦୃଷ୍ଟି ଏହି ପାଇପ୍-ପାଣି ହାଣ୍ଡି ଉପରେ ପଡ଼ିଲା । ସେ ମୋ ଜୋତା ନେଇ କେତେବେଳଠାରୁ ପାଣି ହାଣ୍ଡିରେ ବୁଡ଼ାଇ ରଖିଛି । ମୋ ସ୍ତ୍ରୀ ଯେତେବେଳେ ରୋଷେଇ ପାଇଁ ଏହି ହାଣ୍ଡିରୁ ଡେକ୍‌ଚିକୁ ପାଣି ଅଜାଡ଼ିଲା, ମୋ ଜୋତାଟି ପାଣି ସହିତ ଖସିଲା । ଉକ୍ତ ଜୋତାରୁ ବାହାରି ଥିବା ମାଟି, ଧୂଳି, ଗୋବର ଓ ଖଙ୍କାର ମଧ୍ୟ ସେଇ ପାଣିରେ ଭାସୁଥିବାର ଦେଖାଗଲା । ସେହି ସମୟରେ ଆଉ ପାଇପ୍‌ରୁ ପାଣି ମିଳିବ ନାହିଁ । ତେଣୁ ଅବିଶୋଧିତ କୂଅ ପାଣିରେ ରୋଷେଇ ହେଲା । ଏଥିପାଇଁ ଜ୍ଜ୍ୟୋତ୍ସ୍ନା ଡୁଲୁକୁ ମାଡ଼ ଦେବାର ଦୂରର କଥା; ପଦେ ମଧ୍ୟ ଗାଳି ଦେଲା ନାହିଁ । ମୁଁ ଖାଇ ସାରି କୂଅର ଖାରିଆ ପାଣି ଘୃଣା ସହିତ ପିଉଥିବାବେଳେ ସେ ଅଭଯୋଗ ବାଢ଼ିଲା ଯେ, ପିଲାମାନଙ୍କୁ ଖେଳନା ନ ଦେବା ଯୋଗୁଁ ସେମାନେ କାଗଜ, କଲମ, ଜୋତା, ଟିଣ, ଝାଡ଼ୁ, ଅଳିଆ ଆବର୍ଜନା ଇତ୍ୟାଦିରେ ଖେଳୁଛନ୍ତି । ତେଣୁ ସେମାନଙ୍କ ପାଇଁ ଖେଳନା ଆଣିବା ନିହାତି ଆବଶ୍ୟକ । କିରାଣିର ସ୍ୱଳ୍ପ ଦରମାରେ ଖେଳନା ପରି ବିଳାସ-ସାମଗ୍ରୀ କିଣିବା ଆଦୌ ସମ୍ଭବ ନୁହେଁ । ତେଣୁ ସେ ମତେ ଯେତେ କହିଲେ ସୁଦ୍ଧା, ମୁଁ ସବୁ ଶୁଣି କିଛି ନ ଶୁଣିବା ପରି ରହିଲି ।

 

ଅନ୍ୟ ଗୋଟିଏ ଦିନର ଘଟଣା । ମୋ ଜାତକ ଦେଖି ଆମ ଘରର ପୁରୋହିତ ଚେତାବନୀ ଦେଇଥିଲେ ଯେ ମୁଁ ରବିବାର ଦିନ ବାଳ କାଟିବା ଅଶୁଭ । ତେଣୁ ମୁଁ କୌଣସି ରବିବାର ଦିନ ସେଲୁନକୁ ଯାଏ ନାହିଁ । ସାଧାରଣତଃ ଅଫିସ୍ ଥିବା ଦିନ ମତେ ବାଳ କାଟିବାକୁ ପଡ଼େ । ଏମିତି ଥରେ ମଙ୍ଗଳବାର ଦିନ ମୁଁ ସେଲୁନକୁ ଗଲି । ବାଳ କାଟିଲି । ଦାଢ଼ି ଖିଅର ମଧ୍ୟ ହେଲି । ମୋ ଦାଢ଼ିର ମୂଳ ମୋଟା ହୋଇଥିବା ଯୋଗୁ ଖୁର ସିଧା ଓ ଓଲଟା ଏକାଧିକ ଥର ବୁଲାଇବାକୁ ପଡ଼େ । ତେଣୁ ଥୋଡ଼ି ଓ ବେକ ପାଖର ଗୁଡ଼ାଏ ଜାଗାରେ ମଳିଚମ ଛିଣ୍ଡି ଯାଏ । ଏମିତି ଖଣ୍ଡିଆ ଖାବରା ମୁହଁରେ ସାବୁନ ମାଜି ଗାଧୋଇବା ବଡ଼ କଷ୍ଟକର ହୋଇଥାଏ । ଅଫିସ-ଟାଇମ୍‌କୁ ଆଖି ଆଗରେ ରଖି ମୁଁ ତରବର ଭାବେ କୂଅ ପାଖକୁ ଗାଧୋଇବା ପାଇଁ ଗଲି । ଢାଳେ ପାଣି ମୁଣ୍ଡରେ ଅଜାଡ଼ି ସାବୁନ୍‌ଟି ମୁହଁରେ ବୁଲାଇବା ମାତ୍ରେ ମୋ ଗାଲ କୋରି ହୋଇଗଲା । ସେତେବେଳେ ମୁଁ ଅନୁଭବ କଲି–ସତେ ଯେମିତି ମୁଁ ବାଲି-କାଗଜରେ (sand paper) ଗାଲ ଘଷୁଛି; ସାବୁନରେ ନୁହେଁ । ଯନ୍ତ୍ରଣାରେ ମୁହଁ ବିକୃତି କରି ଭଲ ଭାବେ ପରୀକ୍ଷା କରି ଜାଣିଲି ସେ ସାବୁନର ଗୋଟିଏ ପଟେ ମୋଟା ବାଲି ଲେସି ହୋଇ ରହିଛି–ଏମିତିକି ଇଲେକ୍‌ଟ୍ରିକ ବଲ୍‌ବ୍‌ରୁ ଖଣ୍ଡେ ଦୁଇ ଖଣ୍ଡ ଧାରୁଆ କାଚ ସାବୁନରେ ଅଧା ପୋତି ହୋଇ ରହିଛି । ରୁଲି ଜଣାଇଲା ଯେ ଅଳ୍ପ ସମୟ ପୂର୍ବେ ଡୁଲୁ ଓଦା ସାବୁନଟି ଦାଣ୍ଡର ବାଲି ଧୂଳିରେ ପକାଇବାର ସେ ଦେଖିଥିଲା । ତା’ପରେ ସେ ତତ୍‌କ୍ଷଣାତ୍ ଗୋଟାଇ ଆଣି ସାବୁନ ଖୋଳରେ ରଖିଲା । ସେ ଯାହାହେଉ, ଏହି ସାବୁନ ବ୍ୟବହାର କରି ଥିବାରୁ ମୋ ଗାଲରେ ବର୍ତ୍ତମାନ ଭୀଷଣ ଜଳାପୋଡ଼ା ହେଉଛି । ଏମିତି ସମୟରେ ମୋ ସ୍ତ୍ରୀ ତା’ର ପୁରୁଣା ଦାବି ପୁଣି ଉଠାଇ କହିଲା ଯେ ଛୁଆମାନଙ୍କ ପାଇଁ ଖେଳନା ନ ଆଣିଲେ ଏମିତି ସବୁଦିନେ ଅନର୍ଥ ହେଉଥବ, ସାବୁନ, ପାନିଆ ଇତ୍ୟାଦି ଦାଣ୍ଡ ଧୂଳିରେ ଗଡ଼ାଇ ଖେଳିବେ ।

 

ଆମର ପ୍ରତି ମାସର ଏକ ତାରିଖରେ ଦରମା ମିଳିଯାଏ ଏବଂ ଚଳିତ ମାସର ଘର ଖର୍ଚ୍ଚ ସମ୍ବନ୍ଧରେ ସେଇ ଦିନ ମୋ ସ୍ତ୍ରୀ ସହିତ ବୁଝାସୁଝା କରି ମୁଁ ବଜେଟ ପ୍ରସ୍ତୁତ କରେ । ଏହି ମାସରେ ମୁଁ ବାଧ୍ୟ ହୋଇ ଖର୍ଚ୍ଚ-ତାଲିକାରେ ଗୋଟିଏ ଖେଳନାକୁ ଅନ୍ତର୍ଭୁକ୍ତ କଲି । ତଦନୁସାରେ ମୁଁ ବଜାରରୁ ଯେଉଁ ହଂସ–ଖେଳନାଟି ଆଣିଲି, ତାକୁ ଚିପିଲେ କୁଁ କୁଁ ହୁଏ ଏବଂ ଚାବି ଦେଇ ସାମାନ୍ୟ ଠେଲି ଦେଲେ ଖଣ୍ଡେ ଦୂର ଯାଏ, ଆପେ ଆପେ ଚାଲେ ।

 

ବର୍ତ୍ତମାନ ମୋ ସନ୍ତାନମାନଙ୍କର ପାଠପଢ଼ା ବିଷୟରେ କହୁଛି । ମୋର ଝିଅ ରୁଲି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛି । କିନ୍ତୁ ଦୁଇ ବର୍ଷ ହେଲା ସିଲଟ୍ ଖଡ଼ି ଧରିଥିଲେ ସୁଦ୍ଧା ଅକ୍ଷର ଠିକ୍ ସାଇଜ୍ ରେ ଲେଖି ପାରୁନାହିଁ । ତା’ର ଅକ୍ଷର ଗୁଡ଼ିକ ଏତେ ବଡ଼ ଯେ ଗୋଟିଏ ଫୁଲସ୍କେପ କାଗଜରେ ତିନୋଟି କିମ୍ବା ଚାରୋଟି ଅକ୍ଷର ରହେ–ସତେ ଯେମିତି ସେ କୌଣସି ସିନେମା କିମ୍ବା ଡ୍ରାମା ପାଇଁ ପ୍ରାଚୀର ପତ୍ର (ୱାଲ୍ ପୋଷ୍ଟର୍) ଲେଖୁଛି । ସେ ଆମ ସାହିର ଗୋଟିଏ ବୁଢ଼ା ମାଷ୍ଟ୍ରଙ୍କ ଘରକୁ ଟ୍ୟୁସନ ପଢ଼ିବାକୁ ଯାଏ । ତା’ ସହିତ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ମୋ ପୁଅ ବୁଲୁ ମଧ୍ୟ ଯାଏ । କିନ୍ତୁ ବୁଲୁ କେମିତି ଗୋଟିଏ ଅବେଳରେ କିନ୍ତୁ ହେଲା ଯେ ସବୁବେଳେ ବାମ ହାତରେ କାମଦାମ କରୁଛି । ଡାହାଣ ହାତ ଅପେକ୍ଷା ବାମ ହାତରେ ସେ ଅଧିକ ଦୂରକୁ ଓ ଜୋରରେ ଟେକା ଫୋପାଡ଼ି ପାରେ । ବାଁ ହାତରେ ଖାଏ, ମୁହଁ ଧୁଏ ଓ ଲେଖାଲେଖି ମଧ୍ୟ କରେ । ଏହାକୁ ଜ୍ୟୋସ୍ନା ଗୋଟିଏ ବଦଭ୍ୟାସ ବୋଲି ଧରି ନେଇଛି । ସେଥିପାଇଁ ସେ ବୁଲୁକୁ ମଧ୍ୟ ଘୃଣା କରିବାର ମୁଁ ଲକ୍ଷ୍ୟ କରିଛି । ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କର ପାଠପଢ଼ାରେ ଅଗ୍ରଗତି ସମ୍ପର୍କରେ ପଚାରିଲାବେଳେ ମୋ ସ୍ତ୍ରୀ ଟ୍ୟୁସନ ମାଷ୍ଟ୍ରଙ୍କୁ ବୁଲୁ ବାମ ବଦଳରେ ଡାହାଣ ହାତରେ ଲେଖିବା ଅଭ୍ୟାସ କରୁଛି ନା ନାହିଁ ବୋଲି ପଚାରେ । ବୋଧହୁଏ ସେ ଚାହୁଁଛି ଯେ ପୁଅ ଡାହଣ ହାତରେ ଲେଖି ମୂର୍ଖ ପଛେ ହେଉ, ବାମ ହାତରେ ଲେଖି ପଣ୍ଡିତ ନ ହେଉ । ବର୍ତ୍ତମାନ ମୋ ସାନ ପୁଅ ଡୁଲୁର ବିଷୟରେ କହୁଛି । ତାକୁ ତିନି ବର୍ଷ ହେଉ ହେଉ ଜ୍ୟୋସ୍ନା କହିଲା ଯେ ପୁଅକୁ ଇଂରାଜି-ମାଧ୍ୟମ ସ୍କୁଲ୍‌ କିଣ୍ଡର-ଗାର୍ଟନରେ ଜଏନ୍ କରିବ । ଅବଶ୍ୟ ଆମ ସାହିର କେତୋଟି ପିଲା ସେଠାକୁ ଯାଉଥିବାରୁ ଏମିତି ଗୋଟିଏ ଉଚ୍ଚ ଭାବନା ତା’ ମୁଣ୍ଡକୁ ଛୁଇଁଥିଲା । ପୁଅକୁ ସାହେବ କରିବା ପାଇଁ ମୋର ସମ୍ବଳ ନାହିଁ । ତାକୁ ମୁଁ ପ୍ରକାରାନ୍ତରେ କହିଲି ଯେ ପୁଅ ତ ଭଲ ଭାବେ ଝାଡ଼ା ଫେରିବାର ଶିଖି ନାହିଁ । ତାକୁ ବର୍ତ୍ତମାନ ସ୍କୁଲକୁ ପଠାଇଲେ କ’ଣ ହେବ ? ପ୍ୟାଣ୍ଟରେ ଥରକୁ ଥର ଝାଡ଼ା ଫେରୁଥିବ । ପ୍ରକୃତରେ ମୋ ସ୍ତ୍ରୀ ଯେଉଁ କିଣ୍ଡର ଗାର୍ଟନ ସ୍କୁଲ୍ କଥା କହୁଛି, ସେଠାରେ ମାଷ୍ଟ୍ରାଣୀଙ୍କ ସଂଖ୍ୟା ଯାହା, ମେହନ୍ତାରାଣୀ ସଂଖ୍ୟା ତା’ର ଦୁଇଗୁଣ ଅଧିକା ହେବା ଉଚିତ । ଇଏ କେଉଁ ପ୍ରକାରର ଆଦର୍ଶ ସ୍ଥଳ-ତାହା ମୋ ପରି ମୋଟାବୁଧିଆର କଳ୍ପନାର ବାହରେ ।

 

ମୋ ସ୍ତ୍ରୀ ସମ୍ପର୍କରେ ଗୋଟିଏ ଘଟଣା ମୋର ମନେ ପଡ଼ୁଛି । ଆମ ସାହିର କେତେକ ପିଲା ନୂଆ ନୁଆରେ ଡଟ୍‌ ପେନ୍ କିଣିଲେ । ସେଥିପାଇଁ ରୁଲି କୁଆଡ଼େ ଘରେ ହାଟ କଲା । କିନ୍ତୁ ଜ୍ୟୋତ୍ସ୍ନା । ଜାଣେ ଯେ ମୁଁ କଦାପି ସ୍ୱତଃପ୍ରବୃତ୍ତ ହୋଇ ତା’ ପାଇଁ ଡଟ୍‌ ପେନ୍ କିଣିବି ନାହିଁ, ତେଣୁ ଘର ଖର୍ଚ୍ଚ ସମ୍ପର୍କରେ ଏକ ତାରିଖ ଦିନ ବଜେଟ ତିଆରି ହେବା ଆଗରୁ ସେ ଗୋଟିଏ ଫାନ୍ଦ ପାଞ୍ଚିଲା । ସେଇ ଅନୁସାରେ ମୁଁ ଦାଣ୍ଡଘରେ ବସିଥିବା ବେଳେ ପ୍ରଥମେ ରୁଲି ମୁହଁ ଓ ହାତରେ କାଳି ବୋଳି ହୋଇଥିବା ଅବସ୍ଥାରେ ଆସିଲା । ଜାଗ୍ରତରେ ଝର କଲମ ବ୍ୟବହାର କରିବାକୁ କହୁଥିଲାବେଳେ ଜ୍ୟୋତ୍ସ୍ନା ମୋ ପାଖକୁ ଆସି ବୁଝାଇଲା ଯେ ଛୁଆଗୁଡ଼ିକୁ ଯେତେ ଉପଦେଶ ଦେଲେ ମଧ୍ୟ ଝର-କଲମ ଜାଗ୍ରତରେ ରଖି ପାରିବେ ନାହିଁ । ଫଳରେ କଲମରୁ କାଳି ଝରି କେବଳ ମୁହଁ ହାତ ନୁହେଁ, ଲୁଗାପଟା ମଧ୍ୟ ଖରାପ ହେବ । ଡଟ୍‌ ପେନ୍ କଣିଲେ ଏହି ସନ୍‌ଲାଇଟ୍ ସାବୁନ ଖର୍ଚ୍ଚ ଓ ଜଞ୍ଜାଳରୁ ରକ୍ଷା ମିଳବ ବୋଲି ସେ ମତେ ଉପାୟ ବତାଇଲା । ତା’ର କଥା ମାନି ମୁଁ ବଜାର-ସଉଦା ତାଲିକାରେ ଡଟ୍‌ ପେନ୍‌କୁ ମିଶାଇବାବେଳେ ବୁଲୁ ଆଖିରୁ ଲୁହ ପୋଛି ପୋଛି ଓ ଧକେଇ ଧକେଇ କାନ୍ଦି ମୋ ପାଖକୁ ଆସିଲା । ମୁଁ ଦେଖିଲି ଯେ କାଳି ଯୋଗୁଁ ସେ ମଧ୍ୟ ରୁଲିର ଅବତାରରେ । ତାକୁ ମୁଁ କୋଳକୁ ଟାଣି ନେଲି ଓ ତା’ ପାଇଁ ମଧ୍ୟ ଗୋଟିଏ ଡଟ୍‌ ପେନ୍ କିଣି ଆଣିବି ବୋଲି ତାକୁ ଆଶ୍ୱାସନା ଦେଲି । କିନ୍ତୁ ସେ ମତେ କାନ୍ଦିବାର କାରଣ ବିଷୟରେ କହିଲା ଯେ ତା’ର ମା’ ଜବରଦସ୍ତି ତା’ ମୁହଁ ଓ ହାତରେ କାଳି ବୋଳିଦେଇଛି । ମୁଁ ଏହି ଦୃଷ୍ଟାନ୍ତରୁ ଜାଣିଲି ଯେ ମୋ ସ୍ତ୍ରୀ ରୁଲିର ମୁହଁରେ ମଧ୍ୟ କାଳି ଚିହ୍ନ କରିଛି । ଡଟ୍‌ ପେନ୍ ମୋ ଦ୍ୱାରା ଜଣାଇବା ପାଇଁ ମୁଁ ତା’ର PressureTactics ଜାଣିଗଲି ଏବଂ ସଙ୍ଗେ ସଙ୍ଗେ ମାର୍କେଟିଂ–ଲିଷ୍ଟରୁ ଡଟ୍‌ ପେନ୍‌କୁ ବାଦ୍‌ ଦେଲି ।

 

ଆମ ଘରର ପଛପଟେ ସରକାରୀ ଅନାବାଦୀ ଜମି (ପରମ୍ବୋକ) ରେ ଗୋଟିଏ ବିରାଟ ବଟଗଛ ଥାଏ । ଧର୍ମ ଦୃଷ୍ଟିରୁ ତାକୁ କେହି ହାଣୁ ନ ଥାନ୍ତି । କିନ୍ତୁ ଥରେ ଦୈବାତ୍ ସାମୁଦ୍ରିକ ଝଡ଼ ଏତେ ଜୋରରେ ବହିଲା ଯେ ଗଛଟିର ମୂଳୋତ୍ପାଟନ ହୋଇଗଲା । ତା’ପରେ ବାଡ଼ିପଟଟା ଖାଲି ଖାଲି ଦିଶିଲା । ଆମ ପାଇଁ ଏହାର ଗୋଟିଏ ସୁଫଳ ମିଳିଲା । କାରଣ ଆମ ଘରର ବାରିରେ କିଛି ଖାଲି ଜାଗା ଥିଲା ଯାହାକି ଉପରୋକ୍ତ ଗଛର ଛାଇ ଯୋଗୁଁ ପଡ଼ିଆ ହୋଇ ପଡ଼ିଥିଲା । ଗଛ ନଷ୍ଟ ହୋଇଯିବା ପରେ ଆମେ ସେଠାରେ ଖଣତିରେ ଖୋସାଖୋସି କରି ବାଇଗଣ ଓ ଜହ୍ନି ଲଗାଇଲୁ । ଏଥିପାଇଁ ଗୋବର ଓ ଅନ୍ୟାନ୍ୟ ଖତ ବ୍ୟବହାର କଲୁ । ଡୁଲୁ ଗଛ ଉପାଡ଼ିବାରେ ଅଭ୍ୟସ୍ତ ଥିବାରୁ ତା’ ପ୍ରତି ସତର୍କ ହୋଇ ଥାଉଁ । କ୍ରମେ କ୍ରମେ ଗଛ ଫଳ ଧରିଲା । ସୌଭାଗ୍ୟକୁ ସେଗୁଡ଼ିକ ପ୍ରଦର୍ଶନୀ-ଫଳ ପରି ବଡ଼ ବଡ଼ ହୋଇ ଫଳିଲା । ସେଗୁଡ଼ିକୁ ଯିଏ ଦେଖିବ, ତା’ର ଆଖି ଲାଖି ହୋଇଯିବ । ଯେତେ ଭଦ୍ରଲୋକ ହୋଇଥିଲେ ମଧ୍ୟ ଚୋରାଇବାକୁ ଇଚ୍ଛା କରିବା । ମୋ ସ୍ତ୍ରୀର ହୁକୁମ ହେଲା ଯେ ପ୍ରଥମ ପରିବାଗୁଡ଼ିକୁ ଶିବଙ୍କଠାରେ ଭୋଗ ଦିଆଯିବା ପରେ ହିଁ ଆମେ ଖାଇ ପାରିବୁ । ଈଶ୍ୱରଙ୍କ କଟାକ୍ଷରୁ ଆମେ ଏମିତି ଲୋଭନୀୟ ପରିବା ପାଇଛୁ । ତେଣୁ ମହାଦେବଙ୍କୁ ଆମେ କୃତଜ୍ଞତା ଜଣାଇବା ବାଞ୍ଛନୀୟ । ପ୍ରକୃତରେ ଆମେ ଦୁଇ ପ୍ରାଣୀ ଭାବିନେଲୁ ଯେ ବର୍ତ୍ତମାନ ଠାରୁ ପରିବା ବାବଦରେ ଆମ ଖର୍ଚ୍ଚରୁ ଯଥେଷ୍ଟ ଅର୍ଥ ବଞ୍ଚିବ-। ମୁଁ ସେଦିନ ସକାଳେ କାଳ ବିଳମ୍ବ ନ କରି ମହାଦେବଙ୍କ ମନ୍ଦିର ଆଡ଼କୁ ଗଲି । ଗାଁ ଶେଷରେ ଏହି ଦେଉଳ ଅଛି । ସେଠାରେ ପହଞ୍ଚିବାବେଳେ ଗୋବିନ୍ଦପୁରର ତହସିଲଦାରଙ୍କୁ ଦେଖିଲି । ତାଙ୍କ ପୁଅର ବର୍ଷିକିଆ ଉତ୍ସବ ଉପଲକ୍ଷେ ସେ ଏହି ଦେଉଳରେ ଗୋଟିଏ ବ୍ରାହ୍ମଣ ଭୋଜନ ଆଜି କରୁଛନ୍ତି । ଇତି ମଧ୍ୟରେ ତହସିଲଦାରଙ୍କ ସହିତ ମୋର ଆତ୍ମୀୟତା ଯଥେଷ୍ଟ ବଢ଼ି ଯାଇଥିଲା; କାରଣ ସବୁଦିନେ ଚନ୍ଦନପୁରକୁ ବସ୍‌ରେ ଯାଇ ଯାଇ ମୁଁ ବଡ଼ ବିରକ୍ତ ହୋଇ ଯାଇଥିଲି ଏବଂ କଲେକଟରେଟ୍‌ରୁ ଗୋବିନ୍ଦପୁରର ତହସିଲ-ଅଫିସକୁ ବଦଳି ଦେବାପାଇଁ ଏହି ତହସିଲଦାରଙ୍କ ସୁପାରିଶ ଓ ସହାୟତା ଲୋଡ଼ିଛି । ତାଙ୍କୁ ମୁଁ ଥରକୁ ଥର ମିଶିଛି । ଗୁହାରି ଜଣାଇଛି । ସୁବିଧା ପାଇଲେ, ଖୋସାମଦ କରିଛି । ବର୍ତ୍ତମାନ ଅଫିସରଙ୍କୁ ତେଲେଇବାକୁ ମୁଁ ଗୋଟିଏ ଅପୂର୍ବ ସୁଯୋଗ ପାଇଗଲି । ମୋର ପରିବାଗୁଡ଼ିକର ସାଇଜ୍ ଦେଖି ତାଙ୍କର ଲୋଭ ବଢ଼ିଗଲା । ତେଣୁ ମୁଁ ସେଥିରୁ ତିନି-ଚତୁର୍ଥାଂଶ ଭଗ ହସି ହସି ପ୍ରସନ୍ନ ଚିତ୍ତରେ ତାଙ୍କର ବ୍ରାହ୍ମଣ-ଭୋଜନ ପାଇଁ ଦେଲି । କେବଳ ସେତିକି ନୁହେଁ; ଭଜା ପାଇଁ ପରିବା କାଟିଲି ଓ ସେଥିରେ ବେସନ ବୋଳି ତେଲ-କରେଇରେ ଭାଜି ଛାଣିଲି । ମୁଁ ଭାଜିସାରି ଘରକୁ ଯିବା ପାଇଁ ଅଫିସରଙ୍କଠାରୁ ବିଦାୟ ନେବାବେଳେ କୌଣସି ଗୋଟିଏ ଗଉଡ଼ ତା’ର ଦୁହାଁଳିଆ ଗାଈର ଖିର ଦୁହିଁବାର ବିଷୟ ସେ ତନଖି ଦେଖୁଥିଲେ । ସେ ରୋଷେୟାକୁ ଆଦେଶ ଦେଇଥା’ନ୍ତି ଯେ ଖାଣ୍ଟି କ୍ଷୀରରେ ମୁଁ ଆଣିଥିବା ଜହ୍ନି ଓ ସାରୁ ପକାଇ ଖିରିସା କରାଯିବ । ମତେ ବିଦାୟ ଦେବାବେଳେ ସେ ମୋ ପ୍ରତି ଖୁବ୍ ପ୍ରସନ୍ନ ଥିବା ମୁଁ ଅନୁମାନ କଲି । ଘରକୁ ଫେରିବା ପରେ ମୋ ସ୍ତ୍ରୀକୁ ଏହି ବିଷୟ ଜଣାଇଲି ଏବଂ ଲକ୍ଷ୍ୟ ହାସଲ କରିବାରେ ମୁଁ କେମିତି କଳ, ବଳ, କୌଶଳ ପ୍ରୟୋଗ କରିପାରେ–ସେ ବିଷୟରେ ତାକୁ ଗର୍ବର ସହିତ ସୁଚାଇଲି । ଜ୍ୟୋତ୍ସ୍ନା ମୁଁ ମହାଦେବଙ୍କଠାରେ ଭୋଗ କରିବାପରେ ଦେଇଥିବା ଏକ ଚତୁର୍ଥାଂଶ ପରିବାରେ ବାଇଗଣ-ଭଜା ଓ ଜହ୍ନି-ଖିରିସା କଲା । ମୁଁ ଗାଧୋଇ ସାରି ଓଦା ଲୁଗା ବଦଲାଇବାବେଳେ ଆମକୁ ସବୁଦିନେ ପରିବା ବିକୁଥିବା ମାଇକିନାଟି ଆସିଲା । ସେ ସାଧାରଣତଃ ବିଭନ୍ନ ରକମର ପରିବା ଆଣିଥାଏ । ତାକୁ ଦେଖି ମୋ ସ୍ତ୍ରୀ ମଜା କରିବାକୁ ପଚାରିଲା, ‘ବାଇଗଣ କିଲୋ କେତେ ?’ ସେ ଦୁଇ ଟଙ୍କା ବୋଲି ଉତ୍ତର ଦେଲା । ମୋ ସ୍ତ୍ରୀ ନାକ ଟେକି ଓ ମୁହଁ ମୋଡ଼ି ମନ୍ତବ୍ୟ ଦେଲା, ‘ପୋଚକା, ପୋକରା, ଭେଜିଆ, ହାଡ଼ୁଆ, କଣ୍ଟାଳିଆ ବାଇଗଣ କେଜି ଦୁଇଟଙ୍କା…ନା ଦୁଇ ପଇସା !’ ତା’ପରେ ଛାତି ଫୁଲାଇ ଗମ୍ଭୀର ଭିତରକୁ ଯିବାବେଳେ ତାକୁ କହିଲା, ‘ସ୍ୱପ୍ନରେ ଦେଖି ନଥିବା ବାଇଗଣ ଆଣୁଛି…ଦେଖିବୁ, ରହ ।’ ବୁଲା-ବିକାଳୀ ସହିତ ମୋ ସ୍ତ୍ରୀର କଥାଭାଷା ଚାଲିଥିବା ବେଳେ ମୁଁ ଖାଇବାପାଇଁ ବସିଲି । ଅଧ ଗୁଣ୍ଡାଏ ଭାତ, ବାଇଗଣ ଭଜାରୁ ଖଣ୍ଡେ ଓ ଜହ୍ନି ଖିରିସାରୁ ମେଞ୍ଚାଏ ପାଟିରେ ପୁରାଇ ଚାକୁଳେଇବା ବେଳେ ମୁଁ ଅନୁଭବ କଲି ଯେ, ଜହ୍ନି ଓ ବାଇଗଣ ନିମ୍ବପତ୍ରଠାରୁ ମଧ୍ୟ ଅଧିକ ପିତା । ସଙ୍ଗେ ସଙ୍ଗେ ମୋର ମତିଭ୍ରମ ଘଟିଲା । ଏପଟେ ତରକାରୀ ପିତା ହେବାବେଳେ ସେପଟେ ଚାକିରି ପିତା ହୋଇଯିବ । ସେତେବେଳେ ଶିବ-ମନ୍ଦିର ସମ୍ମୁଖରେ ଚାଲିଥିବା ବ୍ରାହ୍ମଣ ଭୋଜନର ଦୃଶ୍ୟ ମୁଁ ମନେ ମନେ କଳ୍ପନା କରିବାରେ ଲାଗିଲି । ମୋ ପିତା ପରିବାରେ ତିଆରି ହୋଇଥିବା ତିଅଣ ପାଟିରେ ଦେଉ ଦେଉ କେହି କେହି ଥୁ ଥୁ ଥୁକି, ଖଲି ପତର ଠେଲି ଦେଉଥିବେ । କିଏ-କିଏ ବାନ୍ତି କରି ପକାଇଥିବେ ତ ଆଉ କେହି କେହି ବାରମ୍ବାର କୁଳୁକୁଞ୍ଚା କରି ପାଟିରୁ ପିତା ଛଡ଼ାଇବାକୁ ଚେଷ୍ଟା କରୁଥିବେ । ପୁଣି ଆଜି ତହସିଲଦାର କହୁଥିଲେ ଯେ ବ୍ରାହ୍ମଣ-ଭୋଜିରେ କଲେକ୍ଟର ସାହେବ ଯୋଗ ଦେବେ….ସେ କୁଆଡ଼େ ଦେଉଳ ନିକଟସ୍ଥ ଗୋଟିଏ ମି.ଈ. ସ୍କୁଲର ନୂଆ କୋଠା ଉଦ୍‌ଘାଟନ କରିବାକୁ ଯିବେ । ତା’ପରେ ବ୍ରାହ୍ମଣ ଭୋଜନରେ ବସିବେ । ସେ ପିତା ତରକାରୀ ଖାଉଥିବା ବେଳେ ଯଦି ଏହି ଦରିଦ୍ର ଦାତାର ନାଁଟି ଜାଣି ପାରିବେ, ତାହାହେଲେ ମୋ ଚାକିରି ଉଡ଼ିଯିବ । ମୁଁ ଭଲଭାବେ ଅନୁମାନ କରୁଥାଏ ଯେ ତହସିଲଦାର ଆତ୍ମରକ୍ଷା କରିବାକୁ ଯାଇ ମୋ ନାମଟି କହି ମୋ ଉପରେ ସବୁ ଦୋଷ ଢାଳିଦେବେ-। ମୁଁ ଭୟ ଓ ଆତଙ୍କରେ ଯନ୍ତ୍ରବତ୍ ଭାତ ଥାଳି ପାଖରେ ଠିଆ ହୋଇ ପଡ଼ିଲି । ମୋ ମୁହଁ ସେତେବେଳେ ନିଶ୍ଚୟ ବିବର୍ଣ୍ଣ ହୋଇଯାଇଥିବ । ରୁଲି ମୋ ଭାବାନ୍ତର ଲକ୍ଷ୍ୟ କରି ମତେ ଭିଡ଼ିଧରି ପଚାରିଲା, ‘ନନା ! (ପିଲାମାନେ ମତେ ନନା ବୋଲି ସମ୍ବୋଧନ କରିଥାନ୍ତି ।) ତମର କ’ଣ ହେଲା-?’ ମୁଁ କ’ଣ ଉତ୍ତର ଦେବି, ହଠାତ୍ ସ୍ଥିର କରି ପାରିଲି ନାହିଁ । ଚକା-ଚକା-ଭଉଁରୀ-ଘିରି ଘିରି ବୁଲି ହଠାତ୍ ଠିଆ ହୋଇଗଲେ ସେ ଯାହା ଅନୁଭବ କରେ, ମତେ ବର୍ତ୍ତମାନ ଠିକ୍ ସେମିତି ଲାଗୁଛି-। ମୋର ମୁହଁ ବୁଲାଇ ମୁଁ କାଳେ କଚାଡ଼ି ହୋଇ ତଳେ ପଡ଼ିଯିବି ବୋଲି ଭୟ କରି ସେ ମତେ ତଳେ ବସାଇ ଦେବା ପାଇଁ ମୋ ହାତକୁ ତଳକୁ ଟାଣିଲା । ମୁଁ ମିନିଟିଏ ଦମ୍ ନେବା ପରେ ଅଇଁଠା ହାତ ଓ ପାଟିରେ ପରିବା ବଗିଚାକୁ ଗଲି ଓ ଗୋଟି ଗୋଟି କରି ଗଛ ଉପାଡ଼ିବାରେ ଲାଗିଲି । ଡୁଲୁ ଗଛ ଉପାଡ଼ିବାରେ ଓସ୍ତାଦ । ସେ କେଉଁଠାରେ ଥିଲା କେଜାଣି; ହଠାତ୍ ହାଜର ହୋଇଗଲା ଓ ଜହ୍ନି-ଗଛର ମୂଳ ଉପାଡ଼ିବାରେ ଲାଗି ପଡ଼ିଲା । ଅଳ୍ପ ସମୟ ମଧ୍ୟରେ ପରିବା ବଗିଚା ସଫା ହୋଇଗଲା-। ମୁଁ ସେ ଗଛ ଲଟାଗୁଡ଼ିକୁ ଗୋଟିଏ ବେଣୀପରି ବାନ୍ଧି ଦାଣ୍ଡରେ ଫୋପାଡ଼ିବାପାଇଁ ଟାଣି ଟାଣି ନେଲି । ସେତେବେଳେ ମୋ ସ୍ତ୍ରୀ ବାରଣ୍ଡାରେ ଗର୍ବର ସହିତ ଆମର ପରିବା-ବଗିଚାର ମାହାତ୍ମ୍ୟ ସେଇ ପରିବା ବିକାଳୀ ମାଇକିନାକୁ ବଖାଣୁଥିଲା । ମୁଁ ଗଛ ନେଉଥିବାବେଳେ ପିଲାମାନେ ହୋ ହାଲ୍ଲା କରି ମୋ ସାଥିରେ ଆସୁଥାନ୍ତି । ଏହି ସବୁ ଧ୍ୱଂସକାରୀ ଦୃଶ୍ୟ ଦେଖି ମୋ ସ୍ତ୍ରୀ ମୋ ଆଡ଼କୁ ଅବାକ୍ ହୋଇ ଚାହିଁଲା । ସେତେବେଳେ ଗଛର ଟିକି ଟିକି ହଳଦିଆ ଜହ୍ନିଫୁଲଗୁଡ଼ିକ ଘୋଷାରି ହୋଇ ପ୍ରାୟ ଅସ୍ତିତ୍ୱଶୂନ୍ୟ ହୋଇଗଲେଣି । ମୁଁ ସେ ଘୃଣ୍ୟ ଗଛଲତାଗୁଡ଼ିକୁ ଦାଣ୍ଡରେ ଫୋପାଡ଼ିବା ବେଳେ ଚାରିଆଡ଼ୁ ବାରବୁଲା ଗାଈଗୁଡ଼ିକ ଉତ୍ସାହରେ ଦୌଡ଼ି ଆସୁଥିବା ଲକ୍ଷ୍ୟ କଲି-। ସେତେବେଳେ ମୋ ସ୍ତ୍ରୀ ପଛପଟୁ ଆସି ମତେ ଜୋରରେ ଝାଙ୍କିଲା । ପାଖରେ ପରିବା-ବିକାଳୀ ମାଇକିନାଟି ଅଛି । ତଥାପି ସେ ମୋ ଉପରେ ଏମିତି ଚଢ଼ାଉ କରୁଛି । ଏହା କ’ଣ ଦୁର୍ବ୍ୟବହାର ନୁହେଁ ? ପରିବା-ବିକାଳୀଟି ଏହି ଦୃଶ୍ୟରେ ଅପ୍ରତିଭ ହୋଇ ଖୁସି ଚାଲିଗଲା । ମୁଁ ଉପରବେଳା ତରକାରୀ ପାଇଁ ତା’ଠାରୁ ବାଇଗଣ କେଜିଏ ରଖିବାକୁ ଡାକିଲି । ସେ ମୋ କଥା ଶୁଣିଲେ ସୁଦ୍ଧା ମୁହଁ ବାହୁଡ଼େଇଲା ନାହିଁ । ଏପଟେ ଜ୍ୟୋତ୍ସ୍ନା ମୋ ପାଟି ଉପରେ ହାତ ଚାପି ରଖିଲା ଓ ଥରକରେ ଟାଣି ଘର ଭିତରକୁ ନେଇଗଲା । ଏହାପରେ ମୁଁ ମୋ କଚଟି ସିଧା କରିବାବେଳେ ଅନୁଭବ କଲି ଯେ ମୋ ସ୍ତ୍ରୀ ବଳ ବୁଲ୍‌ଡ଼ୋଜର ଠାରୁ ଅଧିକ ହେବ । ଗଛ ଉପାଡ଼ିବା ସମ୍ପର୍କରେ ସେ ମତେ ନାନା ପ୍ରକାର ଧମକ ଚମକପୂର୍ଣ୍ଣ ପ୍ରଶ୍ନମାନ ପଚାରିଲା । କିନ୍ତୁ ତାକୁ ଉତ୍ତର ଦେବାପାଇଁ ମୁଁ ପ୍ରସ୍ତୁତ ନଥିଲି-। ଦାଣ୍ଡ ପଟକୁ ଚାହିଁବା ବେଳେ, ମୋ ସ୍ତ୍ରୀ ପରିବା ବିକାଳୀକୁ ସଗର୍ବରେ ଦେଖାଇଥିବା ଆମ ବଗିଚାର ବଡ଼ ବଡ଼ ଦୁଇଟି ବାଇଗଣ ଗଡ଼ୁଥିବାର ଦୃଶ୍ୟ ମୁଁ ଦୁଃଖର ସହିତ ଲକ୍ଷ୍ୟ କଲି-। ସେତେବେଳେ ମୁଁ ଭାବିଲି–ଭଗବାନଙ୍କ ସୃଷ୍ଟିରେ ଗୋଟିଏ ବିଶେଷତ୍ୱ ହେଉଛି ଯେ, ଯେଉଁଠାରେ ଖୁଣ ନାହିଁ, ସେଠାରେ ଗୁଣ ମଧ୍ୟ ନାହିଁ । ବାଡ଼ିର ବାଇଗଣ ଚାଖି ଏହି ବିଷୟ ଜାଣି ପାରିଲି-। ଅବଶ୍ୟ, ଅନ୍ୟ ଗୋଟିଏ ସମ୍ପର୍କରୁ ମଧ୍ୟ ଏହି ତଥ୍ୟଟି ଜଣାପଡ଼ୁଛି । ମୋ ସ୍ତ୍ରୀର ଶରୀର ଓ ସୌନ୍ଦର୍ଯ୍ୟକୁ ଦେଖିଲେ, ଯେ କେହି କହିବ ଯେ ସେ ଗୋଟିଏ ବିଶ୍ୱସୁନ୍ଦରୀ (ଅବଶ୍ୟ ଅନ୍‌କ୍ରାଉନ୍‌ଡ଼୍‌)-। କିନ୍ତୁ ତା’ର ଗୁଣ ଆମ ବାଡ଼ିର ବାଇଗଣଠାରୁ ମଧ୍ୟ ଅଧିକ ପିତା । ସେତେବେଳେ ମୋ ମନକୁ ଛୁଇଁଲା ଯେ ମୁଁ ଏମିତି ଗୋଟିଏ ସ୍ତ୍ରୀକୁ ବିବାହ ନ କରି ଗୋଟିଏ ଚାନ୍ଦମୁହଁକୁ (ଅର୍ଥାତ୍ ବସନ୍ତ-ମୁହିଁ, ଯାହାକି ଚନ୍ଦ୍ରପୃଷ ପରି ଖାଲ ଢିପ ପୁର୍ଣ୍ଣ) ବିବାହ କରିଥିଲେ ଭଲ ହୋଇଥାନ୍ତା ।

 

ବଗିଚାସଫା ସମ୍ପର୍କରେ ମୋ ସ୍ତ୍ରୀକୁ ବୁଝାଉଥିବାବେଳେ ମୋର ସୁଯୋଗ୍ୟା କନ୍ୟା ରୁଲି ରୋଷେଇ ଘରୁ ବାଇଗଣ ଭଜା ଓ ଜହ୍ନି ଖିରିସା ପିତା ବୋଲି ନାଳରେ ଫୋପାଡ଼ି ସାରିଲାଣି । ମୋ ସ୍ତ୍ରୀ ରୋଷେଇଶାଳରେ ଯାଇ ଦେଖିଲା ବେଳକୁ ହାଣ୍ଡି ସଫା । ପିଲାମାନଙ୍କର ଖିଆପିଆ ପାଇଁ ପୁଣି ଥରେ ଚୁଲି ଫୁଙ୍କିବାକୁ ପଡ଼ିବ ବୋଲି ଭାବି ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ମୋ ଉପରେ ପୁଣି ଥରେ ଚଢ଼ାଉ କଲା, ‘କହେ ! ତମେ କେବେ କୁଇନାଇନ୍‌ ଖାଉନାହଁ ? ନିମ୍ବ ଟୁଥ୍ ପେଷ୍ଟରେ ଦାନ୍ତ ଘଷୁନାହଁ ? ...ପିତା ବୋଇଲେ ତମକୁ ଏତେ ଗନ୍ଧାଉଛି କାହିଁକି ?' ମୁଁ ଚୁପ୍‌ଚାପ୍‌ ରହିବା ଯୋଗୁଁ ସେ ପୁଣି ଥରେ ଆରମ୍ଭ କଲା, ‘ବାଡ଼ରେ ବାଇଗଣ ନ ଲଗାଇ, ମୁଁ କ’ଣ ଆଖୁବାଡ଼ କରିବି-? ...ତମର ମିଠାଖିଆ ଅଭ୍ୟାସକୁ ବଦଳାଇବା ପାଇଁ ସରକାର ଚିନି କଣ୍ଟ୍ରୋଲ କରିଛି; ଠିକ୍‌ କରିଛି ସରକାର…’ କଣ୍ଟ୍ରୋଲ, ପରମିଟ୍ ସମ୍ପର୍କରେ ମୋ ସ୍ତ୍ରୀକୁ ବିଧେ ମାରିଲେ ପଦେ ଆସିବ ନାହିଁ-। ତଥାପି ଅର୍ଥଶାସ୍ତ୍ରରେ ବି.ଏ, ଏମ୍ ଏ ପାଶ କଲା ପରି ଅନର୍ଗଳ କହିବାକୁ ସାହସ କରୁଛି । ଇଏ ରୋଷେଇ ଘର ଛାଡ଼ି ରାଜନୀତି କଲେ ଭଲ ହେବ–‘କିଛି ଜାଣି ନଥିଲେ ମଧ୍ୟ ସବ୍‌ ଜାନ୍‌ତା ପରି ହେବ ।’

 

ମୁଁ ଅଫିସକୁ ଯିବାପାଇଁ ସେଦିନ ସାହସ କରିପାରିଲି ନାହିଁ । କାରଣ କଲେକ୍ଟର ସାହେବ ଯଦି ବ୍ରାହ୍ମଣ-ଭୋଜନକୁ ଯାଇଥିବେ, ତାହାହେଲେ ମତେ ଏହି ମହୀମଣ୍ଡଳରେ କେହି ରକ୍ଷା କରି ପାରିବେ ନାହିଁ । ତେଣୁ ଛୁଟି ଦରଖାସ୍ତ ଲେଖି ଆମ ସାହି ପାଖରେ ରହୁଥିବା ଗୋଟିଏ ପିଅନ୍‌ର ବସାକୁ ଦୌଡ଼ିଲି । କିନ୍ତୁ ମତେ ସେ ପିଅନ୍‌ଟି ଜଣାଇଲା ଯେ ରାଜସ୍ୱମନ୍ତ୍ରୀ ଅଚାନକଭାବେ ଆସୁଥିବା ଯୋଗୁଁ ଜିଲ୍ଲାପାଳଙ୍କର ଆଜିର ମି.ଈ. ସ୍କୁଲ ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି । ତେଣୁ ସେ ବ୍ରାହ୍ମଣ ଭୋଜନକୁ ଯିବାର ପ୍ରଶ୍ନ ମଧ୍ୟ ଉଠୁ ନାହିଁ । ଏମିତିକି ଖୋଦ ତହସିଲଦାର ପବିତ୍ର ନିରାମିଷ ବ୍ରାହ୍ମଣ ଭୋଜନ ପାଣିରେ ପକାଇ ଦେଇ ମନ୍ତ୍ରୀ ମହୋଦୟଙ୍କ ପାଇଁ କୁକୁଡ଼ା-ଝୋଳ ଇତ୍ୟାଦି ଆୟୋଜନ କରିବାକୁ ଅଫିସ ଆଡ଼କୁ ମାଡ଼ି ଆସିଥିବେ । ଏଥିରେ ମୁଁ ଖୁବ୍ ଆନନ୍ଦ ହୋଇ ପଡ଼ିଲି ଓ ସଙ୍ଗେ ସଙ୍ଗେ ଛୁଟି ଦରଖାସ୍ତଟି ଚିରି ଫୋପାଡ଼ି ଦେଲି । ତା’ପରେ ଘରକୁ ଆଶ୍ୱସ୍ତିର ସହିତ ଫେରିଲି । ଦେଖିଲି ଯେ ଜ୍ୟୋତ୍ସ୍ନା ଖାଇବାପାଇଁ ମୋ ଅଇଁଠା-ଥାଳିରେ ବସୁଛି । କିନ୍ତୁ ସେ ଗୋଟିଏ ଗୁଣ୍ଡା ଗିଳିଛି କି ନାହିଁ, ନାଳ ପାଖକୁ ଯାଇ ପାଟି ଆଁ କରି ବାନ୍ତି କରିବାକୁ ଓଟାରିଲା । ମୁଁ ମଜା ଦେଖିବା ପାଇଁ ତା’ ପାଖକୁ ଯାଇ ତା’ର ଛାତି ଆଉଁସିଲି ଓ ଚୁଗୁଲି କରି କହିଲି ପ୍ରିୟେ ! ‘କେଉଁ ଦିନଠାରୁ ତମର ଗର୍ଭାବସ୍ଥା ଆରମ୍ଭ ହୋଇଛି ? ... ଆହା, ଅରୁଚିରେ ଅସମ୍ଭାଳ ହୋଇ ପଡ଼ୁଛ ! -ଜ୍ୟୋସ୍ନା । ମତେ ଠେଲି ଦେଇ କହିଲା, ‘ବାଇଗଣ ଜହ୍ନି ଗୁଡ଼ିକ ଏତେ ପିତା ! -ମୋ ପେଟର ଅନ୍ତବୁଜୁଳା ମଧ୍ୟ କୋରି ହୋଇ ବାନ୍ତିରେ ବାହାରି ପଡ଼ିବ ବୋଲି ମୁଁ ଡରିଗଲି ।’ ଏହା ପରେ ପରେ ଆମେ ଦୁଇପ୍ରାଣୀ ବଗିଚା ସଫା ସମ୍ପର୍କରେ ଏକମତ ହୋଇଗଲୁ । ମୁଁ ପାନ ଦୋକାନକୁ ଯାଇ ଦୁଇଟି ସ୍ପେଶାଲ୍‌ ମିଠା ପାନ ଆଣିଲି । ମୁଁ ନିଜ ପାଟିରେ ଗୋଟିଏ ପକାଇଲି ଜ୍ୟୋତ୍ସ୍ନାର ପାଟିରେ ଅନ୍ୟଟି ଗୁଞ୍ଜିଦେଲି । ତା’ପରେ ଅଫିସକୁ ଯିବାବେଳେ ତାକୁ ଚୁମା ଦେଉ ଦେଉ କହିଲି, ‘ପାନଖିଆ ପାଟି ତୋର ରସରସିଆ....’ ମୋ ମନରେ ତତ୍କାଳୀନ ଭାବନା ଜାଗରିତ ହେଲା ଯେ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ପ୍ରତି କୌଣସି ଗୁରୁତ୍ୱ ଦେବା ଅନୁଚିତ–ଏହା ନିଜ ସହିତ ନିଜେ ଝଗଡ଼ା କରିବା ପରି ।

 

କଲେକ୍ଟର୍ ଅଫିସର ଗୋଟିଏ ଘଟଣା ଏଠାରେ ଉଲ୍ଲେଖ କରୁଛି । ଏହି ଘଟଣାଟି ଉଲ୍ଲେଖଯୋଗ୍ୟ ହୋଇଥିଲେ ସୁଦ୍ଧା ସ୍ଥାନୀୟ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇ ନ ଥିଲା । ଆମ ଅଫିସକୁ ଗୋଟିଏ ନୂଆ ଜିଲ୍ଲାପାଳ ଆସିଥା’ନ୍ତି । ତାଙ୍କ ନାମ ନାଥୁଆ ମଲ୍ଲିକ । ଖରାଦିନେ ଥରେ ମଧ୍ୟାହ୍ନରେ କରେଣ୍ଟ ସପ୍ଳାଇ ଚାଲିଗଲା । ତେଣୁ ମଲ୍ଲିକ ସାହେବଙ୍କ ପୋଷାକ ପତ୍ର ଝାଳରେ ବୁଡ଼ିଗଲା । ସେ ଟାଇର ଗଳାଫାଶ ଖୋଲି ଦେଲେ । କିଛି ଆରାମ ପାଇଁ ସାର୍ଟର ବୋତାମଗୁଡ଼ିକ ମଧ୍ୟ ଫିଟାଇ ଦେଲେ । ତଥାପି ଟପ୍‌ ଟପ୍ ଝାଳ ନିଗୁଡ଼ୁ ଥାଏ ଏବଂ ଫାଇଲରେ ଦସ୍ତଖତ କରିବା ବେଳେ କାଗଜ ଗୁଡ଼ିକ ଓଦା ହୋଇ ଯାଉଥାଏ । ସେ ତାଙ୍କର ରୁମାଲ ବୁଲାଇ ବିଞ୍ଚି ହେଉଥା’ନ୍ତି । ମୁଁ ସେତେବେଳେ ଫାଇଲ୍ ଧରି ସାହେବଙ୍କ ପାଖକୁ ଯାଇଥାଏ । ସାହେବଙ୍କୁ ଏମିତ ଆଶ୍ୱସ୍ତିକର ଅବସ୍ଥାରେ ଦେଖି ମୁଁ ଗୋଟିଏ ଫାଇଲ୍‌କୁ ହାତ-ବିଞ୍ଚଣା ଭାବେ ବ୍ୟବହାର କରି ତାଙ୍କୁ ହାୱା ଯୋଗାଇଲି । ସେଠାରେ ଥିବା ତ୍ରିପାଠୀ ପିଅନର ଅଙ୍ଗଭଙ୍ଗୀ ଓ ଠାରରୁ ମୁଁ ଜାଣି ପାରିଲି ଯେ ସେ ମୋ ତେଲିଆ ସ୍ୱଭାବକୁ ମୋଟେ ପସନ୍ଦ କରୁ ନାହିଁ । ଏଠାରେ ମୁଁ ତ୍ରିପାଠୀର ପରିଚୟ ଦେଉଛି । ସେ ସାଧାରଣତଃ ତା’ର ଡ୍ୟୁଟି କରେ ନାହିଁ । ରାଜନୀତିରେ ଅଂଶ ନିଏ । ପୁଣି ଅଳ୍ପ ଦିନ ମଧ୍ୟରେ ଆମ ଅଣଗେଜେଟେଡ଼୍‌ ସଂଘର ସ୍ଥାନୀୟ ଶାଖାରେ କର୍ମକର୍ତ୍ତାରୂପେ ନିର୍ବାଚିତ ହେବେ । ତୃତୀୟଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ଜଣେ ସଭାପତି ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ଜଣେ ଉପସଭାପତି ବଛାଯିବ । ଆମ କର୍ମଚାରୀ-ସଂଘର ସମ୍ବିଧାନର ଗୋଟିଏ ନିୟମ । ତ୍ରିପାଠୀ ପିଅନ ଉପସଭାପତି ପଦପାଇଁ ନିର୍ବାଚନ ଲଢ଼ୁଛି । ଜୟଯୁକ୍ତ ହେବା ପାଇଁ ସେ ଉପର ଅଫିସରଙ୍କ ପ୍ରତି ନରମ ମତିଗତି ଦେଖାଇଲେ ଚଳିବ ନାହିଁ । ଯେଉଁମାନେ ବଡ଼ବଡ଼ିଆଙ୍କ ସହିତ ଯୁଦ୍ଧ କରିପାରିବେ, କେବଳ ସେହିମାନେ ହଁ ଆସୋସିଏସନ୍‌ର ଲିଡ଼ରସିପ୍ ନେବାକୁ ଯୋଗ୍ୟ । ପୁଣି ଜିଲ୍ଲାପାଳ ଶ୍ରୀ ମଲ୍ଲିକ କୁଆଡ଼େ ପିଅନମାନଙ୍କୁ ତାଙ୍କର ବ୍ୟକ୍ତିଗତ କାମରେ ଖଟାଉଛନ୍ତି ବୋଲି ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ମନରେ ଭିତରେ ଭିତରେ ରାଗ ବଢ଼ିବାରେ ଲାଗିଛି । ମୁଁ ସାହେବଙ୍କୁ ବିଞ୍ଚୁଥିବା ସମୟରେ ସେ ତ୍ରିପାଠୀ ପିଅନକୁ ତାଙ୍କ ସାନ ଝିଅକୁ କନ୍‌ଭେଣ୍ଟ ସ୍କୁଲରୁ ରିକ୍‌ସାରେ ଘରକୁ ଆଣିବା ପାଇଁ କହିଲେ । କିନ୍ତୁ ତ୍ରିପାଠୀ କିଛି ନ ଶୁଣିବାପରି ଚାଲିଗଲା । ସାହେବ ରାଗିଯାଇ ତା’ ପଛେ ପଛେ ଗଲେ । ପୁର୍ବରୁ ତ ତାଙ୍କର ତ୍ରିପାଠୀ ଉପରେ ରାଗ ଥାଏ । ବର୍ତ୍ତମାନ ସେ ତାକୁ ସାଧ୍ୟ କରିଦେବେ ବୋଲି ଭାବିଲେ । ତ୍ରିପାଠୀର ପଛପଟେ ମୁଣ୍ଡରେ ଗୋଟିଏ ମୋଟା ଚୁଟି ଥାଏ ଏବଂ ସେ ଦୈନିକ ପୂଜାପାଠ କରି ସେଥିରେ ତୁଳସୀ ପତ୍ର ବାନ୍ଧେ । ସାହେବ ତା’ର ଏହି ଚୁଟିଟିକୁ ପାଣି ଧରିଲେ ଓ ଗାଲରେ ଠୋ-ଠୋ ଦୁଇ ଚାପୁଡ଼ା କଷିଦେଲେ । ମୁଁ ଏହି ଉତ୍ତେଜକ ଘଟଣାର ସାକ୍ଷୀ ହେବା ହୁଏତ ଭବିଷ୍ୟତରେ ବିପଦଜନକ ହୋଇପାରେ ବୋଲି ଭାବି ସେଠାରୁ କୌଶଳରେ ଖସି ଚାଲିଗଲି ଓ ସାହେବଙ୍କ ସାନ ଝିଅକୁ ନିଜେ ଯାଇ ରିକ୍‌ସାରେ ଘରକୁ ଆଣିଲି । ବାଟରେ ମୁଁ ମନେ ମନେ ଗୋଟିଏ ବିଷୟରେ ଭାବିବାକୁ ଲାଗିଲି–ସାହେବ ତ୍ରିପାଠୀକୁ ପିଟିବା ହୁଏତ ଗୋଟିଏ ଅତି ଗର୍ହିତ କାମ । ତାଙ୍କୁ ଏତେ କ୍ଷମତା ଦିଆଯାଇଛି ଯେ, ସେ ଅତି ସହଜରେ କଲମ ମୁନରେ ତ୍ରିପାଠୀର ଚାକିରି ଉଡ଼ାଇ ଦେଇଥା’ନ୍ତେ । ଏହାଦ୍ଵାରା ସେ ତାକୁ ହାତରେ ନ ମାରି ଭାତରେ ମାରି ପାରିଥା’ନ୍ତେ । ଏମିତି ନକରି ସେ ତ୍ରିପାଠୀ ପ୍ରତି ହିଂସ୍ର ବ୍ୟବହାର କାହିଁକି ଦେଖାଇଲେ ? ଏହାର କାରଣ ସମ୍ପର୍କରେ ମୁଁ ଚିନ୍ତା କରିବାରେ ଲାଗିଲି । କିନ୍ତୁ ମୋ ମୁଣ୍ଡକୁ କୌଣସି ପ୍ରକାର କାରଣ ଜୁଟିଲା ନାହିଁ । ପରେ ମୁଁ ଶୁଣିବାକୁ ପାଇଲି ଯେ, ଜିଲ୍ଲାପାଳ ଏମିତି ଗୋଟିଏ ପରିବାରରୁ ଆସିଛନ୍ତି ଯେଉଁଠାରେ କି ସଂସ୍କୃତି ଓ ସଭ୍ୟତା ବୋଲି କିଛି ନାହିଁ; ଯେଉଁଠାରେ କି ମଦ ପିଇ ରାସ୍ତାର ଧୂଳିରେ ଲୋକେ ଗଡ଼ୁଥା’ନ୍ତି ଏବଂ ଅସଭ୍ୟ ଭାବେ ଦୋ-ଅକ୍ଷରି ପଦରେ କଥା ହୁଅନ୍ତି । ଗୋଟିଏ ଗୁଜବ ପ୍ରଚାରିତ ହେଲା ଯେ, ସେ କୁଆଡ଼େ ପ୍ରକୃତରେ ଚାକିରି-ପରୀକ୍ଷାରେ ପାଶ କରିବାକୁ ଅଯୋଗ୍ୟ ଓ ରିଜର୍ଭ-ଲିଷ୍ଟରେ ଭାଗ୍ୟବଳରୁ ପାଶ୍ କରିଗଲେ-। ଆଜି ଯାଏଁ ତାଙ୍କର ଅସ୍ଥି ମଜ୍ଜାଗତ, ପାରମ୍ପରିକ ଦୁର୍ଗୁଣ ସୌଭାଗ୍ୟ କ୍ରମେ ଲୁଚି ରହିଥିଲା-। କିନ୍ତୁ ବର୍ତ୍ତମାନ ତ୍ରିପାଠୀର ଉତ୍ତେଜକ ଆଚରଣରେ ତାଙ୍କର ଅସଲ ସ୍ୱଭାବ ପଦାରେ ପଡ଼ିଗଲା । ଏହି ଘଟଣା ସମ୍ପର୍କରେ ଭାବିବାବେଳେ ଆମେ ସଂସ୍କୃତରେ ପଢ଼ିଥିବା ଗୋଟିଏ ପାଠ ମୋର ମନେ ପଡ଼ିଲା–ଏକଦା ଗୋଟିଏ ଶୃଗାଳ ଦେହରେ ନୀଳବର୍ଣ୍ଣ ବୋଳି ହୋଇ ପଶୁମାନଙ୍କୁ ଠକି ସେମାନଙ୍କର ରାଜା ହୋଇଗଲା । କିନ୍ତୁ ଯେତେବେଳେ ଅନ୍ୟ ଶୃଗାଳମାନେ ସନ୍ଧ୍ୟାରେ ‘ହୁକେ ହୋ’ ବୋଲି ରଡ଼ି ଛାଡ଼ିଲେ, ନୀଳବର୍ଣ୍ଣ ଶୃଗାଳ ରାଜାର ପାଟିରୁ ମଧ୍ୟ ପୂର୍ବଅଭ୍ୟାସରୁ ‘ହୁକେ ହୋ’ ରଡ଼ି ବାହାରି ପଡ଼ିଲା । ତା’ପରେ ସବୁ ପଶୁମାନେ ଶୃଗାଳ ରାଜାକୁ ଗାଦିଚ୍ୟୁତ କରି ଭୀଷଣ ମାଡ଼ ଦେଲେ । ବର୍ତ୍ତମାନ ନାଥୁଆ ବାବାକୁ ମଧ୍ୟ ସେହି ବୁର୍ଚତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମ କର୍ମଚାରୀ ମହଲରେ ସମସ୍ତେ କଥାଭାଷା ହେଲେ । ଏହି ମର୍ମରେ ଆମ ସଂଘର ସଭା ଡକାଗଲା-। ସେଥିରେ ନାନା ପ୍ରକାରର ଷ୍ଟ୍ରାଇକ୍ ପ୍ରସ୍ତାବ ପଡ଼ିଲା । କିନ୍ତୁ ଆମ ମଧ୍ୟରେ ଏକତା ନାହିଁ । ତେଣୁ ଷ୍ଟ୍ରାଇକ୍ ସମ୍ପର୍କରେ କୌଣସି ପ୍ରକାର କାର୍ଯ୍ୟ ପନ୍ଥା ଗ୍ରହଣ କରିଯାଇ ପାରିଲା ନାହିଁ । ଏମିତିକି ଶ୍ରୀ ମଲ୍ଲିକଙ୍କୁ ନିନ୍ଦାବାଦ କରିବା ପାଇଁ କୌଣସି ପ୍ରକାର ପ୍ରସ୍ତାବ ଆଣିବାକୁ ନେତାମାନେ ରାଜି ହେଲେ ନାହିଁ । ଏଥିରେ ତ୍ରିପାଠୀ ପିଅନ ଭୀଷଣ ରାଗିଗଲା । ସେ ରାଗିବାର କାରଣ ହେଉଛି; ଯେ କର୍ମଚାରୀମାନେ ଜିଲ୍ଲାପାଳଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇଥିବା ବିଷୟରେ ସେ ଜାଣେ ଏବଂ ସେ ଭାବିଥିଲା ଯେ, ସାହେବଙ୍କୁ ପ୍ରକାଶ୍ୟ ଭାବେ ଅମାନ୍ୟ କଲେ, ତାକୁ ସମସ୍ତେ ଭୋଟ ଦେବେ । କିନ୍ତୁ ଭୋଟ ପାଇବା ତ ପଛର କଥା; ବର୍ତ୍ତମାନ ତା’ ପିଠିରେ ମାଡ଼ ବସିଲେ ସୁଦ୍ଧା କେହି ପାଟି ଫିଟାଉ ନାହାନ୍ତି । ତ୍ରିପାଠୀ ଶେଷରେ; ଅଭିମାନର ସହିତ କହିଲା ଯେ, ସେ ନିଜେ ନିଜେ ସାହେବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏମିତି କହି ସେ ସଭା ମଧ୍ୟରୁ ରାଗି ଚାଲିଯାଉଥିବା ବେଳେ ଆମ ସଂଘର ବଡ଼ବଡ଼ିଆମାନେ ତା’ ପଛେପଛେ ତା’ ଘର ଯାଏ ଗଲେ । ତା’ର ପୁଅ ଓ ମାଇପଙ୍କୁ ବୁଝାଇଦେଲେ ଯେ, ସେ ଯଦି କଲେକ୍ଟରଙ୍କ ବିରୁଦ୍ଧରେ କିଛି କରେ, ତାହାହେଲେ, ତା’ର ଚାକିରି ଚାଲିଯିବ । ତା’ପରେ ସମସ୍ତେ ମିଳିମିଶି ତ୍ରିପାଠୀ ଉପରେ ଚାପ ପକାଇଲେ । ଶେଷରେ; ତ୍ରିପାଠୀ କିଛି କିଛି ଆତ୍ମସମ୍ମାନ ରକ୍ଷା କରିବାକୁ କଲେକ୍ଟରଙ୍କ ବିରୁଦ୍ଧରେ ଗୋଟିଏ ବେନାମୀ ଚିଠି ସମ୍ବାଦ ପତ୍ରକୁ ପଠାଇଲା, ଯେଉଁଥିରେ କି ଠିକଣା ନ ଥିବା କାରଣରୁ ସମ୍ପାଦକ ପତ୍ରଟିକୁ ପ୍ରତ୍ୟାଖ୍ୟାନ କରିଦେଲେ । ଏମିତି ଆମ ସମାଜରେ ନୀଳବର୍ଣ୍ଣ ଶୃଗାଳମାନେ ହୁକେ ହୋ ଦ୍ଵାରା ନିଜର ହୀନ ପରିଚୟ ଦେଇ ସୁଦ୍ଧା ଶାସକ ହୋଇ ରହିଛନ୍ତି ଓ ତଥାକଥିତ ସିଂହ-ପୁରୁଷମାନେ କିଛି ତ ପ୍ରତିବାଦ କରୁ ନାହାନ୍ତି । ଯଦି ବା କରନ୍ତି, ତାହାହେଲେ ବେନାମୀ ଢଙ୍ଗରେ । ଏହା ହେଉଛି ଆମ ଦେଶର ବୈଚିତ୍ର । ଯାହାହେଉ, ପରମ ପୂଜନୀୟ, ଦୟାମୟ ଜିଲ୍ଲାପାଳ ମହାଶୟ ଗୋବିନ୍ଦପୁରକୁ ଚଳି ପାଇଁ ଆଗରୁ ପଡ଼ି ରହିବା ମୋର ପୁରୁଣା ଦରଖାସ୍ତଟି ମୋ ପ୍ରତି ପ୍ରୀତ ହୋଇ ବର୍ତ୍ତମାନ ମଞ୍ଜୁର କରିଦେଲେ ।

 

ଗୋବିନ୍ଦପୁର ତହସିଲ ଅଫିସରେ ଅବସ୍ଥାପିତ ହେବା ଠାରୁ ଚନ୍ଦନପୁରକୁ ଦୈନିକ ଯିବା ଆସିବା ଜଞ୍ଜାଳରୁ ରକ୍ଷା ମିଳିଲା । ସରକାର ଶୀଘ୍ର ଭୂସଂସ୍କାର ଆଇନ ଘୋଷଣା କରିବେ ବୋଲି ଆମ ତହସିଲ ଅଫିସ୍‌ର କର୍ମଚାରୀମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ପଡ଼ିଥା’ନ୍ତି । ବୋଧହୁଏ; ଏହି ସମ୍ପର୍କରେ ଭୂମିହୀନମାନେ ଯେତେ ଆଗ୍ରହୀ ନୁହନ୍ତି ତହସିଲ ଅଫିସର କର୍ମଚାରୀମାନେ ସେମାନଙ୍କ ଅପେକ୍ଷା ଅଧିକ ଆଗ୍ରହୀ । ସହକର୍ମୀମାନଙ୍କର ଏହି ବିପୁଳ ଆଗ୍ରହ ମତେ ସଂକ୍ରମିତ ହୋଇଯାଇଥିଲା, ଯଦିଓ ମୋର ନିଜର ଅନ୍ତରରେ ସେମିତି କିଛି ନ ଥିଲା । ଭୂସଂସ୍କାର ଖବର ଜାଣିବା ପାଇଁ ମୁଁ ମଧ୍ୟ ଅନ୍ୟମାନଙ୍କ ପରି ଆଞ୍ଚଳିକ ସମ୍ବାଦ ସବୁବେଳେ ଶୁଣୁଛି-। ଥରେ ମୁଁ ସନ୍ଧ୍ୟାବେଳେ ଜଳଖିଆ ଖାଇଛି । ଛ’ଘଣ୍ଟା କୋଡ଼ିଏ ମିନିଟ ହୋଇଯିବା ଯୋଗୁଁ ରୁଲିକୁ ମୋର ଟ୍ରାଞ୍ଜିଷ୍ଟରଟି ଆଲମାରୀରୁ ଆଣିବାକୁ କହିଲି । ଟ୍ରାଞ୍ଜିଷ୍ଟର ଖୋଲିବା କ୍ଷଣି ବହୁ ପ୍ରତୀକ୍ଷିତ ଭୂସଂସ୍କାର ଆଇନ ଘୋଷିତ ହେଲା । ପୁଣି ଆମେ ପରିବାର ପିଛା ଯେତିକି ଷ୍ଟାଣ୍ଡାର୍ଡ଼ ଏକର ସରକାର ସ୍ଥିର କରିବେ ବୋଲି ଭାବୁଥିଲୁ, ତା’ ଅପେକ୍ଷା ଯଥେଷ୍ଟ କମ୍ ସିଲିଂ ଘୋଷିତ ହେଲା । ମୁଁ ଖୁବ୍ ଆନନ୍ଦିତ ହୋଇ ପଡ଼ିଲି । ରେଡ଼ିଓର ଭଲ୍ୟୁମ୍ ବଢ଼େଇ କାନେଇ ରହିଥିବା ବେଳେ ମୋ ସ୍ତ୍ରୀ କରେଇରୁ ଗରମ ପରଟା ବାହାର କରି ମୋ ଥାଳିରେ ପକାଇଲା ଓ ମୋ ହସ ହସ ମୁହଁ ଦେଖି କାରଣ ଜାଣିବା ପାଇଁ ମତେ ଚାହିଁଲା । ମୁଁ କହିଲି, ‘ଆଇନ ହୋଇଗଲା । ଏଥର ଜମିମାଲିକମାନେ ଖତମ୍ ! ଏକେ ତ ସରକାରଙ୍କୁ ଜମି ଦେବେ; ନଚେତ୍ ଆମକୁ ଟଙ୍କା ଗଣିବେ ।’ ଗରମ ପରଟା ଓ ଆଳୁଭଜା ଚୋବାଇ ଖାଉଥିବା ସମୟରେ କହିଲି…ଆଜିଠାରୁ ଆର. ଆଇ ମାନେ ଲକ୍ଷପତି ହେବେ । ଟାଉଟରମାନେ ଲୋକପତି ହେବେ । ଭୂମିହୀନମାନେ ଭୂପତି…..’ ଚୁଲି ଉପରେ ବସିଥିବା କରେଇରେ ପରଟା ପୋଡ଼ିଯିବ ବୋଲି ମୋ ସ୍ତ୍ରୀ ତରବର ହେଉଥାଏ । ତେଣୁ ମୋ ଭାଷଣ ଶୁଣିବାକୁ ତା’ର ବେଳ ନାହିଁ । ସେ ସଂଳାପ ସଂକ୍ଷିପ୍ତ କରିବାକୁ ପଚାରିଲା, ‘ଏଃ ! କାହାର କ’ଣ ହେଉଛି, ସେଥିରେ ତମର କ’ଣ ଯାଏ ଆସେ ? ...ତମେ କେଉଁ ‘ପତି’ ହେବ, କହ-।’ ସେତେବେଳେ ରେଡ଼ିଓରୁ କେହି ଜଣେ କର୍ମଚାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ଡିପାର୍ଟମେଣ୍ଟ ଦ୍ଵାରା କେମିତି ଚତୁରତାର ସହିତ ଧରାପଡ଼ିଲା–ସେହି ସମ୍ବାଦ ମୁଁ ହଠାତ୍ ଶୁଣି ଦବିଗଲି । ଜଳଖିଆ ଚୋବାଉ ଚୋବାଉ ମୋ ଜିଭ କାମୁଡ଼ି ହୋଇଗଲା । କ’ଣ ଉତ୍ତର ଦେବି‚ ସ୍ଥିର କରି ପାରିଲି ନାହିଁ । ଶେଷରେ ସ୍ତ୍ରୀର ସୁନ୍ଦର ମୁହଁକୁ ଚାହିଁ କହିଲି, ‘ମୁଁ ? ...ମୁଁ ଜ୍ୟୋସ୍ନା । ପତି…’ ମୋ କଥା ଶୁଣି ଜ୍ୟୋତ୍ସ୍ନା ଅନନ୍ଦଭରା ଅଭିମାନରେ ସେଇ ଘରକୁ ଚାଲିଗଲା ।

 

ପୂର୍ବରୁ ମୁଁ କହିଛି ଯେ, ମୁଁ ଅଠର ବର୍ଷ ବୟସରେ ବିବାହ କରିଥିଲେ ସୁଦ୍ଧା ଅଠେଇଶି ଠାରୁ ତିରିଶି ବର୍ଷ ମଧ୍ୟରେ ରୁଲି, ବୁଲୁ ଓ ଡୁଲୁର ଜନ୍ମ ହୋଇଥିଲା । ତା’ପରେ ବିଭିନ୍ନ ପ୍ରକାର କୃତିମ ଓ ପ୍ରାକୃତିକ ଉପାୟ ଅବଲମ୍ବନ କରି ପ୍ରାୟ ଦଶ ବର୍ଷ ଯାଏଁ ଆମେ ଜନ୍ମନିରୋଧ କରିପାରିଲୁ । କିନ୍ତୁ ମତେ ଚାଳିଶି ବର୍ଷ ହୋଇଥିବା ସମୟରେ ପୁଣି ଗୋଟିଏ ଝିଅ ଜନ୍ମ ହେଲା । ମୋର ଆଉ ଅଧିକ ପିଲା ପୋଷିବାକୁ ବଳ ନାହିଁ । ତେଣୁ ଉକ୍ତ ଝିଅକୁ ଇତିଶ୍ରୀ ବୋଲି ନାମ ଦେଲି ଓ ସ୍ତ୍ରୀକୁ ଜନ୍ମନିରୋଧ ଅସ୍ତ୍ରୋପଚାର କରିବାକୁ କହିଲି । ମୋ ବାଧ୍ୟବାଧକତା ଯୋଗୁଁ ଜ୍ୟୋସ୍ନା ତା’ଇଚ୍ଛା ବିରୁଦ୍ଧରେ ଜନ୍ମ ନିରୋଧ ଅସ୍ତ୍ରୋପଚାର କଲା । ଇତିର ଜନ୍ମ ବେଳେ ମୋଟେ ସାଢ଼େ ଚାରି ପାଉଣ୍ଡ ଓଜନ ଥାଏ । ସେ ଖୁବ୍ ଦୁର୍ବଳ ଥିବା ଯୋଗୁଁ ତା’ ପାଇଁ ସ୍ଵତନ୍ତ୍ର ଭାବେ ଜାଗ୍ରତ ନେବାକୁ ପଡ଼ିଥାଏ । ବିଶେଷତଃ ତାକୁ ସାତ ଆଠ ମାସ ହୋଇଥିବା ସମୟରେ, ଯେତେବେଳେ ଦାନ୍ତ ଉଠିବା ଆରମ୍ଭ ହେଲା, ଆମେ ବଡ଼ ବିଚଳିତ ହୋଇ ପଡ଼ିଲୁ । ସେ ଦିନକୁ ଶହେ କିମ୍ବା ଦେଢ଼ଶ’ଥର ନେଳିଆ, ଶାଗୁଆ ଏବଂ ଅନେକ ଥର ସେ ଖାଉଥିବା ଔଷଧ କଲର୍‌ର ଝାଡ଼ା ଫେରେ । ତା’ର ମା’ର ଅବସ୍ଥା ମଧ୍ୟ ବିଶେଷ ଭଲ ନୁହେଁ । ଜନ୍ମନିରୋଧ ଅସ୍ତ୍ରୋପଚାର ପରେ ସେ କ’ଣ ଅଜାଗ୍ରତ ହେଲା କେଜାଣି ତା’ର ପେଟରେ ଶୂଳମରା ଆରମ୍ଭ ହୋଇଗଲା । କାମ କରୁଥିବା ସମୟରେ ସେ ଯନ୍ତ୍ରଣାରେ ହଠାତ୍ ଛଟପଟ ହୋଇ, ପେଟକୁ ଭିଡ଼ିଧରି ଆସି ଶେଯରେ ଲୋଟି ପଡ଼େ । ସେତେବେଳେ ମୁଁ ତା’ ପାଖକୁ ଯାଇ ତା’ର ପେଟ ଆଉଁସେ, ସାନ୍ତ୍ଵନା ଦିଏ । ମୋ ସାନ ଝିଅ ଓ ସ୍ତ୍ରୀର ବେମାରି ଯୋଗୁ ମତେ ଅନେକ ସମୟରେ ନ ଖାଇ କିମ୍ବା ଅସୁଆଦ ତରକାରୀ ଖାଇ ଅଫିସକୁ ଯିବାକୁ ପଡ଼ିଥାଏ । ଏଥିରୁ ରକ୍ଷା ପାଇବାପାଇଁ ଜ୍ୟୋସ୍ନା ଗୋଟିଏ ଚାକର ରଖିବାକୁ ମତେ ବହୁବାର କହିଲାଣି । କିନ୍ତୁ ବଡ଼ ବଡ଼ ଅଫିସରମାନେ ତ ଚାକର ରଖି ପାରୁ ନାହାନ୍ତି ବୋଲି ଅଫିସ୍‌ର ପିଅନକୁ ଘର କାମରେ ଲଗାଉଛନ୍ତି…ଆଉ ମୋ ପରି ଛାର କିରାଣୀ ପକ୍ଷେ ଚାକର ରଖିବା କ’ଣ ସମ୍ଭବ ? ତେଣୁ ସ୍ତ୍ରୀର କଥାରେ ମୁଁ ମୋଟେ କାନ ଦିଏ ନାହିଁ । ଦିନେ ସନ୍ଧ୍ୟାବେଳେ ମୁଁ ବାରଣ୍ଡାରେ ବସିଥାଏ । ମୋ ସ୍ତ୍ରୀ ଘରଝାଡ଼ୁ ସାରି ବାରଣ୍ଡାରେ ଛାଞ୍ଚୁଣି ବୁଲାଇବା ଆରମ୍ଭ କଲା । ଦୈବାତ୍ ସେତେବେଳେ ଆଗପଟୁ ପବନ ବହୁଥିଲା । ତେଣୁ ସେ ଝାଡ଼ୁ କରିବା ବେଳେ ଅଳିଆଗୁଡ଼ିକ ଛାଞ୍ଚୁଣିରେ ଆଗକୁ ନ ଯାଇ ପବନ ଯୋଗୁଁ ପଛ ପଟକୁ-ଘର ଭିତର ଆଡ଼କୁ ଚାଲିଲେ । ଛାଞ୍ଚୁଣିଟି ବାରଣ୍ଡା ମଝିରେ ଫୋପାଡ଼ି ଦେଇ ସେ ମତେ କହିଲା, ‘ଯେତେବେଳେ ପବନର ଗତି ବିପରୀତ ହେବ କିମ୍ବା ପବନ ବନ୍ଦ ହେବ, ମତେ ଜଣାଇବ…..’ ମୋ ସ୍ତ୍ରୀର ଇଏ ଗୋଟିଏ ବିଚିତ୍ର ଆଦେଶ । ଆଜି ଯାଏଁ କେଉଁ କଲେକ୍ଟର ମତେ ଏମିତି ଆଦେଶ ଦେଇ ନାହାନ୍ତି । ମୁଁ କ’ଣ ଗୋଟିଏ Weather Cock ହୋଇଛି ଯେ, ପବନର ଗତି ଯେଉଁ ପଟକୁ ହେବ, ମୋ ମୁଣ୍ଡ ସେପଟକୁ ମୋଡ଼ି ହେଉଥିବ ଓ ତଦନୁସାରେ ମୁଁ ପବନର ଦିଗ ଜାଣିପାରିବି ? ଅଳ୍ପ ସମୟ ପରେ ମୁଁ ତାକୁ କିଛି ନ କହି ନିଜେ ନିଜେ ବାରଣ୍ଡା ଝାଡ଼ୁ କରିବାକୁ ଛାଞ୍ଚୁଣି ବୁଲାଇଲି । କିନ୍ତୁ ପବନ ପୂର୍ବପରି ବହୁଥିବାରୁ ମୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଲି । ଏହାର ଅର୍ଥ ନୁହେଁ ଯେ, ମୁଁ ମୋ ସ୍ତ୍ରୀ ପରି ନିଜ କାମରେ ଅବହେଳା କରିବି କିମ୍ଵା ଅନ୍ୟକୁ ଦାୟିତ୍ଵ ଦେଇ ଖସି ଚାଲିଯିବି । ପୁଣି ଦୁଷ୍ଟ ପବନ ନିକଟରେ ମୁଁ ହାର ମାନିବାକୁ ପ୍ରସ୍ତୁତ ନଥିଲି । ତେଣୁ ବାରଣ୍ଡାରେ ବାଲତିଏ ପାଣି ଢାଳି ଝାଡ଼ୁ କଲି-। ଏବେ ଆଉ ଧୂଳି ଉଡ଼ିଲା ନାହିଁ; ଘର ମଧ୍ୟ ସଫା ହୋଇଗଲା । ମୋର ଏହି କାର୍ଯ୍ୟରୁ ଜ୍ୟୋସ୍ନା ଉପଯୁକ୍ତ ଶିକ୍ଷା ପାଉ ବୋଲି ମୁଁ ଚାହୁଁଥିଲି । ମୁଁ ତାକୁ ଡାକି ବିଜୟ-ଗର୍ବରେ ଜଣାଇଲି, ‘ଦରକାର ପଡ଼ିଲେ, ମୁଁ ଇତିର ମଳ ସଫା କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ଚାକର ରଖିବି ନାହିଁ–ଏମିତିକି ପାର୍ଟ-ଟାଇମ୍ ଚାକର ରଖିବି ନାହିଁ ।’

 

ସୁଖଦୁଃଖରେ ପ୍ରାୟ ଦୁଇ ତିନି ବର୍ଷ କଟିଗଲା । ଦିନେ ଶ୍ଵଶୁର ଘରୁ ଗୋଟିଏ ଚିଠି ଆସିଲା ମୋ ସ୍ତ୍ରୀ ଓ ପିଲାମାନଙ୍କୁ ତାଙ୍କ ଗାଁ ଆଡ଼େ ବୁଲିଯିବା ପାଇଁ ସେଥିରେ ଲେଖାଯାଇଥିଲା । ପିଲାମାନେ ଅଜା ଘରକୁ ଯିବେ ବୋଲି ଭାରି ଖୁସି । କିନ୍ତୁ ହଠାତ ଯିବା ସମ୍ଭବ ନୁହେଁ କାରଣ ଇତି ବ୍ୟତୀତ ଅନ୍ୟମାନେ ସ୍କୁଲରେ ପଢ଼ୁଥା’ନ୍ତି । ମୁଁ ଶ୍ୱଶୁରକୁ ଚିଠି ଦ୍ଵାରା ଉତ୍ତର ଦେଲି ଯେ ଖରାଛୁଟି ହେବା ପରେ ସମସ୍ତେ ତାଙ୍କ ଗାଁକୁ ଯିବେ । କାଳକ୍ରମେ ଖରାଛୁଟି ହେବାର ମୁଁ ସମସ୍ତଙ୍କୁ ଧରି ଶ୍ଵଶୁର-ଘର ଅଭିମୁଖେ ବସଷ୍ଟାଣ୍ଡକୁ ଗଲି । ସେତେବେଳେ ଇତିକୁ ତିନି ଚାରି ବର୍ଷ ହେଲାଣି । ସିଏ ଆତ୍ମନିର୍ଭରଶୀଳ ହୋଇ ଚାଲବୁଲ କଲାଣି । ମୁଁ ମିନିବସ୍‌ରେ ପାଦ ଦେଉ ଦେଉ କଣ୍ଡକ୍‌ଟର ମତେ ଟିକେଟ ପାଇଁ ପଇସା ମାଗିଲା ଓ ଇତିକୁ ଅଧା ଟିକେଟ ମଧ୍ୟ ହେବ ବୋଲି ଜଣାଇଲା । ଇତି ବିଷୟରେ ମୁଁ ପ୍ରତିବାଦ ଜଣାଇ କହିଲି ଯେ ତାକୁ ମୋତେ ତିନି ବର୍ଷ ହୋଇଛି ! କିନ୍ତୁ ସେ ମତେ କହିଲା ଯେ, ତିନି ବର୍ଷ ହୋଇଗଲେ ଟିକେଟ ହେବ । ସଙ୍ଗେ ସଙ୍ଗେ ଜ୍ୟୋସ୍ନା ମୋ ପିଚାକୁ ଖୁବ୍ ଜୋରରେ ଚିମୁଟି ଦେଲା ଓ ତଳେ ଠିଆ ହୋଇଥିବା ଇତିକୁ କାଖ କରିବା ପାଇଁ ଠାରିଲା । ମୁଁ ତା’ ଆଜ୍ଞା ମାନିଲି । ତା’ପରେ ସେ କଣ୍ଡକ୍‌ଟରକୁ କହିଲା ‘..ମୋ ଝିଅକୁ ଦୁଇବର୍ଷ ହେଲା । କାଖରେ ବୁଲୁଛି କୋଳରେ ଶୋଉଛି । ତା’ ପାଇଁ ଟିକେଟ କ’ଣ ? .... ‘ସେତେବେଳେ ପଛପଟୁ କେହି ଜଣେ ଅଭଦ୍ରଙ୍କ ପରି କହିଲା, “....ସ୍ଵାମୀ ତିନି ବର୍ଷ କହୁଥିବା ବେଳେ ସ୍ତ୍ରୀ କହୁଛି ଦୁଇ ବର୍ଷ ! ...ବୋଧହୁଏ ସ୍ଵାମୀ ମା’ ପେଟର ଦଶମାସ ମିଶାଇ କହି ଦେଲେ ।’ ମୁଁ ଆଉ ଅଧିକ ମାନହାନି ନ ଘଟାଇ କଣ୍ଡକ୍‌ଟରକୁ ଅଧ-ଟିକେଟର ପଇସା ଦେଇ ଦେଲି । ବସ୍‌ର ପ୍ରାୟ ସବୁ ସିଟ୍‌ରେ ଯାତ୍ରୀ ବସି ଯାଇଥିଲେ । କେବଳ ଶେଷ ସିଟ୍‌ରେ କୋଣକୁ କିଛି ଅଂଶ ଖାଲିଥିଲା । ସେଠାରେ ପିଲାମାନଙ୍କୁ ବସାଇଲି । କିନ୍ତୁ ମୋ ପାଇଁ ଆଉ ଜାଗା ନ ଥିବା ଯୋଗୁଁ ଠିଆ ହେଲି । ବସ୍‌ଟି ପ୍ରାଇଭେଟ୍ କମ୍ପାନୀର ହୋଇଥିବାରୁ କଣ୍ଡକ୍‌ଟରଟି ଯେତେ ଯାତ୍ରୀ ଥାଆନ୍ତି, ସମସ୍ତଙ୍କୁ ଡାକି ଭିତରେ ପୁରାଉଥାଏ । ଭିଡ଼ ଏତେ ବଢ଼ି ଗଲାଣି ସେ ମୋ ଶ୍ଵାସରୁଦ୍ଧ ହୋଇଯିବ ବୋଲି ମୁଁ ଭୟ କରୁଥାଏ । ଏମିତି ସମୟରେ ସେହି ଲାଇନର ଆଉ ଗୋଟିଏ ମିନିବସ୍ ବସ୍‌ଷ୍ଟାଣ୍ଡକୁ ଆସିବା ଯୋଗୁଁ ଆମ ମିନିବସ୍‌ଟି ସଙ୍ଗେ ସଙ୍ଗେ ଗତି ଆରମ୍ଭ କଲା । କିନ୍ତୁ ତା’ ପଛେ ପଛେ ଅନ୍ୟ ବସ୍‌ଟି ଗୋଡ଼ାଉଥାଏ । ତେଣୁ ସେମାନଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହୋଇଗଲା । ରାସ୍ତା କଡ଼ର ହାଟ-ବଜାର ଓ ଅନ୍ୟାନ୍ୟ ଜନଗହଳି ଜାଗାମାନଙ୍କରେ ଯାନବାହାନର ଗତି କମାଇବାକୁ ସରକାର ଉପଯୁକ୍ତ ସ୍ଥାନରେ ବମ୍ପ କରିଥା’ନ୍ତି । କିନ୍ତୁ ଆମ ମିନିବସ୍‌ର ଲୋଭୀ ଡ୍ରାଇଭର୍‌ଟି ଏଥିପ୍ରତି ଦୃଷ୍ଟି ନ ଦେଇ ପବନ ବେଗରେ ଗାଡ଼ି ଚଲାଉଥାଏ । ଏମିତି ଗୋଟିଏ ବମ୍ପ୍‌ରେ ବସ୍‍ଟି ଭୂମି ଉପରୁ ପ୍ରାୟେ ଫୁଟେ ଉଚ୍ଚକୁ ଉଠି କଚାଡ଼ି ହୋଇ ପଡ଼ିଲା । ସେତେବେଳେ ପଛ ସିଟ୍‌ବାଲାଙ୍କୁ ନିଶ୍ଚୟ ବାଧିଥିବ । ଦୈବାତ୍ ଇତି ଠିକ୍ ସେହି ମୁହୂର୍ତ୍ତରେ ଗୋଟିଏ ପାଚିଲା କଦଳୀ ପାଟିରେ ପୂରାଉଥିଲା-। କିନ୍ତୁ ବସ୍‌ଟିର ହାଇଜମ୍ପ ଯୋଗୁଁ କଦଳୀଟି ତା’ ପାଟିରେ ପଶିବା ପରିବର୍ତ୍ତେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ଆଖିରେ ଲେସି ହୋଇଗଲା । ଏହାକୁ ଭିତ୍ତିକରି ମୋ ସ୍ତ୍ରୀ ମତେ ଦୋଷୀ ସାବ୍ୟସ୍ତ କଲା । ଏଥିପାଇଁ ମୁଁ କେଉଁ କାରଣରୁ ଦାୟୀ, ମୁଁ କିଛି ବୁଝିପାରୁ ନଥାଏ । ବସ୍ ଡ୍ରାଇଭର୍ ମୋର ଶଳା ନା ଶ୍ଵଶୁର ଯେ, ମୁଁ କହିବା ମାତ୍ରେ ସେ ଗାଡ଼ିକୁ ହାତୀ ପରି ଝୁଲାଇ ଝୁଲାଇ ଧୀରେ ଧୀରେ ଚଲାଇବ । ଏଥିପୂର୍ବରୁ ମଧ୍ୟ ଜ୍ୟୋସ୍ନା ମତେ ଗାଳିଗୁଲଜ କରିସାରିଲାଣି କାରଣ ମୁଁ ତାକୁ ସାଇଡ୍ ସିଟ୍‌ରେ ବସାଇ ପାରି ନ ଥିଲି । କିନ୍ତୁ ମୋ ଆତ୍ମୀୟସ୍ୱଜନଙ୍କ ପାଇଁ ଏତେ ଗୁଡ଼ାଏ ସାଇଡ୍ ସିଟ୍ ଦରକାର ଯେ, ସେମାନଙ୍କୁ ମିନବସ୍‌ର ଦୈର୍ଘ୍ୟ ନିଅଣ୍ଟ ହେବ ଏବଂ ଏହି ଦୃଷ୍ଟିରୁ ସେମାନଙ୍କୁ ରେଳଗାଡ଼ିରେ ବସାଇବାକୁ ପଡ଼ିବ । ମୋ ସ୍ତ୍ରୀ ପାନ ଖାଉଛି ବୋଲି ସେ ସାଇଡ଼ ସିଟ୍‌ରେ ବସିବ । ରୁଲିକୁ ବସରେ ବସିଲେ ବାନ୍ତିହୁଏ ବୋଲି ତା’ ପାଇଁ; ବୁଲୁ ଭବିଷ୍ୟତରେ ହୁଏତ କେବେ ପ୍ରକୃତି କବି ନନ୍ଦ କିଶୋର ହେବ ବୋଲି ତାରି ପାଇଁ; ଡୁଲୁ ରାସ୍ତାରେ ଯାଉଥିବା ଟ୍ରକ ଓ ବସ୍ ଗଣିବ ବୋଲି ତାକୁ, ଖରାଦିନ ହେତୁ ଖୋଲା ପବନ ପାଇବାକୁ, ମତେ–ଇତ୍ୟାଦି ଇତ୍ୟାଦି କେତେ କ’ଣ କାରଣରୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ, ସାଇଡ଼୍‌ ସିଟ, ଆବଶ୍ୟକ । ଏହି ଦାବି କେଉଁ ଗୃହକର୍ତ୍ତା ପୂରଣ କରିପାରିବ ବୋଲି ମୋର ବିଶ୍ଵାସ ହେଉନାହିଁ । ସେ ଯାହାହେଉ, ଶ୍ଵଶୁରଙ୍କ ଗାଁ ମୁଣ୍ଡରେ ବସ୍ ଅଟକିବା ସମୟକୁ ସେଠାରେ ଭୀଷଣ ଭିଡ଼ । ଶେଷ ସିଟ୍ ପାଖରୁ ଓହ୍ଲାଇବା ବେଳେ ମୁଁ ଯେଉଁ ଯନ୍ତ୍ରଣା ଅନୁଭବ କଲି, ତାହା ବର୍ଣ୍ଣନା କରିବା ସହଜ ନୁହେଁ । ମୁଁ ଶୁଣିଛି ଯେ, ମା’ ପେଟରୁ ଛୁଆ ଜନ୍ମ ହେବାବେଳେ ଭୀଷଣ କଷ୍ଟ ହୁଏ । କିନ୍ତୁ ଏହି ଯନ୍ତ୍ରଣା କେମିତିକା ଓ କେତେ ଦୁଃଖଦାୟକ, ତାହା ମୋର ମନେ ନାହିଁ । ଅବଶ୍ୟ, କେହି ମଧ୍ୟ ମନେ ରଖି ପାରନ୍ତି’ନାହିଁ । ତେଣୁ ଯେଉଁମାନେ ଏହି ସଂକ୍ରାନ୍ତୀୟ ଦୁଃଖ କଷ୍ଟ ଜୀବନରେ ପୁଣିଥରେ ଚାହୁଁଥା’ନ୍ତି, ସେମାନେ ଆମ ଲାଇନ୍‌ର ଏହି ମିନିବସ୍ ରେ ଥରେ ଯାତ୍ରା କରିବା ଉଚିତ୍ ।

 

ସ୍ତ୍ରୀ ଓ ପିଲାପିଲିଙ୍କୁ ଶ୍ୱଶୁର ଘରେ ଛାଡ଼ିଦେବା ପରେ ମୋ ମୁଣ୍ଡ ଯଥେଷ୍ଟ ହାଲୁକା ହୋଇଗଲା । ଭାବିଲି ଯେ ଏଥର ଘରେ ଶାନ୍ତି ରହିବ । ପଇସା ପତ୍ର ମଧ୍ୟ ବଳିବ । ପ୍ରାୟ ତିନି ସପ୍ତାହ ପରେ ମୋ ସ୍ତ୍ରୀ ଖଣ୍ଡେ ଚିଠି ପଠାଇଲା । ସେଥିରେ ଲେଖାଯାଇଅଛି ଯେ ସେ କୁଆଡ଼େ ଥରକୁ ଥର ଠେଙ୍ଗା ଉଞ୍ଚାଉଥିବା କେହି ଜଣେ ଲଙ୍ଗଳା ବ୍ରାହ୍ମଣକୁ ସ୍ଵପ୍ନରେ ଦେଖୁଛି । ବେଳେ ବେଳେ ଗୋଟିଏ ନାଗ ସାପ ତାକୁ ଗୋଡ଼ାଉଥିବାର ସ୍ଵପ୍ନ ମଧ୍ୟ ଦେଖୁଛି । ଏହି ସବୁ ଦୁଃସ୍ଵପ୍ନ ଯୋଗୁଁ ତା’ର ସ୍ମରଣ ହେଲା ଯେ ଇତିଶ୍ରୀର ଝାଡ଼ା ଭଲ ହେଲେ ସେ ମହାଦେବଙ୍କୁ ଯେଉଁ ଭୋଗ ଦେବ ବୋଲି ମନାସି ଥିଲା ତାହା ଆଜି ଯାଏଁ ଦେଇ ପାରି ନ ଥିବା ଯୋଗୁଁ ତାକୁ ସ୍ୱୟଂ ମହାଦେବ ଏହି ବିଷୟ ମନେ ପକାଇ ଦେବା ସଙ୍ଗେ ସଙ୍ଗେ ସତର୍କ ମଧ୍ୟ କରାଇ ଦେଉଛନ୍ତି । ଶିବ ବର ଦେବା ପାଇଁ ଯେମିତି ବୀରବର, ପ୍ରଳୟ ଘଟାଇବାକୁ ମଧ୍ୟ ସେମିତି ଆଗଭର । ତାଙ୍କର ଏହି ଗୁଣରେ ମୋର ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି । ତେଣୁ ଜ୍ୟୋତ୍ସ୍ନାର ଚିଠି ପ୍ରତି ମୁଁ ଯଥେଷ୍ଟ ଗୁରୁତ୍ଵ ଦେଲି । ଆଗାମୀ ସୋମବାର ଦିନ ଶିବ-ମନ୍ଦିରକୁ ଯିବା ପାଇଁ ସ୍ଥିର କଲି । ତେଣୁ ନିର୍ଦ୍ଦିଷ୍ଟ ଦିନ ସକାଳୁ ସୂଚି ହୋଇ, ପୂଜା ସାମଗ୍ରୀ ଓ ଭୋଗ ଧରି ଦେଉଳରେ ପହଞ୍ଚିଲି । ଦେଖିଲି ଯେ, ପୂଜାରୀ ଆହୁରି ଆସି ନାହିଁ । ବହୁତ ସମୟ ଯାଏଁ ମନ୍ଦିର ବେଢ଼ା ମଧ୍ୟରେ ଏପଟ ସେପଟ ହୋଇ ବୁଲିଲି । ଏମିତି ସମୟରେ ସେଠାରେ ଥିବା ଗୋଟିଏ ବୁଢ଼ା ଯୋଗୀ ମତେ ପାଖକୁ ଡାକିଲେ ଓ ଧୀରେ ଧୀରେ ପଚାରିଲେ, ‘ବିରକ୍ତ ହେଉଛି କି ?’ ତା’ପରେ ସେ ମତେ ଦୁଇ ହାତ ଖୋଲି ଦେଖାଇବା ପାଇଁ କହିଲେ । ମୁଁ ଅନୁମାନ କଲି ଯେ, ସେ ସାମୁଦ୍ରିକ ଶାସ୍ତ୍ର ଜାଣନ୍ତି । ପ୍ରାୟ ପାଞ୍ଚ ଦଶ ମିନିଟ ଯାଏଁ ସେ ମୋ ହାତ ତନଖି ଦେଖିଲେ । ମଝିରେ ମଝିରେ ପାପୁଲିର କେତେକ ଜାଗା ଆଙ୍ଗୁଠିରେ ଚିପି ପରୀକ୍ଷା କରୁଥା’ନ୍ତି ! ହାତ ପଛ ପଟର ବାଳ ଓ ନଖଗୁଡ଼ିକୁ କିଛି ସମୟ ନିରେଖିଲେ । ପ୍ରଥମେ ସେ ମୋର ଅତୀତ ଘଟଣାଗୁଡ଼ିକ ସମ୍ପର୍କରେ କହିଲେ, ଯାହାକି ଅକ୍ଷରେ ଅକ୍ଷରେ ସତ । ତେଣୁ ଯୋଗୀଙ୍କର ପାରଙ୍ଗମତା ପ୍ରତି ମୋର ଆସ୍ଥା ବଢ଼ିଗଲା । ପ୍ରକୃତରେ ଯୋଗ-ସାଧନା ଓ ଭଗବତ୍-ବିଶ୍ଵାସ ଦ୍ଵାରା ମନୁଷ୍ୟ ଅସାଧ୍ୟକୁ ସାଧ୍ୟ କରିପାରେ । ଇତ୍ୟବସରରେ, ପୂଜାରୀ ଆସିଥିଲେ ମଧ୍ୟ ମୁଁ ସେଥିପ୍ରତି କୌଣସି ଦୃଷ୍ଟି ଦେଇ ନାହିଁ । ଭବିଷ୍ୟତ ଜାଣିବାକୁ ମୋର ଇଚ୍ଛା ପ୍ରବଳ ହେଲାଣି । ଭବିଷ୍ୟତ-ବକ୍ତା ମତେ ଭବିଷ୍ୟତ ସମ୍ପର୍କରେ ବହୁ ଶୁଭାଶୁଭ ବିଷୟ କହିଲେ । କିନ୍ତୁ ସେ କହିଥିବା ଭବିଷ୍ୟତ ବାଣୀ ମଧ୍ୟରେ ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି ଯେ, ମୋର ସ୍ଵାସ୍ଥ୍ୟ ଭଲ ରହିବ ନାହିଁ । ଏମିତିକି ବହୁଦିନ ଶଯ୍ୟାଶାୟୀ ହେବାକୁ ପଡ଼ିପାରେ । ଅବଶ୍ୟ, ସେ ମଧ୍ୟ ଉପଦେଶ ଦେଲେ ଯେ, ଭାଗ୍ୟରେ ଯାହା ଥାଉ ନା କାହିଁକି, ମନୁଷ୍ୟ ଚେଷ୍ଟା ବଳରେ ହୁଏତ ନିଜ ଭାଗ୍ୟ ବଦଳାଇ ପାରିବ । ତେଣୁ ସ୍ଵାସ୍ଥ୍ୟରକ୍ଷା ପାଇଁ ସେ ମତେ ଦୈନନ୍ଦିନ ବ୍ୟାୟାମ କରିବାକୁ ସୂଚାଇଲେ-

 

ମହାଦେବଙ୍କ ଠାରେ ପୂଜା ସାରି ଘରକୁ ଫେରିଲି । କିନ୍ତୁ ମୋ ମନରେ ସୁଖ ନାହିଁ । ଯଦି ମୁଁ ପଙ୍ଗୁ ହୋଇ ଘରେ ଶଯ୍ୟାଶାୟୀ ହେବି, ମୋ ସ୍ତ୍ରୀ ମତେ ପ୍ରଥମେ ପ୍ରଥମେ ପତି ପ୍ରତି ଭକ୍ତିର ସହିତ ସେବା କରିବ । କିନ୍ତୁ କିଛି ଦିନ ପରେ ଅତ୍ୟନ୍ତ ଘୃଣା କରିବ । ଏଥିପାଇଁ ବର୍ତ୍ତମାନ ଠାରୁ ଉତ୍ତମ ସ୍ଵାସ୍ଥ୍ୟ ଲାଭ ପାଇଁ ଚେଷ୍ଟା କରିବା ଉଚିତ । ବହୁତ ସମୟ ଚିନ୍ତା କରିବା ପରେ ଭାବିଲି ଯେ, ଆଜି ଯାଏଁ କୌଣସି ବ୍ୟାୟାମ ନକରିବା ଯୋଗୁଁ ମୋର ବଡ଼ ଦୋଷ ହୋଇଛି । ବୋଧହୁଏ, ଏଥିଯୋଗୁଁ ହିଁ ଭବିଷ୍ୟତରେ ମୋ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ଉକ୍ତ ସାମୁଦ୍ରିକ ଶାସ୍ତ୍ରବିତ୍‌ ଯୋଗୀ କହିବା ପରି ଦୈନିକ କିଛି ଖେଳାଖେଳି କରିବା ଉଚିତ ବୋଲି ମୋର ମନେ ହେଲା । ଏଠାରେ ନେତାଜୀ ଖେଳ ପଡ଼ିଆରେ ସବୁଦିନେ ଖେଳ ଚାଲିଥାଏ । ତେଣୁ ଭବିଷ୍ୟତ ପ୍ରତି ଆଖି ରଖି ଥରେ ଖେଳ ପଡ଼ିଆକୁ ଗଲି । ସେଦିନ କ୍ରିକେଟ ଖେଳ ଚାଲିଥାଏ । ସବୁ ଖେଳାଳୀ ଯୁବକ ଏକତ୍ର । ସେମାନେ ଖେଳୁ ଖେଳୁ କ’ଣ ଟିକିଏ ଭୁଲ୍ ହୋଇଗଲେ, ଦର୍ଶକମାନେ ନାନାପ୍ରକାର ଅସଭ୍ୟ ମନ୍ତବ୍ୟ ଦେଇଥା’ନ୍ତି । ଏମିତିକି ଦର୍ଶକମାନଙ୍କ ମଧ୍ୟରୁ କେହି ଜଣେ ରାଗରେ ଛିଣ୍ଡା ଚପଲ ଫୋପାଡ଼ିବା ପାଇଁ ବାରମ୍ବାର ହାତ ଉଞ୍ଚାଉଥାଏ । ଏହି ଦୃଶ୍ୟରେ ମୁଁ ପୂରାପୂରି ଦବିଗଲି । ଖେଳିବା ପାଇଁ ମୋର ଯାହା କିଛି ଇଚ୍ଛା ଥିଲା, ତାହା ନିମିଷକରେ ଉଭେଇ ଗଲା । ମୁଁ ଭାବିଲି ଯେ, ମୋ ପରି ଦରବୁଢ଼ାମାନେ ଯଦି ଗୋଟିଏ ଦଳ ଗଢ଼ି ଖେଳିବୁ, ଲୋକେ ଆମକୁ (Eligible Eleven) ବୋଲି ଆଖ୍ୟା ଦେଇ ନାକରେ ଆଙ୍ଗୁଠି ଦେଇ ହସିବେ । ଦର୍ଶକମାନଙ୍କର ଥଟ୍ଟା ପରିହାସ, ପେଁକାଳି ବଜା ଇତ୍ୟାଦି ସହି ଖେଳପଡ଼ିଆକୁ ଯିବା ମୋ ପକ୍ଷରେ ସମ୍ଭବ ନୁହେଁ । ତେଣୁ ବ୍ୟାୟାମ ପାଇଁ ମତେ ଅନ୍ୟ ଉପାୟ ଖୋଜିବାକୁ ପଡ଼ିବ । ବହୁତ ଦିନ ଭାବିଚିନ୍ତି ମୁଁ ପରିଶେଷରେ ଆସନ ଅଭ୍ୟାସ କରିବାକୁ ସ୍ଥିର କଲି । Introvert ମାନଙ୍କ ପାଇଁ ଏହା ସର୍ବୋକୃଷ୍ଟ । ଏଥିପାଇଁ ମୁଁ ଗୋଟିଏ ବାଘ-ଛାଲ ଓ ପତଳା ଗଦି କିଣିଲି । ବର୍ତ୍ତମାନ ଆମ ଘରେ ପିଲାପିଲି ନ ଥିବା ଯୋଗୁଁ ଆସନ କରିବା ସୁବିଧା ହେବ । ଏଥିପାଇଁ ଖୋଲା ଜାଗା ଦରକାର । ତେଣୁ ମତେ ଘରର ସ୍କାବ୍ ଉପରକୁ ଉଠିବାକୁ ପଡ଼ିବ । ଆମର ଘର ଏକ-ମହଲା ଓ ଉପରକୁ ଯିବା ପାଇଁ ସିଡ଼ି ନ ଥାଏ । ତେଣୁ ଗୋଟିଏ ବାଁଉଶ-ସିଡ଼ି ବାଡ଼ି ପଟେ ପକାଇ ଛାତ ଉପରକୁ ଚଢ଼ିଲି । ସେତେବେଳେ ଖରାଦିନ । ସମସ୍ତ ସକାଳ ପାଞ୍ଚଟା ହେବ । ଅଧିକାଂଶ ଲୋକ ଥଣ୍ଡା ଓ ଖୋଲା ପବନ ପାଇଁ ଛାତ ଉପରେ ଖଟିଆ ପକାଇ ଶୋଇଥା’ନ୍ତି । ମୁଁ ବାଘଛାଲ ଓ ଗଦି ପକାଇ ଆସନ ଅଭ୍ୟାସ ଆରମ୍ଭ କଲି । ଶୀର୍ଷାସନ କରିବାକୁ ହାତ ଛନ୍ଦି ଯେ ଗଦି ଉପରେ ରଖିଲି-। ତା’ପରେ ହାତ-ପାପୁଲିରେ ମୁଣ୍ଡ ରଖି ଗୋଡ଼ ଦୁଇଟି ଉପରକୁ ଟେକିବା ବେଳେ ଶରୀରର ଭାରସାମ୍ୟ ରଖି ନ ପାରି ଚିତ୍ ହୋଇ ପଡ଼ିଗଲି । ସେତେବେଳେ କେହି ଜଣେ ‘ହିଃ, ସର୍କସ…’ ବୋଲି କହିବାର ଶୁଣି ମୁଁ ସତର୍କ ହୋଇଗଲି ଓ ଚାରିଆଡ଼କୁ ନିରୀକ୍ଷଣ କଲି । ଦେଖିଲି ଯେ ଆମ ଘରଠାରୁ ଦୁଇ ଚାରୋଟି ଘର ଛାଡ଼ି ଛାତ ଉପରେ ଥିବା ଖଟ ଉପରୁ ମୁଣ୍ଡ ଉଠାଇ ଗୋଟିଏ ପାଞ୍ଚ ସାତ ବର୍ଷ ବୟସର ପିଲା ମୋର ଆସନ-ଅଭ୍ୟାସ ଉପଭୋଗ କରୁଛି । ସେତେବେଳେ ସେହି ଖଟରେ ଶୋଇଥିବା ତା’ର ବାପା, ପୁଅ ବାଉଳେଇ ହେଉଛି ବୋଲି ତାକୁ ଜବରଦସ୍ତି ଶୁଆଇ ଦେଲେ । ମୁଁ କିଛି ସମୟ ଯାଏଁ ନୀରବରେ ସେଇ ଖଟ ଆଡ଼କୁ ଚାହିଁଲି । ପିଲାଟି ଆଉ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ମୁଁ ବିଚାରିଲି ଯେ ସେ ଶୋଇ ପଡ଼ିଲାଣି । ତେଣୁ ମୁଁ ପୁଣି ଅଭ୍ୟାସ ପ୍ରତି ମନ ଦେଲି । କିନ୍ତୁ ମୋର କୌଣସି ଉନ୍ନତି ହୋଇ ନ ଥିବା ଯୋଗୁଁ ମୁଁ ଥରକୁ ଥର କାଠଗଡ଼ ପରି କଚାଡ଼ି ହୋଇ ଗଡ଼ି ପଡ଼ୁଥାଏ । ଇତ୍ୟବସରରେ, ମୋର ଅଜ୍ଞାତସାରରେ ସେ ପିଲାଟି, ତା’ର ବାପା ଏବଂ ଅନ୍ୟମାନେ ନିଦରୁ ଉଠି ସାରିଛନ୍ତି ଓ ବତିଶ୍‌ଦାନ୍ତ ଦେଖାଇ ଆନନ୍ଦ ଓ ଆଶ୍ଚର୍ଯ୍ୟରେ ମତେ ଚାହିଁ ରହିଛନ୍ତି । ମୁଁ ସେଦିନ ଆଉ ଅଧିକ ବ୍ୟାୟାମ କରି ନ ପାରି ତଳକୁ ଓହ୍ଲାଇଲି । ଭାବିଲି ଯେ ଶୀର୍ଷାସନ ଶିଖିବା ପାଇଁ ପ୍ରଥମେ ପ୍ରଥମେ କାନ୍ଥରେ ଗୋଡ଼ ଆଉଜାଇ ରହିବାକୁ ପଡ଼ିବ । ତେଣୁ ଆସନ୍ତାକାଲିଠାରୁ ଘର ଭିତରେ ଆସନ ଶିଖିବି । ଭଲ ଭାବେ ଶିଖି ସାରିବା ପରେ ଛାତ ଉପରକୁ ଉଠିବି । ମୋ ଘର ଅନ୍ଧାରୁଆ । ମୁକ୍ତ ପବନ ଚଳାଚଳ କରେ ନାହିଁ । ପୁଣି ରାତି ପାହାନ୍ତାରେ ଘରେ ଭୀଷଣ ଭାବେ ମଶା ଉପଦ୍ରବ କରିଥା’ନ୍ତି । ମଶାମାନେ ଶରୀର ବିଭିନ୍ନ ସ୍ଥାନରେ ବସିବା ବେଳେ ପିନରେ ଫୋଡ଼ି ହୋଇଯିବା ପରି ଲାଗେ । ମୁଁ ଶୀର୍ଷାସନରେ ରହିଥିବା ବେଳେ ମୋର ହାତ ଦୁଇଟି ତ ମୁଣ୍ଡତଳେ ଥିବ । ସେତେବେଳେ ଯଦି ମଶାମାନେ ମୋର ରକ୍ତ ଶୋଷିବା ଆରମ୍ଭ କରିବେ, ମୁଁ ସେମାନଙ୍କୁ କେମିତି ଘଉଡ଼ାଇବି ? ଚାରିଆଡ଼େ ପ୍ରଚାର ହେଉଛି ସେ ଦେଶରୁ ମ୍ୟାଲେରିଆ ଲୋପ ହୋଇଗଲାଣି । କିନ୍ତୁ ପ୍ରକୃତ କ୍ଷେତ୍ରରେ ମଶାମାନଙ୍କର ସଂଖ୍ୟା କେମିତି ବଢ଼ିବାରେ ଲାଗିଛି । ମୁଁ ବୁଝିପାରୁ ନାହିଁ । ଯାହାହେଉ, ମଶାରୀ ଭିତରେ ତ ଶୀର୍ଷାସନ କରିହେବ ନାହିଁ । ତଥାପି ମଶା କାମୁଡ଼ା ସତ୍ତ୍ୱେ ତଳ-ମହଲାର କାନ୍ଥରୁ ଆଶ୍ରୟ କରି ମୁଁ ଆସନ ଶିଖିବି । ମୋର ସାଧନା ଏତେ ଏକନିଷ୍ଠ ଥିଲା ଯେ ମୁଁ ଦଶ ପନ୍ଦର ଦିନ ମଧ୍ୟରେ ଆସନ କରିବାରେ ଦକ୍ଷ ହୋଇଗଲି । ଶୀର୍ଷାସନ ପାଇଁ ମତେ କାନ୍ଥ କିମ୍ବା ଆଉ କୌଣସିର ଆଶ୍ରୟର ଆବଶ୍ୟକତା ନାହିଁ । ତେଣୁ ପୁଣି ଥରେ ଛାତ ଉପରକୁ ଯାଇ ସ୍ଵାସ୍ଥ୍ୟକର ପରିବେଶରେ ଆସନ କରିବି ବୋଲି ନିଷ୍ପତ୍ତି ନେଲି । ସେଦିନ ରାତି ଅଧରେ ଝିପି ଝିପି ବର୍ଷା ହୋଇଥିଲା । ତେଣୁ ଛାତ ଉପରେ ଶୋଇଥିବା ଲୋକମାନେ ସମସ୍ତେ ଘର ଭିତରରୁ ଚାଲି ଯାଇଥିଲେ । ମୁଁ ଉପରକୁ ଯାଇ ଦେଖିଲି ଯେ କୌଣସି ଛାତରେ ଜଣେ ସୁଦ୍ଧା ନାହାନ୍ତି । ତେଣୁ ମୁଁ ଖୁସି ହୋଇଗଲି । ଅବଶ୍ୟ; ବର୍ତ୍ତମାନ ମତେ କେହି ଆସନ କରୁଥିବାର ଦେଖିଲେ ମୁଁ ଦବି ଯିବି ନାହିଁ କାରଣ ମୁଁ ଏତେ ନିର୍ଭୁଲଭାବେ ବ୍ୟାୟାମ କରିପାରୁଛି । ମୁଁ ଗୋଟିଏ ପରେ ଗୋଟିଏ ଆସନ କଲି । ଶେଷରେ ମୋର ପ୍ରିୟ ଶୀର୍ଷାସନରେ ବହୁତ ସମୟ ଯାଏଁ ରହିଲି । ସେତେବେଳେ ମୁଁ ଆଖିବୁଜି ରହିଥାଏ । ଶୀର୍ଷାସନ ଦ୍ଵାରା ମୋର ଏକାଗ୍ରତ ବୃଦ୍ଧି ପାଏ । ମତେ ସାରା ସତେଜ ଲାଗେ । ମୁଁ ପ୍ରଫୁଲ୍ଲ ରହେ । ଏହାପରି ଯୋଗ-ବ୍ୟାୟମ କଲେ ମୋ ଶରୀର ସବୁଦିନେ ସୁସ୍ଥ ରହିବ ବୋଲି ମୋର ବିଶ୍ଵାସ । ଏମିତିକି ବୟାଅଶି ବର୍ଷ ବୟସରେ ମଧ୍ୟ ପ୍ରଧାନମନ୍ତ୍ରୀତ୍ଵର ବୋଝ ସମ୍ଭାଳିବାକୁ ମୁଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅକ୍ଷମ ହେବି ନାହିଁ । ଶୀର୍ଷାସନରେ ଥାଇ ଆଖି ଖୋଲିବା ବେଳକୁ ମୁଁ ଦେଖିଲି ଯେ ଗୋଟିଏ ବଡ଼ ମାଙ୍କଡ଼ ସିଡ଼କୁ ଲାଗି ଛାତ ଉପରେ ବସିଛି, ମୋ ଠାରୁ ପ୍ରାୟ ଫୁଟେ ଦୁଇ ଫୁଟ ଅନ୍ତରରେ । ସେ ଗୋଟିଏ କାକୁଡ଼ି ଖାଉଥିଲା । ମତେ ଦେଖି ଖତେଇ ହେଲା ଓ ନାନା ପ୍ରକାର ହିଂସ୍ରକ ଅଙ୍ଗଭଙ୍ଗୀ ଦେଖାଇଲା । ମୋର ଗୋଡ଼ ଥରିବାରେ ଲାଗିଲା । ମୁଁ ଯଦି ଆଗପଟକୁ ଗୋଡ଼ ଲମ୍ବାଇବି, ତାହାହେଲେ ସେ ମାଙ୍କଡ଼ଟି ଉପରେ ଚଢ଼ିଯିବ । ଯଦି ପଛପଟକୁ ଗୋଡ଼ ବଢ଼ାଇବି, ତାହାହେଲେ ପଡ଼ିଶା ଘରର ବାଡ଼ି-ତଳକୁ ଖସିଯିବ । ତେଣୁ ମୁଁ ବଡ଼ ସଙ୍କଟରେ ପଡ଼ିଗଲି । ଶରୀରର ଭାରସାମ୍ୟ ରଖିବାରେ ମୁଁ କ୍ରମେ କ୍ରମେ ଅକ୍ଷମ ହେଲିଣି । ମୋର ସୌଭାଗ୍ୟକୁ ଜଣେ (ଯାହାର କି ନିକଟସ୍ଥ ଆମ୍ବତୋଟାରେ ଯଥେଷ୍ଟ ଆମ୍ବ ଫଳିଛି) ମାଙ୍କଡ଼ଟି ଉପରକୁ ଟେକା ଫୋପାଡ଼ିଲା । ଫଳରେ ମାଙ୍କଡ଼ଟି ହୁଁ ହାଁ କରି ହାମ୍ବୁଡ଼ି ଚାଲିଗଲା । ମୁଁ ବାଘଛାଲ ଓ ଗଦିଟି କାଖରେ ଜାକି ସିଡ଼ିରେ ଓହ୍ଲାଇବାକୁ ଯିବାବେଳେ ଦେଖିଲି ସେ ସିଡ଼ିର ଗୋଟିଏ ପାହାଚରେ ମାଈ ମାଙ୍କଡ଼ଟିଏ ବସି ତା’ର ପିଲାକୁ କ୍ଷୀର ପିଆଉଛି । ଆଉ ଗୋଟିଏ ପାହାଚକୁ ମାଙ୍କଡ଼ ଛୁଆଟିଏ ଭିଡ଼ି ଧରି ଦୋଳି ଖେଳୁଛି । ଖେଳୁଥିବା ମାଙ୍କଡ଼ଟି ମତେ ଦେଖିଲେ ସୁଦ୍ଧା ତିଳେ ମାତ୍ର ଦବିଲା ନାହିଁ; ବରଂ ହୁଙ୍କାରିଲା । ଆହୁରି ଦଳେ ମାଙ୍କଡ଼ ସଭା କରିବା ପରି ତଳେ ଶୃଙ୍ଖଳିତ ଭାବେ ବସିଛନ୍ତି । ତେଣୁ ତତ୍‌କ୍ଷଣାତ୍‌ ସିଡ଼ିରୁ ପାଦ ଘୁଞ୍ଚାଇ ନେଲି । ବର୍ତ୍ତମାନ ମୁଁ ବଡ଼ ଦୟନୀୟ ଅବସ୍ଥାରେ ପଡ଼ିଲି । ଆସନ ପାଇଁ ତ ପ୍ୟାଣ୍ଟ ସାର୍ଟ କିମ୍ବା ଧୋତି ପିନ୍ଧିଲେ ଚଳିବ ନାହିଁ । ମୁଁ ଖଣ୍ଡେ ଲେଙ୍ଗୁଟି ପିନ୍ଧିଥାଏ । ତେଣୁ ମତେ ଲାଜ ମାଡ଼ିଲାଣି । ପାଖ ପଡ଼ିଶାର ଝିଅ ବୋହୂମାନେ ସେମାନଙ୍କ ବାଡ଼ି ପଟ କୂଅ ପାଖରେ ବର୍ତ୍ତମାନ ଗାଧୋଇବା ଚାଲ । ଆମ ଅଞ୍ଚଳରେ ସାଧାରଣତଃ କାହାରି ସ୍ନାନାଗାର ନ ଥାଏ । ସମସ୍ତେ ଖୋଲା ଜାଗାରେ କୂଅରୁ ବାଲତିରେ ପାଣି ଟାଣି ଟାଣି କୂଅ ପାଖରେ ଗାଧାନ୍ତି ! ପୁଣି କେତେକଙ୍କର ପାଇଖାନାର ଛାତ ନ ଥିବା ଯୋଗୁଁ ମତେ ଛାତ ଉପରେ ପ୍ରାୟ ଉଲଗ୍ନ ଅବସ୍ଥାରେ ଠିଆ ହୋଇଥିବାର ଦେଖି ସମସ୍ତେ ବଡ଼ ହଇରାଣରେ ପଡ଼ିଲେଣି । ମୋଟା ମୋଟି; ଛାତ ଉପରେ ଠିଆହୋଇଥିବା ଯୋଗୁଁ ଆଖପାଖରେ ଅଚଳ ଅବସ୍ଥା ସୃଷ୍ଟି ହୋଇଗଲା । ଥରେ ଥରେ ମନ ଏତେଦୂର ବିଷାକ୍ତ ହୋଇଗଲା ଯେ ପ୍ରାଣ ପଛେ ଯାଉ; ଛାତ ଉପରୁ ଡେଇଁ ପଡ଼ିବିବୋଲି ମୁଁ ଭାବିଲି; କିନ୍ତୁ ହଠାତ୍ ଅବସ୍ଥା ଭିନ୍ନ ପ୍ରକାରର ହେଲା । ଦାଣ୍ଡପଟର ବିଜୁଳିତାରରେ କୌଣସି ଗୋଟିଏ ମାଙ୍କଡ଼ର ବୈଦ୍ୟୁତିକ ସକ୍ ଖାଇବା ଫଳରେ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଲା । ସଙ୍ଗେ ସଙ୍ଗେ ସବୁ ମାଙ୍କଡ଼ ତାକୁ ଘେରି ଜମା ହୋଇଗଲେ । ଆମର ବାଡ଼ି ଓ ସିଡ଼ିରେ ଥିବା ମାଙ୍କଡ଼ମାନେ ମଧ୍ୟ ତରବରରେ ଡିଆଁ ମାରି ଘଟଣା ସ୍ଥଳକୁ ଚାଲିଗଲେ । ମୁଁ ବର୍ତ୍ତମାନ ନିର୍ବିଘ୍ନରେ ସିଡ଼ିଦ୍ଵାର ଓହ୍ଲାଇଲି । ଏମିତି ଭାବେ ମୁଁ ଲଜ୍ଜା ଓ ଅପମାନରୁ ବଞ୍ଚିଗଲି । ସକ୍ ଯୋଗୁଁ ଆହତ ହୋଇଥିବା ମାଙ୍କଡ଼ଟି ମଧ୍ୟ ଶ୍ରୀରାମଙ୍କ କୃପାରୁ ବଞ୍ଚିଯାଉ, ଏହା ହିଁ କାମନା କଲି ।

 

ଖରାଦିନ ଶେଷ ହୋଇଗଲାଣି । ତଥାପି ମୋ ସ୍ତ୍ରୀ ବାପଘରୁ ଫେରି ନାହିଁ । ଅବଶ୍ୟ ସେଥିପାଇଁ ମୁଁ ଚିନ୍ତିତ ନୁହେଁ । କାରଣ ହୋଟେଲରେ ଖାଇଲା ପିଇବାରେ ସାମାନ୍ୟ ଅସୁବିଧା ବ୍ୟତୀତ ମୋର ଦୈନନ୍ଦିନ ଜୀବନ ନିରୋବା ଓ ବେଶ୍ ଆରାମଦାୟକ ଥିଲା । ଦିନେ ମୁଁ ଜ୍ୟୋସ୍ନାଠାରୁ ଖଣ୍ଡେ ଚିଠି ପାଇଲି । ରୁଲିର ସ୍କୁଲରୁ ଟ୍ରାନ୍‌ସଫର ସାର୍ଟିଫିକେଟ ଆଣିବାକୁ ଯେ ମତେ ଜଣାଇଛି । ସ୍ଥାନୀୟ ବାଳିକା ବିଦ୍ୟାଳୟରେ ବର୍ତ୍ତମାନ ରୁଲି ଅଷ୍ଟମ ଶ୍ରେଣୀ ପାସ୍ କରି ନବମକୁ ଗଲା । ଯେତେଦୂର ସମ୍ଭବ, ଶଶୁରଙ୍କ ଗାଁ ସ୍କୁଲରେ ତାଙ୍କୁ ପଢ଼ାଇବା ପାଇଁ ମୋ ସ୍ତ୍ରୀ ଚାହୁଁଛି । କର୍ମ ବ୍ୟସ୍ତତା ଯୋଗୁଁ ମୁଁ ତା’ର ସାର୍ଟିଫିକେଟ ଆଣି ପାରୁ ନ ଥାଏ । ଦିନେ ମୁଁ ଅଫିସରେ କାଗଜପତ୍ର ଘାଣ୍ଟୁଥିବାବେଳେ ମୋର ବଡ଼ ପୁଅ ବୁଲୁକୁ ଅପ୍ରତ୍ୟାଶିତ ଭାବେ ଦେଖି ମୁଁ ଅବାକ୍ ହୋଇଗଲି । ମୁଁ କିଛି ବୁଝି ନ ବୁଝିଲା ପରି ତାକୁ ଚାହିଁ ରହିଲି । ତା’ପରେ ସେ ଖବର ଦେଲା ଯେ, ଶ୍ୱଶୁରଙ୍କ ଗାଁରେ ହଠାତ୍ ହଇଜା ଆରମ୍ଭ ହୋଇଛି । ଜଣକ ପରେ ଜଣେ ମରୁଛନ୍ତି । ତେଣୁ ମତେ ଆଗରୁ କୌଣସି ପ୍ରକାର ଖବର ଦେବା ପାଇଁ ସେମାନେ ସମୟ ପାଇଲେ ନାହିଁ । ଏବେ ସେମାନେ ସମସ୍ତେ ପ୍ରାଣ ବିକଳରେ ଏଠାକୁ ଚାଲି ଆସିଛନ୍ତି । ମୋ ସ୍ତ୍ରୀ ଓ ପିଲାମାନେ ଆମ ଘରର ବାରଣ୍ଡାରେ ବର୍ତ୍ତମାନ ଚାବି ପାଇଁ ଜଗି ବସିଛନ୍ତି ।

 

ମୋ ଠାରୁ ଚାବି ନେଲେ ତାଲା ଖୋଲାଯିବ ବୋଲି ବୁଲୁ ବର୍ତ୍ତମାନ ଚାବି ନେବା ପାଇଁ ଏଠାକୁ ଆସିଛି । ମୁଁ ତା’ ହାତରେ ଚାବି ନ ଦେଇ ନିଜେ ଘର ଆଡ଼େ ଗଲି । ସେଠାରେ ମୁଁ ପହଞ୍ଚିବା ପୂର୍ବରୁ ମୋ ସ୍ତ୍ରୀ ଓ ଝିଅ ଦାଣ୍ଡଘରର ଗୋଟିଏ କଣ୍ଟାରେ ମୁଁ ଝୁଲାଇଥିବା ବାଘଛାଲଟି ଦେଖି ବିସ୍ମିତ ହୋଇ ଯାଇଥିଲେ । ଅଳ୍ପ ସମୟ ପୂର୍ବେ ପୋଷ୍ଟମ୍ୟାନ ଠାରୁ ମୋର ଖଣ୍ଡେ ଚିଠି ସେମାନେ ରଖିଛନ୍ତି । ଚିଠିଟି ଯୋଗ ବିଦ୍ୟାଳୟରୁ ଆସିଥିଲା । ଗୋଟିଏ ଦୁଇ ମାସିଆ ପାଠ୍ୟକ୍ରମରେ ଯୋଗ ଦେବାକୁ ମୋର ଇଚ୍ଛା ବ୍ୟକ୍ତ କରି ମୁଁ ପୂର୍ବରୁ ଚିଠି ଲେଖୁଥିବାରୁ, ବିଦ୍ୟାଳୟର ସଂଚାଳକ ସମ୍ମତି ଜଣାଇ ଏହିଁ ଚିଠିଟି ପଠାଇଛନ୍ତି । ମୁଁ ଘରକୁ ଆସିବା ପୂର୍ବରୁ, ଜ୍ୟୋତ୍ସ୍ନା ଏହି ଖରାଛୁଟିରେ ଏଠାରେ ତା’ର ଅନୁପସ୍ଥିତିରେ, ମୁଁ ଯାହା ସବୁ କରୁଥିଲି, ସେ ବିଷୟରେ ପାଖ ପଡ଼ିଶାର ମାଇପିମାନଙ୍କ ଠାରୁ ସବୁ ଖବର ବୁଝି ନେଇଛି ! ମୁଁ ଯେତେବେଳେ ଘରେ ପାଦଦେଲି, ସେ ଯୋଗ-ବିଦ୍ୟାଳୟର ଚିଠିଟି ଟିକି ଟିକି କରି ମୋ ମୁହଁ ଉପରକୁ ଫୋପାଡ଼ିଦେଲା ଓ ଓଠ କାମୁଡ଼ି ପ୍ରଶ୍ନ କଲା, ‘ଯୋଗ କ’ଣ ? …ଯେଉଁଦିନ ବିବାହ କଲ, ସେଦିନଠାରୁ ଯୋଗହୋଇ ସାରିଛି । ଆଉ ଯୋଗ କ’ଣ ହେବ, ମୁଁ ଶୁଣେ ? ସ୍ତ୍ରୀକୁ ସନ୍ତୁଷ୍ଟ କରିବାପରି ମୋର ପାଖରେ କୌଣସି ଉତ୍ତର ନ ଥିଲା । ତେଣୁ ମୁଁ ନୀରବରେ ଚାବି ଖୋଲୁ ଖୋଲୁ ପିଲାଗୁଡ଼ିକ ଘୋ ଘା କରି ଘର ଭିତରେ ପଶିଗଲେ ଓ ବାଘଛାଲଟି ଧରି ବଳ କଷା କଷି ହେଲେ । କିଏ ସେ ଛାଲଟି ନିଜ ଅକ୍ତିଆରରେ ରଖି ପାରିବ–ଏହା ହେଉଛି ସେମାନଙ୍କ ବିବାଦର ବିଷୟ । ଟଣା ଓଟରା, ରାମ୍ପୁଡ଼ା ରାମ୍ପୁଡ଼ି ଫଳରେ ବାଘଛାଲରୁ‌ ଗୁଡ଼ାଏ ଲୋମ ଉପାଡ଼ି ଗଲାଣି । ଏହି ବିବାଦ ଆଉ କେତେ ସମୟ ଚାଲିଲେ ଛାଲଟି ଲଣ୍ଡା ହୋଇଯିବ । ମୁଁ ଆଉ କିଛି କହିଲି ନାହିଁ-! ମୋର ପ୍ରବଳ ଗାତ୍ର ଦାହ ହେଉଥାଏ । କେବଳ ‘ରାମ-ରାମ’ ବୋଲି ଉଚ୍ଚାରଣ କରି ଆଖି ବୁଜିଦେଲି । ମନକୁ ମନ କହିଲି, ‘ଏ ବାଳୁଙ୍ଗା ଛୁଆ ଗୁଡ଼ିକ ମୁଁ ଜୀଇଁ ଥାଉ ଥାଉ ବାପାର ସମ୍ପତ୍ତି ବାଣ୍ଟିବା ପାଇଁ ଏମିତି ଧରାମରା ହେଲେଣି–ଭବିଷ୍ୟତରେ କ’ଣ ନ ହେବେ ?’

 

ଘର ଭିତରେ ତ ମୁଁ ଶାନ୍ତି ପାଉ ନାହିଁ । ବର୍ତ୍ତମାନ ଅଫିସରେ ମୋର ଅନୁଭୂତି ଓ ମନୋଭାବ ସମ୍ପର୍କରେ କହୁଛି । ଆମ ଅଫିସରେ ସିଲିଂ-ସିଟ୍‌ରେ ବସିବା ପାଇଁ ସମସ୍ତେ ଲାଳାୟିତ କାରଣ ସେ ସିଟ୍‌ରେ ଯଥେଷ୍ଟ ଅର୍ଥ ମିଳିଥାଏ । କିନ୍ତୁ ମୋର ଭାଗ୍ୟ ଏମିତି ଯେ ମୁଁ କୌଣସି ପ୍ରକାର ଖୋସାମଦ ନ କରିଥିବା ସତ୍ତ୍ୱେ ବଡ଼ ତହସିଲଦାର ମତେ ସେ ସିଟ୍‌ରେ ବସିବାପାଇଁ କହିଲେ । ଏହାଦ୍ଵାରା ବଡ଼ ତହସିଲଦାରଙ୍କ ମୋ ପ୍ରତି ବିଶ୍ଵାସ ଓ ଶ୍ରଦ୍ଧା ଥିବା ବିଷୟ ଜଣା ପଡ଼ୁଛି ।

 

ଆମର ଚାକିରି, ଏମିତି ଯେ ପ୍ରାୟ ପ୍ରତି ମାସରେ ଅଧେ ଦିନ କ୍ୟାମ୍ପକୁ ଯିବାକୁ ହୁଏ । ଥରେ ତହସିଲଦାର ଶ୍ରୀ ପାତ୍ରଙ୍କ ସହିତ ମତେ ସମରପଲ୍ଲୀ ଗାଁକୁ କ୍ୟାମ୍ପ କୋର୍ଟ କରିବା ପାଇଁ ଯିବାକୁ ପଡ଼ିଲା । ସେ ଗାଁଟି ଏମିତି ଗୋଟିଏ ଜାଗାରେ ଅଛି ସେ ସକାଳ ଦଶଘଣ୍ଟା (ଯେତେବେଳେ କୋର୍ଟ ଆରମ୍ଭ ହୁଏ) ଭିତରେ ସେଠାରେ ପହଞ୍ଚିବାକୁ କୌଣସି ବସ୍ ନାହିଁ । ତେଣୁ ପୂର୍ବଦିନ ସନ୍ଧ୍ୟାବେଳେ ଆମେ ସେ ଗାଁରେ ପହଞ୍ଚିଲୁ । ସେଠାରେ ଗାଁ ବାହାରେ, ପୋଖରୀ କଡ଼ରେ ଗୋଟିଏ ଆର.ଆଇ (ରାଜସ୍ଵ ନିରୀକ୍ଷକ) ଅଫିସ୍ ଅଛି । ଆମେ ସେହି ଅଫିସ୍‌ରେ ରହିବାପାଇଁ ସ୍ଥିର କରିଛୁ । ଆମେ ସେ ଗାଁରେ ପହଁଞ୍ଚିବା ବେଳେ ଆର.ଆଇ ତା’ ଗାଁକୁ ଚାଲି ଯାଇଥିଲା । କିନ୍ତୁ ସେଠାରେ ସେ ଅଫିସ୍‌ର ଗୋଟିଏ ପିଅନ ଥିଲା । ସେ ଆମର ରାତ୍ରି ଭୋଜନ ପାଇଁ ରୋଷେଇ ଆରମ୍ଭ କଲା ।

 

ଇଂରାଜୀ ଏଲ୍‌-ଅକ୍ଷର-ଆକାର ବିଶିଷ୍ଟ ଗୋଟିଏ ବଖରାରେ ଆର୍. ଆଇ. ଅଫିସ ଚାଲୁଛି । ସେଇ କୋଠାରେ ମୋଟ ଚାରୋଟି ବଖରା ରହିଛି । ସେଗୁଡ଼ିକ ଏକମୁହାଁ ଓ ସେମାନଙ୍କ ମଧ୍ୟରେ ସଂଯୋଗ କରିବାକୁ କୌଣସି କବାଟ ନାହିଁ । ଏହି କୋଠାର ପଛ ପଟେ ପୋଖରୀ ଅଛି-। ଆର. ଆଇ, ଅଫିସକୁ ବାଦଦେଲେ ଅନ୍ୟ କୌଣସି ବଖରାରେ କେହି ରହନ୍ତି ନାହିଁ । ସେଗୁଡ଼ିକ ଉକ୍ତ ଗାଁର ସମବାୟ ସମିତିର ଗୋଦାମ ଘର ଭାବେ ବ୍ୟବହୃତ ହେଉଛି । ତେଣୁ ନାନା ପ୍ରକାର ପଡ଼ିଆ ସେଥିରେ ମହଜୁଦ କରି ରଖାଯାଇଛି । ଯାହାହେଉ, ଆମ ବଖରାର ପଛ ପଟ କାନ୍ଥରେ ଗୋଟିଏ ଦୁଇ ଫାଳିଆ କବାଟ ଲାଗିଥିବା ଝରକା ଲାଗିଛି । ତାକୁ ଖୋଲିଦେଲେ ପୋଖରି ପଟୁ ଶୁଦ୍ଧ ଓ ଥଣ୍ଡା ପବନ ଆସେ ।

 

କୌଣସି ଗାଁକୁ ଗଲେ ମୁଁ ଦୁଇଟି ଜିନିଷ ଆଶା କରେ; ଖାଣ୍ଟି ଗାଈକ୍ଷୀର ଓ ସଜ କୋଶଳା ଶାଗ । ମୁଁ ଆସୁ ଆସୁ ଏହି ବିଷୟ ପିଅନକୁ କହି ସାରିଛି । ସେ ଭଲ ଶାଗୁଆ ଶାଗ ଗୋଟିଏ କୁଲାରେ ଆଣିଦେଲା । ସେତେବେଳେ ସନ୍ଧ୍ୟା ଛଅଟା ହେବ । କିନ୍ତୁ ଶୀତ ଦିନ ହେତୁ ରାତି ହୋଇଗଲାଣି । ତେଣୁ ଶାଗରୁ ଘାସ ଓ ବାଳ ବାଛିବା ମୋ ପରି ଚାଳିଶିଆଙ୍କ ପକ୍ଷରେ ଗୋଟିଏ ସମସ୍ୟା । ପୁଣି ମୁଁ ବିଜୁଳିବତୀ ସହିତ ଅଭ୍ୟସ୍ତ । କିନ୍ତୁ ଆର.ଆଇ ଅଫିସରେ ବିଜୁଳିବତୀ ନାହିଁ । ତେଣୁ ଲଣ୍ଠନ ଓ ଡିବିରିର ମିଞ୍ଜି ମିଞ୍ଜି ଆଲୁଅରେ ସବୁ କାମ କରିବା ପାଇଁ ମତେ ଆହୁରି ଅଡ଼ୁଆ ଲାଗିଲା । ଚେୟାରରେ ବସିଲି ଓ ଟେବୁଲ ଉପରେ କୁଲାଟି ରଖି ମୁଣ୍ଡ ନୁଆଁଇ ଶାଗରୁ ଘାସ ବାଛିଲି । କୁଲାକୁ ନିରେଖି ଚାହିଁବାରୁ ବେଳେ ବେଳେ ଆଖିରୁ ପାଣି ଝରେ । ହଠାତ୍ କ’ଣ ମେଞ୍ଚାଏ ଆସି ମୋ ଆଖି, ଆଖିପତା; ନାକ ଓ ଗାଲର କେତେକାଂଶରେ ଲେସି ହୋଇଗଲା । ସେତେବେଳେ ତହସିଲଦାର ପାତ୍ର ବାବୁ ଖଟ ଉପରେ ଗଡ଼ ପଡ଼ ହେଉ ହେଉ ଶୋଇ ପଡ଼ିଛନ୍ତି । ମୁଁ ଧୀରେ ଧୀରେ ଆଖିରୁ ସେଗୁଡ଼ିକୁ ଛଡ଼ାଉ ଛଡ଼ାଉ ଜାଣିଲି ଯେ ତାହା ଗୋବର ଓ କାଦୁଅ । ମୁଁ ଅନୁଭବ କଲି ଯେ କେହି ଦୃର୍ବୃତ୍ତ ରାଗ ରଖି ଏମିତି କରିଛି । ତେଣୁ ତାକୁ ଧରି ମାଡ଼ ଦେବି ବୋଲି ରାଗରେ ଅଫିସ୍-ରୁମ୍‌ରୁ ବାହାରି ଆସିଲି । ଅଫିସ୍‌ର ପଛ ପଟେ ମୁଖ୍ୟ ରାସ୍ତା ଅଛି ଓ ତାକୁ ଲାଗି ପୋଖରୀଟି ଅଛି । ତେଣୁ ଅଫିସ ପଛପଟକୁ ଯାଇ ରାସ୍ତା ଉପରେ ଛିଡ଼ା ହେଲି ଏବଂ ଲକ୍ଷ୍ୟ କଲି ଯେ ମତେ ଦେଖି ଦୁଇଟି ପିଲା ଦୌଡ଼ୁଛନ୍ତି । କିନ୍ତୁ ଜଣେ ମୋ ବାମପଟେ ଦୌଡ଼ୁଛି ତ ଅନ୍ୟ ଜଣକ ଡାହାଣ ପଟେ । ତେଣୁ ମୁଁ କେଉଁ ଦିଗରେ ଯିବି ମୁଁ ସ୍ଥିର କରି ପାରିଲି ନାହିଁ । ଆନ୍ଦୋଳିତ ମନରେ ବାଁ ପଟକୁ ଓ ଡାହାଣ ପଟକୁ ଥରକୁଥର ଜଳକାପରି ଚାହିଁରହିଥିବାବେଳେ ପିଲା ଦୁଇଟି ଧାଇଁ ଧାଇଁ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ । ସେତେବେଳେ ପିଅନ ପୋଖରୀରୁ ଗରାରେ ପାଣି ଧରି ଆସୁଥିଲା । ମତେ ରାସ୍ତାରେ ଦେଖି ସେ ଅବାକ ହୋଇଗଲା । ପାଣି ଆଞ୍ଜୁଳାଏ ଧରି ମୁହଁରୁ କାଦୁଅ ଓ ଗୋବର ଧୋଇଲି । ତା’ପରେ ପିଅନ୍‌ଟି ସେ ଗାଁର ହାଲଚାଲ ସମ୍ପର୍କରେ କହିଲା ସେ, ଆସନ୍ତା ସପ୍ତାହରେ ସେଠାରେ ପଞ୍ଚାୟତ ନର୍ବାଚନ ହେବ । ତେଣୁ ପ୍ରତିଦ୍ଵନ୍ଦୀମାନେ ବର୍ତ୍ତମାନ ଭୋଟ ପ୍ରଚାରରେ ବ୍ୟସ୍ତ । ଆର. ଆଇ. ଅଫିସ୍‌ର ପଛପଟ କାନ୍ଥରେ ଜଣେ ପ୍ରାର୍ଥୀ ତା’ର ସପକ୍ଷରେ ନାନା ପ୍ରକାର ସ୍ଲୋଗାନ ଲେଖିଛି । ତେଣୁ ଉକ୍ତ ପୋଷ୍ଟାର ଗୁଡ଼ିକୁ ଲୁଚି ଲୁଚି ଗୋବର ମାଡ଼ କରିବାକୁ ତା’ର ପ୍ରତିଦ୍ଵନ୍ଦୀ ଏହି ଦୁଇଟି ପିଲାକୁ କହିଥିବ ! ପିଲାମାନେ ଗୋବର-ଗୁଳା ଫୋପାଡ଼ୁ ଫୋପାଡ଼ୁ ଗୋଟିଏ ଗୁଳା ଲକ୍ଷ୍ୟ ଭ୍ରଷ୍ଟ ହୋଇ ମୋ ମୁହଁରେ ଲାଖି ରହିଗଲା ।

 

ମୁଁ ଅଫିସକୁ ଯାଇ ଚେୟାର୍‌ରେ ବସିଲି । କିନ୍ତୁ ମନରେ ଶାନ୍ତି ନାହିଁ । ସେ ପିଲାଦୁଇଟିଙ୍କୁ ମାଡ଼ ଦେବାକୁ ଭାରି ଇଚ୍ଛା ହେଉଥାଏ । ତେଣୁ ରୋଷେଇ କରୁଥିବା ପିଅନକୁ ଡାକି ପଚାରିଲି–ସେ ଉକ୍ତ ବାଳକମାନଙ୍କୁ ଚିହ୍ନିଛି କି ? ସେ ସମ୍ମତି ଜଣାଇଲା । ମୁଁ ତାକୁ କହିଲି, ‘ଆରେ, ମୁଢ଼ି ମୁଆଁ ଦେବି ବୋଲି କହି ତାଙ୍କୁ ଏହି ରାସ୍ତା କଡ଼କୁ ଆଣି ପାରିବୁ କି ? ...ତାହାହେଲେ ସେମାନଙ୍କ ଗାଲ ଉପରେ ମୁଁ ଦୁଇଟି ନିର୍ଘାତ ମୁଠା ବସାଇ ଦେବି’ । ମୋର ଏହି ଷଡ଼ଯନ୍ତ୍ର ବିଷୟ ଶୁଣିବା କ୍ଷଣି ତହସିଲଦାର ପାତ୍ରବାବୁ ଖଟ ଉପରୁ ଉଠି ପଡ଼ିଲେ । ବୋଧହୁଏ ବର୍ତ୍ତମାନ ଯାଏଁ ସେ ଚେଇଁ ଶୋଇଥିଲେ । ସେ କହିଲେ, ଏଠାରେ ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ଆସନ୍ନ । ତେଣୁ ପରିସ୍ଥିତି ସରଗରମ ହୋଇ ରହିଛି । ଆମେ ଚାକିରିଆମାନେ ସାମାନ୍ୟ ପାଟି ଖୋଲିଲେ, ପରିସ୍ଥିତି ବିଷମ ହେବ । ତେଣୁ ଚୁପଚାପ୍ ରହିବାକୁ ମତେ ପାତ୍ରବାବୁ ସତର୍କ କରାଇଲେ । ଅପମାନିତ ଓ କ୍ରୋଧ ଅନୁଭବ କରୁଥିଲେ ସୁଦ୍ଧା ବାବୁଙ୍କ କଥା ମାନି ନିରବ ରହିଗଲି । ପିଅନ ରୋଷେଇ ସାରି ଖାଇବା ପାଇଁ ବାରଣ୍ଡାରେ ଭାତ ବାଢ଼ିଲା । କିନ୍ତୁ ତାକୁ ମୋଟେ ରୋଷେଇ ଜଣା ନାହିଁ, ପରିବା ଗୁଡ଼ିକ ଦରସିଝା । ଲୁଣର ଅନୁପାତ ଠିକ୍ ନାହିଁ । ତଥାପି ମୋତେ ଭୋକ ହେଉଥିବାରୁ ମୁଁ କୌଣସିମତେ ଖାଉଥାଏ । ସେତେବେଳେ କେତୋଟି ବୁଲା କୁକୁର ଲାଳ ଗଡ଼ାଇ ଆମ ଆଡ଼କୁ ଆଁ କରି ଆସୁଥା’ନ୍ତି । ପିଅନଟି ସେମାନଙ୍କୁ ଘଉଡ଼ାଇବା ପାଇଁ ଯେତେବେଳେ ଗୋଟିଏ ଠେଙ୍ଗା ଧରି ବାହାରିଲା, ପାତ୍ରବାବୁ ବିରକ୍ତିରେ କହିଲେ, ‘ଆରେ, ସେ କୁକୁର ଗୁଡ଼ାକ ଘଉଡ଼ାଅ ନାହିଁ । ସେମାନଙ୍କୁ ନିମନ୍ତ୍ରଣ କରି ଡାକି ଆଣ ।’ ତା’ପରେ ରାଗରେ ସେ ତାଙ୍କର ଖଲିପତରଟି ନେଇ କୁକୁର ଗୁଡ଼ିକର ମୁହଁ ପାଖରେ ରଖି ଦେଲେ । ପ୍ରକୃତରେ ସେ ସେଦିନ ମେଞ୍ଚାଏ ମଧ୍ୟ ଭାତ ଖାଇ ନାହାନ୍ତି । ଭୋକରେ ଶୋଇଲେ । ସେଦିନ ଶେଯକୁ ଯିବାବେଳେ ମୋ ମନରେ କିମ୍ବା ବାବୁଙ୍କର ମନରେ ସୁଖ ନାହିଁ । କୌଣସି ମତେ ଶୋଇବାକୁ ଚେଷ୍ଟା କଲୁ । ପିଅନର ଘର ଏଠାରୁ ଅଧ ମାଇଲିଏ ଦୂରରେ । ସେ ତା’ ଘରକୁ ଶୋଇବା ପାଇଁ ଚାଲିଗଲା ।

 

ତା’ପରଦିନ ସକାଳୁ ହରିହର ମହାପାତ୍ର ନାମକ ଜଣେ ଜମି ମାଲକଙ୍କ ଜମିର ରେକର୍ଡ଼ ପତ୍ର ଆମେ ଦେଖିବାରେ ଲାଗିଲୁ । ଉକ୍ତ ଜମି ମାଲିକଙ୍କ ସମ୍ପର୍କରେ ପଦେ ଅଧେ କହିବା ଉଚିତ ହେବ । ତାଙ୍କର ଦୁଇଟି ଜାଆଁଳା ଝିଅ ଓ ଗୋଟିଏ ପୁଅ । ଝିଅ ଦୁଇଟି ମଇଁଷି ପରି ମୋଟା, କଳା-। କୋତୋଟି ଦାନ୍ତ ହାତୀଦାନ୍ତ ପରି ପାଟି ବାହାରକୁ ମାଡ଼ି ଆସିଛି । ସେମାନେ ଯୁବତୀ ହେବାର ପ୍ରାୟ ଦଶ ବର୍ଷ ଯାଏଁ ବିବାହିତ ହୋଇ ପାରିଲେ ନାହିଁ, କାରଣ କୌଣସି ବର ମଙ୍ଗୁ ନ ଥାଏ । ମଫସଲରେ କୌଣସି ଯୁବତୀ ଝିଅକୁ ବିବାହ ନକରି ଘରେ ରଖିଲେ ବାପ ମାଆଙ୍କୁ ଅଶେଷ ନିନ୍ଦା ଅପମାନ ଶୁଣିବାକୁ ପଡ଼େ । ତେଣୁ ବାପା-ମା’ ବଡ଼ ବିଚଳିତ ହୋଇ ପଡ଼ିଲେ । ଶେଷରେ ୧୯୭୧ ମସିହାରେ ଗୋଟିଏ ଗୋଟିଏ ଝିଅ ପାଇଁ ପାଞ୍ଚ ଏକର ଲେଖାଏଁ କେନାଲ ପାଣି ମଡ଼ା ପ୍ରଥମ ଶ୍ରେଣୀର ଜମି ବିକି ବାପା ଝିଅମାନଙ୍କୁ ପ୍ରଚୁର ନଗଦ ଟଙ୍କା ଯୌତୁକ ଆକାରରେ ଦେଲେ ଓ ଝିଅମାନଙ୍କୁ ଶାଶୁ ଘରକୁ ପଠାଇ ଲୋକନିନ୍ଦାରୁ ରକ୍ଷା ପାଇଲେ । ବର୍ତ୍ତମାନ ଭୂସଂସ୍କାର ଆଇନ ସମ୍ପର୍କରେ କିଛି ସୂଚାଉଛି । ପାଞ୍ଚ ଜଣ ବିଶିଷ୍ଟ ପରିବାରକୁ ଦଶ ଏକର ପ୍ରଥମ ଶ୍ରେଣୀର ଜମି ମିଳିବ । ଯାହା ବଳକା ଥିବ, ସରକାର ଆଦିବାସୀ, ହରିଜନ ଓ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବେ । ପୁଣି ଭୁସଂସ୍କାର ଆଇନ ଯଦିଓ ୧୯୭୩ ମସିହାରେ ପାଶ୍ ହେଲା, ଖୁବ୍ ଜୋରରେ ସାମାଜିକ ନ୍ୟାୟ ପାଇବା ପାଇଁ ଏହା ୧୯୭୦ ସାଲର ସେପ୍ଟେମ୍ବର ମାସରୁ ଲାଗୁ ହେବ । ୧୯୭୦ ସାଲ ପରେ ଯଦି କୌଣସି ଜମି କିଣା ବିକା ହୋଇଥିବ, ତାହା ନ ହେବା ସଙ୍ଗେ ସମାନ । ତେଣୁ ଜମି ମାଲିକ ହରିହର ମହାପାତ୍ରର ବର୍ତ୍ତମାନ ସର୍ବମୋଟ ପାଞ୍ଚ ଏକର ଜମି ଥିଲେ ସୁଦ୍ଧା ଏବଂ ଏହା ସିଲିଂ ମଧ୍ୟରେ ଥିଲେ ମଧ୍ୟ, ସେ ୧୯୭୧ ସାଲରେ ଯେଉଁ ଦଶ ଏକର ଜମି ବିକିଲା (ଝିଅ ବାହାଘର ପାଇଁ ବିକ୍ରି କରୁ କିମ୍ବା ବେଶ୍ୟା ମୂଳେ ଖର୍ଚ୍ଚ କରିବାକୁ ବିକୁ-ଏଥିପାଇଁ ଆଇନ ନୀରବ), ସେ ଜମି ବର୍ତ୍ତମାନ ତା’ ପାଖରେ ନ ଥିଲେ ମଧ୍ୟ, ତା’ ପାଖରେ ଅଛି ବୋଲି ହିଁ ବିବେଚିତ ହେବ । ତେଣୁ ତା’ର ମୋଟ ଭୂସମ୍ପତ୍ତିର ପରିମାଣ ପନ୍ଦର ଏକର ବୋଲି ସରକାର ହିସାବ କଲେ । ଆଇନ ଅନୁଯାୟୀ ତାକୁ ଦଶ ଏକର ଜମି ଦିଆଯାଇ ବଳକା ପାଞ୍ଚ ଏକର ଜମି ସରକାର ନେବେ । କିନ୍ତୁ ଜମି ମାଲିକ ପାଖରେ ମୋଟେ ପାଞ୍ଚ ଏକର ଜମି ବର୍ତ୍ତମାନ ଅଛି । ତହସିଲଦାର ସ୍ଥିର କଲେ ଯେ ବର୍ତ୍ତମାନ ତା’ ପାଖରେ ଥିବା ଏହି ଶେଷ ପାଞ୍ଚ ଏକର ଜମି, ଭୂମିହୀନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ-। ଏହାଦ୍ଵାରା ଜମି ମାଲିକ ନିଜେ ଭୂମିହୀନ ହୋଇଯିବ ଓ ତା’ର ପୁଅ ମାଇପ ଭିକ୍ଷା ବୃତ୍ତି କରିବେ-। କିନ୍ତୁ ଏଥିପାଇଁ ଆମେ କିଛି କରି ପାରିବୁ ନାହିଁ । ଆମେ ତ ଆଇନର ଦାସ । ଯାହାହେଉ, ଶେଷ ଜଜ୍‌ମେଣ୍ଟ ଶୁଣାଇବା ପୂର୍ବରୁ ଜମି ମାଲିକକୁ ନିଜ ପକ୍ଷ ସମର୍ଥନ କରି ବୟାନ ଦେବା ପାଇଁ ସୁଯୋଗ ନେଇ ଜମିମାଲିକ ଗୋଟିଏ କୌଶଳ ପାଞ୍ଚିଛି । ଭୂସଂସ୍କାର ଆଇନର ଗୋଟିଏ ଧାରା ଅଛି ଯେ ବଗିଚା-ଜମି ଭୂସଂସ୍କାର ଅନ୍ତର୍ଭୁକ୍ତ ହେବ ନାହିଁ । ତେଣୁ ଜମିମାଲିକର ଦାବିକୁ ବଗିଚା ବୋଲି ତହସିଲଦାରଙ୍କୁ ଦରଖାସ୍ତ ଲେଖି ଜଣାଇଛି । ଯଦି ତହସିଲଦାର ଜମି ମାଲିକର ଦାବିକୁ ମାନି ଯାଇ ଉକ୍ତ ଚାଷଜମିକୁ ବଗିଚା ବୋଲି ତାଙ୍କ ତଦନ୍ତ-ରିପୋର୍ଟରେ ଲେଖିଦେବେ, ତାହାହେଲେ ତା’ର ଆଉ ବଳକା ଜମି ରହିବ ନାହିଁ ଓ ଭୂସଂସ୍କାର ଆଇନର କବଳରୁ ସେ ରକ୍ଷା ପାଇଯିବ । ଏହି ସମ୍ପର୍କରେ ତଦନ୍ତ କରିବାକୁ ମୁଁ ତହସିଲଦାର ଆଜି ଏଠାକୁ ଆସିଛୁ ।

 

ଉକ୍ତ ଜମିମାଲିକର ସବୁ କାଗଜ ପତ୍ର ଠିକ୍‌ଠାକ୍ କରି ଆମେ ତା’ର ଜମି ଉପରକୁ ଯିବା ବେଳେ ଉପର ବେଳା ତିନିଟା ବାଜିଲାଣି । ତା’ର ବିଲରେ ଗୋଟିଏ କୋଣରେ ତା’ର ପୁର୍ବପୁରୁଷମାନଙ୍କର ସମାଧି କରାଯାଇଛି । ଆମେ ସେ ଚଉରା ଉପରେ ବସିଲୁ । କ୍ରମେ କ୍ରମେ କେତେକ ଲୋକ ଆମକୁ ଦେଖି ସେଠାରେ ଏକତ୍ରିତ ହେଲେ । ଜମିମାଲିକ ପୂର୍ବରୁ ଆସି ଯାଇଛି । ଇତ୍ୟବସରରେ ତା’ର ଝିଅର ପୁଅ ଗୋଟିଏ କେଟିଲ୍‌ରେ ଗରମ କ୍ଷୀର ଆଣିଛି । ମୋ’ପାଇଁ ଗ୍ଲାସରେ କ୍ଷୀର ଭତ୍ତି କରି ବଢ଼ାଇଲା । ସେଥିରେ ମୋଟା ସର ଭାସୁଛି । ମୁଁ ତତ୍‌କ୍ଷଣାତ୍ ସେ ମିଠାବହଳ କ୍ଷୀର ପିଇଲି । ଜମିମାଲିକର ନାତି ପୁଣି ମୋ ଗ୍ଲାସଟିରେ କ୍ଷୀର ଅଜାଡ଼ିଲା । ମୁଁ କୌଣସି ପ୍ରକାର କୁଣ୍ଠାବୋଧ ନ କରି ସେଇତକ ଢକ ଢକ କରି ପିଇଦେଲି । ଏମିତି କ୍ଷୀର ମୋ ଜୀବନରେ କେବେ ପିଇ ନ ଥିଲି । ଏହା ଆଜିଯାଏଁ ମୋର ସ୍ମରଣୀୟ ହୋଇ ରହିଛି । କିନ୍ତୁ ତହସିଲଦାର ତାଙ୍କୁ ଦିଆଯାଇଥିବା କ୍ଷୀରଗ୍ଲାସରେ ପାଟି ଦେଉ ନ ଥା’ନ୍ତି । ପରେ ମୁଁ ଜାଣିଲି ଯେ ସେ ମୋ କ୍ଷୀର ପିଆକୁ ମୋଟେ ପସନ୍ଦ କରୁ ନ ଥିଲେ । ତାଙ୍କର ଦୃଢ଼ ମତ ହେଉଛି ଯେ ପାଟିଠାରୁ ଆମେ ଜଳଖିଆ ପତ୍ର ଗ୍ରହଣ କଲେ ଲୋକେ ଆମ ନିରପେକ୍ଷତାକୁ ସନ୍ଦେହ କରିବେ । ଯାହାହେଉ, ତହସିଲଦାର କ୍ଷୀର ନ ପିଇବା ଯୋଗୁଁ ଜମି ମାଲିକର ମନରେ ଭୀଷଣ ଧକ୍‌କା ଲାଗିଲା । ବର୍ତ୍ତମାନ ତଦନ୍ତ ଆରମ୍ଭ ହେବ । ଜମି ମାଲିକ ତା’ର ବିଲରେ ଧାଡ଼ି ଧାଡ଼ି କରି ନାନା ପ୍ରକାରର ଛୋଟ ଛୋଟ ଗଛ ଲଗାଇଛି । ସେଗୁଡ଼ିକ ମଧ୍ୟ ସିଲେଣ୍ଡର ଆକୃତିର ବାଉଁଶ-ଜାଲ ଦ୍ୱାରା ବେଢ଼ାଇଥିଲା । କିନ୍ତୁ ଆମ ତହସିଲଦାରଙ୍କର ଗଭୀର ଅନ୍ତର୍ଦୃଷ୍ଟି ଅଛି । ତାଙ୍କ ମନକୁ କ’ଣ ଛୁଇଁଲା କେଜାଣି, ସେ ସେଥିରୁ ଗୋଟିଏ ଗଛ ଉପାଡ଼ି ଦେଲେ । ଦେଖିବାବେଳକୁ ସେଥିରେ କୌଣସି ଚେର ନାହିଁ–ତାହା ଗୋଟିଏ ଗଛର ଡାଳ ମାତ୍ର । ତା’ପରେ ସେ ଗୋଟି ଗୋଟି କରି ସବୁ ଗଛ ଉପାଡ଼ି ଦେଲେ । କୌଣସିଟିରେ ଚେର ନାହିଁ । ଜମିମାଲିକ ପ୍ରାୟ ସପ୍ତାହକ ପୂର୍ବେ ଏହି ଡାଳଗୁଡ଼ିକୁ ବିଲରେ ପୋତି ଥିଲା । ଧାନବିଲଟିକୁ ବଗିଚା ବୋଲି ଦେଖାଇବାକୁ ସେ ଏମିତି ଅପଚେଷ୍ଟା କରିଥିଲା । ତହସିଲଦାରଙ୍କ ତୀକ୍ଷଣ ତଦନ୍ତ ଦ୍ୱାରା ପ୍ରମାଣିତ ହୋଇଗଲା ଯେ, ଜମି ମାଲିକ ଭୂସଂସ୍କାର ଆଇନକୁ ଫାଙ୍କିବା ପାଇଁ ଏହିପରି ଗୋଟିଏ ଫାନ୍ଦ ଭିଆଇ ଥିଲା । ତା’ର ଅସ୍ଥକୌଶଳ ପଦାରେ ପଡ଼ିଯିବା ଫଳରେ ସମସ୍ତେ କୁରୁଲେଇ ହସିଲେ । ପରିଶେଷରେ ତହସିଲଦାର ତାଙ୍କର ଏନକ୍ଵାରି ରିପୋର୍ଟଟି ଡାକିଲେ ଓ ମୁଁ ଲେଖିଲି । ସେଥିରେ ଜମିଦାରର ଠକାମି ସଂପର୍କରେ ବିଶେଷ ବିବରଣୀ ଲେଖାଥିଲା । ଲେଖା ସରିବାପରେ ତହସିଲଦାର ସେଠାରେ ଥିବା ଲୋକଙ୍କୁ ସାକ୍ଷୀ ହିସାବରେ ସନ୍ତକ କରିବାକୁ ଅନୁରୋଧ କଲେ । କିନ୍ତୁ ଏମିତି ସମୟରେ ଗୋଟିଏ ନାଟକୀୟ ଘଟଣା ଘଟିଲା । ଜମି ମାଲିକର ଅଠର କୋଡ଼ିଏ ବର୍ଷର ଏକମାତ୍ର ପୁଅ, ଯିଏ କି ଗତ କେତେ ଦିନ ଧରି ଟାଇଫଏଡ୍ ଯୋଗୁଁ ଶଯ୍ୟାଶାୟୀ ଥିଲା, ଆମେ ବସିଥିବା ଜମି ଉପରକୁ ଆସି ଠିଆ ହେଲା । ସେ ବୋଧହୁଏ କାହାଠାରୁ ଖବର ପାଇଲା ଯେ ତା’ ଜମି ସରକାର ନେଇ ଯାଉଛନ୍ତି । ତେଣୁ ତା’ର ଶରୀର ଦୁର୍ବଳ ଥିଲେ ସୁଦ୍ଧା ସେ ଅତି ରୁକ୍ଷଭାବେ ଜମି ଉପରକୁ ମାଡ଼ି ଆସିଥିଲା । ସେଠାରେ ଥିବା ତା’ର ପୂର୍ବପୁରୁଷମାନଙ୍କର ସମାଧିର ଚଉଁରାରୁ ମାଟି ପୁଳାଏ ବାହାର କରି ତା’ର ମୁଣ୍ଡ, କପାଳ ଓ ଛାତିରେ ବୋଳିଲା । ତା’ପରେ ତା’ର ଅଣ୍ଟା ତଳୁ ହାତେ ଲମ୍ବାର ଗୋଟିଏ ଚକ୍ ଚକ୍ ମାରୁଥିବା ଖଣ୍ଡା ବାହାର କଲା ଏବଂ ଚତୁର୍ଦ୍ଦିଗକୁ ଚକ୍ରାକାରରେ ବୁଲାଇ କହିଲା, ଆସ କିଏ ଏଠାରେ ସନ୍ତକ କରିବ ? ନିଜ ବାପାର ବୀର୍ଯ୍ୟରୁ ଜନ୍ମ ହୋଇଥିଲେ, ମୋ ପାଖକୁ ଆସିବ । ତହସିଲଦାର ଅଳ୍ପ ସମୟ ପୂର୍ବେ ଯେତେବେଳେ ଦସ୍ତଖତ କରିବାକୁ ଡାକିଥିଲେ, ସେତେବେଳେ ପଲ ପଲ ହୋଇ ଲୋକ ଆସିବାକୁ ତୟାର ହେଉଥିଲେ । ସେମାନଙ୍କୁ କଲମ ଧରିବାର ଜଣା ନ ଥିଲେ ମଧ୍ୟ ଟିପ-ଚିହ୍ନ ବସାଇବେ ବୋଲି ସେମାନେ ସ୍ଥିର କରିଥିଲେ । କିନ୍ତୁ ଜମିମାଲିକର ପୁଅର ଉଗ୍ରମୂର୍ତ୍ତି ଦେଖି ସମସ୍ତେ ପଛଘୁଞ୍ଚା ଦେଲେ l ତା’ପରେ ସେ ଆମକୁ ଚଉଁରା ତଳକୁ ଓହ୍ଲାଇବା ପାଇଁ ପାଦ ଉଞ୍ଚାଇଲା । ତହସିଲଦାର ଧୀରେ ଧୀରେ ଖସି ଚାଲିଗଲେ । କିନ୍ତୁ ମୋ ଦାୟିତ୍ଵରେ ଫାଇଲ ପତ୍ର ଥିଲା । ସେଗୁଡ଼ିକ ଖୋଲା ହୋଇ ପଡ଼ିଥିଲା । ସେଗୁଡ଼ିକୁ ଠିକ୍ ଓ ଶୃଙ୍ଖଳିତ ଭାବେ ବନ୍ଧାବନ୍ଧି କରିବାକୁ ମୁଁ ସେତେବେଳେ ନିରାପଦ ମଣିଲି ନାହିଁ । ତେଣୁ ଅଳିଆ ଗଦାର କାଗଜ ପରି ସେଗୁଡ଼ିକୁ ମୁଦାମୁଦି କରି ଧରିଲି ଓ ପ୍ରାଣବିକଳରେ ଧାଇଁଲା । ସେତେବେଳକୁ ତହସିଲଦାର ବୋଧହୁଏ ଆର୍. ଆଇ. ଅଫିସ ପାଖକୁ ଚାଲିଗଲେଣି । ବିଲଗୁଡ଼ିକରୁ ଧାନ କଟା ଯାଇଥିବା ଯୋଗୁଁ ଧାନ ଗଛର ଚାଖଣ୍ଡେ ଲେଖାଏଁ ଖୁଣ୍ଟା କିଆରୀରେ ରହିଯାଇଥାଏ । ତେଣୁ ମୁଁ ଧାଇଁବା ବେଳେ ସେ ଟାଆଁସା ଖୁଣ୍ଟାଗୁଡ଼ିକ ମୋ ପାଦରେ ପଶିବା ଯୋଗୁଁ ବଡ଼ ଯନ୍ତ୍ରଣା ହେଉଥାଏ । ମୁଁ ଆର୍. ଆଇ. ଅଫିସରେ ପହଞ୍ଚି ଦେଖିଲି ଯେ, ତହସିଲଦାର ଲୁଗା ବଦଳାଇ ଖଟରେ ଆରାମ କରୁଛନ୍ତି । ମୁଁ ଆପାତତଃ କହିଦେଲି, ‘ଆଜ୍ଞା ! ପାଦ ସାରା କଣ୍ଟା ଫୁଟି ଯାଇଛି । ନାଲି ହୋଇ ଯାଇଛି ।’ ସେତେବେଳେ ମୋର ମନେ ହେଉଥାଏ ଯେ, ଯଦି ଏହି ଅବସ୍ଥାରେ ବର୍ତ୍ତମାନ ମୁଁ ଗୋବିନ୍ଦପୁରରେ ଥାଆନ୍ତି, ଜ୍ୟୋତ୍ସ୍ନା ମୋ ପାଦରେ ପଟି ବାନ୍ଧି ସେକ ଦେଉଥାନ୍ତା; ଗୋଡ଼ ମୋଡ଼ୁଥାନ୍ତା; ନାନା ପ୍ରକାର ସେବା କରୁଥାନ୍ତା; ଭଲମନ୍ଦ କଥା ହେଉଥାନ୍ତା ଇତ୍ୟାଦି । ଏହି ରଣକ୍ଷେତ୍ରରୁ ଶୀଘ୍ର ଚାଲିଯିବା ପାଇଁ ମୋ ମନ ଭାବିଲା । କିନ୍ତୁ ତହସିଲଦାର ମୋ ଭାବନାର ଅବସାନ ଘଟାଇ ରୁକ୍ଷ ଭାବେ କହିଲେ, ‘ନିଶ ସଫାକର ।’ ମୁଁ ଦର୍ପଣରେ ମୁହଁ ଦେଖିଲି ଯେ, ବିଲରେ ଜମିଦାର ଦେଇଥିବା ବହଳ କ୍ଷୀରର ସରର କିଛି ଅଂଶ ଛାଣି ହୋଇ ମୋ ନିଶରେ ଲାଗିଯାଇଛି । ମୁଁ ଅପମାନିତ ବୋଧ କଲି ଓ ନିଶ ସଫା କଲି । ତା’ପରେ ଫାଇଲ୍ ପତ୍ର ବନ୍ଧାବନ୍ଧି କରୁଥିବା ବେଳେ ତହସିଲଦାରଙ୍କୁ କହିଲି, ‘ଆଜ୍ଞା ! ଆପଣ ଏନ୍‍କ୍ୱାରି ରିପୋର୍ଟରେ ସାକ୍ଷୀମାନଙ୍କର ଦସ୍ତଖତ ହୋଇନାହିଁ । ତା’ର ତ ମୂଲ୍ୟ କିଛି ନାହିଁ–ତହସିଲଦାର ମୋ ଉପରକୁ ରାଗରେ ଝାମ୍ପି ପଡ଼ି କହିଲେ, ‘ପାଟି ବନ୍ଦ କର ।” ପାଟି ବନ୍ଦ କରିବାକୁ ତାଙ୍କର ଏହି ଆଦେଶ ଏତେ ପ୍ରଭାବଶାଳୀ ଥିଲା ଯେ, ରାତିରେ ଖାଇପିଇ ଶୋଇବା ଯାଏଁ–ବର୍ତ୍ତମାନ ଠାରୁ ପ୍ରାୟ ପାଞ୍ଚ ଘଣ୍ଟା ଧରି–ମୋର ମୁହଁ ଖୋଲି ନ ଥିଲା । ତହସିଲଦାର ଗୋଟିଏ ଖଟିଆରେ ଶୋଇଥାନ୍ତି । କିନ୍ତୁ ମୋ ପାଇଁ ଆଉ ଖଟ ନ ଥିବା ଯୋଗୁଁ ମୁଁ ତଳେ ଶୋଇଲି । ଏମିତି ସମୟରେ କୌଣସି ଏକ ବାମପନ୍ଥୀ ଦଳ ନାନା ପ୍ରକାର ସ୍ଲୋଗାନ ଦେଇ ଆସୁଥିବାର ଆମେ ଶୁଣିବାକୁ ପାଇଲୁ । ଏଥିରେ ତହସିଲଦାରଙ୍କ ନାମୋଲ୍ଲେଖ ହେଇ ଥିବାର ମଧ୍ୟ ମୁଁ ଜାଣି ପାରିଲି । ଏହି ପରିସ୍ଥିତିରେ ମତେ ଆଉ ନିଦ ମାଡ଼ିଲା ନାହିଁ । ମୁଁ ତହସିଲଦାରଙ୍କ ଖଟ ଆଡ଼କୁ ଚାହିଁଲି । କିନ୍ତୁ ରୁମ୍‌ଟି ଅନ୍ଧକାରଚ୍ଛନ୍ନ ହୋଇଥିବା ଯୋଗୁଁ ମୁଁ ଭଲଭାବେ ତାଙ୍କୁ ଦେଖି ପାରୁ ନ ଥାଏ । ତଥାପି ମୁଁ ନିରୀକ୍ଷଣ କରି ଜାଣିଲି ଯେ, ଯେତେବେଳେ କ୍ରମେ କ୍ରମେ ସ୍ଲୋଗାନଗୁଡ଼ିକ ଉଗ୍ର ଓ ତୀବ୍ର ହେଲା ସେ ବଡ଼ ଅସ୍ଥିର ହୋଇ ପଡ଼ିଲେ । ଜୀବନ ପ୍ରତି ବିପଦ ପଡ଼ିଛି ବୋଲି ମନେ କରି ସେ ଯେଉଁଠି ସେଇଠି ଶୋଇ ଭୟରେ କମ୍ପିଲେଣି । ତା’ପରେ ପଟୁଆର ଆମ ଅଫିସ ସାମନାକୁ ଆସିଲା ଓ କେଇ ଜଣ ଆମ କବାଟକୁ ପିଟିଲେ । ସେମାନଙ୍କ ଆଘାତ ଏତେ ଜୋର ଥିଲା ଯେ, ମୁଁ ଭାବିଲି, ମୁଁ ଯଦି କବାଟ ଶୀଘ୍ର ନ ଖୋଲିବି, ତାହାହେଲେ କବାଟ ସହିତ ଦ୍ଵାରବନ୍ଧ କାନ୍ଥରୁ ଉପୁଡ଼ି ଯିବ । ତେଣୁ କବାଟ ଖୋଲି ଦେଲି । ସେ ପଟୁଆରରେ କେତେ ଜଣ ଦିହୁଡ଼ି ଜାଳି ଧରି ଥାନ୍ତି । ଲୋକଗୁଡ଼ାକ ନାନା ପ୍ରକାର ରଙ୍ଗ ବେରଙ୍ଗ ନୂତନ ପୋଷାକ ପିନ୍ଧିଥିଲେ । ଗୋଟିଏ ରାଜନୈତିକ ଦଳର କେତେକ ପତକା ଉଡ଼ୁଥିଲା । ସେଥିରେ କେତେକ ମହିଳା ମଧ୍ୟ ଥିଲେ । ଏହି ଜନଗହଳିର ନେତୃତ୍ଵ ଆସନ୍ନ ସରପଞ୍ଚ ନିର୍ବାଚନରେ ଲଢ଼ୁଥିବା ଜନୈକ ପ୍ରାର୍ଥୀ ନେଇଛନ୍ତି । ପ୍ରାର୍ଥୀ ମହାଶୟ ତହସିଲଦାରଙ୍କୁ ତଦନ୍ତ ରିପୋର୍ଟଟି ମାଗିଲେ ଓ ସେଥିରେ ଉପସ୍ଥିତ ଜନତା ଦସ୍ତଖତ କଲେ । ତା’ପରେ ପ୍ରାୟ ପାଞ୍ଚଶହ ଭୂମିହୀନଙ୍କର ଦରଖାସ୍ତ ତହସିଲଦାରଙ୍କୁ ଦେଲେ । ଏହି ଦରଖାସ୍ତମାନଙ୍କରେ ଜମିମାଲିକ ହରିହର ମହାପାତ୍ର ଭୂମି ସେମାନଙ୍କ ନାମରେ ପଟ୍ଟା କରାଯିବା ପାଇଁ ଦାବି କରାଯାଇଛି । ଜମିମାଲିକର ସର୍ବମୋଟ ପାଞ୍ଚ ଏକର ଜମି ଅଛି । ତାହା ପାଞ୍ଚଶହ ଭୂମିହୀନଙ୍କ ମଧ୍ୟରେ କେମିତି ବଣ୍ଟାଯିବ ? ମୁଁ ଭାବିଲି ଯେ, ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟରେ ଜମିମାଲିକ ଓ ଭୂମିହୀନମାନଙ୍କ ମଧ୍ୟରେ ଟଣା ଓଟରା ଲାଗିଛି । କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟରେ ଭୂମି-ବଣ୍ଟନକୁ କେନ୍ଦ୍ର କରି ଜମିହୀନମାନଙ୍କ ମଧ୍ୟରେ ପାରସ୍ପରିକ ଗଣ୍ଡଗୋଳ ଆରମ୍ଭ ହେବ । ତେଣୁ ପଟୁଆର ଦରଖାସ୍ତଗୁଡ଼ିକ ଦେଇ ସନ୍ତୁଷ୍ଟ ହୋଇ ଚାଲିଯିବା ପରେ ମୁଁ ଭାବିଲି ଯେ ଭୂସଂସ୍କାରରେ ସାମାଜିକ ନ୍ୟାୟ ଯେତେ ଥାଉ ନା କାହିଁକି, ତାହା ଅପେକ୍ଷା ରାଜନୈତକ ଫାଇଦା ଅଧିକା ଅଛି । ଉକ୍ତ ସରପଞ୍ଚ-ପ୍ରାର୍ଥୀ ଭୋଟ ପାଇବ ବୋଲି ଏତେ ଗଭୀର ରାତ୍ରିରେ ଲୋକଗୁଡ଼ିକୁ ପଟୁଆରରେ ଏଠାକୁ ଆଣିଥିଲା । ଆମେ ଭିତର ପଟୁ କବାଟ କିଳି ଦେଇ ଶୋଇବାକୁ ଚେଷ୍ଟା କଲୁ । ସେତେବେଳେ ମୁଁ ତହସିଲଦାରଙ୍କୁ କହିଲି, ‘ଆଜ୍ଞା ! ଭୂସଂସ୍କାର ବଦଳରେ ଜମି-ଜାତୀୟକରଣ କଲେ ଭଲ ହୁଅନ୍ତା ।’ ତହସିଲଦାର ମତେ ଦବାଇ ଦେବା ପାଇଁ କହିଲେ, ‘ତୁ ଟା ଗୋଟିଏ କିରାଣୀ । ଆଇ. ଏ. ଏସ୍ ଅଫିସର୍ ପରି କଥାଭାଷା କରୁଛୁ ! ପାଟି ବନ୍ଦ କର ।’ ତହସିଲଦାରଙ୍କ କଥା ମୋ ଅନ୍ତରକୁ ବିଦ୍ଧ କଲା । ମୁଁ ସନ୍ଦେହ କଲି ଯେ, ସେ ବୋଧହୁଏ ଭାବୁଛନ୍ତି :–ଯେଉଁ କିରାଣୀର ମୁଣ୍ଡ ଅଛି, ସେ ଆଇ.ଏ.ଏସ୍. ଅଫିସର ହୁଏ । ଯନ୍ତ୍ରଣାରେ ଶୋଇବାକୁ ଚେଷ୍ଟା କଲି କିନ୍ତୁ ରାସ୍ତାରେ ଯେତେବେଳେ ଗୋଟିଏ ଟ୍ରକ୍ ଚାଲିଯାଏ, ସେତେବେଳେ ଆମ ଦୁର୍ବଳ ଅଫିସ-ଘରଟି ଭୁମିକମ୍ପ ହେବା ପରି ଦଲ୍ ଦଲ୍ ହୋଇ ଥରି ଉଠେ । କଣ୍ଟ୍ରାକ୍ଟର ବହୁତ ପଇସା ମାରି ନେଇ ମୂଳଦୁଆକୁ ଦୁର୍ବଳ କରିଥିବାରୁ ଏମିତି ହେଉଛି । କୌଣସି ବୋଝେଇ ଟ୍ରକ୍ ରାସ୍ତାରେ ଚାଲିଯିବା ବେଳେ ମୁଁ ଭାବେ, ଘରର ଛାତ ଛିଣ୍ଡି ପଡ଼ି ଆମ ଛାତି ଉପରେ ଚାପି ହୋଇଯିବ । କିଛି ସମୟ ମଧ୍ୟରେ ପୁଣି କବାଟରେ କେହି ଠକ୍ ଠକ୍ କରି ଆଙ୍ଗୁଠିରେ ପିଟିଲା । ମୁଁ କବାଟ ଖୋଲିବାକୁ ଯିବା ବେଳେ ତହସିଲ୍‌ଦାର ମାଙ୍କଡ଼ ପରି ଏକାଥରକେ ମୋ ଉପରକୁ ଡେଇଁ ପଡ଼ିଲେ । ମତେ ଟାଣି ନେଇ ଶେଯରେ ଶୁଆଇ ଦେଲେ ଓ ଚୁପ୍ ରହିବାକୁ କହିଲେ । ତା’ପରେ ସେ ତାଙ୍କ ଶେଯରେ ଶୋଇ ଘୁଙ୍ଗୁଡ଼ି ମାରିବାକୁ ଆରମ୍ଭ କଲେ । କେତେ ସମୟ ଯାଏଁ ଲୋକଟି ଏମିତି ଏମିତି ଧୀରେ ଧୀରେ ଡାକି ବିଫଳ ହୋଇ ଚାଲିଗଲା । ତା’ପରେ ମୁଁ ପ୍ରାୟ ଅଧଘଣ୍ଟାଏ ଯାଏଁ ଶୋଇଲି କିନ୍ତୁ ଉକ୍ତ ଶୀତ ଋତୁରେ ତଳେ ଶୋଇବା ବଡ଼ କଷ୍ଟକର କାରଣ ଭୁଇଁରୁ ଜାଡ଼ ବାହାରି ମେରୁଦଣ୍ଡ ସହିତ ସବୁ ହାଡ଼କୁ ଥରାଇ ଦିଏ । ଅବଶ୍ୟ ମୁଁ ଖଣ୍ଡେ ପଟି ଉପରେ ଶୋଇଥାଏ । କିନ୍ତୁ ଏହି ପ୍ରବଳ ଶୈତ୍ୟରେ ତାହା ସମୁଦ୍ରକୁ ଶଙ୍ଖେ ପାଣି ପରି । ନିଦ ଭାଙ୍ଗିବା ବେଳେ ମତେ ପରିସ୍ରା ଦେଖାଇଲା । ତେଣୁ ମୁଁ କବାଟ ଖୋଲିବାକୁ ଗଲି । କିନ୍ତୁ ତହସିଲଦାର ମତେ ମନା କଲେ । କାରଣ ତାଙ୍କର ଭୟ ହେଉଥାଏ ଯେ, ବର୍ତ୍ତମାନ ଏନ୍‌କ୍ୱାରି ରିପୋର୍ଟରେ ଗାଁ ବାଲା ଦସ୍ତଖଦି କରିଥିବା ବିଷୟ ଜମିମାଲିକର ପୁଅ ଜାଣିଥିବ ଏବଂ ସେ ହୁଏତ ଅଣ୍ଟାରେ ଛୁରୀ ଲୁଚାଇ ଏବେ ଆମକୁ କବାଟ ଖୋଲିବାକୁ ଡାକୁଥିଲା । କବାଟ ଖୋଲୁ ଖୋଲୁ ସେ ଘର ଭିତରକୁ ମାଡ଼ି ଆସି, ତାଙ୍କୁ ଭୁଷିଦେବ ବୋଲି ତହସିଲଦାର ଡରୁଥିଲେ । ତାଙ୍କର ବିଶ୍ୱାସ ଯେ ଉକ୍ତ ଜମିମାଲିକର ପୁଅ ବର୍ତ୍ତମାନ ସୁଦ୍ଧା ଘରକୁ ଫେରି ନ ଥିବ ଓ ଏବେ କେଉଁଠି ପ୍ରତିଶୋଧ ନେବା ପାଇଁ ଚୁପ୍‌ଚାପ୍ ବସିଥିବ । ତେଣୁ କବାଟ ଖୋଲିବାକୁ ତହସିଲଦାର ମୋଟେ ପ୍ରସ୍ତୁତ ନ ଥିଲେ । ତାଙ୍କର ଭୟ ବଡ଼ ଉତ୍କଟ ଧରଣର ହୋଇଛି । କିନ୍ତୁ ମତେ ପରିସ୍ରା ବଡ଼ ଜୋରରେ ଦେଖାଇଲାଣି । ପରିସ୍ରା ଚାପ ସମ୍ଭାଳିବା ମୋ ପକ୍ଷରେ କ୍ରମଶଃ କଷ୍ଟକର ହୋଇ ପଡ଼ିଲାଣି । ତଥାପି ମୁହଁ ମାଡ଼ି କିଛି ସମୟ ଶୋଇବାକୁ ଚେଷ୍ଟା କଲି । କିନ୍ତୁ ନିଦ ମାଡ଼ୁ ନାହିଁ । ମୁଁ ଭଲଭାବେ ଜାଣେ ଯେ‚ ପରିସ୍ରା ନ କରିବା ଯାଏଁ ନିଦ ମାଡ଼ିବ ନାହିଁ–କେବଳ ଶେଯରେ ଛପଟି ହେବା ସାର ହେବ । ତହସିଲଦାର ତ କବାଟ ଖୋଲିବା ପାଇଁ କଦାପି ରାଜି ହେବ ନାହିଁ । ତେଣୁ ମୁଁ ଗୋଟିଏ ଉପାୟ ପାଞ୍ଚିଲି । ଘରର ପଛ ପଟ କାନ୍ଥରେ ଗୋଟିଏ ଝରକା ଥିଲା । ମୁଁ ଭାବିଲି ଯେ‚ ଏହି ଝରକାର କବାଟ ଖୋଲି‚ ସେ ବାଟେ ପରିସ୍ରା କରିବି । କିନ୍ତୁ ଏହା ଏକ ଲଜ୍ଜାକର ଘଟଣା ହୋଇ ଥିବା ଯୋଗୁଁ ତହସିଲଦାର ଶୋଇ ପଡ଼ିଲେଣି ନା ନାହିଁ ଜାଣିବାକୁ ଚାହିଁଲି । ଭାବିଲି ଯେ ସେ ଯଦି ଶୋଇ ପଡ଼ିଥିବେ‚ ତାହାହେଲେ ମୁଁ ଆରାମରେ ଝରକା ବାଟେ ପରିସ୍ରାକରି ପାରିବି । ତେଣୁ ତହସିଲଦାରଙ୍କ ଆଖି‌ ଦୁଇଟିକୁ ଦେଖିବାପାଇଁ ତାଙ୍କ ଖଟ ପାଖକୁ ଯାଇ ମୁହଁ ନୁଆଁଇଲି । କିନ୍ତୁ ତତ୍‌କ୍ଷଣାତ୍‌ ତହସିଲଦାର ମୋ ମୁହଁ ଉପରକୁ ଗୋଟିଏ କହୁଣୀ ମାରିଲେ । ଫଳରେ ସାମାନ୍ୟ ଆଁ କରି ରହିଥିବା ମୋ ତଳପାଟିଟି ହଠାତ୍‌ ବୁଜି ହୋଇଗଲା । ତେଣୁ ଜିଭଟି ତଳ ଓ ଉପର ପାଟିର ଦାନ୍ତ-ଧାଡ଼ି ମଧ୍ୟରେ ଚାପି ହୋଇଗଲା । ମୁଁ ଯନ୍ତ୍ରଣାରେ ଜିଭ ଚାଟୁଥିବାବେଳେ‚ ତହସିଲଦାର ଭୀଷଣ ବିରକ୍ତିରେ ପଚାରିଲେ‚ ‘କ’ଣ ମଜା ଦେଖୁଛ ?’ ପ୍ରକୃତରେ ଆଜି ଯେମିତି ଚମକପ୍ରଦ ଘଟଣାଗୁଡ଼ିକ ଘଟିଗଲା‚ ସେଥିରେ ତହସିଲଦାରଙ୍କ ମନ ଅଥୟ ହୋଇ ଯାଇଛି । ତାଙ୍କୁ ଡନ୍‌ଲପ ଗଦିରେ ଶୁଆଇ‚ ନିଦ ବଟିକା ଖୁଆଇଲେ ମଧ୍ୟ ନିଦ ମାଡ଼ିବ ନାହିଁ । କିନ୍ତୁ ସେ ହଇରାଣରେ ପଡ଼ିଥିବା ଯୋଗୁଁ ମୁଁ ଆନନ୍ଦିତ ବୋଲି ତାଙ୍କ ମନରେ ଗୋଟିଏ ବଡ଼ ଭୁଲ୍‌ଧାରଣାକୁ ଦୂର କରିବାକୁ ମୁଁ ଖୋଲାଖୋଲି ଭାବେ ନିର୍ଲ୍ଲଜ ପରି କହଲି‚ ‘ଆପଣ ଜଣେ ଭଦ୍ର ବ୍ୟକ୍ତି । କିଛି କିଛି ଖରାପ ଭାବିବେ ନାହିଁ…’ ମୁଁ ଝରକା ବାଟେ ପରିସ୍ରା କରିବାକୁ ଇଚ୍ଛା କରିଛି ।’ ତହସିଲଦାର କହିଲେ‚ ‘ପାଟି ବନ୍ଦ କର । ତମ ପରି ଗୋଟିଏ ଅଜବ ଲୋକକୁ ମୁଁ କଦାପି କୌଣସି କ୍ୟାମ୍ପକୁ ନେବି ନାହିଁ…’ ମୁଁ ଅଣାୟତ୍ତ ହୋଇ ପଡ଼ିଲିଣି । ତେଣୁ କଥାଟି ମତେ ଅସୁନ୍ଦର ହେଲେ ସୁଦ୍ଧା ଝରକା ଖୋଲି ଟେବୁଲ ଉପରେ ଠିଆ ହୋଇ ପରିସ୍ରା କରିବାରେ ଲାଗିଲି । କାମ ଅଧା ହୋଇଥିବା ବେଳେ ଦେଖିଲି ଯେ‚ କେହି ଜଣେ ଝରକା ଆଡ଼କୁ ଆସୁଛି । ସେ ଦେହସାରା‚ ଏମିତିକି ମୁହଁର ପ୍ରାୟ ସବୁ ଅଂଶ‚ ପାଛୁଡ଼ିରେ ଘୋଡ଼ାଇଥିବା ଯୋଗୁଁ ତାକୁ ଭଲଭାବେ ଚିହ୍ନି ହେଉ ନ ଥାଏ । ତା’ ହାତରେ ଗୋଟିଏ ବଡ଼ ଠେଙ୍ଗା ଥାଏ । ମୁଁ ଡରିଗଲି । (ପରେ ଅବଶ୍ୟ ମୁଁ ଜାଣିଲି ଯେ ସେ ରାସ୍ତାରୁ କୁକୁର‚ ବିଲୁଆ ଇତ୍ୟାଦି ଘଉଡ଼ାଇବା ପାଇଁ ସେ ଠେଙ୍ଗା ଧରିଥିଲା । ତହସିଲଦାରଙ୍କୁ ପିଟିବା ପାଇଁ ନୁହେଁ) । ମୁଁ ଅଧ ପରିସ୍ରାରେ ଜନେନ୍ଦ୍ରିୟକୁ ଝରକା ଭିତରକୁ ନେଇ ଆସିଲି । ତେଣୁ ପରିସ୍ରା ଧାରରେ ସେ ଘରେ ଥିବା କେତେକ ରେକର୍ଡ଼ ପତ୍ର ଧୋଇ ହୋଇଗଲା । ତା’ପରେ ଝରକାଟି ବନ୍ଦ କରିବା ବେଳେ ଲୋକଟି ଝରକାର ଲୁହା ରେଲିଂକୁ ଭିଡ଼ି ଧରିଲା । ସେ ଭୋ ଭୋ କାନ୍ଦି କେତେକ ସୁନା-ଗହଣା (ବୋଧହୁଏ ତା’ ପାଖରେ ନଗଦ-ଟଙ୍କା ନଥିବା ଯୋଗୁଁ ତା’ର ସ୍ତ୍ରୀର ବେକରୁ ସେ ଏହି ଗହଣା ଆଣିଥିବ) ତହସିଲଦାରଙ୍କୁ ଦେଇ ଦେବା ପାଇଁ କହିଲା । ସେତେବେଳେ ମୁଁ ଜାଣିପାରିଲି ଯେ ଲୋକଟି ଜମିମାଲିକ‚ ହରିହର ମହାପାତ୍ର । ଠିକ୍‌ ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ତହସିଲଦାର ତାଙ୍କ ବିଛଣାରୁ ଆସି ତା’ର ସୁନାଗହଣା ଗୁଡ଼ିକ ଝରକା ବାହାରକୁ ଫୋପାଡ଼ି ଦେଲେ ଓ ଜବରଦସ୍ତି ଝରକା କବାଟ ବନ୍ଦ କରିବାରେ ଲାଗିଲେ । ଫଳରେ ଜମିମାଲିକର ଆଙ୍ଗୁଠି ଚାପି ହୋଇ ରକ୍ତସ୍ରାବ ହେଲା । ଲୋକଟି ଚିତ୍କାର କରି ରେଲିଂରୁ ହାତ ବାହାର କରିଦେଲା । ତା’ପରେ ଝରକା କବାଟ ବନ୍ଦ କରାଗଲା । ତହସିଲଦାର ଏହିସବୁ ଘଟଣା ପାଇଁ ମତେ ଦାୟୀ କଲେ । ମୁଁ ବିନୀତ ହୋଇ କ୍ଷମା ମାଗିବା ପରି କହିଲି ‘‘ଆଜ୍ଞା‚ ମୁଁ କ’ଣ କରିବି ? ପରିସ୍ରା ଜୋରରେ ମାଡ଼ିଲା’’ । ତହସିଲଦାର କ୍ଷୁବ୍‌ଧ ହୋଇ କହିଲେ‚ ‘ଗୋଟାଏ ଢାଳରେ ପରିସ୍ରା କରି ସେ ମୂତ‌ ପିଇଲ ନାହିଁ କାହିଁକି ? Urine Therapy ଜାଣିନାହଁ ? ...ଦେହରେ ବଳ ବଢ଼ିଥାନ୍ତା । ସବୁ ରୋଗ ଭଲ ହୋଇ ଯାଇଥା’ନ୍ତା ।’ ତହସିଲଦାର ତ ମୋ ମୁଣ୍ଡ ଉପରର ଲୋକ । ତାଙ୍କୁ କ’ଣ ବୋଲି ଉତ୍ତର ଦେବି ? ତେଣୁ ଶ୍ରୀରାଧାମାଧବଙ୍କୁ ଧ୍ୟ୍ୟାନ କଲି । କେମିତି ଶୀଘ୍ର ରାତି ପାହିଯିବ ଓ ମୁଁ ଏହି ବିପଦପୂର୍ଣ୍ଣ ଜାଗାରୁ ଜୀବନ ଧରି ବିଦାୟ ନେବି ।

ରାତି ଭଲଭାବେ ନପାହୁଣୁ ତହସିଲଦାର ମତେ ନିଦରୁ ଉଠାଇଲେ ଓ ବେଡ଼ିଂ ବନ୍ଧାବନ୍ଧି କରିବାକୁ କହିଲେ । ଏଠାରୁ ପ୍ରଥମ ବସ୍‌ରେ ଚାଲିଯିବା ପାଇଁ ସେ ଉଦ୍ଦେଶ୍ୟ ରଖିଛନ୍ତି । ସେତେବେଳେ ନିଦରେ ମୋ ମୁଣ୍ଡ ଝାଙ୍କି ହେଉଥାଏ । ତଥାପି ମଦୁଆମାନଙ୍କ ପରି ଅସଂଯତ ଭାବେ କାମ କରୁଥାଏ । ମୁଁ ବାବୁଲ ଗଛର ଡାଳ ଭାଙ୍ଗି ଦାନ୍ତକାଠି ଭାବେ ବ୍ୟବହାର କରେ । ତେଣୁ ଦାନ୍ତକାଠି ଆଣିବାକୁ ବିଲମାଳକୁ ଯିବା ପାଇଁ ଚାହିଁବାରୁ‚ କାଳେ ବିଳମ୍ବ ହୋଇଯିବ ବୋଲି ସନ୍ଦେହ କରି ତହସିଲଦାର ମତେ ମନା କରିଦେଲେ । ଅଫିସ୍‌ ଛାଡ଼ିବା ପୂର୍ବରୁ ମୋର ଗୋଟିଏ ଗୁରୁତର ବିଷୟ ମନେପଡ଼ୁଥାଏ; କାରଣ ଗତ ରାତିର ମୂତ୍ରଧାରାରେ ଆର୍‌‚ ଆଇ ଅଫିସ୍‌ର କେତେକ କାଗଜ ଧୋଇ ହୋଇ ଯାଇଥିଲା । ସେଗୁଡ଼ିକୁ ଖରାରେ ଶୁଖାଇବା ମୋର ନୈତିକ କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ସୂର୍ଯ୍ୟ ଉଦୟ ନ ହେଉଣୁ ଚାଲି ଯାଉଥିବା ଯୋଗୁଁ ମୁଁ କିଛି କରି ପାରୁ ନାହିଁ । ଅବଶ୍ୟ ଆର୍‌‚ ଆଇ‚ ଅଫିସ୍‌ର ପିଅନକୁ କହିଥିଲେ ସେ ଏହି କାମ କରି ପାରିଥା’ନ୍ତା । କିନ୍ତୁ ଏହି ଲଜ୍ଜାକର କଥାଟି କହିବାକୁ ମୋର ଜିଭ ଲେଉଟିଲା ନାହିଁ ।

 

ଶୀତ ଯୋଗୁଁ ହାତଗୋଡ଼ ଥରୁଥାଏ । ଦାନ୍ତରେ ଦାନ୍ତ ବାଜି ଥୁଡ଼ୁକୁ ଥାଏ । ସେତେବେଳେ ବସ୍‌ର ହର୍ଣ୍ଣ ଶୁଣି ତହସିଲଦାର ଓ ମୁଁ ଧାଇଁଲୁ ଏବଂ ଠିକ୍‌ ସମୟରେ ରାସ୍ତା ଉପରର ଛକଠାରେ ପହଞ୍ଚିଲୁ । କିନ୍ତୁ ଗାଡ଼ିରେ ଏତେ ଭିଡ଼ ଥିଲା ଯେ ଆମେ ହାତ ଉଠାଇଲେ ମଧ୍ୟ ଡ୍ରାଇଭର ଗାଡ଼ି ରଖିଲା ନାହିଁ । ତେଣୁ ପରବର୍ତ୍ତୀ ଗାଡ଼ିକୁ ଅପେକ୍ଷା କଲୁ । କ୍ରମଶଃ ବିଭିନ୍ନ ପ୍ରକାର ଲୋକ ସେଠାକାର ହୋଟେଲରେ ଜଳଖିଆ ଖାଇବା ଓ ଖରା ଉପଭୋଗ କରିବାକୁ ସେ ଛକକୁ ଆସିଲେ । ସେମାନଙ୍କ ମଧ୍ୟରୁ କେତେ ଜଣ ଭଲମନ୍ଦ ଜାଣିବାକୁ ଆମକୁ ନାନା ରକମର ପ୍ରଶ୍ନ ପଚାରନ୍ତି । ସେମାନଙ୍କ ପ୍ରଶ୍ନର ଉତ୍ତର ତହସିଲଦାର ଦିଅନ୍ତି ନାହିଁ; ବୋଧହୁଏ ଭୟରୁ । କିନ୍ତୁ ମୁଁ ଉତ୍ତର ନ ଦେବାର କାରଣ ଭୟ ନୁହେଁ–ଦାନ୍ତ ଘଷି ନ ଥିବାରୁ ପାଟି ଗନ୍ଧାଇବ ବୋଲି ମୁଁ ଚୁପ୍‌ ରହିଥାଏ । ଅଳ୍ପ ସମୟ ମଧ୍ୟରେ ଆଉ ଗୋଟିଏ ଗାଡ଼ି ଆସିଗଲା । ଅମେ ସେ ବସ୍‌ ଧରିଲୁ । ତା’ପରେ ଆଉ ତିନୋଟି ଜାଗା ଗସ୍ତ କରି ପ୍ରାୟ ଛଅଦିନ ପରେ ରାତିସାତଟା ବେଳେ ଗୋବିନ୍ଦପୁରରେ ପହଞ୍ଚିଲୁ । ମୁଁ ଘରେ ପାଦ ଦେବା ପୂର୍ବରୁ ଦାଣ୍ଡରୁ ଦେଖିଲି ଯେ ମୋ ଘରେ ଘନ ଘନ ହୁଳହୁଳି ଓ କରତାଳି ଶୁଭୁଛି । ସେତେବେଳେ ମୋର ମନେ ହେଲା‚ ଇତ୍ୟବସରରେ ମୋର ଅନୁପସ୍ଥିତରେ ହୁଏତ କେହି ମୋ ଘରକୁ ତା’ର ଅଧିକାରଭୁକ୍ତ କରି ମୋ ପିଲାମାନଙ୍କୁ ଘରୁ ବାହାର କରି‚ ବିଜୟ-ଦିବସ ପାଳନ କରୁଛି । ତା’ପରେ ବଡ଼ ଭୟ ଓ ଆଶ୍ଚର୍ଯ୍ୟରେ ବାରଣ୍ଡାରେ ପାଦ ଦେଲି । ଦେଖିଲି ଯେ ଦାଣ୍ଡ ଘରେ ମୋ ଜିନିଷ ପତ୍ର ଠିକ୍‌ ଠାକ୍‌ ଅଛି । ତାହାହେଲେ ଏମିତି ଅପ୍ରତ୍ୟାଶିତ ଭାବେ ମୋ ଘରେ ଭୋଜିଭାତ କାହିଁକି ଚାଲିଛି ? ମତେ କିଛି ବୁଝା ପଡ଼ିଲା ନାହିଁ । ସାଧାରଣତଃ ବତୀ ପାଖରେ ଠିଆ ହେଲେ ଛାୟା ସୃଷ୍ଟି ହୋଇଥାଏ । କିନ୍ତୁ ଆମ ଦାଣ୍ଡ ଘରର ଚାରି କାନ୍ଥରେ ଏତେ ଗୁଡ଼ିଏ ଶକ୍ତିଶାଳୀ ବିଜୁଳିବତୀ ଜଳୁଥିଲା ଯେ‚ ସେ ଘର ମଝିରେ ଠିଆ ହେଲେ ମଧ୍ୟ କେଉଁଠାରେ ଛାଇ ଟିକିଏ ଦେଖାଯାଏ ନାହିଁ । ଘର ମଝିରେ ମାଇପିମାନଙ୍କର ହାସ୍ୟରୋଳ ଶୁଣି ମୁଁ ଅବାକ୍‌ ହେଇଗଲି । ଉପସ୍ଥିତ ମହିଳାମାନଙ୍କୁ ଖାତିର୍‌ ନ କରି ଘର ଭିତରକୁ ହୁଙ୍କାପିଟା ପରି ପଶିଯିବାକୁ ଉଚିତ୍‌ ମଣିଲି ନାହିଁ । ଏମିତି ସମୟରେ ଜ୍ୟୋତ୍ସ୍ନା ମୋ ଆଖିରେ ପଡ଼ିଲା । ସେ ତା’ ଲୁଗାର କାନିକୁ ଅଣ୍ଟାରେ ଖୁଞ୍ଚି ଏ ବଖରାକୁ ସେ ବଖରାକୁ ବିଭିନ୍ନ କାମ କରିବା ପାଇଁ ଧାଉଁଥାଏ । ମୁଁ ତାକୁ ଦାଣ୍ଡ ବଖରାରୁ ଡାକି ଆଶ୍ଚର୍ଯ୍ୟରେ ପଚାରିଲି‚ “...ଏସବୁ ଭୋଜିଭାତ‚ ପିଠାପଣା କାହିଁକି ହେଉଛି ? …’ ସେ କହିଲା‚ ‘...ତମକୁ ଆଗରୁ ନୋଟିସ୍‌ ଦେଇ ଝିଅ ରଜସ୍ୱଳା ହୋଇଥା’ନ୍ତା ବୋଲି କ’ଣ ଭାବୁଛ କି ?’ ସେତେବେଳେ ମୋ ମୁଣ୍ଡରେ ଚେତା ପଶିଲା ଯେ ରୁଲି ଏବେ ଯୁବତୀ ହୋଇଛି । ପ୍ୟାଣ୍ଟ ସାର୍ଟ ଖୋଲି ଗମ୍ଭୀର (ଅନ୍ତଃପୁର)-ଘରର ହ୍ୟାଙ୍ଗର୍‌ରେ ଲୁଗା ଝୁଲାଇବା ପାଇଁ ଯିବା ବେଳେ‚ ଜ୍ୟୋତ୍ସ୍ନା ମତେ ବାଧା ଦେଇ କହିଲା‚ ‘ଝିଅ ଉପରେ ପୁରୁଷର ଛାଇ ପଡ଼ିବାକୁ ହେବ ନାହିଁ । ସେ ଦାଣ୍ଡଘରେ ବସିଛି ।’ ତେଣୁ ବାଧ୍ୟ ହୋଇ ବଜାର ପଟେ କିଛି ସମୟ ପାଇଁ ବୁଲାବୁଲି କରିବାକୁ ବାହାରିଲି । ଯିବାବେଳେ ପଛପଟୁ ଜ୍ୟୋତ୍ସ୍ନା ଡାକି କହିଲା‚ ‘ଶୀଘ୍ର ରସଗୋଲା ଧରି ଆସିବ । ଭୋଜି ପାଇଁ….’ ମୁଁ ତା’ର ଦାବିକୁ ସମ୍ମତ ଜଣାଇ କିଛି ରାସ୍ତା ଯିବା ପରେ ମନକୁ ମନ ପ୍ରଶ୍ନ କଲି କେତେଗୋଟି ରସଗୋଲା କିଣିବି । ଆମ ବାରଣ୍ଡାରେ ଯେତିକି ଲେଡ଼ୀ ଜୋତା ଜମା ହୋଇଥିଲା‚ ତାକୁ ହିସାବ କରି ଯଦି ରସଗୋଲା କିଣିବି ତାହାହେଲେ ମୋର ମାସକର ଦରମା ନଅଣ୍ଟ ହେବ । ଏହି ସମ୍ପର୍କରେ ମୁଁ ଯେତେବେଳେ ସିରିଅସ୍‌ ଭାବେ ଭାବିଲି‚ ମୋ ମୁଣ୍ଡ ଗୋଳମାଳିଆ ହୋଇଗଲା । ପ୍ରକୃତରେ ମୋ ଦରମା ଏତେ କମ୍‌ ଯେ, ସେଥିରେ ଭଦ୍ରମହିଳାମାନଙ୍କୁ ଜଳଖିଆରେ ମିଠା ହିସାବରେ ରସଗୋଲା ନ ଦେଇ ବେଶୀ ଚକ୍‌ଲେଟ୍‌ ଦେବା ଯଥାର୍ଥ ହେବ । ମୁଁ ଆଉ କିଛି ଉପାୟ ନ ପାଇ‚ ବଜାରଆଡ଼ୁ ମୁହଁ ବୁଲାଇ ନେଇ ବାହାରି ରୋଡ଼୍‌ ଆଡ଼କୁ ଯାତ୍ରା କଲି । ସେଠାରେ ଏତେ ଗଭୀର ରାତିରେ ପ୍ରାୟ କେହି ନଥା’ନ୍ତି । ଗୋଟିଏ ପୋଲ୍‌ର ସିମେଣ୍ଟ କାନ୍ଥରେ ବସି କେତେ ସମୟ କଟାଇବା ପରେ ଘରକୁ ଫେରିଲି । ରାସ୍ତାରେ ଭାବୁଥାଏ ସେ ନିମନ୍ତ୍ରିତ ଭଦ୍ର ମହିଳାମାନେ ରସଗୋଲା ଖାଇବାକୁ ଆଶା କରି ହୁଏତ କିଛି ସମୟ ଲାଳ ଗଡ଼ାଇ ମତେ ଅପେକ୍ଷା କରି ରହିଥିବେ ।

 

ରୁଲି ଯୁବତୀ ହେବା ପରେ ମତେ ଓ ଜ୍ୟୋତ୍ସ୍ନାକୁ ନୂଆ ଚିନ୍ତା ମାଡ଼ି ବସିଲା । ତା’ର ବିବାହଯୋଗ୍ୟ ବୟସ ହେଲାଣି । ତା’ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା ବାପା ମା’ ହିସାବରେ ଆମର ଦାୟିତ୍ଵ ରହିଛି । ମୁଁ ଆଖି ବୁଲାଉ ବୁଲାଉ ପ୍ରାୟ ଦୁଇବର୍ଷ ପରେ ଗୋଟିଏ ମନୋନୀତ ବରର ସନ୍ଧାନ ପାଇଲି । ଉକ୍ତ ଜୋଇଁ ପୁଅର ନାମ ଇନ୍ଦ୍ରଜିତ । ଏହି ଯୁଗକୁ ଦେଖିଲେ‚ ସେ ବିଶେଷ ପଢ଼ାପଢ଼ି କରି ନାହିଁ ଆଜକୁ ପ୍ରାୟ ସାତ ଆଠ ବର୍ଷ ପୂର୍ବେ ମାଟ୍ରିକ ପରୀକ୍ଷା କମ୍ଫାର୍ଟ ମେଣ୍ଟାଲରେ ପାଶ୍‌ କରିବା ପରେ ସେ ପଢ଼ାପଢ଼ି ଛାଡ଼ି ଦେଇ ବ୍ୟବସାୟ କରୁଛି । ଧାନ ଚାଉଳ କାରବାର କରେ । ତା’ର ପାଞ୍ଚ ଏକର କେନାଲ ଜଳସେଚିତ ଜମି ଅଛି । ସେଥିରେ ପ୍ରତି ବର୍ଷ ତିନିଥର ଧାନ ଫସଲ ହୁଏ । ଇନ୍ଦ୍ରଜିତର ବହୁତ ଭାଇ ଭଉଣୀ ଥିବାରୁ ରୁଲି ଉପରେ ବହୁତ ଜଞ୍ଜାଳ ପଡ଼ିପାରେ । ତଥାପି ଜୋଇଁ-ପୁଅର ପୁରୁଷପଣ ଯୋଗୁଁ ଗୋଟିଏ ବହୁକୁଟୁମ୍ବୀ ଘରେ ଝିଅ ଦେବା ପାଇଁ ମୁଁ ପଛଘୁଞ୍ଚା ଦେଲି ନାହି । ପ୍ରକୃତରେ‚ ଗତ ପାଞ୍ଚ ସାତ ବର୍ଷ ମଧ୍ୟରେ ସେ ବ୍ୟବସାୟ ଯୋଗୁଁ ଯଥେଷ୍ଟ ଲାଭବାନ୍‌ ହୋଇଛି । ଗାଁରେ ଖଣ୍ଡେ ଘରଡ଼ିହ କିଣିଛି । ଘର ତିଆରି କରିବାକୁ ପ୍ରାୟ ଦଶହଜାର କମ୍ପାନୀ-ଇଟା ଗଦାକରି ଦୁଇ ବର୍ଷ ହେଲା ରଖିଛି । ତାହା ବର୍ଷାରେ ଭିଜି ଭିଜି ବେଶ ଶକ୍ତ ହୋଇଗଲାଣି । ଲୁହା ଛଡ଼ ମଧ୍ୟ ଆବଶ୍ୟକୀୟ ପରିମାଣରେ ମହଜୁଦ କର ରଖିଲାଣି-। କେବଳ ସିମେଣ୍ଟ କଣ୍ଟ୍ରୋଲ ହୋଇଥିବା ଯୋଗୁଁ ସେ ସିମେଣ୍ଟ ଆଣିପାରୁନାହି ଓ ଘର ତିଆରି କାମ ଆରମ୍ଭ କରିପାରୁ ନାହିଁ । ବିବାହ ସ୍ଥିର କରିବା ପୂର୍ବରୁ ଯେତେବେଳେ ଜୋଇଁ ଦେଖିବାକୁ ତାଙ୍କ ଗାଁକୁ ଯାଇଥିଲି‚ ସେତେବେଳେ ଶାଳ ଓ ପିଆଶାଳର କାଠରେ ଦ୍ଵାରବନ୍ଧ ଓ କବାଟ କାମ ଚାଲିଥିଲା । ପ୍ରକୃତରେ‚ ମୁଁ ଜୋଇଁ ପ୍ରତି ବଡ଼ ସନ୍ତୁଷ୍ଟ ହୋଇଗଲି । ତାର ହାତ ଧରିଲେ ମୋ ଝିଅ ସର୍ବସ୍ୱାଚ୍ଛନ୍ଦ୍ୟରେ ରହିବ ବୋଲି ମୋର ଦୃଢ଼ ବିଶ୍ଵାସ ହେଲା ।

 

ବୈଶାଖ ମାସରେ ରୁଲିର ବାହାଘର ହେଲା । ଆମର ପ୍ରଥା ଅନୁଯାୟୀ ଝିଅ ପ୍ରଥମ ଥର ଶାଶୁ ଘରକୁ ଯିବା ବେଳେ ତା’ ସହିତ ବାପା କିମ୍ବା ମା’ ଯିବେ ନାହିଁ । ତେଣୁ ମୁଁ ଝିଅକୁ ଛାଡ଼ିବା ପାଇଁ ଯାଇ ନ ଥିଲି । କିନ୍ତୁ ମୋର ନିକଟ ସମ୍ପର୍କୀୟ କେତେକ ଲୋକ କନ୍ୟା ଯାତ୍ରୀ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଯୌତୁକ ତାଲିକା ସମୁଧିଙ୍କୁ ଦେବା ପାଇଁ ମୁଁ କହିଥିଲି । ବାହାଘରର ପରଦିନ ସେମାନେ ଯେତେବେଳେ ଲିଷ୍ଟ୍‌ ଅନୁସାରେ ଗୋଟି ଗୋଟି କରି ଯୌତୁକ ସାମଗ୍ରୀ ଗଣିବାକୁ ସମୁଧିଙ୍କୁ ଡାକିଲେ‚ ସେ ପୁରାପୁରି ମନା କରିଦେଲେ ଏବଂ କହିଲେ ଯେ ତାଙ୍କର ଯୌତୁକକୁ ମନ ପାଉ ନ ଥିବାରୁ ସେ ସବୁ ଜିନିଷ ଫେରସ୍ତ କରିଦେବାକୁ ଚାହୁଁଛନ୍ତି । ସେ ପୁଣି କହିଲେ ଯେ ପୂର୍ବରୁ ଯଦି ସେ ଯୌତୁକ ସାମଗ୍ରୀଗୁଡ଼ିକ ଏତେ ହୀନ ଓ ତୁଚ୍ଛ ବୋଲି ଜାଣିଥା’ନ୍ତେ‚ ତାହାହେଲେ ବୋହୁକୁ ଘରର ଏରୁଣ୍ଡି ଡିଆଁଇ ଦେଇ ନ ଥା’ନ୍ତେ ।

 

ଝିଅ ଛାଡ଼ି ବଧୁବାନ୍ଧବମାନେ ମୋ ଆଗରେ ସମୁଧିଙ୍କର ତୀବ୍ର ବାକ୍ୟ ଓ ଆକ୍ଷେପମାନ ବର୍ଣ୍ଣନା କଲେ । ଜ୍ୟୋତ୍ସ୍ନା ମଧ୍ୟ ଏହିସବୁ ଅପମାନଜନକ ବିଷୟମାନ ଶୁଣିଲା । ସେତେବେଳେ ଆମେ ଅନୁଭବ କଲୁ ଯେ ପର୍ବତ ପରି ଗୋଟିଏ ବୋଝ ଆମ ମୁଣ୍ଡ ଉପରେ ଲଦି ହୋଇଗଲା । ରୁଲିର ଶାଶୁଘର ଏଠାରୁ ଛଅ ମାଇଲ ଦୂରରେ । ସେଠାକୁ ବସ୍‌ ଯୋଗାଯୋଗ ଅଛି । କିନ୍ତୁ ବସ୍‌କୁ ଅପେକ୍ଷା କରିବାକୁ ମୋର ମନ ବଳିଲା ନାହିଁ । ଗୋଟିଏ ରିକ୍‌ସା ଭଡ଼ା କଲି । ସାଙ୍ଗରେ ଜଣେ ସମ୍ପର୍କୀୟ ଭଦ୍ରବ୍ୟକ୍ତିଙ୍କୁ ମଧ୍ୟ ନେଲି । ଆମେ ଘରୁ ବାହାରିବା ବେଳେ ଜ୍ୟୋତ୍ସ୍ନା ମତେ କାନେ କାନେ କହିଥାଏ; ‘ଝିଅ ନେବା ଲୋକ ବଡ଼ । ଝିଅ ଦେବା ଲୋକ ସାନ । ତେଣୁ ସମୁଧି ଯାହା କହିଲେ ମଧ୍ୟ ସହିଯିବ ।’

 

ଆମେ ସେ ଗାଁ ମୁଣ୍ଡରେ ପହଁଞ୍ଚିବା ବେଳେ ସକାଳ ଆଠଟା ହେଲା । ଗାଁର ମଝି ଦାଣ୍ଡରେ ରିକ୍‌ସା ନେବା ସମ୍ଭବ ନ ଥିଲା‚ କାରଣ ପ୍ରାୟ ପ୍ରତ୍ୟେକଙ୍କ ଘର ଆଗରେ ଗୋଟିଏ ଗୋଟିଏ ଧାନ ଖଣି ପଡ଼ିଥିଲା ଏବଂ ଅନ୍ୟ କେତେକ ସ୍ଥାନରେ ଗାଈ‚ ଗୋରୁ‚ ପୋଢ଼ୁଅ ଇତ୍ୟାଦି ଖୁଣ୍ଟିରେ ବାନ୍ଧି ରଖା ଯାଇଥିଲା । ତେଣୁ ରିକ୍‌ସାକୁ ଗାଁ ବାହାରେ ଜଗାଇ ଆମେ ସମୁଧିଘର ଆଡ଼କୁ ଗଲୁ । ଅଭିଯୁକ୍ତ ମନ୍ତ୍ରୀମାନେ ତଦନ୍ତକମିଶନକୁ ଯିବାବେଳେ ସେମାନଙ୍କର ଯେମିତି ମୁହଁ ଫିକା ପଡ଼ିଯାଏ‚ ସମୁଧିଙ୍କ ଘରେ ପାଦ ଦେବା ବେଳେ ମୋର ଅବସ୍ଥା ଠିକ୍‌ ସେମିତି । ସେତେବେଳେ ଜଣେ ଦୁଇ ଜଣ ଲୋକ ଦାଣ୍ଡଘରେ ରୁଲି ଆଣିଥିବା ନଡ଼ିଆ ଭାଙ୍ଗି ଖଣ୍ଡ ଖଣ୍ଡ କରୁଥା’ନ୍ତି । ଆମର ଏଠାରେ ଗୋଟିଏ ପରମ୍ପରା ରହିଛି ଯେ ଝିଅ ଯେତେବେଳେ ଶାଶୁଘରକୁ ଯିବ‚ ସେ ସାଥିରେ ନେଇଥିବା ନଡ଼ିଆ‚ କଦଳୀ‚ ଉଖୁଡ଼ା‚ ଖଜା‚ ପାମ୍ପଡ଼ ଇତ୍ୟାଦି ଗାଁର ସମସ୍ତ ପରିବାରକୁ କିଛି କିଛି ବାଣ୍ଟିବାକୁ ପଡ଼ିବ । ଏହି ଦାଣ୍ଡ-ସୁନ୍ଦର ପ୍ରତି ଆଖି ଲାଖି ମୁଁ ରୁଲିର ଯୌତୁକରେ ଦୁଇ ବସ୍ତା ନଡ଼ିଆ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲି । ସମୁଧିଙ୍କ ଅନୁସାରେ‚ ସେଥିରୁ କେତେକ ନଡ଼ିଆ ପାକଳ ହୋଇ ନ ଥିବା ଯୋଗୁ ପଇଡ଼ ଅବସ୍ଥାରେ ଥିଲା; କେତେକ ନଡ଼ିଆ ଭିତରେ ଭୁତ ପଶି ପାଣି ଓ ସର ଖାଇଦେବା ଯୋଗୁଁ ନଡ଼ିଆର ଗୋଟା ଖୋଳପାଟି ବ୍ୟତୀତ ଅନ୍ୟ କିଛି ରହି ନ ଥିଲା; ଆଉ କେତେକ ନଡ଼ିଆ ପଚି ଯାଇଥିବାରୁ ତାକୁ ପଥରରେ ବାଡ଼େଇବା ମାତ୍ରେ ପୁଜ ପରି ମଇଳା ଓ ବହଳ ପାଣି ପିଚ୍‍କିନା ବାହାରିଲା । ମୋ ନଡ଼ିଆଗୁଡ଼ିକ ସମ୍ପର୍କରେ ସମୁଧିଙ୍କର ଉପରୋକ୍ତ ମନ୍ତବ୍ୟ ଶୁଣି ମତେ ବଡ଼ ଦୁଃଖ ଲାଗିଲା । ଖରାପ ନଡ଼ିଆକୁ ଭିତ୍ତି କରି ସେ ମତେ ଗାଳିଦେବା ସୁନ୍ଦର ହୋଇ ନାହିଁ । ପ୍ରକୃତରେ ସବୁ ନଡ଼ିଆକ୍ରେତାଙ୍କ ଭାଗ୍ୟରେ ଊଣାଅଧିକେ ଏମିତି ବିପର୍ଯ୍ୟୟ ଘଟିଥାଏ । ସମୁଧି ତୁଚ୍ଛାରେ ଏହି ବିଷୟଟିକୁ ଅତି ଗୁରୁତ୍ୱଦେଇ ମତେ ରାଗରେ କହିଲେ‚ ‘କିହୋ ! ମୁଁ ଗାଁରେ ନଡ଼ିଆ ବାଣ୍ଟିବି ନା ସଢ଼େଇ ବାଣ୍ଟିବି ?’ ମୁଁ ଆଉ କିଛି ନ କହି ଚୁପ୍‌ ରହିଲି ଏବଂ ଭାବିଲି ଯେ ଏହି ଘଟଣାରୁ ସବୁ କନ୍ୟା ପିଲାମାନେ ଗୋଟିଏ ବିଷୟ ଶିଖିବା ଉଚିତ-ସେମାନେ ସେମାନଙ୍କର ଝିଅକୁ ଶାଶୁଘରକୁ ଛାଡ଼ିବା ବେଳେ ଆଉ ଗୋଟା ନଡ଼ିଆ ନ ଦେଇ‚ ନଡ଼ିଆ-ଖଣ୍ଡ ଦେବା ଉଚିତ । ମୁଁ ପ୍ରତିଜ୍ଞା କରୁଛି ଯେ‚ ମୋ ସାନ ଝିଅ ଇତିଶ୍ରୀର ଯୌତୁକରେ ମୁଁ କତାଥିବା ଗୋଟା ନଡ଼ିଆ ନ ଦେଇ ନଡ଼ିଆ-ଖଣ୍ଡ ଦେବି । ତାହାହେଲେ କେବଳ ଭଲ ନଡ଼ିଆ ଦେଇ ହେବ ।

 

Unknown

ଅଳ୍ପ ସମୟ ମଧ୍ୟରେ ସମୁଧି ଆଉ ଗୋଟିଏ ବିଷୟ ଉଠାଇଲେ । ଜୋଇଁ ପୁଅ ବାବୁ ଇନ୍ଦ୍ରଜିତକୁ ରୁଲିର ରେଡ଼ିଓ ସେଟ୍‌ଟି ଆଣିବାକୁ କହିଲେ । ତାଙ୍କର ଆଦେଶ ଅନୁଯାୟୀ ତୁରନ୍ତ ରେଡ଼ିଓଟି ଅଣାଗଲା । ଏହି ରେଡ଼ିଓର ଇତିହାସ ସମ୍ପର୍କରେ ମୁଁ କିଛି ସୁଚାଉଛି । ରୁଲି ସେତେବେଳେ ସ୍କୁଲରେ ପଢ଼ୁଥାଏ । ଦୈନିକ ଖବରକାଗଜରେ ‘ଶସ୍ତାରେ ରେଡ଼ିଓ କିଣି ଲାଭବାନ ହୁଅନ୍ତୁ’ ଶିରୋନାମାରେ ବିଭିନ୍ନ ଠକ କମ୍ପାନୀ ତରଫରୁ ବିଜ୍ଞାପନ ବାହାରିଥାଏ । ସେଥିରେ ସାଧାରଣତଃ ଗୋଟିଏ ଗୋଲକଧନ୍ଦା ସମାଧାନ କରିବାକୁ ପଚରାଯାଇଥାଏ । ଦିଆ ଯାଇଥିବା ଘରାଟିର ଗୋଟିଏ ସ୍ଥାନରେ ଅଙ୍କଟିଏ ଲେଖି ଶୂନ୍ୟସ୍ଥାନ ପୂର୍ଣ୍ଣ କରିବାକୁ ପଡ଼େ । ଏହା ଖୁବ୍‌ ସହଜ ଓ ସାମାନ୍ୟ ମୁଣ୍ଡ ଖେଳାଇଲେ ଉତ୍ତର ଜାଣିହେବ । ରୁଲି ସ୍କୁଲରେ ପଢ଼ୁଥିବା ବେଳେ ଏହି ଗୋଲକଧନ୍ଦାର ଉତ୍ତର ଲେଖି ରେଡ଼ିଓ କମ୍ପାନୀ ପାଖକୁ ପଠାଇଲା । ସାତ ଦିନ ମଧ୍ୟରେ ତା’ର ଉତ୍ତର ଠିକ୍‌ ହୋଇଥିବା ଯୋଗୁଁ ସେ ପୁରସ୍କାର ପାଇଛି ବୋଲି କମ୍ପାନୀ ତରଫରୁ ଉତ୍ତର ଆସିଲା-। ରୁଲିର ଆନନ୍ଦ କହିଲେ ନ ସରେ । କିନ୍ତୁ କମ୍ପାନୀର ଚିଠିରେ ଲେଖା ଯାଇଥିଲା ଯେ ପାର୍ସଲ ଓ ପ୍ୟାକିଂ ଖର୍ଚ୍ଚ ପାଇଁ ଚାଳିଶଟଙ୍କା ମନିଅର୍ଡ଼ର କଲେ‚ ରେଡ଼ିଓ ପଠାଯିବ । ରୁଲି ତା’ର ବୋଉକୁ ଚିଠିଟି ଦେଖାଇଲା । ମତେ ଏହି ବିଷୟରେ ଜଣାଇଥିଲେ ମୁଁ ଟଙ୍କା ପଠାଇବାକୁ ସିଧାସଳଖ ମନା କରିଥା’ନ୍ତି କିନ୍ତୁ ମା’ ଝିଅ ଗୋପନରେ ଚାଳିଶ ଟଙ୍କା ମନଅର୍ଡ଼ର କରିଦେଲେ । ପ୍ରାୟ ଦୁଇ ସପ୍ତାହ ମଧ୍ୟରେ କମ୍ପାନୀ ତରଫରୁ ପାର୍ସଲ ଆସିଗଲା । ବର୍ତ୍ତମାନ ଆଉ ଶହେ ଟଙ୍କା ପୋଷ୍ଟମ୍ୟାନ୍‌କୁ ଦେଇ ପାର୍ସଲ ଉଦ୍ଧାର କରିବାକୁ ହେବ ବୋଲି ସେହି ପାର୍ସଲରେ ଉଲ୍ଲେଖ କରାଯାଇଛି-। ସେତେବେଳେ ମା-ଝିଅ ମତେ ଏହି ବିଷୟରେ ଜଣାଇଲେ । ପୋଷ୍ଟମ୍ୟାନ୍‌କୁ ମନା କରିଦେବାକୁ ଉପାୟ ନାହିଁ କାରଣ ସେମିତି କଲେ‚ ମା-ଝିଅ ଆଗରୁ ମନିଅର୍ଡ଼ର କରିଥିବା ଚାଳିଶଟଙ୍କା ପାଣିରେ ପଡ଼ିଯିବ । ତେଣୁ ମୁଣ୍ଡ ଆଉଁସି ଶହେ ଟଙ୍କା ଗଣି ପାର୍ସଲ ରଖିଲି । ଏହା ଗୋଟିଏ ଦେଶୀ ଇଲେକ୍‌ଟ୍ରିକ୍‌ ରେଡ଼ିଓ ସେଟ୍‍ । ଦଶ ପନ୍ଦର ଦିନ ଯାଏଁ ତା’ର ସୁର ଓ ଝଙ୍କାରରେ ସାହିପଡ଼ିଶା ଚମକିଲା । ସମସ୍ତେ ଜାଣିଲେ ଯେ ଅମେ ନୂଆଁରେ ଗୋଟିଏ ରେଡ଼ିଓ କଣିଲୁ । କିନ୍ତୁ ତା’ପରେ ଆଉ ରେଡ଼ିଓ ବାଜିଲା ନାହିଁ । ରୁଲି ସିନା ପିଲା ବୋଲି ଜାଣି ପାରିଲା ନାହିଁ । କିନ୍ତୁ ତା’ର ବୋଉ ତ ଦରବୁଢ଼ୀ ହେଲାଣି । ସେ କ’ଣ ଜାଣି ନାହିଁ ଯେ ଶସ୍ତାରୁ ହୀନସ୍ତା ହେବାକୁ ପଡ଼େ-। ରେଡ଼ିଓଟି ଧରି ରିକ୍‌ସାରେ ଗୋଟିଏ ବିଶ୍ଵସ୍ତ ଖ୍ରୀଷ୍ଟିଆନ ରେଡ଼ିଓ–ମେକାନିକ ପାଖକୁ ଗଲି । ସେ ସଂକ୍ଷିପ୍ତ ଭାବେ ବ୍ୟଙ୍ଗ କରି କହିଲା‚ ‘ଛିଃ । Toy Radio’ ତା’ପରେ ମୋ ଠାରୁ ତିରିଶି ଟଙ୍କା ନେଇ ମରାମତି କରିଦେଲା । ମୁଁ ଜାଣିଛି ଯେ‚ କାର୍‌‚ ରେଡ଼ିଓ‚ ଘଡ଼ି‚ ଫ୍ୟାନ୍‌ ଇତ୍ୟାଦି ଥରେ ମରାମତି ପାଇଁ ଗଲେ‚ ସେଗୁଡ଼ିକୁ ନିଜ ପାଖରେ ରଖି ଖର୍ଚ୍ଚାନ୍ତ ହେବା ଅପେକ୍ଷା ଅକୁଣ୍ଠିତ ଚିତ୍ତରେ କୌଣସି ଶୁଦ୍ଧ ବ୍ରାହ୍ମଣକୁ ଜନ୍ମ ଦକ୍ଷିଣା ସହିତ ଦାନ କରିଦେବା ଉଚିତ୍‌ । ଯାହାହେଉ‚ ମରାମତି ହେବା ପରେ ରେଡ଼ିଓଟି ଆଉ ନ ବଜାଇ ଆଲମାରୀରେ ସାଇତି ରଖିଲି । ରୁଲି ଶାଶୁଘରକୁ ଆସିବା ବେଳେ ଏହି ରେଡ଼ିଓଟି ଯୌତୁକରେ ଦିଆଯାଇଥିଲା । ବର୍ତ୍ତମାନ ସମୁଧିଙ୍କର ଆଦେଶ ପାଇ ବାବୁ ଇନ୍ଦ୍ରଜିତ ଉକ୍ତ ରେଡ଼ିଓ ସେଟ୍‌ଟି ଆଣିଲା ଓ ପ୍ଲଗ୍‌ ଲଗାଇ ବିଦ୍ୟୁତ ସହିତ ସଂଯୋଗ କଲା । ତା’ପରେ ରେଡ଼ିଓରୁ ଅତି ବିକ୍ତୃତ ଭାବେ ଗାନା ଆସିଲା–ସତେ ଯେମିତି ଗାୟକ ଗାୟିକାର କିଏ ତଣ୍ଟି ଚିପି ଧରିବା ଯୋଗୁଁ ସେମାନେ ଗଁ ଗଁ ହେଉଛନ୍ତି । କିଛି ସମୟ ମଧ୍ୟରେ ରେଡ଼ିଓରୁ ପୋଡ଼ା ଗନ୍ଧ ବାହାରିଲା । ତା’ପରେ ହଠାତ ଘରେ ବୁଲୁଥିବା ଫ୍ୟାନ୍‌ ବନ୍ଦ ହୋଇଗଲା । ଆମେ ଜାଣିଲୁ ଯେ‚ ରେଡ଼ିଓ ଯୋଗୁଁ ଫ୍ୟୁଜ୍‌ ଉଡ଼ିଗଲା । ଘରର ମେନ୍‌ ସୁଇଚ୍‌ ଚେକ୍‌ କରିବା ପରେ ଜଣାଗଲା ଯେ ତା’ ଠିକ୍‌ ଅଛି । ତାହାହେଲେ ପୋଲରୁ ଫ୍ୟୁଜ୍ ଚାଲିଯାଇଛି । ସାହି ପଡ଼ିଶାର କନେକ୍‌ସନ୍‌ ପୋଲର ସେହି କଟ୍‌-ଆଉଟ୍‌ରୁ ହୋଇଥିବା ଯୋଗୁଁ ସେମାନଙ୍କ ଘରୁ ମଧ୍ୟ କରେଣ୍ଟ ଚାଲିଗଲା I ଜଣ ଜଣ ହୋଇ ସମସ୍ତେ ସମୁଧିଙ୍କ ଘରେ କରେଣ୍ଟ ଅଛି ନା ନାହିଁ ଜାଣିବାକୁ ଆସିଲେ । ତା’ପରେ ସେମାନେ ମୁଁ ଦେଇଥିବା ରେଡ଼ିଓ ଯୋଗୁଁ ଏମିତି ଦୁର୍ଦ୍ଦଶା ହୋଇଛି ବୋଲି ବୁଝିଲେ । ଲୋକମାନଙ୍କୁ ଦାଣ୍ଡ ଦୁଆରରେ ଦେଖି ମୁଁ ବଡ଼ ଅପମାନିତ ବୋଧ କଲି । ସେତେବେଳେ ବୈଶାଖ ମାସର ପ୍ରଚଣ୍ଡ ଖରା । ମୁଣ୍ଡରୁ ଝାଳ ନିଗୁଡ଼ୁ ଥାଏ । ସମସ୍ତେ ହାତ ବା ହାତକନାରେ ମୁହଁ ପୋଛୁଥା’ନ୍ତି । କିନ୍ତୁ ମୋ ମୁଣ୍ଡର ଝାଳ ଟୋପା ଟୋପା ହୋଇ ପାଟିରେ ପଶିଯାଉଥାଏ ଓ ପାଟି ଲୁଣିଆ ଲାଗୁଥାଏ । ସମୁଧିଙ୍କୁ ମୁଁ ବୁଝାଇଲି‚ ‘ରେଡ଼ିଓଟି ବଜାଇବା ପାଇଁ ଦିଆଯାଇ ନାହିଁ । ଖେଳନା ହିସାବରେ ଦିଆଯାଇଛି । ….ରୁଲିର ପୁଅଝିଅ ହେଲେ ଖେଳିବେ ବୋଲି ଦିଆଯାଇଛି…’ ସମୁଧି ସଙ୍ଗେ ସଙ୍ଗେ କହିଲେ ..ତାହାହେଲେ ତମେ ରେଡ଼ିଓଟି ଘରକୁ ଫେରାଇ ନେଇଯାଅ । ଯେଉଁଦିନ ଝିଅର ପିଲାପିଲି ଜନ୍ମହେବେ‚ ସେତେବେଳେ ଦେବ ।’ ଏମିତି କହି ସେ ପ୍ଲଗ ଖୋଲି ରେଡ଼ିଓଟି ଆଣିଲେ । ସେତେବେଳେ ମୁଁ ଚକା ପକାଇ ତଳେ ବସିଥାଏ । ସମୁଧି ରେଡ଼ିଓଟି ଆଣି ମୋ ଜଙ୍ଘ ଉପରେ ଜାଗ୍ରତରେ ରଖି ଦେଲେ । ଏପଟେ ଆଖ ପାଖର ଲୋକ ଅଣ୍ଟାରେ ହାତ ଦେଇ ମଜା ଦେଖୁଥା’ନ୍ତି । ଏହି ପରିସ୍ଥିତି ମୋ ପକ୍ଷରେ ବଡ଼ ଅପମାନଜନକ ଓ ଅସ୍ୱସ୍ତିକର । ଏଥିରୁ ରକ୍ଷା ପାଇବା ପାଇଁ ଝିଅକୁ ଦେଖି ଆସିବି ବୋଲି କହି ଘର ଭିତରକୁ ଗଲି ।

 

ରୁଲି ଗୋଟିଏ ଏକମୁହାଁ ଗମ୍ଭୀରି ଘରେ ରହେ । ମୁଁ ବଖରାକୁ ଗଲା ବେଳେ ତାକୁ ଜଳଖିଆ ଖୁଆଇବା ପାଇଁ ତା’ର ଶାଶୁ ନଣନ୍ଦମାନେ ତାକୁ ଖାଇବା ଘରରୁ ନେଇ ଯାଇଥିଲେ । ତେଣୁ ତା’ର ଗମ୍ଭୀର ପାଖରେ ମୁଁ ଅପେକ୍ଷା କଲି । ସେତେବେଳେ ସମୁଧି ଦାଣ୍ଡ ଘରୁ ଆସି ମତେ ଡାକିଲେ ବାଡ଼ିପଟକୁ ଯିବାପାଇଁ । ବାଡ଼ି ପଟେ ତାଙ୍କର ଗୁହାଳ-ଘର ଅଛି । ସେଠାକୁ ସେ ମତେ ଟାଣି ଟାଣି ନେଲେ । ଆମର ଏଠାରେ ଗୋଟିଏ ପ୍ରଥା ଚଳିତ ଅଛି ଯେ ଶାଶୁଘରକୁ ଯିବା ବେଳେ ବାପଘର ବାଛୁରୀ ଲାଗିଥିବ ଗାଈ ନେଲେ‚ ତା’ର ଶୀଘ୍ର ପିଲା ଝିଲା ହେବ । ତେଣୁ ମୁଁ ଗୋଟିଏ ଦୁହାଁଳିଆ ଗାଈ ଦେଇଥିଲି । ସମୁଧି‚ ବାବୁ ଇନ୍ଦ୍ରଜିତ ରୁଲିର ଟୋକା ଦିଅର ଓଁ ମୁଁ ଗୁହାଳରେ ପହଞ୍ଚିବା ବେଳେ ଦେଖିଲୁ ଯେ ମୁଁ ଦେଇଥିବା ଗାଈଟି ସେଠାରେ ନାହିଁ । ସେ ଖୁଣ୍ଟି ଉପାଡ଼ି ଖୁଣ୍ଟି ଓ ପଘା ସହିତ କେଉଁଆଡ଼େ ଚାଲି ଯାଇଛି–ଅବଶ୍ୟ ବାଛୁରୀ ମଧ୍ୟ ତା’ ସହିତ ଅନ୍ତର୍ଦ୍ଧାନ ହୋଇଯାଇଛି-। ସମୁଧି ଅଭିଯୋଗ କଲେ ଯେ ମୁଁ ଗୋଟିଏ ଅରଣା ଗାଈ କମ୍‌ ଦାମ୍‌ରେ‌ କେଉଁଠାରୁ କିଣି ଝିଅକୁ ଦେଇଛି । ସେ ପୁଣି କହିଲେ ଯେ ଏହି ଅଣ୍ଡିରାଚଣ୍ଡୀ ଗାଈ ତାଙ୍କ ଗୁହାଳରେ ରହିଲେ ତାଙ୍କର ଅନ୍ୟ ଗାଈଗୋରୁ, ମଇଁଷି ଓ ପୋଡ଼ୁଅ ବଦମାସ‚ ଛତରା ଓ ଖଚଡ଼ ହୋଇଯିବେ । ଆଜି ସକାଳର ଗୋଟିଏ ଘଟଣା ବର୍ଣ୍ଣନା କରି ସେ କହିଲେ ଯେ ରୁଲିର ଟୋକା ଦିଅର ଯେତେବେଳେ କ୍ଷୀର ଦୁହିଁବାକୁ ଉକ୍ତ ଗାଈର ଚିର ଟାଣିଲା‚ ସେ ଏମିତି ଗୋଟିଏ ନାତ ତା’ ଗାଲ ଉପରକୁ ମାରିଲା ଯେ‚ ତା’ର ମୁହଁ ମୋଡ଼ି ହୋଇଗଲା ଓ ସେ କୁଆଡ଼େ ପେଣ୍ଡୁ ପରି ଗଡ଼ି ଗଡ଼ି ଯାଇ କାନ୍ଥରେ ଅଟକିଲା । ମୁଁ ସେଠାରେ ଠିଆ ହୋଇଥିବା ରୁଲିର‌ ଦିଅରକୁ ଚାହିଁଲି । ପ୍ରକୃତରେ ମୁଁ ଏହି ଘରେ ପାଦ ଦେବା ଠାରୁ ଲକ୍ଷ୍ୟ କରିଛି ଯେ ସେ ତା’ର ଗାଲକୁ ଘୋଡ଼ାଇ ରଖିଛି । ବୋଧହୁଏ ଗାଈ ଖୁରାର ଚିହ୍ନ ତା’ ଗାଲରେ ବସିଯାଇଛି ବୋଲି ସେ ଲୁଚାଇବା ପାଇଁ ଗାଲରେ ହାତ ଢାଙ୍କି ରଖିଛି । ସମୁଧୀ ଜୋର ଦେଇ କହିଲେ ଯେ‚ ଉକ୍ତ ଗାଈକୁ ଖୋଜିବା ପାଇଁ ସେ ଯିବେ ନାହିଁ କିମ୍ବା ହଳିଆ ପଠାଇବେ ନାହିଁ କିନ୍ତୁ ଗାଈ ବାଛୁରୀ ଯଦି ସ୍ଵଇଚ୍ଛାରେ ଉଣ୍ଡି ଉଣ୍ଡି ଗୁହାଳକୁ ଆସନ୍ତି‚ ତାହାହେଲେ ସେମାନଙ୍କୁ କୁଆଡ଼େ ଆମ ଘରକୁ ବାହୁଡ଼ାଇ ଦେବେ । ସମୁଧି ଗାଈ ପ୍ରତି ଏତେ ବିରକ୍ତ ହେବା ଅନୁଚିତ କାରଣ ହୁଏଇ ଗାଈଟି ନୂଆରେ ଗୁହାଳକୁ ଆସିଥିବାରୁ ସମସ୍ତଙ୍କୁ ନୂଆ ନୂଆରେ ଦେଖି ଡିଆଁ ଡେଇଁ କରୁଛି । ପୁଣି ସମୁଧି ଜାଣିବା ଉଚିତ୍‌ ଯେ‚ ମୋ ଝିଅ ଶାଶୁଘରକୁ ଆସିଥିବାର ଅର୍ଥ ନୁହେଁ ଯେ‚ ଏହି ଗାଈଟି ମଧ୍ୟ ଶାଶୁଘରକୁ ଆସିଛି । ତେଣୁ ଗାଈଟିକୁ ଟଣା ଓଟରା କଲେ‚ ସେ ଶାଶୁଘରର ବୋହୂ ପରି ମୁଣ୍ଡ ପୋତି କାହିଁକି ରହିବ ?

 

ତା’ପରେ ଆମେ ପୁଣି ଦାଣ୍ଡ ଘରକୁ ଆସିଲୁ । ଯେତେବେଳେ ସମୁଧି ଅଭିଯୋଗ କଲେ ଯେ ଆମେ ଦେଇଥିବା କଂସାପିତଳର ବାସନଗୁଡ଼ିକ ପୁରୁଣା–ଯେତେ ଦୂର ସମ୍ଭବ‚ ମୋ ସ୍ତ୍ରୀ ତା’ ବାପଘରୁ ଆଣିଥିବା ଯୌତୁକ ପେଡ଼ିରେ ସାଇତି ଆଜିଯାଏଁ ରଖା ଯାଇଥିଲା ଏବଂ ଝିଅ ଏବେ ଶାଶୁଘରକୁ ଆସିବା ବେଳେ ସେଗୁଡ଼ିକୁ କମାର ପାଖରେ ମଜାମଜି କରି ଦିଆଯାଇଛି । ତା’ପରେ ସମୁଧି ଆମେ ଦେଇଥିବା ସୁନାର ଅଳଙ୍କାରଗୁଡ଼ିକ ଲୁହା ପେଡ଼ିରୁ ବାହାର କଲେ । ବର୍ତ୍ତମାନ ସେ ଗୁରୁତର ଅଭିଯୋଗ ବାଢ଼ିଲେ ଯେ ମୁଁ ଦେଇଥିବା ସୁନାରେ ଅତ୍ୟଧିକ ପରିମାଣରେ ତମ୍ବା ମିଶିଛି । ପୁଣି ଗହଣାଗୁଡ଼ିକ ମଧ୍ୟରେ ଲାଖ ଖୁନ୍ଦି ଖୁନ୍ଦି ଦିଆଯାଇଛି । ମୋଟାମୋଟି ସମୁଧି କହିବାରେ‚ ରୁଲିର ସବୁ ଗହଣା ରୋଲଡ଼ ଗୋଲଡ଼ ସୁନାଠାରୁ ଆହୁରି ହୀନ–ଜାଲ ସୁନା । ମୁଁ ଯାହା ଦେଖିଲି‚ ସମୁଧି ଆମର ପ୍ରତ୍ୟେକ କଥା ଓ ପ୍ରତ୍ୟେକ ଜିନିଷକୁ ସନ୍ଦେହ କରୁଛନ୍ତି । ଅଳ୍ପ ସମୟ ପରେ ସେ ହୁଏତ କହିବେ ଯେ ‘ରୁଲି’ ପ୍ରକୃତରେ ଝିଅ ପିଲା ନୁହେଁ; ମୁଣ୍ଡରେ ସିଲକ୍‌ ବାଳର ବେଣୀ ଭିଡ଼ି‚ ଛାତିରେ ନଡ଼ିଆ-ସଢ଼େଇ ବାନ୍ଧି ଓ ଖଣ୍ଡେ ଶାଢ଼ୀ ଗୁଡ଼ାଇ ହୋଇ ମାଇକିନା ବେଶ ଧରିଛି । କିନ୍ତୁ ପ୍ରକୃତରେ ସେ ଭିତିରି ଭିତିରି ଗୋଟିଏ ଅଣ୍ଡିରା ପିଲା ! ସମୁଧିଙ୍କର ଅସଙ୍ଗତ ଓ ଅବାସ୍ତବ ମନୋଭାବ ପ୍ରତି ମୋର ଘୃଣାଭାବ ଉତ୍କଟ ହୋଇ ପଡ଼ିଲା । ମୁଁ କିଛି ନ କହି ଘରକୁ ଯିବା ପାଇଁ ସ୍ଥିର କଲି । କିନ୍ତୁ ଯିବା ପୂର୍ବରୁ ଝିଅ ସହିତ ସାକ୍ଷାତ କରିବାକୁ ତା’ର ଗମ୍ଭୀର-ଘର ଆଡ଼କୁ ଗଲି । ତାକୁ ଘେରି ଅନ୍ୟ ମାଇପିମାନେ ଥାଆନ୍ତି । ମତେ ଦେଖି ସେମାନେ ଅପସରି ଗଲେ । ରୁଲି ମୋର ପାଦ ଛୁଇଁ ଅବାରିତ ଭାବେ କାନ୍ଦିବାକୁ ଲାଗିଲା । କିଛି ପଦେ କହିବାକୁ ତା’ର ଓଠ ଥରି ଉଠୁଥିଲେ ସୁଦ୍ଧା ସେ କହିପାରୁ ନ ଥାଏ–ବୋଧହୁଏ; ତାର ଭାଇ ଭଉଣୀ ଓ ମା’ ବିଷୟରେ ସେ ଜାଣିବାକୁ ଚାହୁଁଥିଲା । ତା’ର ମୁହଁରେ ଅଜସ୍ର ଲୁହବିନ୍ଦୁ ଦେଖି ମୋର କୋହ ଜମି ଆସିଲା । ଝିଅ ପାଇଁ ଉପଯୁକ୍ତ ବରପାତ୍ରଟିଏ କରାଇ ପାରି ନ ଥିବାରୁ ମୁଁ ନିଜକୁ ଧିକ୍‌କାର କରୁଥାଏ । ରୁଲିକୁ ସାନ୍ତ୍ଵନା ଦେବାପାଇଁ ମୋ ପାଟିରେ ଭାଷା ନ ଥାଏ । ତା’ର ତକିଆ ତଳେ ଯେଉଁ ମନିପର୍ସଟି ଥିଲା‚ ତାହା ଉଠାଇଲି ଓ ସେଥିରେ ମୋ ପକେଟରେ ଥିବା ସବୁ ନୋଟ୍‌ ଓ ରେଜା ପଇସା ପୁରାଇ ଶେଯ ଉପରେ ରଖିଦେଲି ।

 

ରୁଲିର ବଖରାରୁ ଆସି ସମୁଧିଙ୍କୁ ବିଦାୟ ମାଗିଲି । ସମୁଧି ଖାଇବା ପାଇଁ ନିମନ୍ତ୍ରଣ କଲେ । କିନ୍ତୁ ମୁଁ ମନା କରିଦେଲି । ଅବଶ୍ୟ ଜ୍ୟୋତ୍ସ୍ନା ଓ ମୁଁ ବହୁ ପୂର୍ବରୁ ମନାସିଥିଲୁ ଯେ ରୁଲିର ପୁଅ ବା ଝିଅ ଜନ୍ମ ହେବା ପରେ ଆମେ ସମୁଧିଙ୍କ ଘରେ ଜଳସ୍ପର୍ଶ କରିବୁ । ଏହି ଅଞ୍ଚଳର ବହୁ ପରିବାରରେ ଏହି ଧରଣର ପ୍ରଥା ଦେଖିବାକୁ ମିଳିଥାଏ । ଏହି ପରମ୍ପରା ଅନୁସାରେ ସମୁଧି ଘରେ ଜଳସ୍ପର୍ଶ ନ କରିବାରେ ଆଶା ଓ ଆନନ୍ଦ ପୁରି ରହିଥାଏ ଏବଂ ସାଧାରଣତଃ କନ୍ୟାପିତାମାନେ ହସି ହସି ଏହି ନ ଖାଇବା ବିଷୟ ସମୁଧି ଘରେ ଜଣାଇଥା’ନ୍ତି । କିନ୍ତୁ ବର୍ତ୍ତମାନ ମୁଁ ଯେତେବେଳେ ସମୁଧି ଘରେ ଖାଇବା ପାଇଁ ମନା କଲି‚ ସେତେବେଳେ ମୋ ଆଖିରେ ଲୁହ ଜକେଇ ହୋଇ ଆସିଲା ।

 

ସମୁଧିଙ୍କଠାରୁ ବିଦାୟ ନେଇ ମୁଁ ଘରେ ପ୍ରାୟ ବାରଟା ବେଳେ ପହଞ୍ଚିଲି । ରାସ୍ତାରେ ଆସିବା ବେଳେ ମୁଁ ଗଭୀର ଭାବେ ଦୁଃଖିତ ଓ ଚିନ୍ତିତ ହୋଇ ପଡ଼ିଲି । ବିବାହ ପୂର୍ବରୁ ସମୁଧି ଓ ବାବୁ ଇନ୍ଦ୍ରଜିତର ଇନ୍ଦ୍ରଜାଲରେ ଛନ୍ଦି ହୋଇ ସେମାନେ ଏତେ ଅସଭ୍ୟ ଓ ଲୋଭୀ ବୋଲି ମୁଁ ଭାବି ପାରି ନ ଥିଲି । ଏହା ମୋର ଜୀବନର ମସ୍ତବଡ଼ ଭୁଲ ହୋଇଛି ଏବଂ ଏଥିପାଇଁ କୌଣସି ଉପାୟରେ ସଂଶୋଧନ କରି ହେବ ନାହିଁ । ମୁଁ ବିଶେଷ ଅନୁତପ୍ତ ହେଲି ଓ ରୁଲିକୁ ଭଲ ବରଟିଏ ଯୋଗାଡ଼ କରି ନ ପାରିଥିବା ଯୋଗୁଁ ନିଜକୁ ବାରମ୍ବାର ଧିକ୍‌କାର କଲି । ମୁଁ ଘରେ ପହଞ୍ଚିବା ବେଳେ ଜ୍ୟୋତ୍ସ୍ନା ଚୁଲି ନ ଲଗାଇ ରୁଲିର ଭଲମନ୍ଦ ଖବର ଜାଣିବା ପାଇଁ ଆଗମନକୁ ଅପେକ୍ଷା କରି ଦାଣ୍ଡଦୁଆରେ ବସି ରହିଥିଲା । ମତେ ଦେଖି ସେ ଉଦ୍‌ବିଗ୍ନ ହୋଇ ରୁଲି ବିଷୟରେ ପଚାରିଲା-। ମୁଁ ପ୍ରଥମେ କିଛି ଉତ୍ତର ନ ଦେଇ ନୀରବ ରହିଲି । ତେଣୁ ତା’ର ସନ୍ଦେହ ଓ ଆତୁରତା ବଢ଼ିବାରେ ଲାଗିଲା । ଶେଷରେ ମୁଁ ଗ୍ଳାନିର ସହିତ କହିଲି, ‘ରୁଲି-ବିଷୟ ଛାଡ଼େ । ଏଣିକି ଇତିଶ୍ରୀକୁ ମୁଁ ଆଉ ଶାଶୁଘରକୁ ପଠାଇବି ନାହିଁ । ତା’ ପାଇଁ ଗୋଟିଏ ଘର-ଜୋଇଁ ଯୋଗାଡ଼ କରିବି । ରୁଲିର ବାହାଘରୁ ମତେ ଏହି ଶିକ୍ଷା ମିଳିଲା ।’

 

ବର୍ତ୍ତମାନ ମୋ ଅଫିସ୍ ସଂମ୍ପର୍କରେ କିଛି କହୁଛି । ତହସିଲଦାରଙ୍କ ସହିତ ଗସ୍ତରୁ ଫେରିବା ପରେ ମୁଁ ତହସିଲଦାରଙ୍କୁ ମତେ ଗୋଟିଏ ସାଧାରଣ ବେଞ୍ଚରେ ବସାଇବା ପାଇଁ ଅନୁରୋଧ କଲି । ବାବୁ ମୋ କଥା ମାନି ମତେ ମୂଲ୍ୟବାନ ସିଂଲି-ବେଞ୍ଚରୁ ଉଠାଇ ନେଇ ଡେସପାଚ୍-ସିଟରେ ବସାଇଲେ । ବର୍ତ୍ତମାନ ମୋର କାମ ହେଉଛି-ଅଫିସରୁ ଯେଉଁ ଚିଠି ପତ୍ର ପଠାଯିବ ସେଗୁଡ଼ିକ ଗୋଟିଏ ଡାଇରୀରେ ରେକର୍ଡ଼ ଭୁକ୍ତ କରିବା ଏବଂ ସେଗୁଡ଼ିକୁ ଲଫାପା ଭିତରେ ପୁରାଇ, ଠିକ୍ ଭାବେ ଠିକଣା ଲେଖି ପୋଷ୍ଟିଂ କରିବା । ତେଣୁ ମୋର କାମ ବର୍ତ୍ତମାନ ଅତି ନଗଣ୍ୟ । ଯେକୌଣସି ନିରପେକ୍ଷ ଲୋକ କହିବ ଯେ Despatch-Bench ପାଇଁ ଗୋଟିଏ କିରାଣୀକୁ ନିଯୁକ୍ତ ନ କରି ପିଅନଟିଏ ନିଯୁକ୍ତ କରିବା ଉଚିତ । ପ୍ରକୃତରେ ଯେଉଁମାନେ କାର୍ଯ୍ୟରେ ଅପାରଗ କିମ୍ବା ଉପସ୍ଥିତ ଅଫିସରଙ୍କ ସହିତ ଝଗଡ଼ା କରନ୍ତି, ସେମାନେ ଦଣ୍ଡ ସ୍ୱରୂପ ଏହି ଡେସ୍‌ପାଚ ସେକ୍‌ସନ୍‌କୁ ପଠାଯାଇଥାଏ । ମୁଁ ସ୍ଵତଃପ୍ରବୃତ୍ତ ହୋଇ ଗୁରୁତ୍ଵପୂର୍ଣ୍ଣ ସିଲିଂ ବେଞ୍ଚ୍ ଛାଡ଼ି ଗୋଟିଏ ନଗଣ୍ୟ ସିଟ୍‌କୁ ଯିବାରେ ଅଫିସର ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ । କିନ୍ତୁ ମୋର ମନରେ ତ ମୌଳିକ ପରିବର୍ତ୍ତନ ଘଟିଛି । ବର୍ତ୍ତମାନ ମୁଁ ଭାବୁଛି ଯେ ମୋ ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି–ଶ୍ରୀରାଧାମାଧବଙ୍କ ଚରଣରେ ଦାସାନୁଦାସ ଭାବେ ମୋର ଅବଶିଷ୍ଟ ଜୀବନ ଶାନ୍ତରେ କଟାଇବି ।

 

ଗତବର୍ଷ ଆମ ଅଫିସରେ ବାସନ୍ତୀ ବୋଲି ଗୋଟିଏ ମହିଳାକୁ ଟାଇପିଷ୍ଟଭାବେ ନିଯୁକ୍ତି ଦିଆଯାଇଛି । ସେ ତା’ର ପୂର୍ଣ୍ଣ ଯୌବନ ସମସ୍ତଙ୍କୁ ଦେଖାଇବାରେ ବ୍ୟସ୍ତ । ପୂର୍ବରୁ ଅନ୍ୟତ୍ର ପରି ଆମ ଅଫିସରେ ମଧ୍ୟ ବର୍ଷରେ ଛଅଟି ଋତୁ ହେଉଥାଏ । ଏବଂ ବସନ୍ତ ଋତୁ ଦୁଇମାସ ପାଇଁ ଆସୁଥାଏ; କିନ୍ତୁ ଟାଇପିଷ୍ଟ ବାସନ୍ତୀର ଆଗମନ ପରେ ଆମ ଅଫିସରେ ବସନ୍ତ ଋତୁ ପୁରା ବର୍ଷ ଗୃହବନ୍ଦୀ ହୋଇ ରହିଗଲା । ସମସ୍ତେ ବାସନ୍ତୀ ସହିତ ପରିଚିତ ହେବାପାଇଁ ଓ ତା’ ସହିତ ଆଖି ମିଶାଇବାରେ ଆଗ୍ରହୀ । ସେ ମୋ ସାଇଡ୍ ସିଟରେ ବସେ । ତେଣୁ ମତେ ବଡ଼ ଅଡ଼ୁଆ ଲାଗେ । ପ୍ରକୃତରେ ମୁଁ ଭୁଲରେ ସୁଦ୍ଧା ତା’ ପଟକୁ ମୁହଁ ବୁଲାଏ ନାହିଁ–ସତେ ଯେମିତି ମୋ ବେକ ଧରି ଦେଇଛି । ବାସନ୍ତୀ ପାଇଁ ଆମ ଅଫିସରେ ବାଞ୍ଛାବାବୁ ସବୁଠୁଁ ବେଶୀ ବ୍ୟସ୍ତ ହେଉଛନ୍ତି । ତାଙ୍କର ବୟସ ଚାଳିଶି ପଞ୍ଚଚାଳିଶି ବର୍ଷ ହେବ–ମୋର ସମବୟସୀ । କିନ୍ତୁ ତାଙ୍କର ପ୍ରବଳ ଯୌନ ଇଚ୍ଛା ସେ ଜାଣି ଜାଣି ଫାଇଲ୍‌ରେ ଅକ୍ଷରଗୁଡ଼ିକ କଦର୍ଯ୍ୟ ଓ ଅସ୍ପଷ୍ଟ ଭାବେ ଲେଖନ୍ତି ଓ ଏହି ଡ୍ରାଫ୍‌ଟ୍‌ଗୁଡ଼ିକୁ ବାସନ୍ତୀକୁ ଟାଇପ୍ କରିବାକୁ ଦିଅନ୍ତି । ତା’ପରେ ଅକ୍ଷର ଚିହ୍ନିବା ପାଇଁ ବାସନ୍ତୀ ତାଙ୍କ ପାଖକୁ ଥରକୁ ଥର ଦୌଡ଼ୁଥାଏ । ଏମିତି ଭାବେ ସେ ଦୁହେଁ ପ୍ରେମ କାରବାର ଆରମ୍ଭ କରିଛନ୍ତି । ବାଞ୍ଛାବାବୁଙ୍କ ପରି ଚରିତ୍ରକୁ ମୁଁ ମୋଟେ ଭଲ ପାଏ ନାହିଁ । ପ୍ରକୃତରେ ମୁଁ ବହୁତ ଜାଗାରେ ଦେଖିଛି ଯେ ଚାଳିଶିବର୍ଷିଆ ଲୋକମାନେ ଯୌନ-କାର୍ଯ୍ୟରେ ବିଶେଷ ଆଗ୍ରହ ଦେଖାନ୍ତି । ଏହି ସମ୍ପର୍କରେ ମୋର ଭାରତର ଭୂଗୋଳ ବିଷୟରେ ମନେ ପଡ଼ୁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍-ଜୁଲାଇ ମାସରେ ଭାରତ ଭୂଖଣ୍ଡରେ ପ୍ରବାହ ଆରମ୍ଭ କରି ବର୍ଷା କରାଏ । ପୁଣି ଏହି ମୋସୁମୀ ବାୟୁ ଧ୍ଵଂସ ହେବା ଆଗରୁ ନଭେମ୍ବର-ଡିସେମ୍ବର ମାସ ଆଡ଼କୁ ପ୍ରତ୍ୟାବର୍ତ୍ତନ କରି ବୃଷ୍ଟିପାତ କରାଏ । ଠିକ୍ ସେମିତି ମଣିଷ ଜୀବନରେ ମଧ୍ୟ ସତର ଅଠର ବର୍ଷ ବେଳକୁ ଯୌବନ ପ୍ରବେଶ କରି ନାନାପ୍ରକାର ତାଣ୍ଡବଲୀଳା ସୃଷ୍ଟି କରାଇଥାଏ । ପୁଣି ଚାଳିଶି ବର୍ଷ ବେଳକୁ ଏହି ଶରୀର ଛାଡ଼ି ଯୌବନ ଚାଲିଯିବା ବେଳେ ତା’ର ଶେଷ ପରାକ୍ରମ ଦେଖାଏ । ତେଣୁ ଚାଳିଶି ବର୍ଷ ବୟସରେ ପୁରୁଷମାନେ ନବକଳେବର ଧାରଣ କରନ୍ତି । ଯଥା:-ମୁଣ୍ଡର ଦର ପାଚିଲା ବାଳରେ ରଙ୍ଗ ବୋଳି କଳା କରିଥା’ନ୍ତି । ପୁରୁଷମାନଙ୍କର ଏତାଦୃଶ ମନୋବୃତ୍ତିକୁ ଆଖି ଆଗରେ ରଖି ହିନ୍ଦୀ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଚାଳିଶି ପଚାଶ ବର୍ଷର ଦରବୁଢ଼ା–ଅଭିନେତାମାନଙ୍କ ପାଇଁ ନାୟିକା ଭାବେ ସତର ବର୍ଷର ଝିଅକୁ ଭଲ ମ୍ୟାଚ୍ ବୋଲି ବିଚାରିଥା’ନ୍ତି ।

 

ବାଞ୍ଛାବାବୁଙ୍କ ପରି ପ୍ରାୟ ଅଧିକାଂଶଙ୍କ ଜୀବନରେ ଚାଳିଶି ବର୍ଷ ସମୟରେ ଯୌବନର ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁ ବହିଥାଏ । କିନ୍ତୁ ମୋ ଜୀବନରେ ଏମିତି ଅବାଞ୍ଛନୀୟ ଘଟଣା ଘଟି ନାହିଁ । ମୋର ମନ ଓ ହୃଦୟ ଆଧ୍ୟାତ୍ମିକ ଦିଗ ପ୍ରତି ଆକୃଷ୍ଟ ହେଲା । ବିଭିନ୍ନ ପୁରାଣ ପଢ଼ିବା, ଧର୍ମ ଚର୍ଚ୍ଚା କରିବା, ଦେବାଳୟକୁ ଯାଇ ପୂଜାର୍ଚ୍ଚନା କରିବା ଇତ୍ୟାଦି ମୋର ଦୈନନ୍ଦିନ କାର୍ଯ୍ୟ ହେଲା । ଅଧିକାଂଶ ସମୟରେ ମୋ କାନରେ ଫୁଲ, ତୁଳସୀପତ୍ର ଜାକି ହୋଇଥିବାର ଏବଂ ବେକ ଓ କପାଳରେ ସିନ୍ଦୂର ଓ ଚନ୍ଦନ ବୋଳି ହୋଇଥିବାର ଦୃଶ୍ୟ ଅନେକ ଦେଖି ପାରୁଥିବେ ।

 

ଧର୍ମଭାବ ବଢ଼ାଇବା ପାଇଁ ମତେ ହଠାତ୍ ଅପୂର୍ବ ସୁଯୋଗ ମିଳିଥିଲା । ମୋ ଶଳା ଚିଠି ଲେଖି ଜ୍ୟୋତ୍ସ୍ନାକୁ ତାଙ୍କ ଘରକୁ ଯିବା ପାଇଁ ଅନୁରୋଧ କରିଥିଲା କାରଣ ଶଳା-ଭାଉଜ ବର୍ତ୍ତମାନ ଗର୍ଭବତୀ ଅଛି ଏବଂ ତା’ର ଛୁଆ ପ୍ରସବ ହେବା ପରେ ସେ ଭାସେକ୍ଟୋମି ଅପରେସନ୍ କରିବ । ତେଣୁ ଶଳା ଭାଉଜକୁ ଜଗାରଖା କରିବାକୁ ଜ୍ୟୋତ୍ସ୍ନା ତା’ ପାଖରେ ରହିବା ନିତାନ୍ତ ଆବଶ୍ୟକ । ପୁଣି ଅପରେସନ୍ ପରେ ଶଳା ଭାଉଜକୁ ଏକୋଇଶି ଦିନ ଶେଯରେ ପୁରା ବିଶ୍ରାମ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତେଣୁ ଜ୍ୟୋତ୍ସ୍ନା ମାସେ ଖଣ୍ଡେ ଶଳା ଘରେ ରହି ତା’ ଭାଉଜକୁ ଯଥାଯଥ ସାହାଯ୍ୟ କରିବାକୁ ଚାହିଁବାରୁ ମୁଁ ରାଜି ହୋଇଗଲି । ତା’ପରେ ଶଳା ଆସି ଜ୍ୟୋତ୍ସ୍ନା ଓ ପିଲାମାନଙ୍କୁ ତା’ଘରକୁ ନେଇଗଲେ । ବର୍ତ୍ତମାନ ମୁଁ ଘରେ ଏକା ରହିଥିବାରୁ ମୋର ମନ ମୁତାବକ ଧର୍ମ ପ୍ରତି ଜଡ଼ିତ ହେବାର ସୁଯୋଗ ପାଇଲି । ଏହି ସହରରେ ଥିବା ନୂତନ ପୁରାତନ ସବୁ ମନ୍ଦିର ବୁଲି ଦେଖିଲି । ନାନା ପ୍ରକାର ଧର୍ମ ଅନୁଷ୍ଠାନର ସଦସ୍ୟ ହେଲି । ଦିନେ ମୁଁ ସ୍ଥିର କଲି ଯେ ସକାଳ ଚାରିଟା ବେଳେ ରାମ-ନାମ ଉଚ୍ଚାରଣ କରି ସହର ପରିକ୍ରମା କରିବି । ବହୁ ପୂର୍ବରୁ ଦଳେ ଭକ୍ତ ରାମ-ନାମ ଗାନ କରି ସହରର ଚତୁଃର୍ଦ୍ଦିଗରେ ପ୍ରଭାତରେ ବୁଲୁଥା’ନ୍ତି । ସେମାନଙ୍କ ଦଳରେ ଯୋଗ ଦେବା ପାଇଁ ମୋର ଇଚ୍ଛା । ଦଳର ମୁଖ୍ୟଙ୍କୁ ଜଣାଇଲି । ସ୍ଥିର କରାଗଲା ଯେ ଆସନ୍ତାକାଲି ସକାଳୁ ସେମାନେ ଦଳ ହୋଇ ବୁଲୁଥିବା ବେଳେ ଆମ ସାହି ବାଟେ ଯିବେ ଓ ମତେ ଡାକିବେ ।

 

ଇତ୍ୟବସରରେ, ମାସକ ପରେ ମୋ ସ୍ତ୍ରୀ ଓ ପିଲାମାନେ ଶଳା ଘରୁ ଫେରିଲେଣି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆଧ୍ୟାତ୍ମିକ ପଥରୁ ବିଚ୍ୟୁତ ହୋଇ ପଙ୍କିଳ ଘର-ସଂସାରରେ ଡୁବିଯିବି ମୁଁ ଭଗବାନଙ୍କ ନାମ ଧରି ଭଜ-ଗୋବିନ୍ଦ-ଦଳରେ ବୁଲିବା ବିଷୟ ଧ୍ରୁବ । ଏହି ନାମ-କୀର୍ତ୍ତନ ମୁଁ ଯେଉଁଦିନ ଆରମ୍ଭ କରିବି ବୋଲି କହିଥିଲି, ସେତେବେଳେ ଶୀତଋତୁ ଆରମ୍ଭ ହୋଇ ଯାଉଥିଲା । ଜ୍ୟୋତ୍ସ୍ନା ଓ ମୁଁ ସବୁଦିନ ପରି ସେଦିନ ଗୋଟିଏ ଖଟରେ ଶୋଇଥିଲୁ । ପୁଣି ଗୋଟିଏ ସିଙ୍ଗଲ୍ ସାଇଜ୍‌ର (ଅର୍ଥାତ୍ ଜଣକ ପାଇଁ ଉଦ୍ଦିଷ୍ଟ) କମ୍ବଳ ଆମେ ଉଭୟେ ଘୋଡ଼ାଇ ହୋଇଥିବା ଯୋଗୁଁ ଜାକିଜୁକି ହୋଇ ଶୋଇ ଥାଉଁ । ପାଦରୁ ବେକ ଯାଏଁ କମ୍ବଳ ଲଦି ହୋଇଥିଲେ ମଧ୍ୟ କାନ ବାଟେ ଶୀତ ପଶିଯିବା ସମ୍ଭାବନା ଥିବା ଯୋଗୁଁ ମୁହଁରେ, କାନକୁ ମିଶାଇ, ମଫ୍‌ଲର୍ ଭିଡ଼ିଥାଏ । ଏମିତି ସୁଖ ଓ ସମ୍ଭୋଗ ସହିତ ମୁଁ ସେଦିନ ଶୋଇଥାଏ । ପୂର୍ବ-ନିର୍ଦ୍ଧାରିତ ସମୟ ରାତି ଚାରିଟାବେଳେ ଭଜ-ଗୋବିନ୍ଦ ଦଳ ଆମ ଘର ସାମନାରେ ଗିନି, ତାଳ, ମୃଦଙ୍ଗ ଇତ୍ୟାଦି ବାଜା ବଜାଇ କୋଳାହଳ କଲେ । କିନ୍ତୁ ସ୍ଵଭାବବଶତଃ ମୋର ତ ନିଦ ନିବିଡ଼ । ତେଣୁ ମତେ କିଛି ଶୁଭୁ ନ ଥାଏ । ଅବଶ୍ୟ ନିଦ ଭାଜିଥିଲେ ମଧ୍ୟ, ଯେତେଦୂର ସମ୍ଭବ ମୁଁ ସେମାନଙ୍କର ବାଜା ଶୁଣିପାରି ନ ଥା’ନ୍ତି କାରଣ ମୋ କାନ ଦୁଇଟିକୁ ମୁଁ ମଫଲର୍‌ରେ ଖୁବ୍ ଜୋରରେ ବାନ୍ଧିଦେଇଥିଲି । ଇତ୍ୟବସରରେ, ଜ୍ୟୋତ୍ସ୍ନାର ନିଦ ଭାଙ୍ଗିଯିବାରୁ ସେ କବାଟ ଖୋଲି ଆଖି ତରାଟି ଆତ୍ମହରା ଭଜ-ଗୋବିନ୍ଦ ଦଳକୁ ଚାହିଁ ରହିଛି । ସାହିର ମଧ୍ୟ କେତେକ ଲୋକ ଅନୁସନ୍ଧିତ୍ସା କବାଟ ଓ ଝରକା ଖୋଲି ସାରିଲେଣି ଓ ସେମାନଙ୍କ ବାରଣ୍ଡାର ବିଜୁଳିବତୀ ଜାଳିଲେଣି ।

 

ଯେତେବେଳେ ତାଳ, ମୃଦଙ୍ଗ ଇତ୍ୟାଦି ବାଜେ, ତା’ ପଛରେ ସାଧାରଣତଃ ଦୁଇଗୋଟି କାରଣ ଥାଏ । ଏହା ଭଗବାନଙ୍କ ନାମ କୀର୍ତ୍ତନପାଇଁ ଉଦ୍ଦିଷ୍ଟ ହୋଇପାରେ କିମ୍ବା କେହି ମଲେ, ତା’ର ଶବ ଶ୍ମଶାନକୁ ନେବା ଉପଲକ୍ଷେ ଆରମ୍ଭ କରାଯାଇଥାଏ । ତେଣୁ ସୁଖ ନିଦରୁ ଉଠି ଉତ୍କଣ୍ଠିତ ହୋଇ ଚାହିଁଥିବା ଆମ ସାହିର କେତେକ ଲୋକ ହୁଏତ ବ୍ୟଥିତ ମନରେ ଆମ ଘରୁ ଗୋଟିଏ ମୂର୍ଦ୍ଦାର ବାହାରିବା ବୋଲି ମନେ ମନେ ସନ୍ଦେହ କରୁଥିବେ । କିଛି ସମୟ ମଧ୍ୟରେ ମୋ ନିଦ ଭାଙ୍ଗିଗଲା । ମୁଁ ଝରକା ବାଟେ ଭଜ-ଗୋବିନ୍ଦ ପାର୍ଟିକୁ ଦେଖି ସଙ୍ଗେ ସଙ୍ଗେ ଖଟରୁ ଓହ୍ଲାଇ ପଡ଼ିଲି ଓ ଦାଣ୍ଡପଟକୁ ଧାଇଁଲି । ଭକ୍ତମାନଙ୍କୁ ଦାଣ୍ଡଦୁଆରେ ନଚାଇ ନଚାଇ ମୁଁ ଯେମିତି ସେମାନଙ୍କୁ ହଟହଟା କଲି, ତାହା ଅତ୍ୟନ୍ତ ଅଭଦ୍ରାମିର ପରିଚାୟକ । ତେଣୁ ମୁଁ ଅତ୍ୟନ୍ତ ଅନୁତପ୍ତ ହେଲି । ମୁହଁଧୋଇବା ଭୁଲିଗଲି । ଏମିତିକି ଶେଯରୁ ଉଠିବା କ୍ଷଣି ମୁଁ ପରିସ୍ରା କରେ । ତାହା ମଧ୍ୟ ଭୁଲିଗଲି । ଭଜ-ଗୋବିନ୍ଦ ଦଳ ମତେ ଦେଖି ଆହ୍ଲାଦିତ ହେଲେ ମଧ୍ୟ ମନରେ ମନରେ ସେମାନେ ମୋ ବିଳମ୍ବ ଯୋଗୁଁ ମୋ ପ୍ରତି ଉତ୍‌କ୍ଷିପ୍ତ ହୋଇଥିବେ । କିଏ ଢାଳ, କିଏ ଗିନି ଇତ୍ୟାଦି ଧରି ତାଳ ପକାଇ ବାଜା ବଜାଉଥା’ନ୍ତି । କିନ୍ତୁ ମୋ ହାତରେ କୌଣସି ବାଦ୍ୟ ଯନ୍ତ୍ର ନଥିବାରୁ କେବଳ ତାଳି ମାରୁଥାଏ । ଆମ ଘରର ଦାଣ୍ଡ ଛାଡ଼ିବା ପୂର୍ବରୁ ମୁଁ ଜ୍ୟୋତ୍ସ୍ନା ଆଡ଼କୁ ଚାହିଁଲି । ଦେଖିଲି ଯେ ସେ ଦ୍ଵାରବନ୍ଧକୁ ଆଉଜି, ମୁହଁ ଫୁଲାଇ ରାଗରେ ଠିଆ ହୋଇଛି । ଏଠାରେ ମୁଁ ପ୍ରକାଶ କରୁଛି ଯେ ତାକୁ ମୋ ଭଜ-ଗୋବିନ୍ଦ ଯୋଜନା ସମ୍ପର୍କରେ ମୁଁ ପୂର୍ବରୁ କୌଣସି ସୂଚନା ଦେଇ ନଥିଲି କାରଣ ମୋ ମନରେ ସନ୍ଦେହ ହେଉଥାଏ ଯେ ସେ ଏହି ବିଷୟ ଜାଣିବାକ୍ଷଣି ନାନାପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବ ଓ ଶୁଭ ଅନୁକୂଳ ବିଗାଡ଼ି ଦେବ ।

 

ସେଦିନର ଗୋଟିଏ ବିଶେଷ ଘଟଣା ହେଉଛି ଯେ ଉତ୍ତରାଞ୍ଚଳରୁ ଆସିଥିବା ଜଣେ ବିଶିଷ୍ଟ ଋଷି ରାସ୍ତାରେ ଆମ ଦଳ ସହିତ ଯୋଗ ଦେଲେ । ତାଙ୍କୁ ସିଦ୍ଧିପ୍ରାପ୍ତ ହୋଇଛି ବୋଲି ଲୋକେ କହନ୍ତି । ସେ ଆମ ଦଳର ଆଗରେ ଚାଲିଥା’ନ୍ତି ଓ ତାଙ୍କ ପଛେ ପଛେ ଆମେ ଚାଲିଥାଉ । କିନ୍ତୁ ବାବାଜୀ ମହାରାଜ ଏହି ସହରକୁ ନୂଆରେ ଆସିଥିବା ଯୋଗୁଁ ତାଙ୍କୁ ସହରର ରାସ୍ତାଗୁଡ଼ିକ ଭଲଭାବେ ଜଣା ନାହିଁ । ସେ କୌଣସି ଭଲମନ୍ଦ ବିଚାର ନ କରି, ତାଙ୍କ ମନ ତାଙ୍କୁ ଯେଉଁଆଡ଼କୁ ଟାଣିବ, ସେହି ରାସ୍ତା ଧରନ୍ତି । ଏହି ସହରର ରାସ୍ତାଗୁଡ଼ିକ ଏମିତି ଅଙ୍କା ବଙ୍କା ଓ ଜଟିଳ ଯେ ଏହା ନବାଗତମାନଙ୍କ ପାଇଁ ଗୋଟିଏ ଗୋଲକଧନ୍ଦା ସୃଷ୍ଟି କରେ । ସ୍ଵାମୀଜୀଙ୍କର କୌଣସି ଯୋଜନା ନଥିବା ଯୋଗୁଁ ଏହି କୁଟିଳ ରାସ୍ତାରେ ଯାଉ ଯାଉ ସେ କୌଣସି ଗୋଟିଏ ରାସ୍ତାରେ ଦୁଇ ତିନି ଥର ଯିବା ଆସିବା କରି ପକାଇଲେଣି । ଅବଶ୍ୟ ସ୍ଵାମୀଜୀ ଭଗବତ୍ ପ୍ରେମରେ ଆତ୍ମହରା ହୋଇ କୀର୍ତ୍ତନ କରୁଥିବା ଯୋଗୁଁ ଏହି ସାମାନ୍ୟ ବିଷୟ ତାଙ୍କର ଦୃଷ୍ଟି ଆକର୍ଷଣ କରି ନଥିବ । ତାଙ୍କୁ ଏହି ବିଷୟ ଜଣାଇବା ପାଇଁ ଆମ ମଧ୍ୟରୁ ଜଣକର ସୁଦ୍ଧା ସାହସ ନଥିଲା । କୀର୍ତ୍ତନ କରୁ କରୁ ଥରେ ବାବାଜୀ ମହାରାଜ ଗୋଟିଏ ଗଳି ରାସ୍ତାରେ ପଶିଗଲେ । ସେହି ରାସ୍ତାଟି ମରାମତି ହେଉଥିବା ଯୋଗୁଁ, ରାସ୍ତାଟି ଖୋଳା ହୋଇ ସେଥିରେ ଧାରୁଆ ଛୋଟ ଛୋଟ ପଥର ଖଣ୍ଡ ବିଛା ଯାଇଥିଲା । ଧର୍ମ କାର୍ଯ୍ୟରେ ବାହାରି ଥିବାରୁ ଆମେ କେହି ଜୋତା ମାଡ଼ି ନ ଥିଲୁ । ବର୍ତ୍ତମାନ ଶୀତ ସକାଳର ସେହି ଆବୁଡ଼ା ଖାବୁଡ଼ା ରାସ୍ତାରେ ରାମ-ନାମ ଧରି ଡେଇଁବା ବେଳେ ଆମର ଚଉଦ-ପୁରୁଷ ମନେ ପଡ଼ି ଯାଉଥାଏ । ଆମ ମଧ୍ୟରୁ କେହି ଜଣେ ଦେଖି ପାରିଲା ଯେ, ରାସ୍ତା କଡ଼ର ନର୍ଦ୍ଦମାର ଧାରେ ଧାରେ କିଛି ଅଂଶ ଖୋଳା ଯାଇ ନାହିଁ । ସେ ସେପଟରୁ ଡିଆଁ ମାରିଲା । ତା’ପରେ ଆମେ ସମସ୍ତେ ମଧ୍ୟ ରାସ୍ତା କଡ଼ରେ ନାଳର ଦାଢ଼େ ଦାଢ଼େ ପିମ୍ପୁଡ଼ି ପରି ଧାଡ଼ି ବାନ୍ଧି ସେହି ରାସ୍ତା ଅତିକ୍ରମ କଲୁ । ଏହି ବନ୍ଧୁର ରାସ୍ତାଟି ପରେ ବାବାଜୀ ମହାରାଜ ଆଉ ଗୋଟିଏ କଦର୍ଯ୍ୟ ଗଳି ରାସ୍ତା ଧରିଲେ । ଏହି ରାସ୍ତାଟି ଦୁଇ କଡ଼ରେ ଥିବା ସାହିର ବାଡ଼ି ପଟେ ଯାଇଛି । ତେଣୁ ଏହି ରାସ୍ତାରେ ଦିନ ଦୁଇ ପହରରେ ମଧ୍ୟ ଲୋକେ ଝାଡ଼ା ଫେରନ୍ତି । ଆମେ ଗଲାବେଳେ ମଧ୍ୟ ବହୁ ସଂଖ୍ୟକ ମାଇପି ଗୁଡ଼ାଖୁ ମେଞ୍ଚାଏ ପାଟିରେ ପୁରାଇ ଝାଡ଼ା ଫେରୁଛନ୍ତି । ଆମେ ଭାବିଲୁ ଯେ ପୁରୁଷମାନଙ୍କୁ ଦେଖି ସେମାନେ ଲଜ୍ଜାରେ ଠିଆ ହୋଇ ପଡ଼ିବେ । କିନ୍ତୁ ଝାଡ଼ା ବସିଥିବା ମାଇପିମାନେ ତ ଉଠିଲେ ନାହିଁ; ବରଂ ଯେଉଁମାନେ ଠିଆ ହୋଇଥିଲେ ସେମାନେ ଓଢ଼ଣାକୁ ଆଉ ହାତେ ଅଧିକ ଲମ୍ବାଇ ପାଦ ପାଖରୁ ଅଣ୍ଟା ଉପରକୁ ଲୁଗା ଟେକି ଝାଡ଼ା ଫେରିବା ପାଇଁ ବସିଲେ । ଏହା ଫଳରେ ଲଜ୍ଜାବଶତଃ ଆମେ ଆଉ ବାମ କିମ୍ବା ଡାହାଣ ପଟକୁ ଚାହିଁବାକୁ ସାହସ କଲୁ ନାହିଁ । ଏମିତି ସମୟରେ ମୁଁ ଲକ୍ଷ୍ୟ କଲି ଯେ ରାସ୍ତାରେ ଖଣ୍ଡେ ଖଣ୍ଡେ ଜାଗାରେ ପାଣି ଭାସୁଛି । ଏହାର କାରଣ ମୁଁ ବୁଝିଗଲି । ମାଇପିଗୁଡ଼ାକ ଝାଡ଼ାଫେରିବା ପରେ ରାସ୍ତା ମଝିକୁ ଆସି ଶୌଚ ହେଉଛନ୍ତି । ତେଣୁ ଏହି ଦୂଷିତ ଜଳ ଉପରେ ପାଦ ପକାଇବାକୁ ମୋ ମନ ମତେ ବାରଣ କରୁଥାଏ । ଏହିସବୁ ପ୍ରତି ମହାରାଜଙ୍କର କୌଣସି ଲକ୍ଷ୍ୟ ନାହିଁ । ସେ କେତୁ ଗ୍ରହ ପରି ଧର୍ମକାମୀ ଓ ଊର୍ଦ୍ଧ୍ଵମୁଖୀ । ତଳେ–ଏହି ସଂସାର ପୃଷ୍ଠରେ–କ’ଣ ହେଉଛି, ସେଥିପ୍ରତି ତାଙ୍କର କୌଣସି ଦୃଷ୍ଟି ନାହିଁ । ସେ ନିର୍ବିକାର ଚିତ୍ତରେ ଶ୍ରୀନାମ ବୋଲୁଥା’ନ୍ତି । କିନ୍ତୁ ମୁଁ ଭଜ-ଗୋବିନ୍ଦ ଦଳର ଶେଷରେ ରହି ଏହି ଦୂଷିତ ଜଳ ସ୍ରୋତ ଗୁଡ଼ିକୁ ଲମ୍ପ ମାରି ମାରି ଅତିକ୍ରମ କରିବାରେ ବ୍ୟସ୍ତ ।

 

ସହର ପରିକ୍ରମା ସାରି ଆମେ ଗୋଟିଏ ମନ୍ଦିରର ମଣ୍ଡପରେ ଏକତ୍ରିତ ହେଲୁ । ବାବାଜୀ ମହାରାଜ ଆମକୁ ଧର୍ମ ସମ୍ପର୍କରେ ବାଣୀ ଶୁଣାଇଲେ ଅନ୍ୟ ଶ୍ରୋତାମାନଙ୍କ ପରି ନୀରବରେ ଓ ଏକଲୟରେ ମହାରାଜଙ୍କୁ ଚାହୁଁଥିଲେ ସୁଦ୍ଧା ମୋ ମନ ଅନ୍ୟତ୍ର ଥିଲା । ସକାଳୁ ମତେ ଖୁବ୍ ଜୋରରେ ପ୍ରାୟ ସବୁଦିନ ଅଭ୍ୟାସ ବଶତଃ ଝାଡ଼ା ମାଡ଼େ । ତେଣୁ କେତେବେଳେ ହଠାତ ଝାଡ଼ା ଦେଖାଇବ ଓ ଦେଖାଇଲେ ସେ ଜରୁରୀ ପରିସ୍ଥିତିରୁ କେମିତି ରକ୍ଷା ପାଇବି, ତାହା ମୋର ଚିନ୍ତାର ବିଷୟ ହୋଇ ପଡ଼ିଲା । ଏହି ମନ୍ଦିରର ଶୁଦ୍ଧ ପରିବେଶରେ ମୁଁ କେଉଁଠାରେ ଗୋଟିଏ ଅଳିଆ ଗଦା ପାଇବି ବୋଲି ମନେ ମନେ ଖୋଜୁଥାଏ । ଯାହାହେଉ, ସେମିତି କିଛି ଅପ୍ରୀତିକର ଘଟଣା ଘଟିଲା ନାହିଁ । ଧର୍ମସଭାରୁ ଘରକୁ ଫେରିବା ବେଳେ ଯଥେଷ୍ଟ ବିଳମ୍ବ ହୋଇଯାଇଥିଲା । ରୋଷେଇ ପାଇଁ ପନିପରିବା କେତେବେଳେ ଆଣିବି–ସେଥିପାଇଁ ଚିନ୍ତିତ ହୋଇଗଲି । କିନ୍ତୁ ଦେଖିଲି ଯେ ଜ୍ୟୋତ୍ସ୍ନା ରୋଷେଇ ସାରି ଦେଇଛି । ଗାଧୁଆ ସାରି ଖାଇବାକୁ ବସିଲି–ଦେଖିଲି ଯେ ମାଂସ ତରକାରୀ ହୋଇଛି । ମୁଁ ରାମ-ରାମ ବୋଲି କହି ଆସନରୁ ଉଠି ପଡ଼ିଲି । ଅବଶ୍ୟ ମୁଁ ପୂର୍ବରୁ ଆମିଷ ଖାଉଥାଏ । କିନ୍ତୁ ଭଜ-ଗୋବିନ୍ଦ ଦଳରେ ମିଶିବା ପରେ ପୂରାପୂରି ନିରାମିଷାସୀ ହେବା ପାଇଁ ପୁରୀ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ଛୁଇଁ ଭଗବାନଙ୍କଠାରେ ସଂକଳ୍ପ କରିଛି । ଏହି ବିଷୟରେ ଜ୍ୟୋତ୍ସ୍ନା ଜାଣିନାହିଁ । ଆମ ବିବାହିତ ଜୀବନର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ସେ ପରିବା କିଣିବା ପାଇଁ ଦିନେ ସୁଦ୍ଧା ବଜାରକୁ ଯାଇ ନ ଥିଲା । ମାତ୍ର ଆଜି ମତେ ସନ୍ତୁଷ୍ଟ କରିବାକୁ ସେ ନିଜେ ଯାଇ ମାଂସ କିଣି ଆଣିଥିଲା । ଯାହାହେଉ, ମୁଁ ତାଙ୍କୁ ସ୍ପଷ୍ଟଭାବେ ଜଣାଇଲି ଯେ ମୁଁ ଆଜିଠାରୁ ମାଛ, ମାଂସ, ଏମିତିକି ତେଲ, ପିଆଜ ଓ ରସୁଣ ମଧ୍ୟ ଖାଇବି ନାହିଁ । ମୋ ପାଇଁ ପରିବା-ସିଝା ଯଥେଷ୍ଟ । ବର୍ତ୍ତମାନ ପାଇଁ ସେ ମା’ ଘରୁ ଆଣିଥିବା ବଡ଼ି ଚାରିଖଣ୍ଡ ପୋଡ଼ି ଦେଲା । ମୁଁ ବଡ଼ କଷ୍ଟରେ କେତେ ଗୁଣ୍ଡା ଭାତ ଗିଳିଲି–ଲୋକେ କୁଇନାଇନ୍‌ ବଟିକା ଯେମିତି ଗିଳିଥା’ନ୍ତି । ତା’ପରେ ଶୀଘ୍ର ଅଫିସ୍‌କୁ ଚାଲିଗଲି । ସନ୍ଧ୍ୟା ପାଞ୍ଚଟାବେଳେ ଅଫିସ୍‌ରୁ ଫେରିବା ସମୟରେ ଜ୍ୟୋତ୍ସ୍ନା ମନଲୋଭା ବେଶଭୂଷାରେ ସଜେଇ ହୋଇଛି । ଇତ୍ୟବସରରେ, ଭଲଭାବେ ନିରାମିଷ-ଭୋଜନ ରୋଷେଇ କରିଛି । ମୁଁ ଖାଉଥିବାବେଳେ ମତେ ଆୟତ୍ତାଧୀନ କରିବାକୁ ସେ ନାନାପ୍ରକାର ଉତ୍ତେଜକ ଅଙ୍ଗଭଙ୍ଗୀ ଦେଖାଇଲା । କିନ୍ତୁ ମୁଁ ପୂର୍ବକାଳର ମୁନି ଋଷି ପରି ତରଳ ନୁହେଁ ଯେ ରମ୍ଭା, ମେନକାର ନାଚ ଦେଖି ମୋ ସାଧନାରୁ ଟଳିଯିବି ।

 

ତା’ ପରଦିନ ସକାଳୁ ଭଜ-ଗୋବିନ୍ଦରେ ଯୋଗ ଦେଇ ଘରକୁ ଫେରିବା ବେଳେ ମଧ୍ୟ ବିଳମ୍ବ ହୋଇଗଲା । ଅବଶ୍ୟ ଏହି ଦିନ କୌଣସି ଧର୍ମ ସଭା ନଥିଲା । କିନ୍ତୁ ମୁଁ ଗୋଟିଏ ସେଲୁନରେ ବାଳ କାଟିବାକୁ ମୋ ପାଳି ଆସିବା ଯାଏଁ ଅପେକ୍ଷା କରି ରହିଥିଲି । ବାରିକଙ୍କୁ କହି ମୋ ମୁଣ୍ଡର ବାଳ କାଟିଲି ଓ ଲଣ୍ଡିତ ହୋଇଗଲି । ପଛପଟେ ଗୋଟିଏ ମୋଟା ଚୁଟି ରଖିଥାଏ । ତା’ପରେ ଶ୍ରୀ ହରିନାଥ ପୁଷ୍କରିଣୀରେ ସ୍ନାନ କଲି । ରାଧା ଗୋବିନ୍ଦକୁ ଦର୍ଶନକରି ପ୍ରସାଦ ସେବନ କଲି । ଘରକୁ ଆସିବା ବେଳେ ମୁଁ ଗୁଣୁ ଗୁଣୁ ହେଉଥାଏ–

 

‘ହରେ କୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ,

ଶ୍ରୀକୃଷ୍ଣ ଚଇତନ୍ୟ ପ୍ରଭୁ, ନିତ୍ୟାନନ୍ଦ ।’

 

ଏହି ଅପୂର୍ବ ପଦାବଳୀ ଆମେ ଭଜ-ଗୋବିନ୍ଦରେ ବାରମ୍ବାର ଘୋଷି ହେଉଥାଉ । ମୋ ଲଣ୍ଡିତମୁଣ୍ଡକୁ ଦେଖି ମୋର ସାନପୁଅ ଓ ସାନଝିଅ ପାଟି ଚିପି ଚିପି ହସୁଥାନ୍ତି ଏବଂ ରୋଷେଇଘରକୁ ଯାଇ ଜ୍ୟୋତ୍ସ୍ନାକୁ ଧୀରେ ଧୀରେ ଏହି ବିଷୟ ଜଣାଇଲେ । ଜ୍ୟୋତ୍ସ୍ନା ମତେ ଭଲଭାବେ ଚାହିଁଲା । ମୋ ଚୁଟିକୁ ଥରକୁ ଥର ଦେଖିଲା । ଚୁଟିରେ ବନ୍ଧା ହୋଇଥିବା ତୁଳସୀ ପତ୍ରକୁ ସୂକ୍ଷ୍ମ ଭାବେ ଲକ୍ଷ୍ୟ କଲା । ତା’ପରେ ପାଟି ଭିଡ଼ି ରାଗରେ କହିଲା, ‘ତମେ ଚାରି-ଦଉଡ଼ି-କଟା ହୋଇଗଲ । ବିଚ୍ ରାସ୍ତାରେ ଏମିତି ଲଣ୍ଡା ହୋଇ, ଆଣ୍ଠୁ ଡେଉଁ ନ ଥିବା ଖଣ୍ଡେ ଓଦା ଗାମୁଛା ପିନ୍ଧି, ଦିନ ନଅଟାବେଳେ ଆସିବାକୁ ତମକୁ ଲାଜ ମାଡ଼ିଲା ନାହିଁ ? ମୁଁ ଭାବୁଥିଲି ଯେ ତମର ରାଧା-ଗୋବିନ୍ଦ ପ୍ରେମ ଉପର ଠଉରିଆ । କାଛୁ, କୁଣ୍ଡିଆ ପରି ଚମ ଉପରେ ମାଡ଼ି ଚାଲିଛି । ମାତ୍ର ଏବେ ଦେଖୁଛି ଯେ ଏହା ତଳର ଦେହ ଭିତରେ ପ୍ରବେଶ କଲାଣି । କେଉଁ ବାରବୁଲା, ଛତରଖିଆ, ଘରଭଙ୍ଗାମାନେ ତମକୁ ଏଇ ରୋଗ ସଂକ୍ରମିତ କରିଛନ୍ତି, ସେମାନଙ୍କୁ ମୁଁ ଦେଖିବି ।’ ମୋ ସ୍ତ୍ରୀର ପାଟି ତ ସବୁବେଳେ ଖର । ତା’ ସହିତ କଥା ହେବା ଦୋଷ । ତେଣୁ ମୁଁ କିଛି ନ କହି ବାଘଛାଲଟି ବିଛାଇ ଅଧଘଣ୍ଟାଏ ଯାଏଁ ଆଖି ବୁଜି, ରୁଦ୍ରାକ୍ଷର ମାଳି ଗଡ଼ାଇ ଜପ କଲି ।

 

ତା’ ପରଦିନ ସତର୍କତାର ସହିତ ରାତି ତିନିଟାରୁ ଶେଯ ଛାଡ଼ିଲି । ସମସ୍ତେ ନିଘୋଡ଼ ନିଦରେ ଶୋଇଥା’ନ୍ତି । ମୁଁ ମୋ ନିତ୍ୟକର୍ମ ସାରିବା ପାଇଁ ବାଡ଼ି ପଟକୁ ଗଲି । ଭୀଷଣ ଶୀତ ହେଉଥାଏ । ତଥାପି ଝାଡ଼ା ଫେରି ଗାଧୁଆ ସାରିଲି । ତା’ପରେ ଗତି କାଲି କିଣିଥିବା ଗେରୁଆ ଖଦି ହଳକ ପିନ୍ଧି ତିଳକ ମାଟିରେ କପାଳ, ନାକଦଣ୍ଡା, ବାହୁ, ପେଟ ଓ ଛାତିରେ ଚିତା କାଟିବାକୁ ତିଳକ-ମାଟିକୁ ପାଣିରେ ଘଷିଲି । ମୁଁ ତ ଭଜ-ଗୋବିନ୍ଦରେ ଯୋଗଦେବାର ଆଜିକୁ ମିଶାଇ ମୋଟ ତିନିଦିନ ହେଲା । ପାହାନ୍ତିଆରୁ ନିତ୍ୟକର୍ମ ସାରିବା ମୋର ଆହୁରି ଅଭ୍ୟାସରେ ପଡ଼ିନାହିଁ । ବିଶେଷତଃ ମୁଁ ଝାଡ଼ା ବିଷୟରେ ଚିନ୍ତିତ ହୋଇ ପଡ଼ୁଛି, କାରଣ ସକାଳ ଛଅଟା ବେଳେ ଝାଡ଼ା ଫେରିବା ମୋର ନିତିଦିନିଆ ଅଭ୍ୟାସ । ତେଣୁ ରାତି ତିନିଟାରେ ପେଟ ଚିପି ଚିପି ଝାଡ଼ାଫେରିଲେ ମଧ୍ୟ ଭଲଭାବେ ଝାଡ଼ା ହେଉନାହିଁ । ଫଳରେ ଭଜ-ଗୋବିନ୍ଦ ଦଳରେ ବୁଲିବାବେଳେ ବଡ଼ ଅସ୍ଵସ୍ତିକର ବୋଧ ହେଉଛି । ଭଗବାନଙ୍କ ପାଖରେ ଏକ ଲୟରେ ମନ ଲଗାଇ ହେଉନାହିଁ । ବର୍ତ୍ତମାନ ତିଳକମାଟିରେ ଚିତା କାଟୁଥିବାବେଳେ ମିଟି ମିଟି ଖଡ଼ା ଦେଖାଇଲା । ତେଣୁ ବାଧ୍ୟ ହୋଇ ମୋର ପବିତ୍ର ଗେରୁଆ ଲୁଗା ବଦଳାଇ ପାଇଖାନାକୁ ଗଲି । ପେଟର ବାଁରୁ ଡାହାଣ ଯାଏଁ, ଛାତି ତଳୁ ଅଣ୍ଟା ପର୍ଯ୍ୟନ୍ତ ଦୁଇ ହାତରେ ବଡ଼ ଜୋରରେ ପେଟକୁ ଚିପୁଥାଏ । ପୁଣି କୁନ୍ଥେଇ କୁନ୍ଥେଇ ପାଇଖାନାରେ ବସୁଥାଏ, ଉଠୁଥାଏ । ପାଇଖାନାରେ କବାଟ ବନ୍ଧ କରି ମୋର ଏମିତି ଚେଷ୍ଟା ଅପଚେଷ୍ଟା ଚାଲିଥାଏ । ଇତ୍ୟବସରରେ ମୋ ସ୍ତ୍ରୀ ପିଲାମାନେ ନିଦରୁ ଉଠି ଗୋଟିଏ ଷଡ଼ଯନ୍ତ୍ର ଭିଆଇଛନ୍ତି । ସେମାନେ ଭଜ-ଗୋବିନ୍ଦ ପାର୍ଟି ଆମ ସାହିକୁ ଆସିବାର ସମୟ ଜାଣନ୍ତି । ତେଣୁ ମୋ ସ୍ତ୍ରୀ ବୁଲୁ ଓ ଡୁଲୁକୁ ସାହିର ଆରମ୍ଭରେ ଜଗିବା ପାଇଁ କହିଲା । ସେମାନେ ସେଠାରେ କିଛି ସମୟ ଜଗିବା ପରେ ଯେତେବେଳେ ଭଜ-ଗୋବିନ୍ଦ ଦଳ ଆସୁଥିବାର ଦେଖିଲେ ସଙ୍ଗେ ସଙ୍ଗେ ମୋ ସ୍ତ୍ରୀକୁ ଜଣାଇଲେ । ସେତେବେଳେ ମୋ ସ୍ତ୍ରୀ ଗୋଟିଏ ବାଲ୍‌ଟିରେ ଗୋବର ବହଳ ଭାବେ ପାଣିରେ ଘାଣ୍ଟି ରଖିଥାଏ । ପାଞ୍ଚ ମିନିଟ ମଧ୍ୟରେ ଭଜ-ଗୋବିନ୍ଦ ଦଳ ସାହି ଭିତରେ ପ୍ରବେଶ କଲେ । ସେମାନଙ୍କୁ ସାହିର ଅନେକ ଲୋକ ବାଜା ଇତ୍ୟାଦି ନ ବଜେଇବା ପାଇଁ ଦୁଇଦିନ ପୂର୍ବରୁ ସୂଚାଇ ଦେଇଛନ୍ତି, କାରଣ ଏଥି ଯୋଗୁଁ ସେମାନଙ୍କ ନିଦ କୁଆଡ଼େ ଅବେଳରେ ଭାଙ୍ଗି ଯାଉଛି । ପ୍ରକୃତରେ ପୂର୍ବ କାଳରେ ଲୋକେ ରାତିରେ ଶୀଘ୍ର ଶୋଉଥିଲେ ଓ ଶୀଘ୍ର ମଧ୍ୟ ଉଠୁଥିଲେ । କିନ୍ତୁ ଆଜିକାଲି ବିଦ୍ୟୁତ୍ ଆଲୋକର ପ୍ରସାର ଯୋଗୁଁ ଲୋକେ ବହୁ ବିଳମ୍ୱରେ ରାତିରେ ଶୁଅନ୍ତି ଏବଂ ଦିନ ଆଠଟାରେ ଉଠନ୍ତି । ତେଣୁ, ରାତି ଚାରିଟାବେଳେ ନିଦ ଭାଙ୍ଗିଗଲେ ସେମାନେ ଉତ୍‌କ୍ଷିପ୍ତ ହେବା ସ୍ଵାଭାବିକ ।

 

ଭଜ-ଗୋବିନ୍ଦ ଦଳ ନୀରବରେ ଆମ ଘର ଆଗରେ ଠିକ୍ ପହଞ୍ଚିବାବେଳେ ମୋ ସ୍ତ୍ରୀ ବାରଣ୍ଡାରେ ରହି ବାଲତିରୁ ଖୁବ୍ ଜୋରରେ ଗୋବରପାଣି ଫୋପାଡ଼ି ଦେଲା । ଗୋବରପାଣି ପାଚେରି ଡେଇଁ ଭଜ-ଗୋବିନ୍ଦ ଦଳ ଉପରେ ପଡ଼ିଲା I ବିଶେଷତଃ ଉତ୍ତରାଞ୍ଚଳରୁ ଆସିଥିବା ବାବାଜୀ ମହାରାଜଙ୍କ (ଯିଏକି ସେତେବେଳେ ନିଜେ ମତେ ଡାକିବା ପାଇଁ ଆମ ଘରର ପାଚେରି ଭିତରକୁ ମାଡ଼ି ଆସୁଥିଲେ) ମୁଣ୍ଡ ଉପରେ ଗୋବରପାଣିର ଅଧିକାଂଶ ଅଜାଡ଼ି ହୋଇ ପଡ଼ିଲା । ଏହି ଅପ୍ରତ୍ୟାଶିତ ଘଟଣାରେ ମହାରାଜ ରାଗରେ ଗର୍ଜନ କଲେ । ଭକ୍ତମାନେ ସଙ୍ଗେ ସଙ୍ଗେ ତାଙ୍କୁ ଘେରିଗଲେ, ମହାରାଜ ମୁଣ୍ଡ କିମ୍ବା ଦାଢ଼ିରେ କେବେ ପାନିଆ ବାଜି ନ ଥିବା ଯୋଗୁଁ ତାହା ବିଣ୍ଡା ବାନ୍ଧି ବରଗଛର କେତୋଟି ଓହଳପରି ଦେଖା ଯାଉଥିଲା । ବର୍ତ୍ତମାନ ସେଥିରୁ ଗୋବର ପାଣି ଟପ୍ ଟପ୍ ହୋଇ ଖସିଲା । ଭକ୍ତମାନେ ମହାରାଜଙ୍କୁ ଗୋଟିଏ ଗାମୁଛାରେ ପୋଛାପୋଛି କଲେ । ତା’ପରେ ଗୋବରପାଣି ଯୋଗୁଁ ଭିଜି ଯାଇଥିବା ଲୁଗା ବଦଳାଇବା ପାଇଁ ମହାରାଜ ଇଚ୍ଛାପ୍ରକାଶ କଲେ । ସେତେବେଳେ ମୋ ସ୍ତ୍ରୀ ଘର ଭିତରକୁ ଯାଇ ମୁଁ ରଖିଥିବା ନୂଆ ଗେରୁଆ ଲୁଗା ଦୁଇଟି ମହାରଜଙ୍କୁ ପରମ ଆନନ୍ଦରେ ଦାନ କଲା । ତା’ପରେ ସେ ଭଲଲୋକି ସାଜି ବିଭୀଷଣ-ଶୋକ ସହିତ ସମସ୍ତଙ୍କୁ କହିଲା ଯେ ଆମ ଘର-ଦାଣ୍ଡରେ ସବୁଦିନେ ପାହାନ୍ତିଆରେ ଛେରା-ପାଣି ପକାଯାଏ । ଏଥିପାଇଁ ସେ ଗୋବରପାଣି ବ୍ୟବହାର କରେ । ଆଜି ସେ ଛେରାପାଣି ଠିକ୍ ପକାଉଥିବା ସମୟରେ ଦୁର୍ଭାଗ୍ୟବଶତଃ ମହାରାଜ ଘର ଭିତରକୁ ଅନ୍ଧାରରେ ଚାଲି ଆସିଲେ । (ପ୍ରକାଶ ଥାଉକି ବୁଲୁ ଓ ଡୁଲୁ ଯେତେବେଳେ ମୋ ସ୍ତ୍ରୀକୁ ଭଜ-ଗୋବିନ୍ଦ ଦଳ ଆସୁଥିବା ବିଷୟ ଜଣାଇଲେ ସେ ତୁରନ୍ତ ଦାଣ୍ଡଘରକୁ ଲାଇଟ୍ ଲିଭାଇ ଏହି ଅଞ୍ଚଳକୁ ଅନ୍ଧକାରାଚ୍ଛନ୍ନ କରିଥିଲା । ତା’ର ଷଡ଼ଯନ୍ତ୍ରକୁ ଚରିତାର୍ଥ କରିବା ପାଇଁ ଏହା ଏକ ପଦକ୍ଷେପ । ପୁଣି ସେଦିନ କୁହୁଡ଼ି ଘଞ୍ଚ ଥିବାରୁ ସ୍ଵାମୀଜୀ ଓ ଭକ୍ତମାନେ ଜ୍ୟୋତ୍ସ୍ନାର ମତିଗତିକୁ ସନ୍ଦେହ କଲେନାହିଁ । ଭକ୍ତମାନେ ଜ୍ୟୋତ୍ସ୍ନାକୁ ସହଜରେ ବିଶ୍ଵାସ କରି ଠକାମିରେ ପଡ଼ିଯାଉଛନ୍ତି ବୋଲି ଜାଣି ମୋ ସାନ ଝିଅ ଇତି ତା’ ହସକୁ ଚାପି ରଖି ପାରିଲାନାହିଁ । ସେ ନିଜ ଆଡ଼ୁ ସମସ୍ତଙ୍କ ଆଗରେ କହିଲା ଯେ, ମହାରାଜ ଓ ଭଜ-ଗୋବିନ୍ଦ ଦଳକୁ ଘଉଡ଼ିବା ପାଇଁ ତାର ମା’ ଏହି କୌଶଳ କରିଛି । ଏଥିରେ ସମସ୍ତେ ବିସ୍ମିତ ଓ କ୍ରୋଧ ହେଲେ । ମହାରାଜ ସଙ୍ଗେସଙ୍ଗେ ତାଙ୍କର ବାଘଛାଲଟି କାଖରେ ଜାକିଲେ ଏବଂ ଚିମୁଟା ଓ କମଣ୍ଡଳୁ ହାତରେ ଧରି, ମୋ ସ୍ତ୍ରୀକୁ ଧିକ୍‌କାର କରିକରି ସେଠାରୁ ଚାଲିଗଲେ । ଭକ୍ତମାନେ ମଧ୍ୟ ଆଉ କେବେ ମୋ ଦାଣ୍ଡରେ ପାଦ ପକାଇବେ ନାହିଁ ବୋଲି କହି ମହାରାଜଙ୍କ ପଛେ ପଛେ ଧାଇଁଲେ ।

 

ଦାଣ୍ଡରେ ଏମିତି ବର୍ବରୋଚିତକାଣ୍ଡ ଚାଲିଥିବା ବେଳେ ମୁଁ ପାଇଖାନାରେ ପେଟ ଚିପୁଛି, କୁନ୍ଥେଇ ହେଉଛି ଓ ବାରମ୍ବାର ବସାଉଠା କରୁଛି । ତଥାପି ପେଟରୁ ମଳ ସଫା ହୋଇଗଲା ବୋଲି ମୋର ବିଶ୍ୱାସ ଜନ୍ମୁ ନାହିଁ । କିନ୍ତୁ ମହାରାଜ ଓ ଭକ୍ତମାନେ ଚାଲିଯିବା ପରେ ଯେତେବେଳେ ମୋ ସ୍ତ୍ରୀ ଓ ପିଲାମାନେ ମଝି-ଘରେ ବସି ଏଇ ଘଟଣା ସମ୍ପର୍କରେ କଥାଭାଷା ହେଲେ, ମୁଁ ପାଇଖାନାରେ ରହି ଊଣାଅଧିକେ ସବୁ ଶୁଣି ପାରଲି । ତା’ପରେ ଆଉ ମୁହୂର୍ତ୍ତେ ବିଳମ୍ବ ନ କରି ପାଇଖାନାରୁ ବାହାରି ଆସିଲି । ଭାବିଲି ଯେ ମହାରାଜଙ୍କ ପାଦ ତଳେ ପଡ଼ି ସାଷ୍ଟାଙ୍ଗ ପ୍ରଣିପାତ କରିବି ଓ ମୋର ସ୍ତ୍ରୀର ଅଭଦ୍ର ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିବି । କିନ୍ତୁ ମହାରାଜଙ୍କୁ ଛୁଇଁବା ପୁର୍ବରୁ ଶୌଚ ହେବାକୁ ପଡ଼ିବ । ତେଣୁ ପଇତା ଧୋଇଲି ଓ ବିଷ୍ଣୁ-ବିଷ୍ଣୁ-ବିଷ୍ଣୁ ବୋଲି ତିନିଥର କହି, ମୁଣ୍ଡରେ ସଜ ପାଣି ଛିଞ୍ଚି, ମନ୍ତ୍ରସ୍ନାନ କଲି । ତା’ପରେ ଲୁଗା ବଦଳାଇବା ପାଇଁ ତତ୍ପର ହେବା ବେଳେ ଦେଖିଲି ଯେ ସ୍ଵାମୀଜୀଙ୍କ ଉଦ୍ଦେଶ୍ୟରେ ମୋ ଗେରୁଆ ଲୁଗାବସ୍ତ୍ର ହଳକ ହରଣଚାଳ ହୋଇଯାଇଛି ।

 

ଆଉ କାଳ ବିଳମ୍ବ ନ କରି ଓଦା ଲୁଗା ପିନ୍ଧି ଦାଣ୍ଡ ଆଡ଼କୁ ଦୌଡ଼ିଲି । ଦୌଡ଼ିବାବେଳେ ଦାଣ୍ଡ ପାହାଚରେ ପଡ଼ିଥିବା ଗୋବରପାଣିରେ ମୋ ଗୋଡ଼ ଖସିଗଲା-। ମୁଁ କଚାଡ଼ି ହୋଇ ପଡ଼ିଗଲି । ସହଜରେ ଉଠି ପାରିଲି ନାହିଁ । ମନେ ହେଲା, ମୋ ଜଙ୍ଘହାଡ଼ ଅଣ୍ଟାର ଜଏଣ୍ଟ୍‌ରୁ ଅନ୍ତର ହୋଇଯାଇଛି । ଅଳ୍ପ ସମୟ ମଧ୍ୟରେ ମୋ ସ୍ତ୍ରୀ ଘରୁ ଆସି ମତେ ଉଠାଇଲା । କିନ୍ତୁ ସେତେବେଳେ ମତେ ପୁରାପୁରି ବଳହୀନ ପରି ଲାଗୁଥାଏ । ଗୋଡ଼ ଦୁଇଟିକୁ ଯେତେ କହିଲେ ସୁଦ୍ଧା ମୋ ବୋଲ ମାନୁ ନଥା’ନ୍ତି । ବାଧ୍ୟ ହୋଇ ସ୍ତ୍ରୀର ପିଠି ଉପରେ ଶବ ପରି ଲଦି ହୋଇଗଲି ଓ ସେ ମତେ ଘୋଷାରି ଘୋଷାରି ଘର ଭିତରକୁ ନେଲା । ସେତେବେଳେ ମୁଁ ଭାବିଲି ଯେ ଅବାଟରେ ଯାଉଥିବା ସ୍ଵାମୀକୁ ବାଟକୁ ଆଣିବା ପାଇଁ ସ୍ତ୍ରୀମାନେ ସାଧାରଣତଃ ପେଟେଣ୍ଟ୍ ମେଡ଼ିସିନ୍ ଖୁଆଇଥାନ୍ତି । ସେଇ ରାତିରେ ମତେ ବାଟକୁ ଆଣିବା ପାଇଁ ମୋ ସ୍ତ୍ରୀ ବର୍ତ୍ତମାନ ଗୋଟିଏ ପେଟେଣ୍ଟ୍ ମେଡ଼ିସିନ୍ ଖୁଆଇଲା ଏବଂ ଏହି ଏତେ ଶକ୍ତିଶାଳୀ ଯେ ମଲା ଯାଏଁ ମୋର ମନେ ପଡ଼ୁଥିବ ଓ ଭବିଷ୍ୟତ ପାଇଁ ଠିକ୍ କାମ ମଧ୍ୟ ଦେବ ।

 

ପ୍ରକୃତରେ ଏଣିକି ମୁଁ ସ୍ତ୍ରୀର ପୁରା ବୋଲକରା ହୋଇ ରହିଲି । ଏହି ସମ୍ପର୍କରେ ଜଣଙ୍କର ମନ୍ତବ୍ୟ ଏଠାରେ ଉଲ୍ଲେଖ କରୁଛି । ଥରେ ମୋର ଜଣେ ସାଥି ମୋ ପାଖକୁ ଖଣ୍ଡେ ଚିଠି ଲେଖିଲେ । ସେ ଯେଉଁ ଠିକଣାରେ ଚିଠିଟି ପଠାଇଥିଲେ ମୁଁ ଲେଖୁଛି:–

 

ଶ୍ରୀ ନରେଶ ଚନ୍ଦ୍ର ରଥ

ମାର୍‌ଫତ : ଶ୍ରୀମତୀ ଜୋସ୍ନାମୟୀ ରଥ

ଗୋବିନ୍ଦପୁର-୭୨୦୦୦୪

 

ଏହି ଠିକଣାଟିକୁ ବିଚାର କରନ୍ତୁ । ଚିଠିଟା ମୋ ନିକଟକୁ ଲେଖାଯାଇଥିଲେ ସୁଦ୍ଧା ଠିକଣାଟି କେମିତି ଲେଖାଯାଇଛି:–ମୋ ସ୍ତ୍ରୀର C/o (care of) ଅର୍ଥାତ୍ ମାର୍‍ଫତରେ ମୁଁ ଅଛି-! ଏହା କେବଳ ମୋର ଉପରୋକ୍ତ ସାଙ୍ଗର ମନ୍ତବ୍ୟ ନୁହେଁ; ଆମ ଦାମ୍ପତ୍ୟ ଜୀବନ ପ୍ରତି ସର୍ବସାଧାରଣଙ୍କର ମତ । ମୁଁ ଜାଣିଛି ଯେ ସବୁ ଲୋକଙ୍କର ସ୍ତ୍ରୀ ନିଜ ନିଜ ସ୍ଵାମୀର ଅଧୀନସ୍ଥ; କିନ୍ତୁ ମୁଁ ମୋର ସ୍ତ୍ରୀର ଅଧୀନରେ ରହିଛି ! ମୋ ପୁରୁଷପଣରେ ଏହାଠାରୁ ଆଉ ଅଧିକ ଅଧୋଗତି କ’ଣ ସମ୍ଭବପର ? ଧିକ୍ ଏ ଜୀବନ ।

 

ଶ୍ରୀ ପ୍ରଭୁପାଦ ବ୍ରହ୍ମଚାରୀଙ୍କ ଆତ୍ମସ୍ମୃତିରୁ…

 

(ମୁଁ ବର୍ତ୍ତମାନ ପ୍ରଭୁପାଦ ବ୍ରହ୍ମଚାରୀ ନାମରେ ପରିଚିତ । ବାନପ୍ରସ୍ଥ ଜୀବନ ଆରମ୍ଭ କରିବାବେଳେ ମୁଁ ଆମ ଗାଁ ନିକଟସ୍ଥ ଗୋଟିଏ ବଣରେ ପ୍ରଥମେ ରହିଥିଲି । ସେହି ବଣକୁ ଯାଉ ଯାଉ ମତେ ସେଠାକାର ପଶୁମାନେ ବନ୍ଦୀ କଲେ ଓ ରାଜଦରବାରକୁ ବିଚାର ପାଇଁ ନେଲେ । ଏଠାରେ ରାଜଦରବାରର ଅର୍ଥ ହେଇଛି ପଶୁମାନଙ୍କର ରାଜଦରବାର । ଦରବାରରେ ପହଞ୍ଚି ମୁଁ ଦେଖିଲି ଯେ, ସେଠାରେ ପଶୁରାଜ-ସିଂହ ସିଂହାସନରେ ବସିଥିଲା, ଅନ୍ୟାନ୍ୟ ପଶୁମାନେ ଦଳ ଦଳ ହୋଇ ନିଜ ନିଜ ସ୍ଥାନରେ ବସିଥିଲେ । ପଶୁରାଜ-ସିଂହ ମତେ ପଚାରିଲା, ‘ତମେ ବଣକୁ କାହିଁକି ଆସିଲ ? ଆମ ରାଜ୍ୟରେ ଅନଧିକାର ପ୍ରବେଶ ପାଇଁ ମୃତ୍ୟୁ ଦଣ୍ଡ ଦିଆଯାଏ ।’ ମୁଁ ନମ୍ରତାର ସହିତ ଉତ୍ତର ଦେଲି, ‘ମହାରାଜ ମୁଁ ବୃଦ୍ଧ ହୋଇଯିବାରୁ ବାନପ୍ରସ୍ଥ ଜୀବନଯାପନ କରିବାକୁ ବଣକୁ ଆସିଛି ।’ ମୋ ଭକ୍ତି ଶୁଣି ବିଭିନ୍ନ ପଶୁ ଆପତ୍ତି ଅଭିଯୋଗ ଓ ପ୍ରତିବାଦ ଜଣାଇଲେ । ତୁରନ୍ତ ଗୋଟିଏ ମୃଗ ପଶୁରାଜକୁ ମୋ ବିରୁଦ୍ଧରେ ଜଣାଇଲା, ‘ମହାରାଜ ! ଭଗବାନ କହିଛନ୍ତି ଯେ ଚାରିଗୋଡ଼ିଆ ଜୀବକୁ ବିଶ୍ଵାସ କରିହେବ; କିନ୍ତୁ ଦୁଇଗୋଡ଼ିଆ ମଣିଷକୁ ନୁହେଁ । ...ଏହି ଦୁଇଗୋଡ଼ିଆ ଜୀବଟି ନିଶ୍ଚୟ ମିଛ କହୁଛି । ସେ ଆମକୁ ନିଶ୍ଚୟ ଶିକାର କରିବା ପାଇଁ ଆସିଛି । ମୁଁ ଏ ପ୍ରତିକୂଳ ପରିବେଷ୍ଟନୀରେ ବଡ଼ ଶଙ୍କିତ ହୋଇଗଲି ଓ ତୁରନ୍ତ ଲଙ୍ଗଳା ହୋଇ ଲୁଗାପଟା ଝାଡ଼ି ଦେଖାଇଲି ଯେ ମୋ ନିକଟରେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ନାହିଁ । (ପଶୁମେଳରେ ଥିବା ଯୋଗୁଁ ମୁଁ ଗୋଟିଏ ସଭ୍ୟ ମଣିଷ ହୋଇଥିବା ସତ୍ତ୍ୱେ ଲଙ୍ଗଳା ହେବା ପାଇଁ ପଛଘୁଞ୍ଚା ଦେଇ ନ ଥିଲି ।) ତା’ପରେ ଗୋଟିଏ ବାଘ ମୋ ବିରୁଦ୍ଧରେ ଆପତ୍ତି ଜଣାଇ କହଲା, ‘ମହାରାଜ କୌଣସି ଚିଡ଼ିଆଖାନା ତରଫରୁ ଏହି ବ୍ୟକ୍ତି ଆସିଥିବ । ଆମକୁ କୌଶଳରେ ବନ୍ଦୀ କରି ନେଇ ଚିଡ଼ିଆଖାନାର ଜନ୍ତାରେ ପୁରାଇବ ।’ ମୁ ଏହାର ଶୀଘ୍ର ଉତ୍ତରଦେଲି, ‘ମହାରାଜା ଲୋକେ ତ ତମମାନଙ୍କୁ ଚିଡ଼ିଆଖାନାରେ ବାନ୍ଧି ରଖନ୍ତି । କିନ୍ତୁ ମୋ ପରି ଗୋଟିଏ ସୃଷ୍ଟି ଛଡ଼ା, ଅଜବ ମଣିଷକୁ ଦେଖିବା ମାତ୍ରେ ସେମାନେ ନିଃସନ୍ଦେହରେ ମତେ ମଧ୍ୟ ବନ୍ଦୀ କରି ନେବେ । ତେଣୁ ଆପଣମାନେ ଯେମିତି ଚିଡ଼ିଆଖାନାର କର୍ତ୍ତୃପକ୍ଷକୁ ଭୟ କରୁଛନ୍ତି,ମୁଁ ତା’ଠାରୁ ଆହୁରି ଅଧିକ ଭୟ କରୁଛି !’ ଗାଁ ସହରର ସୁଖ ଓ ସଭ୍ୟତା ଛାଡ଼ି ବଣ-ମଣିଷ ପରି ଜଙ୍ଗଲରେ କୌଣସି ବ୍ୟକ୍ତି ଦୁଃଖ କଷ୍ଟ ପାଇ ଜୀବନ ବିତାଇବା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଅନେକ ପଶୁ ମତ ଦେଲେ । ସେତେବେଳେ ଗୋଟିଏ ବୁଢ଼ା ମାଙ୍କଡ଼ ମତେ ସମର୍ଥନ ଜଣାଇ ପଶୁରାଜକୁ କହିଲା; ‘ମହାରାଜ ! ମୁଁ ମୋ ପୂର୍ବ ପୁରୁଷମାନଙ୍କ ଠାରୁ ଶୁଣିଛି ଯେ ପୁରାତନ ଯୁଗମାନଙ୍କରେ ମଣିଷମାନେ ପଚାଶେ ଷାଠିଏ ବର୍ଷ ବୟସରେ ଗୃହ ସଂସାର ତ୍ୟାଗ କରି ବନବାସ କରୁଥିଲେ । ଅବଶ୍ୟ ଆଜିକାଲି ମାନବ-ସମାଜରେ ଏହି ପ୍ରଥା ପ୍ରଚଳିତ ନ ଥିବାରୁ ଆମେ ବାନପ୍ରସ୍ଥ-ଜୀବନକୁ ବିଶ୍ଵାସ କରିପାରୁ ନାହୁଁ । ଏହା ଶୁଣିଲେ ଆମେ ଆଶ୍ଚର୍ଯ୍ୟାନ୍ଵିତ ହେଉଛୁ । ତଥାପି ଏହା ସମ୍ଭବ ହୋଇପାରେ ସେ ଆଜିକାଲି କେତେକ ଲୋକ ପୁରାଣ-ଶାସ୍ତ୍ର ବର୍ଣ୍ଣିତ ଉଦାହରଣ ଓ ଉପଦେଶ ଅନୁସରଣ କରି ବାନପ୍ରସ୍ଥ କରିବାକୁ ଆରମ୍ଭ କରିଛନ୍ତି । ଏହି ଦୃଷ୍ଟିରୁ ଏହି ଅଭିଯୁକ୍ତ ବ୍ୟକ୍ତିକୁ ଏଠାରେ ପରୀକ୍ଷା ମୂଳକ ଭିତ୍ତିରେ ରହିବା ପାଇଁ ଅନୁମତି ଦେବା ପାଇଁ ମୋର ନିବେଦନ ।’ ସେତେବେଳେ ଗୋଟିଏ ବିଲୁଆ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସତର୍କ କରାଇ କହିଲା, ‘ମହାରାଜ ! ଯଦି ମଣିଷ ସମାଜର ସବୁ ବୁଢ଼ା ବୁଢ଼ୀ ମରିବା ଯାଏଁ ଏଠାରେ ରହିବାକୁ ଆସିବେ, ତାହାହେଲେ ବଣରେ ଖାଦ୍ୟାଭାବ ଦେଖା ଦେବ । ଆମେ ସମସ୍ତେ ଭୋକରେ ମରିଯିବା । ...ଆପଣ ଭଲଭାବେ ଜାଣନ୍ତି ଯେ ମଣିଷମାନେ ତାଙ୍କ ବାଡ଼ି ବଗିଚାରେ କାଳେ ଆମେ ପଶୁମାନେ ପନିପରିବା ଖାଇଦେବା ବୋଲି ଆମକୁ ବାଟଘାଟରୁ ବାଡ଼ିରେ ପିଟି ବାହାର କରନ୍ତି । ପୁଣି ସେମାନେ ପାଳ, କୁଟା, ନଡ଼ାରେ ନକଲି ମଣିଷ ତିଆରି କରି ପନିପରିବା କ୍ଷେତରେ ବାଉଁଶ ଦଣ୍ଡାଦ୍ଵାରା ଠିଆ କରାଇଥାନ୍ତି । ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଯେ ପଶୁମାନଙ୍କ କଳେ ବଳେ କୌଶଳେ ଭୋକ ଉପବାସରେ ତଡ଼ି ଦେବା । …ମଣିଷମାନେ ଆମମାନଙ୍କ ପ୍ରତି ଯେତେବେଳେ ଏତେ ଦୂର ଶତ୍ରୁତା ଆଚରଣ କରୁଛନ୍ତି, ଆମେ କାହିଁକି ସେମାନଙ୍କୁ ଅତିଥି ଭାବେ ଆଦର କରି ଆମ ବଣରେ ରଖିବା ଓ ପରିଶେଷରେ ବଣରେ ଦୁର୍ଭିକ୍ଷ ସୃଷ୍ଟି କରିବା ?’ ବିଲୁଆର ଯୁକ୍ତି ଅନେକଙ୍କ ମନକୁ ପାଇଲା । ମୁଁ ଭୀତ ତ୍ରସ୍ତ ହୋଇ ପଶୁରାଜକୁ କହିଲି, ‘ମହାରାଜ ! ମୁଁ ଜାଣେ ଯେ ମୋ ଛଡ଼ା ଅନ୍ୟ କୌଣସି ମନୁଷ୍ୟ ବଣରେ ରହିବାକୁ ଆସିବ ନାହିଁ । ତେଣୁ ମୋ ପରି କେବଳ ଗୋଟିଏ ବୁଢ଼ା ମଣିଷକୁ ଆଶ୍ରୟ ଦେଲେ ଆପଣଙ୍କ ଅରଣ୍ୟର ଅଶେଷ, ସମ୍ପଦ ଶେଷ ହୋଇଯିବ ନାହିଁ । ମୋ ପ୍ରତି ଦୟାଶୀଳ ହେବା ପାଇଁ ପ୍ରାର୍ଥନା କରୁଛି ।’ ପଶୁରାଜ ସିଂହ କଛି ସମୟ ଚିନ୍ତା କରିବା ପରେ ମତେ ପଚାରିଲା, ‘ତମ ଛଡ଼ା ଅନ୍ୟ କୌଣସି ବୁଢ଼ା କିମ୍ବା ବୁଢ଼ୀ ବଣକୁ ଆସିବେ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇପାରିବ ?’ । ମୁଁ ସମ୍ମତି ଜଣାଇ କହିଲି, ‘ମହାରାଜା ! ଏହା ଏକ ନିରାଟ ସତ୍ୟ । ଆଜିକାଲି ସତୁରି-ଅଶୀ ବର୍ଷ ବୟସରେ ମଧ୍ୟ ଲୋକେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ’ ଇତ୍ୟାଦି ଉଚ୍ଚ ପଦବୀରେ ରହୁଛନ୍ତି । ଏହା ପୁଣି ଗଣତନ୍ତ୍ର ରାଷ୍ଟ୍ରରେ ସମ୍ଭବପର ହେଉଛି, ଯେଉଁଠାରେ କି ଶାସିତମାନେ ଶାସକମାନଙ୍କୁ ନିଜ ପସନ୍ଦଦ୍ୱାରା ବାଛିଥାନ୍ତି । ତେଣୁ ବୁଢ଼ାମାନେ କେବଳ ନିଜେ ନିଜେ କ୍ଷମତାରେ ରହିବାକୁ ଚାହୁଁ ନାହାନ୍ତି–ଯୁବକ ଯୁବତୀମାନେ ମଧ୍ୟ ଭୋଟଦ୍ଵାରା ଏହାକୁ ସମର୍ଥନ କରୁଛନ୍ତି । ଏହି ପରିସ୍ଥିତିରେ କୌଣସି ବୁଢ଼ା ବୁଢ଼ୀ’ ଗୃହସଂସାର ଓ ମାନବ-ସମ୍ବଳ, ସଂସ୍କୃତି ଛାଡ଼ି ବଣକୁ ଆସିବା ପାଇଁ ଚାହିଁବ ନାହିଁ…ପ୍ରକୃତରେ ମୁଁ ଅନୁମାନ କରି ଜାଣି ପାରୁଛି ଯେ,କୌଣସି ବୁଢ଼ା ବୁଢ଼ୀ ବାନପ୍ରସ୍ଥ ପାଇଁ ଆସିବ ନାହିଁ ।’ ସେତେବେଳେ ପଶୁରାଜ ସିଂହ ପୁଣି ଥରେ ପଚାରିଲା,’...ତାହାହେଲେ ତମେ ନଶ୍ଚିତ ଯେ କୌଣସି ବୁଢ଼ା ବୁଢ଼ୀ ସଂସାର ଛାଡ଼ି ବଣକୁ ଆସିବ ନାହିଁ ?” ମୁଁ ଦୃଢ଼ତାର ସହିତ ସମ୍ମତି ଜଣାଇଲି । ତା’ପରେ ପଶୁରାଜ ତା’ର ରାୟ ସର୍ବସାଧାରଣରେ ଶୁଣାଇଲା, ‘ଯେତେ ଦିନ ପର୍ଯ୍ୟନ୍ତ ଅନ୍ୟ କେହି ବ୍ୟକ୍ତି ବଣକୁ ବାନପ୍ରସ୍ଥ ପାଇଁ ଆସି ନାହଁ, ସେତେଦିନ ପର୍ଯ୍ୟନ୍ତ ତମେ ଏଠାରେ ନିରାପଦରେ ରହିପାରିବ । ତମର ଜୀବନକୁ ବିପନ୍ନ କରିବାକୁ କୌଣସି ଜୀବଜନ୍ତୁର ନିମିତ୍ତ ନାହିଁ । କିନ୍ତୁ ଯେଉଁଦିନ କୌଣସି ବ୍ୟକ୍ତି ସଂସାର ତ୍ୟାଗ କରି ବଣରେ ରହିବାକୁ ଆସିବ, ସେହିଦିନ ତମକୁ ବିନା ବିଚାରରେ ମୃତ୍ୟୁଦଣ୍ଡ ଦିଆଯିବ ।’ ମୁଁ ପଶୁରାଜଙ୍କ ନିଷ୍ପତ୍ତିକୁ ସ୍ଵାଗତ କରି କହୁଥିବା ବେଳେ, ବିଲୁଆ ପୁଣି କହିଲା, ‘ମହାରାଜ ! ଏହି ଆସାମୀକୁ କେଉଁ ଉପାୟରେ ଉବିଷ୍ୟତରେ ମୃତ୍ୟୁଦଣ୍ଡ ଦିଆଯିବ, ତାହା ମଧ୍ୟ ବର୍ତ୍ତମାନ ଘୋଷଣା କରାଯିବା ପାଇଁ ମୁଁ ନିବେଦନ କରୁଛି । ମୋ ମତରେ ଏଥିପାଇଁ ଆଉଥରେ ରାଜଦରବାର ଡକାଇବା ସମୟ ସାପେକ୍ଷ ହେବ-।’ ବିଲୁଆନନା ଏହା କହୁଥିବା ବେଳେ ଭାବୁଥିଲା ଯେ ମତେ ମରାଯିବା ପରେ ମୋ ମାଂସ ସେ ଖାଇବ । କିନ୍ତୁ ପଶୁରାଜ ବଡ଼ ବିଚାରବନ୍ତ । ସେ ଦୂରରେ ବସିଥିବା ଗୋଟିଏ ବୁଢ଼ୀ ବାଘୁଣୀକୁ ଦେଖିଲା ଓ ତା’ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରି କହିଲା, ‘ଉକ୍ତ ବୁଢ଼ୀ ବାଘୁଣୀର ନଖ ଓ ଦାନ୍ତ ପ୍ରାୟ ପଡ଼ିଗଲାଣି । ସେ ସହଜରେ ଶିକାର କରି ପାରୁ ନାହିଁ । ତେଣୁ ଏହି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଗଲେ ସେହି ବୁଢ଼ୀ ବାଘୁଣୀ ଏହାର ମାଂସ ଖାଇବ । ଇତ୍ୟବସରରେ ଉକ୍ତ ବାଘୁଣୀ କୌଣସି ବ୍ୟକ୍ତି ବଣକୁ ବାନପ୍ରସ୍ଥ ପାଇଁ ଆସୁଛି ନା ନାହିଁ, ଲକ୍ଷ୍ୟ ରଖିଥବ । ସେ ଯେଉଁଦିନ ଏମିତି ଗୋଟିଏ ବ୍ୟକ୍ତିର ସନ୍ଧାନ ପାଇବ, ସେ ମତେ ଶୀଘ୍ର ଜଣାଇବ । ତା’ପରେ ମୁଁ ତୁରନ୍ତ ରାଜଦରବାର ଡକାଇବି । ବିନା ବିଳମ୍ବରେ ଏହି ବୁଢ଼ାକୁ ସମସ୍ତଙ୍କ ସମ୍ମୁଖରେ ମୃତ୍ୟୁଦଣ୍ଡ ଦିଆଯିବ ।’

 

ଏହି ଘୋଷଣା ଶୁଣି ସମସ୍ତଙ୍କ ଅପେକ୍ଷା ସେହି ବୁଢ଼ୀ ବାଘୁଣୀଟି ଅଧିକ ସନ୍ତୁଷ୍ଟ ହେଲା-। ସେ ଭାବିନେଲା ଯେ ଅଳ୍ପଦିନ ପରେ ସେ ମୋର ମାଂସ ଭକ୍ଷଣ କରିବ । ତେଣୁ ପାଟିରୁ ଲାଳ ଗଡ଼ାଇ ସେହି ଶୁଭଦିନଟି ପାଇଁ ଚତୁରତା ସହିତ ଜଗି ରହିଲା । ବଣର ଅନ୍ୟ ପଶୁମାନେ ମୋର ମରଣ ଦିବସ ଅତି ଶୀଘ୍ର ପହଞ୍ଚିବ ବୋଲି ଭାବି ମୋ ପ୍ରତି ସହାନୁଭୂତି ଜଣାଇଲେ । ମୋ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ଓ କ୍ଷଣସ୍ଥାୟୀ ବୋଲି ଭାବୁଥିବା ବେଳେ ମୁଁ ନିଃସନ୍ଦେହ ଯେ କୌଣସି ବ୍ୟକ୍ତି କଦାପି ବାନପ୍ରସ୍ଥ ପାଇଁ ଆସିବ ନାହିଁ; ତେଣୁ ମୋର ଅକାଳରେ ମୃତ୍ୟୁ ହେବାର କୌଣସି ସମ୍ଭାବନା ନାହିଁ । ମୁଁ ନିଶ୍ଚିନ୍ତ ଓ ନିର୍ଭୟ ଭାବେ ରହିଥିବା ବେଳେ ଉକ୍ତ ବୁଢ଼ୀ ବାଘୁଣୀ ମୋ ପ୍ରତି ସର୍ବଦା ସତର୍କ ଦୃଷ୍ଟି ରଖିଥାଏ । କାଳେ ମୁଁ ବଣରୁ ଲୁଚି ଚାଲିଗଲେ ତା’ର ମାଉଁସ ଖିଆ-ଯୋଗ ନଷ୍ଟ ହୋଇଯିବ ବୋଲି ସେ ମତେ ଅନେକ ସମୟରେ ଜଗି ରହିଥାଏ । ପୁଣି ସେ ତା’ର ସାଙ୍ଗମାନେ ବଣର ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ ବାନପ୍ରସ୍ଥରେ ଆସିଥିବା ଯେ କୌଣସି ଗୋଟିଏ ଲୋକକୁ ଖୋଜିବୁଲୁଥାନ୍ତି । ଇତ୍ୟବସରରେ ଉକ୍ତ ବାଘୁଣୀ ଗୋଟିଏ କାରସାଦି କରିଛି । ସେ ବୁଢ଼ୀ ହୋଇଥିବାରୁ ତା’ର ଖୋଜା ଖୋଜି କରିବା ପାଇଁ ବିଶେଷ ବଳ ନଥିଲା । ସେ ଜାଣେ ଯେ ବିଲୁଆମାନେ ଚାଲାକ । ତେଣୁ ଗୋଟିଏ ବିଲୁଆ ସହିତ ଗୋପନୀୟ ଭାବେ ଚୁକ୍ତି କରିଦେଲା ଯେ ସେ (ବିଲୁଆ) ଯଦି ନୂଆରେ ବାନପ୍ରସ୍ଥ ପାଇଁ ଆସିଥିବା କୌଣସି ଲୋକ ସମ୍ପର୍କରେ ତାକୁ ଜଣାଇବ ତାହାହେଲେ ମୋର ଏକାଦଶ ମାଂଶ ସେ ବିଲୁଆକୁ ଦେବ । ଏହା ଫଳରେ ବର୍ତ୍ତମାନ ମାଂସ-ଲୋଭୀ ବାଘୁଣୀ ଓ ବିଲୁଆ ମେଳ ହୋଇ ସେମିତି ଗୋଟିଏ ଲୋକକୁ ତନ୍ନ ତନ୍ନ କରି ଖୋଜୁଥାନ୍ତି ।

 

ଦିନେ ମୁଁ ମୋ ଗୁମ୍ଫାରେ ଧ୍ୟାନମଗ୍ନ ଥିବା ବେଳେ ବାଘୁଣୀ ଓ ବିଲୁଆ ଦୌଡ଼ି ଆସି ଜଣାଇଲେ ଯେ ଆଜି ଜରୁରୀ ରାଜଦରବାର ଡକା ଯାଉଛି ଓ ଶୀଘ୍ର ଆସିବା ପାଇଁ ମତେ ପଶୁରାଜ ଡକାଇଛନ୍ତି । ସେମାନେ ଉପର ଠାଉରିଆ ଭାବେ ମତେ ସମବେଦନା ଜଣାଉଥିଲେ ମଧ୍ୟ ହୃଦୟ ଭିତରେ ବେଶ୍ ପ୍ରଫୁଲ୍ଲ ଥିଲେ । ଘଟଣା ହେଉଛି ଯେ ଆଜି ସେମାନେ ଗୋଟିଏ ଲୋକକୁ ବନ୍ଦୀ କରି ଆଣିଛନ୍ତି । ତେଣୁ ମତେ ନିଶ୍ଚିତ ଭାବେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ସେମାନେ ଭାବି ନେଇଛନ୍ତି । କିନ୍ତୁ ମୁଁ ଏଥିରେ ବିଚଳିତ ହେଲି ନାହିଁ କାରଣ ବର୍ତ୍ତମାନ ମଧ୍ୟ ମୋର ଆତ୍ମବିଶ୍ଵାସ ଥିଲା ଯେ ଯେଉଁ ଲୋକଟିକୁ ସେମାନେ ଧରି ଆଣିଛନ୍ତି, ସେ ବାନପ୍ରସ୍ଥ ପାଇଁ ଆସି ନ ଥିବ, ରାଜାଜ୍ଞା ମାନି ବାଘୁଣୀ ଓ ବିଲୁଆ ପଛେ ପଛେ ଯିବାବେଳେ ବିଲୁଆ ମତେ କହିଲା, ‘ତମେ ସେଦିନ ଦାବି କରୁଥିଲ ଯେ କୌଣସି ମଣିଷ ଏମିତିକି ବୁଢ଼ା ଓ ବୁଢ଼ୀମାନେ ମଧ୍ୟ ବଣରେ ରହିବାକୁ ଆସିବେ ନାହିଁ । କିନ୍ତୁ ଆମେ ଏବେ ଗୋଟିଏ ବଳିଷ୍ଠ ଯୁବକକୁ ଆଣିଛୁ ।’ ସେତେବେଳେ ବାଘୁଣୀ ବିଲୁଆକୁ କୃତଜ୍ଞତା ଜଣାଇ କହିଲା, ‘.. କିନ୍ତୁ ଏହା କେବଳ ବିଲୁଆର ଚତୁରତା ଯୋଗୁ ସମ୍ଭବ ହେଲା । ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ଯେ ମଣିଷ ଯାଉଥିବା ବେଳେ ରାସ୍ତାର ଡାହାଣ କଡ଼ରେ ବିଲୁଆଟିଏ ଦେଖିଲେ, ତା’ର ଯାତ୍ରା ଶୁଭଫଳ ଦିଏ । ଆମ ବିଲୁଆନନା ଜାଣେ ଯେ ଅଧିକାଂଶ ଲୋକ ଏହି ଧରଣର ପ୍ରବାଦରେ ବିଶ୍ଵାସ କରନ୍ତି । ..ଆଜି ଯାହାକୁ ବନ୍ଦୀ କରି ଅଣାଗଲା, ତାକୁ ବଣ ଆଡ଼କୁ ଶଙ୍କିତ ଭାବେ ଦ୍ଵିଧାମନରେ ଆସୁଥିବାର ଆମ ବିଲୁଆନନା ଦେଖିଲା । ତା’ପରେ ବିଲୁଆନନା ଚତୁରତାର ସହିତ ଲୋକଟିର ଡାହାଣ ପଟରେ ଥରକୁ ଥର ଦେଖା ପଡ଼ିଲା । ତେଣୁ ଲୋକଟି ଭାବିଲା ଯେ ତା’ର ଯାତ୍ରାରୁ ଶୁଭଫଳ ମିଳିବ । ସେସବୁ ପ୍ରକାର ଆଶଙ୍କା ମନରୁ ପୋଛିଦେଇ ଦ୍ରୁତ ବେଗରେ ବଣ ଭିତରେ ପଶିଲା, ବିଲୁଆନନାକୁ ପୂର୍ବରୁ ମୁଁ ତମର ଏକ-ଦଶମାଂଶ ମାଂସ ଦେବି ବୋଲି କହିଥିଲି, କିନ୍ତୁ ବର୍ତ୍ତମାନ ମୁଁ ତା’ର ଚତୁରତାର ତାରିଫ୍ କରି ଅର୍ଦ୍ଧେକ ମାଂସ ଦେବା ପାଇଁ ବଚନ ଦେଇଛି, ‘ଏହା ବାଘୁଣୀ କହୁଥିବା ବେଳେ ବିଲୁଆ ମନେ ମନେ ଉଲ୍ଲସିତ ହେଉଥିଲା, କିନ୍ତୁ ମୁଁ ଭାବୁଥିଲି ଯେ, ଯେତେଦୂର ସମ୍ଭବ ବାଘୁଣୀକୁ ସନ୍ତୁଷ୍ଟ କରି ଅଧିକ ମାଂସ ହାସଲ କରିବାକୁ ବିଲୁଆର ଏହା ଏକ ମନଗଢ଼ା କଥା । ଲୋକଟି ତା’ର କ’ଣ ଆବଶ୍ୟକତା ଥୁବାରୁ ବଣକୁ ଆସୁଥିଲା–ବିଲୁଆକୁ ରାସ୍ତାର ଡାହାଣ ପଟେ ଦେଖିଥିବା ଯୋଗୁଁ ନୁହେଁ । ସେ ଯାହାହେଉ, ମୁଁ ତ ମୃତ୍ୟୁଦଣ୍ଡ ପାଇବାର ସମ୍ଭାବନା ନାହିଁ । ଆଉ ବିଲୁଆ ମୋ ମାଂସ (ଅର୍ଦ୍ଧେକ କାହିଁକି; ଏକ-ଦଶମାଂଶ ମଧ୍ୟ ଖାଇବାର ପ୍ରଶ୍ନ ଉଠୁ ନାହିଁ ।

 

ମୁଁ ରାଜଦରବାରରେ ପହଞ୍ଚି ଦେଖିଲି ଯେ ପ୍ରକୃତରେ ଗୋଟିଏ ଯୁବକକୁ ଧରି ଅଣାଯାଇଛି । ଦରବାରର ସମସ୍ତ ପଶୁ ମତେ ବଡ଼ ଉଦ୍‌ବେଗର ସହିତ ଅପେକ୍ଷା କରି ବସିଥିଲେ-। ପଶୁରାଜ ମତେ ପ୍ରଥମେ ମୋ ଇଷ୍ଟଦେବତାକୁ ସ୍ମରଣ କରିବାକୁ କହିଲା; ତା’ପରେ ବିନା ବିଳମ୍ବରେ ବାଘୁଣୀ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଲା । ସେତେବେଳେ ମୁଁ ତାକୁ ଜଣାଇଲି, ‘ମହାରାଜ ! ମୁଁ ଏହି ଯୁବକକୁ କିଛି ପ୍ରଶ୍ନ ପଚାରିବାକୁ ଇଚ୍ଛା କରୁଛି । ପ୍ରଥମେ ମୁଁ ଜାଣିବାକୁ ଚାହୁଁଛି ସେ ଏଠାକୁ ବାନପ୍ରସ୍ଥ କରିବା ପାଇଁ ଆସିଛି ନା ତା’ର ଅନ୍ୟ କୌଣସି ଉଦ୍ଦେଶ୍ୟ ଅଛି ?’ ମୋର ବକ୍ତବ୍ୟ ଶେଷ ହେବା ପୂର୍ବରୁ ଯୁବକ ଜଣକ ଭୀଷଣ ଭାବେ ପାଟି କରି କହିଲା, ‘ମୁଁ’ ବାନପ୍ରସ୍ଥ କରିବାକୁ ଆସିନାହିଁ । ସଂସାର ତ୍ୟାଗ କରିବାକୁ ମୁଁ ଚାହୁଁ ନାହିଁ । ସଂସାରକୁ ସଜାଡ଼ିବା ମୋର ଜୀବନର ଲକ୍ଷ୍ୟ ।’ ଏମିତି କହି ସେ ଗର୍ବର ସହିତ ନିଜର ବନ୍ଧୁକଟି ବାହାର କରି ଦେଖାଇଲା । ଏଥିରେ ପଶୁରାଜ ସିଂହ ବିଚଳିତ ହୋଇ ପଚାରିଲା, …’ତାହା ହେଲେ ତମେ ଆମକୁ ଗୁଳି କରି ମାରିବା ପାଇଁ ଆସିଛ ?’ ଯୁବକ ଜଣକ ସ୍ପଷ୍ଟ ଭାବେ ଉତ୍ତର ଦେଲା, ‘ନୁହେଁ ।’ ତାହା ଆଦୌ ସତ ନୁହେଁ । ବଣ ଜଙ୍ଗଲର ସିଂହ, ବାଘ, ହାତୀ ଇତ୍ୟାଦିଙ୍କଠାରୁ ଆମ ସମାଜରେ ରହୁଥବା କେତେକ ମଣିଷ ଆହୁରି ଅଧିକ ହିଂସ୍ର । ମୁଁ ସେହି ପୋଷକମାନଙ୍କୁ ଏହି ବନ୍ଧୁକରେ ହତ୍ୟା କରିବି ଓ ସର୍ବହରାର ଶାସନ ଆମ ଦେଶରେ ପ୍ରତିଷ୍ଠିତ କରାଇବି । ମତେ ବର୍ତ୍ତମାନର ଏହି ଧନୀମାନଙ୍କର ସରକାର ଗୁଳି କରି ଉଡ଼ାଇ ଦେବା ପାଇଁ ଖୋଜୁଥିବାରୁ ମୁଁ ଆତ୍ମଗୋପନ କରିବା ପାଇଁ ଏଠାକୁ ଆସିଛି । କିନ୍ତୁ ବଣ ମୋର ନିବାସ ନୁହେଁ । ମୁଁ ଏଠାରୁ ଏହି ସରକାରର ପତନ ଘଟାଇବି ଓ ଗୋଟିଏ ଶ୍ରେଣୀହୀନ ସମାଜ ଆମ ଦେଶରେ ସୃଷ୍ଟି କରିବି ।’ ଆମେ ସମସ୍ତେ ଜଳିବା ପରି ଚାହିଁ ରହିଥିବାବେଳେ ସେ ଏମିତି କହି, ଉଡ଼ନ୍ତା ଥାଳି (Unidentified Flying Saucer) ପରି ତୁରନ୍ତ ଲମ୍ପ ମାରି ଆମଠାରୁ କେଉଁ ଆଡ଼େ ଅଦୃଶ୍ୟ ହୋଇଗଲା । ସେ ଚାଲିଯିବା ପରେ ମଧ୍ୟ ସମସ୍ତେ ଉପଲବ୍‌ଧି କଲେ ଯେ ବାତାବରଣ ଯଥେଷ୍ଟ ଉତ୍ତପ୍ତ ରହିଛି । କେହି କେହି ଭାବିଲେ ଯେ ସେ ଗୋଟିଏ ବିପ୍ଳବୀ ଶକ୍ତି । ବାନପ୍ରସ୍ଥ ତା’ର ଲକ୍ଷ୍ୟ ନୁହେଁ । କେବଳ ଅଳ୍ପ କେତେ ଦିନ ପାଇଁ ସେ ବଣର କେଉଁ ଅନ୍ଦିସନ୍ଧିରେ ଲୁଚି ରହିବା ଆତ୍ମରକ୍ଷା ଉଦ୍ଦେଶ୍ୟରେ । ତା’ର କର୍ମଭୂମି ହେଉଛି ମଣିଷ ସମାଜ; ବଣ ଜଙ୍ଗଲ କିମ୍ବା ପଶୁପକ୍ଷୀ ନୁହେଁ । ଏହି ବିଷୟଟି ଜଣା ପଡ଼ିବା ପରେ ଦରବାର ନାଟକୀୟ ଭାବେ ବନ୍ଦ ହେଲା । ସମସ୍ତେ ନିଜ ନିଜ ବାଟ ଧରିଲେ । ମୁଁ ବଡ଼ ଭାଗ୍ୟବାନ ବୋଲି ବହୁତ ଜୀବଜନ୍ତୁ ମତବ୍ୟକ୍ତ କଲେ । ପଶୁରାଜ ବ୍ୟକ୍ତିଗତ ଭାବେ ମୋ ପାଖକୁ ଆସି ନଜର ଭୁଲ୍ ହୋଇଥିବା ଯୋଗୁଁ ଦୁଃଖପ୍ରକାଶ କଲା । ସେତେବେଳେ ବାଘୁଣୀ ଓ ବିଲୁଆ ମତେ ଇର୍ଷାରେ ଚାହିଁଲେ । ତା’ପରେ ଲଜ୍ଜା ଓ ଅପମାନରେ ସେମାନେ ସଭାରୁ ବିଦାୟ ନେଲେ ।

 

Unknown

ମୋ ମାଂସ ନ ପାଇ ବାଘୁଣୀ ଓ ବିଲୁଆ ଗଭୀର ଭାବେ ଦୁଃଖିତ ହେଲେ । ପରସ୍ପର ମଧ୍ୟରେ ଆଜିକାଲି ବହୁତ ସମୟ ଯାଏଁ ଗୋପନରେ କଥାଭାଷା ଚାଲିଲା । ସେମାନଙ୍କ ମନରେ ନର-ମାଂସ ଖାଇବାକୁ ପ୍ରବଳ ଜିହ୍ଵା ଲାଳସା ଜାଗରିତ ହୋଇଛି । ତେଣୁ ତାହା ଚରିତାର୍ଥ କରିବାକୁ ସେମାନେ ନାନାପ୍ରକାର ମନ୍ତ୍ରଣା ଓ ଷଡ଼ଯନ୍ତ୍ର ଚଳାଇଲେ । ସେମାନେ ଭଲ ଭାବେ ବୁଝିଲେଣି ଯେ ମୋର ମୃତ୍ୟୁ ଶୀଘ୍ର ହେଉ ନାହିଁ ? ପୁଣି ଅନ୍ୟ କାରଣରୁ ମଧ୍ୟ ବଣରେ ନର-ମାଂସ ପାଇବା ସହଜ ନୁହେଁ । ବିଲୁଆର ଉପଦେଶ ଶୁଣି ପରିଶେଷରେ ବାଘୁଣୀ ରାଜି ହେଲା ଯେ ଆଖପାଖର ଗାଁ କୁ ରାତି ଅଧରେ ପଶି ଯାଇ ସେ (ବାଘୁଣୀ) ମଣିଷ ଖାଇବ ଓ ବିଲୁଆ ପାଇଁ କିଛି ମାଂସ ଆଣିଦେବ-। ସେ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କରେ ଗୋପନୀୟ ଭାବେ କଥାଭାଷା ଚାଲିଥିବା ବେଳେ ମୁଁ ସୌଭାଗ୍ୟବଶତଃ ଶୁଣି ପାରିଥିଲି । ଏହି ପ୍ରସ୍ତାବ ମତେ ବଡ଼ ବିଚଳିତ କଲା କାରଣ ନିକଟସ୍ଥ ଗାଁରେ ମୋର ତିନିପୁଅ, ନାତି ନାତୁଣୀ, ବୋହୂମାନେ ରହିଛନ୍ତି । ପୁଣି ବର୍ତ୍ତମାନ ଖରାଦିନ ହୋଇ ଥିବାରୁ ମୋର ପୁଅ ଓ ନାତିମାନେ ଦାଣ୍ଡରେ ଖୋଲାରେ ଶୋଉଛନ୍ତି । ଦୁର୍ଭାଗ୍ୟବଶତଃ ବାଘୁଣୀ ହୁଏତ ମୋର ପୁଅ ଓ ନାତିମାନଙ୍କୁ ଖାଇଦେବ ଏବଂ ବିଲୁଆ ପାଇଁ କଛି ମାଂସ ଭେଟି ଭାବେ ଆଣିଦେବ । ବାଘୁଣୀର ଏହି ଯୋଜନା ଯୋଗୁଁ ମୁଁ ପ୍ରମାଦ ଗଣିଲି । ମୁଁ ସଂସାରତ୍ୟାଗୀ ବୋଲାଉଥିବା ଯୋଗୁଁ ବାଘୁଣୀକୁ ମୋର ପୁଅନାତିକୁ ଭକ୍ଷଣ ନ କରିବା ପାଇଁ ନୀତି ଦୃଷ୍ଟିରୁ କହି ପାରୁ ନ ଥାଏ । ଏଣେ ପୁଅ ନାତି ଉପରୁ ମୋର ବର୍ତ୍ତମାନ ସୁଦ୍ଧା ଲୋଭ, ମାୟା, ମମତା ତୁଟି ନ ଥାଏ । ଏହି ଅସ୍ଵସ୍ତିକର ପରିବେଶରେ ମୁଁ ବଡ଼ ହନ୍ତସନ୍ତ ହେଲି । ଏଣିକି ସବୁବେଳେ ବାଘୁଣୀର ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିଲି । କାଳେ ସେ କେତେବେଳେ ଆମ ଗାଁକୁ ଶିକାର କରିବାକୁ ଚାଲିଯିବ ବୋଲି ମୁଁ ଡରୁଥାଏ । ମୁଁ ବାଘୁଣୀର ସବୁବେଳେ ପିଛା ଧରୁଥିବା ଯୋଗୁଁ ବିଲୁଆନନା ଥଟ୍ଟା କରି ଥରେ କହିଲା, ‘ହେଇରେ, ଆଜିକାଲି ସବୁବେଳେ ବୁଢ଼ା ବୁଢ଼ୀର ପଛରେ ଗୋଡ଼ାଉଛ, ...ଶେଷରେ ବାହା ହେବ ବୋଲି । ବାବାଜୀ ଏବେ ମାତାଜୀ ଖୋଜୁଛି ।’ ବିଲୁଆ ଏହି ବିଷୟରେ ସମସ୍ତଙ୍କୁ କହିବାରେ ଲାଗିଲା, ଅନେକ ପଶୁ ମୋର ପରବର୍ତ୍ତିତ ଗତିବିଧି ଲକ୍ଷ୍ୟ କରି ମତେ କିମ୍ବୁ ତିକିମାକାର ଦୃଷ୍ଟିରେ ଚାହିଁଲେ । ଏପଟେ ମୋ ମନରେ ଶାନ୍ତ ରହିଲା ନାହିଁ । ମୁଁ ବର୍ତ୍ତମାନ ତପସ୍ୟା କରିବା ପାଇଁ ବଣକୁ ଆସିଥିଲି । କିନ୍ତୁ ବର୍ତ୍ତମାନ ତପସ୍ୟା ଛାଡ଼ି ଦେଇ ପୁଅ-ବୋହୂର ଜୀବନରକ୍ଷା ସମସ୍ୟାରେ ଧନ୍ଦି ହେଲି । ସେତେବେଳେ ମୋର ଗୋଟିଏ କାହାଣୀ ମନେ ପଡ଼ିଲା ।

 

ଥରେ ଦୁଇ ଜଣ ସାଙ୍ଗ ପୁରୀକୁ ଗଲେ । ପୁରୀକୁ ଯିବା ପରେ ସେମାନେ କେଉଁଠାକୁ ଯିବେ ବୋଲି ସ୍ଥିର କରି ପାରିଲେ ନାହିଁ, ଶେଷରେ ଜଣେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟକୁ ଗଲେ ଓ ଅନ୍ୟ ଜଣକ ବେଶ୍ୟା ପାଖକୁ ଗଲା, କିନ୍ତୁ ବେଶ୍ୟା ପାଖରେ ଶୋଇଥବା ସାଙ୍ଗ ତା’ର ଅନ୍ୟ ସାଥୀଟି ଜଗନ୍ନାଥ-ଦର୍ଶନରେ ମଗ୍ନ ରହି କେମିତି ଭଗବତ୍ ପ୍ରେମ ପାଉଥିବ ବୋଲି ଭାବିବାରେ ଲାଗିଲା । ଶ୍ରୀଜଗନ୍ନାଥଙ୍କ ପାଖରେ ଥିବା ସାଙ୍ଗଟି ବେଶ୍ୟା ପାଖରେ ଶୋଇଥିବା ତା’ର ସାଥୀଟି ପ୍ରେମରସ କେମିତି ଆନନ୍ଦରେ ଉପଭୋଗ କରୁଥିବ ବୋଲି ଭାବିବାରେ ବ୍ୟସ୍ତ ରହିଲା । ଏହାର ଫଳ ସ୍ଵରୂପ, ବେଶ୍ୟାସକ୍ତ ସାଥୀଟି ସ୍ଵର୍ଗକୁ ଗଲା ଏବଂ ଶ୍ରୀଜଗନ୍ନାଥଙ୍କ ପାଖରେ ଥିବା ସାଥୀଟି ନର୍କକୁ ଗଲା, ଏହି ଘଟଣାରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ବେଶ୍ୟା ଘରକୁ ଯିବା ବା ମନ୍ଦିରକୁ ଯିବା–ସେମିତି କିଛି ଗୁରୁତ୍ଵପୂର୍ଣ୍ଣ ବିଷୟ ନୁହେଁ । ମୂଳ ଜିନିଷ ହେଉଛି ମଣିଷର କାୟା ଯେଉଁଠାରେ ରହୁନା କାହିଁକି, ତା’ର ମନ କେଉଁଠାରେ ଅଛି ? ତେଣୁ ମୁଁ ପୁଅଝିଅ ଘରଦ୍ଵାର ଛାଡ଼ି ବଣକୁ ଆସିଲେ ସୁଦ୍ଧା ଯଦି ସେଇ ଘରଦ୍ଵାର ବିଷୟରେ ଭାବିବ ତାହାହେଲେ ଦୁଃଖ କଷ୍ଟମୟ ବନବାସର କୌଣସି ଅର୍ଥ ନାହିଁ–ଏହା ପରିବାରରେ ରହିବା ସଙ୍ଗେ ସମାନ । ତେଣୁ ମତେ ପରିବାର ଓ ଆତ୍ମୀୟମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ । ଯଦି ଏହି ଗାଁ ପାଖର ବଣରେ ମୁଁ ଏହା କରି ପାରୁ ନାହିଁ, ତାହାହେଲେ ମତେ ବହୁ ଦୂରକୁ ଚାଲି ଯିବାକୁ ହେବ ।

 

ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚି ସେହି ନିଶାର୍ଦ୍ଧରେ ଅନ୍ୟ କୌଣସି ଦୂରବର୍ତ୍ତୀ ବଣକୁ ତତ୍‌କ୍ଷଣାତ୍‌ ଚାଲିଯିବା ପାଇଁ ସ୍ଥିର କଲି । ଏହି ଉଦ୍ଦେଶ୍ୟ ରଖି ମୁଁ ଅଗ୍ରସର ହେଉଥିବା ବେଳେ ବାଘୁଣୀ ଯେଉଁ ଅଞ୍ଚଳରେ ବସବାସ କରେ, ତାହା ମତେ ଅତିକ୍ରମ କରିବାକୁ ପଡ଼ିଲା, । ମୋର ଦୁର୍ବଳତା ଯୋଗୁଁ (ବୋଧହୁଏ) ମୁଁ ସେଇ ଅଞ୍ଚଳର ଚାରିଆଡ଼କୁ ଆତୁର ଭାବେ ଆଖିବୁଲାଇଲି ଓ ଦେଖିଲି ଯେ ବାଘୁଣୀ ସେଠାରେ ନାହିଁ । ହୁଏତ ସେ ଶିକାର କରିବାକୁ ଆମ ଗାଁକୁ ଯାଇଥିବ । ମୋ ପୁଅମାନେ ଶୋଇଥିବା ଅବସ୍ଥାରେ ତା’ ହାବୁଡ଼ରେ ମଧ୍ୟ ପଡ଼ି ପାରନ୍ତି । ଭୟ ଓ ଆଶଙ୍କାରେ ମୋ ଆଖି ବୁଜି ହୋଇଗଲା । ମୁଁ ଭଗବାନଙ୍କ ନାମ ସ୍ମରଣ କରି ସେ ବଣ ଛାଡ଼ିଲି । ସ୍ଥିର କଲି ଯେ ଆଉ ମୁଁ ଏହି ଗାଁ ପାଖର ବଣକୁ ଫେରିବି ନାହିଁ–ନିଜ ଗାଁକୁ ତ ଫେରିବାର ପ୍ରଶ୍ନ ଉଠୁନାହିଁ ।

 

ମୁଁ ଜନ୍ମସ୍ଥାନ ଠାରୁ ଏତେ ଦୂରରେ ଏବେ ରହିବାର କାରଣ ସମ୍ପର୍କରେ ଏହା ହେଉଛି ବର୍ଣ୍ଣନା । କିନ୍ତୁ ମୁଁ କେମିତି ନାଟକୀୟ ଭାବେ ସର୍ବପ୍ରଥମେ ଘର ଛାଡ଼ିଲି, ତାହାର ବିବରଣୀ ନିମ୍ନରେ ଦେବି । କେହି କେହି ଲୋକ ଆଳୁ ଖୋଳୁ ଖୋଳୁ ମହାଦେବଙ୍କୁ ପାଇଲା ପରି ମୁଁ ସାଂସାରିକ କ୍ଷମତା, ସୁଖ-ସମ୍ପଦ ଆହରଣ କରିବାକୁ ଯାଇ ଭଗବତ୍ ପ୍ରେମ ପାଇଲି । ଏହି ଅସାଧାରଣ ଘଟଣା ଭଗବାନଙ୍କ ଲୀଳା । ତାଙ୍କର ଅଦେଖା ହାତର ଏହି କରାମତି ବିଷୟରେ ଏବେ ଲେଖୁଛି ।]

 

ମୁଁ ଶୁଣିଛି ଯେ ଦେବତାମାନଙ୍କର ବୃଦ୍ଧାବସ୍ଥା ନାହିଁ । ସେମାନଙ୍କୁ ଜନ୍ମ, ଯୌବନ ଓ ମୃତ୍ୟୁ–କେବଳ ଏହି ତିନୋଟି ଦଶା ଭୋଗିବାକୁ ପଡ଼ିଥାଏ । ମୋର ମତରେ ମନୁଷ୍ୟମାନଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ରଖାଯିବା ଉଚିତ । ଏମିତି ହୋଇଥିଲେ ମୋର ପ୍ରାୟ କୋଡ଼ିଏ ବର୍ଷ ପୂର୍ବରୁ ମରଣ ହୋଇ ଯାଇଥାନ୍ତା–ମୁଁ ବୃଦ୍ଧାବସ୍ଥାର ଯନ୍ତ୍ରଣା ଓ ହତାଦରରୁ ରକ୍ଷା ପାଇଥାନ୍ତି ।

 

ବର୍ତ୍ତମାନ ମୁଁ ମୋର ପରିଚୟ ଦେଉଛି ଏବେ ମୋର ବୟସ ପ୍ରାୟ ସତୁରୀ ବର୍ଷ ହେବ-। ମୋର ସୌଭାଗ୍ୟକୁ ମୁଁ ଅନ୍ୟ ବୁଢ଼ାମାନଙ୍କ ପରି ରୋଗଗ୍ରସ୍ତ ନୁହେଁ ଓ ମତେ କଷ୍ଟ ଦେଲେ ସୁଦ୍ଧା ମୁଁ ଚଳପ୍ରଚଳ କ୍ଷମ । ମୋର ତିନି ପୁଅ ଅଛନ୍ତି । ସମସ୍ତେ ମୋ ଅଧୀନରେ ଏକାଠି ରହୁଛନ୍ତି-। କିନ୍ତୁ ସେମାନଙ୍କ ମଧ୍ୟରେ ମତାନ୍ତର କିଛି ଦିନ ହେଲା ଅତି ଉତ୍କଟ ଆକାର ଧାରଣ କରିଛି-। ମୋର ବଡ଼ ପୁଅ ଗାଁ ସ୍କୁଲରେ ମାଷ୍ଟ୍ର ହୋଇଛି । ସେ ତା’ର ଦରମା ମତେ ପୁରା ପରିମାଣରେ ନୀତିମତ ଆଣି ଦିଏ । ଏହା ବ୍ୟତୀତ ଆମ ଗାଁରେ ଆମର ଯେଉଁ ପାଞ୍ଚ ଏକର ଜମି ଅଛି, ସେ ତାହା ବୁଝା ସୁଝା କରେ । ପରିବାରର ସାମଗ୍ରିକ ଉନ୍ନତି ପାଇଁ ତାର ଯଥେଷ୍ଟ ପରିଶ୍ରମ ସତ୍ତ୍ୱେ ମୋର ଅନ୍ୟ ଦୁଇପୁଅ ତା’ ପ୍ରତି ସନ୍ତୁଷ୍ଟ ନୁହନ୍ତି । ସେମାନେ ଯୁକ୍ତି କରନ୍ତି ଯେ ବଡ଼ ପୁଅର ଦୁଇ ଝିଅକୁ ବଡ଼ ଧରଣର ଯୌତୁକ ଦେଇ ଶାଶୁଘରକୁ ପଠାଯାଇଛି ଏବଂ ଏହି ଯୌତୁକ ଧନରାଶି ବଡ଼ ପୁଅର ରୋଜଗାର ତୁଳନାରେ ଢେର ଅଧିକ ।

 

ମଝିଆ ପୁଅ ବିଷୟରେ କହିବାକୁ ମୋର ଇଚ୍ଛା ହେଉନାହିଁ । ସେ ମୋର ଗୋଟିଏ ଅଯୋଗ୍ୟ ଓ ଘୋଡ଼ାମୁହାଁ ସନ୍ତାନ । ତାକୁ ପିଲାଦିନଠାରୁ ପାଠ ପଢ଼ିବା ପାଇଁ ଯେତେ ପ୍ରକାର ଗାଳି ପ୍ରହାର ଓ ଉପଦେଶ ଦେଲେ ସୁଦ୍ଧା ସେ ମୋ କଥା ମୋଟେ ମାନିଲା ନାହିଁ । ସବୁବେଳେ ଗାଁ ନାଟରେ ବୁଲିଲା । ଆମ ଗାଁରେ ଗୋଟିଏ ରାମଲୀଳା ନାଟପାର୍ଟି ଅଛି । ସେ ସେଥିରେ ଅଭିନୟ କରେ । ବାଜା ବଜାଏ ଇତ୍ୟାଦି । ସେ ସାଧାରଣତଃ ନିୟମିତ ଭାବେ ଘରେ ରହେନାହିଁ । କେଉଁଦିନ କେଉଁ ଗାଁକୁ ନାଟ ଦେଖାଇବା ପାଇଁ ଚାଲିଯାଏ । ଦିନେ ଦିନେ ରାତି ବାରଟା ବେଳେ ସମସ୍ତେ ଶୋଇଥିବା ସମୟରେ ଅଚାନକ ଆସି ଦାଣ୍ଡ କବାଟ ଖୋଲିବା ପାଇଁ ଶିକୁଳିରେ ପିଟେ । ଏହା ଫଳରେ ସମସ୍ତଙ୍କର ନିଦ ଭାଜିଯାଏ ଓ ସମସ୍ତେ ତା’ ପ୍ରତି ବିରକ୍ତ ହୁଅନ୍ତି । ସେ ପଇସାଟିଏ ମତେ ରୋଜଗାର ହିସାବରେ ଦିଏ ନାହିଁ‌ ତଥାପି ସ୍ନୋ ପାଉଡ଼ର, ଡ୍ରେସ ଇତ୍ୟାଦି ବାବଦରେ ମୋ ଠାରୁ ବହୁତ ଟଙ୍କା ମାଗିନିଏ ! ଏହି କାରଣରୁ ଆମ ପରିବାରର ସମସ୍ତେ ତାକୁ ଘୃଣା କରନ୍ତି । ତାକୁ ମୁଁ ବାଟକୁ ଆଣିବା ପାଇଁ ବାରମ୍ବାର ଚେଷ୍ଟା କରେ । କିନ୍ତୁ ପ୍ରତି ଥର ବିଫଳ ହୁଏ କାରଣ ତା’ର ଅଭିନୟ ଦେଖି ଦର୍ଶକମାନେ ତାକୁ ପ୍ରଶଂସା କରିଦେଲେ, ସେ ଆନନ୍ଦରେ ଅଧୀର ହୋଇପଡ଼େ ଏବଂ ମୋର ସବୁ ପ୍ରକାର ଉପଦେଶକୁ ଭୁଲି ଯାଇ ତା'ର ଅଭିନୟକୁ କେମିତି ଆହୁରି ଅଧିକ ଉଚ୍ଚକୋଟୀର କରିବ, ସେହି ଦିଗରେ ଚେଷ୍ଟା କରେ । ପ୍ରକୃତରେ; ଯେଉଁମାନେ କଳା-ନାମରେ ତାକୁ ପ୍ରଶଂସା କରନ୍ତି, ସେମାନେ ବୋଧହୁଏ ଜାଣି ନାହାନ୍ତି ଯେ ସେମାନଙ୍କ ଯୋଗୁ ମୋର ଘର ଦିନେ ଭାଙ୍ଗିଯିବ ।

 

ବର୍ତ୍ତମାନ ମୋ ସାନପୁଅ କଥା କହୁଛି । ସେ ପୋଲିସ୍ ହୋଇଛି । ତା’ର ଦରମା-ମୁତାବକ ସେ ମତେ ପ୍ରତି ମାସ ଶେଷରେ ପଇସା ଦିଏ, କିନ୍ତୁ ଏଥିରେ ତା’ର ଅନ୍ୟ ଦୁଇ ଭାଇ ରାଜି ନୁହଁନ୍ତି । କାରଣ ସେମାନେ ଅଭିଯୋଗ କରନ୍ତି ଯେ ତା’ ଚାକିରିରେ ଲାଞ୍ଚ ମାମୁଲି କଥା, ତେଣୁ ସେ ଅତି କମ୍‌ ରେ ଦରମାର ଦୁଇ ଗୁଣ ଟଙ୍କା ମାସ ଶେଷରେ ମତେ ଦେବା କଥା, କିନ୍ତୁ ମୁଁ ଏଥିରେ ରାଜି ନୁହେଁ କାରଣ ଯେଉଁ ପୋଲିସ୍ ଲାଞ୍ଚ ନେଉ ବା ନ ନେଉ, ମୋ ପୁଅ ସାଧୁ ଓ ସଚ୍ଚୋଟ ।

 

ଏହା ହେଉଛି ମୋ ପୁଅମାନଙ୍କ ସମ୍ପର୍କରେ । ବର୍ତ୍ତମାନ ମୋ ନାତି ଓ ନାତୁଣୀ ବୋହୂମାନଙ୍କ ସମ୍ପର୍କରେ କହିବି । ଅବଶ୍ୟ ଏମାନଙ୍କ ସଂଖ୍ୟା ଏତେ ଅଧିକ ଯେ ସମସ୍ତଙ୍କ ସମ୍ବନ୍ଧରେ ପୃଥକ୍ ଭାବେ କହିବା ସମ୍ଭବପର ନୁହେଁ । ଗୋଟିଏ ନାତି କଲେଜରେ ପଢ଼ାପଢ଼ି କରିଛି-। ପରୀକ୍ଷାରେ ଗତ ବର୍ଷ କମ୍ପାର୍ଟମେଣ୍ଟାଲ୍ ରେ ପାଶ୍ କଲା । ବର୍ତ୍ତମାନ ନ ସେ ଶିକ୍ଷିତ ବେକାର ହିସାବରେ ସରକାରଙ୍କ ନିକଟରେ ଗୋଟିଏ କୁକୁଡ଼ା ଫାର୍ମ କରିବାକୁ ଋଣ ପଇଁ ଦରଖାସ୍ତ କରିଛି-। ମୁଁ ତାକୁ ଏଥିରେ‌ ନିବର୍ତ୍ତାଇବା ପାଇଁ ଚେଷ୍ଟା କଲି । ଆମେ ବ୍ରାହ୍ମଣ, ଏହି ଚମ ବ୍ୟବସାୟ ଆମ ପାଇଁ ଅନୁପଯୁକ୍ତ । ତଥାପି ସେ ଶୁଶିଲା ନାହିଁ କାରଣ ଧର୍ମପ୍ରତି ତା’ର ଖାତିର୍ ନାହିଁ । ମୁଁ ସବୁଦିନେ ତୁଳସୀ ଗଛରେ ପାଣି ଢାଳୁଛି । ଗାୟତ୍ରୀ ଜପୁଛି, ତା’ର ଏହି ବ୍ୟବହାର ଯୋଗୁଁ ମୁଁ ବଡ଼ ଉତ୍‌କ୍ଷିପ୍ତ ହୋଇଗଲି । ମୋର ଏହି ବଦ୍‌ମାସ୍‍ ନାତିଟି କୁକୁଡ଼ା ଡିମ୍ବକୁ ରସଗୋଲା ପରି ଆଦରରେ ଗୋଟା ପଣେ ଗିଳିଦିଏ । ଏମିତି ଅସୁର ସ୍ଵଭାବ ଥିବା ଗୋଟିଏ ଲୋକ ମୋ ଘରେ ଦିନେ ଜନ୍ମ ହେବ ବୋଲି । ମୁଁ ଜୀବନରେ କେଉଁ କଳ୍ପନା କରିନଥିଲି ।

 

ମୁଁ ଯେଉଁ ଯୁବତୀ ନାତୁଣୀ ବୋହୂଟି ସମ୍ପର୍କରେ ବିଶେଷ ଭାବେ ବିବ୍ରତ । ତା’ ସମ୍ପର୍କରେ ସୂଚାଉଛି । ସେ ଗାଁର ଚାଟଶାଳୀପାଠଠାରୁ ଅଧିକ ପଢ଼ି ନାହଁ । ହିନ୍ଦୀ ଭାଷାର ବିନ୍ଦୁ ବିସର୍ଗ ତାକୁ ଜଣାନାହିଁ, ତଥାପି ଦିନରାତି ସବୁବେଳେ ଟ୍ରାଞ୍ଜିଷ୍ଟର୍‍ରୁ ହିନ୍ଦୀ ଗୀତ ଶୁଣେ । ପୁଣି ସେ ଏତେ ଜୋରରେ ଟ୍ରାଞ୍ଜିଷ୍ଟର୍ ବଜାଏ ଯେକୌଣସି ଲୋକ ଭାବିବ, ଆମ ଘରେ ଗୋଟିଏ ମାଇକ୍ ଖଞ୍ଜା ଯାଇଛି ଓ ଯେମିତି ଦୈନକ ବିବାହ ବ୍ରତ ଇତ୍ୟାଦି ଭୋଜି ଭାତ ଚାଲିଛି । ଏହି ନାତୁଣୀବୋହୂ ଗୋଟିଏ ଲୋମେଶ ବିଦେଶୀ କୁକୁର ପୋଷିଛି । ତାକୁ ସେମାନେ ବିଗ୍-ବିଅର୍ ବୋଲି ଡାକନ୍ତି । କୁକୁରକୁ ମୁଁ ବଡ଼ଘୃଣା କରେ, କିନ୍ତୁ ନାତୁଣୀ-ବୋହୁ କୁକୁରଟିକୁ ଧରି ଶୁଏ । ତା’ ସହିତ ଗେଲ ଗମାତ ହୁଏ । ଏମିତିକି ସେ ତାକୁ ଚୁମା ଦେବାର ଦୃଶ୍ୟ ମୁଁ ନିଜେ ସ୍ଵଚକ୍ଷୁରେ ଦେଖିଛି । ନାତୁଣୀ ବୋହୂର ବାତ୍ସଲ୍ୟ ସ୍ନେହ ଯଦି ଏତେ ଜୋରରେ ଝରୁଛି, ତାହାହେଲେ ସେ ପିଲାଟିଏ ଜନ୍ମ କରୁ ନାହିଁ କାହିଁକି ! ମୁଁ ଭଲ ଭାବେ ଜାଣେ ଯେ ସେ ଜନ୍ମ ନିରୋଧ ପାଇଁ ବ୍ୟବସ୍ଥା କରିଛି, ବିବାହ-ପୂର୍ବରୁ ସେ ଏହି ଜନ୍ମ-ନିରୋଧ ବ୍ୟବସ୍ଥା କରି ନ ଥାଉ:ଏହା ହିଁ ମୋର କାମନା ।

 

ବର୍ତ୍ତମାନ ମୋ ତିନି ପୁଅର ଭାର୍ଯ୍ୟାମାନଙ୍କ ସମ୍ପର୍କରେ କହୁଛି । ଏହି ତିନି ଜାଆ ପରସ୍ପରର ପରମ ଶତ୍ରୁ । ତଥାପି ସେମାନଙ୍କ ମଧ୍ୟରେ ବିଚିତ୍ର ଧରଣର ବନ୍ଧୁତ୍ଵ ରହିଛି । ବିଚିତ୍ର ଏହି ଦୃଷ୍ଟିରୁ ସେ କେତେବେଳେ କେଉଁ ଦୁଇ ଜାଆ ମେଣ୍ଟ ବାନ୍ଧି ତୃତୀୟ ଜାଆ ସହିତ ଯୁଦ୍ଧ କରନ୍ତି, ତାହା ବୁଝିବା କଷ୍ଟକର । ଏଇ ଧରଣର ବନ୍ଧୁତ୍ୱ କେତେଦୂର ସ୍ଥାୟୀ ଓ ସ୍ଵାସ୍ଥ୍ୟକର ତାହା ଅନୁଭବୀମାନେ ଭଲଭାବେ ବୁଝିପାରୁଥିବେ ଯାହାହେଉ, ଏମାନଙ୍କ ମଧ୍ୟରେ ଶ୍ରମ ବଣ୍ଟନ ହୋଇ ଯାଇଛି । ଏମାନେ ପାଳି କରି ରୋଷେଇ କରନ୍ତି । ଏମାନଙ୍କ ମଧ୍ୟରୁ ମଝିଆ ବୋହୂ (ନାଟୁଆର ଭାର୍ଯ୍ୟା) ଭଲ ରୋଷେଇ କରେ । ସେ ଯେଉଁ ଦିନ ରୋଷେଇ କରେ ସମସ୍ତେ ଥାଳି ଚାଟି ଖାଇଦିଅନ୍ତି ତେଣୁ ଅନ୍ୟ ଦୁଇ ଜାଆ ତା' ଉପରେ ବଡ଼ ଈର୍ଷା ସେମାନେ ସମସ୍ତ ଓ ସୁଯୋଗ ଉଣ୍ଡି, ମଝିଆ ବୋହୂ ରୋଷେଇ ଘରେ ନ ଥିବା ବେଳେ ଡାଲି ତରକାରୀ ଇତ୍ୟାଦିରେ ମେଞ୍ଚାଏ ଲୁଣ ଲୁଚାଇ ଘାଣ୍ଟି ଦିଅନ୍ତୁ । ଫଳରେ ତରକାରୀ ଇତ୍ୟାଦି ଲୁଣିଆ ହୋଇଯାଏ । ମଝିଆ ବୋହୂ ପ୍ରତି ସମସ୍ତଙ୍କର ମନୋଭାବ ତିକ୍ତ କରାଇବା ପାଇଁ ଏହା ଗୋଟିଏ ଫାନ୍ଦ ।

 

ତିନିବୋହୂ ମଧ୍ୟରୁ ସାନ ବୋହୂ ସୁନ୍ଦରୀ । ପୁଣି ସେ ତା’ ବାପାର ଗୋଟିଏ ଝିଅ ହୋଇ ଥିବାରୁ ସାବିତ୍ରୀ-ଅମାବାସ୍ୟା, କୁମାର-ପୂର୍ଣ୍ଣମୀ ଇତ୍ୟାଦି ପର୍ବ-ପର୍ବାଣୀରେ ଅନ୍ୟବୋହୂମାନଙ୍କ ତୁଳନାରେ ତା’ ବାପାଘର ଭଲ ଶାଢ଼ୀ ଓ ଅଧିକ ଜିନିଷ ପତ୍ର ଦିଅନ୍ତି । ଏଣୁ ସାନବୋହୁ ପ୍ରତି ଅନ୍ୟ ଦୁଇ ଜାଆ ଈର୍ଷା-ପରାୟଣ ହୋଇଥା’ନ୍ତି । ଏମିତି କେତେ କ’ଣ ସାମାନ୍ୟ-ଅସାମାନ୍ୟ ଘଟଣାକୁ କେନ୍ଦ୍ର କରି ତିନି ବୋହୂ ପରସ୍ପରର ଶତ୍ରୁ । ଆମ ଦେଶର ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଯେମିତ ବିଚିତ୍ର ଧରଣର ପାରସ୍ପରିକ ଶତ୍ରୁତା ଓ ମିତ୍ରତା ରହିଛି ସେମିତି ସମ୍ପର୍କ ମୋ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ରହିଛି । ଏମାନଙ୍କ ମଧ୍ୟରେ ଏମିତି ତିକ୍ତ ସମ୍ପର୍କ ଥିବା ବେଳେ ଏହି ଘରର କର୍ତ୍ତା ହେବା ମୋ ପକ୍ଷରେ ସହଜ ନୁହେଁ । ତଥାପି ମୁଁ ଦୃଢ଼ମନା ହୋଇଥିବାରୁ ମୋ କ୍ଷମତା ପ୍ରୟୋଗ କରି ଘର ଚଳାଇ ନେଉଛି । କିନ୍ତୁ ଦିନେ ଗୋଟିଏ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଲା-। ମୋ ପାଖରେ ଘରର ସବୁ ବାକ୍‌ସର ଚାବି ଥାଏ ଏବଂ ମୁଁ ସବୁଦିନେ ଚାବି-ପେନ୍ଥାଟି ମୋ ଅଣ୍ଟାରେ ଖୁଞ୍ଚି ରଖିଥାଏ । ଥରେ ମୁଁ ଚାବି-ପେନ୍ଥାଟି ଏମିତି ଅଣ୍ଟାରେ ଧରି ଶୋଇଥିଲି । ସକାଳୁ ଉଠିବା ବେଳେ ଦେଖିଲି ଯେ ତାହା ଅଣ୍ଟାରେ ନାହିଁ । ଚାବି ପାଇବା ପାଇଁ ନିଜେ ନିଜେ ଖୋଜାଖୋଜି ଆରମ୍ଭ କଲି । ଏହି ବିଷୟରେ ହଠାତ୍ କାହାରିକୁ ଜଣାଇବା ପାଇଁ ଉଚିତ୍ ମନେ କଲି ନାହିଁ । କିନ୍ତୁ ଦିନ ବାରଟା ଯାଏଁ ଯେତେବେଳେ କାହା ଖୋଜି ବାହାର କରି ପାରିଲେ ନାହିଁ, ବାଧ୍ୟ ହୋଇ ଘରର ସମସ୍ତଙ୍କୁ ଏହି ବିଷୟ ଜଣାଇଲି । ତା'ପରେ ଯିଏ ଯାହାର ବାକ୍‌ସର ତାଲା ଭାଙ୍ଗିବାରେ ଲାଗିଲେ ଏବଂ ଅଳ୍ପ ସମୟ ପରେ ଜଣକ ପର ଜଣେ, ପ୍ରତ୍ୟେକ ବ୍ୟକ୍ତି ଜଣାଇଲେ, ‘ମୋର ଅମୁକ ଜିନିଷ ଯାଇଛି । ମୋର ଏତେ ଟଙ୍କା ହଜି ଯାଇଛି । ମୋର ଏତେ ଟଙ୍କା ଚୋରି ଯାଇଛି ଇତ୍ୟାଦି । ସେମାନଙ୍କ ମଧ୍ୟରେ ପୂର୍ବରୁ ପରସ୍ପର ପ୍ରତି ଅବିଶ୍ଵାସ-ଭାବ ରହିଥିଲା । ଏହି ଚାବି ଚୋରି ଘଟଣା ତାହା ଅତି ଉତ୍କଟ ଆକାର ଧାରଣା କଲା । ପରସ୍ପର ପରସ୍ପରକୁ ଚାବି-ଚୋର ବୋଲି ନିଃସନ୍ଦେହରେ ମୁକ୍ତ ଭାବେ ଘୋଷଣା କରିବାରେ ଲାଗିଲେ । ପରିସ୍ଥିତି ପରିଶେଷରେ ଏମିତି ଅଣାୟତ୍ତ ଅବସ୍ଥାରେ ପହଞ୍ଚିଲା ଯେ ତିନି ବୋହୂ ସମ୍ପତ୍ତି ବଣ୍ଟନ କରି ସ୍ଵାଧୀନ ଭାବେ ରହିବାକୁ ଚାହିଁଲେ । ଏହି ପ୍ରସ୍ତାବ ଶୁଣିବା ମାତ୍ରେ ମୁଁ ରାଗରେ ଥରିଲି । ମୁଁ ପଚାରିଲି-ଏ ସମ୍ପତ୍ତି କାହାର ? ମୁଁ ନିଜେ ହାଡ଼ଭଙ୍ଗା ପରିଶ୍ରମ କରି ଏହି ସମ୍ପତ୍ତି ଅର୍ଜନ କରିଛି । ମୁଁ ବଞ୍ଚି ଥାଉ ଥାଉ ଏ ସମ୍ପତ୍ତିରେ ଭାଗ ମାଗିବାକୁ କିଏ ! ମୁଁ ଭଲ ଭାବେ ଜାଣେ ଯେ ଭାଗବଣ୍ଟା ସରିବା ପରେ ମୋ ହାତରୁ ସବୁ କ୍ଷମତା ଚାଲିଯିବ ଓ ମତେ ଏମାନଙ୍କ ଦୟାରେ ବଞ୍ଚିବାକୁ ପଡ଼ିବ । ପୁଣି ମୁଁ ଘର ଚଳାଇ ପାରିଲି ନାହିଁ ବୋଲି ଲୋକେ ମତେ ନିନ୍ଦା କରିବେ । ଧନ-ସମ୍ପତ୍ତି ଓ କ୍ଷମତା ଦୃଷ୍ଟିରୁ ସର୍ବସାଧାରଣ ମତେ ନ୍ୟୁନ ଦୃଷ୍ଟିରେ ଦେଖିବେ । ଏମିତି ଦୟନୀୟ ପରିସ୍ଥିତିରେ ମୁଁ ବଞ୍ଚିବାକୁ ଚାହେଁ ନାହିଁ । ତେଣୁ ଦୃଢ଼ ହସ୍ତରେ ଏହି ଅରାଜତାକୁ ଦମନ କରିବାକୁ ପଡ଼ିବ । ମୋ ମନରେ ଏମିତି ଚିନ୍ତା ଚାଲିଥିବା ବେଳେ ମୋର କୁକୁଡ଼ା-ପାଳକ ନାତି ଓ କୁକୁର-ମାତା ନାତୁଣୀବୋହୁ, ମୋ ପାଖକୁ ଆସି ଶୀଘ୍ର ସମ୍ପତ୍ତି ବଣ୍ଟନ ଚୁଡ଼ାନ୍ତ କରିବାକୁ କହିଲେ । ମୁଁ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ତୁରନ୍ତ ମୋ ସମ୍ମୁଖରୁ ଚାଲିଯିବା ପାଇଁ ଆଦେଶ ଦେଲି । ସେତେବେଳେ ସେମାନଙ୍କ ପାଖରେ ତାଙ୍କର ପୋଷା କୁକୁର ବିଗ୍ ବିଅର୍ ଥିଲା । ସେ ତା’ର ମାଲକାଣୀକୁ ମୋ ଯୋଗୁଁ ଅସମ୍ମାନ ହେବା ଯୋଗୁଁ ଭୁକି ଭୁକି ମୋ ଉପରକୁ ଲମ୍ଫ ମାରିଲା । କୌଣସି ଉପାୟରେ ମୁଁ ନିଜକୁ ସୁରକ୍ଷିତ କଲି । ତା’ପରେ ଆଲ୍‌ମାରି ସନ୍ଧିରୁ ଗୋଟିଏ ମୂଳିଆ ଠେଙ୍ଗା ବାହାର କଲି । ଏହି ଠେଙ୍ଗାଟି ମୁଁ ଚାଳିଶି ବର୍ଷ ପୂର୍ବେ ବ୍ୟବହାର କରିଥିଲି । ସେତେବେଳେ ବର୍ଷା ଅଭାବରୁ ବିଲ ବାଡ଼ିରେ ପାଣି ନ ଥିଲା । ମୁଁ ପୋଖରୀରୁ ପାଣି ବୋହି ଆଣି ଆମ କିଆରୀରେ ଜମା କରିଥିଲି, କିନ୍ତୁ ରାତି-ଅଧରେ ଆମ ପଡ଼ୋଶୀ-ବିଲର ମାଲିକ ହୁଡ଼ା ହାଣି ତା’ କିଆରିକୁ ମୋ ବିଲର ପାଣି ନେଇଗଲା । ଏହି ଖବର ପାଇ ମୁଁ ଉକ୍ତ ମୂଳିଆ ଠେଙ୍ଗାଟିରେ ଦୁର୍ବୃତ୍ତକୁ ଦୁଇ ପାହାର ଦେଇଥିଲା ଓ ତା’ର ଦୂର୍ବୁଦ୍ଧିକୁ ଲୋପ କରି ଦେଇଥିଲି । ଆଜିଯାଏଁ ଏହି ଠେଙ୍ଗାଟି ଅବ୍ୟବହୃତ ହୋଇ ଅନ୍ଧାର କୋଣରେ ପଡ଼ି ରହିଥିଲା-। ବର୍ତ୍ତମାନ ଏହି ଠେଙ୍ଗାଟି ଧରିଲି । ତା’ପରେ ଆମ ଘରର ପ୍ରତି ବଖରା ବୁଲିଲି ଏବଂ କେଉଁଠାରେ କେତୋଟି ବାକ୍ସ ଅଛି ହିସାବ କଲି । ହିସାବ ଅନୁଯାୟୀ ଦୋକାନରୁ ଶକ୍ତ ଓ ଦାମିକା ତାଲା କିଣିଲି ଓ ପ୍ରତି ବାକ୍ସରେ ତାଲା ଝୁଲାଇଲି । ସେଠାରେ ଥିବା ପୁରୁଣା ତାଲାଗୁଡ଼ିକ (ଯେଉଁମାନଙ୍କର ଚାବି ହଜିଯାଇଥିବା ଚାବି ପେନ୍ଥାରେ ଥିଲା) ଭାଙ୍ଗି ଫୋପାଡ଼ି ଦେଲି । ତା’ପରେ ନୂତନ ଚାବି ପେନ୍ଥାଟି ହାତରେ ରୁଣ୍ ଝୁଣ୍‍ କରି ହଲାଇ, ଘରର ସମସ୍ତଙ୍କୁ ଶୁଭିବା ପାଇଁ ପାଟି କରି ଜଣାଇଲି ଯେ, ମୁଁ ଭାଗ-ବଣ୍ଟା ବିଷରେ ପଦେକଥା ମଧ୍ୟ ବରଦାସ୍ତ କରିବି ନାହିଁ । ମୋର ଉଗ୍ର ମନୋଭାବକୁ ଖାତିର୍ କରି ସମସ୍ତେ ଶାନ୍ତ ପଡ଼ିଲେ । ମନେ ମନେ ଠେଙ୍ଗାକୁ ଜୁହାର କରିବେ ନିଶ୍ଚୟ ! (ମହାଦେବ ତ ଠେଙ୍ଗାକୁ ଜୁହାର କରନ୍ତି,... ଆଉ ଏମାନେ କେତେ ? ) ତଥାପି ମୋ ପଛରେ ଚୁପ୍ ଚାପ୍ କଥା ହୁଅନ୍ତି । ଅବଶ୍ୟ ମତେ ଦେଖିଲେ, ସେମାନେ ଘରର ଅନ୍ଦି ସନ୍ଧି, କୋଣ ବାଡ଼ ଦେଖି ଲୁଚିବାକୁ ଚେଷ୍ଟା କରନ୍ତି, ବିଲେଇ ମିଆଉଁ କଲେ ମୂଷାମାନେ ଯେମିତି ହୁଅନ୍ତି । ଏହି ସବୁ ସତ୍ତ୍ୱେ ମୋ ମନରେ ଶାନ୍ତି ନାହିଁ । ମୁଁ ଏମିତି ଶକ୍ତିଶାଳୀ ଓ ପ୍ରଭାବବଶାଳୀ ହେବାକୁ ଚାହୁଁଛି ଯେ, ଆଉ ଭବିଷ୍ୟତରେ ଦିନେ ମଧ୍ୟ ଏମାନେ ମୋ ହାତରୁ ସମ୍ପତ୍ତି ନେବାପାଇଁ ଦୁଃସାହସ କରିବେ ନାହିଁ । ମୋ ମନରେ ଏହି ଧରଣର ଅଭିଳାଷ ଦୃଢ଼ୀଭୁକ୍ତ ହେଉଥିବା ସମୟରେ ଆମ ଗାଁକୁ ଜଣେ ସିଦ୍ଧ ତପସ୍ଵୀ ଆସିଥିଲେ । ତାଙ୍କ ନାମ ହେଉଛି ସ୍ଵାମୀ ତରଳାନନ୍ଦ ବ୍ରହ୍ମଚାରୀ । ସ୍ଵାମୀଙ୍କ ଆମ ଗାଁ ଶେଷରେ ଥିବା ମହାଦେବଙ୍କ ମନ୍ଦିରରେ ରହୁଥାନ୍ତି । ଆମେ ଶୁଣିବାକୁ ପାଇଲୁ ଯେ ସେ ଜଣେ ସିଦ୍ଧ ପୁରୁଷ ଓ ତାଙ୍କ ପାଖରେ କୁଆଡ଼େ ଏମିତ ଅଲୌକିକ ଶକ୍ତି ଅଛି ସେ ସେ ଯାହାକୁ ଆର୍ଶୀବାଦ ଦେବେ, ତା’ର ମନସ୍କାମନା ପୂର୍ଣ୍ଣ ହେବ । ତେଣୁ ଚତୁର୍ଦ୍ଦିଗରୁ ବିଭିନ୍ନ ପ୍ରକାରର ବହୁତ ଲୋକ ମହାଦେବଙ୍କ ମନ୍ଦିର ନିକଟରେ ରୁଣ୍ଡ ହେଲେ । ସ୍ଵାମୀଜୀଙ୍କ ସମ୍ପର୍କରେ ଗୋଟିଏ ଅନିଶ୍ଚିତତା ଲାଗି ରହିଥାଏ କାରଣ ସେ କେଉଁ ଦିନ ଆମ ଗାଁ ଛାଡ଼ି ଚାଲିଯିବେ, ସେ ବିଷୟରେ କାହାକୁ କିଛି କହୁ ନ ଥାନ୍ତି । ତେଣୁ ମୁଁ ମୋ ମନରେ ବହୁଦିନରୁ ରହିଥିବା ଗୋଟାଏ କଷ୍ଟସାଧ୍ୟ ମନସ୍କାମନା କ୍ଷମତା-ହାସଲ ସ୍ଵାମୀଜୀଙ୍କ ଅନୁଗ୍ରହରୁ ସିଦ୍ଧି କରାଇବା ପାଇଁ ବିଶେଷ ତତ୍ପର ହୋଇ ପଡ଼ିଲା । ଦିନେ ମୁଁ ମହାଦେବଙ୍କ ମନ୍ଦିର ନିକଟକୁ ଗଲି ଓ ସମସ୍ତଙ୍କ ପରି ସ୍ଵାମୀଜୀଙ୍କ ନିକଟରେ ଅଭୀଷ୍ଟ ପ୍ରାପ୍ତି ପାଇଁ ଅଧିଆ ପଡ଼ିଲି । ଅଧିଆ ପଡ଼ିବା ବଡ଼ ଯନ୍ତ୍ରଣାଦାୟକ । ଯେଉଁମାନେ ଗଞ୍ଜାମ ଜିଲ୍ଲାରେ ହେଉଥିବା ଗ୍ରୀଷ୍ମ ଋତୁର ‘ଦଣ୍ଡନାଟ’ ଦେଖିଥିବେ, ସେମାନେ ଆମର କଷ୍ଟର ସ୍ଵଭାବ ଓ ପରିମାଣ ବିଷୟରେ ଧାରଣା କରି ପାରିବେ । ଖରାବେଳେ ନିଆଁ ପରି ତାତୁଥିବା ଥିବା ବାଲି ଧୂଳି ଉପରେ ଆମେ ପେଟେଇ ହୋଇ ପଡ଼ି, ହାତ ଦୁଇଟି ଯୋଡ଼ି ରହିଥାଉ । ଖାଇବା ବିଷୟରେ ଚିନ୍ତା ନାହିଁ, ଆଖି ଦୁଇଟି ବୁଜି ହୋଇଥିଲେ ମଧ୍ୟ ନିଦ ନାହିଁ–ମନକୁ ସଦାସର୍ବଦା ସ୍ଵାମୀ ତରଳାନନ୍ଦ ବ୍ରହ୍ମଚାରୀଙ୍କ ପ୍ରତିବିମ୍ବ ଆବୋରି ରହିଥାଏ । ଏ ସବୁ ଶାରୀରିକ ପୀଡ଼ା ସତ୍ତ୍ୱେ ଦିନକୁ ଦିନ ଆମର ସଂଖ୍ୟା ବଢ଼ିବାରେ ଲଗିଲା । ଏହାର କାରଣ ହେଉଛି : ସମସ୍ତେ ଭାବନ୍ତି ଯେ ଅନ୍ତରର ଇଚ୍ଛା ପୂର୍ଣ୍ଣ କରିବାକୁ ଏହା ଗୋଟିଏ ସର୍ଟ୍‍କର୍ଟ୍ ଉପାୟ ।

 

ଆମେ ଶୁଣିବାକୁ ପାଇଛୁ ଯେ ସ୍ଵାମୀଜୀ ଯେତେବେଳେ ଯାହା ପ୍ରତି ପ୍ରସନ୍ନ ହେବେ; ତାକୁ ଡାକିବେ ଏବଂ ଆର୍ଶୀବାଦ ଓ ପ୍ରସାଦ ଦେଇ ତାକୁ ବିଦାୟ କରିଦେବେ । ତେଣୁ ଆମେ ନିଜ ଆଡ଼ୁ ଚେଷ୍ଟା କିମ୍ବା ତତ୍ପର ହେବାର କୌଣସି କାରଣ ନାହିଁ । କିନ୍ତୁ ଆମେ ଜାଣିବାରେ ସ୍ୱାମୀଜୀ ବହୁଦିନ ଧରି କାହାରିକୁ ସୁଦ୍ଧା ଡାକି ନାହାନ୍ତି; ଏପରିକି ସ୍ୱାମୀଜୀ ନିଜେ ନୀରବରେ ଦିନ-ରାତି ଯୋଗ ଧ୍ୟାନରେ କାଠ-ପଥର ପରି ବସି ରହିଥାନ୍ତି । ଏହି ପରିସ୍ଥିତିରେ ମୋର ସହନଶୀଳତା ଓ ମନୋବଳ କ୍ରମଶଃ କମିବାରେ ଲାଗିଲା ଓ ଥରେ ଥରେ ବିରକ୍ତିରେ ଘରକୁ ଫେରଯିବି ବୋଲି ଭାବୁଥାଏ ।

 

ଦିନେ ସୂର୍ଯ୍ୟ ଅସ୍ତ ହେବାକୁ କିଛି ସମୟ ବାକି ଥାଏ । ସେତେବେଳେ ଖରାଦିନିଆ ସୂର୍ଯ୍ୟତାପ ଯଥେଷ୍ଟ କମି ଆସିଥାଏ । ଆମ ଭିତରୁ ଫୁସ୍‌ଫୁସ୍ ହୋଇ କେହି ଜଣେ କହିଲା ସେ ସ୍ଵାମୀଜୀ ଯୋଗାସନରୁ ଉଠି ଠିଆ ହେଉଛନ୍ତି । ତାଙ୍କ ପଛରେ ମଧ୍ୟ ତାଙ୍କର ଚେଲାମାନେ ମଧ୍ୟ ଉଠି ଠିଆ ହେଲେ । ସେତେବେଳେ ଆମେ ସମସ୍ତେ ଧୂଳରେ ମୁହଁ ମାଡ଼ି ପଡ଼ିରହିଥିଲୁ । ସ୍ଵାମୀ ଏଠାକୁ ଆସିବା ଦିନଠାରୁ ବର୍ତ୍ତମାନ ଏହି ପ୍ରଥମଥର ପାଇଁ ଯୋଗଭଙ୍ଗ କରିଥିବା ବିଷୟ ଆମ ମନରେ ଅପୂର୍ବ ଆଶାର ସଞ୍ଚାର କଲା । ଆମେମାନେ ମଧ୍ୟ ଅଧିଆରୁ ଉଠି ହାତ ଯୋଡ଼ି ଠିଆ ହେଲୁ । କାଳେ ଆମ ମଧ୍ୟରୁ କାହାରିକୁ ସ୍ଵାମୀଜୀ ଡାକିଦେବେ ବୋଲି ଆଶା ମନରେ ଜାଗରିତ ହେବାରୁ ଆମମାନଙ୍କର ହୃତ୍‌କମ୍ପ ଜୋରରେ ବଢ଼ିଗଲା । ଇତ୍ୟବସରରେ ଜଣେ ଦୁଇ ଜଣ ପଣ୍ଡିତିଆ ସ୍ଵାମୀଜୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଚ୍ଚ କଣ୍ଠରେ ସଂସ୍କୃତରେ ଶ୍ଳୋକ ଉଚ୍ଚାରଣ କରିବାକୁ ଲାଗିଲେ । କିନ୍ତୁ ସେ ଏସବୁ ନ ଶୁଣିବା ପରେ ନିର୍ଲିପ୍ତ ଭାବେ ନିକଟସ୍ଥ ପୋଖରୀକୁ ଗଲେ । ଏହି ପୋଖରୀର ଗୋଟିଏ ବିଶେଷତ୍ଵ ହେଉଛି ଯେ ଝାଡ଼ାଫେରି ଏଠାରେ କେହି ଶୌଚ ହୁଅନ୍ତି ନାହଁ; ଗାଈ, ମଇଁଷି, ପୋଢ଼ୁଅ ଇତ୍ୟାଦି ଜନ୍ତୁ ଏହି ପାଣିରେ ପଶିବା ନିଷିଦ୍ଧ । ଆଉ ଏହି ପୋଖରୀରେ ଧୋବାତୁଠର ପ୍ରଶ୍ନ ଉଠି ନ ପାରେ । ଏହାର ପାଣି ତେଣୁ ନିର୍ମଳ ଥାଏ । ସବୁ ପ୍ରକାର ଶୁଦ୍ଧ କାର୍ଯ୍ୟ ପାଇଁ ଏହି ପୋଖରୀରୁ ପାଣି ବ୍ୟବହାର କରାଯାଇଥାଏ । ସ୍ଵାମୀଜୀ ଏଠାରେ ସ୍ନାନ କରି କମଣ୍ଡଳୁରେ ସ୍ୱଚ୍ଛଜଳ ଧରି ମହାଦେବ-ମନ୍ଦିରର ମଣ୍ଡପକୁ ଆସିଲେ । ଆମେ ସମସ୍ତଙ୍କୁ ବସିବା ପାଇଁ କହିଲୁ । ତା’ପରେ ସ୍ଵାମୀଜୀ ନିଜେ ବସିବା ପାଇଁ ବାଘ-ଛାଲଟିଏ ବିଛାଇଲେ । ସେତେବେଳେ ସେଥିରେ ଲୁଚି ରହିଥିବା ଗୋଟିଏ ଝିଟିପିଟି ତାଙ୍କ ଗୋଡ଼ ଉପରକୁ ଡେଇଁପଡ଼ିଲା । ସ୍ଵାମୀଜୀ ତାକୁ ଝାଡ଼ିଦେଇ ଆସନରେ ବସିଲେ ଓ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ଶିବଙ୍କୁ ମୌନଭାବେ ସ୍ମରଣ କଲେ । ସେତେବେଳେ ଉକ୍ତ ଦୁଷ୍ଟ ଝିଟିପିଟି ସ୍ଵାମୀଜୀଙ୍କ ପିଠି ଉପରକୁ ଚଢ଼ିଯିବାରୁ ସ୍ଵାମୀଜୀଙ୍କ ଧ୍ୟାନଭଙ୍ଗ ହେଲା ଓ ସେ ବିରକ୍ତରେ ତାକୁ ପିଠିରୁ ବାହାର କଲେ । ଏହି ସମୟରେ ଉପସ୍ଥିତ ଚେଲାମାନେ ଝିଟିପିଟିର ଦୁର୍ବ୍ୟବହାରରେ ଅଥୟ ହୋଇ ତାକୁ ମନ୍ଦିରର କାନ୍ଥ ଉପର ଯାଏଁ ତଡ଼ି ତଡ଼ି ନେଇଗଲେ । ସ୍ଵାମୀଜୀ ବର୍ତ୍ତମାନ ଆଶ୍ଵସ୍ତିର ସହିତ ପୁଣି ଶିବଙ୍କୁ ଧ୍ୟାନ କଲେ । କିନ୍ତୁ ସେତେବେଳେ ଝିଟିପିଟି ମଣ୍ଡପର ସ୍ଲାବ୍‍ ଉପରକୁ ଚାଲିଯାଇ ସ୍ୱାମୀଜୀଙ୍କ ଠିକ୍ କାନ୍ଧ ଉପରକୁ ପରିସ୍ରା କଲା ! ମହାରାଜା ବିଚଳିତ ହୋଇଗଲେ । ଚେଲାମାନେ ତାଙ୍କ କାନ୍ଧକୁ ଭଲଭାବେ ଧୋଇଲେ । ତା'ପରେ ପୋଛି ସଫା କଲେ । ଏମିତି ଅବସ୍ଥାରେ ସ୍ଵାମୀଜୀ ବଡ଼ ବିରକ୍ତିର ସହିତର ମନ୍ତବ୍ୟ ଦେଲେ:

 

“ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ପରେ ଏହା ଝିଟିପିଟି ପରି ଅମେରୁଦଣ୍ଡୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ଶାସନ-ବିଭାଗ ଓ ବିଚାର-ବିଭାଗରେ ଶୀଘ୍ର ଶୀଘ୍ର ପଦୋନ୍ନତି ପାଉଛନ୍ତି । କିନ୍ତୁ ଏହା ଗୋଟିଏ ଦୁରଭିସନ୍ଧିମୂଳକ କୌଶଳ । ଏହାଦ୍ଵାରା କାଗଜ କଲମରେ କ୍ଷମତା ବିଭିନ୍ନ ଲୋକଙ୍କ ହାତରେ ନ୍ୟସ୍ତ ଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସର୍ବୋଚ୍ଚ ଶାସନ କର୍ତ୍ତାର ହାତରେ କ୍ଷମତା କେନ୍ଦ୍ରୀଭୂତ ହେଉଛି । ଫଳରେ ଆମ ଦେଶରେ ସ୍ୱେଚ୍ଛାଚାରୀ ଶାସନ ଚାଲିଛି । ଏହି ସ୍ୱେଚ୍ଛାଚାରୀ ଶାସନକୁ ଆମ ଦେଶର ଜଣେ ସରକାରୀ-ସନ୍ନ୍ୟାସୀ ଅନୁଶାସନ-ପର୍ବ ବୋଲି ଆଖ୍ୟା ଦେଇଛନ୍ତି । ଏହି ଅନୁଶାସନ ଯୋଗୁଁ କୁଆଡ଼େ କଳ-କାରଖାନା ଓ ଜମିବାଡ଼ିରେ ଉତ୍ପାଦନ ବୃଦ୍ଧି ପାଇଲା; ଦରଦାମ ଶସ୍ତା ହୋଇଗଲା । ବୋଧହୁଏ ଲୋକମାନେ ଶସ୍ତା ସୁବିଧା ଦର ଯୋଗୁଁ ପ୍ରଚୁରଭାବେ ଖାଇବା-ପିଇବାରୁ ଏତେ ମୋଟା ହେଲେ ଯେ, ବର୍ତ୍ତମାନ ସହରରେ ଥିବା ଅଣଓସାରିଆ ରାସ୍ତାରେ ସହଜରେ ଚାଲିପାରିଲେ ନାହିଁ । ତେଣୁ ରାସ୍ତା ଚଉଡ଼ା କରିବାକୁ ସାହିର ଉଭୟ ପାର୍ଶ୍ଵରେ ଥିବା ଘରମାନଙ୍କରୁ ଖଣ୍ଡେ ଖଣ୍ଡେ ଭାଙ୍ଗିବାକୁ ପଡ଼ିଲା ।”

 

‘‘ଜରୁରୀ ପରିସ୍ଥିତିରେ ସୁଫଳ ବିଷୟରେ ରେଡ଼ିଓ ଓ ଖବରକାଗଜଗୁଡ଼ିକର ଅତିରଞ୍ଜିତ ପ୍ରଚାର ଦେଖିଲେ ମୁଁ ଦୁଃଖିତ ହୁଏ । ପ୍ରକୃତରେ ଈଶ୍ଵରଙ୍କ ସୃଷ୍ଟି ଏମିତି ଯେ ପ୍ରତ୍ୟେକ ଜିନିଷରେ ଭଲ ଓ ମନ୍ଦ ଗୁଣ ମିଶି ରହିଛି । ଉଦାହରଣ ସ୍ଵରୂପ : ଆପଣମାନେ ମଣିଷର ମାଳ ବିଷୟରେ ଭାବନ୍ତୁ । ଆମେ ମଣିଷର ମଳକୁ ଅତି ଘୃଣ୍ୟ ଓ ଅଦରକାରୀ ବୋଲି ବିବେଚନା କରୁଁ । କିନ୍ତୁ ଡାକ୍ତରମାନଙ୍କ ବିଚାରରେ ଏହା ଏକ ଅମୂଲ୍ୟ ସମ୍ପଦ । ଅଭିଧାନରେ ଯେମିତ ଯେକୌଣସି ଶବ୍ଦର ଅର୍ଥ ମିଳେ, ସେମିତି ମଣିଷର ମଳରୁ ପରୀକ୍ଷାଦ୍ଵାରା ଯେକୌଣସି ରୋଗ ଜଣାପଡ଼ିଥାଏ । ତେଣୁ ଭଗବାନଙ୍କ ସୃଷ୍ଟିରେ ବିଷ୍ଠାରେ ମଧ୍ୟ ଭଲ ଗୁଣ ରହିଛି । ଏହି ଦୃଷ୍ଟିରୁ ବିଚାର କଲେ, ଜରୁରୀ ପରିସ୍ଥିତିର କିଛି ଭଲ ଗୁଣ ଖୋଜି ପାଇବା ବିଚିତ୍ର କିମ୍ବା ଅସାଧାରଣ ନୁହେଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏହା ଖାଣ୍ଟି ସୁନା ! ପ୍ରକୃତରେ ସମ୍ବାଦପତ୍ର ଓ ବେତାର ମାଧ୍ୟମରେ ଜରୁରୀ ପରିସ୍ଥିତି ଯୋଗୁଁ ଦେଶର ଉନ୍ନତି ସମ୍ପର୍କରେ ପ୍ରଚୁର ଶୁଣିବାବେଳେ ମୋର ଗୋଟିଏ ବିଷୟ ମନେ ପଡ଼ୁଛି ଯେଉଁମାନେ ଏନ୍. ସି. ସି. ପ୍ୟାରେଡ଼୍ ଦେଖିଥିବେ, ସେମାନେ ‘କଦମ୍-ତୋଲ୍’ ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଅବଶ୍ୟ ପାଇଥିବେ । ଏହି କଦମ୍-ତୋଲ୍ ଆଦେଶ ପାଇଲେ, କ୍ୟାଡ଼େଟ୍‌ମାନେ ଯେଉଁଠାରେ ସେହିଠାରେ ଠିଆ ହୋଇ ରହନ୍ତି; କିନ୍ତୁ ବାମ ଓ ଡାହାଣ ଗୋଡ଼କୁ ଠିକ୍ ତାଳରେ ପକାଇ ଅବିରତ ଭାବେ ଡେଇଁଥାନ୍ତି । ଫଳରେ ସେମାନେ ପଦଶ୍ରମ ଯୋଗୁଁ ଝାଳରେ ବୁଡ଼ିଯାଆନ୍ତି, କିନ୍ତୁ ସ୍ଥିତି ଯେଉଁଠି ସେଇଠି–ଅର୍ଥାତ୍ ଅଗ୍ରଗତି କିଛି ହୋଇ ନାହିଁ । ଠିକ୍ ସେମିତ ଏହି ଅନୁଶାସନ-ପର୍ବର ହାଲଚାଲ । ପ୍ରଚାର ଜୋର; କିନ୍ତୁ ପ୍ରଗତି ଜିରୋ । ତାହାହେଲେ ଦେଶରେ ଜରୁରୀ ପରିସ୍ଥିତି କାହିଁକି ବାଦ୍ କରାଗଲା ? ଏହା ମୂଳରେ ଅଛି କ୍ଷମତାର ଖେଳ ।”

 

‘ଆମ ଏମ୍ ପି. ମାନଙ୍କ ବିଷୟ ବିଚାର କରନ୍ତୁ । ସେମାନେ ନିଜ ପାଇଁ ପେନ୍‌ସନ୍ ବା ଅବସରକାଳୀନ ଭତ୍ତା ଯୋଗାଡ଼ କରିଦେଲେ । ଯଦି ପରୀକ୍ଷାର୍ଥୀମାନଙ୍କର ପରୀକ୍ଷା ଖାତା ପରୀକ୍ଷକ ପାଖକୁ ନ ପଠାଇ ନିଜେ ନିଜର ମାର୍କ ଦେବାକୁ କୁହାଯିବ, ତାହାହେଲେ ପ୍ରତ୍ୟେକ ଶତକଡ଼ା ଶହେ ନମ୍ବର ଆଣିବେ । ଏହି ବ୍ୟବସ୍ଥା ଯାହା, ପାର୍ଲାମେଣ୍ଟ ସଦସ୍ୟମାନେ ନିଜେ ନିଜର ପେନ୍‌ସନ୍ ସୃଷ୍ଟି କରିବା ତାହା । ଏହାର ଯଥାର୍ଥତା ସମ୍ପର୍କରେ ଅନ୍ୟ ଯାହା କିଛି କାରଣ ଥାଉନା କାହିଁକି, ଆଦର୍ଶ ଦୃଷ୍ଟିରୁ ଏହା ଅନୁଚିତ । ଏମିତି କ୍ଷମତାର ଅପବ୍ୟବହାର ସମ୍ପର୍କରେ ବହୁ ଦୁଷ୍ଟାନ୍ତ ଦେଇ ହେବ । କ୍ଷମତା ହାସଲ କରିବା ମଣିଷ ପରେ ଯେମିତ ଗୋଟିଏ ସ୍ଵାଗତଯୋଗ୍ୟ ଘଟଣା, ସେମିତି ଠିକ୍ ସମୟରେ କ୍ଷମତାରୁ ବିଦାୟ ନେବା ଗୋଟିଏ ଗୌରବମୟ ବିଷୟ । ପ୍ରକୃତରେ ଯିଏ ଉପଯୁକ୍ତ ସମୟରେ ଅବସର ଗ୍ରହଣ କରେ, ସେ ହିଁ ଅନୁଭୂତିର ପରିପକ୍ଵତା ଲାଭ କରିଛି ବୋଲି ବିଚାରିବାକୁ ହେବ । ଦୁର୍ଭାଗ୍ୟବଶତଃ ଆମ ସମାଜରେ ଜଳ ସ୍ତରରୁ ଆରମ୍ଭ କରି ଉପରସ୍ତର ଯାଏଁ ସମସ୍ତେ କ୍ଷମତା ହାସଲ କରିବା ଓ ତା’ର ଅପପ୍ରୟୋଗ କରିବାରେ ଅଭ୍ୟସ୍ତ । ତେଣୁ ଆମେ ଗୋଟିଏ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛୁଁ ।”

 

ଏମିତି କହୁଥିବା ସମୟରେ ସ୍ଵାମୀଜୀଙ୍କର ଆପେ ଆପେ କଣ୍ଠରୋଧ ହୋଇଗଲା ଏବଂ ସେ ଖୁବ୍ ବିଚଳିତ ହୋଇ ପଡ଼ିଲେ । ତା’ପରେ ସେ ମନ୍ଦିର ଭିତରୁ ତାଙ୍କର ନିତ୍ୟ ବ୍ୟବହୃତ ଔଷଧ ଖାଇବାକୁ ଯିବେ ବୋଲି କହି ଆମ ସମ୍ମୁଖରୁ ଚାଲିଗଲେ । ପ୍ରାୟ ଦଶ ମିନିଟ୍ ମନ୍ଦିର ମଧ୍ୟରେ ରହିବା ପରେ ସେ ପୂର୍ବ ସ୍ଥାନକୁ ଫେରିଲେ । ତା’ପରେ ତାଙ୍କର ଭାଷଣ ପୁଣି ଆରମ୍ଭ କଲେ:

 

“ମୁ ବର୍ତ୍ତମାନ ମୋର ସାଂସାରିକ ଅନୁଭୂତିମାନ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି । କିନ୍ତୁ ମୁଁ ଜଣେ ସଂସାର ତ୍ୟାଗୀ । ଏହି ସଂସାରର ଜଞ୍ଜାଳ ସହିତ ମୋର କୌଣସି ସମ୍ପର୍କ ନାହିଁ । ତେଣୁ ବର୍ତ୍ତମାନ ମୋର ଜୀବନୀ ଶୁଣାଇବା ବେଳେ ମତେ ଏଣିକି ଖୁବ୍ ସତର୍କ ହେବାକୁ ପଡ଼ିବ । ଏଥିରେ ମୁଁ କାହାରିକୁ ନାମିତ କରିବାକୁ ଚାହିଁବି ନାହଁ; କିମ୍ବା ଏମିତି କୌଣସି ଘଟଣା କହିବି ନାହିଁ ଯାହାଦ୍ୱାରା ଆପଣମାନେ ମୋର ପ୍ରତ୍ୟକ୍ଷ ପରିଚୟ ପାଇବେ । କୌଣସି ବ୍ରହ୍ମଚାରୀ ନିଜ ପରିଚୟ ଦେବା ଶାସ୍ତ୍ର ବିରୁଦ୍ଧ ହୋଇଥିବା ଯୋଗୁଁ ମତେ ଏମିତି କରିବାରୁ ପଡ଼ୁଛି । ମୋଟାମୋଟି ଭାବେ କହିବାକୁ ଗଲେ ଆପଣମାନେ ଏବେ ଯାହା ଶୁଣିବେ, ତାହା ଅଧିକାଂଶ ସଂସାର ଭୋଗୀମାନଙ୍କ ଜୀବନରେ ଘଟିଥାଏ ।

 

ଆପଣମାନେ ନିଜର ଅଭୀଷ୍ଟ ପୂର୍ଣ୍ଣ କରିବାକୁ ମୋ ଠାରୁ ବର ପାଇବେ ବୋଲି, ଦିନରାତି ଏଠାରେ ବିଭିନ୍ନ ଯାତନା ସ୍ଵୀକାର କରି ଅପେକ୍ଷା କରିଛନ୍ତି । ବହୁ ବର୍ଷ ପୂର୍ବେ ମୁଁ ମଧ୍ୟ ଆପଣଙ୍କ ପରି ମୋ ଇପ୍‌ସିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ବଡ଼ ଉଦବିଗ୍ନ ହୋଇ ପଡ଼ିଥିଲି । ଯେତେବେଳେ ମୁଁ ସାଂସାରିକ ଜ୍ଞାନ ପାଇଲି ମୋର ସାମାଜିକ ସ୍ଥିତି ଉଚ୍ଚତର କରିବାକୁ ସର୍ବଦା ଚେଷ୍ଟିତ ହେଲି । ଅନେକ ସମୟରେ ଲକ୍ଷ୍ୟ ହାସଲ କରିବାକୁ ବିଭିନ୍ନ ଅନୀତି ଓ ଅସାମାଜିକ ଉପାୟରେ ଆଶ୍ରୟ ନେବାକୁ ପଡ଼ିଥାଏ । ଏଥିପାଇଁ ମତେ ନାନା ପ୍ରକାର ହଇରାଣ ଓ ଦହଗଞ୍ଜ ଭୋଗିବାକୁ ପଡ଼ିଲା । ମୁଁ ଅନିଚ୍ଛା ଓ ମନସ୍ତାପରେ ବହୁତ ଦିନ ସାଂସାରିକ ମାୟା ଜାଲରେ ଛନ୍ଦି ହୋଇ ରହିଥିଲି । ଆପଣମାନଙ୍କୁ ସେହି ବିଷୟରେ ସୂଚାଇ ଦେବାକୁ ବର୍ତ୍ତମାନ ଚେଷ୍ଟା କରୁଛି । ଏହି ସମ୍ପର୍କରେ ମୋର ପୂର୍ବ ଅନୁଭୂତିର କେତେକାଂଶ ମନେ ପକେଇବା ବେଳେ ଗୋଟିଏ ‘ଘର’ କଳ୍ପନା କରୁଛି ଯାହାକି ଆପଣମାନଙ୍କୁ ପ୍ରଥମେ ପ୍ରଥମେ ବଡ଼ ଅଜବ ଲାଗିପାରେ । ଏହି ଘର ଏତେ ବିରାଟ ଯେ, ଏହାର ଆଦି ଅନ୍ତ ସମ୍ପର୍କରେ ମୁ ଜାଣିପାରୁ ନ ଥାଏ । କେଉଁ ପଟକୁ ଯିବି, କ'ଣ କରିବି–ଏହା ମୋର ସମସ୍ୟା ହୋଇ ପଡ଼ିଲା । ଆଖପାଖରେ ମୋର ପରିଚିତ କିମ୍ବା ଶୁଭାକାଂକ୍ଷୀ କାହାରିକୁ ନ ଦେଖି; ମୁଁ ବାଧ୍ୟ ହୋଇ ଜନୈକ ଅପରିଚିତ ଲୋକକୁ ମୋର ରାସ୍ତା ବତାଇବାକୁ କହିଲି । ସେ ମତେ ଶର (Arrow) ଚିହ୍ନିତ ରାସ୍ତାରେ କୌଣସି ବ୍ୟତିକ୍ରମ ନ କରି ଯିବାକୁ କହିଲା । ମୁଁ ତା’ କଥାକୁ ମାନି କଡ଼ରେ ଦର୍ଶାଯାଇଥିବା ତୀର-ଚିହ୍ନକୁ ଦେଖି ଦେଖି ନିଃସନ୍ଦେହରେ ଚାଲିଲି । ତୀରଗୁଡ଼ିକ ଏକମୁହାଁ ହୋଇ ଉତ୍ତର ଦିଗ ଆଡ଼କୁ ରହିଥାଏ । କିନ୍ତୁ ହଠାତ୍ ମୁଁ ଦେଖିଲି ଯେ ଗୋଟିଏ ଖମ୍ବର ତୀର ବିପରୀତମୁଖୀ ହୋଇଛି । ଅର୍ଥାତ୍ ଦକ୍ଷିଣ ଦିଗକୁ ଦର୍ଶାଉଛି । ଅବଶ୍ୟ ଏହା ପରେ ପରେ ପୁଣି ସବୁ ତୀରଗୁଡ଼ିକ ଉତ୍ତର ଦିଗ ଆଡ଼କୁ ନିର୍ଦ୍ଦେଶ ଦେଉଛନ୍ତି ।) ଏହି ପରିସ୍ଥିତିରେ ମୁଁ ନିଷ୍ପତ୍ତି ନେଲି ଯେ ଏହି ବ୍ୟତିକ୍ରମ ଥିବା ତୀର ମୁଁ ଅତିକ୍ରମ କରିବା ବିଜ୍ଞତାର କାର୍ଯ୍ୟ ଦେବ ନାହିଁ-। ତେଣୁ ବାଧ୍ୟ ହୋଇ ଆଖପାଖରେ ମତେ ସରଳ ଆବର୍ତ୍ତୀ ଗତି (Simple Harmonic Motion) କରିବାକୁ ପଡ଼ିବ–ସେମିତିକି ରାତିରେ ଘରର ଜଗୁଆଳମାନେ ଫାଟକ ପାଖରେ ବାମରୁ ଡାହାଣରୁ, ଡାହାଣରୁ ବାମକୁ ପଦଚାଳନା କରିଥା’ନ୍ତି; କିମ୍ବା କାନ୍ଥ ଘଡ଼ିର ଦୋଳକ (ପେଣ୍ଡୁଲାମ୍) ଏପଟ ସେପଟ ହୋଇ ହଲୁଥାଏ । ମୋର ଅବିରତ ପଦଚାଳନା ଚାଲିଥିବା ବେଳେ ମୁଁ ଲକ୍ଷ୍ୟ ରଖିଥାଏ ଯେ, ଏହି ଅଞ୍ଚଳରେ କେହି ସୁଧା ଯାତାୟତ କରୁ ନାହାନ୍ତି । କ୍ରମେ କ୍ରମେ ମୋ, ପାଦ ଥକି ଯିବାରୁ ମୋର ବିଶ୍ରାମ ନେବାକୁ ଇଚ୍ଛା ହେଲା । କିନ୍ତୁ ଧରା ପଡ଼ିଯିବା ଭୟ ମନରେ ଜମାଟ ବାନ୍ଧିଥିବାରୁ ମୁଁ ଚଳନ୍ତି ଦୋଳକ ପରି ଚାଲୁଥାଏ । ଏମିତି ସମୟରେ ଖାକି ପୋଷାକ ପିନ୍ଧି ଗୋଟାଏ ଦରବୁଢ଼ା ଲୋକ ମୁଣିରେ କିଛି ଜିନିଷ ପତ୍ର ଧରି ମୋ ଆଡ଼କୁ ଆସିଲା । ତା’ପରେ ଯେଉଁ ତୀରଟି ଦକ୍ଷିଣ ଦିଗକୁ ଦର୍ଶାଇଥିଲା, ତାହା ସ୍କୂ-ଡ୍ରାଏଭର୍‍ ରେ ଖୋଲିଲା ଓ ତରବରରେ ଏତେଗୁଡ଼ାଏ ତୀର ଭିଡ଼ୁ ଭିଡ଼ୁ ଏହି ଗୋଟାଏ ଭୁଲ୍ ହୋଇଯାଇଛି ବୋଲି ମନକୁମନ କହି, ତୀରଟିକୁ ଉତ୍ତର ଦିଗକୁ ବୁଲାଇ ପୁଣି ସ୍କୃରେ ଜୋରରେ ଭିଡ଼ିଦେଲା । ସେତେବେଳେ ମୁଁ ଭାବିଲି ଯେ ଏହି ଲୋକଟିର ଭୁଲ୍ ଯୋଗୁଁ ମତେ ଏତେ ସମୟ ଏଠାରେ ସରଳ ଆବର୍ତ୍ତୀଗତି ଦ୍ଵାରା ଅଟକିବାକୁ ପଡ଼ିଲା । ଅବଶ୍ୟ ସେହି ଲୋକଟି ଯେତେବେଳେ ମତେ କ୍ଷମା ମାଗିଲା, ମୁଁ ଦୁଃଖିତ ନ ହୋଇ କହିଲି, ‘ଏହା ଦ୍ୱାରା ତମେ ମୋର ବିଶେଷ କିଛି ଅସୁବିଧା କରି ନାହଁ । କିମ୍ଵା ଏହା ମୋର ଜୀବନରେ ସେମିତି କିଛି ବିଚିତ୍ର ନୁହେଁ । ପ୍ରମୋଶନ୍ ବେଳେ ମୋର ଗୁପ୍ତ ଚରିତ୍ର ପଞ୍ଜିକା (ସି. ସି. ଆର) କୁ ବାଗେଇ ‘ଭଲ, କରିବା ପାଇଁ ମୁଁ' କେତେଥର ଆମ ଘର ଠାରୁ ଉପରେ ଅଫିସରଙ୍କ ଘର ଯାଏଁ ବାବୁଙ୍କର ମନ ପାଇବା ପରି ବିଭିନ୍ନ ପ୍ରକାର ଭେଟି ଧରି ଏମିତି ସରଳ–ଆବର୍ତ୍ତୀ–ଗତି କରିଛି । ଏ ସବୁତ ମୋର ଗୋଟିଏ ଅଭ୍ୟାସରେ ପଡ଼ି ଯାଇଛି ।”

 

“ଏହି ଲୋକଟି ଚାଲିଯିବା ପରେ ମୁଁ ଆଗକୁ ମାଡ଼ି ଯିବାରେ କୌଣସି ଅସୁବିଧା ହୋଇ ନଥିଲା କାରଣ ବର୍ତ୍ତମାନ ଠାରୁ ସବୁ ତୀରଗୁଡ଼ିକ ଏକ ଦିଗାଭିମୁଖୀ । କିନ୍ତୁ ମୁଁ ଯିବା ସମୟରେ କାହାରିକୁ ଦେଖି ପାରୁ ନ ଥିବା ଯୋଗୁଁ ମତେ ଖରାପ ଲାଗୁଥାଏ ଏବଂ ମନରେ ସନ୍ଦେହ ଓ ଭୟ ହେଉଥାଏ ଯେ, ଏହା ହୁଏତ ଶ୍ମଶାନକୁ ରାସ୍ତା ହୋଇଥିବ । ଏମିତି ସମୟରେ ମୋ ପାର୍ଶ୍ଵସ୍ଥ ଏକ ବଖରାରୁ କୋଳାହଳ ଶୁଣି ସେ ଭିତରକୁ ପଶିଗଲି । ସେଠାରେ ଦେଖିଲି ଯେ ଗୋଟିଏ ସିଡ଼ି ନିକଟରେ ବହୁତ ଲୋକ ରହିଛନ୍ତି । କାନ୍ଥରେ ‘କ୍ୟୁରେ ଠିଆ ହୁଅନ୍ତୁ’–ବୋଲି ନିର୍ଦ୍ଦେଶ ଦିଆଯାଇଛି-। ପୋଲିସ୍ ଲାଠି ଧରି କ୍ୟୁର ସୁରକ୍ଷା କରୁଥାଏ । ତଥାପି ଅପେକ୍ଷା କରିଥିବା ଲୋକମାନେ ଠେଲା ପେଲା ହୋଇ ଆଗକୁ ଯିବା ପାଇଁ ଓ ସିଡ଼ିରେ ଶୀଘ୍ର ଚଢ଼ିବା ପାଇଁ ଚେଷ୍ଟା କରୁଥାନ୍ତି । ଏହି ନିୟମ ଭଙ୍ଗକାରୀମାନଙ୍କ ମଧ୍ୟରୁ ପୋଲିସ୍ କାହାରିକୁ କିଛି କହୁ ନ ଥାଏ । କିନ୍ତୁ ଅନ୍ୟ କାହାରିକୁ ଟେକି ଟେକି ନେଇଯାଏ–ସେମାନଙ୍କ ନାମରେ ମକଦ୍ଦମା ମଧ୍ୟ ରୁଜୁ କରେ । ଏହି ସବୁ ଦେଖି ମୁଁ ଭାବିଲି ଯେ ଏଠାରେ ମଧ୍ୟ ପକ୍ଷପାତୀ-ନୀତି ବେଶ୍ ଚାଲେ । ଏଥି ପ୍ରତି ମୋ ମନରେ ଘୋର ବିତୃଷ୍ଣା ଜାତ ହେଲା ଓ ମୁଁ ଠେଲା ପେଲାରେ ଯୋଗ ଦେବି ନାହିଁ ବୋଲି ସଂକଳ୍ପ କରି, ଭିଡ଼କୁ ଏଡ଼ାଇ, ସେହି ହଲ୍‌ରେ ଅନ୍ୟ ଗୋଟିଏ ଜାଗାକୁ ଚାଲିଗଲି । ସେଠାରେ ଦେଖିଲି ଯେ ନଡ଼ିଆକତାର ଗୋଟିଏ ଲମ୍ବା ଦଉଡ଼ି ଛାତରୁ ଝୁଲୁଛି । ଦଉଡ଼ିଟି ବିଶେଷ ଶକ୍ତ ପରି ମତେ ଜଣା ପଡ଼ିଲା ନାହିଁ । ପୁଣି ତାହା ବିଭିନ୍ନ ସ୍ଥାନରେ ଯୋଡ଼ା ହୋଇଥିବା, ଯୋଗୁଁ ସେଥିରେ ବହୁତ ଗଣ୍ଠି ପଡ଼ିଛି । ତଥାପି ଦୁଇ ଜଣ ଲୋକ ଦଉଡ଼ିଟି ସାହାଯ୍ୟରେ ଉପରକୁ ଉଠିବାରେ ଲାଗିଛନ୍ତି । ମୁଁ ପରେ ଜାଣିବାକୁ ପାଇଲି ଯେ ଏ ଦୁହେଁ ବାଲ୍ୟକାଳରୁ ଘନିଷ୍ଠ ବନ୍ଧୁ । ମୁଁ ନିଜ ଆଖିରେ ଦେଖିଲି ଯେ ଚଢ଼ୁଥିବା ବେଳେ ତଳର ଲୋକଟି ତା’ର ଉପରର ବନ୍ଧୁର ପାଦ ତଳକୁ କୁତୁ କୁତୁ କଲା । ଉପର ଲୋକଟି ଗେଲ ଗମାତ ବୋଲି ଭାବି ଭାବି ପ୍ରଥମେ ପ୍ରଥମେ ହସିଲା । ତା’ପରେ କୁତୁ କୁତୁ ଅବ୍ୟାହତ ଥିବା ଯୋଗୁଁ ପାଦ ଦୁଇଟି ଲୋଚା କରୁଥାଏ; ସମୟେ ସମୟେ ଅସଂଯତ ହୋଇ ତା’ର ଗୋଟିଏ ପାଦର ଆଙ୍ଗୁଠି-ସନ୍ଧିରୁ ଦଉଡ଼ି ବାହାରି ଯାଉଥାଏ । ତଥାପି ତଳେଥିବା ବନ୍ଧୁ ତାକୁ ଉତ୍ତେଜିତ କରି ହସାଉ ଥାଏ । ଏହି ଅବସ୍ଥାରେ ଉପରର ଲୋକଟି ଆଉ ନିଜକୁ ସମ୍ଭାଳି ନ ପାରି ମୁହଁ ମାଡ଼ି ତଳେ ପଡ଼ିଗଲା । ତା’ର ଓଠ, ଆଣ୍ଠୁ ଓ କହୁଣୀ ଫାଟି ରକ୍ତ ବହିଲା ଓ ସେ ଚିତ୍କାର କଲା-। ତଥାପି ଯିଏ ତାକୁ କୁତୁ କୁତୁ କରି ଖସାଇଥିଲା ଓ ବର୍ତ୍ତମାନ ଏକ ନିଶ୍ଵାସରେ ଉପରକୁ ଚଢ଼ି ଚାଲିଛି, ତାର ଆହତ ବନ୍ଧୁ ପ୍ରତି କରୁଣା-ଦୃଷ୍ଟି ଦେଉନାହିଁ–ସାହାଯ୍ୟ କରିବା ତ ଦୂରର କଥା । ସେ ବର୍ତ୍ତମାନ ଖୁସି ଯେ ଏଣିକି ସେ ନିରଙ୍କୁଶ ହୋଇଗଲା । ଆଖପାଖର କେହି ମଧ୍ୟ ଲୋକଟିକୁ ସହାନୁଭୂତି ଜଣାଉ ନାହାନ୍ତି । ଏମିତିକି ମୁଁ ମଧ୍ୟ ଏହି କରୁଣ ଦୃଶ୍ୟରେ ବିଚଳିତ ହୋଇ ନଥିଲି କାରଣ ମୁଁ ଜାଣେ ଯେ, ବନ୍ଧୁ ବିରୁଦ୍ଧରେ ବନ୍ଧୁର ଷଡ଼ଯନ୍ତ୍ର ଓ ବିଶ୍ଵାସଘାତକତା ଗୋଟିଏ ମାମୁଲି ଘଟଣା ହୋଇଯାଇଛି–ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀକୁ ଗାଦିରୁ ହଟାଇ ଦେଉଛି; ଭାଇ ତା’ର ଅନ୍ୟ ଭାଇକୁ ହାତକଡ଼ି ପିନ୍ଧାଇ ଜେଲକୁ ପଠାଇବା ପାଇଁ ମିଥ୍ୟା କେଶ୍ ଆରମ୍ଭ କରୁଛି ।

 

“ତା’ପରେ ସେ ଘରୁ ମୁଁ ଶୀଘ୍ର ପଦାକୁ ଚାଲିଗଲି । କିଛି ଦୂର ଯିବା ପରେ ଗୋଟିଏ ସୁନ୍ଦର ମୋଜାକ୍ ବାରଣ୍ଡାରେ ପହଞ୍ଚିଲି । ସେଠାରେ ଗୋଟିଏ ରୁମ ଥାଏ । ମୁଁ ଲକ୍ଷ୍ୟ କଲି ଯେ ଯଦି ସେହି ରୁମ୍ ଭିତରକୁ କେହି ଯାଏ, ତାହାହେଲେ ଦ୍ଵାରବନ୍ଧରେ ଲାଗିଥିବା ନାଲି ବିଦ୍ୟୁତ୍‌–ଆଲୋକବତୀଟି ଜଳି ଉଠେ; ଲୋକଟି ରୁମ୍‌ରୁ ଚାଲି ଆସିଲେ ନାଲି ବତୀଟି ଲିଭି ଯାଇ, ଶାଗୁଆ ବତୀଟି ଆପେ ଆପେ ଜଳି ଉଠେ । ଗୋଟିଏ ବୈଦ୍ୟୁତିକ କୌଶଳ ଯୋଗୁଁ ଏମିତି ହୁଏ । ତାହା ହଉଛି, ଯେକୌଣସି ଲୋକ ଯିବାବେଳେ ଗୋଟିଏ ନିର୍ଦ୍ଦିଷ୍ଟ ବାଟରେ ଯାଇ ଅନ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ରାସ୍ତାରେ ରୁମ୍‌ରୁ ବାହାରେ । ଉକ୍ତ ଆଗମନ ଓ ପ୍ରସ୍ଥାନ ଜାଗା ମାନଙ୍କର ପାଦପୋଛା କାର୍ପେଟ୍ ତଳେ ଏହି ବତୀମାନଙ୍କର ସୁଇଚ୍‌ ଲୁକାୟିତ ଭାବେ ରଖାଯାଇଥାଏ । କିଛି ସମୟ ସେହି ରୁମ୍ ବାହାରେ ରହି ମୁଁ ଅନୁଧ୍ୟାନ କରି ଜାଣି ପାରିଲି ଯେ ରୁମ୍ ଭିତରେ ଅଫିସର୍ ନାହାନ୍ତି । ସେତେବେଳେ ମତେ ଜୋରରେ ପରିସ୍ରା ମାଡ଼ୁଥାଏ । କିନ୍ତୁ; ଏହି ଆଖ ପାଖରେ ‘ପରିସ୍ରା କରିବା ନିଷିଦ୍ଧ' ବୋଲି କାନ୍ଥ ବାଡ଼ରେ ଲେଖାଯାଇଥାଏ । ବୋଧହୁଏ ଏଠାରେ କୁକୁର ପରି ଲୋକମାନେ କାନ୍ଥ ଉପରକୁ ଗୋଡ଼ ଟେକି ପରିସ୍ରା କରୁଥିବାରୁ ଏମିତି ସତର୍କବାଣୀ ଦିଆଯାଇଛି । ସେ ଯାହାହେଉ, ମୁଁ ଏଠାକୁ ନୂଆରେ ଆସିଛି, ତେଣୁ ସେହି ସତର୍କବାଣୀକୁ ଅବମାନନା କରିବାକୁ ମୋର ସାହସ ହେଲା ନାହିଁ । ସେତେବେଳେ ଭାବିଲି ଯେ ବାବୁ ତ ଅଫିସ୍ ରୁମ୍ ରେ ନାହାନ୍ତି । ତେଣୁ ତାଙ୍କ ଟଏଲଟ୍ ବ୍ୟବହାର କରିବି, ପୁଣି ମୋ ପୂର୍ବ ଅନୁଭୂତିରୁ ମୁଁ ଜାଣେ ଯେ ଅନେକ ମୋଟା ଦରମାବାଲାମାନେ ଅଫିସ୍‌କୁ ବିଳମ୍ବରେ ଆସନ୍ତି ଓ ଶୀଘ୍ର ଚାଲିଯା’ନ୍ତି । ଅବଶ୍ୟ କଥା ପଡ଼ିଲେ କହନ୍ତି ଯେ ଆମେ Surprise Visit ରେ ଇନ୍‌ସ୍‌ପେକସନ୍‌ କରିବାକୁ ଯାଇଥିଲୁ–ତେଣୁ ପୂର୍ବରୁ ଏହି ସମ୍ପର୍କରେ କାହାରିକୁ ସୂଚନା ଦେବା କୁଆଡ଼େ Definition–ବିରୁଦ୍ଧ ! କିମ୍ବା ଆମ ବାସଗୃହ ହେଉଛି ରେସିଡ଼େନ୍‌ସ୍-କମ୍ ଅଫିସ୍ ଇତ୍ୟାଦି । ଯାହାହେଉ, ଏହି ଚାରି ଅଙ୍କ ବିଶିଷ୍ଟ ଦରମା ପାଉଥିବା ବାବୁଙ୍କ ରୁମ୍ ସହିତ ଶୌଚାଗାର ସଂଶ୍ଳିଷ୍ଟ ହୋଇଥିବ ବୋଲି ମୁଁ ସାଧାରଣ ଜ୍ଞାନରୁ ଜାଣି ତାଙ୍କ ରୁମ୍ ଭିତରକୁ ଚାଲିଗଲି । ସେଠାରେ ମୁଁ ଶୌଚାଗାରାର ପରିଷ୍କାର ପରିଚ୍ଛନ୍ନତା ଦେଖି ବଡ଼ ପ୍ରୀତ ହେଲି । ପ୍ରକୃତରେ “ଗାଁ ନିର୍ମଳ ଯେମିତି ଧୋବା-ତୁଠରୁ ଜଣାପଡ଼େ, ସେମିତି ଅଫିସ୍-ଗୃହର ନିର୍ମଳ ତା’ର ଶୌଚାଗାରରୁ ଜଣାପଡ଼େ । (ଅବଶ୍ୟ ଏଥିପାଇଁ ବର୍ତ୍ତମାନ ମୁଁ ଯେମିତି ଜନୈକ ପଦାଧିକାରୀଙ୍କ ଅଫିସ୍ ରୁମ୍ ସହିତ ସଂଲଗ୍ନ ଶୌଚାଗାର ଦେଖୁଛି, ସେମିତି ନ ଦେଖି, ସେହି ଅଫିସ୍‌ରେ ଥିବା ସର୍ବସାଧାରଣ ଶୌଚାଗାର ଦେଖିବାକୁ ପଡ଼ିବ । ) ଦୁର୍ଭାଗ୍ୟବଶତଃ ମୁଁ ସେଠାରେ ପହଞ୍ଚିବାର ଅଳ୍ପ ସମୟ ମଧ୍ୟରେ ବାବୁଙ୍କ ଫୋନ୍‌ରୁ ବାରମ୍ଵାର କ୍ରିଂ କ୍ରିଂ ଶବ୍ଦ ହେଲ । ମୁଁ ଏହି ଜଞ୍ଜାଳରୁ ରକ୍ଷା ପାଇବା ପାଇଁ ଫୋନ୍ ଉଠାଇଲି ଓ ଶୁଣିଲି, ‘କିଏ ସେ ?’ ଏହି ପ୍ରଶ୍ନର କ’ଣ ଉତ୍ତର ଦେବି ମୁଁ ହଠାତ୍ ସ୍ଥିର କରି ନପାରି ବଡ଼ ଅଡ଼ୁଆରେ ପଡ଼ିଲି, ନିଜର ପରିଚୟ ଦେଲେ ବଡ଼ ଅସୁବିଧାରେ ପଡ଼ିବି । ତେଣୁ ମୁଁ ଓଲଟା ପ୍ରଶ୍ନକଲି, ‘ଆଜ୍ଞା ! ଆପଣ କିଏ ଫୋନ୍ କରୁଛନ୍ତି ?’ ସେ ସାମାନ୍ୟ ରୁକ୍ଷ ଭାବେ ଉତ୍ତର ଦେଲେ, ‘ମୁଁ ବି ଗୁରୁ ।’ ମୁଁ ଭଲ ଭାବେ ଶୁଣି ପାରିଲି ନାହିଁ କିମ୍ବା ଶୁଣିଲେ ମଧ୍ୟ ବୁଝି ପାରିଲି ନାହଁ । ତେଣୁ ପୁଣି ଥରେ ଜୋରରେ ପଚାରିଲି, ‘ଆଜ୍ଞା, ଗୁରୁ ବୋଲି କହିଲେ କି.....କେଉଁ ଗୁରୁ ? ବର୍ତ୍ତମାନ ସେ ଅଧିକ ବିରକ୍ତ ହୋଇ କହିଲେ, ‘ବି ଗୁରୁ । ଡେପୁଟି ଡାଇରେକଟର ।’ ପଚାରିଲି, ‘ଆଜ୍ଞା, ବର୍ତ୍ତମାନ ଠିକ୍ ଶୁଣି ପାରିଲି । ଆପଣ ହେଉଛନ୍ତି ଜୈନିକ ବି ଗୁରୁ, ଡେପୁଟି ଡାଇରେକ୍ଟର । ଆଚ୍ଛା; ଆପଣ ଏହି ଅଫିସ୍‌ର ଅଫିସର୍‌ଙ୍କ ସହିତ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ତ ? ସେ ବର୍ତ୍ତମାନ ଏଠାରେ ନାହାନ୍ତି । Surprise visit ରେ ଯାଇଛନ୍ତି କିମ୍ବା ରେସିଡ଼େନ୍‌ସ-କମ ଅଫିସ୍‌ରେ ଅଛନ୍ତି ।’ ମୁଁ ଏହା କହିବା ବେଳେ ମୋର ଅଜ୍ଞାତସାରରେ ଗୋଟିଏ ମସ୍ତବଡ଼ ଭୁଲ କରି ପକାଇଛି ବୋଲି ମୁଁ ଜାଣି ନଥିଲି କାରଣ ବର୍ତ୍ତମାନ ଯେଉଁ ଡେପୁଟି ଡାଇରେକ୍ଟର୍ କି ଗୁରୁ ମହାଶୟ ମତେ ଫୋନ୍ କରୁଛନ୍ତି, ସେ ନିଜେ ଏହି ଅଫିସରେ ଅଫିସର୍ । ତେଣୁ ମୁଁ ଯେତେବେଳେ ଉପରୋକ୍ତ ପ୍ରଶ୍ନଟି ପଚାରିଲି । ସେ ଅତି ସହଜରେ ବୁଝି ପାରିଥିବେ ଯେ ମୁଁ କେହି ଜଣେ ଅନ୍ୟ ଆଡ଼ର ଲୋକ । ବାସ୍ତବିକ ବର୍ତ୍ତମାନ ସେ ଅତି ବିସ୍ମିତ ହୋଇ ମତେ ପ୍ରଶ୍ନ କଲେ, ‘ତମେ ଡେପୁଟି ଡାଇରେକ୍ଟର ବି ଗୁରୁଙ୍କ ଅଫିସରୁ ଫୋନ୍ କରୁଛ; ଅଥଚ ବି ଗୁରୁଙ୍କୁ ବି ଗୁରୁଙ୍କ ସହିତ ସାକ୍ଷାତ କରିବେ କି ? –ବୋଲି ପ୍ରଶ୍ନ କରୁଛ । ଏହା ବଡ଼ ଆଶ୍ଚର୍ଯ୍ୟର କଥା । ତମର ପରିଚୟ କ’ଣ ?’ ଏହି ତୀକ୍ଷଣ୍ ପ୍ରଶ୍ନଟି ଶୁଣିବା କ୍ଷଣି ମୋର ସର୍ବାଙ୍ଗ ଶରୀର ଭୟରେ ଘନ ଘନ କମ୍ପିଲା । ଫୋନ୍ ଉପରେ ହାତ ଦେବାବେଳେ ଏମିତି ଗୁରୁତର ପରିସ୍ଥିତି ଉପୁଜିବ ବୋଲି ମୁଁ ଭାବି ନ ଥିଲି । ଦୁଃଖର ବିଷୟ ସେ ମୋର ଦୁର୍ଭାଗ୍ୟକୁ ସାମାନ୍ୟ ମୂଷାଗାତ ସାପ-ଗାତ ପରି ଦେଲା । ମୁଁ ଆଉ ସିଧାସଳଖ ଭାବେ ଠିଆ ହୋଇ ପାରିଲି ନାହିଁ । ମୋ ଠାରୁ ତୁରନ୍ତ କୌଣସି ଉତ୍ତର ନପାଇ ଡେପୁଟି ଡାଇରେକ୍ଟର ପୁଣି ଥରେ ପଚାରିଲେ. କ’ଣ କିଛି ଉତ୍ତର ମିଳୁ ନାହିଁ ? ଆଶ୍ଚର୍ଯ୍ୟ: ଏହି ରହସ୍ୟ ଭେଦ କରିବାକୁ ହେବ ।’ ସେ ଆଉ କ’ଣ କହୁଥିଲେ, ତାହା ଶୁଣିବାକୁ ମୋର ଆଉ ସାହସ ନାହିଁ । ମୋ ହାତରୁ ଫୋନ ଆପେ ଆପେ ତଳକୁ ଖସିଗଲା । ମୁଁ ଗୋଟିଏ ଲୁଚା ଚୋରା ଉଦ୍ଦେଶ୍ୟ ନେଇ ସେହି ଅଫିସ୍‌ ରୁମ୍‌ରେ ପଶିଥିବା ଯୋଗୁଁ ସେଠାରେ ଆଉ ରହିବାକୁ ମୋର ସତ ସାହସ ହେଲା ନାହିଁ । ମୁଁ ଆଖି ବୁଜି ସେ ରୁମ୍‌ର ପଦାକୁ ଦୌଡ଼ି ଆସୁଥିବା ବେଳେ ବାବୁଙ୍କ ଟେବୁଲ ଉପରେ ଜମା ଥିବା ତିନି ଫୁଟ ଉଚ୍ଚର ଫାଇଲ୍‌ଗଦା ଉପରେ ମୋ କହୁଣୀ ଜୋରରେ ଧକ୍‌କା ହେଲା । ସେତେବେଳେ ଡେପୁଟି ଡାଇରେକ୍ଟରଙ୍କ ପି.ଏ. (ଯିଏକି ବର୍ତ୍ତମାନ ସବୁ ଅଫିସ୍‌ ଛାଡ଼ି ଚାଲିଯିବ ପରେ ତାଙ୍କର ଚାକିରିରେ ବଦଳି ଓ ପ୍ରମୋଶନ ସମ୍ପର୍କରେ ଗୋଟିଏ ଚିଠି Express Delivery ଦ୍ଵାରା ପଠାଇବା ପାଇଁ ନିକଟସ୍ଥ ପୋଷ୍ଟ ଅଫିସ୍ ମାଡ଼ିଥିଲେ ।) ବାହାରପଟୁ ଆସୁଥିଲେ ଓ ବର୍ତ୍ତମାନ ମତେ ଅଫିସରୁମରୁ ଦୌଡ଼ି ଦୌଡ଼ି ଯାଉଥିବାର ଦେଖି ଡାକିଲେ । କିନ୍ତୁ ମୁଁ ତ ସେତେବେଳେ ଚିହ୍ନା ଅଚିହ୍ନା ଜୀବ-ନିର୍ଜୀବ ସମସ୍ତଙ୍କୁ ଭୟ ଯୋଗୁଁ ସନ୍ଦେହ କରୁଥିଲି । ତେଣୁ ତାଙ୍କ ପାଖରୁ ଦୂରେଇ ଯାଉ ଯାଉ ଉତ୍ତର ଦେଲି, ‘ଆଜ୍ଞା ! ମୁଁ ସେମିତି କିଛି ଦୋଷ କରିନାହିଁ । କେବଳ ଦୁର୍ଘଟଣାବଶତଃ ଫାଇଲ୍‌ଗୁଡ଼ିକ ତଳେ ପଡ଼ିଗଲା, ଆପଣ ଅଫିସ୍, ଭିତରକୁ ଗଲେ ଏହା ଅବଶ୍ୟ ଦେଖିବେ । ଦେଖିଲେ ସୁଦ୍ଧା ମୋ ଉପରେ ବିଗିଡ଼ିବାର କୌଣସି କାରଣ ନାହିଁ । ଅବଶ୍ୟ ମୁଁ ମାନୁଛି ଯେ ଫାଇଲ୍‌ଗୁଡ଼ିକ ବିଭିନ୍ନ ଥାକରେ-‘ଅରଜେଣ୍ଟ’, ‘ଅର୍ଡିନାରି’ ଇତ୍ୟାଦି-ରଖାଯାଇଥିଲା । ବର୍ତ୍ତମାନ ସବୁଗୁଡ଼ିକ ତଳେ ପଡ଼ି ମିଶାମିଶି ହୋଇଗଲା । ମୁଁ ଅର୍‌ଜେଣ୍ଟକୁ ଅର୍ଡିନାରିଠାରୁ ପୃଥକ୍ କରିବାକୁ ସମୟ ପାଇଲି ନାହିଁ । ଅବଶ୍ୟ ଏମିତ ପୃଥକୀକରଣ ଆବଶ୍ୟକ ନୁହେଁ କାରଣ ଆମ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ପରେ ସଙ୍ଗେ ସଙ୍ଗେ ବାକିଆ କାମ ଫଇସଲା କରିବାକୁ ସବୁ ପଦାଧିକାରୀ ପାଖକୁ ନିର୍ଦ୍ଦେଶ ଆସିଥିବା ଯୋଗୁଁ ଡେପୁଟି ଡାଇରେକ୍‌ଟର ବାବୁ ଅର୍‌ଜେଣ୍ଟ ଓ ଅର୍ଡ଼ିନାରି ମଧ୍ୟରେ ଆଉ କୌଣସି ତଫାତ୍‌ ଦେଖିବେ ନାହିଁ ।’ ଇତ୍ୟବସରରେ ପି.ଏ ବାରମ୍ବାର ଅଫିସ୍ ରୁମର ଭିତରୁ ବାହାରକୁ ଓ ବାହାରୁ ଭିତରକୁ, ମତେ ଓ ମୋର କାଣ୍ଡ କାରଖାନାକୁ ଲକ୍ଷ୍ୟ କରିବା ପାଇଁ, ଯାତାୟାତ କରୁଥିବା ଯୋଗୁଁ ସେହି ଅଫିସ୍‌ର ଦ୍ଵାରବନ୍ଧରେ ଥିବା ନାଲି ଓ ଶାଗୁଆ ବତୀ ଦୁଇଟି ଥରକୁ ଥର ଜଳୁଥାଏ ଓ ଲିଭୁଥାଏ । ପରିଶେଷରେ ସେହି ପି.ଏ. ଏତେ ଜୋରରେ ଯାତାୟାତ କଲେ ଯେ ଏହି ବତୀ ଦୁଇଟି କ୍ଷିପ୍ରଭାବେ ଜଳିଲା, ଲିଭିଲା । ଫଳରେ ନାଲି ଓ ଶାଗୁଆ ବର୍ଣ୍ଣ ମଧ୍ୟରେ ତଫାତ୍‌ ଜାଣିବା ମୋ ପକ୍ଷରେ ବଡ଼ କଷ୍ଟକର ହେଲା । ମୁଁ ବିପଦ ଓ ନିରାପଦ ମଧ୍ୟରେ ଫରକ ଜାଣି ନ ପାରି ଶେଷରେ ଆଖି ମନ୍ଥି ମନ୍ଥି ସେଠାରୁ ବିଦାୟ ନେଲି ।

 

“କିଛି ସମୟ ପରେ ହୋ ହା ପାଟି ତୁଣ୍ଡ ଶୁଣି ରାସ୍ତା କଡ଼ର ଅନ୍ୟ ଗୋଟିଏ ରୁମ୍‌କୁ ଗଲି ! ସେଠାରେ କେତେଗୁଡ଼ାଏ କାଉଣ୍ଟର ଥିଲା ଓ ପ୍ରତି କାଉଣ୍ଟର୍ ପାଖରେ ଲୋକେ ଦଳ ଦଳ ହୋଇ କ୍ୟୁରେ ଠିଆ ହୋଇଥା’ନ୍ତି । ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଗେଟ୍-ପାଶ କରିବା ପାଶ୍ ଗାର୍ଡ଼କୁ ଦେଖାଇଲେ ହିଁ ସେମାନେ ସେହି ଘର ଭିତରକୁ ଯାଇ ପାରିବେ । ମୁଁ ଲକ୍ଷ୍ୟ କଲି ଯେ ପ୍ରତ୍ୟେକ କାଉଣ୍ଡର୍ ଉପରେ ସାଇନ୍-ବୋର୍ଡ଼ରେ ଭିନ୍ନ ଭିନ୍ନ ନାମ ଲେଖା ଯାଇଛି । ଯଥା: ରାଜସ୍ୱ ବିଭାଗ, ଶିକ୍ଷା ବିଭାଗ, ମତ୍ସ୍ୟ ଓ ପଶୁପାଳନ ବିଭାଗ, ଜଳସେଚନ ଓ ବିଦ୍ୟୁତ ବିଭାଗ ଇତ୍ୟାଦି । ସେଠାରେ ଲୋକମାନେ ପାଶ୍ ପାଇଁ ଏତେ ଠେଲା ପେଲା ହେଉଥା’ନ୍ତି ଯେ ମୁଁ କୌତୂହଳକୁ ଚାପି ନ ପାରି ଭାବିଲି ଯେ–ମୁଁ ମଧ୍ୟ ଗୋଟିଏ ପାଶ୍ କରି ସେ ରୁମ୍ ଭିତରକୁ ଯିବି । କିନ୍ତୁ କ’ଣ କାରଣ ଲେଖି ପାଶ୍ ପାଇଁ ଦରଖାସ୍ତ କରିବି ତାହା ସ୍ଥିର କରି ପାରିଲି ନାହିଁ । ପୁଣି ମତେ ଏମିତି ଗୋଟିଏ କାରଣ ଲେଖିବାକୁ ପଡ଼ିବ ଯେ ମତେ ନିଶ୍ଚିତ ଭାବେ ପାଶ୍ ମିଳିବ । ପ୍ରଥମେ ଭାବିଲି ଯେ ମୁଁ ଲେଖିବି–ମୁଁ ଛାତ୍ର ଥିବା ବେଳେ ସରକାରଙ୍କଠାରୁ ଋଣ ନେଇଥିଲି ଏବଂ ବର୍ତ୍ତମାନ ତାହା ପରିଶୋଧ କରିବା ସମ୍ପର୍କରେ ସଂପୃକ୍ତ ପଦାଧିକାରୀଙ୍କ ସହିତ ସାକ୍ଷାତ କରିବି । ମୁଁ ଭଲଭାବେ ଜାଣେ ଯେ, ସରକାର ଯେତେ ଦୟାଶୀଳ ଓ କ୍ଷମାଶୀଳ ହୁଅନ୍ତୁ ନା କାହିଁକି, ବାକି ଟଙ୍କା ଅସୁଲ କରିବା ବେଳେ ସେ ପୂର୍ବକାଳର ସାହୁକାର ପରି ସଦା ତତ୍ପର । ମୁଁ ଦେଖିଲି ଯେ ଏଥିପାଇଁ ଶିକ୍ଷା ବିଭାଗ-କାଉଣ୍ଟର୍‌ର କ୍ୟୁରେ ଠିଆ ହେବାକୁ ପଡ଼ିବ । ଏହି କ୍ୟୁଟି ଭୀଷଣ ଭାବେ ଲମ୍ବା; ପୁଣି ଅନ୍ୟ ବିଭାଗ ପାଇଁ ପାଶ ଦେବାକୁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ପାଇଁ ଅଧଘଣ୍ଟାଏ ସମୟ ଦିଆଯାଇଛି । ବୋଧହୁଏ ଶିକ୍ଷା ବିଭାଗର କାହାର କୌଣସି ଆପତ୍ତି ନାହିଁ (ଏହା ଶିକ୍ଷକମାନେ କରୁଥିବା ଧର୍ମଘଟ ଓ କାର୍ଯ୍ୟବନ୍ଦ ଆନ୍ଦୋଳନର ସଂଖ୍ୟାରୁ ବେଶ୍ ଭଲଭାବେ ଜଣା ପଡ଼ୁଛି); ବୋଲି ସେମାନଙ୍କୁ ସାକ୍ଷାତ ପାଇଁ ଏତେ କମ୍ ସମୟ ନିଧାର୍ଯ୍ୟ କରାଯାଇଛି । ଯାହାହେଉ, ଏହି ଶିକ୍ଷା ବିଭାଗର ଲମ୍ବା ଲାଇନ୍‌ରେ ଠିଆ ହେଲେ ମୁଁ ରିସେପସିନିଷ୍ଟ୍ ପାଖରେ ପହଞ୍ଚିବା ବେଳକୁ ଧାର୍ଯ୍ୟ କରିଯାଇଥିବା ଅଧଘଣ୍ଟାଏ ସମୟ ଅତିକ୍ରାନ୍ତ ହୋଇଯାଇଥିବ; ଫଳରେ ମତେ ପାଶ୍ ଦିଆଯିବ ନାହିଁ କେବଳ ଜଗିବା ହିଁ ସାର ହେବ । ଶେଷରେ ଆଖିବୁଜି ‘ସ୍ଵାସ୍ଥ୍ୟ ଓ ପରିବାର ନିୟୋଜନ ବିଭାଗ ପାଇଁ ଥିବା ଲାଇନ୍‌ରେ ଠିଆ ହେଲି । ଏହା ଅନ୍ୟ ଲାଇନ୍ ମାନଙ୍କ ତୁଳନାରେ ଛୋଟ । ତଥାପି ପ୍ରାୟ ଅଧ ଘଣ୍ଟାଏ ପରେ ମୋର ପାଶ୍ ପାଇଁ ପାଳି ଆସିଲା । ସେଠାରୁ ନୀତି ଅନୁସାରେ ମତେ ଗୋଟିଏ ସ୍ଲିପରେ ଆବଶ୍ୟକୀୟ ବିବରଣୀ ଲେଖି ଦରଖାସ୍ତ କରିବାକୁ ହେବ । ସେଥିରେ ମୋର ନାମ, କେଉଁ ଉଦ୍ଦେଶ୍ୟରେ କାହା ସହିତ ସାକ୍ଷାତ କରିବାକୁ ଚାହୁଁଛି ଇତ୍ୟାଦି ବିଷୟମାନ ରହିବ । ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । ସ୍ଵାସ୍ଥ୍ୟ ବିଭାଗର କୌଣସି ପଦାଧିକାରୀ ମୋର ପରିଚିତ ନ ଥିବାରୁ ବ୍ୟକ୍ତିଗତ କାରଣରୁ ମୁଁ ପାଶ୍ ପାଇବାର ଫାଇଦା ଉଠାଇ ପାରିବି ନାହଁ । ତେଣୁ ମତେ କିଛି ଗୋଟିଏ ଅଫିସ୍ କାରବାର ବିଷୟରେ ଲେଖିବାକୁ ହେବ । ଶେଷରେ ମୁଁ ଜଣେ ପଦସ୍ଥ ଅଫିସର୍‌ଙ୍କ ସହିତ ଆମ ଅଞ୍ଚଳର ପରିବାର-ନିୟୋଜନ-ଯୋଜନା ଉଦ୍‌ଘାଟନ ସମ୍ପର୍କରେ କଥା ହେବାକୁ ଚାହୁଁଛି ବୋଲି ଦରଖାସ୍ତରେ ଉଲ୍ଲେଖ କଲି । ଲେଡ଼ି ରିସେପ୍‌ସିନିଷ୍ଟଟି ମୋ କଥା ମାନି କେତେକ ଅଫିସରଙ୍କ ନିକଟକୁ ଫୋନ କଲା । କିନ୍ତୁ ସେମାନେ ଅନ୍ୟ ପରିଦର୍ଶକମାନଙ୍କ ସହିତ କଥାଭାଷାରେ ବ୍ୟସ୍ତ ଥିବା ଯୋଗୁଁ ହଠାତ୍ ମୋ ସହିତ ବାର୍ତ୍ତାଳାପ କରିପାରିବେ ନାହିଁ ବୋଲି ଜଣାଇଲେ । ଏହାଶୁଣି ମୁଁ ବଡ଼ ବ୍ୟସ୍ତ ହେଲି । ସେହି ପ୍ରତୀକ୍ଷାଳୟରେ ବହୁ ସମୟ ଧରି ଅକାରଣରେ ଜଗିବା ପାଇଁ ମୋର ଧୈର୍ଯ୍ୟ ନଥିଲା । ପ୍ରକୃତରେ ଫେମିଲି-ପ୍ଳାନିଂ ବିଭାଗର କୌଣସି ଅଫିସର୍‌ଙ୍କ ପାଖରେ ମୋର ସେମିତି କିଛି କାମ ନଥିଲା । ମୋର ଅଭିପ୍ରାୟ ହେଉଛି ଯେ ଏଠାରୁ କୌଣସି ଉପାୟରେ ଗେଟ୍‌ପାଶ୍‌ଟିଏ ନେଇ ସେ କୋଠା ଭିତରକୁ ଚାଲିଗଲେ, ମୁଁ ସ୍ୱେଚ୍ଛାରେ ଚାରିଆଡ଼େ ବୁଲାବୁଲି କରିବି । ତେଣୁ ଗୋଟିଏ ଉପାୟ ପାଞ୍ଚିଲି: ମୁଁ ଜାଣେ ଯେ ସମସ୍ତଙ୍କର ପଦ-ପଦବୀକୁ ଯଥେଷ୍ଟ ଭକ୍ତି ରହିଛି–ଅନେକ ସମୟରେ ଏହା ହୁଏତ ଛଳନାପୂର୍ଣ୍ଣ ହୋଇପାରେ । ତେଣୁ ଲେଡ଼ି-ରିସେପସିନିଷ୍ଟକୁ କହିଲି, ‘ଆପଣ ମୋର ପରିଚୟ ଅଫିସର୍ ବାବୁଙ୍କୁ ଜଣାଇ ନାହାନ୍ତି । ଅବଶ୍ୟ ମୁଁ ବିନମ୍ରତା ଯୋଗୁଁ ମୋର ଦରଖାସ୍ତ-ସ୍ଲିପରେ ମୋ ପରିଚୟଟି ଆଡ଼ମ୍ବରରେ ଲେଖି ନାହିଁ । ତେଣୁ ଆପଣ କିମ୍ବା ଆପଣଙ୍କ ଅଫିସର ଏହା ଜାଣିବା ପାଇଁ ସୁଯୋଗ ପାଇଲେ ନାହିଁ । ମତେ ଜଣେ ଅନାମଧ୍ୟେୟ ବ୍ୟକ୍ତି ବୋଲି ଭାବି ବାବୁମାନେ ଏତେ ଗୁରୁତ୍ଵ ଦେଉ ନାହାନ୍ତି । ଆପଣ ଫୋନ୍‌ରେ କହନ୍ତୁ ଯେ ମୁଁ ହେଉଛି କ୍ଷୁଦ୍ର-ପରିବାରର-ସଂଘ (ସ୍ମାଲ୍ ଫେମିଲିଜ୍‌ କ୍ଳବ୍)ର ଅନରାରୀ ସଭାପତି…ବିଭାଗୀୟ ମନ୍ତ୍ରୀ ମତେ ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀ ଯେତେବେଳେ ସହଯୋଗ କରିବାକୁ ଇଚ୍ଛୁକ, ତାଙ୍କର ଅଧସ୍ତନ କର୍ମଚାରୀମାନେ କେମିତି ମୋ ସହିତ ଅସହଯୋଗ କରିବେ–ମୁଁ ବୁଝି ପାରୁନାହିଁ…ମଣିଷର ଗୋଟିଏ ଅଙ୍ଗ କୌଣସି ଏକ ନାମ କରିବାକୁ ଚାହୁଁଥିବା ବେଳେ ଅନ୍ୟ ଏକ ଅଂଶ ତାହା କରିବାରେ ଅସହଯୋଗ କଲେ ଯେମିତି ଅଚଳ ଅବସ୍ଥା ଓ ପରିଶେଷରେ ମୃତ୍ୟୁ ଘଟେ । ବର୍ତ୍ତମାନ ମଧ୍ୟ ଅଫିସର୍ ମନ୍ତ୍ରୀଙ୍କୁ ନ ମାନିଲେ ସେହି ପରିସ୍ଥିତି ସୃଷ୍ଟି ହେବ, ଦେଶ ଧ୍ୱଂସ ହୋଇଯିବ । ….ଆପଣ ମୋ ବକ୍ତବ୍ୟର ଗୁରୁତ୍ଵ ବିଚାର କରି ସେହି ଅନୁସାରେ ଅଫିସରଙ୍କ ନିକଟକୁ ଫୋନ୍ କରନ୍ତୁ ।’ ବର୍ତ୍ତମାନ ରିସେପ୍‌ସିନିଷ୍ଟକୁ ଆଉ ତର ମିଳିଲା ନାହଁ । ସେ ବଡ଼ ଆତୁର ଭାବେ ଅଫିସର୍‌ଙ୍କ ନିକଟକୁ ଫୋନ୍ କଲା । ‘ଆଜ୍ଞା, ମନ୍ତ୍ରୀଙ୍କ କ୍ୟାଣ୍ଡିଡ଼େଟ୍ ଆସିଛନ୍ତି । ପାଶ୍ ଦେଇ ଦେଉଛି…‘ତା’ପରେ ମତେ ପାଶ୍ ମିଳିଗଲା । ମୁଁ ଗେଟ୍‌ପାଶ୍‌ ଖଣ୍ଡିକ ସେଠାରୁ ଆଣି ବନ୍ଧୁକଧାରୀ ଗାର୍ଡ଼କୁ ଦେଖାଇଲି । ସେ ପାଶ୍‌ଟିକୁ ସାମାନ୍ୟ ଚିରି ମତେ କୋଠାଭତିରକୁ ଛାଡ଼ିଲା । ସଫଳ ଭାବେ ଠକି ପାଶ୍‌ଟିଏ ହାସଲ କରିପାରିଥିବାରୁ ଖୁସି ହୋଇଗଲି । ବର୍ତ୍ତମାନ ମୁଁ ମନଇଚ୍ଛା ବୁଲି ପାରିବି ବୋଲି ଭାବିଲି । ଭିତରକୁ ଯାଇ ଦେଖିଲି ଯେ ତାହା ଗୋଟିଏ କୋଠା ନୁହେଁ–ତାହା ଗୋଟିଏ ଛୋଟ ଟାଉନ୍ । ସେଠାରେ ବହୁତ ଗୁଡ଼ିଏ ସ୍ୱତନ୍ତ୍ର କୋଠା ରହିଛି । ହୋଟେଲ୍, ଉଦ୍ୟାନ ଇତ୍ୟାଦି ରହିଛି । ଅବଶ୍ୟ ଚତୁର୍ଦ୍ଦିଗରେ ଗୋଟିଏ ବିରାଟ ପ୍ରାଚୀର ଦିଆଯାଇ ବାହାର ଦୁନିଆଠାରୁ ତାକୁ ଅଲଗା କରାଯାଇଛି । ସେହି ଅଞ୍ଚଳରେ କିଛିଦୂର ଯିବାପରେ ଏମିତି ଗୋଟିଏ ଛକ-ଜାଗାରେ ପହଞ୍ଚିଲି; ଯେଉଁଠାରେ ଚାରୋଟି ଶାଖା-ରାସ୍ତା ବାହାରିଛି । କେଉଁ ପଟକୁ ଯିବି ବୋଲି ଭାବି ମୁଁ ହଠାତ୍ ସ୍ଥିର କରି ନ ପରି ଥଙ୍ଗ ଥଙ୍ଗ ହେଲି । ସେ ଛକରେ ଥିବା ଗୋଟିଏ ବନ୍ଧୁକଧାରୀ ଗାର୍ଡ଼ ମତେ ଡାକିଲା–ମତେ ସାହାଯ୍ୟ କରିବାକୁ ବୋଧହୁଏ । ମୁଁ କେଉଁ ଡିପାର୍ଟମେଣ୍ଟକୁ ଯିବି ବୋଲି ସେ ପଚାରିଲା I କିନ୍ତୁ ମୁଁ ଭାବିଲି ଯେ ସେ ମତେ ସନ୍ଦେହ କରୁଛି ଓ ହୁଏତ ନିଜେ ପାଶ୍ ଦେଖିବାକୁ ଚାହିଁବ । ତେଣୁ ମୋର ଅନିଚ୍ଛା ସତ୍ତ୍ୱେ ମୁଁ ତାକୁ କହିଲି ଯେ ମୁଁ ପରିବାର-ନିୟନ୍ତ୍ରଣ ବିଭାଗକୁ ଯିବା ପାଇଁ ଚାହୁଁଛି । ତତ୍ ସଙ୍ଗେ ସଙ୍ଗେ ପକେଟ୍‌ରୁ ପାଶ୍‌ଟି ବାହାର କରି ମଧ୍ୟ ଦେଖାଇଲି । କିନ୍ତୁ ସେ ପାଶ୍‌ଟିକୁ ଆଦୌ ଦେଖିଲା ନାହିଁ ଓ ମୋ କଥାରେ ବିଶ୍ଵାସ କରି ଠିକ୍ ତା’ ପଛପଟେ ଥିବା ରୁମଭିତରକୁ ଯିବା ପାଇଁ କହିଲା । ଏଠାରେ ପ୍ରକାଶ କରାଯାଇ ପାରେ ଯେ ଯେଉଁ ପରିଦର୍ଶକ ଯେଉଁ ଡିପାର୍ଟମେଣ୍ଟ ପାଇଁ ପାଶ ଦ୍ଵାରା ଅନୁମତି ପାଇଛି, ସେ କେବଳ ସେଠାକୁ ହିଁ ଯାଇ ପାରିବ । ତେଣୁ ଗାର୍ଡ଼ଟିକୁ ଠକି ମୁଁ ଅନ୍ୟ କେଉଁଆଡ଼େ ଯାଇ ପାରିବି ନାହିଁ । ବାଧ୍ୟ ହୋଇ ଫେମିଲି ପ୍ଲାନିଂ ବିଭାଗ ଭିତରେ ପଶିଲା । ସେତେବେଳେ ମୁଁ ବଡ଼ ଅଶ୍ୱସ୍ତିକର ପରିସ୍ଥିତିରେ ପଡ଼ିଲି-! ମୋ ମନ ଭାରାକ୍ରାନ୍ତ ହୋଇଗଲା । ମୁଁ ଏଥି ପୂର୍ବରୁ ପରିବାର-ନିୟୋଜନ ସମ୍ପର୍କରେ କେବେ ଭଲ ଭାବେ ଭାବି ନାହିଁ । ବର୍ତ୍ତମାନ ଅଫିସର୍‌ଙ୍କୁ କ’ଣ ବୋଲି କହିବି, ତାଙ୍କ ସହିତ କେମିତି ଆଲୋଚନା କରିବି–ତାହା ମତେ ବଡ଼ ବିଚଳିତ କଲା । ଯାହାହେଉ, ଏହି ଫେମିଲି ପ୍ଳାନିଂ ବିଭାଗର ଅଫିସ୍ ରୁମ୍‌ଟିରେ ଗୋଟିଏ କଡ଼କୁ ତିନିଫୁଟ ଉଚ୍ଚ ବିଶିଷ୍ଟ କାଠପଟାର ଅସ୍ଥାୟୀ କାନ୍ଥ ଦ୍ଵାରା ପ୍ରାୟ କୋଡ଼ିଏ ଫୁଟ ଲମ୍ବା ଓ ତିନି ଫୁଟ ଓସାରର ଗୋଟିଏ ସରୁଆ ରାସ୍ତା ଅଛି ! ଏହି ରାସ୍ତାର ଦ୍ଵାରମୁହଁରେ ଆଉ ଗୋଟିଏ ନିଶୁଆ ମିଲିଟାରୀ-ଗାର୍ଡ଼ ଜଗିଥାଏ । ମୁଁ ତାକୁ ପାଶ୍ ଦେଖାଇ ଏହି ସୁଡ଼ଙ୍ଗ ପରି ବାଟର ଅଧଯାଏଁ ଚାଲିଗଲି । କିନ୍ତୁ ଆଉ ଭିତରକୁ ଯିବା ପାଇଁ ଇଚ୍ଛା ହେଉ ନ ଥାଏ । ମିଛରେ ଅନୁମତି-ପତ୍ରଟି ପାଇଛି ବୋଲି ସେଠାରୁ କେମିତି ଖସି ବାହାରକୁ ଚାଲି ଆସିବି ବୋଲି ମନେ ମନେ ଭାବୁଥାଏ । ମିଲିଟାରୀ ଗାର୍ଡ଼ଟି ପଛକୁ ବୁଲି ମତେ ଚାହିଁବା ବେଳେ ମୁଁ ଚମକି ପଡ଼ି ଆଗକୁ ଚାଲିଯାଏ ଓ ସେ ବିପରୀତ ଦିଗରୁ ମୁହଁ ବୁଲାଇବା ବେଳେ ମୁଁ ପୁଣି ପଛକୁ ଯାଏ । ଏମିତି ସେ ସରୁଆ ରାସ୍ତାରେ ମୁଁ ଆଗକୁ ପଛକୁ ହେଉଥାଏ । ମୋ ମନ ଭୟରେ ଭାରି ଅସ୍ତବ୍ୟସ୍ତ ହେଉଥାଏ । ଏମିତି ସମୟରେ କେହି ଜଣେ ମହିଳା ଅଦୂରରେ ଫେଁ କିନା ହସିବାର ମୁଁ ଶୁଣିଲି । ସେତେବେଳେ ଏହି ମହିଳାଟି (ଗୋଟିଏ କିରାଣୀ) ପାଣି ପିଉଥିଲା ଓ ମୋର ଦୟନୀୟ ଅସ୍ଥିର ପଦଚାଳନା ଦେଖି ସେ ହସ ସମ୍ଭାଳି ପାରିଲା ନାହିଁ । ତେଣୁ ଡକ୍ ଡକ୍ କରି ପିଉଥିବା ପାଣି ତା’ ପାଟିରୁ ଫଚ୍‌କିନା ବାହାରି ପଡ଼ିଲା ଓ ତା’ ଟେବୁଲ୍‌ର ବହୁ ଅଂଶ ଏବଂ କାଗଜପତ୍ର ଓଦା କରିଦେଲା । ତା’ର ଆକସ୍ମିକ ହାସ୍ୟରୋଳର କାରଣ ଜାଣିବାକୁ ସେହି ଅଫିସ୍‌ର ଅନ୍ୟ କିରାଣୀମାନେ ତା’ ପାଖରେ ରୁଣ୍ଡ ହେଲେ । କ୍ରମଶଃ ମୁଁ ଉପଲବ୍‌ଧି କଲି ଯେ, ଏହି ଘଟଣାର କେନ୍ଦ୍ରବିନ୍ଦୁ ମୁଁ ହୋଇ ଥିବାରୁ ହୁଏତ ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବା ପରି ମୋର ଭବିଷ୍ୟତ–ବିଷେଶତଃ ଜାଲ୍ ପାଶ୍ ଯୋଗୁଁ ସଂକଟାପନ୍ନ ହୋଇପାରେ । କିନ୍ତୁ ଏଥିପାଇଁ ମୁଁ ନିଜେ ଦାୟୀ: ମୁଁ ଅସ୍ଥିର ଭାବେ ପଦଚାଳନା କରୁଥିବା ବେଳେ କେବଳ ସେହି ମିଲଟାରୀ ଗାର୍ଡ଼ଟି ପ୍ରତି ଏକମୁହାଁ ଭାବେ ସତର୍କ ଦୃଷ୍ଟି ରଖିଥିଲି । ସେତେବେଳେ ମୁଁ ଚତୁର୍ଦ୍ଦିଗକୁ ଦୃଷ୍ଟି ରଖିବା ଉଚିତ ଥିଲା-। ତାହା ହେଲେ ମୁଁ ଅନ୍ତତଃ ଜାଣି ପାରିଥାନ୍ତି ସେ ଉକ୍ତ ମହିଳା-କିରଣୀଟି ତା’ ସିଟ୍‌ରୁ ମୁହଁ ସୁଡ଼ଙ୍ଗ ପାର୍ଶ୍ଵ ଆଡ଼କୁ ବଙ୍କାଇ ମୋର ଗତିବିଧ ଲକ୍ଷ୍ୟ କରୁଛି–ଫଳରେ ମୁଁ ନିଜକୁ ସଜାଡ଼ି ପାରି ଆଉ ସେମିତି ହାସ୍ୟାସ୍ପଦ ଭାବେ ଚଲାବୁଲା କରି ନ ଥାନ୍ତି । ବର୍ତ୍ତମାନ ମୁଁ ସେ ମହିଳା-କିରାଣୀଟିକୁ ଆଉଥରେ ଚାହିଁଲି–ସେ ଦେଖିବାକୁ କଳା ଓ ଭୀଷଣ ମୋଟା; ତା’ର ମୁହଁ ସାରା ବସନ୍ତ ଚିହ୍ନ-। ପୁଣି ସେ ଗର୍ଭ ହୋଇ ଥିବାରୁ ତା’ର ପେଟ ଖୁବ୍ ଜୋରରେ ଫୁଲି ଯାଇଥିଲା ଓ ସେତେବେଳେ ମୁଁ ଅନୁଭବ କଲେ ଯେ ତା’ ପେଟରେ ନିଶ୍ଚୟ କିମ୍ଵା ତିନୋଟି ପିଲା ଥିବେ । ସେ ଏତେ ଦୂର କୁତ୍ସିତ ଦେଖାଯାଉ ଥାଏ ଯେ ମୁଁ ମନେ ମନେ ଭାବିଲି, ଗୋଟିଏ ପୁରୁଷ ତାକୁ ପତ୍ନୀ ଭାବେ କେମିତି ଗ୍ରହଣ କଲା ! -ବୋଧହୁଏ ତା’ ସ୍ଵାମୀକୁ ‘Working wife’-ନିଶା ଘାରିଥିବ ଏହି କୁତ୍ସିତି କିରାଣୀକୁ ମୁଁ ଅତିଶୟ ଘୃଣା କରୁଥିବା ବେଳେ ସେ ମତେ ବ୍ୟଙ୍ଗ ବିଦ୍ରୁପ କରିବା ପରି ଫେ଼ଁ ଫେଁ ହୋଇ ହସୁଥାଏ । ମୁଁ ରାଗି ତାକୁ ପଚାରିଲି, ‘ମତେ ଦେଖି ଏମିତି ତୁହାଇ ତୁହାଇ ହସିବା କାରଣ କ’ଣ ?’ ମୋର ଏହି ପ୍ରଶ୍ନର ସେ ତ କୌଣସି ଉତ୍ତର ଦେଲା ନାହିଁ–ଓଲଟି, ବର୍ତ୍ତମାନ ପାଟି ପୁରା ଖୋଲି ହସିଲା । ମୁଁ କ୍ରୁଦ୍ଧ ହୋଇ କହିଲି, ‘ମୁଁ ସେ ସୁଡ଼ଙ୍ଗ ରାସ୍ତାରେ ଏପଟ ସେପଟ ହେଉଥିଲି ବୋଲି, ତମେ କ’ଣ ଭାବୁଛ ସେ ତମ ଅଫିସରଙ୍କୁ ସାକ୍ଷାତ କରିବାକୁ ମୁଁ ଭୟ କରୁଛି ? ...ତାହା ମୋଟେ ନୁହେଁ...’ ମୋ ବାକ୍ୟରେ ବାଧା ଦେଇ ଆଉ ଜଣେ କିରାଣୀ ତୁରନ୍ତ ମନ୍ତବ୍ୟ ଦେଲ, ‘ଆଜ୍ଞା ! ଆପଣ ଆମ ଅଫିସର୍‌ଙ୍କୁ କେବଳ ଡରିଥିଲେ ଏମିତି ହେଉ ନ ଥା’ନ୍ତେ; ଆମ ଅଫିସରଙ୍କୁ ଡରିବା ଯୋଗୁଁ ଆପଣଙ୍କୁ ଝାଡ଼ା ଦେଖାଇଥିବ ମଧ୍ୟ । ତେଣୁ ଆପଣ ଏମିତି ଘଡ଼ିର ପେଣ୍ଡୁଲାମ୍ ପରି ଏପଟ ସେପଟ ହେଉଥିଲେ ।’ ଏହା ମତେ ଗୋଟିଏ ଆହ୍ଵାନ ବୋଲି ମୁଁ ଭାବିଲି । ମୁଁ ତୁରନ୍ତ ଜବାବ ଦେଲି, ‘ଆପଣଙ୍କ ଅଫିସରଙ୍କୁ ମୁଁ ଡରୁଛି ପରା ? ଦେଖନ୍ତୁ, ମୁଁ ତାଙ୍କୁ କେମିତି ସାକ୍ଷାତ କରୁଛି…’ ଏମିତି କହି ମୁଁ ଜୋରରେ ଜୋତା-ଶବ୍ଦ କରି ଦ୍ରୁତ ପଦକ୍ଷେପ ନେଇ ଅଫିସରଙ୍କ ପ୍ରକୋଷ୍ଠ ଆଡ଼କୁ ଚାଲିଲି । ତା’ପରେ ତାଙ୍କର କବାଟ ଖୋଲିବା ପାଇଁ କବାଟରେ ଲାଗିଥିବା ହେଣ୍ଡାଲ୍‌ଟି ମୋଡ଼ିଲି ଓ କବାଟଟିକୁ ଭିତରକୁ ଠେଲିଲି । ସେତେବେଳେ ଅଦୂରରେ ଥିବା ପିଅନଟି ଦୌଡ଼ି ଆସିଲା ଓ ମତେ ପଛ ପଟୁ ଏକ ରକମ ଟାଣି ଆଣିଲା । ସେ ମତେ କହିଲା, ‘ଆଜ୍ଞା ! ଖଣ୍ଡେ ସ୍ଲିପ୍‌ରେ ସମସ୍ତ ବିବରଣୀ ଲେଖି ଦିଅନ୍ତୁ । ମୁଁ ଅଫିସରଙ୍କୁ ଦେଖାଇବି । ସେ ଅନୁମତି ଦେଲେ, ଭିତରକୁ ଯିବେ ।’ ଗୋଟିଏ ସାମାନ୍ୟ ପିଅନ ମତେ ଏମିତି ଅଟକାଇବା ଯୋଗୁଁ ମୁଁ ଅପମାନିତର ବୋଧ କରୁଥାଏ । ସେତେବେଳେ ଅଳ୍ପ ଦୂରରେ ବସିଥିବା ସେହି ମହିଳା-କିରାଣୀଟି ଏହାସବୁ ବିଷୟ ଲକ୍ଷ୍ୟ କରୁଥାଏ । ବର୍ତ୍ତମାନ ସେ ପୁଣି ଥରେ ଖେଁ ଖେଁ ହୋଇ ହସିବାକୁ ଖୋରାକ ପାଇଲା । ମୁଁ ପିଅନ୍‌ଟିକୁ ଉଗ୍ର ଭାବେ କହିଲି, ‘ମୁଁ ତ ମୁଖ୍ୟ-ଫାଟକରୁ ଅନୁମତି ପାଇଛି-। ଆଉ ପ୍ରତି ଫାଟକରେ କ’ଣ ଅନୁମତି ଲୋଡ଼ୁଥିବି । ମୁଁ ଅଲବତ, ଅଫିସରଙ୍କ ପ୍ରକୋଷ୍ଠକୁ ଯିବି-।’ ପ୍ରକୃତରେ ଅଫିସର୍‌ଙ୍କୁ ମିଶିବାକୁ ମୁଁ ପ୍ରଥମେ ମୋଟେ ଚାହୁଁ ନଥିଲି । କିନ୍ତୁ ଘଟଣା ପ୍ରବାହ ଏବେ ଏମିତି ହେଲା ଯେ ଅଫିସର୍‌ଙ୍କୁ ମିଶିବା ମୋ ପକ୍ଷରେ ଗୋଟିଏ ମର୍ଯ୍ୟାଦା ପ୍ରଶ୍ନ ହେଲା । ପିଅନଟି ବର୍ତ୍ତମାନ କବାଟ ପାଖରେ ମତେ ବାଟ ଓଗାଳିବା ପରି ରହିଲା । ମୁଁ ଭାବିଲି ଯେ ପିଅନକୁ ସହଜରେ ଭୂତେଇ ହେବ । ତା’ ସହିତ ଝଗଡ଼ା ନ କରି ଡରାଇ ଦେଲେ କାମ ହାସଲ ହୋଇଯିବ-। ତେଣୁ ତାକୁ କହିଲି, ‘ଆରେ ବାବୁ, ତୁ ଜାଣି ନାହୁଁ; ମୁଁ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପାଖର ଲୋକ-।’ ସେତେବେଳେ ଉକ୍ତ ମହିଳା-କିରାଣୀଟି କାଉ-କଣ୍ଠରେ ମୋ ପ୍ରତି ମନ୍ତବ୍ୟ ଦେଲା, ‘ଆରେ ଜଗ୍‌ଗୁ (ସେ ପିଅନଟିର ନାମ) ! ତୁ ଜାଣି ନାହୁଁ ? ...ଏଇ ବାବୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ପାଖର ଲୋକ ନୁହନ୍ତି–ସେ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ଛଦ୍ମବେଶରେ ଆମ ଅଫିସର୍‌ଙ୍କୁ ଚେକ କରିବାକୁ ଆସିଛନ୍ତି । ତୁ ଚିହ୍ନି ପାରୁ ନାହୁଁ ? ...ଭଲ ଭାବେ ବାବୁଙ୍କ ମୁହଁକୁ ଚାହଁ...ଚାହଁ ।’ ମୁଁ ମହିଳା-କିରାଣୀଟି ସହିତ ଆଉ ଝଗଡ଼ା କରିବାକୁ ମନ ବଳାଇଲି ନାହିଁ-ନିରାପତ୍ତା ଦୃଷ୍ଟିରୁ । ଭାବିଲି ଯେ ଖଣ୍ଡେ ସ୍ଲିପ୍‌ରେ ବାବୁଙ୍କ ନିକଟକୁ ଅନୁମତି ପାଇଁ ଦରଖାସ୍ତ ଲେଖିବି । କିନ୍ତୁ ମୋ ପାଖରେ କଲମ ନ ଥିଲା । ତେଣୁ ଜଗ୍‌ଗୁ ପିଅନ ମତେ ସେଇ କିରାଣୀମହଲକୁ ଯାଇ ଲେଖିବା ପାଇଁ ଆଙ୍ଗୁଠି ଦେଖାଇଲା । ମୁଁ କିରାଣୀମାନଙ୍କ ପାଖକୁ ଯାଉଥିବା ବେଳେ ସେ ମହିଳା-କିରାଣୀଟି ମତେ ଡାକିଲା ଓ କହିଲା, ‘ଆସ ବାବୁ ମୋ ପାଖକୁ । ମୋ ପାଖରେ କାଗଜ-କଲମ ଅଛି ।’ ତା’ପରେ ସେ ନିଜେ ମୋ ପାଇଁ କାଠି କଲମ ଓ ଦୁଆତରେ ଲେଖିବା ଆରମ୍ଭ କଲା I ମୋ ଠାରୁ ମୋ ନାଁ ବୁଝିଲା । ଲେଖା ସାରି ସେ ସ୍ଲିପ୍‌ଟି ପ୍ରତି ମୋ ହାତକୁ ବଢ଼ାଇ ଦେଲା । ସେଥିରେ ସେ ଅନ୍ୟାନ୍ୟ ବିଷୟ ମଧ୍ୟରେ ପ୍ରଥମେ ମୋ ନାମ ଲେଖିଥଲା ଓ ମୋ ନାଁ । ତଳେ ‘ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖ ଲୋକ’ ବୋଲି ଦର୍ଶାଇ ଥିଲା । ଏହା ଦେଖି ମୁଁ ପ୍ରମାଦ ଗଣିଲି । ମୁଁ ମିଛରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ନାମ ଧରି କାମ ହାସଲ କରିବି ବୋଲି ଭାବୁଥିଲି । ଏହା ଯଦି ଧରା ପଡ଼ିଯାଏ, ତାହାହେଲେ ପରିସ୍ଥିତି ବଡ଼ ଅସାଧ୍ୟ ହେବ । ତେଣୁ ସେ ମହିଳା କିରାଣୀକୁ କହିଲି’ ‘ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲି ମୋ ନାମ ତଳେ କାହିଁକି ଲେଖିଲ-? ‘ସେ ତତ୍‌କ୍ଷଣାତ୍ କହିଲା, ‘ଆଚ୍ଛା, ଆଚ୍ଛା ଭୁଲ୍‌ ହୋଇଗଲା, ମତେ ସ୍ଲିପ୍‌ଟି ଦିଅନ୍ତୁ । ମୁଁ ସଂଶୋଧନ କରି ଦେବି ।’ ମୁଁ ତାକୁ କାଗଜଟି ଦେବା ପରେ ସେ ମୋ ନାମ ତଳେ ‘ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପାଖ ଲୋକ’ ବଦଳରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପୁଅର ପାଖଲୋକ’ ବୋଲି ଲେଖିଲା ଓ କହିଲା, ‘ଆଜିକାଲି ଯୁଗ ବଦଳି ଗଲାଣି, ଆମ ଦେଶରେ ମନ୍ତ୍ରୀମାନଙ୍କ ଯୁଗ ବଦଳରେ ମନ୍ତ୍ରୀମାନଙ୍କ ପୁଅମାନଙ୍କର ଯୁଗ ଏବେ ଚାଲିଛି ।’ ତାର ଥଟ୍ଟା ପରିହାସ ମତେ ବଡ଼ ଅସହ୍ୟ ଲାଗୁଥାଏ । ମୁଁ ସେ ସ୍ଲିପ୍‌ଟି ଚିରି ଫୋପାଡ଼ି ଦେଲି ଓ ନିଜେ ଖଣ୍ଡେ କାଗଜରେ ସମସ୍ତ ବିବରଣୀ ଲେଖି ପିଅନକୁ ଦେଲି-। ସେହି ଅଫିସର୍‌ (ଜଣେ ଅଣ୍ଡର ସେକ୍ରେଟାରୀ) ମତେ ତାଙ୍କ ନିକଟକୁ ଯିବା ପାଇଁ ଅନୁମତି ଦେଲେ । ସେତେବେଳେ ମତେ ମୋଟେ ଭଲ ଲାଗୁ ନ ଥାଏ । ଘରେ ପଶୁ ପଶୁ ତ ଚାଳରେ ମୁଣ୍ଡ ବାଜିଲାଣି–ଭାଗ୍ୟ ମୋର ଭଲ ନାହିଁ, ଭବିଷ୍ୟତରେ କ’ଣ ଘଟିବ–କିଏ ଜାଣିଛି ?

 

ରିସପ୍‌ସିନିଷ୍ଟ ଜଣକ ଏହି ଅଣ୍ଡର-ସେକ୍ରେଟାରୀ (ନମ୍ବ୍ର ଦୁଇ)ଙ୍କ ସହିତ ମୋର ଇଣ୍ଟରଭ୍ୟୁ ଫୋନ୍‌ଦ୍ଵାରା କରିଥିଲା । ମୁଁ ତାଙ୍କୁ ପ୍ରଥମେ ନମସ୍କାର ଜଣାଇଲି । କିନ୍ତୁ ସେ ପ୍ରତି-ନମସ୍କାର ଜଣାଇଲେ ନାହିଁ–କେବଳ ମୁଣ୍ଡଟା ସାମାନ୍ୟ ହଲାଇଲେ । ଭାବିଲି ଯେ ସେ ମତେ ହେୟଜ୍ଞାନ କରୁଛନ୍ତି । ‘ଛୋଟ ପରିବାର ସଂଘ’ର ସଭାପତି ବୋଲି ପରିଚୟ ଦେଲି । କିନ୍ତୁ ସେ ସେମିତି ଆଗ୍ରହ ପ୍ରକାଶ କଲେ ନାହିଁ । ସେତେବେଳେ ଉପରୋକ୍ତ ମହିଳା-କିରାଣୀଟି କେତେକ ଫାଇଲ୍-ପତ୍ର ଧରି ହାଜର ହେଲା । ବାବୁ ସେଗୁଡ଼ିକ ଦେଖିବାରେ ବ୍ୟସ୍ତ ରହିଲେ । ମଝିରେ ମଝିରେ ତା’ ସହିତ ପଦେ ଅଧେ ଥଟ୍ଟା ପରିହାସ କରି ବ୍ୟକ୍ତିଗତ ମନ୍ତବ୍ୟମାନ ଦେଉଥା’ନ୍ତି । ମୁଁ ସେମିତି ଠିଆ ହୋଇଥାଏ । ଚେୟାର ଖାଲି ଥିଲେ ମଧ୍ୟ ବାବୁ ମତେ ବସିବା ପାଇଁ କହିଲେ ନାହିଁ । ସେ ରୁମ୍‌ରେ ହରିହର ନାମକ ଜଣେ ବ୍ୟକ୍ତି ବସିଥାନ୍ତି । ମତେ ବହୁ ସମୟ ଧରି ଠିଆ ହୋଇଥିବାର ଦେଖି ତାଙ୍କ ମନରେ ଦୟାଭାବ ଉଦ୍ରେକ ହେଲା ଓ ଚେୟାରରେ ବସିବା ପାଇଁ ମତେ ଆଖି ଠାରିଲେ । କିନ୍ତୁ ବାବୁଙ୍କ ଅନୁମତି ନ ଥାଇ ବସିବା ଅଭଦ୍ରାମି ବୋଲି ମୁଁ ଭାବିଲି (ଅବଶ୍ୟ ଭଦ୍ରାମି ଓ ଭୟ ମଧ୍ୟରେ ଅନେକ ସମୟରେ ସମ୍ପର୍କ ଥାଏ) ଓ ଗୋଡ଼ ବିନ୍ଧୁଥିଲେ ସୁଦ୍ଧା ସିଧାସଳଖ ଭାବେ ଠିଆହୋଇ ରହିଲି । ଇତ୍ୟବସରରେ ବାବୁ ସେହି ମହିଳା କିରାଣୀକୁ ବସିବା ପାଇଁ କହିସାରିଛନ୍ତି; ମହିଳା-କିରାଣୀଟି ମଧ୍ୟ ମନ ଆନନ୍ଦରେ ଚୌକିରେ କେତେବେଳଠୁଁ ବାବୁ କହୁ କହୁ ବସିଲାଣି । ସେ ବାବୁଙ୍କଦ୍ୱାରା ଫାଇଲ୍ ଦସ୍ତଖତ କରାଉଥିବା ବେଳେ ସମୟେ ସମୟେ ମତେ କଣେଇ କଣେଇ ଚାହେଁ ଓ କେହି ନ ଜାଣିବା ପରି ମୁରୁକି ମୁରୁକି ହସେ । ଏହି ହସ ପଛରେ ପ୍ରକୃତ କାରଣ ହେଉଛି ଯେ ବାବୁ ତାକୁ ବସିବା ପାଇଁ କହିଥିବାବେଳେ ମତେ ବସିବା ପାଇଁ କହୁ ନାହାନ୍ତି; ସେଥିରୁ ଜଣାପଡ଼ୁଛି ସେ ବାବୁ ମତେ ପିଅନମାନଙ୍କଠାରୁ ଅଧିକ ମର୍ଯ୍ୟାଦା ଦେଉ ନାହାନ୍ତି । କିଛି ସମୟ ପରେ ବାବୁ ‘ଆସୁଛି’ ବୋଲି କହି ପଦାକୁ ଚାଲିଗଲେ; ହରିହର ମଧ୍ୟ ତାଙ୍କ ପଛେ ପଛେ ଗଲେ । ରୁମ୍‌ରେ ସେ ମହିଳା-କିରାଣୀଟି ଓ ମୁଁ ରହିଲୁ । ମୁଁ ସେ ମହିଳା କିରାଣୀକୁ ଗାଳିଦେବା ପାଇଁ ସୁଯୋଗ ଉଣ୍ଡୁଥିଲି । ବର୍ତ୍ତମାନ ତାକୁ ଏକାକିନୀ ଦେଖି କହିଲି, ‘ତମେ ଭାବନାହିଁ ଯେ ତମକୁ ଚେୟାରରେ ବାବୁ ବସାଇବା ଯୋଗୁଁ ତମେ ବଡ଼ ହୋଇଗଲ ଓ ଠିଆ ହୋଇ ରହିଥିବା ଯୋଗୁଁ ମୁଁ ସାନ ହୋଇଗଲି । ଏହା ପଛରେ ପ୍ରକୃତରେ କୌଣସି ମାନ-ମର୍ଯ୍ୟାଦାର ପ୍ରଶ୍ନ ନାହିଁ । ବାବୁ ତମକୁ ବସାଇବାର ଅସଲ କାରଣ ହେଉଛି ଯେ, ତମେ ଗର୍ଭବତୀ । ତମେ ଠିଆ ହେଲେ ତୁମକୁ କଷ୍ଟ ହେବ । ପୁଣି ତମ ଗର୍ଭ ଏତେ ବଡ଼ ଯେ, ଏଥିରେ ଦୁଇ ତିନୋଟି ଛୁଆ ଥିବେ ନଚେତ୍ ଗୋଟିଏ ଅସୁର-ପିଲା ଥିବ । ମୁଁ ଭାବୁଛି ମେ ତମ ପେଟରେ ମଣିଷ ପିଲା ନ ଥାଇ ଅସୁର-ପିଲା ରହିବା ଅଧିକ ସମ୍ଭବ କାରଣ ତମର ରୂପ ଓ ସ୍ଵଭାବ ଏବେ ଘୃଣ୍ୟ ଓ କୁତ୍ସିତ ଯେ ତମେ ଅସୁର-ପିଲା ଜାତ କରିବ–ମଣିଷ ପିଲା ନୁହେଁ ।’ ଏମିତି ସମୟରେ ହରିହର ଆସିବାରୁ ମୁଁ ଚୁପ୍ ହୋଇଗଲି । ସେ ଜଣାଇଲେ ଯେ ବାବୁ ଫେରିବାରେ କିଛି ବିଳମ୍ବ ହେବ । ଏହା ଶୁଣି ସେ ମହିଳା କିରାଣୀଟି ଚାଲିଗଲା ଓ ତା’ ଚୌକିରେ ମୁଁ ବସିଲି ।

 

“ହରିହରଙ୍କର ବୟସ ପ୍ରାୟ ଚାଳିଶି ବର୍ଷ ହେବ । ସେ ବର୍ତ୍ତମାନ ମତେ ଆଗ୍ରହର ସହିତ ଆମ ଛୋଟ ପରିବାର ସଂଘ ସମ୍ପର୍କରେ ପଚାରିଲେ । ପ୍ରକୃତରେ ଏମିତି କିଛି ସଂଘ ମୁଁ ପଢ଼ିନାହି କିମ୍ବା ଜାଣିନାହିଁ । ଗେଟ୍‌ପାଶ୍‌ କରିବା ପାଇଁ ଏହା ମୋର ଗୋଟିଏ ଅପକୌଶଳ ଥିଲା । ଯାହାହେଉ, ବର୍ତ୍ତମାନ ଆଉ ପଛଘୁଞ୍ଚା ଦେଇହେବ ନାହିଁ । ତେଣୁ ଏହି ଛୋଟ-ପରିବାର-ସଂଘ ବିଷୟରେ କିଛି ମନଗଢ଼ା କଥା କହିବାକୁ ହେବ । ମୁଁ କହିଲି ଯେ ଯେଉଁମାନଙ୍କର ଦୁଇ କିମ୍ବା ତିନୋଟି ସନ୍ତାନ ଥିବେ କେବଳ ସେମାନେ ଆମ କ୍ଲବର ସଭ୍ୟ ହୋଇପାରିବେ । ତା’ପରେ ହରିହର ହଠାତ୍ ମୋ ପରିବାର ବିଷୟରେ ପଚାରିବାରୁ ମୁଁ କହିଲି ଯେ ମୋର କେବଳ ଦୁଇଟି ସନ୍ତାନ (ପୁଅ) ଓ ଅଧିବା ସନ୍ତାନ ନ ହେବା ପାଇଁ ମୁଁ ଡାକ୍ତରଙ୍କଦ୍ଵାରା ଖାସୁ ହୋଇଛି । ହରିହରର ବୋଧହୁଏ ଷ୍ଟେରିଲାଇଜେସନ୍ ବିଷୟରେ କିଛି ଜାଣନ୍ତି ନାହିଁ । ସେ କୌତୁହଳବଶତଃ ଲୁଚାଇ ଲୁଚାଇ ମୋ ଅଣ୍ଟା ତଳକୁ ଥରେ ଅଧେ ଅନାଇଲେ । ତା’ପରେ ଖାସୁ ହେବା ଫଳରେ ମୋ ମନଭାବ କ’ଣ ବୋଲି ଜାଣିବାକୁ ଚାହିଁଲେ । ମୁଁ ତାକୁ କହିଲି, ‘ମୋ ଅପରେସନ୍ ପରେ ହସ୍‌ପିଟାଲରୁ ଫେରିବା ବେଳେ ମୋ ସ୍ତ୍ରୀ ଖଟରେ ଚେଇଁ ଶୋଇଥିଲା । ମୋତେ ଦେଖୁ ଦେଖୁ ପାଛୋଟି ନେବା ପାଇଁ ସେ ଖଟରୁ ଦୌଡ଼ି ଆସିଲା ଓ ଦାଣ୍ଡଦୁଆର ପାଖରେ ମୋ ବେକର ପଛପଟୁ ହାତ ଛନ୍ଦି ଷୋହଳ ସତର ବର୍ଷର ଯୁବତୀ ପରି ଓହଳ ଉନ୍ମାଦନାର ସହିତ ମତେ ଜାବୁଡ଼ି ଧରିଲା । ସେତେବେଳେ ଫେମିଲି-ପ୍ଲାନିଂ ବିଭାଗର ଗୋଟିଏ ପ୍ରଚାର ବୋଧହୁଏ ମୋ ସ୍ତ୍ରୀର ମନେ ପଡ଼ିଥିବ–ବନ୍ଧ୍ୟାକରଣ-ଅପରେସନ୍ କଲେ ସ୍ତ୍ରୀର ରୂପ-ଯୌବନ-ସ୍ଵାସ୍ଥ୍ୟ ବୃଦ୍ଧି ହୁଏ । ଏହି ପ୍ରଚାର ଅନୁସାରେ ସେତେବେଳେ ସେ ନିଜକୁ ସ୍ଵର୍ଗର ରମ୍ଭା ମେନକା ପରି ଭାବୁଥିବ । ଏମିତି ପରିସ୍ଥିତିରେ ମୁଁ ତାକୁ ଗାଢ଼ ଚୁମ୍ବନ ଦେବି ବୋଲି ବୋଧହୁଏ ସେ ଆଶା କରୁଥିଲା । କିନ୍ତୁ ମୁଁ ହଠାତ୍ ନିଜକୁ ହେୟ ମନେ କଲି-ବାଘର ଦାନ୍ତ ଭାଜିଗଲେ ସେ ଯେମିତି ନିଜକୁ ଅସହାୟ ବୋଲି ଭାବେ । ଏହାର କାରଣ ହେଉଛି: ସେତେବେଳ ମୁଁ ନୂଆରେ ପୁରୁଷତ୍ୱ ହରାଇଥିବା ବିଷୟରେ ଖୁବ୍ ସଚେତନ ଥିଲି । ମୋର ନିଷ୍କ୍ରିୟତା ସତ୍ତ୍ୱେ ମୋ ସ୍ତ୍ରୀ ମୋ ଦେହରେ ଭଲଭାବେ ଛନ୍ଦି ହେବାକୁ ଚେଷ୍ଟା କରୁଥାଏ । ସେତେବେଳେ ମୁଁ ଦୁଃଖର ସହିତ ଅନୁଭବ କଲି ଯେ ସେ ମତେ ତା’ର ଯୌନ-ପ୍ରକ୍ରିୟାର ଏକ କ୍ରିଡ଼ନକ ବା ମଡ଼େଲ ଭାବେ ବ୍ୟବହାର କରୁଛି । ତା’ର ଏହି ଉଦ୍ୟମ ଯୋଗୁଁ ମୁଁ ବରଫ ପରି ଥଣ୍ଡା ହୋଇଗଲି । ତା’ପରେ ସେ ମତେ ପ୍ରେମରେ ଉଜ୍ଜୀବୀତ କରିବାକୁ ମୋ ନାକ-ପୁଡ଼ା ଚିପି ସାମାନ୍ୟ ହଲାଇଲା । ମୋ ଓଠରେ ସରୁ ଚୁମ୍ବନଟିଏ ଦେଲା । ତା’ପରେ ମତେ Hello, Boy ! ବୋଲି ସମ୍ବୋଧନ କଲା । ତା’ର ଏହି ଆଦର ମତେ ଟାହି ଟାପରା ପରି ଜଣାପଡ଼ୁଥାଏ । କାରଣ ମୋ ପରି ଚାଳିଶିଆକୁ ମୋ ସ୍ତ୍ରୀ ‘ବୟ’ ବୋଲି ଡାକୁଛି । ମୁଁ ଭାବିଲି ସେ ମୋ ପୁରୁଷହୀନତା ଯୋଗୁଁ ବର୍ତ୍ତମାନ ସେ ମତେ ପିଲାଙ୍କ ପରି ନିରାପଦ ଓ ନଗଣ୍ୟ ମଣୁଛି । ଏହା ହେଉଛି ନପୁଂସକ ହେବା ପରେ ପରେ ମୋର ପ୍ରଥମ ଅନୁଭୂତି । କିନ୍ତୁ କ୍ରମଶଃ ମୋର ଏହି ଦୁଃଖପୂର୍ଣ୍ଣ ଭାବନା ବଦଳି ଗଲା । ମୁଁ ବୁଝିଲି ଯେ ଏହି ଯୁଗରେ କିଏ କାହାର ନୁହେଁ; ଅର୍ଥାତ୍ ସମସ୍ତେ ସମସ୍ତଙ୍କର । ଏହି Permissive Societyରେ ମୁଁ ସକ୍ରିୟ ଭାବେ ଆଗ୍ରହ ପ୍ରକାଶ କଲି । କ୍ରମଶଃ ମୁଁ ଅନୁଭବ କଲି ଯେ ମୋର ନପୁଂସକତ୍ଵ ଆଜି-କାଲିର ଯୁଗ ପାଇଁ ଗୋଟିଏ ସୁ ଲକ୍ଷଣ; କେତେକ କ୍ଷେତ୍ରରେ ଅପରିହାର୍ଯ୍ୟ ମଧ୍ୟ । ତା’ପରେ ମୁଁ କ୍ଷୁଦ୍ର-ପରିବାର-କ୍ଲବର ସଦସ୍ୟ ହେଲି । ବର୍ତ୍ତମାନ ଏହାର ସଭାପତି ଅଛି । ଆମ କ୍ଲବ୍‌ର ନିୟମାନୁଯାୟୀ ଯେଉଁମାନଙ୍କର ଦୁଇ କିମ୍ବା ତିନୋଟି ସନ୍ତାନ, ସେମାନେ ବନ୍ଧ୍ୟାକରଣ ଅପରେସନ ପରେ ଆମ କ୍ଲବ୍‌ର ସଦସ୍ୟ ହୋଇପାରିବେ । ‘ମୋ ବିଷୟରେ ଏହା କହିବା ପରେ ହରିହରଙ୍କୁ ଆମ କ୍ଲବ୍‌ର ସଦସ୍ୟ ହେବାପାଇଁ ସେ ଯୋଗ୍ୟ ନା ନାହିଁ ବୋଲି ପଚାରିଲି । କିନ୍ତୁ ମୋ ପ୍ରଶ୍ନ ସେ ଶୁଣିବାକୁ ନାରାଜ । ହରେକୃଷ୍ଣ-ହରେକୃଷ୍ଣ ବୋଲି କହି ଆଖିକାନ ଓ ପାଟି ବୁଜି ଚୁପ୍ ରହିଲେ ।”

 

ସ୍ଵାମୀଙ୍କ ଦୀର୍ଘଶ୍ଵାସ ଛାଡ଼ି ଆମ ସଭାସ୍ଥଳୀକୁ ଜଣାଇଲେ, ‘‘ଆପଣମାନେ ଜାଣନ୍ତି ଯେ ବର୍ତ୍ତମାନ ମୁଁ ଜଣେ ଋଷି । କିନ୍ତୁ ଉର୍ଦ୍ଧ୍ଵରେ ଲିଖିତ ବର୍ଣ୍ଣନା ଅନୁସାରେ, ଯେତେବେଳେ ଯୌବନାବସ୍ଥାରେ ମତେ ବନ୍ଧ୍ୟାକରଣ କରାଗଲା, ସେତେବେଳଠୁଁ ମୁଁ ଋଷି ହେଲିଣି । ଅବଶ୍ୟ ସେତେବେଳେ ଥିଲି : ରାଜ+ଋଷି=ରାଜର୍ଷି । ଅର୍ଥାତ୍ ସମ୍ଭୋଗ ଶତକଡ଼ା ଶହେ ଭାଗ କିନ୍ତୁ ଫଳ-ବ୍ରହ୍ମଚର୍ଯ୍ୟର । ବର୍ତ୍ତମାନ ମୁଁ ବ୍ରହ୍ମର୍ଷି: ଭୋଗର ନାମଗନ୍ଧ ନାହଁ; କେବଳ ଅଛି ବ୍ରହ୍ମଚର୍ଯ୍ୟ ।”

 

ସ୍ଵାମୀଜୀ ଏମିତି କହୁ କହୁ ମୁରୁକି ହସିଲେ । ଆମେ ସମସ୍ତେ ମଧ୍ୟ ତାଙ୍କ ସହିତ ଯୋଗଦେଇ ହସିଲୁ । ସ୍ଵାମୀଜୀ ତା’ପରେ ପୁଣି କହିବାରେ ଲାଗିଲେ !

 

“ହରିହର ଓ ମୁଁ କଥା ହେଉଥିବା ସମୟରେ ଉପରୋକ୍ତ ଅଣ୍ଡର-ସେକ୍ରେଟାରି ସହେବ ହେବ (ନଂ ୬) ପାନଖିଲଟିଏ ପାଟିରେ ଜାକି ରୁମ୍ ଭିତରକୁ ଆସିଲେ ଓ ତାଙ୍କ ସ୍ପଞ୍ଜ ଗଦିଥିବା ଚୌକିରେ ଆରାମରେ ବସିଲେ । ଅଳ୍ପ ସମୟ ମଧ୍ୟରେ ଫୋନରୁ କ୍ରିଂ କ୍ରିଂ ଆବାଜ ଶୁଣାଗଲା । ସେ ଫୋନ୍ ଉଠାଇଲେ ଓ ଯାହାକିଛି କହିଲେ । ତା’ପରେ ଅଳ୍ପ ସମୟ ଜଗି ପୁଣି ସେଇ ବାକ୍ୟଗୁଡ଼ିକ କହିଲେ । ଏହା ପରେ ପରେ ଥରକୁ ଥର ସେଇ ବାକ୍ୟ ଖୁବ୍ ପାଟିରେ କହୁଥା’ନ୍ତି । ଏ ସବୁର ଉଦ୍ଦେଶ୍ୟ ମୁଁ ବୁଝିପାରୁ ନ ଥାଏ । ସେ ଏତେ ଜୋରରେ ନିଜ ବାକ୍ୟଗୁଡ଼ିକୁ ପୁନରାବୃତ୍ତି କରୁଥା’ନ୍ତି ଯେ ମୋ କାନର ପରଦା ଖରାପ ହୋଇଯିବ ବୋଲି ମୁଁ ଡରୁଥାଏ । କାନ ଭିତରେ ଆଙ୍ଗୁଠି ପୁରାଇ ଦେବାକୁ ମୋର ଇଚ୍ଛା ହେଉଥାଏ । କିନ୍ତୁ କାଳେ ବାବୁ ମୋ ପ୍ରତି ଅସନ୍ତୁଷ୍ଟ ହେବେ ବୋଲି ମୁଁ ନୀରବରେ ବସିଲି । କ୍ରମଶଃ ମୁଁ ଦେଖିଲି ଯେ ଅଫିସର କିରାଣୀମାନେ ସାହେବଙ୍କର ଉଚ୍ଚ ପାଟି ଶୁଣି ଦୌଡ଼ି ଆସି ରୁମ୍ ଭିତରେ ଓ ବାହାରେ ଜମା ହେବାରେ ଲାଗିଛନ୍ତି । ସେମାନେ ସାହେବ ଝାଳ-ନାଳରେ ବୁଡ଼ି ଫୋନ୍ କରୁଥିବାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥା’ନ୍ତି । ଏମିତି ସମୟରେ ସେଠାରେ ଉପସ୍ଥିତ କିରାଣୀମାନଙ୍କୁ ଠେଲି ଠେଲି, ଧୋତି ଓ ପଞ୍ଜାବୀ ପିନ୍ଧିଥିବା ଜଣେ ପ୍ରାୟ ପଚାଶ ବର୍ଷର ବୁଢ଼ା ଆମ ଆଡ଼କୁ ଆସିଲେ । ସେ ଗୋଟିଏ ଶକ୍ତିଶାଳୀ ଚଷମା ପିନ୍ଧିଥା’ନ୍ତି ଓ ବଡ଼ ଗମ୍ଭୀର ଦେଖାଯାଉଥା’ନ୍ତି । ତାଙ୍କ ପାଇଁ ଚେୟାର୍ ଖାଲି ନ ଥିଲା । ତେଣୁ ସାହେବଙ୍କ ଦୁଆର ପାଖରେ ଷ୍ଟୁଲ୍‌ ପକାଇ ବସିଥିବା ପିଓନ୍‌ଟି ନିଜେ ଠିଆ ହୋଇ ଏହି ଭଦ୍ରବ୍ୟକ୍ତିଙ୍କୁ ତା’ ଷ୍ଟୁଲ୍‌ରେ ଆମ ପାଖରେ ବସାଇଲା । ମୋ ପଛପଟେ ଫୁସୁର ଫାସର ହେଉଥିବା ଲୋକଙ୍କଠାରୁ ଶୁଣିବାକୁ ପାଇଲି ଯେ ଇଏ ହେଉଛନ୍ତି ହେଡ଼ କ୍ଲର୍କ । ୟା’ଙ୍କୁ ସମସ୍ତେ ‘ବଡ଼ ଭାଇ’ ବୋଲି ଡାକନ୍ତି–ସେକ୍ରେଟାରୀ ସାହେବ ମଧ୍ୟ । ମୁଁ ଭଲ ଭାବେ ଜାଣେ ଯେ, କ୍ଳର୍କମାନଙ୍କର ଆଉ କିଛି ପାୱାର୍ ଥାଉ ବା ନ ଥାଉ, ସେମାନଙ୍କ ପାଖରେ ହଇରାଣ-କରିବା-କ୍ଷମତା (Harassing Power) ଯଥେଷ୍ଟ ଅଛି–ଏବଂ ହେଡ଼ କ୍ଳର୍କମାନଙ୍କର ଏହି ହଇରାଣ-କରିବା-କ୍ଷମତା ସର୍ବାଧିକ । ଏମାନଙ୍କ କର୍ଣ୍ଣ-ମନ୍ତ୍ରରେ ଅଫିସର ମାନେ ଆତଯାତ ହୋଇଥା’ନ୍ତି । ତେଣୁ ଭବିଷ୍ୟତରେ କାଳେ ହେଡ଼୍ କ୍ଳର୍କଙ୍କର ହାବୁଡ଼ରେ ପଡ଼ିଗଲେ, ସେ ମତେ ହଟହଟା କରିଦେବେ ବୋଲି ଭାବି ତାଙ୍କୁ ଲାଞ୍ଚ ସ୍ଵରୂପ ଦଣ୍ଡବତଟିଏ କଲି । ନୀରବରେ–ଅବଶ୍ୟ ସହାସ୍ୟ ବଦନରେ–ମୁଁ ସମ୍ମାନ ଜଣାଉଥିବା ବେଳେ ସାହେବ ଫୋନ୍‌ଟି ଧରି ପୂର୍ବ ପରି ଉଚ୍ଚ ସ୍ଵରରେ ସେଇ ପୂର୍ବ ବାକ୍ୟଗୁଡ଼ିକ ପୃନରାବୃତ୍ତି କରୁଥାନ୍ତି । କିଛି ସମୟ ପରେ ମୁଁ ଜାଣିପାରିଲି ସେ ରାଷ୍ଟ୍ରମୁଖ୍ୟଙ୍କର ପି. ଏ. ଦୁଇନମ୍ବର ସେକ୍ରେଟାରୀ ସାହେବଙ୍କୁ କିଛି ସମୟ ପୂର୍ବରୁ ଫୋନ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପୁରାପୁରି କାଲା ନ ହେଲେ ମଧ୍ୟ ଅନେକାଂଶରେ କାଲା । ଲୋକଙ୍କର ଗୁହାରି ବା ଦାବି ତାଙ୍କୁ କେତେବେଳେ କେମିତି ଶୁଭେ, ତାହା ସହଜରେ ଜାଣି ହୁଏ ନାହିଁ । ସମସ୍ତେ କହନ୍ତି ଯେ ଏଥିରେ କୌଣସି ଧରାବନ୍ଧା ନିୟମ ନାହିଁ ଏହା କେବଳ ଭାଗ୍ୟର ବିଷୟ । ସେ ଯାହାହେଉ, ପି.ଏ. ଙ୍କ ଠାରୁ ଫୋନ୍ କଲ୍ ପାଇବା ପରେ ସାହେବ ବାରମ୍ବାର ତାଙ୍କୁ ସେଇ ବାକ୍ୟଟି ଶୁଣାଉଛନ୍ତି । କିନ୍ତୁ ସାହେବଙ୍କ ଦୁର୍ଭାଗ୍ୟକୁ ସେଇ ସୁବର୍ଣ୍ଣ ବେଳା ଆସୁ ନାହିଁ, ଯେତେବେଳେ ପି.ଏ. ତାଙ୍କ ସଫେଇ ଶୁଣିବେ । ସାହେବ ଆଉ କୌଣସି ଉପାୟ ନ ପାଇ ସେଇ ଗୋଟିଏ ବାକ୍ୟ (ସଫେଇ) ଘୋଷୁଛନ୍ତି । ପ୍ରକୃତରେ ରାଷ୍ଟ୍ରମୁଖ୍ୟଙ୍କର ପି.ଏ. ‘ଯାହାକୁ ଫୋନ୍ କରେ, ତା’ ମୁଣ୍ଡରେ ଚଡ଼କ ପଡ଼ିଲା ବୋଲି ଭାବିବାକୁ ହେବ । ସେ ଏହି ସାହେବଙ୍କ ପରି ବଡ଼ ଦୟନୀୟ ଅବସ୍ଥାରେ ପଡ଼ିଥାଏ-। ମୋ ପଛରେ ଥିବା ଲୋକମାନଙ୍କୁ ମୁଁ ଗୋପନୀୟ ଭାବେ ପଚାରିଲି, ‘ରାଷ୍ଟ୍ରମୁଖ୍ୟଙ୍କର ପି.ଏ. ତ କାଲା । …“ସେମିତି ରାଷ୍ଟ୍ରମୁଖ୍ୟଙ୍କର Identifying Defect କ’ଣ ଅଛି କି ?’ ମୋ ପ୍ରଶ୍ନର ଉତ୍ତର ଜଣେ ତୁରନ୍ତ ଦେଲା, ‘……ଏଥିରେ ସନ୍ଦେହର କାରଣ କ’ଣ ଅଛି ? ...ଚନ୍ଦ୍ରରେ ଯେତେବେଳେ କଳଙ୍କ ଅଛି, ଆମ ରାଷ୍ଟ୍ରମୁଖ୍ୟଙ୍କର ଖୁଣ ରହିଲେ ତୁମକୁ କାହିଁକି ଆଶ୍ଚର୍ଯ୍ୟ ଲାଗିବ-।’ ଲୋକଟିର ଉତ୍ତର ଶୁଣି ମୁଁ ମନକୁ ମନ କହିଲି, ‘ପି.ଏ.ତ କାଲା । ରାଷ୍ଟ୍ରମୁଖ୍ୟ ଯଦି କାଲା ହୋଇଥିବେ, ପ୍ରଜାମାନେ କାହାକୁ ଗୁହାରି ଜଣାଇବେ ? ...ତେଣୁ ଭଗବାନଙ୍କ ଅଭିଶାପରୁ ଯଦି ରାଷ୍ଟ୍ରମୁଖ୍ୟଙ୍କର ଖୁଣ ଯାଏ, ତାହାହେଲେ ସେ କାଲା ନ ହୋଇ ଅନ୍ତତଃ ଜଡ଼ ବା ଖନା ହୋଇଥା’ନ୍ତୁ-। ତାହାହେଲେ ଏହି କାଲା-ଜଡ଼ ମେଳି ହୋଇ ଶାସନ ସର୍ବୋତ୍କୃଷ୍ଟ ନ ହେଲେ ସୁଦ୍ଧା, ଯେନ ତେନ ପ୍ରକାରେଣ କାମ ଚାଲିଯିବ... ।’ ଇତ୍ୟବସରରେ ହେଡ଼ କ୍ଲର୍କ ସାହେବଙ୍କ କାନରେ କ’ଣ କର୍ଣ୍ଣମନ୍ତ୍ର ଫୁଙ୍କି ଦେବାରୁ, ସାହେବ ଟେଲିଫୋନ୍ ରଖିଦେଇ ରୁମ୍‌ରୁ ବାହାରକୁ ଚାଲିଗଲେ । ତା’ପରେ ଆମ ପାଖରେ ଉପସ୍ଥିତ କର୍ମଚାରୀ ଓ ଅନ୍ୟାନ୍ୟ ଲୋକ ସାହେବଙ୍କ ବିଷୟରେ କଥାଭାଷା ହେଲେ । ଘଟଣା ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଲେ । ଏସବୁର ଭିତ୍ତି ନଥିଲା ପରି ମନେ ହେଉଥାଏ । ଯାହାହେଉ, ଭୁଟର ଭାଟର ହେଉଥିବା ଲୋକମାନେ ସେଠାରୁ କ୍ରମଶଃ ଅପସରି ଯାଇ ନିଜ ନିଜ କାମରେ ଧ୍ୟାନ ଦେଲେ । ହରିହର ଓ ମୁଁ ସେ ରୁମରୁ ବିଦାୟ ନେଇ ଆସୁଥିବା ବେଳେ ପଡ଼ୋଶୀ ରୁମ୍‌ରେ ଥିବା ତିନି ନମ୍ବର ସେକ୍ରେଟାରୀଙ୍କ ପ୍ରତି ଆମ ଦୃଷ୍ଟି ଆକର୍ଷିତ ହେଲା । କାରଣ ସେ ସମ୍ମୁଖରେ ଟେଲିଫୋନ୍ ଡାଇରେକ୍ଟାରିଟିଏ ଖୋଲି ରଖିଥା’ନ୍ତି ଓ ଏଣୁ ତେଣୁ ଗପୁଥା’ନ୍ତି ! ଏହାର କାରଣ ସମ୍ପର୍କରେ ବୁଝିବାରୁ ସେ କହିଲେ, ‘ବର୍ତ୍ତମାନ ଦୁଇ ନମ୍ବର ସେକ୍ରେଟାରୀ ଚାଲିଯାଇଛନ୍ତି । ତେଣୁ ରାଷ୍ଟ୍ରମୁଖ୍ୟଙ୍କର କାଲା ପି.ଏ. ମତେ ଫୋନ୍ କରିବାର ସମ୍ଭାବନା ଜଳଜଳ ଦେଖାଯାଉଛି । ଯଦି ମୁଁ ଫୋନ ଉଠାଇବି, ତାହାହେଲେ ଦୁଇ ନମ୍ବର ସେକ୍ରେଟାରୀଙ୍କ ପରି ମୋ ଅବସ୍ଥା ଦୟନୀୟ ହୋଇପଡ଼ିବ । ଯଦି ଫୋନ୍ ନ ଉଠାଏ, ତାହାହେଲେ ରାଷ୍ଟ୍ରମୁଖ୍ୟଙ୍କୁ ଅବମାନନା କରୁଛି ବୋଲି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ବହୁତ ଚିନ୍ତା କରିବା ପରେ ଗୋଟିଏ ଉପାୟ ବାହାର କଲି ଯେ ମୋର ଚିହ୍ନା-ପରିଚିତ ସବୁ ସରକାରୀ ଚାକିରିଆଙ୍କ ନିକଟକୁ ଏଣୁ ତେଣୁ ବିଷୟରେ ଫୋନଦ୍ୱାରା କଥା ହେବି । ଅଫିସ୍ ବନ୍ଦ ହେବା ଯାଏଁ ଏହି ବାଜେ କଥା ଚାଲୁ । ତାହାହେଲେ ମୋ ସହିତ ଆଉ ପି.ଏ ଙ୍କ ଫୋନ୍ ଲାଇନ୍ ଯୋଡ଼ିହେବ ନାହିଁ । ସେ ମୋ ସହିତ କଥା ହେବା ପାଇଁ ଫୋନ୍-ଏକ୍‌ସଚେଞ୍ଜକୁ ଜଣାଇଲେ, ଏକ୍‌ସଚେଞ୍ଜବାଲା କହିବ ଯେ ମୋ ଫୋନ୍ ଏନଗେଜେଡ଼୍; ପି.ଏ. ଯେତେଥର ତାକୁ କହିଲେ ମଧ୍ୟ ସେ ସେଇ ‘ଏନ୍‌ଗେଜେ ଡ଼୍‍, ଏନ୍‌ଗେଜେ ଡ଼୍‍’ ବୋଲି କହୁଥିବ.. ପ୍ରକାଶ ଥାଉକି, ଏହି ସେକ୍ରେଟାରୀ (ନମ୍ବର ୩) ଅନ୍ୟାନ୍ୟ ଅଫିସରମାନଙ୍କ ସହିତ କଥାଭାଷା ହେଉଥିବାବେଳେ ମୁଁ କଥାବାର୍ତ୍ତାରେ ଯେଉଁ ତିନୋଟି ମୁଖ୍ୟ ବିଷୟ ଲକ୍ଷ୍ୟ କଲି, ସେଗୁଡ଼ିକ ହେଉଛି: ପ୍ରମୋଶନ, ବଦଳି ଓ ଗସ୍ତଖର୍ଚ୍ଚ । ଏହା ଶୁଣି ଶୁଣି ମୋତେ ବଡ଼ ବିରକ୍ତ ଲାଗିଲା । କିନ୍ତୁ ସମସ୍ତ ପରେ ହରିହର ନମ୍ବର ତିନି ସେକ୍ରେଟାରୀଙ୍କୁ କହିଲେ, ‘ଅବଶ୍ୟ ଏହି ଉପାୟରେ ଆପଣ ପି.ଏ.ଙ୍କ ଆକ୍ରମଣରୁ ରକ୍ଷା ପାଇଯାଇ ପାରନ୍ତି । କିନ୍ତୁ ଏମିତି କରିବାଦ୍ୱାରା ଆପଣଙ୍କ ଫୋନ୍ ବିଲ୍ ଯଥେଷ୍ଟ ବଢ଼ିଯିବ ନାହିଁ କି-?’ ତିନି ନମ୍ବର ସେକ୍ରେଟାରୀ ହସି ହସି ଅସମ୍ଭାଳ ହୋଇ ଉତ୍ତର ଦେଲେ, ‘କ’ଣ କହିଲେ, ଆଜ୍ଞା-? .....ଆଉ ଥରେ ଶୁଣାନ୍ତୁ ତ ! ଧରି ନିଅନ୍ତୁ, ଫୋନବିଲ୍ ଦଶଗୁଣ ବଢ଼ିଗଲା । ଏଥିରେ କାହାର କ୍ଷତି ହେବ ? ....ସରକାରଙ୍କ ଏହି ଫେମିଲ-ପ୍ଳାନିଂ ବିଭାଗର ପାଣ୍ଠି, ସେଇ ସରକାରଙ୍କ ଟେଲିଫୋନ୍ ବିଭାଗକୁ ଯିବ । ଏହି ମର୍ମରେ ମୁଁ ଗୋଟିଏ ସାଧାରଣ ଉଦାହରଣ ଦେଉଛି:–ତମେ ବାମହାତରେ ଧରିଥିବା ଟଙ୍କା ଡାହାଣ ହାତକୁ ସ୍ଥାନାନ୍ତରିତ କଲେ, ତମର କିଛି କ୍ଷତି ହୋଇନଥାଏ । ଠିକ୍ ସେମିତି ସରକାରଙ୍କ ଗୋଟିଏ ବିଭାଗର ଟଙ୍କା ଆଉ ଗୋଟିଏ ବିଭାଗକୁ ଗଲେ, କୌଣସି ହାନି ଘଟିବ ନାହିଁ । ...ସରକାରଙ୍କ ଟଙ୍କା ମୁଁ ତ ଘରକୁ ନେଇ ଯାଉ ନାହିଁ ଯେ ସରକାର ଦେବାଳିଆ ହୋଇଯିବ...’ ତିନି ନମ୍ବର ସେକ୍ରେଟାରୀଙ୍କ ମନ୍ତବ୍ୟ ଶୁଣିବା ପରେ ଆମେ ନିରୁତ୍ତର ହୋଇ ସେହି ଡିପାର୍ଟମେଣ୍ଟର ସରୁଆ ରାସ୍ତା ଦେଇ ଯାଉଥିବା ବେଳେ ମୁଁ ପକେଟ୍‌ରୁ ଗୋଟିଏ ପିପରମେଣ୍ଟ ବାହାର କରି ପାଟିରେ ପୁରାଇଲି । ସେଇ ସମୟରେ ମୁଁ ଶୁଣିବାକୁ ପାଇଲି, ମତେ କେହି ଜଣେ ଚୁଟୁକି ଫୁଟାଇ ‘ହେଲୋ ବୟ’ ବୋଲି ଡାକୁଛି । ମୁଁ ପଛ ପଟକୁ ମୁହଁ ବୁଲାଇ ଜାଣିଲି ଯେ ଏହି ଆବାଜଟି ସେହି କୁତ୍ସିତ ମହିଳା-କିରାଣୀର । ସେ ମତେ ବର୍ତ୍ତମାନ ହାତ ପସାରି ଗୋଟିଏ ପିପରମେଣ୍ଟ ମାଗିଲା । ମୁଁ ଶୁଣିଛି ସେ ଗର୍ଭଣୀ ନାରୀର ମନ ମୁତାବକ ଖାଇବା ଜିନିଷ ନ ଦେଲେ, ତା’ର ଯେଉଁ ଛୁଆ ଜନ୍ମ ହୁଏ, ସେ ସବୁଦିନେ ପାଟିରୁ ନାଳ ଗଡ଼ାଏ । ଏହା ସତ ନା ମିଛ–ମୁଁ ପରୀକ୍ଷା କରି ନାହିଁ । ତଥାପି ତା’ ପାଖକୁ ଗଲି । ସେ ଫାଇଲ, ଲେଖାରେ ବ୍ୟସ୍ତ ଥିବାରୁ ପିପରମେଣ୍ଟ ପାଇଁ ହାତ ନ ବଢ଼ାଇ ପାଟି ଆଁ କରି ଦେଲା–ମୁଁ କଦଳୀ ରସ ଦିଆ ପିପରମେଣ୍ଟର ଜରି ଖୋଲି, ତା’ ପାଟିରେ ପୁରାଇବା ବେଳେ ସେ ଟାକରା ଫୁଟାଇ ପିପରମେଣ୍ଟ ସହିତ ମୋ ଆଙ୍ଗୁଠି ଟିପକୁ କୋମଳ ଭାବେ କାମୁଡ଼ି ଦେଲା, ସେ ମତେ ପୂର୍ବରୁ ମୋ ସ୍ତ୍ରୀ ପରି ‘ହେଲୋ ବୟ’ ବୋଲି ସମ୍ବୋଧନ କରି ଥିବାରୁ ଓ ବର୍ତ୍ତମାନ ମୃଦୁ ଭାବେ ଆଙ୍ଗୁଠି କାମୁଡ଼ି ଦେବାରୁ ମୁଁ ତା’ ମନରେ କିଛି ପାପ-ଉଦ୍ଦେଶ୍ୟ ଅଛି ନା ନାହିଁ ବୋଲି ଜାଣିବାକୁ ଆବିଳ ଭାବନାରେ ନିମଜ୍ଜିତ ହୋଇଗଲି । ମୁଁ କଣେଇ କଣେଇ ଚାହୁଁ ଚାହୁଁ ଜାଣିଲି ଯେ ମହିଳା-କିରଣୀଟି ତା’ ଫୁଲଫୁଟା ଶାଢ଼ୀକୁ ଜୋରରେ ଟାଣି ପଣତ କାନିକୁ ବ୍ଲାଉଜ ଭିତରେ ପୁରାଉଛି । ସେତେବେଳେ କେହି ଗୋଟିଏ ଖଚଡ଼ କିରାଣୀ ଟେବୁଲ ବାଡ଼େଇ ଖିଲି ଖିଲି ହୋଇ ହସିଲା । ଏଥିରେ ମୋର ଚୋରା-ଚାହାଣୀ ତୁରନ୍ତ ଉଭେଇ ଗଲା । ତା’ପରେ କେଉଁ କିରାଣୀ ମୋ ପ୍ରତି ଏହି ଅଶୋଭନୀୟ ହସ ଦେଖାଇଲା ବୋଲି ଜାଣିବାକୁ ମୁଁ ଚେଷ୍ଟା କଲି । କିନ୍ତୁ ବିଫଳ ହେଲି । ପରିଶେଷରେ ସର୍ବସାଧାରଣଙ୍କ ଉପରେ ଆଖି ବୁଲାଇ ରାଗରେ ବିଶେଷତଃ ଆତ୍ମରକ୍ଷା କରିବାକୁ କହିଲି–‘ମୁଁ ଖାସୁ ହୋଇଯାଇଛି ବୋଲି କଳିଯୁଗର କୃଷ୍ଣ ସାଜିବାକୁ ଚାହୁଁ ନାହିଁ ...ତା’ପରେ ଏହି ମହିଳା-କିରାଣୀ ପରି କିସ୍କିନ୍ଧା-ସୁନ୍ଦରୀକୁ କୌଣସି ବ୍ୟକ୍ତି-ସେ ଯେତେଦୂର କାମାତୁର ହେଉନା କାହିଁକି–ରାତି ଅଧରେ ମଧ୍ୟ ଛୁଇଁବ ନାହିଁ …ତେଣୁ ତମେମାନେ ଭାବ ନାହିଁ ଯେ ମୁଁ ଏତେ ଶସ୍ତା ଓ ତରଳ.. ‘ମୋର କ୍ରୋଧ ଦ୍ଵିଗୁଣିତ ହୋଇ ବଢ଼ୁଥିବା ସମୟରେ ହରିହର ମତେ ଟାଣି ଟାଣି ସେ ଘରୁ ବାହାରକୁ ନେଇଗଲେ ।

 

‘‘ମୁଁ ଗୋଟିଏ ଜିନିଷ କହିବାକୁ ଭୁଲି ଯାଇଛି । ଏଥିପୂର୍ବରୁ ଆପଣମାନଙ୍କୁ ଦୁଇ ନମ୍ବର ସେକ୍ରେଟାରୀଙ୍କୁ ରାଷ୍ଟ୍ରମୁଖ୍ୟଙ୍କ ପି.ଏ. ଫୋନ୍ କରିଥିବା ବିଷୟ ସୂଚାଇଥିଲି । ଏହାର ରହସ୍ୟ ମୁଁ ପରେ ପରେ ବିଭିନ୍ନ ଲୋକଙ୍କ ମୁହଁରୁ ଶୁଣିବାକୁ ପାଇଲି । ଦୁଇ ନମ୍ବର ସେକ୍ରେଟାରୀ ତାଙ୍କର ବର୍ତ୍ତମାନର ପୋଷ୍ଟରୁ ଉନ୍ନତ୍ତ ହେବା ପୂର୍ବରୁ ଅଞ୍ଚଳ-ଅଧିକାରୀ ପଦରେ ଥିଲେ । ସେ ସମୟରେ ସରକାର ହଠାତ ଗୋଟିଏ ସଙ୍ଗଠନକୁ ବେଆଇନ ବୋଲି ଘୋଷଣା କଲେ କାରଣ ସରକାର ଅନୁଭବ କଲେ ଯେ ଏହି ସଙ୍ଗଠନ ଆଦର୍ଶର ଆଳରେ ଦେଶଦ୍ରୋହୀ କାର୍ଯ୍ୟରେ ଲିପ୍ତ ଅଛି । ତେଣୁ ଏହି ସଙ୍ଗଠନର ସଭ୍ୟମାନଙ୍କୁ ଗିରଫ କରି ସେମାନଙ୍କ ହୀନ ଚକ୍ରାନ୍ତକୁ ଭଣ୍ଡୁର କରିବା ପାଇଁ ପ୍ରଶାସନିକ ବିଭାଗକୁ କଡ଼ା ଓ ସ୍ପଷ୍ଟ ନିର୍ଦ୍ଦେଶ ଦିଆଗଲା । ରାଷ୍ଟ୍ରମୁଖ୍ୟ ପୁଣି ଆଦେଶ ଜାରି କଲେ ଯେ ଏହି ସଙ୍ଗଠନର ବ୍ୟକ୍ତିମାନଙ୍କୁ ବିନା କାରଣରେ ଓ ଅଦାଲତରେ ବିଚାର କରା ନ ଯାଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦୀ କରି ରଖାଯାଇ ପାରିବ, ଏହି ଉପାୟରେ ପ୍ରଶାସନିକ ବିଭାଗକୁ ଅଖଣ୍ଡ କ୍ଷମତା ଦିଆଗଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯେଉଁ କର୍ମଚାରୀମାନେ ବହୁତ ଲୋକଙ୍କୁ ଆରେଷ୍ଟ କଲେ, ସରକାର ସେମାନଙ୍କୁ ପ୍ରମୋଶନ ଦେଲେ । ଦୁଇ ନମ୍ବର ସେକ୍ରେଟାରୀ ସେତେବେଳେ ଅଞ୍ଚଳ ଅଧିକାରୀ ଥିଲେ । ସେ ସରକାରଙ୍କ ଏହି ଘୋଷିତ କାର୍ଯ୍ୟକ୍ରମକୁ ଏକ ଅପୂର୍ବ ସୁଯୋଗ ବୋଲି ଭାବିଲେ । ସେ ଉକ୍ତ ବେଆଇନ ଘୋଷିତ ସଙ୍ଗଠନର କାର୍ଯ୍ୟାଳୟର କାଗଜ ପତ୍ର ତଦନ୍ତ କରୁଥିବା ବେଳେ ଦେଖିଲେ ଯେ ସେଥିରେ ତିନି ଚାରୋଟି ପୁରୁଣା ରସିଦ ବହି ଅଛି । ସେଗୁଡ଼ିକରେ ଯେଉଁ କାଉଣ୍ଟରଫଏଲ୍‌ ଗୁଡ଼ିକ ଅଛି, ସେଥିରେ ଏହି ଅନୁଷ୍ଠାନକୁ ଦେଇଥିବା ଦାତାମାନଙ୍କର ଚାନ୍ଦାର ପରିମାଣ ଓ ପୁରା ଠିକଣା ଅଛି । ଅଞ୍ଚଳ ଅଧିକାରୀ ସାହେବ ସଙ୍ଗେ ସଙ୍ଗେ ଦାତାମାନଙ୍କର ଗୋଟିଏ ତାଲିକା ତିଆରି କରି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସ ବିଭାଗକୁ ଜଣାଇଲେ । ବିଚାର ଚାନ୍ଦାଦାତାମାନେ ଉକ୍ତ ସଙ୍ଗଠନକୁ ଦାନ କରିବା ପଛରେ ବହୁ କାରଣ ଥିଲା । କିଏ ନିଜର ସ୍ଵଭାବ-ସୁଲଭ ଧାର୍ମିକତା ଯୋଗୁଁ, କିଏ ସଙ୍ଗଠନର କର୍ମକର୍ତ୍ତାମାନଙ୍କର ବାରମ୍ବାର ଅନୁରୋଧ ଯୋଗୁଁ ବିରକ୍ତ ହୋଇ; ଇତ୍ୟାଦି ନାନା କାରଣରୁ ଚାନ୍ଦା ଦେଇଥିଲେ । କିନ୍ତୁ ସେମାନେ ଯେଉଁ ଉଦ୍ଦେଶ୍ୟ ଯୋଗୁଁ ଚାନ୍ଦା ଦେଇଥାନ୍ତୁ ନା କାହିଁକି, ସେଥିପାଇଁ କୌଣସି ଦୃଷ୍ଟି ଦିଆ ନ ଯାଇ, ନିର୍ବିଚାର ଭାବେ ସେମାନଙ୍କୁ ଜେଲକୁ ନିଆଗଲା । ଏହାହେଲା ଦାନ ଉପରେ ଦକ୍ଷିଣା । କେବଳ ସେତିକି ନୁହେଁ, ଯଦି ଚାନ୍ଦାଦାତା ଇତ୍ୟବସରରେ ମରି ଯାଇଛି, ତାହାହେଲେ ତା’ର ପୁଅକୁ ଜେଲକୁ ଅଣାଗଲା । (ବୋଧହୁଏ ପିତୃଋଣ ପରିଶୋଧ କରିବା ପାଇଁ-।) ଏହି କାର୍ଯ୍ୟକ୍ରମ ଏତେ ନିଷ୍ଠୁର ଭାବେ କାର୍ଯ୍ୟକାରୀ କରାଗଲା ଯେ ଜେଲର ଆଉ ଜାଗା ରହିଲା ନାହିଁ । ତେଣୁ ବଳକା ଲୋକଙ୍କୁ ‘ଫ୍ରି ପ୍ରିଜନ୍’ରେ ରଖାଗଲା । ଏହି ଫ୍ରି ପ୍ରିଜନ୍ ସମ୍ପର୍କରେ ମୁଁ ବଡ଼ ଅଜବ କଥା ଶୁଣିଲି; ଆମେ ଜାଣୁ ସେ ଜେଲଘରର ବାହାର ପଟୁ ତାଲାଦେଇ ବନ୍ଦ କରଯାଇଥାଏ-। କିନ୍ତୁ ଫ୍ରୀ ପ୍ରିଜନ୍‌ରେ ଲୋକମାନେ ନିଜେ ନିଜେ ଭିତରପଟୁ କବାଟ କିଳିଦେଇ ରହିଥା’ନ୍ତି-। ଏହାର କାରଣ ହେଉଛି ଯେ ଏହି ଫ୍ରୀ ପ୍ରିଜନ୍‌ର ବନ୍ଦୀମାନଙ୍କୁ କୁଆଡ଼େ ସମ୍ପୂର୍ଣ୍ଣ ଭାବେ ଉଲଗ୍ନ କରାଯାଇଥିଲା । ଫଳରେ ବନ୍ଦୀମାନେ ଲଜ୍ଜାବଶତଃ ନିଜ ଜନନେନ୍ଦ୍ରିୟକୁ ନିଜେ ହାତ ଘୋଡ଼ାଇ ରଖିଲେ । ଆଉ ଘର ବାହାରକୁ ଚାଲିଯିବା ପ୍ରଶ୍ନ ଉଠି ନ ପାରେ, ଯାହାହେଉ, ଅଞ୍ଚଳ-ଅଧିକାରୀ ଯେଉଁ ତାଲିକା ଦେଇଥିଲେ, ସେହି ଅନୁସାରେ ସମସ୍ତଙ୍କୁ ଗିରଫ କରାଗଲା କିନ୍ତୁ ଗୋଟିଏ ବ୍ୟକ୍ତିକୁ ଜାଣି ଶୁଣି ଆରେଷ୍ଟ କରାଯାଇ ନଥିଲା । ଏହି ବ୍ୟକ୍ତିଙ୍କ ସମ୍ପର୍କରେ କହୁଛି ପୋଲିସ ତଦନ୍ତ କରି ଜାଣିଲେ ଯେ ଏହି ଜଣକ ହେଉଛନ୍ତି ବର୍ତ୍ତମାନର ପୋଲିସ ବିଭାଗର ରାଷ୍ଟ୍ରମନ୍ତ୍ରୀ ମହାଶୟ ଉପରୋକ୍ତ ଚାନ୍ଦା ସଂଗ୍ରହ ବେଳେ ଜଣେ ଅଜଣା ଅଶୁଣା ସାଧାରଣ ନାଗରିକ ଥିଲେ । ସେ ବର୍ତ୍ତମାନ ରାଜନୀତିରେ ପଶି ମନ୍ତ୍ରୀ ସ୍ତରକୁ ଆସିଛନ୍ତି । ତେଣୁ ପୋଲିସ ଏହାକୁ ଆରେଷ୍ଟ ନ କରି ନୀରବ ରହିଲେ । ଯାହାହେଉ, ଅଞ୍ଚଳ-ଅଧିକାରୀ ତଥାକଥିତ ଅସଂଖ୍ୟ ରାଷ୍ଟ୍ରଦ୍ରୋହୀଙ୍କୁ ଗିରଫ କରି ପାରିଥିବା ଯୋଗୁ ତାଙ୍କୁ ସଙ୍ଗେ ସଙ୍ଗେ ଦୁଇ ନମ୍ବର ସେକ୍ରେଟାରୀ ପଦକୁ ପ୍ରମୋଶନ୍ ଦିଆ ହେଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସେକ୍ରେଟାରୀ ମହାଶୟଙ୍କ ଦଶା ବର୍ତ୍ତମାନ ଭଲ ନାହିଁ । ଏହାର କାରଣ ହେଉଛି ଯେ ଭିଜିଲାନସ୍‌ ବିଭାଗର ଜନୈକ ଡିଷ୍ଟ୍ରିକ୍ଟ ଆଇ. ଜି. ଅପାରଗତା ଯୋଗୁଁ ଉପରକୁ ଉଠି ପାରୁ ନ ଥିଲେ । ସେ ଏଥିପାଇଁ ସବୁବେଳେ ବ୍ୟସ୍ତ ଥା’ନ୍ତି-। ଥରେ ଖବର ନେବା ବେଳେ ସେ ଅକସ୍ମାତ ଜାଣି ପାରିଲେ ସେ ଉପରୋକ୍ତ ସେକ୍ରେଟାରୀ (ନଂ୨) ଉପରାଷ୍ଟ୍ରମନ୍ତ୍ରୀଙ୍କ ନାମରେ ଉକ୍ତ ଚାନ୍ଦା ଦେଇଥିବା ଯୋଗୁଁ ପ୍ରଥମ ଗିରଫ କରିବାକୁ ୱାରେଣ୍ଟ ଜାରି କରିଥିଲେ । ପରେ ଅବଶ୍ୟ ସେ ଏହି ଚାନ୍ଦାଦାତା ଜଣକ ଖୋଦ ପୋଲିସ ରାଷ୍ଟ୍ରମନ୍ତ୍ରୀ ବୋଲି ଜାଣିବା ପରେ ଚୁପ୍ ଚାପ୍ ରହିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମନ୍ତ୍ରୀ ମହାଶୟଙ୍କୁ ଜାରି କରିଥିବା ବା ଗିରଫ ଓ୍ୱାରେଣ୍ଟର କାଗଜ ପତ୍ର (ରେକର୍ଡ଼) ରେ ଥିବା ସମସ୍ତ ପ୍ରମାଣ ନଷ୍ଟ କରିଲେ ନାହିଁ । ଏହି ବିଷୟଟି ଅପାରଗ ଡିଷ୍ଟ୍ରିକ୍ଟ ଆଇ.ଜି ଜାଣି ପାରିଲେ । ସେ ଭାବିଲେ ସେ ଏହାକୁ ଭିତ୍ତି କରି ସେ ଏମିତି ଗୋଟିଏ ଧାରଣା ପୋଲିସ୍ ରାଷ୍ଟ୍ରମନ୍ତ୍ରୀଙ୍କ ମନରେ ସୃଷ୍ଟି କରିବେ, ଯାହାଫଳରେ ତାଙ୍କର ପ୍ରମୋଶନ ହୋଇ ପାରିବ । ତେଣୁ ସେ ମନ୍ତ୍ରୀ ମହାଶୟଙ୍କୁ ସାକ୍ଷାତ କରିବାକୁ ରାଜଧାନୀକୁ ଗଲେ-। ସେତେବେଳେ ରାଷ୍ଟ୍ରମୁଖ୍ୟ ଓ ପୋଲିସ ରାଷ୍ଟ୍ରମନ୍ତ୍ରୀ କୌଣସି ଏକ ଘରେ (ଯେଉଁଠାରୁ ଚନ୍ଦ୍ର କିମ୍ବା ସୂର୍ଯ୍ୟ ଚାହିଁ ପାରନ୍ତି ନାହିଁ) ମନ୍ତ୍ରଣା କରୁଥିଲେ-। ଡିଷ୍ଟ୍ରିକ୍‌ଟ ଆଇ.ଜି. ସେମାନଙ୍କ ପାଖକୁ ଯାଇ ଛ’କୁ ନ’ କରି, ସତ ସହିତ ମିଛ ଜୋଡ଼ି ଖବର ଦେଲେ ସେ ଦୁଇ ନମ୍ବର ସେକ୍ରେଟାରୀ ମନ୍ତ୍ରୀଙ୍କୁ ଆରେଷ୍ଟ କରିବାକୁ ପୂର୍ବରୁ ଯୋଜନା କରିଥିଲେ-। ଏହାର ପ୍ରମାଣ ସ୍ଵରୂପ ସେ ୱାରଣ୍ଟର ଗୋଟିଏ ଫୋଟ-କପି ଉଭୟକୁ ଦେଖାଇଲେ । ଏହା ମନ୍ତ୍ରୀଙ୍କ ମନରେ ଗଭୀର କ୍ରୋଧଭାବ ସୃଷ୍ଟି କଲା । ତା’ପରେ ସେ ଜାଣି ପାରିଲେ ସେ ତାଙ୍କ ସମେତ ଅନ୍ୟ ନିରୀହ ଚାନ୍ଦାଦାତାଙ୍କୁ ସେକ୍ରେଟାରୀ(ନଂ୨) କେମିତି ଅନ୍ୟାୟ ଭାବେ ଗିରଫ କରିବାକୁ ଆଦେଶ ଦେଇଥିଲେ–କାର୍ଯ୍ୟକାରୀ ମଧ୍ୟ କରିଥିଲେ । ବର୍ତ୍ତମାନ ସେ ରାଷ୍ଟ୍ରମୁଖ୍ୟଙ୍କୁ କହି ଦୁଇ ନମ୍ବର ସେକ୍ରେଟାରୀଙ୍କୁ ତୁରନ୍ତ ବନ୍ଦୀ କରିବାକୁ ଆଦେଶ ଦେଲେ । (ଅବଶ୍ୟ ମନ୍ତ୍ରୀ ମହାଶୟଙ୍କ ନିଜ ଉପରକୁ କଥାଟି ଆସି ନ ଥିଲେ ଅସଲ ବିଷୟ ଜଣା ପଡ଼ି ନଥାନ୍ତା ଓ ନିରୀହ ଲୋକମାନେ ଜେଲରେ ସଢ଼ିବା ବେଳେ ଦୁଇ ନମ୍ବର ସେକ୍ରେଟାରୀ ସ୍ପଞ୍ଜଗଦିରେ ବସି ମହିଳା-କିରାଣୀ ସହିତ ଗପସପରେ କାଳାତିପାତ କରୁଥା’ନ୍ତେ) । ମୁଁ ଦୁଇନମ୍ବର ସେକ୍ରେଟାରୀଙ୍କ ରୁମ୍‌ରେ ଥିବାବେଳେ ରାଷ୍ଟ୍ରମୁଖ୍ୟଙ୍କ ପି.ଏ. ଏହି ବନ୍ଦୀ ଆଦେଶ ଆପଣ ଫୋନଦ୍ଵାରା ସେକ୍ରେଟାରୀଙ୍କୁ ଜଣାଇଥିଲେ । ସେକ୍ରେଟାରୀ ମହାଶୟ ଏହି ମୌଖିକ ଆଦେଶକୁ ପ୍ରଥମେ ବିଶ୍ଵାସ କରି ପାରିଲେ ନାହିଁ କାରଣ ତାଙ୍କର ବର୍ତ୍ତମାନ ସୁଦ୍ଧା ବିଶ୍ଵାସ ରହିଛି ଯେ ସେ ସରକାରଙ୍କର ପ୍ରିୟପାତ୍ର । ତେଣୁ ଏହି ଆଦେଶ ବିଷୟରେ ନିଶ୍ଚିତ ହେବା ପାଇଁ । ସେ ପି.ଏ ଙ୍କୁ ବହୁତ ଫୋନ୍‌ରେ ପଚାରିଲେ । ଦୁର୍ଭାଗ୍ୟବଶତଃ ପି.ଏ. ଗୋଟିଏ ବିଚିତ୍ର ଧରଣର କାଲ । ଯେତେଥର ସେକ୍ରେଟାରୀବାବୁ ପଚାରିଲେ ମଧ୍ୟ ପି.ଏ. ଉତ୍ତର ଦେଉ ନଥା’ନ୍ତି । ଶେଷରେ ଉଦ୍‌ବିଗ୍ନ ହୋଇ ସେକ୍ରେଟାରୀ ସାହେବ ପୋଲିସ ପାଖରେ ଆତ୍ମସମର୍ପଣ କଲେ । (ପ୍ରକାଶ ଥାଉ କି, ଏଠାରେ ପୋଲିସ ସଂସ୍ଥା ଖୁବ୍ ଦକ୍ଷ-। ଏମାନଙ୍କ ଆଖିରେ ଧୂଳି ପକାଇ ଚାଲିଯିବା କଷ୍ଟସାଧ୍ୟ । ଯିଏ ବା ଚାଲିଯାଏ, ସିଏ ଧରା ପଡ଼ିଲେ, ତାକୁ ଜେଲରେ ବାଡ଼େଇ ବାଡ଼େଇ ମାରି ଦିଆଯାଏ ।) ଏପଟେ ସେକ୍ରେଟାରୀଙ୍କ ପତନ ହେବା ବେଳେ, ତେଣେ ଡିଷ୍ଟ୍ରିକ୍ଟ ଆଇ. ଜି. ଙ୍କୁ ଅପାରଗତା ଦୋଷରୁ ମୁକ୍ତ କରାଯାଇ, ଶୀଘ୍ର ଉନ୍ନୀତ କରାଗଲା । ଅବଶ୍ୟ ଡିଷ୍ଟ୍ରିକ୍, ଆଇ.ଜି ବାବୁ ଏଥିରେ ଖୁସି ହୋଇଯିବା ଉଚିତ ନୁହେଁ; କାରଣ ଏହା ଉପରକୁ ଉଠିବା ରାସ୍ତାଟା ବଡ଼ ଖସଡ଼ା ।

 

ଯାହାହେଉ, ହରିହର ଓ ମୁଁ ପରିବାର ନିୟନ୍ତ୍ରଣ-ଅଫିସରୁ ବାହାରି ଆସିଲୁ । ସେତେବେଳେ ଅଫିସ ଛୁଟି ହୋଇ ଯାଇଥିବାରୁ ଅଫିସର ସବୁ କର୍ମଚାରୀ ଘରକୁ ଫେରୁଥା’ନ୍ତି । ଆମେ ସେହି ଭିତରେ ମୁଖ୍ୟ ଫାଟକ ଅତିକ୍ରମ କଲୁ । କିଛି ରାସ୍ତା ଯିବା ପରେ ହରିହର ମତେ ଗୋଟିଏ ଦାଢ଼ିଆ ଲୋକକୁ ଦେଖାଇଲା l ସେ ପିନ୍ଧିଥିବା ଲୁଗାଟି ଚିରା ଓ କୌଣସି ଏକ ପରିତ୍ୟକ୍ତ ପୁରୁଣା ଅଖାରେ ତିଆରି-ଯାହା ଅନେକ ସ୍ଥାନରେ ଛିଣ୍ଡି ଯାଇଥାଏ । ଲୋକଟି ଅତ୍ୟନ୍ତ ରୁକ୍ଷ ଓ ଭୋକିଲା ଦେଖାଯାଉଥାଏ । ସେ ହାତରେ ଗୋଟିଏ ମଇଳା ଆଲୁମିନିୟମ୍ ଥାଳି ଧରି ଭିକ୍ଷା ମାଗୁଥିଲା ଓ ଲୋକେ ଚାଉଳ, ପରିବା କିମ୍ବା ପଇସା ତା’ ଥାଳିକୁ ଫୋପାଡ଼ୁଥା’ନ୍ତି । ହରିହର ମୋ କାନରେ ଚୁପଚାପ କହିଲେ ଯେ ସେ ଗୋଟିଏ ଗୁପ୍ତଚର–ଏମାନେ ସରକାରଙ୍କ ଦ୍ଵାରା ନିଯୁକ୍ତି ହୋଇଥା’ନ୍ତି ଓ ଶାସନ ବିଭାଗକୁ ନାଗରିକମାନଙ୍କର କାର୍ଯ୍ୟକଳାପ (ଯାହାକି ଆପତ୍ତିଜନକ ବୋଲି ସେମାନେ ଭାବନ୍ତି) ସମ୍ପର୍କର ଗୋପନୀୟ ଭାବେ ଜଣାଇଥା’ନ୍ତି । ବର୍ତ୍ତମାନର ଏହି ଲୋକଟି ଚକୁଳିଆ ପଣ୍ଡା ପରି ଛଦ୍ମବେଶ ଧରି ଗୁପ୍ତଚରକାର୍ଯ୍ୟ କରୁଥିବାରୁ ମୁଁ ଭୀତତ୍ରସ୍ତ ଦେଇଗଲି । ଆମେ ତାକୁ ଅତିକ୍ରମ କରିବା ଯାଏଁ ମୁଁ ତା ଆଡ଼କୁ ବଙ୍କେଇ ବଙ୍କେଇ ଅନେଇ ଥାଏ–ତା’ର ଗତିବିଧି ଲକ୍ଷ୍ୟ କରିବା ପାଇଁ । ତାକୁ ପଛରେ ପକାଇ କିଛି ଦୂର ଚାଲିଯିବା ପରେ ମୁଁ ପୁଣି ପଛ ପଟକୁ ଚାହିଁ ଦେଖିଲି ଯେ ସେ ଆମକୁ ଅନୁସରଣ କରୁଛି । ମୁଁ ଥରକୁ ଥର ପଛକୁ ଚାହିଁ ଏହି ବିଷୟ ହଁ ଲକ୍ଷ୍ୟକଲି । ହରିହରଙ୍କୁ ଏହି ଦୁଃସମ୍ବାଦ ଜଣାଇବି ବୋଲି ମୁଁ ଭାବୁଥାଏ । କିନ୍ତୁ ଏଥିପାଇଁ ମତେ ସୁଯୋଗ ମିଳୁ ନ ଥାଏ । ହରିହରଙ୍କୁ ବର୍ତ୍ତମାନ ଏହି ବିଷୟ ପାଟି ଖୋଲି କହିଲେ, ତଥାକଥିତ ଭିକାରୀଟି ପଛପଟୁ ସବୁ ବିଷୟ ଶୁଣିଦେବ ବୋଲି ମୋ ମନରେ ଭୟ ଦେଉଥାଏ । ତେଣୁ ମନର କଥା ମନରେ ଭିଡ଼ିଧରି ହରିହର ସହିତ ଆଗକୁ ମାଡ଼ି ଚାଲିଥାଏ । ଅଳ୍ପ ସମୟ ମଧ୍ୟରେ ଜଣେ ଲୋକ ରାସ୍ତା କଡ଼ରେ ଗୋଟିଏ ଘରର କବାଟ ହଠାତ୍ ଖୋଲିଲା । ସେ ହରିହରଙ୍କୁ କିଛି ଗୁପ୍ତ ବିଷୟ କହିବାକୁ ତା’ ଘର ଭିତରକୁ ଡାକି ନେଇଗଲା । ହରିହର ମତେ ବିଦାୟ ଜଣାଇ ସେହି ଲୋକଟି ସହିତ ତା’ ଘର ଭିତରକୁ ଯାଇ ଭିତର ପଟୁ କବାଟି କିଳି ଦେଲେ । ମୋ ପାଖରେ ବର୍ତ୍ତମାନ କେହି ନାହିଁ-ମୁଁ ନିତାନ୍ତ ନିଃସହାୟ ମନେ କଲି । ପଛ ପଟରୁ ଗୁପ୍ତଚର ଭିକାରୀଟି ମତେ ପୂର୍ବ ପରି ଗୋଡ଼ାଉଛି । ସେତେବେଳେ ମୁଁ କ’ଣ କାଳେ ଦୋଷକରି ପକାଇଛି ବୋଲି ନିଜକୁ ନିଜେ ପ୍ରଶ୍ନ କଲି । ସେମିତି କିଛି ଘଟଣା ମୋ ମନକୁ ଛୁଇଁଲା ନାହିଁ । ତା’ପରେ ମୁଁ ନିଜକୁ ନିଜେ ସାନ୍ତ୍ଵନା ଦେଲି ଯେ ମୁଁ ସେମିତି କିଛି ଅପରାଧ କରି ନାହଁ ଯାହାଦ୍ଵାରା ମୁଁ ଦଣ୍ଡିତ ହେବି । ଏହି ଅତ୍ମବିଶ୍ଵାସ ମୋ ମନରେ କ୍ରମଶଃ ପ୍ରବଳ ହେଲା ଓ ମୁଁ ଦୃଢ଼ ପଦକ୍ଷେପରେ ସେ ନିର୍ଜନ ରାସ୍ତାରେ ଅଗ୍ରସର ହେଲି । ଅବଶ୍ୟ ବେଳେବେଳେ ଦୁଇଟି ସାମାନ୍ୟ ଅପରାଧ କରିଥିବା ବିଷୟ ମୋ ମନକୁ ଛୁଉଁଥାଏ ଓ ମୁଁ କିଛି ଦବିଯାଉଥାଏ । ଏହି ଦୁଇଟି ଅପରାଧ ସେଇ ଜାଲ ଗେଟ୍ ପାଶ୍ ସମ୍ପର୍କୀୟ : ପ୍ରଥମତଃ,ଏଠାରେ ଗୋଟିଏ ନିୟମ ଅଛି ଯେ ଯେଉଁମାନେ ଫେମିଲି ପ୍ଲାନଂ କିମ୍ବା ଅନ୍ୟ ଡିପାର୍ଟମେଣ୍ଟକୁ ପାଶ୍ ନେଇ ପରିଦର୍ଶନରେ ଯାଇଥା’ନ୍ତି, ସେମାନେ ଫେରିବା ବେଳେ ଗାର୍ଡ଼କୁ ସେହି ପାଶ୍ ଫେରାଇ ଦେବା କଥା । ଅବଶ୍ୟ ଏହା ନିୟମ ସେଠାରେ କାମ କରୁଥିବା କର୍ମଚାରୀମାନଙ୍କ ପ୍ରତି ଲାଗୁ ନୁହେଁ କାରଣ ସେମାନଙ୍କର ହେଉଛି ସ୍ଥାୟୀ ପାଶ୍ । କିନ୍ତୁ ମୋ ପରି ପରିଦର୍ଶକମାନଙ୍କର ପାଶ୍ ହେଉଛି ଅସ୍ଥାୟୀ । ଏହି ଦୃଷ୍ଟିରୁ ମୁଁ ପାର୍ଶ୍ୱ ଗାର୍ଡ଼କୁ ନ ଦେଇ ଭୁଲ୍ କରିଛି-। ସେହି ସ୍ଥାୟୀ କର୍ମଚାରୀମାନଙ୍କ ଭିତରେ ଅଫିସରୁ ଫେରିବା ବେଳେ ମୁଁ ଏହି ବିଷୟ ପ୍ରତି ସଚେତନ ନଥିଲି ସୁଅରେ ଭାସି ଆସିବା ପରି ଚାଲି ଆସିଲି । ଏହାଦ୍ଵାରା ମୁଁ ଆଇନ ଲଙ୍ଘନ କଲି-। ଅବଶ୍ୟ ଏହା ବିଶେଷ ଗୁରୁତର ନୁହେଁ ଏବଂ ଉଦାର ବିଚାରକମାନେ ଏହାକୁ ଗୋଟିଏ ଟେକ୍‌ନିକାଲ ମିଷ୍ଟେକ୍ ବୋଲି କହି ମତେ କ୍ଷମା ଦେବେ । କିନ୍ତୁ ମୋର ଦ୍ଵିତୀୟ ଭୁଲ୍‌ଟି ଅପେକ୍ଷାକୃତ ଭାବେ ଗୁରୁତର । ମୁଁ ମିଥ୍ୟାରେ ନିଜକୁ ‘ଛୋଟ-ପରିବାର-କ୍ଲବ୍’ର ସଭାପତି ବୋଲି ପରିଚୟ ଦେଇ ଜାଲ ପାଶ୍ କରିଥିଲି । ଏହା ମୋ ଚରିତ୍ରର ବଦ୍‌ଗୁଣ ବିଷୟରେ ଯଥେଷ୍ଟ ଆଲୋକପାତ କରୁଛି । ସେହି ଜାଲ୍‌ ପାଶ୍ ରେ ମୋର ଏହି ନକଲି ପଦବୀଟି ରେକର୍ଡ଼ ହୋଇଛି । ବର୍ତ୍ତମାନ ମୁଁ ଭାବିଲି ଯେ ମତେ ଯେ କୌଣସି ଉପାୟରେ ଏହି ଜାଲ-ପାଶ୍ ଟି, ଯାହାକି ମୋ ସାର୍ଟ ପକେଟରେ ଅଦ୍ୟାବଧି ଅଛି, ଗୁପ୍ତଚରର ଅଗୋଚରରେ ନଷ୍ଟ କରିବାକୁ ହେବ । ନଚେତ ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ସୃଷ୍ଟି ହେଇପାରେ । ବିଶେଷତଃ ମୋର ଜାଲିଆତି ବିଷୟରେ ତଦନ୍ତ ହେଲେ ରିସ୍‌ପସିନିଷ୍ଟ, ଦୁଇ ନମ୍ବର ସେକ୍ରେଟାରୀ (ଯିଏକି ବର୍ତ୍ତମାନ ଜେଲ୍‌ରେ ଖଟୁଥିବାରୁ ମତେ ସହଯୋଗୀ ଭାବରେ ପାଇଲେ ଖୁସି ହେବେ) । ହରିହର ମହିଳା-କିରାଣୀ (ଯାହାରକି ଅଫିସର୍ ସେହି କିରଣୀମାନଙ୍କ ମଧ୍ୟରେ ଅନେକ ଶୁଖିଲା-ଗରାଖ ଥିବେ ବୋଲି ମୋର ଅନୁମାନ ହେଉଛି) ଓ ସମ୍ଭବତଃ ଖୋଦ ସ୍ଵାସ୍ଥ୍ୟମନ୍ତ୍ରୀ ମୋ ବିରୁଦ୍ଧରେ ସାକ୍ଷ୍ୟ ଦେବେ । ଏହି ଭୟଙ୍କର ଭବିଷ୍ୟତ ବିଷୟରେ ମୁଁ କ୍ରମଶଃ ନିବିଡ଼ ଭାବେ କଳ୍ପନା କଲି । ପରିଶେଷରେ ମୋ ମନ ଭାରି ଅସ୍ତବ୍ୟସ୍ତ ହେଲା । ସୁଯୋଗ ପାଇ, ଜାଲ-ପାଶ୍‍ଟି ପକେଟରୁ ବାହାର କର ଚିରି ଛୋଟ ଛୋଟ ଖଣ୍ଡ କଲି । ସେଗୁଡ଼ିକ ରାସ୍ତା କଡ଼କୁ ଫୋପାଡ଼ିବା ପାଇଁ ହାତ ଚାଲି ଯାଉଥିବା ବେଳେ ମୋ ମନ ପରିବର୍ତ୍ତନ ହେଲା କାଳେ ଗୁପ୍ତଚର ସେଗୁଡ଼ିକୁ ଯୋଡ଼ାଯୋଡ଼ି କରି ରହସ୍ୟ ଜାଣି ଦେଇପାରେ ବୋଲି । ତେଣୁ ସେଗୁଡ଼ିକୁ ପାଟିରେ ପୁରାଇ ଔଷଧ ବଟିକା ପରି ଗିଳିଦେଲି । ତା’ପରେ ମୋ ମନରେ ଆନନ୍ଦର ଢେଉ ଖେଳିଗଲା । ମୁଁ ପଛ ପଟକୁ ବୁଲି ଦେଖିଲି ଯେ ଅଳ୍ପ ଦୂରରେ ରାସ୍ତା କଡ଼ରେ ବସି ଭିକାରୀଟି ତା’ ଆଲୁମିନିୟମ୍‌ ଥାଳିରେ ଥିବା ଭିକ୍ଷାର ଚାଉଳ ମଧ୍ୟରୁ ପଇସା ବାଛୁଚି-। ମୁଁ ମନ ଖୁସିରେ ଗୋଟିଏ ପାର୍ଶ୍ଵ ରାସ୍ତାକୁ ବୁଲିବା ବେଳେ ହରିହର ସହତ ଆକସ୍ମିକ ଭାବେ ପୁଣି ଥରେ ଭେଟ ହେଲା । ତାଙ୍କ ସହିତ ଜଣେ ସବ୍‌ଜାନ୍‌ତା ଲୋକ ଥାଆନ୍ତି । ହରିହର ମତେ ତାଙ୍କ ସହିତ ପରିଚୟ କରାଇ ଦେଲେ ଯେ ସେ ହେଉଛନ୍ତି ଜଣେ ବିଶିଷ୍ଟ ସାମ୍ବାଦିକ । ସାମ୍ବାଦିକର ନାମ ଶୁଣିବା ମାତ୍ରେ ମୋ ଛାତି ଦାଉଁକିନା ହୋଇଗଲା । ସେ ଭିକାରୀଟି ଗୁପ୍ତଚର ଥିଲା; କିନ୍ତୁ ସାମ୍ବାଦିକ ହେଉଛି ମୁକ୍ତଚର । ଏମାନଙ୍କ ସ୍ଵାଧୀନତା ଆକାଶ ପରି ଅସୀମ ଓ ଅବାଧ୍ୟ । ଗୁପ୍ତଚରମାନେ ନାନା ପ୍ରକାର ଗୋପନୀୟ କୌଶଳ ଅବଲମ୍ବନ କରିବା ସତ୍ତ୍ଵେ ମଧ୍ୟ କେତେକ ସ୍ଥଳରେ ଗୁପ୍ତ ଖବର ଜାଣିପାରନ୍ତି ନାହିଁ । କିନ୍ତୁ ଏଇ ମୁକ୍ତଚରମାନେ ଅର୍ଥାତ ସାମ୍ବାଦିକ ମାନେ ଖୋଲାଖୋଲି ଭାବେ କାମ କରି ଅସଲ ରହସ୍ୟ ଉଦଘାଟନ କରିଥାନ୍ତି (ଏମିତିକି ରାଷ୍ଟ୍ରମୁଖ୍ୟଙ୍କୁ ଏମାନେ ଗାଦିରୁ ହଟାଇ ଥିବାର ଉଦାହରଣ ଆମେରିକା ଇତିହାସରୁ ମିଳେ) । ତେଣୁ ଗୁପ୍ତଚରକୁ ମୁଁ ଯେତେ ଭୟ କରୁନଥିଲି, ଏଇ ସାମ୍ବାଦିକଙ୍କୁ ତା’ଠାରୁ ଅଧିକ ଭୟ କଲି । ଦୁର୍ଭାଗ୍ୟବଶତଃ ହରିହର ମୋ ପରିଚୟ ଦେବାକୁ ଯାଇ ସାମ୍ବାଦିକଙ୍କୁ କହିଲେ ଯେ ମୁଁ ଛୋଟ ପରିବାର କ୍ଳବର ସଭାପତି । ମୁଁ ଯେଉଁ ବିଷୟଟି ଘୋଡ଼ାଇବା ପାଇଁ ଏତେ ଚେଷ୍ଟା କରୁଥିଲି ତାହା ଏତେ ସହଜରେ ଓ ଅପ୍ରତ୍ୟାଶିତ ଭବେ ପଦାରେ ପଡ଼ିଗଲା । କେବଳ ସେତିକି ନୁହେଁ, ମୁଁ ପଛକୁ ଚାହିଁ ଦେଖିଲି ଯେ ପଇସା ବାଛୁଥିବା ଭିକାରୀ ବର୍ତ୍ତମାନ ମୋ ଆଡ଼କୁ ମୁଣ୍ଡ ଟେକି ଚାହୁଁଛି–ଆମର ଚାରି ଚକ୍ଷୁ ତୀକ୍ଷ୍‌ଣ ଭାବେ ମିଳିତ ହେଲା । ମୁଁ ବଡ଼ ଅଶ୍ୱସ୍ତିକର ଅନୁଭବ କରୁଥାଏ ଓ ସେମାନଙ୍କ ଠାରୁ ଖସି ଚାଲିଯିବା ନିତାନ୍ତ ଆବଶ୍ୟକ ବୋଲି ଭାବୁଥାଏ । ଦୁର୍ଭାଗ୍ୟବଶତଃ ସାମ୍ବାଦିକ ମହାଶୟ ଆମ କ୍ଷୁଦ୍ର-ପରିବାର-ସଙ୍ଘ ସମ୍ପର୍କରେ ବିଶେଷ ବିବରଣୀ ଜାଣିବାକୁ ଚାହିଁଲେ । ମୁଁ ଏହି ଧରଣର ମିଥ୍ୟା ଆଲୋଚନା ପାଇଁ ପ୍ରସ୍ତୁତ ନଥିଲି । ତେଣୁ ତାଙ୍କୁ ଏଥିରୁ ନିବର୍ତ୍ତାଇବା ପାଇଁ ଓଲଟା ଭାବେ କହିଲି, ‘ଆମ ସଂଘ ବିଷୟରେ ଜାଣିବାକୁ ବହୁତ ସମୟ ଲାଗିବ । ମୁଁ ଓ ମୋ ସହକର୍ମୀମାନେ ଫେମିଲ୍ ପ୍ଲାନିଂକୁ ସଫଳ କରିବାକୁ ଦିନ ରାତି ଖୁବ୍ ପରିଶ୍ରମ କରୁଛୁଁ । ସରକାର ମଧ୍ୟ ଆମକୁ ଅତି ଉଦାର ଭାବେ ସାହାଯ୍ୟ ଓ ସହଯୋଗ ଢାଳି ଦେଉଛନ୍ତି । ଯାହାହେଉ, ଆପଣଙ୍କୁ ଏହି ସମ୍ପର୍କରେ ପୂର୍ଣ୍ଣ ବିବରଣୀ ଜଣାଇବା ସମୟସାପେକ୍ଷ । ଆପଣ ତ ସାମ୍ବାଦିକ । ଭାରି ବ୍ୟସ୍ତ ଥିବେ । ତେଣୁ ଅନ୍ୟ ଗୋଟିଏ ଦିନ ଆମେ ଏହି ବିଷୟରେ କଥାହେବା ।’ କିନ୍ତୁ ସାମ୍ବାଦିକ ମହାଶୟ ସହଜରେ ଛାଡ଼ିବା ଲୋକ ନୁହନ୍ତି । ସେ ଉତ୍ତର ଦେଲେ, ‘ମୋର ହଠାତ୍ ସେମିତି କିଛି କାମ ନାହିଁ । ଅବଶ୍ୟ ଗୋଟିଏ ଚିତ୍ରତାରକା ସହିତ କିଛି ସମୟ ପରେ ଗୋଟିଏ ଇଣ୍ଟରଭ୍ୟୁ ଅଛି । କିନ୍ତୁ ଚିତ୍ରତାରକାମାନଙ୍କ ବିଷୟତ ଆପଣ ଜାଣନ୍ତି । ସାତଟାବେଳେ ଇଣ୍ଟରଭ୍ୟୁ ଥିଲେ ଦଶଟାବେଳେ ଆସିବେ । ଫିଲ୍ମ ସୁଟିଂବେଳେ ମଧ୍ୟ ସେମାନେ ସିନେମା ପ୍ରଯୋଜକମାନଙ୍କୁ ସେମିତି ହଇରାଣ କରନ୍ତି ।’ ସେତେବେଳେ ମୁଁ ସାମ୍ବାଦିକଙ୍କୁ କହିଲି, ‘ଚିତ୍ରତାରକାମାନଙ୍କର ଭାଗ୍ୟ ବଡ଼ ବିଚିତ୍ର–ଏମାନେ ଏମିତି ଧରଣର Public Men ଯେ ପବ୍ଲିକଠାରୁ ଦୂରେଇ ରହିବାକୁ ସେମାନେ ଯେତେ ଚେଷ୍ଟା କରନ୍ତି, ତାଙ୍କର ଜନପ୍ରିୟତା ସେତେ ବଢ଼ିଥାଏ–ଯାହାକି ରାଜନୈତିକ ନେତା, ସମାଜସେବୀ ଆଦି ଅନ୍ୟ ପବ୍ଳିକ ମେନ୍‌ଠାରୁ ବିପରୀତ ଧରଣର । ‘‘ସେ ଯାହାଦେଉ, ଆପଣ ଶୀଘ୍ର ଯାଆନ୍ତୁ ! ଅନେକ ସମୟରେ ମିରାକଲ୍‌ ଘଟିଥାଏ । ହୁଏତ ଚିତ୍ରତାରକା ସହିତ ଠିକ୍ ସମୟରେ ଆପଣଙ୍କ ସାକ୍ଷାତ ହୋଇଯିବ । ପୁଣି ଏଠାରେ ମୋ ଶରୀରର ଝାଳ-ନାଳ ଶୁଙ୍ଘି ଘଣ୍ଟା ଘଣ୍ଟା ଧର ଠିଆ ହେବା ଅପେକ୍ଷା ସେଠାରେ ଶୀତ ତାପ ନିୟନ୍ତ୍ରିତ କୋଠାରେ ଚିତ୍ରତାରକାର ସୁବାସିତ ସୁନ୍ଦର ଶରୀର ନିକଟରେ ଆନନ୍ଦର ସହିତ ସମୟ ବିତାଇବା ଅଧିକ ଉଚିତ ହେବ । ଆପଣ ମୋ କଥା ମାନନ୍ତୁ । ଚିତ୍ରତାରକାଙ୍କ ଦର୍ଶନ ଠିକ ସମୟରେ ପାଇବେ ।’ ସେତେବେଳେ ହରିହର ମତେ ସମର୍ଥନ ଜଣାଇ କହିଲେ, ‘ହଁ, ସାମ୍ବାଦିକ ମହାଶୟଙ୍କୁ ଚିତ୍ରତାରକା ଠିକ ସମୟରେ ସାକ୍ଷାତ ଦେବେ କାରଣ ଉକ୍ତ ଚିତ୍ରତାରକା ଭଲଭାବେ ଜାଣନ୍ତି ସେ ଏହି ସାମ୍ବାଦିକଙ୍କର ପୁଅ ଜଣେ ଇନକମ୍ ଟ୍ୟାକ୍‌ସ ଅଫିସର । ଅନ୍ୟ କାହାରିକୁ ନ ହେଲେ ମଧ୍ୟ ଚିତ୍ରତାରକାମାନେ ଆୟକର-ବିଭାଗ ପଦାଧିକାରୀଙ୍କୁ ବଡ଼ ଭୟ ଓ ଭକ୍ତି କରନ୍ତି । ହରିହରଙ୍କ ଏହି ଭକ୍ତି ସତ୍ତ୍ୱେ ସାମ୍ବାଦିକ ମହାଶୟ ଆମକୁ ଛାଡ଼ି ଚାଲିଯିବାର କୌଣସି ସୂଚନା ଦେଲେ ନାହିଁ । ବରଂ ସେ ଛୋଟ-ପରିବାର-ସଂଘ ବିଷୟରେ ମତେ ତୁହାଇ ତୁହାଇ ପ୍ରଶ୍ନ କଲେ । ପ୍ରକୃତରେ ଫେମିଲି-ପ୍ଲାନିଂ ପାଇଁ ମୁଁ କୌଣସି ପ୍ରକାର କାର୍ଯ୍ୟ କରିନାହିଁ । ତେଣୁ ସାମ୍ବାଦିକ ମହାଶୟ ମତେ ପ୍ରଶ୍ନ କରିବାବେଳେ ମୁଁ ମନଗଢ଼ା ଉତ୍ତରମାନ ଦିଏ । ଏହା ପୁଣି ଅନେକ ସମୟରେ ଅବାସ୍ତବ ଓ ସନ୍ଦେହପୂର୍ଣ୍ଣ । ତେଣୁ ମିଛ କହୁଥିବା ବିଷୟ ସେଇ ଚତୁର ଓ ଅନୁଭବୀ ସାମ୍ବାଦିକ ଜଣକ ଇତ୍ୟବସରରେ ବୁଝି ସାରିଥିବେ ବୋଲି ସନ୍ଦେହ କରି ମୁଁ ବଡ଼ ଆଶ୍ୱସ୍ତିକର ଅନୁଭବ କରୁଥାଏ । ପ୍ରାୟ ଅଧଘଣ୍ଟାଏ ଯାଏଁ ସେ ମତେ ଏଣୁତେଣୁ ପଚାରିବା ପରେ ହଠାତ୍ ତାଙ୍କର ନୋଟ ବହିରେ, ଗୋଟିଏ ରପୋର୍ଟ ଲେଖିଲେ ଓ ମତେ ଦେଖାଇଲେ । ମୁଁ ରିପୋର୍ଟ ପଢ଼ି ଆଶ୍ଚର୍ଯ୍ୟ ହୋଇଗଲି କାରଣ ସାମ୍ବାଦିକ ମହାଶୟଙ୍କ ସ୍ମରଣଶକ୍ତି ଏତେ ପ୍ରଖର ଯେ ମୁଁ କହିଥିବା ବାକ୍ୟଗୁଡ଼ିକ ସେ ଅକ୍ଷରେ ଅକ୍ଷରେ ଲେଖିଛନ୍ତି । ତା’ପରେ ମତେ ସେ ରିପୋଟଟି ତଳେ ଦସ୍ତଖତ କରିବାକୁ କହିଲେ । ମୁଁ ପ୍ରଥମେ ବଡ଼ ଅଡ଼ୁଆରେ ପଡ଼ିଲି । କିନ୍ତୁ ହରିହର ବାଧ୍ୟ କରିବା ପରେ ଦସ୍ତଖତ କଲି । ସାମ୍ବାଦିକ ମହାଶୟ କହିଲେ, ‘ସରକାର ଆଜିକାଲି ପରିବାର-ନିୟୋଜନ ଉପରେ ଖୁବ୍ ଗୁରୁତ୍ଵ ଦେଉଛନ୍ତି । ତେଣୁ ଏହି ରିପୋର୍ଟଟି ଆମ ପତ୍ରିକାରେ ନିଶ୍ଚିତ ଭାବେ ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେବ । ପୁଣି ସରକାର ଯେତେବେଳେ ଆପଣଙ୍କୁ ସାହାଯ୍ୟ ଦେଉଛନ୍ତି, ଆମେ ଆପଣଙ୍କ ସମ୍ପର୍କରେ ପତ୍ରିକାରେ ଛାପିଲେ, ସରକାରଙ୍କ ପ୍ରିୟପାତ୍ର ହୋଇପାରିବୁ ।’ ସାମ୍ବାଦିକଙ୍କର ଏହି ମନ୍ତବ୍ୟରେ ମୁଁ ପ୍ରମାଦ ଗଣିଲି । ପ୍ରକୃତରେ ମୁଁ ସରକାରଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ପାଉ ନାହିଁ । ତେଣୁ ଏହି ମିଥ୍ୟା ରିପୋର୍ଟଟି ପ୍ରକାଶିତ ହେଲେ ମୋର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହେବ । ଏମିତି ସମୟରେ ହରିହର ସାମ୍ବାଦିକଙ୍କୁ କହିଲେ, ‘ଏଇ ବାବୁଙ୍କ ବିଷୟରେ ଆପଣ ଭଲଭାବେ ଜାଣି ରଖନ୍ତୁ । ସେ ଫେମିଲି-ପ୍ଲାନିଂକୁ ସଫଳ କରିବାକୁ ଦୃଢ଼ପ୍ରତିଜ୍ଞ । ଏହି କାରଣରୁ କୌଣସି ଗର୍ଭବତୀ ନାରୀକୁ ଦେଖିଲେ ଘୃଣାରେ ତାଙ୍କ ମନ ଫାଟିଯାଏ..’ ହରିହର ମୋ ପ୍ରତି ଏହି ମନ୍ତବ୍ୟ ଦେବାର କାରଣ ମୁଁ ବେଶ ବୁଝି ପାରୁଥାଏ । ଯେତେଦୂର ସମ୍ଭବ, ଫେମିଲ-ପ୍ଲାନିଂ ଅଫିସ୍‌ରେ ମହିଳା-କିରାଣୀ ପ୍ରତି ମୋର ବିରୁଦ୍ଧାଚରଣକୁ ଲକ୍ଷ୍ୟ କରି ସେ ଏହା କହୁଥିଲେ । ତେଣୁ ମୁଁ ଭାବିଲି ଯେ ଏମିତି କହୁ କହୁ ହରିହର ହୁଏତ ଫେମିଲି-ପ୍ଳାନିଂ ଅଫିସରେ ଘଟିଥିବା ସବୁ ବିଷୟ (ଯାହାକି ମୁଁ ଇତ୍ୟବସରରେ କଥା ପ୍ରସଙ୍ଗରେ କହି ଦେଇଛି) ସାମ୍ବାଦିକଙ୍କୁ କହିଦେବେ । ମୋ ମନରେ ଧରଣା ହେଲା ଯେ ଏହି ହରିହର ସବୁ ଅନର୍ଥର ସୂତ୍ରଧର । ତେଣୁ ମତେ ଏଠାରୁ ଶୀଘ୍ର ବିଦାୟ ନେବାକୁ ହେବ । ମୁଁ ପୁଣି ଥରେ ସାମ୍ବାଦିକ ମହାଶୟଙ୍କୁ ମନେ ପକାଇ କହିଲି, ‘ଆଜ୍ଞା ! ଚିତ୍ରତାରକା ସହିତ ସାକ୍ଷାତକାର ସମୟ ପାଖେଇ ଆସିଲାଣି । ଆପଣ ଶୀଘ୍ର ବାହାରନ୍ତୁ ।’ ସେତେବେଳେ ହରିହର ରସିକତା କରି କହିଲେ, ‘ଆଜ୍ଞା ! ଆକାଶର ତାରକା ହେଉ କିମ୍ବା ଚଳଚ୍ଚିତ୍ରର ତାରକା ହେଉ-ତାରକା ହେଉଛି ତାରକା...ଏବଂ ତାରକା ହେଉଛି ରାତ୍‌ କା ମାଲ୍ । ତେଣୁ ସାମ୍ବାଦିକ ମହାଶୟ ଏଧ୍ୟତି ଦିନ ବେଳରେ ଚିତ୍ରତାରକାଙ୍କ ପାଖକୁ ନଯାଇ ରାତିରେ ଯିବାକୁ ପସନ୍ଦ କରିବେ ।’ ତା’ପରେ ସାମ୍ବାଦିକ ମହାଶୟ କହିଲେ, ‘ବୁଝିଲେ ହରିହର ବାବୁ ! ମୁଁ ଚିତ୍ରତରକାଙ୍କ ସହିତ ସାକ୍ଷାତକାର ଉଦ୍ଦେଶ୍ୟରେ ଯାଉଥିବା ଯୋଗୁଁ ଗୋଟିଏ ଭଲ କ୍ୟାମେରା ବର୍ତ୍ତମାନ ଧରିଛି । ଭାବୁଥିଲି ଯେ ଏଇ କ୍ଷୁଦ୍ର-ପରିବାର-ସଂଘର ସଭାପତି ମହାଶୟଙ୍କର ଗୋଟିଏ ଫଟୋ ଉଠାଇ ଆମ ଦୈନିକ ପତ୍ରିକାରେ ପ୍ରକାଶ କରିବୁ ଏବଂ ତା’ ସହିତ ରିପୋର୍ଟଟି ଛପାଇବୁ । କିନ୍ତୁ ସଭାପତି ମହାଶୟ ବଡ଼ ବିଷର୍ଣ୍ଣ ଓ ନିସ୍ତେଜ ଜଣାପଡ଼ୁଛନ୍ତି–ସତେ ଯେମିତି ତାଙ୍କର ପ୍ରାଣ କଣ୍ଠାଗ୍ରତ । ତେଣୁ ଗୋଟିଏ କ୍ଳବର ସଭାପତି ବୋଲି ପରିଚୟ ଦେଇ ତାଙ୍କ ଫଟୋଟି ଛାପିଲେ, କେହି ବିଶ୍ୱାସ କରିବେ ନାହିଁ । ଲୋକେ କହିବେ ଯେ ସେ ଫାଶୀ ଖୁଣ୍ଟକୁ ଯାଉଥିବା ଗୋଟିଏ ଅସାମୀ ।’ ସାମ୍ବାଦିକଙ୍କର ମୋ ପ୍ରତି ଏହି କଟୁ ମନ୍ତବ୍ୟ ଶୁଣି ମୁଁ ଦୁଃଖିତ ହେଲି । ମିଛ କହିଥିବା ଯୋଗୁଁ ମୋ ମୁଖମଣ୍ଡଳରେ ଏମିତି ବିକୃତି ଘଟିଛି ବୋଲି ମୁଁ ଭାବିଲି ଓ ଆହୁରି ଅଧିକ ନିଷ୍ପ୍ରଭ ହେଲି । ଆଣବିକ ରିଏକ୍ଟର୍‌ରେ ଚେନ୍ ରିଆକସନ ପରି ମୋ ମନରେ ତ୍ରମବର୍ଦ୍ଧିଷ୍ଣୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । ଏମିତି ସମୟରେ ସାମ୍ବାଦିକ ଚିତ୍ରତାରକା ସହିତ ସାକ୍ଷାତ କରିବାକୁ ଚାଲିଗଲେ । ହରିହର ମଧ୍ୟ ତାଙ୍କ କାମରେ ନିଜ ରାସ୍ତା ଧରିଲେ । ମୁଁ ଏକାକୀ ଜଳନ୍ତା ମନରେ ଛଟପଟ ହେବାକୁ ଲାଗିଲି ।

Unknown

 

‘‘ତା’ପରେ ସେଇ ପାର୍ଶ୍ଵ ରାସ୍ତା ଦେଇ ମାର୍କେଟକୁ ଗଲି । ପୂର୍ବରୁ କିଣି ଥିବା ଶୁଖିଲା ରୁଟି ଦୁଇଟି ମୋ ପାଖରେ ଥାଏ । ସେଥିରେ କିଛି ଚିନି ଦେଇ ଖାଇବି ବୋଲି ବଜାର ସାରା ଚିନି ଖୋଜିଲି । କିନ୍ତୁ ପାଇଲି ନାହିଁ । ଶୁଣିଲି ଯେ ଚିନି ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥିବାରୁ ଖୋଲା ବଜାରରେ ସହଜରେ ମିଳେ ନାହିଁ । ସରକାରଙ୍କ କଂଟ୍ରୋଲ ନୀତି ସମ୍ପର୍କରେ ଭାବିଲେ ମତେ ବଡ଼ ଦୁଃଖ ଲାଗେ । ଏହା ପଇସା ଦେଇ ଭିକ୍ଷାବୃତ୍ତି କରିବା ସଙ୍ଗେ ସମାନ । ଯାହାହେଉ, ବର୍ତ୍ତମାନ ଚିନି ନ ମିଳିବାରୁ ବାଧ୍ୟ ହୋଇ ଗୁଡ଼ କିଣିଲି । ତା’ପରେ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ପୁଡ଼ିଆରୁ ବାହାର କଲି । ସେତେବେଳେ ଗୋଟିଏ ଝାଡ଼ୁଦାର ଅଦୂରରେ ଝାଡ଼ୁ କାମରେ ବ୍ୟସ୍ତ ଥିବାର ମୁଁ ଦେଖିପାରୁ ନ ଥିଲି । ମୁଁ ଖାଇବାକୁ ଆରମ୍ଭ କରିବା ବେଳେ ପଚା ପରିବା, ଅଇଁଠା ପତର ଓ ତ୍ୟକ୍ତ ଦାନ୍ତକାଠି ମୋ ଆଡ଼କୁ ଦୌଡ଼ି ଆସିଲେ । ମୁଁ ତାକୁ ବନ୍ଦ କରିବାକୁ କହିଲେ ମଧ୍ୟ ସେ କାନ ଦେଲା ନାହିଁ । ବାଧ୍ୟ ହୋଇ ‘ମିଷ୍ଟର କ୍ଳିନ’ ର ଦୌରାତ୍ମ୍ୟରୁ ନିଜକୁ ରକ୍ଷା କରିବାକୁ, ସେ ବର୍ତ୍ତମାନ ସଫା କରିଥିବା ଗୋଟିଏ ଘର କଡ଼କୁ ଗଲି । ସେଠାରେ ଜଳଖିଆ ସାରିଲି । ସେତେବେଳେ ମୋ ଆଖି ବୁଜି ହୋଇଯାଉଥାଏ । କାନ୍ଥକୁ ଆଉଜି ଶୋଇବାକୁ ମୋ ଇଚ୍ଛା ହେଲା-

 

“ଏହି ଅଞ୍ଚଳ ଭିତରେ ପଶିବାଠାରୁ ମୁଁ ଚନ୍ଦ୍ର ସୂର୍ଯ୍ୟ ଦେଖି ନାହିଁ । ଅବଶ୍ୟ ଏଠାରେ କେହି ମଧ୍ୟ ଚନ୍ଦ୍ର ସୂର୍ଯ୍ୟକୁ ଦେଖି ନ ଥିବେ । ପ୍ରକୃତରେ ଏଠାରେ ଦିନ ଓ ରାତି ମଧ୍ୟରେ କୌଣସି ଫରକ ନାହିଁ । ଚତୁର୍ଦ୍ଦିଗ ସବୁବେଳେ ଆଲୋକିତ–ବିଜୁଳିବତୀ ଦ୍ଵାରା । ଲୋକେ ଦିନ ରାତି ଏ ସିଫ୍‌ଟ, ବି ସିଫ୍‌ଟ, ସି ସିଫ୍‌ଟ ଚବିଶି ଘଣ୍ଟା କାମ କରୁଥା’ନ୍ତି । ତେଣୁ ପାରମ୍ପରିକ ରାତିରେ ରାତିରେ ଶୋଇବାର ଅର୍ଥ କିଛି ନାହିଁ । ଆଖିକୁ ଯେତେବେଳେ ନିଦ ଛୁଇଁବ, ସେତେବେଳେ ଶୋଇ ପଡ଼ିବା କଥା । ମୁଁ ଏଠାରେ ଘୁରି ଘୂରି ଅବଶ ହୋଇ ଯାଇଥିଲି । ତେଣୁ ବର୍ତ୍ତମାନ ସେ ଘରର କାନ୍ଥକୁ ମୁହଁ କରି ଶୋଇ ପଡ଼ିଲି । ଏହି ନିକଟସ୍ଥ ଘରଟି ଜରାଜୀର୍ଣ୍ଣ । ଅବଶ୍ୟ କାନ୍ଥଗୁଡ଼ିକ ସ୍ଥାନେ ସ୍ଥାନେ ଗାଟି ଯାଇଥିଲେ ମଧ୍ୟ, ଆହୁରି ଆଁ ହୋଇ ଖୋଲି ନାହିଁ । କାନ୍ଥରେ ଗେରୁଆ ଖଡ଼ିରେ ଅମୁକ ଭେଣ୍ଡାର ଅମୁକ ଭୁଆସୁଣୀ ସହିତ ପାପ ସମ୍ପର୍କ ବିଷୟରେ ଅଶ୍ଳୀଳ ପୃଷ୍ଠାରେ ଲେଖା ଯାଇଥିଲା । ଶୋଇବା ପୂର୍ବରୁ ମତେ ଏତେ ଜୋରରେ ନିଦ ମାଡ଼ୁଥିଲା ଯେ ଏହି ବିଷୟରେ ଜାଣିବାର ଅବକାଶ ନ ଥିଲା । କେତେ ସମୟ ମୁଁ ଶୋଇଛି, କହି ପାରିବି ନାହିଁ; କିନ୍ତୁ ମୋର ହଠାତ୍ ନିଦ ଭାଙ୍ଗିଗଲା ଓ ମୁଁ ନମ୍ନୋକ୍ତ ସଂଳାପ ପାର୍ଶ୍ଵସ୍ଥ ସେହି ଜୀରାଜୀର୍ଣ୍ଣ ଘରୁ ଆସୁଥିବାର ଶୁଣିଲି :–

 

୧ମ ବ୍ୟକ୍ତି :

ମୋ କଥା ଶୁଣିବୁ, ନା ମୁଁ ତୋତେ ମାରି ପକାଇବି ?

 

 

୨ୟ ବ୍ୟକ୍ତି :

ନାହଁ ବାବୁ ! ମୁଁ କଦାପି ଶୁଣି ପାରିବି ନାହିଁ ।

 

 

୧ମ ବ୍ୟକ୍ତି :

ଆଚ୍ଛା, ମୁଁ ତତେ ପୁଣି ସମୟ ଦେଉଛି । ଆଉ ଥରେ ସୁଯୋଗ‌ ଦେଉଛି ବିଚାର କରେ ।

 

 

(୨ୟ ବ୍ୟକ୍ତି ନିରୁତ୍ତର ରହିଲା ।)

 

 

୧ମ ବ୍ୟକ୍ତି :

ମୁଁ ଏକ, ଦୁଇ, ତିନି ଯାଏଁ ଗଣିବି । ତିନି ପୂର୍ବରୁ ଯଦି ତୁ ମୋ କଥା ନ ଶୁଣିଛୁ, ତାହାହେଲେ ତତେ ଶେଷ କରଦେବି । ହେଇ ଦେଖ୍...ଆରମ୍ଭ କଲି : ଏକ୍....ଦୁଇ...ତିନି... (ତା’ପରେ କେହି ଜଣେ ତଳେ ଧଡ଼ାସ୍‌କିନା ପଡ଼ିବାର ଶବ୍ଦ ହେଲା ।)

 

୩ୟ ବ୍ୟକ୍ତି : ସାହୁକାରେ, ଛୁରୀଟା ତା’ ପେଟରେ ପଶିଗଲା । ପିଚ୍‌ପିଚ୍ ରକ୍ତ ବହୁଛି । (ଦୁଇ ମିନଟର ନୀରବତା ପରେ । ସବୁ ଶେଷ......ପୋଲିସ ଜାଣିଦେଲେ ଆମକୁ ବାନ୍ଧି ନେବ । କିଛି ସମୟ ପରେ ପୋଲିସ ଗାଡ଼ିର ସାଇରନ୍ ଶୁଭିଲା । ୧ମ ଓ ୩ୟ ବ୍ୟକ୍ତି–ଏହି ଦୁଇ ଜଣ ହୋଇଥିବେ ନିଶ୍ଚୟ–ଦୌଡ଼ୁଥିବାରୁ ଶବ୍ଦ ବାହାରକୁ ଆସୁଥାଏ ।)

 

ଏହି ଘଟଣା ପ୍ରବାହ ଓ କଥାବାର୍ତ୍ତା ମୁଁ ଏଣ୍ଡୁଅ ପରି କହୁଣୀ ଦୁଇଟି ଉପରେ ଭାରା ଦେଇ ଶୁଣୁଥିଲି । ସେତେବେଳେ ମୋର ଅର୍ଦ୍ଧଚେତନ ଅବସ୍ଥା । ମୁଁ ଯାହା ସବୁ ଶୁଣିଲି, ତାହା ସତ୍ୟ ନା ସ୍ଵପ୍ନ ମୁଁ ସ୍ଥିର କରିପାରୁ ନ ଥାଏ । କିନ୍ତୁ ଯେତେବେଳେ ଉପରୋକ୍ତ ପ୍ରକାରେ ପୋଲିସ ଗାଡ଼ିର ସାଇରନ୍ ମୋ କାନରେ ପଡ଼ିଲା, ମୁଁ ଅଥୟ ହୋଇଗଲି । ସେଠାରେ ଆଉ କ୍ଷଣେ ମାତ୍ର ରହିବା ବିପଦପୂର୍ଣ୍ଣ ବୋଲି ଭାବିଲି କାରଣ ପୋଲିସ ଏହି ମର୍ଡ଼ର-କେଶରେ ମତେ ସାକ୍ଷୀ କରିପାରେ କିମ୍ବା ମୁଁ ଏହି ହତ୍ୟାକାଣ୍ଡ କରିଛି ବୋଲି କହି ଗିରଫ କରିପାରେ । ପ୍ରକୃତରେ କେଶର ନାଁ ଶୁଣିଲେ ମୋ ହାତ-ଗୋଡ଼ ଭୟରେ କମ୍ପି ଉଠେ କାରଣ କେଶ୍‌ଟିଏ ଆରମ୍ଭ ହୋଇଗଲେ କୋର୍ଟର କିରାଣୀମାନଙ୍କ ମଧ୍ୟରେ ପଇସା-ବୁଣା ଆରମ୍ଭ ହୋଇଯିବ । ଓକିଲବାବୁଙ୍କର ଟାଇମିଂ ଓ ଟାଇମ୍-ପିଟିସନ୍ ବିଷୟରେ ଜାଣିବାକୁ ମତେ ତାଙ୍କ ବଙ୍ଗଳାର କମ୍ପାଉଣ୍ଡ ମଧ୍ୟରେ ତମ୍ବୁ ଟାଣି ରହିବାକୁ ପଡ଼ିବ । ପୁଣି ଅଦାଲତ କେତେଥର ମୁଲତବୀ ରହିବ ତାହା ଭଗବାନଙ୍କୁ ହିଁ ଗୋଚର । କେଶ୍‌ର ଫଳାଫଳ ଯାହାହେବାକୁ ଥିବ ହେବ । କିନ୍ତୁ ତା’ ପୂର୍ବରୁ କୋର୍ଟକୁ (ଭାୟା ଓକିଲଙ୍କ ଘର) ଯେମିତି ଥରକୁ ଥର ଦୌଡ଼ବାକୁ ପଡ଼ିବ; ତାହାହିଁ ବଡ଼ ସାଂଘାତିକ ଯନ୍ତ୍ରଣା ଦେବ–ଠିକ୍ ଯେମିତି ବାଘ ଖାଇଦେଲେ ମନୁଷ୍ୟକୁ ବିଶେଷ ବାଧିବ ନାହିଁ । କିନ୍ତୁ ସେ ଗିଳିବା ପୂର୍ବରୁ ତା’ର ଶିକାରକୁ ଛେଚାଛେଚି, ଘୋଷରା ଘୋଷାରି କଲେ ତାହା ମରଣ ଠାରୁ ଆହୁରି ଅଧିକ ଭୟାନକ ହେବ । ପ୍ରକୃତରେ ଅଦାଲତରେ ନ୍ୟାୟ ପାଇବା ପାଇଁ ଯେମିତି ବିଳମ୍ବ ଓ ହଇରାଣ ହେବାକୁ ପଡ଼ିବ-ଏହା ଯୋଗୁଁ ଦିନେ ଉପସ୍ଥିତ ବିଚାର-ପଦ୍ଧତି ମୂଳପୋଛ ହୋଇଯିବ । ଏହି କୋର୍ଟ, କଚେରୀ ବିଷୟ ମନେ ପଡ଼ିବାକ୍ଷଣି ମୁଁ ନିମିଷକ ମଧ୍ୟରେ ସେଠାରୁ ଛୁ’ । ତା’ପରେ କିଛି ଦୂର ଯାଇ ଗୋଟିଏ ପାନ ଦୋକାନରୁ ଖଣ୍ଡେ କଡ଼ା ପାନ କଣିଲି । ଭଲ ଗୁଡ଼ାଖୁ ମଧ୍ୟ କୋଡ଼ିଏ ପଇସାର ଧରିଲି । ଦୋକାନକୁ ରେଜା ପଇସା ଦେବା ପାଇଁ ପ୍ୟାଣ୍ଟ ପକେଟରେ ହାତ ପୁରାଇଲି । ସେଥିରେ ଥିବା ପଇସାରେ ଅବଶ୍ୟ ମୋର କାମ ଚଳିଗଲା କିନ୍ତୁ ମୋ ମନ ହାହାକର ଡାକିଲା କାରଣ କିଛି ସମୟ ପୂର୍ବେ ଯେତେବେଳେ ସେହି ଘର ପାଖରେ ଶୋଇଥିଲି, ସେତେବେଳେ ମୋ ପ୍ୟାଣ୍ଟ ପକେଟରେ ଯଥେଷ୍ଟ ରେଜା-ପଇସା ଓ ଗୋଟିଏ ଡାଇରୀ ଥିଲା । ବର୍ତ୍ତମାନ ମୁଁ ହାତ ବୁଲେଇ ଦେଖିଲି ଯେ ତାହା ମୋ ପକେଟରେ ଆଉ ନାହିଁ । ଭାବିଲି ଯେ ସେଠାରେ ଶୋଇଥିବା ବେଳେ ମୋ ଅଜାଣତରେ ପ୍ୟାଣ୍ଟ-ପକେଟରୁ ତାହା ଖସି ଯାଇଛି । ଏହା ଏକ ଗୁରୁତର ଘଟଣା । ଅବଶ୍ୟ ରେଜା-ପଇସାତକ ପାଇଁ ମୁଁ ବିଶେଷ ଚିନ୍ତିତ ନଥିଲି । କିନ୍ତୁ ମୋ ପକେଟ-ଡାଇରୀଟି (ଯେଉଁଥିରେ କି ମୋ ଫଟୋ ସହିତ ଅନ୍ୟାନ୍ୟ ବିବରଣୀ ପ୍ରଥମ ପୃଷ୍ଠାରେ ହିଁ ଅଛି–ଏବଂ ଗତକାଲିର ଜାଲ ପାଶ ସମ୍ପର୍କରେ ବିଶଦ ବିବରଣୀ ଓ ସାମ୍ବାଦିକଙ୍କ ସହିତ ସେହି ସାକ୍ଷାତକାର ସମ୍ପର୍କରେ ସବୁ ବିଷୟ ମୁଁ ସାଧୁଭାବେ ଲିପିବଦ୍ଧ କରିଛି । ପୁଣି ପୋଲିସକୁ ଭୟ କରୁଥିବା ବିଷୟ ମଧ୍ୟ ମୁଁ ସେଥିରେ ପ୍ରାଞ୍ଜଳ ଭାବେ ମନ୍ତବ୍ୟ-ତାଲିକାରେ ଲେଖିଛି) ସେଠାରେ ପଡ଼ି ଯାଇଥିବାରୁ ପୋଲିସ ମୋତେ ସହଜରେ ଖୋଜି ବାହାର କରିଦେବ । ତେଣୁ ଭୟଭୀତ ହୋଇ ପୁଣି ସେ ଭଙ୍ଗା ଘର ପାଖକୁ ଗଲି । ମୋ ଡାଇରି ଓ ରେଜାତକ ସଂଗ୍ରହ କରୁଥିବା ବେଳେ ମୁଁ ଦେଖିଲି ଯେ ଦୁଇ ଚାରିଜଣ ଲୋକ ଆସୁଛନ୍ତି । ସେମାନେ ଖେଳନା-ଖଣ୍ଡା, ଅଳତା-ବୋଳା କନା, ନକଲି ଦାଢ଼ି ଇତ୍ୟାଦି ଧରିଥାନ୍ତି । କେହି କେହି ମୁହଁ ଓ ହାତରେ ଚିକ୍‌ଚିକ୍ ମାରୁଥିବା ନାଲିଆ ପାଉଡ଼ର ବୋଳିଥାନ୍ତି । ସେମାନଙ୍କୁ ଦେଖି ମୁଁ ସନ୍ଦେହ କଲି ଯେ ସେମାନେ କୌଣସି ନାଟକ କିମ୍ବା ନାଟରେ ଅଭିନୟ କରି ଫେରୁଛନ୍ତି । ତା’ପରେ ଭଙ୍ଗାଘରର ଚାରିପଟେ ବୁଲୁ ବୁଲୁ ମୁଁ ଗୋଟାଏ ପାର୍ଶ୍ଵରେ ସାଇନ୍‌-ବୋର୍ଡ଼ରୁ ଜାଣିଲି ଯେ, ଏହା ଗୋଟିଏ ଆଖଡ଼ା-ଘର ଏବଂ ମୁଁ ପୂର୍ବ-ବର୍ଣ୍ଣିତ ଯେଉଁ ଭୟଙ୍କର ସଂଳାପ ଶୁଣି ସେଠାରୁ ଭୟରେ ଦୌଡ଼ି ଚାଲି ଯାଇଥିଲି, ତାହା ସେମାନେ ଅଭିନୟ କରୁଥିବା କୌଣସି ନାଟକର ସଂଳାପ–ଏମାନେ ଆଜି ଏହି ଆଖଡ଼ା-ଘରେ ଫାଇନାଲ୍ ରିଏଲସେଲ୍ କରୁଥିଲେ । ତେଣୁ ବର୍ତ୍ତମାନ ଯାଏଁ ମୋ ମନରେ ପୋଲିସ ପ୍ରତି ଯେଉଁ ଭୟ ଥିଲା, ତାହା ଅମୂଳକ-ତତଲା ପାଣିରେ ଘର ପୋଡ଼ିବା ପରି । ନିଜକୁ ନିଜେ ଦୋଷ ଦେଲି । ବହୁ ସମୟ ଚିନ୍ତା କରି ମୁଁ ସ୍ଥିର କଲି ଯେ, ମତେ ଏଠାରେ ଗୋଟିଏ ଘର ଭଡ଼ାରେ ନେଇ ରହିବାକୁ ପଡ଼ିବ । ଏମିତି ବାର ଦୁଆର ଶୁଣ୍ଡୀ ପିଣ୍ଡାରେ ବୁଲିଲେ, ମତେ ବିଭିନ୍ନ ଘଟଣା-ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ୁଛି । ପଚରାଉଚରା କରି ମୁଁ ଜାଣିଲି ଯେ, ଆଖପାଖରେ ଧର୍ମଶାଳା ନାହିଁ । ତେଣୁ କମ୍ ପଇସାରେ ଭଡ଼ା ଘର ପାଇବାକୁ ହେଲେ ସରକାରଙ୍କ ‘ଜନତା ହୋଟେଲ’ରେ ରହିବାକୁ ହେବ । ଏଗୁଡ଼ିକରେ ରହିବାର ଓ ଖାଇବାର ସବୁ ପ୍ରକାର ସୁବିଧା ଥାଏ : ତଥାପି ଭଡ଼ା କମ୍ । ସେଥିପାଇଁ ଏଠାରେ ରୁମ୍ ପାଇବାକୁ ପ୍ରବଳ ଭିଡ଼ ହୁଏ; ଦୁର୍ନୀତି ଓ ପ୍ରିୟାପ୍ରୀତ-ତୋଷଣ ଚାଲେ ।

 

‘‘ନିୟମ ଅନୁଯାୟୀ ଜନତା ହୋଟେଲଗୁଡ଼ିକ ଅଞ୍ଚଳ ମୁଖ୍ୟ ଇଂଜନିଅର୍‌ଙ୍କର ଅଧୀନସ୍ଥ-। ହୋଟେଲ ରୁମ୍ ପାଇଁ ପ୍ରଥମେ ତାଙ୍କ ପି. ଏ. ଙ୍କୁ ସାକ୍ଷାତ କରିବାକୁ ପଡ଼େ । ମୁଁ ଦେଖିଲି ଯେ ପି. ଏ. ତାଙ୍କ ସିଟ୍‌ରେ ନାହାଁନ୍ତି । କିନ୍ତୁ ମୁଁ ତାଙ୍କ ରୁମ୍‌ରେ ଥିବା ଫଲକ ଦେଖି ଜାଣି ପାରିଲି ଯେ ତାଙ୍କ ନାମ ମିନତି । କେତେକ ବ୍ୟକ୍ତିଗତ କାରଣରୁ ମୁଁ ଏହି ନାଁଟି ଶୁଣିଲେ ଶିହରି ଉଠେ । ସେଠାରେ ଜଗିଥିବା ପଅନ୍ କହିଲା ଯେ ସେ ବର୍ତ୍ତମାନ ପଦାକୁ କୁଆଡ଼େ ଗଲେ । ତେଣୁ ମୁଁ ତାଙ୍କୁ ଅପେକ୍ଷା କରି ବାହାରେ ବୁଲଚାଲ କଲି । ଏମିତି ସମୟରେ ହାତର ଚୁଡ଼ି ନ ଥିବା, ବେକ ଉପରୁ ବାଳ କଟା ଯାଇଥିବା ଗୋଟିଏ ମହିଳାକୁ ଅଦୂରରେ ଦେଖିଲି । ସେ ଫୁଲ ପ୍ୟାଣ୍ଟ ଓ ଚିପା ସାର୍ଟ ପିନ୍ଧିଥାଏ-ବୋଧହୁଏ ମାଇକିନିଆ ଶାଢ଼ୀ ପିନ୍ଧିଲେ ତାକୁ ଲଙ୍ଗଳା ହେବା ପରି ଲାଗୁଛି ବୋଲି-। କିଛି ସମୟ ମଧ୍ୟରେ ସେ ପି. ଏ. ରୁମ ପାଖରେ ଥିବା ପିଅନକୁ କବାଟ ବନ୍ଦ କରିବାକୁ କହିଲେ ଓ ଘରକୁ ଚାଲିଯିବା ପାଇଁ ତତ୍ପର ହେଲା । ସେତେବେଳେ ମୁଁ ଅନୁମାନ କଲି ଯେ ଇଏ ହେଉଛି ମିନତି ନାମଧେୟ ପି. ଏ. I ସେ ଘରକୁ ଚାଲି ଯାଉଥିବା ବେଳେ କୌଣସି ଏକ ଭଦ୍ରବ୍ୟକ୍ତିଙ୍କୁ ଦେଖି ଅଭିବାଦନ ଜଣାଇବାକୁ ଗୋଟିଏ ଏକ ହାତିଆ ନମସ୍କାର ଜଣାଇ ସାମାନ୍ୟ ହସିଲା-। ମୁଁ ଲକ୍ଷ୍ୟ କଲି ଯେ ହସିବା ବେଳେ ତା’ର ଗାଲରେ ସାମାନ୍ୟ କଣା ହେବା ପରି ଦେଖାଯାଏ । ମୋର ମନେ ପଡ଼ିଲା ଯେ ମୋର ବାଲ୍ୟବନ୍ଧୁ ମିନତିର ମଧ୍ୟ ଏମିତି ଜନ୍ମଗତ ଲକ୍ଷଣ ଥିଲା । ଏହି ମିନତି ଆମ ଗାଁର । ମୁଁ ଚିହ୍ନିଥିବା ସେହି ମିନତି ବୋଲି ଭଲଭାବେ ନିଶ୍ଚିତ ହେବା ପାଇଁ ମୁଁ ଆଗକୁ ଯାଇ ତା’ର ପାଦ ଆଙ୍ଗୁଠି ଦଉଡ଼ିରେ ଛନ୍ଦି ହୋଇଯିବା ଯୋଗୁଁ କଚାଡ଼ି ହୋଇ ପଡ଼ିଥିଲା ଓ ତା’ର ଓଠ ଫାଟି ଯାଇଥିଲା । ଏହି କ୍ଷତ ଏତେ ଗୁରୁତର ହୋଇଥିଲା ଯେ ଡାକ୍ତରଖାନାରେ ଓଠ ସିଲାଇ କରିବାକୁ ହେଲା । ବର୍ତ୍ତମାନ ମୁଁ ଦେଖି ପାରିଲି ଯେ, ଏଇ ଆଘାତ ଚିହ୍ନଟି ମଧ୍ୟ ତା’ର ଓଠ ଉପରେ ସ୍ପଷ୍ଟ ହେଇ ରହିଛି । ତେଣୁ ମୁଁ କ୍ରମେ କ୍ରମେ ନିଶ୍ଚିତ ହେଲି ଯେ ସେ ମୋ ଅନ୍ତରଙ୍ଗ ମିନତି-। ଆମକୁ ତେର ଚଉଦ ବର୍ଷ ହୋଇଥିବାବେଳେ ଆମେ ନଈ କୂଳରେ ନିର୍ଜନ ଆମ୍ବ ତୋଟାରେ କୋଇଲିର କୁହୁ-କୁହୁ ତାନ ଶୁଣି ଅସଂଯମୀ ହୋଇ ପଡ଼ିଥିଲୁ । ବେଳେବେଳେ ମୁଁ ତାକୁ ତା’ର ଓଠର କ୍ଷତ ଚିହ୍ନ ବିଷୟରେ ଥଟ୍ଟା କରି କହେ, ‘ତୁ ଅଣ୍ଡିରା ହୋଇଥିଲେ, ଗୋଟିଏ ରଜା-ନିଶ ରଖିଥା’ନ୍ତୁ, ଅନ୍ତତଃ ତୋର ଏହି ଚିହ୍ନଟି ଲୁଚାଇବାକୁ ।’ ମୁଁ ତାକୁ ବହୁତ ଦିନ ପରେ ଆକସ୍ମିକ ଭାବେ ଦେଖିବା ଯୋଗୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୋ ମନରେ ଆଶା ଜନ୍ମିଲା ଯେ ଯଦି ବର୍ତ୍ତମାନ ମୁଁ ତାକୁ ମୋ ପାଇଁ ଭଡ଼ାଘରର ଆବଶ୍ୟକତା ବିଷୟରେ ଲେଶମାତ୍ର ସୂଚନା ଦିଏ, ସେ ଆନନ୍ଦରେ ଅଧୀର ହୋଇ, ସରୁ ନିୟମ କାନୁନ ଭୁଲି ଯାଇ ମୋ ପାଇଁ ନିଶ୍ଚୟ ରୁମ୍‌ଟିଏ ଯୋଗାଡ଼ କରିଦେବ-। ଅବଶ୍ୟ ଏହା ପ୍ରିୟାପ୍ରୀତି ତୋଷଣରେ ନମୁନା ହୋଇପାରେ ।

 

‘‘ମିନତି ସହିତ କଥା ହେଉଥିବା ଭଦ୍ର ଲୋକଟି ଚାଲିଯିବା ପରେ ତା’ ସହିତ ନିରଙ୍କୁଶଭାବେ ସାକ୍ଷାତ ହେବାପାଇଁ ମୋର ସୁଯୋଗ ଆସିଲା । ଦୁଃଖର ବିଷୟ ଯେ ସେ ମତେ ଦେଖି ଆଦୌ ଚିହ୍ନି ପାରିଲା ନାହିଁ । ଏହାର ଦୁଇଟି କାରଣ ହୋଇପାରେ; ଏହି ଦୀର୍ଘ ସମୟ ମଧ୍ୟରେ ହୁଏତ ମୋର ସମ୍ପୂର୍ଣ୍ଣ ଶାରୀରିକ ପରିବର୍ତ୍ତନ ଘଟିଛି କିମ୍ବା ସେ ନ ଚିହ୍ନିବାର ଅଭିନୟ କରୁଛି । ଆମ ମଧ୍ୟରେ ଆତ୍ମୀୟତାର ସୂତ୍ରପାତ କରିବାକୁ ମୁଁ ମୋ ମାତୃଭାଷାରେ ପୁଣି ଗାଉଁଲିଆ ଭାଷା ଯାହାକି ଆମ ଅଞ୍ଚଳର ଲୋକେ ବ୍ୟବହାର କରନ୍ତି–କହିଲି । କିନ୍ତୁ ସେ ନାକ ଟେକି କିଛି ବୁଝିପାରୁ ନାହିଁ ବୋଲି କହିଲା । ସେତେବେଳେ ମୁଁ ଅନୁଭବ କଲି ଯେ ମୋର ସ୍ତୁତି-ଶକ୍ତି ମତେ ବିପଥଗାମୀ କରିଛି ଏବଂ ଏହି ଭଦ୍ରମହିଳା ଜଣକ ଆମ ଗାଁର ମୁଁ ଛିହ୍ନିଥିବା ମିନତି ନୁହେଁ । ଏହି ନୈରାଶ୍ୟଜନକ ପରିସ୍ଥିତିରେ ମୁଁ କାନମୁଣ୍ଡ ଆଉଁସୁଥିବା ବେଳେ ମିନତି ମୋ ପ୍ରତି ଦୟାପରବଶ ହୋଇ ତା’ର ଅଫିସ ରୁମ୍ ଖୋଲିବା ପାଇଁ ତାଳରେ ଚାବି ପୁରାଇ ଥିବା ବେଳେ ହଠାତ ‘ବୋଉ ଲୋ...ବୋଉ ଲୋ...’ ବୋଲି ଚିତ୍କାର କରି ପଛଘୁଞ୍ଚା ଦେଲା । ମୁଁ ବୁଝି ଜାଣିଲି ଯେ ତାଲା ପାଖରେ ଲୁଚି ରହିଥିବା ଗୋଟିଏ ବିଛା ଉପରେ ତା’ର ଆଙ୍ଗୁଠି ପଡ଼ି ଯିବାରୁ ସେ ଏମିତି ପାଟି କଲା । ଭାଗ୍ୟବଶତଃ ବିଛା ତାକୁ କାମୁଡ଼ି ନ ଥିଲା ।

 

“ମୁଁ ବିଛା ପାଇଁ ଆଦୌ ବ୍ୟସ୍ତ ନ ଥିଲି । ବର୍ତ୍ତମାନର ଘଟଣାରେ ମୋର ପୂର୍ବ ଧାରଣାର ପୁନର୍ବାର ପରିବର୍ତ୍ତନ ଘଟିଲା ଓ ମୁଁ ଭାବିଲି ଯେ ହୁଏତ ଏହି ମିନତି ଆମ ଗାଁର ହୋଇଥିବ; କାରଣ ବିଛା-ଭୟ ଯୋଗୁ ସେ ଇଂରେଜିରେ ମମି-ମମି ବୋଲି କହିବା ପରିବର୍ତ୍ତେ, ମା’ କୋଳରେ ଶିଖିଥିବା ଓ ପିଲାଦିନରେ ଅଭ୍ୟସ୍ତ ଥିବା ବୋଉ ପଦଟି ମନ୍ତ୍ରବତ୍ ଭାବାବେଗରେ ତା’ ପାଟିରୁ ଖସି ପଡ଼ିଛି । ଭାବିଲି ଯେ ପଢ଼ାପଢ଼ି କରି ପ୍ରଭାବଶାଳୀ ଚାକିରିଟିଏ ପାଇ ଯାଇଛି ବୋଲି ତାର ଆଖି ଦୁଇଟି ମୁଣ୍ଡ ଉପରକୁ ଚାଲି ଯାଇଛି । ତେଣୁ ତା’ ନଜରରେ ଘର, ଗାଁ, ନିଜ ଭାଷା ଇତ୍ୟାଦି ବିଷୟମାନ କିଛି ପଡ଼ୁ ନାହିଁ । ଯାହାହେଉ, ତା’ର କୃତ୍ରିମତା କେତେକାଂଶରେ ପଦାରେ ପଡ଼ି ଯାଇଛି । ବିଛା ଭୟ ଏଠାରେ Shock-treatment ପରି କାମ କଲା ।

 

ମିନତି ସତର୍କତାର ସହିତ କବାଟ ଖୋଲି ତା’ ଚେୟାରରେ ବସିଲା । ଅବଶ୍ୟ ବେଳେ ବେଳେ ବିଛାକୁ ଖୋଜୁଥାଏ । ତା’ ପରେ ମତେ ତା’ ର ସମ୍ମୁଖସ୍ଥ ଗୋଟିଏ ଚୌକିରେ ବସିବା ପାଇଁ ଇଙ୍ଗିତ ହେଲା । ତା’ର ଅନୁଗ୍ରହ ପାଇଁ ମୁଁ ତାକୁ କୃତଜ୍ଞତା ଜଣାଇଲି । ମିନତି ଜଣାଇଲା ଯେ ବର୍ତ୍ତମାନ ଅଫିସ ବନ୍ଦ କରିବା ସମୟ ହୋଇ ଯାଇଥିଲେ ମୁଁ ଗୃହହୀନ ଭାବେ ବୁଲୁଥିବା ଯୋଗୁଁ ମୋ ବିଷୟ ବୁଝାସୁଝା କରିବାକୁ ଅଫିସ କବାଟ ଫେର୍ ଖୋଲିଲା । ଏଥିପାଇଁ ମୁଁ ତାକୁ ପୁଣିଥରେ କୃତଜ୍ଞତା ଜଣାଇଲି ଓ ମୋ ପାଇଁ କିଛି ଉପକାର କରିବ ବୋଲି ମଧ୍ୟ ଆଶା କଲି । ଆମେ କଥା ଭାଷା ହେଉଥିବା ବେଳେ ସେ ସମୟେ ସମୟେ ଅନ୍ୟମନସ୍କ ହୋଇ ଯାଉଥାଏ । ବୋଧହୁଏ ମନେ ମନେ ବିଛାକୁ ମାରିବା ପାଇଁ ଯୋଜନା କରୁଥିବ କାରଣ ଏହି ବିଛା ଯୋଗୁଁ ହିଁ ତାର ପ୍ରକୃତ ସ୍ୱରୂପ ପଦାରେ ପଡ଼ି ଯାଇଛି ବୋଲି ସେ ବୁଝି ପାରୁଛି । ମିନତି କିଛି ସମୟ ନୀରବ ରହିବା ପରେ କହିଲା ଯେ ମତେ ଭଡ଼ାଘର ପାଇଁ ଦରଖାସ୍ତ କରିବାକୁ ପଡ଼ିବ । ଏଥିପାଇଁ ନିର୍ଦ୍ଦିଷ୍ଟ ଫର୍ମ ଅଛି । ଏହା ଅବଶ୍ୟ ତାଙ୍କ ଅଫିସରେ ବର୍ତ୍ତମାନ ସରିଯାଇ ଥିବାରୁ ସେ ଦୁଃଖ ପ୍ରକାଶ କଲା । ମୁଁ ଅନୁଭୂତିରୁ ଜାଣେ ଯେ ଏହି ଫର୍ମ ଅଫିସରେ ନ ମିଳିଲେ ମଧ୍ୟ ନିକଟସ୍ଥ ପାନ ଦୋକାନୀଠାରୁ ଆଠ ଅଣା ପଇସା ଅଧିକା ଦେଲେ ମିଳିବ । ତା’ପରେ ମିନତି କହିଲା ଯେ, ଏହି ଦରଖାସ୍ତ ଫର୍ମ ପୂର୍ଣ୍ଣ କରି ଏଥି ସହିତ ଦଶ ପଇସାର ଟ୍ରେଜେରୀ-ଚାଲାନ୍-ରସିଦ ଯୋଡ଼ିବାକୁ ପଡ଼ିବ । ମୋଟେ ଦଶ ପଇସାର ଟ୍ରେଜେରୀ-ଚାଲାନ୍ ବୋଲି ମୁଁ ଖୁସି ହେବା ପରିବର୍ତ୍ତେ ଚିନ୍ତିତ ହେଲି କାରଣ ଟ୍ରେଜେରୀ-ଅଫିସର ଗୋଳମାଳିଆ କ୍ୟୁରୁ ଠିଆ ହେବାଠାରୁ ଆରମ୍ଭ କରି ବେଙ୍କ୍‍ର ଠେଲା ପେଲାରେ ଦଶ ପଇସା ଦେଇ ଚାଲାନ-ରସିଦ ଆଣିବା ପାଇଁ ମୋତେ ପ୍ରାୟ ଦଶଘଣ୍ଟା ସମୟ ଲାଗିବ । ତେଣୁ ସରଳ ଗଣିତ ସୂତ୍ର ଅନୁସାରେ ଜାଣିହେବ ଯେ, ଦଶ ପଇସା ପାଇଁ ଯଦି ଦଶଘଣ୍ଟା ପରିଶ୍ରମ ଦରକାର, ତାହା-ହେଲେ ମୋର ଏକ ଘଣ୍ଟା ପରିଶ୍ରମର ମୂଲ୍ୟ ଏକ ପଇସା । କୌଣସି ଭିକାରୀ ଏକ ପଇସା ପାଇଁ ଏକ ଘଣ୍ଟା ପରିଶ୍ରମ କରିବାକୁ ମଧ୍ୟ ନାରାଜ ହେବ । ତେଣୁ ମୁଁ ମିନତିକୁ କହିଲି ଯେ, ମୁଁ ଦଶ-ପଇସି-ଟ୍ରେଜେରୀ-ଚାଲାନ କରିବା ଅପେକ୍ଷା ସରକାରଙ୍କୁ ଦଶଟଙ୍କା ମନିଅର୍ଡ଼ର କରିବା ପାଇଁ ପ୍ରସ୍ତୁତ ଅଛି । ଏମିତି କହୁଥିବା ବେଳେ ଆମର ପ୍ରଚଳିତ ପ୍ରଥା ପ୍ରତି ମୋର ଘୃଣାଭାବ ସେ ନିଶ୍ଚୟ ଲକ୍ଷ୍ୟ କରିଥିବ । ମୁଁ ତାକୁ ପୁଣି କହିଲି, ‘ଧରିନିଅ, ମୁଁ ଘଣ୍ଟାକୁ ପଇସାଟିଏ ହିସାବରେ ମୂଲ ନେଇ ଭଡ଼ା ଘର ପାଇଁ ତମକୁ ଦରଖାସ୍ତ ଦେଲି । ତମେ ମତେ ଉଡ଼ାଘର ନିଶ୍ଚିତ ଭାବେ ଦେବ ତ ?’ ମିନତି ଉତ୍ତର ଦେଲା, ‘ହଁ, ନିଶ୍ଚୟ । ଏଥିପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।’ ମୁଁ ତାକୁ କହିଲି, ‘ଅସନ୍ତୁଷ୍ଟ ଲୋକକୁ ଆୟତ୍ତ କରିବାକୁ ସରକାରଙ୍କ ଏହା ଗୋଟିଏ କୌଶଳ । ଯଦି ସରକାର ଚୁପ୍ ଚାପ୍ ବସି ରହେ, ଲୋକେ କହିବେ ଯେ ସରକାର କିଛି କାମ କରୁନାହିଁ । ତେଣୁ କିଛି ନା କିଛି କାମର ବାହାନା ଦେଖାଇବାକୁ ହେବ । ଅମୁକ ଚାକିରି ପାଇଁ ଦରଖାସ୍ତ କର; ଅମୁକ ଘର ପାଇଁ ଆବେଦନ ଲେଖ; ଅମୁକ ଜମି ପାଇଁ ସରକାରଙ୍କୁ ଅନୁରୋଧ କରି ପତ୍ର ଲେଖ ଇତ୍ୟାଦି ଇତ୍ୟାଦି…ଏହା ପରେ ଲକ୍ଷ ଲକ୍ଷ ଲୋକ ଦରଖାସ୍ତ ଦେବେ; ଅଫିସକୁ ହଜାରେ ହଜାରେ ସଂଖ୍ୟାରେ ଦୌଡ଼ିବେ; କିରାଣୀ ଓ ଅଫିସରଙ୍କ ସହିତ ଦୋସ୍ତି ଜମାଇବେ...କେତେ ହୋଟେଲବାଲା, ବସ୍ ମାଲିକ, ଓକିଲ, ଓକିଲ ଗୁମାସ୍ତା, ଟାଉଟର ଇତ୍ୟାଦି ଉପକୃତ ହେବେ । ଦିନ ରାତି କାମ ଚାଲିଥିବ; ଧାଁ ଧପଡ଼, ଦଉଡ଼ା ଦଉଡ଼ି ଚାଲିଥିବ । ଲୋକେ ମଧ୍ୟ କାମ କରୁଛନ୍ତି ବୋଲି ଅନୁଭବ କରୁଥିବେ…ଏହାକୁ କହନ୍ତି Dynamic Equilibrium ଅର୍ଥାତ୍ ପ୍ରଗତିବାଦୀ ସରକାର । ଏହାଦ୍ଵାରା ଲୋକଙ୍କର ବସ୍ତୁତଃ ବିଶେଷ କିଛି ଉପକାର ହୋଇଯାଉ ନାହିଁ; ଗରିବି ହଟି ଯାଉ ନାହିଁ । କିନ୍ତୁ ଅନ୍ୟ ଗୋଟିଏ ଧରଣର ସରକାର ଅଛି ଯାହାକି Static Equilibrium ରେ ବିଶ୍ଵାସ କରେ । ଏହି ସରକାର ଅଯଥାରେ ଲୋକଙ୍କୁ ଧାଁ ଦଉଡ଼ କରେ ନାହିଁ; ତୁଚ୍ଛାରେ ପ୍ରଚାର କରେ ନାହିଁ । ସେ ଚୁପ୍ ଚାପ୍ ବସି ରହେ । ଲୋକଙ୍କୁ ମଧ୍ୟ ଘର ଭିତରେ ଜାକିଜୁକି ହେଇ ବସିବାକୁ କହେ । ନିଷ୍ଫଳ ପରିଶ୍ରମ ନିଷ୍ପ୍ରୟୋଜନ ବୋଲି ବୁଝାଏ । ପ୍ରକୃତରେ Dynamic Equilibrium ବାଲା ସରକାର କିମ୍ବା Static Equilibrium ବାଲା ସରକାର–ଉଭୟେ ଲୋକଙ୍କର ସେମିତି କିଛି ଉପକାର କରି ନ ଥା’ନ୍ତି । କିନ୍ତୁ Static Equilibrium-ବାଲା ସରକାର ସାଧୁ ହୋଇଥିଲେ ସୁଦ୍ଧା ବର୍ତ୍ତମାନର ପ୍ରଚାରଧର୍ମୀ ଯୁଗରେ Dynamie Equilibrium ବାଲା ସରକାର ହିଁ ତିଷ୍ଠିବ । ଏହି ସରକାରକୁ କାମ ଅପେକ୍ଷା କାମର ବାହାନା ଅଧିକ ଉପାଦେୟ ।’ ମୋର ଏହି ତୀବ୍ର ମନ୍ତବ୍ୟ ଶୁଣି ମିନତି ବିଚଳିତ ହୋଇଗଲା । ସେ କହିଲା ଯେ, ସେ ମୋର ଭାଷଣ ଶୁଣିବାକୁ ବସି ନାହିଁ । ପୁଣି ସେ ଗତାନୁଗତିକ ଭାବେ କହିଲା, ‘ବର୍ତ୍ତମାନ ସରକାର ଗୃହହୀନକୁ ବାସଗୃହ ଯୋଗାଉଛନ୍ତି । ଏଥିପାଇଁ ଅତି କମ୍ ଟଙ୍କା ସରକାର ଉପକୃତ ବ୍ୟକ୍ତିଙ୍କ ଠାରୁ ଆଦାୟ’ କରିଥା’ନ୍ତି । ଏହି ଯୋଜନାର ସୁଫଳ ଆପଣଙ୍କୁ ମଧ୍ୟ ମିଳିପାରିବ । ଆପଣ ଦରଖାସ୍ତ କରନ୍ତୁ ।’ ମୁଁ ତା’ କଥାରେ ବିଶେଷ ଆଗ୍ରହ ପ୍ରକାଶ ନ କରି ହାଇ ମାରିବାରୁ ସେ ଅନିଚ୍ଛାର ସହିତ, ଭାଷଣ ବନ୍ଦ କଲା । ତା’ପରେ ହଠାତ୍ ମୁଁ ହାତରେ ଧରିଥିବା ଖବରକାଗଜଟି ମାଗିଲା । ମୁଁ ତା’ର ଉଦ୍ଦେଶ୍ୟ ବୁଝି ପାରିଲି ନାହିଁ । ଖବରକାଗଜଟି ମୁଁ ବହୁଦିନ ପୂର୍ବେ କିଣିଥିଲି । ଏହା ମୁଁ ମୋର କୌଣସି ପ୍ରକାର ରେଫରେନ୍‌ସ କାର୍ଯ୍ୟ ପାଇଁ ପାଖରେ ରଖି ନ ଥିଲି । ମୁଁ ଏହାକୁ ଆସନଭାବେ ବ୍ୟବହାର କରେ ବୋଲି ପାଖରେ ରଖିଥାଏ । କୌଣସି ମଇଳା ଜାଗାରେ ବସିବାକୁ ଥିଲେ, ଏହାକୁ ବିଛାଇ ବସେ । ମିନତିକୁ ଏହା ଗୋଟିଏ ପୁରୁଣା ଦୈନିକ ସମ୍ବାଦପତ୍ର ବୋଲି କହିବା ସତ୍ତ୍ୱେ ସେ; ମୋ ହାତରୁ ଟାଣି ନେବା ପରି ଖବରକାଗଜଟି ଟାଣି ନେଲା ଓ ମନ୍ତବ୍ୟ ଦେଲା ଯେ ଯେକୌଣସି ଦିନର ଯେକୌଣସି ଖବରକାଗଜରେ ସେ କହୁଥିବା ବିଷୟରେ ସମ୍ବାଦମାନ ଅବଶ୍ୟ ମିଳିବ । ତା’ପରେ ସେ ସମ୍ବାଦପତ୍ରଟିର ପୃଷ୍ଠାଗୁଡ଼ିକ ଓଲଟାଇ ତା’ର ନାଲି ଡଟ୍ ପେନ୍‌ରେ କେତେକ ଧାଡ଼ିକୁ ରେଖାଙ୍କିତ କଲା ଓ ମତେ ପଢ଼ିବାପାଇଁ କହିଲା । ସେଥିରେ କୌଣସି ମନ୍ତ୍ରୀ ଲୋକମାନଙ୍କୁ ଘର-ଡ଼ିହ ପାଇଁ ପଟ୍ଟା ବଣ୍ଟନ କରୁଥିବାର ବିବରଣୀ ପ୍ରକାଶିତ ହୋଇଥିଲା । ଏହି ବିଷୟଟିକୁ ଅଧିକ ଗୁରୁତ୍ଵପୂର୍ଣ୍ଣ କରିବାପାଇଁ ଫୋଟ ମଧ୍ୟ ମୁଦ୍ରିତ ହୋଇଥିଲା । ଫୋଟଟିରେ ମନ୍ତ୍ରୀ-ମହାଶୟ ଭାଷଣ ଦେଉଛନ୍ତି ଓ ଉପସ୍ଥିତ ଜନତା ସେଥିରୁ ଅଧିକାଂଶ ହୁଏତ ସରକାରୀ ଦଳର ସଭ୍ୟ-କରତାଳି ଦେଇ ମନ୍ତ୍ରୀଙ୍କୁ ସମର୍ଥନ ଜଣାଉଛନ୍ତି । ଏହି କୃତ୍ରିମ ପରିବେଶ-ସମ୍ପନ୍ନ ଫୋଟଟିକୁ ମୁଁ ବିତୃଷ୍ଣାର ସହିତ ଚାହୁଁଥିବା ବେଳେ ମିନତି ମତେ କହିଲା ଯେ ଏହି ସମ୍ବାଦ ପ୍ରତିଦିନ ଖବରକାଗଜ, ରେଡ଼ିଓ ଓ ଟେଲିଭିଜନ ମାଧ୍ୟମରେ ପ୍ରଚାରିତ ହେଉଛି । ମୁଁ ଉତ୍ତେଜିତ ହୋଇ କହି ପକାଇଲି ଯେ ଏଠାରେ ସମ୍ବାଦପତ୍ରଗୁଡ଼ିକ ସରକାରୀ ପ୍ରଚାରପତ୍ର-ଖବରଗୁଡ଼ିକ ଏକତରଫା ଓ ଅତିରଞ୍ଜିତ । ଏଥିରେ ମିନତି କ୍ଷୁବ୍‌ଧ ହୋଇ ମତେ ରୁମ୍‌ର ଚାରିଆଡ଼କୁ ଭଲଭାବେ ଚାହିଁବା ପାଇଁ କହିଲା । ମୁଁ ଚତୁର୍ଦ୍ଦିଗକୁ ଆଖି ବୁଲାଇ ଦେଖିଲି ଯେ ଭୂତଳରୁ ଛାତଯାଏ ଫାଇଲ୍ ଉପରେ ଫାଇଲ୍ ଲଦି, ଥାକ ଥାକ କରି ରଖା ଯାଇଛି । ଏହି ଫାଇଲ୍ ସ୍ତମ୍ଭଗୁଡ଼ିକ ମୁଣ୍ଡ ନୁଆଇଁ ଠିଆ ହେବାପରି ଜଣା ପଡ଼ୁଥାଏ ଏବଂ ମୁଁ ଆଶଙ୍କା କଲି ଯେ ଟଳମଳ ହେଉଥିବା ଏହି ଫାଇଲ୍ ସ୍ତମ୍ଭଗୁଡ଼ିକ ସାମାନ୍ୟ ଆଘାତ ପାଇଲେ ଆମ ଉପରକୁ ଅଜାଡ଼ି ହୋଇ ପଡ଼ିବ । ମିନତି ମତେ ଦକ୍ଷିଣ ପଟକୁ ଆଉଥରେ ନିରୀକ୍ଷଣ କରିବାପାଇଁ ନିର୍ଦ୍ଦେଶ ଦେଇ କହିଲା ଯେ ଏହି ରୁମ୍‌ରେ ଜାଗା ନିଅଣ୍ଟ ହେବାରୁ ସେ କାନ୍ଥରେ ଥିବା ଝରକାଟି ବନ୍ଦ କରି ଦିଆଗଲା–ବର୍ତ୍ତମାନ ଫାଇଲବିଡ଼ା ବନ୍ଧା ହୋଇ ସେ ପଟକୁ ଆଉଜାଇ ରଖାଯାଇଛି । ପ୍ରକୃତରେ ମୁଁ ଦେଖିଲି ଯେ ସେ ପଟର କାନ୍ଥ-ଝରକାଟିର ଚିହ୍ନ ବର୍ଣ୍ଣ ସୁଦ୍ଧା ଦେଖାଯାଉ ନାହିଁ । ମିନତି ନେତାମାନଙ୍କ ପରି ଟେବୁଲ୍ ଉପରେ-ହାତ ବାଡ଼େଇ କହିଲା, ଏହି ସବୁ ଅସଂଖ୍ୟ ଫାଇଲ୍ ହେଉଛି ଘରଡ଼ିହ ପାଇବା ପାଇଁ ଦରଖାସ୍ତ–ଏଥିରୁ ସରକାରଙ୍କ ନୀତିର ଜନପ୍ରିୟତା ଏବଂ ସରକାରଙ୍କ ଅଫିସ ପ୍ରତି ଲୋକଙ୍କର ଅତୁଟ ଓ ଅମାପ ବିଶ୍ଵାସର ପ୍ରମାଣ ମିଳୁଛି । ତା’ର ଏହି ଖୋସାମତିଆ ଭାଷଣ ଅବସରରେ ମୁଁ ସେଠାରେ ଜମିଥିବା କେତେକ ଫାଇଲ୍‌ରେ ଉଇ ଧରିଥିବା ବିଷୟ ଦେଖି ସାରିଛି । ମୁଁ ଉତ୍‌କ୍ଷିପ୍ତ ହୋଇ ତାକୁ କହିଲି, ‘ତମ ସରକାର ତଥା-କଥିତ Dynamic Equilibrium ବାଲା ସରକାର । କାମ ନ କରି କାମ କରିବାର ଛଳନା କରୁଛି । ଲକ୍ଷ ଲକ୍ଷ ନିରୀହ ଲୋକଙ୍କୁ ଆଶା ଦେଖାଇ ମୃଗତୃଷ୍ଣା ପଛରେ ଦଉଡ଼ାଉଛି । ସରକାର ବୁଝିବା ଉଚିତ୍ ଯେ, ଏମିତ କରିବା ଦ୍ଵାରା ବିପ୍ଳବକୁ ଦୂର କରି ହେବ ନାହିଁ–ଏହା କେବଳ କିଛି ଦିନ ଘୁଞ୍ଚାଇ ହେବ ।’ ତା’ପରେ ମୁଁ ଅନ୍ୟ ଦିଗକୁ କଥା ବୁଲାଇ କହିଲି, ‘ସରକାରୀ ଚାକିରିଆମାନେ ଭାବୁଛନ୍ତି ଯେ ସରକାରର ଅର୍ଥ ହେଉଛି ଦେଶ ଓ ସରକାରର ମୁଖ୍ୟ-ଅର୍ଥାତ ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶମାତା ।’ ମୋର ବାକ୍ୟ ଶୁଣି ମିନତି ବଡ଼ ସତର୍କ ଓ ସଚେତନ ହୋଇଗଲା । ସେ ବଡ଼ ଚତୁରତାର ସହିତ କହିଲା, ‘ମୁଁ ଆପଣଙ୍କ ପାଇଁ ଏଇ ମୁହୂର୍ତ୍ତରେ ସରକାରୀ ବାସଭବନରେ ଗୋଟିଏ ରୁମ୍ ଯୋଗାଡ଼ କରିଦେବି । ଏଥିପାଇଁ ଆପଣଙ୍କୁ ଭଡ଼ା ଦେବାକୁ ପଡ଼ିବ ନାହିଁ । ପୁଣି ସେଠାରେ ଖାଇବା ପିଇବା ମଧ୍ୟ ମାଗଣା ।’ ସେତେବେଳେ ମୁଁ ଭାବିଲି ଯେ, ମିନତି ହୁଏତ ଧରି ନେଇଛି–ମୁଁ ଗୋଟିଏ ରୋଗୀ ଲୋକ । ତେଣୁ ମତେ ସନ୍ତୁଷ୍ଟ କରିବା ପାଇଁ ସେ ସ୍ୱତନ୍ତ୍ର ଭାବେ ମୋ ବିଷୟ ବିଚାର କରିଥିବ ଓ ମୋ ପାଇଁ ସବୁ ଆଇନ କାନୁନକୁ ଲଙ୍ଘନ କରି ଗୋଟିଏ ଘର ମାଗଣାରେ ଯୋଗାଡ଼ କରିଦେବ । ସେତେବେଳେ ମୁଁ ଭାବିଲି ଯେ ବାସ୍ତବିକ ନାରୀମାନଙ୍କ ହୃଦୟ କୋମଳ ଓ ସେମାନେ ବଡ଼ ଉଦାର । ଉଚ୍ଚ ପ୍ରଶାସନିକ ଅଫିସର୍ ଓ ମନ୍ତ୍ରୀଭାବେ ସେମାନେ ନିଯୁକ୍ତି ପାଇଲେ–ଦେଶରେ ପ୍ରେମ-ବନ୍ୟା ଛୁଟିବ । ନାରୀମାନଙ୍କ ପ୍ରତି ମୋ ମନରେ ସମ୍ମାନ ବୃଦ୍ଧି ପାଉଥିବା ବେଳେ ମିନତି ଫୋନ୍ ଉଠାଇଲା ଓ ପୋଲିସ-ଷ୍ଟେସନ୍ ବୋଲି ପ୍ରଥମେ ଉଚ୍ଚାରଣ କଲା । ଏହା ଶୁଣୁ ଶୁଣୁ ମୋ ଧ୍ୟାନଭଙ୍ଗ ହୋଇଗଲା ଓ ମୁଁ ସଚେତନ ହୋଇ ପଡ଼ିଲି । ମିନତି ଯେଉଁ ମାଗଣା ସରକାର ଭବନ ବିଷୟରେ କହୁଛି’ ତାହା ଜେଲଖାନା ନୁହେଁ ତ ? ମୁଁ ସେଠାରେ ଆଉ ଅପେକ୍ଷା କରିବା ନିରାପଦ ବୋଲି ଭାବିଲି ନାହିଁ । ସେତେବେଳେ ମୋର ହୃଦ୍‌ବୋଧ ହେଲା । ମିନତିର ମୋ ପ୍ରତି ପ୍ରେମ-ବନ୍ୟା ଏତେ ପ୍ରଖର ଯେ, ଏଥିରେ ମୁଁ ପହଁରିବା ଜାଣି ନ ଥିବା ଯୋଗୁଁ ଉବୁ ଟୁବୁ ହୋଇ ବୁଡ଼ି ମରିଯିବି । ତେଣୁ ସେଠାରୁ ଦୌଡ଼ି ଦୌଡ଼ି ପଦାକୁ, ବହୁ ଦୂରକୁ ଚାଲିଯିବା ପାଇଁ ଚାହିଁଲି । ସେଠାରୁ ଦୌଡ଼ୁଥିବା ବେଳେ ମୁଁ ଭାବିଲି ଯେ ବାକ୍ ସ୍ଵାଧୀନତା ଏଠାରେ ଦିଆଯାଇ ନାହିଁ; ତେଣୁ ମୁକ୍ତ ଭାବେ ମୋ ମନ-କଥା ଖୋଲି କହିଥିବା ଯୋଗୁଁ ମୁଁ ଅପରାଧି । ପୁଣି ସରକାର ଚାକିରିଆମାନେ ନିଜକୁ ସରକାରଙ୍କ କର୍ମଚାରୀ ବୋଲି ନ ଭାବି ସରକାରଙ୍କ କ୍ରୀତଦାସ ବୋଲି ଭାବୁଛନ୍ତି ବୋଲି ମୁଁ ଆକ୍ଷେପ କରିଥିବା ଯୋଗୁଁ ମିନତିକୁ ବାଧିଥିବ-। ଏହି ସବୁ କାରଣରୁ ସେ ମତେ ପୋଲିସ ହାତରେ ଦେବାପାଇଁ ଚେଷ୍ଟା କରୁଛି । ତା’ର ଖଳ ଉଦ୍ଦେଶ୍ୟ ମୁଁ ଅନୁମାନ କରିପାରିଲି ଏବଂ ସେ ମତେ ବାରମ୍ବାର ପଛରୁ ଡାକୁଥିଲେ ମଧ୍ୟ ମୁଁ ସେଥିପ୍ରତି କାନ ଦେଲି-ନାହିଁ-ଏମିତି କି ପଛପଟକୁ ବୁଲି ଚାହୁଁ ନଥିଲି । ଅବଶ୍ୟ ଯିବା ବେଳେ କହୁଥାଏ, ‘ତମ ଅଫିସ ଦୁଆରରେ ତ ବିଛା ବୁଲୁଛି । ...ଆଉ ଅଫିସରୁମ୍‌ର ସେ ଗଦା ଗଦା ଫାଇଲ ମଧ୍ୟରେ କେତେ ପ୍ରକାରର ସାପ ଲୁଚି ରହି ନ ଥିବେ କିଏ ଜାଣିଛି । ମୋ ପ୍ରାଣକୁ ଲୋଭ ଥିବାଯାଏ ଆଉ ସେଠାକୁ ଯିବି ନାହିଁ…’ ମୁଁ ଏମିତି କହିବା ସତ୍ତ୍ୱେ ମିନତି ମତେ ଡାକୁଥାଏ । କିନ୍ତୁ ମୁଁ ତ ପଛପଟକୁ ମୁହଁ ବୁଲାଉ ନ ଥାଏ-ପଛକୁ ଫେରିବା ତ ଦୂରର କଥା । ପ୍ରକୃତରେ କବିଙ୍କ ଭାଷାରେ ଏ ବୀରର ଜାତକେ ପଛଘୁଞ୍ଚା ନାହିଁ । ମୁଁ ଏକ ନିଃଶ୍ଵାସରେ ଆଗକୁ ମାଡ଼ି ଚାଲିଥାଏ-

 

ଏମିତି ଧାଉଁଥିବାବେଳେ ମୋର ପୋଲିସ୍-ବ୍ୟବହାର ସମ୍ପର୍କରେ ଗୋଟିଏ ଘଟଣା ମନେପଡ଼ୁଥାଏ । କୌଣସି ଏକ ସହରରେ ପ୍ରସିଦ୍ଧ କାଳୀ-ଯାତ୍ରା ଖୁବ୍ ଆଡ଼ମ୍ୱରରେ ପାଳିତ ହୁଏ । ଏହା ଏକ ମାସ ଯାଏଁ ଚାଲେ ଏବଂ ଏହି ସମୟରେ ଚାରିଆଡ଼ୁ ଲୋକେ ସହରରେ ଜମା ହୋଇଥା’ନ୍ତି । ଏହି ଉଦ୍ଦେଶ୍ୟରେ ଯେଉଁମାନେ ‘ମାନସିକ’ କରିଥିବେ, ସେମାନେ ବିଭିନ୍ନ ବେଶଭୂଷାରେ ଘର ଘର ବୁଲି ପଇସା ସଂଗ୍ରହ କରି ମା’ କାଳୀଙ୍କୁ ଦେଉଥା’ନ୍ତି । ଏହି ବେଶଭୂଷା ମଧ୍ୟରେ ବାଘ ନାଚ, ବାଳକୃଷ୍ଣ ପାର୍ଟି, ଗାଜିଆ ବେଶ, ପିଲା ଖାଇ-ଡାହାଣୀ-ନାଚ ଇତ୍ୟାଦି ପ୍ରସିଦ୍ଧ-। କେତେକ ପୁରୁଷ ମଧ୍ୟ ସ୍ତ୍ରୀ-ପୋଷାକ ପିନ୍ଧି ବିଭିନ୍ନ ହାସ୍ୟ-ଅଭିନୟ କରିଥା’ନ୍ତି । ଏକଦା ଗୋଟିଏ ମଫସଲିଆ ଲୋକ ଏହି ଯାତ୍ରା ଦେଖିବାକୁ ଆସିଥିଲା । ସେ ମହିଳାମାନେ ପୋଲିସ୍ ଚାକିରି କରନ୍ତି ବୋଲି ଜାଣି ନାହିଁ । ତେଣୁ ଯାତ୍ରା ଭିତରେ ଗୋଟିଏ ମହିଳା-ପୋଲିସ୍‌କୁ ଦେଖି ସେ ଭାବିଲା ଯେ ବହୁତ ପୁରୁଷ ଯେମିତି କ୍ଷୀରବିକା ମାଇକିନା, ବୁଲା ପରିବା-ବିକାଳୀ ମାଇକିନା ଇତ୍ୟାଦି ଡ୍ରେସ ପିନ୍ଧି, ସାହି ବୁଲି, ପଇସା ମା’ କାଳୀଙ୍କ ପାଇଁ ମାଗିଥା’ନ୍ତି ସେମିତି କୌଣସି ଗୋଟିଏ ପୁରୁଷ ଏମିତି ମାଇକିନା ପୋଲିସ୍-ବେଶ ଧରିଛି । ହାସ୍ୟରସ ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ ବୋଲି ସେ ବିଚାରିଲା । ତେଣୁ ଥଟ୍ଟା କରିବାକୁ, ରସିକତା ସହିତ ଆଖି ମାରି ଗାଉଁଲିଆ ଲୋକଟି ସେହି ମହିଳା-ପୋଲିସ୍‌କୁ ଅଭଦ୍ର ମନ୍ତବ୍ୟ ଦେଲା, ‘ନଡ଼ିଆ ସଢ଼େଇ ଫଳ ଦି’ଟା ତୋ ଛାତିକୁ ବେଶ୍ ମାନୁଛି ଲୋ…’ ଏଥିରେ ମହିଳା-ପୋଲିସ୍‌ଟି ବଡ଼ ଉତ୍ତ୍ୟକ୍ତ ହୋଇ ଲୋକଟିକୁ ଟାଣି ଟାଣି ଫାଣ୍ଡିକୁ ନେଲା । ସେ ଦଳକୁ ଦଳ ଅଧିକ ବୃଦ୍ଧି ହୋଇ ଲୋକଟିକୁ ଜୋତାରେ ଚକଟି ରକ୍ତାକ୍ତ କରି ଛାଡ଼ିଦେଲା । ଏହି ଘଟଣାଟି ମନେପଡ଼ିବା କ୍ଷଣି ମୁଁ ନିଜକୁ ନିଜେ ସତର୍କ କରାଇ ସମଝିଲି ଯେ ଯଦି ମୋ ପାଟିରୁ ସାମାନ୍ୟ ପଦଟିଏ ଖସିଯାଏ କିମ୍ବା ଦୁର୍ଭାଗ୍ୟବଶତଃ ମୁଁ ପଥ ହୁଡ଼ିଲେ, ହାଜତରେ ଯମଦଣ୍ଡ ପାଇବି ।

 

କେହି-ବିଶେଷତଃ ପୋଲିସ-ନ ଦେଖି ପାରିବା ପରି ଜାଗାଟିଏ ଖୋଜିଲି । ଶେଷରେ ଗୋଟିଏ ଅନ୍ଧାରୁଆ ଓ ଅଳନ୍ଧୁରେ ଘୋଡ଼ାଇ ହୋଇ ରହିଥିବା ଘରକୋଣରେ ପଶିଲି । ତା’ପରେ କାନ୍ଥକୁ ଆଉଜି ପଡ଼ିଲି । ସେତେବେଳେ ମତେ ନିଦ ଘୋଟିଲା । କିନ୍ତୁ ଅତର୍କିତଭାବେ ମୋ କାନ ପାଖରେ ଖସ୍ ଖସ୍ ଶବ୍ଦ ହେବାରୁ ମୋ ନିଦ ଭାଙ୍ଗିଗଲା । ମୁଁ ଚତୁର୍ଦ୍ଦିଗକୁ ଆଖି ବୁଲାଇ କାହାରିକୁ ଦେଖି ନ ପାରିବାରୁ କିଛି ସମୟ ଆତଙ୍କିତ ହୋଇ ପଡ଼ିଲି । ପରେ ପରେ ମତେ ନିଦ ଜାବୁଡ଼ି ଧରିଲା । କିଛି ସମୟ ମଧ୍ୟରେ ପୁଣିଥରେ ସେମିତି ଖସ୍ ଖସ୍ ଶବ୍ଦ ହେଲା । ମୁଁ ନିଦରୁ ଉଠି ଜାଗ୍ରତ ହୋଇଗଲି । ଏହା ଭୂତପ୍ରେତର କୋଠି ହୋଇପାରେ କି ?–ବୋଲି ମନେ ମନେ ସନ୍ଦେହ କଲି । ବେଳେବେଳେ ଭାବିଲି ଯେ ଏହି ବୈଜ୍ଞାନିକ ଯୁଗରେ ନାନାପ୍ରକାର ଉପାୟରେ ଓ ଯନ୍ତ୍ର ସାହାଯ୍ୟରେ ଗୁପ୍ତଚର କାର୍ଯ୍ୟ କରାଯାଉଥାଏ । ବର୍ତ୍ତମାନ ଯେଉଁ ଶବ୍ଦ ମୋ କାନ ପାଖରେ ହେଉଛି, ତାହା ସେହି ବୈଜ୍ଞାନିକ କୌଶଳର ଅଂଶବିଶେଷ କି ? -ବୋଲି ନିଜକୁ ନିଜେ ପଚାରିଲି-। ତା’ପରେ ଧୈର୍ଯ୍ୟର ସହିତ ଛାତ ତଳକୁ ଚାହିଁବାରୁ ଖଣ୍ଡେ ସନ୍ତସନ୍ତିଆ ଜାଗା ଦେଖିଲି ଓ ସେଥିରୁ ଟପ୍ ଟପ୍ ପାଣି ଖସୁଥିବାର ଜାଣି ପାରିଲି । କ୍ରମଶଃ ମୁଁ ବୁଝିଲି ଯେ ମୁଁ କାନ୍ଥର ଯେଉଁ ଭାଗରେ ମୁଣ୍ଡ ଆଉଜାଇ ଶୋଇଥିଲି, ସେଇ କାନ୍ଥ ଭିତରେ ଗୋଟିଏ ନଳା ପୋତା ଯାଉଛି ଓ ଏହା ସାହଯ୍ୟରେ ଉପର ମହଲାରେ ପାଇଖାନା ପାଣି ଭୂତଳର ମୁଖ୍ୟ ନଳାକୁ ଯାଇଥାଏ । ତେଣୁ ଉପର ମହଲାର ପାଇଖାନାରେ ଝାଡ଼ା ଫେରି କେହି ପାଣି ଢାଳିବାବେଳେ ମତେ ଏମିତି ଖସ୍ ଖସ୍ ଶବ୍ଦ ଶୁଭୁଥିଲା । ଏହି ରହସ୍ୟ ଯାହା ହେଉନା କାହିଁକି, ଏଠାକାର କାନ୍ଥବାଡ଼, ପାଣିପବନ, ମାଟି, ମଣିଷ କାହାରିକୁ ଆଉ ସହଜରେ ମୁଁ ବିଶ୍ଵାସ କରିପାରୁ ନାହିଁ । ସବୁ ଜିନିଷରେ କିଛି କିଛି ଲୁକ୍‌କାୟିତ ଉଦ୍ଦେଶ୍ୟ ରହୁଛି, ସବୁ କଥାରେ ବହୁ ପ୍ରକାରର ଅର୍ଥ ଓ ଇଙ୍ଗିତ ରହୁଛି । ତେଣୁ ମୁଁ କାହାକୁ ନିଜର ବୋଲି ଭାବିଲି; କାହା ଉପରେ ଭରସା ରଖି ଏଠାରେ ମୋ ସମୟ ବିତାଇବି-ଆଦୌ ସ୍ଥିର କରି ପାରିଲି ନାହିଁ । ଜୀବନକୁ ଅତି ଦୁଃସହ ବୋଲି ମନେ କରି, ସେଇ ଘରର ଅନ୍ଧାରୁଆ କୋଣରେ ଭବିଷ୍ୟତ ବିଷୟରେ ଭାବିବାବେଳେ ପୁଣି ଥରେ ନିଦ ଧରିଲା । କିନ୍ତୁ ଏଇଥର ଶୋଇବାବେଳେ ମୁଁ ସ୍ଥିର କଲି ଯେ ଯେତେ ପ୍ରକାର ଶବ୍ଦ ହେଲେ ସୁଦ୍ଧା ମୁଁ ଆଉ ନିଦରୁ ଉଠିବି ନାହିଁ; ଆପେ ଆପେ ନିଦ ଭାଙ୍ଗିଲେ ହିଁ ଉଠିବି ।

 

କିଛି ସମୟ ପରେ ମତେ କେହି ଦୁଇ ଜଣ ଜୋରରେ ଝାଙ୍କି ଉଠାଇବାକୁ ଚେଷ୍ଟା କରୁଥିବାର ମୁଁ ଅନୁଭବ କଲି । ଏମାନଙ୍କର ପରିଚୟ ଜାଣିବାକୁ ମୁଁ ସତର୍କତାର ସହିତ ସାମାନ୍ୟ ଭାବେ ଆଖି ଖୋଲିଲି ଓ ତାଙ୍କ ପୋଷାକରୁ ଜାଣିପାରିଲି ଯେ ସେମାନେ ପୋଲିସ । ତେଣୁ ଜବରଦସ୍ତି ଆଖି ବୁଜିଦେଲି ଓ ଗାଢ଼ ନିଦରେ ଶୋଇଥିବାର ଅଭିନୟ କଲି । ସେତେବେଳେ ମୋ ମନରେ ଭାବନା ହେଲା ଯେ ହୁଏତ ମିନତି ମୋ ନାଁରେ ଥାନାକୁ ଫୋନ୍ କରିଥିବା ଯୋଗୁଁ ମତେ ଖୋଜି ଖୋଜି ପୋଲିସ୍‍ ଏଠାରେ ପହଞ୍ଚିଛି । ନଚେତ୍ ଫେମିଲି ପ୍ଲାନିଂ ଅଫିସକୁ ଯିବା ପାଇଁ ଜାଲ୍-ପାଶ୍ କରିଥିବା ବିଷୟ ସେଇ ଗୁପ୍ତଚର ଦ୍ଵାରା ପୋଲିସ୍‌ ହୁଏତ ଜାଣି ପାରିଥିବ । ଏମିତି ମୁଁ ପୂର୍ବରୁ କରିଥିବା ନାନା କୁକର୍ମକୁ ମନେ ପକାଇ ବଡ଼ ଉଦ୍‌ବିଗ୍ନ ହେଲି । ମୁଁ ନାରୀ-ଧର୍ଷଣ ଅପରାଧ କରିଛି ବୋଲି ସେହି ପୋଲିସ ଦୁଇ ଜଣ କଥା ହେଉଥାନ୍ତି । ମତେ ଉଠାଇବା ପାଇଁ ସେମାନଙ୍କର ବାରମ୍ବାର ସରଳ ଚେଷ୍ଟା ସତ୍ତ୍ୱେ ମୁଁ ମଢ଼ ପରି ପଡ଼ି ରହିଥିବା ଯୋଗୁଁ ସେମାନେ ମତେ ଡରାଇଲେ–ମୋ କାନ ଭିତରେ ଜୀଅନ୍ତା ମାଛ ପୂରାଇ ଦେବେ ବୋଲି ଧମକ ଦେଲେ । ତଥାପି ମୁଁ ଅବିଚଳିତ । ତା’ପରେ ସେ ଦୁହେଁ ଫୁସୁରୁ ଫାସର ହୋଇ କ’ଣ କଥାବାର୍ତ୍ତା ହେଲେ, ମୁଁ ଜାଣି ପାରିଲି ନାହିଁ । ଗୋଟିଏ ପୋଲିସ ମୋ ବାମ କାନ ପାଖରେ, ଦାଢ଼ି ଭିତରେ ଆଙ୍ଗୁଠି ବୁଲାଇଲା । ସେଠାରେ ମୋର ଗୋଟିଏ ଘା-ଚିହ୍ନ ଦାଢ଼ି ଭିତରେ ଲୁଚି ଯାଇଥିଲା । ପୋଲିସଟି ତା’ପରେ ପାଟି କରି ଅନ୍ୟ ଜଣକୁ ‘ପାଇଗଲି-ପାଇଗଲି’ ବୋଲି କହିଲା । ତା’ପରେ ସେ ଦୁହେଁ ମୋ ପ୍ୟାଣ୍ଟର ବୋତାମ ଖୋଲିଲେ । ସେମାନେ ବୋଧହୁଏ ମୋ ଅଣ୍ଡର୍‌ଓୟାର୍‌କୁ ଖୋଲିବା ପାଇଁ ଇଚ୍ଛା କଲେ । ମୋ ଅଣ୍ଡର୍‍ଓୟାର୍ ଇଲାଷ୍ଟିକ୍ ନୁହେଁ–ଏହା ଏକ ଦେଶୀ ଲୁଙ୍ଗିଟେ; ଗୋଟିଏ ଲମ୍ବା କନା-ଦଉଡ଼ି ଦ୍ଵାରା ଏହା ଅଣ୍ଟାକୁ ଗୁଡ଼ାଇ ଗଣ୍ଠି ପକାଯାଇଥାଏ । ତେଣୁ ସେମାନେ ଗଣ୍ଠି ଖୋଜିବାକୁ ମୋ ଅଣ୍ଟା ଚାରିପଟେ ହାତ ବୁଲାଇଲେ । ଏହି ସମୟରେ ମୋ ଶରୀରରେ ଈଷତ୍ ଗଲଗଲ ଅନୁଭୂତି ଜାତ ହେଲା । ସ୍ୱାଭାବିକ ପରିସ୍ଥିତିରେ ମୁଁ ଏହି ଅବସ୍ଥାରେ ହସ ଚାପି ରହି ପାରି ନ ଥା’ନ୍ତି । କିନ୍ତୁ ବର୍ତ୍ତମାନ ମୋର ମୁଖ୍ୟ ଉଦ୍‌ବେଗର କାରଣ ହେଉଛି–ଏମାନେ ମତେ ଉଲଗ୍ନ କରିବାକୁ କାହିଁକି ଚାହୁଁଛନ୍ତି ? ସେତେବେଳେ ମୋର ମନେପଡ଼ିଲା: ଫେମିଲି ପ୍ଲାନିଂ ଅଫିସରେ ମୁଁ ହରିହରଙ୍କୁ ‘ଛୋଟ ପରିବାର କ୍ଳବ’ର ସଭାପତି ବୋଲି ନିଜର ପରିଚୟ ଦେବାବେଳେ ମୁଁ ନିର୍ବୀଜ-କାରଣ ଅପରେଶନ୍ କରିଛି ବୋଲି କହିଥିଲି । ଏହି ସମ୍ପର୍କରେ ହୁଏତ ହରିହର ଓ ଉପରୋକ୍ତ ସାମ୍ବାଦିକଙ୍କ ମଧ୍ୟରେ ଆଲୋଚନା ଓ ବାଦାନୁବାଦ ହୋଇଥିବ ଅବଶ୍ୟ ଏମିତି ଅସ୍ଵାଭାବିକ ଆଲୋଚନାର ସୂତ୍ରପାତ ହେବାପାଇଁ କାରଣ ହୋଇପାରେ ଯେ ସାମ୍ବାଦିକ ଜଣକ ମୋ ସହିତ ସାକ୍ଷାତକାରଟି ତାଙ୍କ ଦୈନିକ ପତ୍ରିକାରେ ପ୍ରକାଶ କରିବା ପରେ ମୋର ପରିଚୟ ସମ୍ବନ୍ଧରେ ବହୁ ଲୋକ ତାଙ୍କୁ ପଚାରିଥିବେ । ତା’ପରେ ହୁଏତ ସେ ଭଲଭାବେ ତଦନ୍ତ କରି ଜାଣିବେ ଯେ ଛୋଟ-ପରିବାର-କ୍ଳବ ବୋଲି ସେମିତି କିଛି ସଂସ୍ଥା ନାହିଁ ଓ ମୁଁ ଏମିତି ଗୋଟାଏ କ୍ଳବର ସଭାପତି ବୋଲି କହି ଗୁରୁତର ଭୁଲ କରିଛି । ତା’ପରେ ସାମ୍ବାଦିକ ମହାଶୟ ହରିହରଙ୍କୁ ଏହି ସମ୍ପର୍କରେ କହିଥିବେ । ସେତେବେଳେ ହରିହର ମୋ ସହିତ କଥା ହୋଇଥିବା ସମସ୍ତ ବିଷୟ ସାମ୍ବାଦିକଙ୍କୁ ଜଣାଇଥିବେ ଓ ମୁଁ କେତେଦୂର ମିଥ୍ୟାବାଦୀ ସେ ବର୍ଣ୍ଣନା କରିଥିବେ । ହୁଏତ ସେ କହୁ କହୁ ମୁଁ ଖାସୁ ହେବା କହିଥିବା ତଥ୍ୟ ମଧ୍ୟ ସାମ୍ବାଦିକଙ୍କୁ ଜଣାଇଥିବେ । ଏହି ସବୁ ତଥ୍ୟ ହରିହର ଓ ସାମ୍ବାଦିକ ପୋଲିସକୁ ଜଣାଇଥିବେ ଏବଂ ମୋ ପରି ଗୋଟିଏ ମିଥ୍ୟାବାଦୀ ଓ ଠକକୁ ଗିରଫ କରିବା ପାଇଁ ପୋଲିସ ନିକଟରେ ଦୃଢ଼ ଦାବି କରିଥିବେ । ବର୍ତ୍ତମାନ ପୋଲିସ ମୁଁ ପ୍ରକୃତରେ ଭାସେକ୍ଟୋମି ଅପରେଶନ କରିଛି ନା ନାହିଁ ଜାଣିବାକୁ ହୁଏତ ମୋ ଅଣ୍ଡରଓୟାର୍ ଖୋଲୁଛି । ନଚେତ୍ ମତେ ଲଙ୍ଗଳା କରିବା ପଛରେ ଅନ୍ୟ ଗୋଟିଏ କାରଣ ରହିପାରେ; ବର୍ତ୍ତମାନ ଆମ ସରକାରଙ୍କର ସର୍ବପ୍ରଥମ କାର୍ଯ୍ୟକ୍ରମ ହେଉଛି ପରିବାର ନିୟନ୍ତ୍ରଣ । ଏଥିପାଇଁ ବହୁ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ନିର୍ବୀଜ-କରଣ କରାଯାଉଛି ହୁଏତ ଏହି ପୋଲିସ୍‍ମାନେ ମୁଁ ଅପରେଶନ୍ କରି ନାହିଁ ବୋଲି କହିବା ମାତ୍ରେ କୌଣସି ଡାକ୍ତର କିମ୍ବା କମ୍ପାଉଣ୍ଡର୍ ଆସି ଏବେ ମତେ ଅପରେଶନ କରାଇ ଦେବ-। ଏହି ଦୁଇଟି କାରଣ ମଧ୍ୟରୁ ଯେଉଁଟି ଠିକ୍ ହେଉ ନା କାହିଁକି, ମୁଁ ଭାସେକ୍ଟୋମି ଅପରେସନ୍ କରି ନ ଥିବା ଯୋଗୁଁ ପ୍ରମାଦ ଗଣିଲି । ମୋ ମନରେ ବିଭିନ୍ନ ପ୍ରକାର ଆଶଙ୍କା ଉଙ୍କି ମାରୁଥିବାବେଳେ ମୋ ଲୁଙ୍ଗିଟିର ଗଣ୍ଠି ନ ପାଇ ଗୋଟିଏ ପୋଲିସ ଅନ୍ୟ ଜଣଙ୍କୁ ମୂଷା ପରି ଦାନ୍ତରେ ଲୁଙ୍ଗିଟିର ଦଉଡ଼ିକୁ କାଟି ଦେବା ପାଇଁ ବତାଇଲା । ଏମିତି ଅବସ୍ଥାରେ ମୁଁ ନୀରବ ରହିବା ଆଦୌ ଠିକ୍ ହେବ ନାହିଁ ବୋଲି ଭାବି, ସିଧାସଳଖ ଠିଆ ହୋଇପଡ଼ିଲି, ଯଦିଚ ସେମାନଙ୍କ ମନରେ ଧାରଣା ହୋଇଥିବ ଯେ ମୁଁ ଗୋଟାଏ ଠକ ଓ ଚେଇଁ ଶୋଇଥିଲି । ସେମାନେ ମତେ ଲୁଙ୍ଗିଟି ଖୋଲିବାକୁ କହିବାରୁ ମୁଁ ଲଙ୍ଗଳା ହୋଇଯିବି ବୋଲି ପ୍ରତିବାଦ ଜଣାଇ ମନା କଲି । ତା’ପରେ ସେମାନେ ହସି ହସି ଉତ୍ତର ଦେଲେ : ମୁଁ ଲିଙ୍ଗରାଜ ନୁହେଁ ଯେ ସେମାନେ ମୋର ଲିଙ୍ଗ-ଦର୍ଶନ କରିବେ । ମୋର ଗାଣ୍ଡୁ ଦେଖିବା ସେମାନଙ୍କର ଉଦ୍ଦେଶ୍ୟ ବୋଲି ସେମାନେ ଜଣାଇଲେ । ମୁଁ ହଠାତ୍ କିଛି ବୁଝି ନ ପାରି ପଚାରିଲି, ‘ଗାଣ୍ଡୁ ! ...ଗାଣ୍ଡୁ ! ...ଗାଣ୍ତୁ କ’ଣ ?’ ସେମାନେ ଆକ୍ରମଣାତ୍ମକ ଭଙ୍ଗୀରେ ଏକ ସ୍ୱରରେ ଉତ୍ତର ଦେଲେ, ‘ଗାଣ୍ଡୁ କ’ଣ ଜାଣି ନାହୁଁ ? ...ଲୁଚାଉଛୁ ? ପିଟି ପିଟି ସିଧା କରିଦେବୁ । …ଦେଖାଅ ତୋ ଗାଣ୍ଡୁ । ବୋକାଙ୍କ ପରି ଚାହିଁ ରହିଛୁ କ’ଣ ? ...ଗାଣ୍ଡୁ କ’ଣ ଜାଣି ନାହୁଁ ? ଏହା ନାଭି ଉପରେ ଫୁଲି ଉଠିଥାଏ ଏବଂ ସମୟେ ସମୟେ, ତାକୁ ଚିପିଲେ କଁ କଁ ଶବ୍ଦ ହୁଏ ।’ ମୋର ଏମିତି କଁ କଁ ଗାଣ୍ଡୁ କିଛି ନାହିଁ ବୋଲି କହିବା ସତ୍ତ୍ଵେ ସେମାନେ ବିଶ୍ଵାସ କଲେ ନାହିଁ ଓ ସ୍ଵଚକ୍ଷୁରେ ଦେଖିବେ ବୋଲି ଜିଦ୍ ଧରିଲେ । ମୁଁ ବାଧ୍ୟ ହୋଇ ଲୁଙ୍ଗିଟି ଖୋଲିଲି । ସେମାନେ ବର୍ତ୍ତମାନ ଦେଖିପାରିଲେ ଯେ ମୋ ନାଭିଟି ପେଟ ସହିତ ଗୋଟିଏ ସମତଳରେ ଅଛି–ସେମାନେ ଖୋଜୁଥିବା ଗାଣ୍ଡୁର ଚିହ୍ନ ବର୍ଣ୍ଣ ମଧ୍ୟ ନାହିଁ । ଏଥି ଯୋଗୁଁ ସେମାନେ ଖୁବ୍ ବିଷର୍ଣ୍ଣ ହୋଇ ପଡ଼ିଲେ । ସେମାନଙ୍କ ମନୋଭାବ ମୁଁ କିଛି ବୁଝି ନ ପାରିବା ଯୋଗୁଁ ସେମାନେ ବର୍ଣ୍ଣନା କଲେ, ‘ଆମ କର୍ତ୍ତୃପକ୍ଷ ନାରୀ-ଧର୍ଷଣ ଅପରାଧରେ ଗୋଟିଏ ଲୋକକୁ ଗିରଫ କରିଥିଲେ । ପରେ ତାକୁ ଜାମିନରେ ଖଲାସ୍ କରାଯାଇଥିଲା । କିନ୍ତୁ କେତେ ମାସ ପରେ ଏହି ବଦ୍‌ମାସ ଲୋକଟି ଅଭିଯୁକ୍ତ ହେବା ଭୟରେ ଫେରାର ହୋଇଯାଇଛି । ବର୍ତ୍ତମାନ ତାକୁ ଖୋଜାଖୋଜି ଚାଲିଛି । ଏହି ଆସାମୀକୁ ଯିଏ ଧରିପାରିବ, ତାକୁ ପୁରସ୍କାର ଦିଆଯିବ ବୋଲି ଆମ ଅଫିସର କଥାବାର୍ତ୍ତା ହେଉଥିବାର ଆମେ ଶୁଣୁଥିଲୁ । ଶୀଘ୍ର ଏହି ସଂପର୍କରେ ବିଜ୍ଞାପନ ପ୍ରଚାରିତ ହେବ । ଆମ ପୋଲିସ୍‍ କର୍ମଚାରୀଙ୍କ ମଧ୍ୟରୁ ଯଦି କେହି ଉକ୍ତ ଆସାମୀକୁ ଧରି ଦିଏ, ତାହାହେଲେ ତା’ର ପଦବୀରେ ଉନ୍ନତି ହେବ । .. ଯାହାହେଉ. ଉକ୍ତ ଆସାମୀର ଚେହେରା, ବର୍ଣ୍ଣ ଓ ଉଚ୍ଚତା ପ୍ରାୟ ତମ ପରି । କିନ୍ତୁ ତା’ର ଦାଢ଼ି ନଥିଲା । ଆମେ ଭାବିଲୁ ଯେ ତମେ ସେଇ ପଳାତକ ଆସାମୀ ଓ ଦାଢ଼ି ଧାରଣ କରି ବର୍ତ୍ତମାନ ଆତ୍ମଗୋପନ କରୁଛ-ପୁଣି ତମେ ଏମିତି ଗୋଟିଏ ଅପରିଷ୍କାର ଓ ପରିତ୍ୟକ୍ତ ଅନ୍ଧାରୁଆ କୋଣରେ ଲୁଚି ଶୋଇଥିବାରୁ ଆମର ସନ୍ଦେହ ଅଧିକ ବଢ଼ିଗଲା । ସେ ଆସାମୀର ଦୁଇଟି ଆଇଡେଣ୍ଟିଫାଇଙ୍ଗ୍‍ ମାର୍କ ଆମର ଏବେ ମନେପଡ଼ୁଛି । ପ୍ରଥମଟି ହେଉଛି-ତା’ର ବାମ କାନ ପାଖରେ ଘା’ ଚିହ୍ନ, ଯାହାକି ତମର ମଧ୍ୟ ଥିବାର ଆମେ ତଦନ୍ତରୁ ଜାଣିଲୁ । ଦ୍ୱିତୀୟଟି ହେଉଛି-ତା’ର ଗାଣ୍ଡୁ । ତମ ଗାଲରେ ଘା’ ଚିହ୍ନଟି ଦେଖିବା ପରେ ଆମେ ଦୃଢ଼ ଆଶା କରିଥିଲୁ ଯେ, ତମେ ହିଁ ସେ ଫେରାର ଆସାମୀ ଏବଂ ତମର ନିଶ୍ଚୟ ଗାଣ୍ଡୁ ଥିବ । ତେଣୁ ଆମେ ନିଃସନ୍ଦେହରେ ଓ ଦର୍ପର ସହିତ ତମର ଅଣ୍ଟା-ଦଉଡ଼ି ଖୋଲି ଦେବା ପାଇଁ ଚେଷ୍ଟା ଆରମ୍ଭ କଲୁ । କିନ୍ତୁ ଦୁର୍ଭାଗ୍ୟବଶତଃ ତମର ଗାଣ୍ଡୁ ନାହିଁ । ଯଦି ଥାଆନ୍ତା, ତାହାହେଲେ ଆମକୁ ଯଥେଷ୍ଟ ଯଶପ୍ରାପ୍ତି ହୋଇଥା’ନ୍ତା…ଅବଶ୍ୟ ଆସାମୀକୁ ଧରିବା ପାଇଁ ଆମକୁ ଡିଉଟି ଦିଆଯାଇ ନାହିଁ । ତଥାପି ତମକୁ ଦେଖୁ ଦେଖୁ ତମେ ଉକ୍ତ ଆସାମୀ ହୋଇଥିବ ବୋଲି ଆମ ମନରେ ସ୍ଵତଃ ସନ୍ଦେହ ଜାଗରିତ ହେଲା ଓ ଆମେ ନିଜ ଆଡ଼ୁ ତମ ବିଷୟରେ ଅନୁସନ୍ଧାନ କଲୁ ।’ ସେମାନେ ମୋ ଠାରୁ ବିଦାୟ ନେବା ପୂର୍ବରୁ ପୁଣି ସୂଚାଇ ଦେଇଥିଲେ ଯେ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ଉକ୍ତ ଫେରାର ଆସାମୀ ସମ୍ପର୍କରେ ଖବରକାଗଜ ଓ ରେଡ଼ିଓ ମାଧ୍ୟମରେ ବିଜ୍ଞାପନ ଦେବେ । ମୁଁ ଭାବିଲି ଯେ, ଏହାର ପରିଣତି ମୋ ପକ୍ଷରେ ଭୟଙ୍କର ହେବ; କାରଣ ଗଣମାଧ୍ୟମ ଦ୍ଵାରା ବିଜ୍ଞାପନ ପ୍ରସାରିତ ହୋଇଗଲେ ସମସ୍ତେ ଏହି ବିଷୟରେ ଊଣା ଅଧିକେ ଜାଣି ପାରିବେ ଓ ଉକ୍ତ ନାରୀ-ଧର୍ଷଣକାରୀ ଅପରାଧୀ ସହିତ ମୋର ଶାରୀରିକ ସାମଞ୍ଜସ୍ୟ ଥିବା ଯୋଗୁଁ ମତେ ହଠାତ୍ ସନ୍ଦେହ କରିବେ (ଯେମିତିକି ଏହି ପୋଲିସ୍ ଦୁଇ ଜଣ ଏବେ ମୋ ପଛରେ ଲାଗିଥିଲେ ।) ଏହି ସନ୍ଦେହୀ ଲୋକମାନଙ୍କ ମନରୁ ଉକ୍ତ ଭୁଲ୍‌ ଧାରଣା ଦୂର କରିବାକୁ ମତେ ଲୁଙ୍ଗିଟି ଖୋଲି ମୋର ଗାଣ୍ଡୁ ନ ଥିବା ବିଷୟ ଦେଖାଇବାକୁ ପଡ଼ିପାରେ । ଏହା ମୋ ପକ୍ଷରେ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ, ମାନହାନିଜନକ ଓ ଅପ୍ରିୟକର । ଏହିଁ ପରିସ୍ଥିତିକୁ ମୁଁ ଧିକ୍‌କାର କଲି ।

 

‘ଯାହାହେଇ, ସେହି ପୋଲିସ୍‍ ଦୁଇ ଜଣଙ୍କ ଦ୍ଵାରା ବିଶେଷ କିଛି ହଇରାଣ ହରକତର ସମ୍ମୁଖୀନ ହୋଇ ନ ଥିବା ଯୋଗୁଁ ମୁଁ ନିଜକୁ ଭାଗ୍ୟବାନ ମଣିଲି । ପ୍ରକୃତରେ Police State ରେ ମୁଁ ଉପର ବର୍ଣ୍ଣିତ ଯେଉଁ ହଇରାଣରେ ପଡ଼ିଲି, ତାହା ଅତି ସାମାନ୍ୟ ବୋଲି ବିଚାରିବାକୁ ହେବ-। ଯାହାହେଉ, ପୁଣି ଥରେ କୌଣସି ପୋଲିସ୍‌ର ଶ୍ୟେନ ଦୃଷ୍ଟିର ଶୀକାର ହେବାପାଇଁ ମୁଁ ଚାହୁଁ ନ ଥିଲି । ତେଣୁ ସେଠାରେ ଗୋଟିଏ ଲୋକକୁ ଜେଲ ଘର ଓ ପୋଲିସ୍ ଥାନା କେଉଁଠାରେ ଅଛି ବୋଲି ପଚାରିଲି । ସେ ଯେଉଁ ଦିଗରେ ଜେଲ ଘର ପୋଲିସ୍-ଥାନା ଥିବାର ବିଷୟ ଜଣାଇଲା, ମୁଁ ତା’ର ବିପରୀତ ଦିଗରେ ଗଲି । କିନ୍ତୁ ଅଳ୍ପ ଦୂର ଯିବା ପରେ ଦେଖିଲି ଯେ କୋଡ଼ିଏ ତିରିଶ ଫୁଟ ଉଚ୍ଚର ବିରାଟ ପ୍ରାଚୀର ମଧ୍ୟରେ ଗୋଟିଏ ସୁଦୃଢ଼ କୋଠା ଅଛି । କାନ୍ଥର ଉପରକୁ ଆହୁରି ତିନିଫୁଟ ଯାଏଁ କଣ୍ଟା-ଯୁକ୍ତ ତାର ବନ୍ଧା ଯାଇଛି । ଏହି କୋଠାଟି ଦେଖି ମୋ ମନରେ ଅସୀମ ଭୟର ସଞ୍ଚାର ହେଲା । ମୁଁ ଭାବିଲି ଯେ ଏହି କୋଠାଟି ଗୋଟିଏ ଜେଲଘର ଏବଂ ବୋଧହୁଏ ମୁଁ ଯେଉଁ ଲୋକଟି ଠାରୁ ଜେଲ ଘର ସମ୍ପର୍କରେ ବୁଝିଥିଲି, ସେ ମତେ ଭୁଲ ଖବର ଦେଲା । ତା’ପରେ କାଳେ ସେଠାରେ ପହରା ଦେଉଥିବା କୌଣସି ପୋଲିସର ଦୃଷ୍ଟି ଆକର୍ଷଣ କରିପାରେ ବୋଲି ଭୟ କରି, ଆଖିବୁଜି ଏକ ନିଶ୍ୱାସରେ ସେ କୋଠାଟିର ଫାଟକକୁ ଅତିକ୍ରମ କରି କିଛି ଦୂର ଯାଏଁ ଆଗେଇଲି । ସେତେବେଳେ ଦେଖିଲି ଯେ ରାସ୍ତାର ଦୁଇ କଡ଼ରେ ଥିବା କାନ୍ଥ-ବାଡ଼ରେ ଯୋଡ଼ି ଯୋଡ଼ି ଯୁବକ-ଯୁବତୀର ନାମ ପ୍ଲସ (ଯୁକ୍ତ-ଚିହ୍ନ) ଦେଇ ଲେଖା ଯାଇଛି । ପୁଣି ଅନେକ ସ୍ଥାନରେ ଦୋଅକ୍ଷରି ଭାଷା ମଧ୍ୟ ଗୋଲ୍ ଗୋଲ୍ ଅକ୍ଷରରେ ଲିପିବଦ୍ଧ ହୋଇଛି ଏବଂ ନାନା ପ୍ରକାର ଅଶ୍ଳୀଳ ଚିତ୍ର ଟଣା ଯାଇଛି । ଏହି ସବୁ ଦେଖିବା ପରେ ମୁଁ ଅନୁମାନ କଲି ଯେ ମୁଁ ଯେଉଁ ରୁଦ୍ଧ କୋଠାଟି ଦେଖିଲି ତାହା ଜେଲଖାନା ହୋଇ ନ ଥିବ । ଅବଶ୍ୟ ପରେ ଖବର ପାଇଲି ଯେ, ଏହି ଜେଲଖାନା ପରି ରୁଦ୍ଧ କୋଠାଟି ଗୋଟିଏ ମହିଳା-କଲେଜ ।

 

“ଏହି ଜନବସତିରେ ରହିବାକୁ ମୋର ଆଉ ଇଚ୍ଛା ହେଉ ନ ଥାଏ । ମୋର ମନୋବଳ କମିବାରେ ଲାଗିଛି । ମୁଁ ନିଃସଙ୍ଗତା ଭଲ ପାଇଲି । ଯେଉଁ ବାଟେ ଜନ-ସମାଗମ କମ୍, ମୁଁ ସେ ପଟକୁ ଯିବା ପାଇଁ ପସନ୍ଦ କଲି । ପ୍ରକୃତରେ ଲୋକେ ଯେଉଁ ଆଡ଼କୁ ଠେଲାଠେଲି ହୋଇ ଯାଉଥାନ୍ତି, ମୁଁ ତା’ର ବିପରୀତ ଦିଗରେ ଗଲି । ବହୁତ ସମୟ ପରେ ଗୋଟିଏ ଧର୍ମଶାଳାରେ ପହଞ୍ଚିଲି । ଏହା ଖୁବ୍ ପୁରୁଣା । ଏହାର ଅବସ୍ଥା ଆଦୌ ଭଲ ନୁହେଁ । ସେ କୌଣସି ମୁହୂର୍ତ୍ତରେ ଏହା ଧୁଳିସାତ୍‌ ହୋଇଯିବାର ଆଶଙ୍କା ଅଛି । ତଥାପି ହଠାତ୍ ଆଶ୍ରୟ ନେବା ଆଶାରେ ସେଠାକୁ ଗଲି । ସେଠାରେ ଥିବା ଅଧିକାଂଶ ବଖରା ଭଙ୍ଗା । ବାମ ପାର୍ଶ୍ଵରେ ଗୋଟିଏ ଖୋଲା ବଡ଼ ଘର ଥାଏ । ଏହାର କୌଣସି କାନ୍ଥ ନାହିଁ । ଛାତଟା ଝିଙ୍କରରେ ନିର୍ମିତ । କାଠ-ପଟା ଉପରେ ଏହା ଝିଙ୍କର ଧାଡ଼ି ଧାଡ଼ି ହୋଇ ଲଦା ହୋଇଥିଲେ ସୁଦ୍ଧା ପଟାଗୁଡ଼ିକ ପରସ୍ପର ଠାରୁ ଛଡ଼ାଛଡ଼ି ହୋଇ ରହିଥିବାରୁ ମଇଳା ଓ ଧୂଳି ଛାତରୁ ଖସୁଥାଏ । ତେଣୁ ସେଠାରେ ଚିତ୍ ହୋଇ, ଛାତ ଆଡ଼କୁ ଚାହିଁ ଶୋଇବାକୁ ଚେଷ୍ଟା କଲେ, ନାକ, ଆଖି ଓ ପାଟିରେ ଅଳନ୍ଧୁ ଓ ଧୂଳି ଭର୍ତ୍ତି ହୋଇଯିବ । ସେ ଖୋଲାଘରର ଚଟାଣର ଦୁର୍ଦ୍ଦଶା କହିଲେ ନ ସରେ । ବହୁତ ସ୍ଥାନରେ ପଲସ୍ତରା ଖୋଳି ହୋଇ ବାହାରି ଯାଇଥିବାରୁ ସେଠାରେ ଆରାମରେ ପ୍ରଶ୍ନ ଉଠୁନାହିଁ । ତେଣୁ ମୁଁ ପହଞ୍ଚିବା ସମୟରେ ଦେଖିଲି ଯେ, ସେଠାରେ କେତେକ ଲୋକ ସମତଳ ଥିବା ଖଣ୍ଡେ ଖଣ୍ଡେ ଜାଗା ବାଛି ନେଇ ବିଶୃଙ୍ଖଳିତ ଭାବେ ଶୋଇଛନ୍ତି । କାହାର ଗୋଡ଼ କାହାର ମୁଣ୍ଡକୁ ଛୁଇଁଛି ତ, ଜଣକର ହାତ ଅନ୍ୟ ଜଣକର ଜଙ୍ଘ ଉପରେ ପଡ଼ିଛି । ମୁଁ ସେମାନଙ୍କ ମଝିରେ ଖଣ୍ଡେ ସମତଳ ଜାଗାର ସନ୍ଧାନ ପାଇ, ସେଠାରେ ମୋ ବୁଜୁଳା ରଖିଲି । ଗତ ରାତିରୁ ଭଲ ଭାବେ ନିଦ ହୋଇ ନ ଥିବାରୁ, ଆଖିପତା ମାଡ଼ି ମାଡ଼ି ଆସିଲା ଓ ମୁଁ ସେଠାରେ ତତ୍‌କ୍ଷଣାତ୍ ଗଡ଼ି ପଡ଼ିଲି । କିନ୍ତୁ ହାତ ଗୋଡ଼ ଲମ୍ବାଇବାକୁ ସ୍ଥାନ ନ ଥିବାରୁ, ଶରୀରକୁ ପେଣ୍ଡୁ ପରି ମୁଦାମୁଦି କରି ଆଖି ବୁଜିଦେଲି । ତା’ପରେ ମୁଁ କେତେ ଘଣ୍ଟା ଶୋଇଲି, ମତେ ଜଣା ନାହିଁ । ନିଦ ଭାଜିବା ସମୟରେ ଦେଖିଲି ଯେ ସେ ଘରେ ଯେଉଁମାନେ ଶୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ସେଠାରେ ନାହିଁ । ସବୁଠାରୁ ଉଦବେଗଜନକ ବିଷୟ ହେଉଛି ଯେ ମୋର ଦୁଇଟି ବୁଜୁଳା ମଧ୍ୟରୁ ପଇସା ପତ୍ର ଥିବା ବୁଜୁଳାଟି ନାହିଁ । ତେଣୁ ମୁଁ ଚାରିଆଡ଼କୁ ଆଖି ବୁଲାଇ ଖୋଜିଲି । ଶେଷରେ ଛାତି ତଳକୁ ଥିବା ଗୋଟିଏ ଦୁଇ ଫୁଟ ଓସାର ବିଶିଷ୍ଟ, ହାତ-ଭାଡ଼ି ପ୍ରତି ମୋ ଦୃଷ୍ଟି ଆକର୍ଷିତ ହେଲା । ଏହା ଉଚ୍ଚରେ ଥିବାରୁ, ଭାଡ଼ିରେ କ’ଣ ଅଛି ଜାଣି ହେଉ ନ ଥାଏ । ପୁଣି ସେଠାକୁ ମୋ ହାତ ସହଜରେ ପହଞ୍ଚୁ ନ ଥାଏ । ତଥାପି ଆଙ୍ଗୁଠି ଟିପରେ ଠିଆ ହୋଇ ହାତ ବଢ଼ାଇଲି । ସେତେବେଳେ ମୋ ହାତ କଣାଥବା କୌଣସି ଏକ ଜିନିଷରେ ଗଳିଗଲା । ମୁଁ ହାତ ଛିଞ୍ଚାଡ଼ି ଦେବାରୁ ସେ ଜିନିଷଟା ତଳେ ବାଡ଼େଇ ହୋଇ ପଡ଼ିଗଲା । ଯାହା ଦେଖିଲି, ମୁଁ ହଠାତ୍ ବିଶ୍ୱାସ କରି ପାରିଲି ନାହିଁ–ତାହା ଗୋଟିଏ ମଣିଷ-ମୁଣ୍ଡର ଅସ୍ଥି-କଙ୍କାଳ । ମୁଁ ଚମକି ପଡ଼ିଲି । ମୋର ଯାହା ମନେ ହେଲା, ସେ ହାତ-ଭାଡ଼ିରେ ଆହୁରି ତିନି ଚାରୋଟି ଏମିତି ମଣିଷ-ମୁଣ୍ଡ ଅଛି । ସେତେବେଳେ ଏଠାରେ ଶୋଇଥିବା ଗୋଟିଏ ଲୋକ ବିଷୟରେ ମୁଁ ମନେ ପକାଇଲି, ଯିଏକି ତାନ୍ତ୍ରିକ ପରି ଜଣା ପଡ଼ୁଥାଏ । ଯେତେଦୂର ସମ୍ଭବ, ତା’ର ଏହି ସବୁ ଜିନିଷ ମୋର ହଜିଥିବା ଗଣ୍ଠିଲି ବିଷୟରେ ଆଉ ଅଧିକ ତଦନ୍ତ କରିବାକୁ ସାହାସ ହେଲା ନାହିଁ ।

 

ବହୁ ସମୟ ପୂର୍ବରୁ ଆକାଶ ମେଘାଚ୍ଛନ୍ନ ହୋଇ ଚାରିଆଡ଼େ ଅନ୍ଧକାର ପ୍ରାୟ ମାଡ଼ି ଯାଇଛି । ବାଲି-ଧୂଳି ମିଶା ପବନ ଖୁବ୍ ଜୋରରେ ଘୁ ଘୁ ହୋଇ ବହୁଛି । ବେଳେ ବେଳେ ପବନ ସ୍ତମ୍ଭିତ ହୋଇଗଲେ, ମୁଁ କାହାରି, ନୂପୁରର ଝମ୍ ଝମ୍ ଶବ୍ଦ ଶୁଣି ପାରୁଥାଏ । ଏହା ଧୀରେ ଧୀରେ ତାଳ ପକାଇ ବାଜୁଥାଏ । ସେଇ ଜନଶୂନ୍ୟ ଧର୍ମଶାଳାରେ ଏମିତି ଘଟଣା ମୋ ମନରେ ଭୂତ ଭୟ କିମ୍ବା କୌଣସି ଅଶରୀର ଯୋଗୁଁ ଆଶଙ୍କା ସୃଷ୍ଟି କଲା । (ଅବଶ୍ୟ ଏହି ନୂପୁର-ଶବ୍ଦର ରହସ୍ୟ ମୁଁ ବହୁ ପରେ ଜାଣିଲି । ଧର୍ମଶାଳାର ଶେଷରେ ଥିବା ଗୋଟିଏ ଭଙ୍ଗା କୋଠରୀରେ କୌଣସି ଯୁବତୀ ତା’ର ଛୋଟ ସନ୍ତାନକୁ ଗୋଡ଼ରେ ଶୁଆଇବା ପାଇଁ ଢୁଳାଇ ଢୁଳାଇ ପାଦ ନଚାଉ ଥାଏ । ସେତେବେଳେ ତା’ର ପାଦରୁ ନୂପୁର ଶବ୍ଦ ତାଳ ପକାଇବା ପରି ମତେ ଜଣା ପଡ଼ୁଥାଏ) । ସେଠାରୁ ଶୀଘ୍ର ଚାଲିଯିବା ପାଇଁ ମୁଁ ଅନ୍ୟ ବୁଜୁଳାଟି ଧରି ଦ୍ଵାର ଆଡ଼କୁ ଆସିଲି । କବାଟଟି ପଦାକୁ ଠେଲିଲେ ଖୋଲେ । କିନ୍ତୁ ମୁଁ ଯେତେ ଠେଲିଲେ ସୁଦ୍ଧା ତାହା ଖୋଲିଲା ନାହିଁ । ମୋର ଯାହା ମନେ ପଡ଼ୁଥାଏ, ସେ କବାଟ ବାହାର ପଟେ ଶିକୁଳି ନାହିଁ । ତେଣୁ କବାଟ କାହିଁକି ଖୋଲୁ ନାହିଁ ? -ମୁଁ ବହୁତ ସମୟ ଯାଏ ଜାଣି ପାରିଲି ନାହିଁ ତା’ପରେ କବାଟର ଫାଙ୍କ ବାଟେ ଦୈବାତ୍ ନିରୀକ୍ଷଣ କରି ଜାଣିଲି ଯେ ରାସ୍ତା କଡ଼ର ଟେଲିଫୋନ ଖୁଣ୍ଟଟି ପବନରେ କବାଟ ଉପରକୁ ମୋଡ଼ି ହୋଇ ଯାଇଛି ତେଣୁ ଏହା ଠେସ ପରି କାର୍ଯ୍ୟ କରୁଛି ଏବଂ ମୁଁ ଯେତେ ଠେଲିଲେ ମଧ୍ୟ କବାଟଟି ଦୋହଲୁ ନାହିଁ । ଧର୍ମଶାଳା ଭିତରୁ ମତେ ଉଦ୍ଧାର କରିବାକୁ ମୁଁ ପାଟି କରୁଥାଏ କିନ୍ତୁ ସେତେବେଳେ ପ୍ରବଳ ଧୂଳି ଝଡ଼ ହେଉଥିବା ଯୋଗୁଁ ରାସ୍ତାରେ ଅକସ୍ମାତ ଯାଉଥିବା ଲୋକମାନେ ଧୂଳିରୁ ରକ୍ଷା ପାଇବା ପାଇଁ ମୁହଁରେ ହାତ ଘୋଡ଼ାଇ ପ୍ରାଣ ବିକଳରେ ଦୌଡ଼ୁଥାନ୍ତି । ତେଣୁ ସେମାନେ ମତେ ସାହାଯ୍ୟ କରିବା ପ୍ରଥା ଉଠୁ ନାହୁଁ । ଏପଟେ ମୁଁ ଭୟରେ ଗୋଟାପଣେ ଥରୁଥାଏ । ପୁଣି କୁଟା, ପତର ଓ ବାଲିରେ ମୋ ଆଖି କାନ ନାକ ଭର୍ତ୍ତି ହୋଇ ଯାଉଥାଏ । ଶେଷରେ ମୁଁ ଆଉ କୌଣସି ଉପାୟ ନ ପାଇ କାନ୍ଥ ଡେଇଁ ଚାଲିଯିବା ପାଇଁ ସ୍ଥିର କଲି । ମୁଁ ଭୂତ ଭୟ ଓ ଅଶରୀରି ଦୁଷ୍ଟ ଶକ୍ତିର ଧମକ ଯୋଗୁଁ ବରଡ଼ା ପତ୍ର ପରି ଥରୁଥାଏ । ତେବେ କାନ୍ଥ ଡେଇଁବା ମୋ ପକ୍ଷରେ ସହଜ ନ ଥିଲା । ସେଇ ଧର୍ମଶାଳାର ଓସାର ଆଠହାତ । ତା’ର ଗୋଟିଏ ପାର୍ଶ୍ଵରେ କବାଟ ଅଛି, ଯେଉଁ ପାଖରେ ବର୍ତ୍ତମାନ ମୁଁ ଅରଣ୍ୟ ରୋଦନ କରୁଛି । ଅନ୍ୟ ପାଖଟି ପ୍ରାଚୀର ଦିଆ ଯାଇଛି । ଦୁର୍ଭାଗ୍ୟବଶତଃ ପ୍ରାଚୀରକୁ ଘୋଡ଼ାଇ ଗୋଟିଏ କଣ୍ଟାପୂର୍ଣ୍ଣ ବାବୁଲ ଗଛ ଥିଲା । ତଥାପି ମୁଁ ଭୟ ଓ ଆଶଙ୍କାରୁ ରକ୍ଷା ପାଇବା ପାଇଁ ସେଇ କଣ୍ଟା-ଗଛର ଡାଳକୁ ଭିଡ଼ି ଧରି, ରକ୍ତାକ୍ତ ଅବସ୍ଥାରେ କାନ୍ଥ ଉପରକୁ ଚଢ଼ିଲି । ସେତେବେଳେ ମୋ ଲୁଗାପଟା କଣ୍ଟାରେ ଟାଣି ହୋଇ ଚିରି ଯାଇଥିଲା । ମୋ ଶରୀରର ବିଭିନ୍ନ ସ୍ଥାନ ଆଞ୍ଚୁଡ଼ି ହୋଇ, ଚମ ଫାଟିଯିବାରୁ ରକ୍ତ ଦାଗ ସ୍ପଷ୍ଟ ଭାବେ ଜଣାପଡ଼ୁଥାଏ । ସେ ଝଡ଼-ବତାସରେ କୌଣସି ମତେ ନିଜକୁ ସମ୍ଭାଳି ନେଇ ମୁଁ ଗୋଟିଏ ସୁଗଠିତ ପ୍ରାସାଦରେ ପହଞ୍ଚିଲି । ଏହାର ଗଠନ ଅସାଧାରଣ । ଏହା ଦେଖିବାକୁ ଅର୍ଦ୍ଧବର୍ତ୍ତୁଳାକାର-। ସେ ଭିତରେ କ’ଣ ହେଉଛି ଜାଣିବା ପାଇଁ ମୋ ମନରେ କୌତୂହଳ ଜାତ ହେଲା । ମୁଁ ଯେଉଁ ଫାଟକ ପାଖରେ ଠିଆ ହୋଇଥିଲି, ସେଠାରେ ଗୋଟିଏ ଖାଲି ଷ୍ଟୁଲ ଥିଲା । ସେଠାରେ ଗୋଟିଏ ଗେଟ୍-କିପର ବସିବା କଥା । ହୁଏତ ଦର୍ଶକ ମଣ୍ଡଳୀ ମଧ୍ୟରୁ କେଉଁ ମେମ୍ ସାହେବର ଅନଧିକାର ଆଦେଶ ମାନି ସେ ମିଠା-ପାନ କଣିବାକୁ ଚାଲି ଯାଇଥିବ । ନିକଟବର୍ତ୍ତୀ ଅନ୍ୟ ଗୋଟିଏ ଫାଟକ ପାଖରେ ଗୋଟିଏ ଜଗୁଆଳ ବସି ହାତରେ ଧରିଥିବା ଗୋଟିଏ ତାଲାରେ ଚାବିଟି ଗୁରାଇ ତୁଚ୍ଛାରେ ତାଲାଟି ଖୋଲୁଛି: ବନ୍ଦ କରୁଛି । ଏଥିରେ ତାକୁ ହୁଏତ ଆନନ୍ଦ ମିଳୁଥିବ । କିନ୍ତୁ ଏହା ନିରର୍ଥକ ଆନନ୍ଦ-Senseless Pleasure. ମୁଁ ଏମିତି ଧରଣର ବହୁ ଦୃଷ୍ଟାନ୍ତ ଜାଣିଛି । ଯଥା:-ତୁଚ୍ଛାରେ ଲାଇଟ୍-ସୁଇଚ୍ ଅନ-ଅଫ୍ କରିବା; ଚେୟାରରେ ବସିଥିବା ବେଳେ ଗୋଡ଼ ନଚାଇବା ଇତ୍ୟାଦି । ଏହି ବଦ୍‌-ଅଭ୍ୟାସଗୁଡ଼ିକ ମତେ ବଡ଼ ବିରକ୍ତି ଲାଗେ । ସେ ଯାହାହେଉ ମୁଁ କବାଟଟି ଠେଲି ଘର ଭିତରକୁ ମୁହଁ ପୂରାଇଲି–ଅନୁଭବ କଲି ସେ କୋଠାଟି ଶୀତ-ତାପ-ନିୟନ୍ତ୍ରିତ । ସେହି କୋଠା ଭିତରରେ ବସିଥିବା ସମସ୍ତଙ୍କ ପରି ମୁଁ ମୁଣ୍ଡ ଉପରକୁ ଟେକି ଦେଖିଲି ଯେ ଆକାଶ ନିର୍ମଳ ଦେଖା ଯାଉଛି ଓ ସେଠାରେ ଅଜସ୍ର ନକ୍ଷତ୍ର ଫୁଟି ଉଠିଛି । ମୁଁ ବଡ଼ ସନ୍ଦେହରେ ପଡ଼ିଲି–ବର୍ତ୍ତମାନ ମୁଁ ବାହାରେ ଦେଖି ଆସିଛି ଯେ, ଏହା ମଧ୍ୟାହ୍ନ ସମୟ; ପ୍ରବଳ ଝଡ଼ ତୋଫାନ ମଧ୍ୟ ଲାଗି ରହିଛି । ଅଥଚ ଏଠାରେ ଠିକ୍ ଓଲଟା । ପରେ ଜାଣିଲି ଯେ, ଏହା କୃତ୍ରିମ ଉପାୟ ଯୋଗୁଁ ହୋଇ ପାରିଛି । ଏହି କୋଠାଟି ଗୋଟିଏ ପ୍ଲାନିଟୋରିଅମ୍-ବୈଜ୍ଞାନିକ କୌଶଳରେ ଏଠାରେ ଗ୍ରହ ନକ୍ଷତ୍ରର ଗତିବିଧି ଦେଖା ଯାଇଥାଏ । ଏହା ମୁଁ ପୂର୍ବରୁ କେବେ ଦେଖି ନ ଥିଲି; ଶୁଣି ନ ଥିଲି ମଧ୍ୟ । ମୋର ଚଉଦ ପୁରୁଷରେ ଏହା କେହି ଜାଣି ନ ଥିବେ । କଲକାରଖାନାର ଧୂଆଁ ଓ ନଭଶ୍ଚୁମ୍ବୀ ପ୍ରାସାଦମାନଙ୍କ ଯୋଗୁଁ ସହରର ଲୋକେ ପୁରା ଆକାଶକୁ ଦେଖି ପାରନ୍ତି ନାହିଁ । ତେଣୁ ଖୋଲା ଆକାଶକୁ ଦେଖିବା ପାଇଁ ପ୍ଲାନିଟୋରିଅମ୍‌ରେ ଏତେ ଭିଡ଼ । ମୁଁ ଆଶ୍ଚର୍ଯ୍ୟରେ ନକଲି ଆକାଶକୁ ଚାହିଁ ରହିଥିବା ବେଳେ କେହି ଜଣେ ମହିଳା ମୋ ଆଡ଼କୁ ଆଙ୍ଗୁଠି ଦେଖାଇ ପାଟି କଲା । ଏହାର କାରଣ ସମ୍ପର୍କରେ ମୁଁ ଅନୁମାନ କରିବାରେ ଲାଗିଲି । ମୁଁ ପ୍ଳାନିଟୋରିୟମ୍‌ର ଯେଉଁ ଭାଗରେ ଠିଆ ହୋଇଥିଲି, ତାହା କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ ମହିଳା ଦର୍ଶକଟି ମତେ ଦେଖି ଆପତ୍ତି କରିଥିବ । ନଚେତ୍ ଏଠକାର ପୂର୍ବ-ବର୍ଣ୍ଣିତ ଯେଉଁ ଫେରାର ନାରୀ ଧର୍ଷଣକାରୀର ଫୋଟ ଆଜି ସ୍ଥାନୀୟ ସମ୍ବାଦ-ପତ୍ରମାନଙ୍କରେ ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଛି ତାହା ଏହି ମହିଳାଟି ହୁଏତ ଦେଖିଥିବ ଏବଂ ତା’ ସହିତ ମୋ ଶାରୀରିକ ସାମଞ୍ଜସ୍ୟ ଥିବା ଯୋଗୁଁ ସେ ପ୍ରମାଦ ଗଣି ଏମିତି ପାଟି କରିଥିବ । ସେତେବେଳେ ଅବଶ୍ୟ ଲୁଗା ଖୋଲି ମୋର ଗାଣ୍ଡୁ ନ ଥିବା ବିଷୟ ମୁଁ ଦେଖାଇ ପାରିଥାନ୍ତି ଓ ଏହି ଅଭିଯୋଗକାରିଣୀ ମହିଳାର ଧାରଣା ପୁରାପୁରି ଭୁଲ୍ ବୋଲି ପ୍ରମାଣିତ କରି ପାରିଥାନ୍ତି । କିନ୍ତୁ ଏହି ଅନ୍ଧାର ହଲ୍‌ରେ ଜନୈକ ମହିଳା ସମ୍ମୁଖରେ ଲୁଗା ଖୋଲିବା ଏକ ଅଶ୍ଳୀଳ ଆଚରଣ ବୋଲି ଯୁକ୍ତି କରି ସେ ମୋ ଉପରେ ପୋଲିସ୍‍-କେଶ ଆରମ୍ଭ କରିଦେଲେ ମୁଁ ଜୀଅନ୍ତା ମରିଯିବି । (ବାସ୍ତବିକ ପୋଲିସ କେଶ୍ ବିଷୟରେ ଭାବିବା ମାତ୍ରେ ମୋ ଶରୀର ପୁରା ଦୁଇ ଶହ ଛଅ ଖଣ୍ଡି ହାଡ଼ ତରଳି ପାଣି ହୋଇଯାଏ-।) ତଥାପି ମତେ ଅଯଥାରେ ଗୋଟିଏ ଅଭିଯୁକ୍ତ ବ୍ୟକ୍ତି ବୋଲି ଏହି ମହିଳା ପରି ବହୁ ଲୋକ ଯେମିତି ସନ୍ଦେହ କରୁଛନ୍ତି ମୁଁ ସେଥିପାଇଁ ବଡ଼ ବ୍ୟଥିତ ହୋଇଗଲି ଓ କ୍ରୋଧରେ ପ୍ରତିଶୋଧ ନେବାକୁ ଗାଳି ଦେଇ ତାକୁ କହିଲି ଯେ ବାହାରେ ଝଡ଼ ଓ ତୋଫାନର ଧ୍ଵଂସଲୀଳା ଚାଲିଥିବା ବେଳେ ଏଠାରେ ତମାସା ଚାଲିଛି । ମୋର ଏହି ଅନଧିକାର ପ୍ରବେଶ ଓ ଦୁର୍ବ୍ୟବହାର ଯୋଗୁଁ ଦର୍ଶକମାନଙ୍କର ଅସୁବିଧା ଏବଂ ଡିମୋନଷ୍ଟ୍ରାଟର୍‌ର ଭାଷଣ ବାଧାପ୍ରାପ୍ତ ହେବା ଯୋଗୁଁ ନିକଟସ୍ଥ ଫାଟକରେ ଜଗିଥିବା ଗାର୍ଡ଼ଟି ତା’ର ବେକାରିଆ ତାଲା ଖୋଲ-ବନ୍ଦ କାର୍ଯ୍ୟକୁ ବନ୍ଦ କରି ମୋ ନିକଟକୁ ଦୈାଡ଼ି ଆସିଲା । ଓ ମତେ ବଳାତ୍କାରରେ ଟାଣି ଟାଣି ପଦାକୁ ବାହାର କରିଦେଲା । ମୁଁ ଆଶ୍ଚର୍ଯ୍ୟର ସହିତ ଲକ୍ଷ୍ୟ କଲି ଯେ ମୋ ପଛେ ପଛେ ଗୋଟିଏ ବୁଢ଼ୀ ସେ ପ୍ଲାନେଟୋରିୟମ୍ ଭିତରୁ ଚାଲି ଆସିଲା । ମୁଁ ତାକୁ ପଚାରି ଜାଣିଲି ଯେ, ତା’ ଘର ମଫସଲରେ । ତା’ର ପୁଅ ଏଠାରେ ଚାକିରି କରୁଛି । କିଛି ଦିନ ପୂର୍ବେ ସେ ତା’ର ପୁଅ ଘରକୁ ବୁଲିବା ପାଇଁ ଆସିଛି । ଆଜି ତା’ ପୁଅ ତାକୁ ପ୍ଲାନିଟୋରିଅମ୍‌ରେ ସୋ’ ଦେଖାଇ-ବାକୁ ଏଠାରେ ଛାଡ଼ି ଦେଇ ଯାଇଛି । ସୋ’ ଶେଷ ହେବା ପରେ ପୁଅ ଅଫିସ୍‌ରୁ ଆସି ମା’କୁ ନେବ ବୋଲି କହିଛି-। କିନ୍ତୁ ବୁଢ଼ୀ ଯେତେବେଳେ ମୋ ଠାରୁ ଶୁଣିଲା ଯେ ଇତ୍ୟବସରରେ ବାହାରେ ପ୍ରବଳ ଝଡ଼-ତୋଫାନ ଆରମ୍ଭ ହୋଇଛି, ସେ ଆଉ ସମ୍ଭାଳି ହୋଇ ସେହି ଆବଦ୍ଧ ଘରେ ରହି ପାରିଲା ନାହିଁ । ତା’ ଆଖି ଛଳ ଛଳ ହେଉଥିବା ବେଳେ ସେ ମତେ କହିଲା ଯେ ଏହି ବର୍ଷ ତା’ କ୍ଷେତରେ ଧାନ ଫସଲ ଭଲ ହୋଇଛି । ଧାନଗଛ ଗୁଡ଼ିକ ତିନି ଚାରି ହାତ ଯାଏଁ ବଢ଼ିଛନ୍ତି ଓ ସେଥିରେ ଧାନକେଣ୍ଡା ପୁରି ରହିଛି । ସେ ବ୍ୟସ୍ତ ହୋଇ କହିଲା ଯେ ଏହି ତୋଫାନରେ ଗଛଗୁଡ଼ିକ ମୋଡ଼ି ହୋଇ ଭୂଇଁରେ ମିଶିଯିବେ । ବର୍ତ୍ତମାନ ବିଲ ଆହୁରି ଶୁଖି ନ ଥିବା ଯୋଗୁଁ ଧାନ ଓ ଗଛ ଗୁଡ଼ିକ ପଚି ପୋଚକା ହୋଇଯିବ । ସେ ତା’ର ସାରା ବର୍ଷର ଯତ୍ନ ଓ ପରିଶ୍ରମ ପାଣିରେ ପଡ଼ିଯିବ ବୋଲି ଭାବି ବଡ଼ ଅଥୟ ହେଲା । ଏପଟେ ବୁଢ଼ୀ ଲୁହ ଝରାଉଥିବା ବେଳେ ପ୍ଲାନିଟୋରିଅମ୍ ଭିତରର ଅସାମାଜିକ ଦର୍ଶକମାନେ ଆକାଶ କୁସୁମରୁ ବାସ୍ନା ଶୁଙ୍ଘୁଛନ୍ତି । ମୁଁ ବର୍ତ୍ତମାନ ଅଧିକ କ୍ରୁଦ୍ଧ ହୋଇ ମତେ ଘୃଣା କରିଥିବା ମହିଳା-ଦର୍ଶକକୁ କହିଲି, ‘ମ୍ୟାଡ଼ାମ୍ ! ମନେ ମନେ କହୁଥାଅ–

 

Twinkle, twinkle little star, (ପ୍ଲାନିଟୋରିଅମ୍‌ର ଲିଟ୍‌ଲ୍‌ ଷ୍ଟାର୍)

How I wonder what you are !

Up above the world so high,

Like a diamond in the sky.

 

ତମ କୋଳରେ ବସିଥିବା ପାଞ୍ଚ ବର୍ଷଆ ପୁଅଟିଏ ଯେମିତି ଏହି ନକ୍ଷତ୍ରମାନଙ୍କୁ ଦେଖି ଭାବୁଛି ଓ ଧୀରେ ଧୀରେ ଗାଉଛି, ତମେ ତା’ ସହିତ ତାଳ ଦେଇ ମନେ ମନେ ଏହି ଗୀତ ଗାଉଥାଅ । ଏପଟେ ଝଡ଼ ତୋଫାନ ହେଉଥିବା ବିଷୟ ଜାଣି ପାରୁ ନାହିଁ ? ନକଲି ଆକାଶକୁ ତାରାଟି କ’ଣ ଚାହିଁ ରହିଛି ? ଝିଲିମିଲି ତାରା ଦେଖି ମନ ମୋହି ହୋଇ ଯାଉଛି ତ ! ...ତମ କୋଳରେ ଥିବା ଛୁଆଟି ଠାରୁ ତମ ମୁଣ୍ଡ ଅଧିକ ପରିପକ୍କ ଓ ଦାୟିତ୍ଵ ସଂପନ୍ନ ବୋଲି ତମେ ଆଉ କେବେ ଦାବି କରି ପାରିବ ତ ?’ ତା’ପରେ ମୁଁ ତୁରନ୍ତ ପ୍ଲାନିଟୋରିଅମ୍ ଭିତରୁ ଚାଲି ଆସିଲି ।

 

ବୁଢ଼ୀର ପୁଅ ବର୍ତ୍ତମାନ ତା’ ମା’କୁ ନେବା ପାଇଁ ଆସିବାର ପ୍ରଶ୍ନ ଉଠୁ ନାହିଁ; କାରଣ ଯଦିଓ ଝଡ଼ ତୋଫାନରୁ ଅନେକ ବିଜୁଳୀଖୁଣ୍ଟ ଉପୁଡ଼ି ଯାଉଛି ଓ ତା’ର ଛିଣ୍ଡି ଯିବାରୁ ସହରର ରାସ୍ତାଗଳି ଏବଂ ଘରମାନଙ୍କର ବିଜୁଳି ଯୋଗାଣ ବାଧା ପ୍ରାପ୍ତ ହୋଇଛି, ତଥାପି ବୁଢ଼ୀର ପୁଅ ଭଲଭାବେ ଜାଣେ ଯେ ପ୍ଲାନିଟୋରିଅମ୍‌ର ସ୍ଵତନ୍ତ୍ର କରେଣ୍ଟ-ଜେନେରେଟର ଅଛି । ତେଣୁ ଆଖପାଖରେ ବିଜୁଳି-ବନ୍ଦ ଯୋଗୁଁ ଯାହା କିଛି ବିପର୍ଯ୍ୟୟ ଘଟିଲେ ସୁଦ୍ଧା ସୋ’ ବନ୍ଦ ହେବାର କାରଣ ନାହିଁ । ସୋ’ ବନ୍ଦ ହେବାକୁ ସେତେବେଳେ ଆହୁରି ଦେଢ଼ ଘଣ୍ଟା ବାକି ଥିଲା । ତେଣୁ ସେତେବେଳ ଯାଏଁ ବୁଢ଼ୀକୁ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ବର୍ତ୍ତମାନ ବୁଢ଼ୀକୁ ପ୍ରତି ମିନିଟ ଗୋଟିଏ ଗୋଟିଏ ଯୁଗ ପରି ଲାଗୁଛି । ତା’ର କଥାଭାଷାରୁ ମୁଁ ଲକ୍ଷ୍ୟ କଲି ଯେ, ପୁଅର ଘରକୁ ଯିବା ପାଇଁ ତା’ର ଏବେ ବିଶେଷ ଆଗ୍ରହ ନାହିଁ । ଶୀଘ୍ର ତା’ର ମଫସଲର ଘରକୁ ଯାଇ ଫସଲ ରକ୍ଷା କରିବା ପାଇଁ ସେ ବଡ଼ ବ୍ୟଗ୍ର । ସେ ବଡ଼ ଉଦ୍‌ବିଗ୍ନ ହୋଇ ପୁଅକୁ ଜଗିଥାଏ । ଏହି ଅବସରରେ ବୁଢ଼ୀ ସହିତ ମୋର ଆତ୍ମୀୟତା ବଢ଼ିଲା । ତା’ର ପ୍ରାରମ୍ଭିକ ସନ୍ଦେହ ସତ୍ତ୍ୱେ ସେ ମତେ କ୍ରମଶଃ ବିଶ୍ଵାସ କଲା ଓ ତା’ର ପାରିବାରିକ ପରିସ୍ଥିତି ସମ୍ପର୍କରେ ବର୍ଣ୍ଣନା କଲା ।

 

ପରିଶେଷରେ ମୁଁ ବୁଢ଼ୀ ଯୋଗୁ ଅପ୍ରତ୍ୟାଶିତ ଭାବେ ଗୋଟିଏ ସୁଯୋଗ ପାଇଲି । ସେ ଗାଁକୁ ଯିବା ବେଳେ ମତେ ତା’ ସହିତ ନେଲା l ସେଠାକୁ ଯାଇ ମୁଁ ଜାଣିଲି ଯେ ଉକ୍ତ ବୁଢ଼ୀର ଯଥେଷ୍ଟ ସ୍ଥାବର ଅସ୍ଥାବର ସମ୍ପତ୍ତି ଅଛି । ତାର ତିନୋଟି ପୁଅ । ବଡ଼ ଦୁଇ ପୁଅ ଗାଁଠାରୁ ବହୁ ଦୂରରେ ଉଚ୍ଚ ଚାକିରିରେ ଅଛନ୍ତି । ସାନ ପୁଅ ଶେଷ ବର୍ଷ ବିଜ୍ଞାନ ଛାତ୍ର । ତେଣୁ ବୁଢ଼ୀର ଜମିବାଡ଼ି ବୁଝିବା ପାଇଁ ପାଖରେ କେହି ନ ଥିଲେ । ସେ ହଳିଆ ଓ ମୂଲିଆଙ୍କ ଉପରେ ପୂରା ବିଶ୍ଵାସ କର ଯାହା କିଛି ଫସଲ ଆଦାୟ କରୁଥାଏ । କିନ୍ତୁ ହଳିଆ ମୂଲିଆମାନେ ବିଶ୍ଵାସଘାତକତା କରି ବୁଢ଼ୀର ବହୁତ ଶସ୍ୟ ଚୋରାଇ ଲୁଚାଇ ନେଇଯା’ନ୍ତି । ଏମିତି ପରସ୍ଥିତିରେ ବୁଢ଼ୀ ସହିତ ମୋର ଘନିଷ୍ଠତା ଏବେ ଜମିଛି । ସେ ମତେ ଅସ୍ଥାୟୀଭାବେ ତା’ର ଭୂସମ୍ପତ୍ତିର ମ୍ୟାନେଜର କଲା । ମୁଁ ଯଥେଷ୍ଟ ପରିଶ୍ରମ କରି, ପାଣି କାଦୁଅ ଶୀତବର୍ଷାକୁ ଖାତିର୍ ନ କରି ହଳିଆ ମୂଲିଆଙ୍କ ପଛେ ପଛେ ଦୌଡ଼ୁଥାଏ । ତେଣୁ ସେମାନେ ଚୋରାଇବାକୁ ଆଉ ସୁଯୋଗ ପାଇଲେ ନାହିଁ । ଫଳରେ ବୁଢ଼ୀର ଆଦାୟ ଯଥେଷ୍ଟ ବୃଦ୍ଧି ପାଇଲା । କ୍ରମଶଃ ମୋ ପ୍ରତି ତା’ର ବିଶ୍ଵାସ ବଢ଼ିବାରେ ଲାଗିଲା । ଏହାର ପ୍ରତି ବଦଳରେ ସେ ମତେ ବିଶେଷ ସୁବିଧା ଦେଲା । ମୋ ପାଇଁ ଗୋଟିଏ ସ୍ଵତନ୍ତ୍ର ଘର ଯୋଗାଇଲା । ଗାଈର ଖାଣ୍ଟି କ୍ଷୀର, ସଜ ପନିପରିବା ଓ ମଫସଲ ଖୋଲା ପବନ ପାଇଁ ମୁଁ ବେଶ୍ ସୁଖ ଶାନ୍ତିରେ ଥାଏ । କିନ୍ତୁ ଏହା ବେଶି ଦିନ ରହିଲା ନାହିଁ କାରଣ ବୁଢ଼ାର ସାନପୁଅର ପାଠ ଶେଷ ହେବା ପରେ ସେ ଗାଁକୁ ବାହୁଡ଼ିଲା । ତା’ର ମା ଓ ଭାଇମାନେ କୌଣସି ଚାକିରିକୁ ନ ଯାଇ ଗାଁର ଜମିବାଡ଼ି ବୁଝାସୁଝା କରିବାକୁ ତା’ ଉପରେ ଚାପ ପକାଇଲେ । ଗାଁର କାଦୁଅ ରାସ୍ତା ଓ ସିଂଘାଣିନାକିମାନଙ୍କ ମଧ୍ୟରେ ରହିବାକୁ ତା’ର ସ୍ଵଭାବଗତ ଇଚ୍ଛା ନଥିଲେ ସୁଦ୍ଧା ସେ ଗୁରୁଜନମାନଙ୍କୁ ଅମାନ୍ୟ କରି ନ ପାରି ଗାଁରେ ରହିଲା । ଏହି ପରିବର୍ତ୍ତିତ ପରିସ୍ଥିତି ପରେ ମତେ ଅଯଥାରେ ଟଙ୍କା ପଇସା ଦେଇ ରଖିବାକୁ ବୁଢ଼ୀ ଚାହିଁଲା ନାହିଁ । ପୁଣି ମୁଁ ନିଷ୍ଠାପର ଭାବେ କାମ କରୁଥିବା ଯୋଗୁଁ ପୁଅ ଅଳସୁଆ ହୋଇଯିବ ବୋଲି ବୁଢ଼ୀ ଭାବିଲା । ତେଣୁ ମତେ ସେହି ଚାକିରିରୁ ବାହାର କରି ଦିଆଗଲା । ତା’ପରେ ମୋର ଦୁଃଖ ଦୁର୍ଦ୍ଦଶା କହିଲେ ନ ସରେ । ମୁଁ ପୁଣି ବେକାର ହୋଇ ବାର ଦୁଆର ଶୁଣ୍ଡୀ ପିଣ୍ଡାରେ ବୁଲିଲି ।

 

ସେଇ ଗାଁ ଛାଡ଼ିବା ପରେ ମୁଁ ଅନ୍ୟ କୌଣସି ଗାଁର ମୁକ୍ତ, ଶାନ୍ତ ଓ ଅଳସ ପରିବେଶରେ ପୁଣି ଖଣ୍ଡେ ଚାକିରି ପାଇବି ବୋଲି ଆଶା ରଖିଥାଏ । ଅନ୍ତତଃ କାହାରି ସମ୍ପତ୍ତିର ମ୍ୟାନେଜର କିମ୍ବା ଧାନ-ଚାଉଳ ବ୍ୟବସାୟରେ ଏଜେଣ୍ଟ ଭାବେ ନିଯୁକ୍ତି ହେବି ବୋଲି ମୋର ଭରସା ଥାଏ । ପୁଣି ଥରେ କୁଟିଳ ସହର ସଭ୍ୟତାକୁ ଫେରି ଯାଇ ଜଣେ ନାମହୀନ, ଅପାଙ୍‍କ୍ତେୟ ବ୍ୟକ୍ତି ଭାବେ ବଞ୍ଚିବାକୁ-ମୋର ଆଦୌ ଇଚ୍ଛା ନଥାଏ । ପ୍ରକୃତରେ ମତେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଆଜିକାଲି ଏମ୍.ବି.ବି.ଏସ୍ ଡାକ୍ତର, ବି.ଇ. ଯତ୍ନୀ, ବି.ଏ. ଏମ୍.ଏ. ପାଶ୍-ବ୍ୟାଙ୍କ୍ ମ୍ୟାନେଜର-ଏମିତି କେତେ କ’ଣ ‘ଆଧୁନିକ’ ମାନେ ଗାଁ ଅପେକ୍ଷା ସହରରେ ଚାକିରି କରିବାକୁ ପସନ୍ଦ କରନ୍ତି । ମୋର ମନରେ ସନ୍ଦେହ ହେଉଛି ଯେ ହୁଏତ ଏମିତି ବି ଦିନେ ଆସିପାରେ, ଯେତେବେଳେ ଗ୍ରାମସେବକମାନେ ମଧ୍ୟ ଗାଁରେ ନ ରହି ସହରରେ ରହିବାକୁ ଚାହିଁବେ । ଯାହାହେଉ, ସବୁ ପ୍ରକାର ଚେଷ୍ଟା କରି ସୁଦ୍ଧା ମୁଁ କୌଣସି ଏକ ଗାଁରେ ରୋଜଗାର କରି ସ୍ଥାୟୀ ଭାବେ ରହିବାର ସୁଯୋଗ ପାଇଲି ନାହିଁ । ପ୍ରକୃତରେ ଗ୍ରାମବାସୀନ୍ଦାମାନେ ତ ନିଜେ ଶହ ଶହ ସଂଖ୍ୟାରେ ଭୋକ ଉପବାସରେ ବେକାର ହୋଇ ବୁଲୁଛନ୍ତି । ତେଣୁ ମୋ ପରି ଗୋଟିଏ ବିଦେଶୀ ପାଇଁ ସେଠାରେ ସ୍ଥାନ ମିଳିବା ସହଜ ନୁହେଁ । ଏହି କାରଣରୁ ମୋର ମନ ଓ ହୃଦୟ ଚାହୁଁ ନ ଥିଲେ ସୁଦ୍ଧା ମୁଁ ପୁଣି ଥରେ ସହର-ସଭ୍ୟତାର କପଟ ଫାଶକୁ ଫେରିବା ପାଇଁ ବାଧ୍ୟ ହେଲି । ସହରକୁ ଆସିବା ପରେ ମୁଁ ନିଜକୁ ଅତି ନଗଣ୍ୟ ଓ ହେୟ ବୋଲି ମନେ କରୁଥାଏ ।

 

ବୁଢ଼ୀର ଗାଁ ଛାଡ଼ିବାପ୍ରାୟ ତିନି ବର୍ଷ ବିତିଗଲା । ମୁଁ ଅତି ଦରିଦ୍ର ଅବସ୍ଥାରେ ସହରରେ ଦିନ ବିତାଉଥାଏ । ଏମିତି ସମୟରେ ହଠାତ୍ ବୁଢ଼ୀର ଗାଁର ଗୋଟିଏ ଲୋକ ସହିତ ମୋର ଦେଖା ହେଲା । ଉକ୍ତ ଗାଁରୁ ଆସିବାର ପ୍ରାୟ ବର୍ଷେ ପରେ ଏହି ଲୋକଟି ସ୍ଥାନୀୟ ଗୋଟିଏ କାରାଖାନାରେ ଖଲାସୀ ଚାକିରି ପଇତା ପରିବାର ସହିତ ଏହି ସହରକୁ ଚାଲି ଆସିଲା ଏବଂ ବର୍ତ୍ତମାନ ସେ ଏଠାରେ ଘରଦ୍ଵାର କରି ରହିଛି । ଏଠାରେ ରହିବା ପରଠାରୁ ତା’ର ଗାଁ ସହିତ କୌଣସି ସମ୍ପର୍କ ନାହିଁ । ସେ ଗାଁରେ ଆଉ ପାଦ ମଧ୍ୟ ଦେଉ ନାହିଁ । ମୁଁ ତାକୁ ବୁଢ଼ୀ ବିଷୟରେ ପଚାରିଲି । ସେ ଉତ୍ତର ଦେଲା ଯେ ବୁଢ଼ୀର ସାନପୁଅ ବିଦେଶରେ ଗବେଷଣା କରିବା ପାଇଁ ଗୋଟିଏ ବୃତ୍ତି ପାଇବା ପରେ, ଘରର ସମସ୍ତଙ୍କୁ ଅମାନ୍ୟ କରି, ଗାଁ ଛାଡ଼ି ବିଦେଶ ଯାତ୍ରା କଲା । ତା’ପରେ ବୁଢ଼ୀ ଗୋଟିଏ ମ୍ୟାନେଜର ଖୋଜୁଥିଲା । ସେ ସେତେବେଳେ କୁଆଡ଼େ ମତେ ତା’ ଭୂସଂପତ୍ତିର ପରିଚାଳକ ଭାବେ ରଖିବା ପାଇଁ ତା’ର ଇଚ୍ଛା ବିଷୟରେ କାହାରି କାହାରି ଆଗରେ କହିଥିଲା । ଖଲାସୀଠାରୁ ଏହି ଖବର ପାଇ ମୁଁ ବଡ଼ ଆନନ୍ଦିତ ହେଲି । ଅବଶ୍ୟ ଖଲାସୀଟି ଯାହା ଖବରଦେଲା ତାହା ଦୁଇ ବର୍ଷ ପୂର୍ବର କଥା । ହୁଏତ ଇତ୍ୟବସରରେ ବୁଢ଼ୀ ଅନ୍ୟ କାହାରିକୁ ମ୍ୟାନେଜର ଭାବେ ରଖିସାରିଥିବ । ତେଣୁ ଏହି ଅନିଶ୍ଚିତ ପରିସ୍ଥିତିରେ ବସ୍ ଟିକଟ୍ ପାଇଁ ଗୁଡ଼ାଏ ପଇସାପତ୍ର ଖର୍ଚ୍ଚକରି ତା’ ପାଖକୁ ସିଧାସଳଖ ଯିବାପାଇଁ ଉଚିତ ମନେକଲି ନାହିଁ । ସ୍ଥିର କଲି ଯେ ଏହି ସମ୍ପର୍କରେ ବୁଢ଼ୀପାଖକୁ ପ୍ରଥମେ ଖଣ୍ଡେ ପତ୍ର ଲେଖିବି । ବୁଢ଼ୀର ଠିକଣା ମୁଁ ଜାଣେ । ସେହି ଠିକଣାରେ ଖଣ୍ଡେ ଚିଠି ଲେଖି ବୁଢ଼ୀ ପାଖକୁ ପଠାଇଲି । ସେଥିରେ ତା’ ଅଧୀନରେ ମ୍ୟାନେଜର ହୋଇ ରହିବାକୁ ମୋର ଇଚ୍ଛା ବିଷୟରେ ଜଣାଇଲି । ମତେ ଡକାଇଲେ ମୁଁ ସଙ୍ଗେ ସଙ୍ଗେ ଯିବି ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲି । ବୁଢ଼ୀ ଉତ୍ତର ଦେବାରେ କାଳେ ବିଳମ୍ବ କରିଦେବ ବୋଲି ମୁଁ ମୋ ଚିଠି ସହିତ ଖଣ୍ଡେ ରିପ୍ଲାଇ କାର୍ଡ଼ ମଧ୍ୟ ଯୋଡ଼ିଥିଲି । ରିପ୍ଳାଇ କାର୍ଡ଼ରେ ମୋ ଠିକଣା ଲେଖିବାକୁ ଭୁଲି ନ ଥିଲି । ଆବଶ୍ୟ ମୋର ତ ଘରଦ୍ଵାର ନାହିଁ ତେଣୁ ମୋ ଠିକଣାରେ ମୁଁ ନିକଟସ୍ଥ ଗୋଟିଏ ଦୋକାନୀକୁ ମାରଫତ୍‌ଦାର ବୋଲି ଲେଖିଥିଲି; ଯଦିଓ ଏହି ଜଞ୍ଜାଳ ମୁଣ୍ଡାଇବାକୁ ଉକ୍ତ ଦୋକାନୀର ତିଳେ ମାତ୍ର ଇଚ୍ଛା ନ ଥିଲା । ଏହା ପରେ ପରେ ମୁଁ ଏହି ଦୋକାନୀର ଦୋକାନ ପାଖରେ ବାଧ୍ୟ ହୋଇ ରହିଲି । ମୁଁ ଥରକୁ ଥର ଦୋକାନୀକୁ ରିପ୍ଳାଇ କାର୍ଡ଼ ବିଷୟରେ ପଚାରେ । ସେ ଥରେ ଥରେ ଏତେ ବିରକ୍ତ ହୋଇ ଯାଏ ଯେ ମୋ ପ୍ରଶ୍ନର କୌଣସି ଉତ୍ତର ଦିଏ ନାହିଁ-ଏମିତି କି ମତେ ଦେଖିଲେ ମଧ୍ୟ ନ ଦେଖିବାପରି ରହେ । ଅବଶ୍ୟ ମୁଁ ଅଲଗା ଭାବେ ପୋଷ୍ଟମ୍ୟାନ୍‌କୁ ରିପ୍ଳାଇ କାର୍ଡ଼ ବିଷୟରେ କହିଛି ଓ ଚିଠିଟି ମତେ ଦେବା ପାଇଁ ଅନୁରୋଧ କରିଛି । ‘ପିନ୍ କୋର୍ଡ଼’ ଦେଖିଥିବାରୁ ଚିଠି ଶୀଘ୍ର ପାଇଯିବି ବୋଲି ମୋର ବିଶ୍ଵାସ ଥାଏ । ଇତ୍ୟବସରରେ ନୃସିଂହ ମହାପ୍ରଭୁଙ୍କୁ ଖଟୁଲିରେ ରଖି କାନ୍ଧରେ ବହୁଥିବା ଗୋଟିଏ ଲୋକଠାରୁ ମୁଁ ଡେଉଁରିଆଟିଏ କିଣିଛି । ତା’ର କହିବା ଅନୁସାରେ ଆସନ୍ତାକାଲି ସକାଳୁ ସୂର୍ଯ୍ୟଙ୍କୁ ଦର୍ଶନ କରି ଡେଉଁରିଆଟି ଡେଣାରେ ବାନ୍ଧିଲେ, ଚବିଶି ଘଣ୍ଟା ମଧ୍ୟରେ ସୁଫଳ ମିଳିବ ।

 

ଆଜି ରାତି ହୋଇଗଲାଣି । ପୋଷ୍ଟମ୍ୟାନ୍ ଶେଷ ଥରର ଚିଠି ବାଣ୍ଟି ଚାଲିଗଲାଣି । ମୋର ଚିଠି ଆସି ନାହିଁ । ତେଣୁ ଆସନ୍ତାକାଲି, ଯାହା ହେବ । ରାତି ପାହିଲେ ମୁଁ ଡେଉଁରିଆ ପିନ୍ଧିବି । ନିଶ୍ଚୟ ଶୁଭ ହେବ । ପୁଣି ବୁଢ଼ୀର ମୋ ପ୍ରତି ଭଲ ମନୋଭାବ ଅଛି । ସେ ମତେ ଡକାଇବ ବୋଲି ମୋର ଅନ୍ତର୍ନିହିତ ବିଶ୍ୱାସ ରହିଛି । ଏମିତି ନାନା କାରଣରୁ ଆଶାର ସହିତ, ମୁଁ ଫୁଟ୍‌ପାଥ୍‌ରେ ଖଣ୍ଡେ ଚାଦର ବିଛାଇଲି । ମୋର ସବୁ ଜିନିଷ ଗୋଟିଏ ବୁଜୁଳାରେ ବାନ୍ଧି ମୁଣ୍ଡ ତଳେ ତକିଆ ପରି ରଖିଲି । ଧର୍ମଶାଳାରେ ମୋର ଚୋରି ହୋଇଯିବା ପରେ, ଚୋରମାନଙ୍କ ପ୍ରତି ମୁଁ ଖୁବ୍ ସାବଧାନ ହେଉଛି । କିଛି ସମୟ ପରେ ମୁଁ ହାଇ ମାରି ଶୋଇ ପଡ଼ିଲି । ସେତେବେଳେ ସାର୍ଟ ପିନ୍ଧି ନ ଥାଏ; କାରଣ ଆଜିକାଲି ଏତେ ଗରମ ହେଉଛି ଯେ ଖାଲି ଦେହରେ ଶୋଇଲେ ମଧ୍ୟ ମଣିଷ ଝାଳରେ ଗାଧୋଇ ହୋଇଯିବ । ଅଣ୍ଟାରେ ଖଣ୍ଡେ ଅଳ୍ପ ଦାମର ଆଣ୍ଠୁ ଡେଉଁ ନ ଥିବା ପତଳା ଗାମୁଛା ଭିଡ଼ିଥାଏ । ସେତେବେଳେ ବେଶୀ ରାତି ହୋଇ ନ ଥାଏ । ତଥାପି ମତେ ଅଳ୍ପ ସମୟ ମଧ୍ୟରେ ଭାତ-ନିଦ ଘାରିଲାଣି । ବୋଧହୁଏ ଅଧଘଣ୍ଟା ମଧ୍ୟରେ ଦୈବାତ୍ ଗୋଟିଏ ଲୋକ ଧାଇଁ ଯାଉଯାଉ ‘ବାଘ-ବାଘ’ ବୋଲି ଚିତ୍କାର କରି ମୋର ଗୋଡ଼ର ଆଙ୍ଗୁଠି ଚକଟି ଦେଲା । ମୁଁ ଯନ୍ତ୍ରଣାରେ ଛଟପଟ ହୋଇ ନିଜରୁ ଉଠି ପଡ଼ିଲି ଏବଂ କିଛି ବୁଝି ନ ପାରି ଚାରିଆଡ଼କୁ ବଲ ବଲ ହୋଇ ପ୍ରଥମେ ଚାହିଁଲି । ପରେ ପରେ ମୁଁ ଜାଣି ପାରିଲି ଯେ ଚିଡ଼ିଆଖାନାରେ ଯେଉଁ ବାଘଗୁଡ଼ିକୁ ରଖା ଯାଇଥିଲା, ସେମାନେ ଜନ୍ତା ଭାଙ୍ଗି ବାହରକୁ ଚାଲି ଆସିଛନ୍ତି । ଚିଡ଼ିଆଖାନାର ଜଗୁଆଳକୁ କୁଆଡ଼େ ଖାଇ ଦେଲାଣି ।

 

ବର୍ତ୍ତମାନ ସହରର ଚାରିଆଡ଼କୁ ସେମାନେ ମାଡ଼ି ଚାଲିଛନ୍ତି । ସ୍ଥାନୀୟ ବେତାର-କେନ୍ଦ୍ରରୁ ଏହି ଅଞ୍ଚଳକୁ ଉପଦ୍ରୁତ ବୋଲି ଘନ ଘନ ଘୋଷିତ କରା ହେଉଛି । ସେତେବେଳେ ମୁଁ ସମସ୍ତଙ୍କୁ ଧିକ୍‌କାର କଲି; କାରଣ ହିଂସ୍ର ଜନ୍ତୁ ଏବଂ ହିଂସ୍ର ପ୍ରବୃତ୍ତିକୁ ମାନବ ସମାଜ ଠାରୁ ଦୂରରେ ରଖାଯିବା ଉଚିତ୍; ହୁଏତ ଏମାନଙ୍କୁ ଆଦରରେ ଅଟକାଇ ଖୋଲିଲେ କିଛି ଆନନ୍ଦ ମିଳିପାରେ–ବେଳେ ବେଳେ ସ୍ଵାର୍ଥସିଦ୍ଧି ମଧ୍ୟ ହୋଇପାରେ । କିନ୍ତୁ ସେମାନେ ଯେତେବେଳେ ମଣିଷର ଦୁର୍ବଳତା କିମ୍ବା ଦୈବି ଦୁର୍ବିପାକ ଯୋଗୁଁ କିଛି ସୁଯୋଗ ପାଇଯିବେ, ତାହାହେଲେ ସମାଜକୁ ଧ୍ଵଂସ କରିବାକୁ ପଛଘୁଞ୍ଚା ଦେବେ ନାହିଁ । ସେ ଯାହାହେଉ, ବର୍ତ୍ତମାନ ଆଉ କୌଣସି ପ୍ରକାର ଚିନ୍ତା କରିବାକୁ ବେଳ ନାହିଁ । ସମସ୍ତଙ୍କ ପରି ଦୌଡ଼ାଦୌଡ଼ି କରିବାକୁ ମୋର ବଳ କିମ୍ବା ବୟସ ନାହିଁ । ତେଣୁ ନିକଟସ୍ଥ ପ୍ରାଚୀରରେ ଯେଉଁ କଣାଟି ଅଛି (ଯାହାକି ମୁଁ ଆଜି ଯାଏଁ ଲକ୍ଷ୍ୟ କରିପାରି ନ ଥିଲି) ତାହା ମୋର ଦୃଷ୍ଟି ଆକର୍ଷଣ କଲା । ସେହି ସମୟ ଏତେ ଜରୁରୀ ଥିଲା ଯେ, ବୁଜୁଳା ଆଣିବାକୁ ମତେ ବେଳ ନାହିଁ । ମୁଁ ଯେଉଁ ଛୋଟ ଗାମୁଛାଟି ପିନ୍ଧିଥିଲି, ଶୋଇଥିବା ବେଳେ କଡ଼ ଲେଉଟାଇବା ଯୋଗୁଁ ବୋଧହୁଏ ତା’ର ଗଣ୍ଠି ହୁଗୁଳା ହୋଇଯାଇଥିଲା । ତେଣୁ ମୁଁ ତରବରରେ ଉକ୍ତ କାନ୍ଥର କଣା ପାଖକୁ ଯିବା ବେଳେ, ଗାମୁଛାଟି ମୋ ଅଣ୍ଟାରୁ ଖସିଗଲା । ବର୍ତ୍ତମାନ ମୋର ସର୍ବସ୍ୱ ସେହି ଲେଙ୍ଗୁଟିଟି, ଯାହାକି ମୁଁ ସବୁବେଳେ ଅଣ୍ଟାରେ ବାନ୍ଧିଥାଏ । ସେ କଣା ବାଟେ ମୁଁ ସାପ ପରି ଘୋଷାରି ଘୋଷାରି ଗଳୁଥାଏ । କଣାଟିର ଧାର ଗୁଡ଼ିକ ଦନ୍ତୁରିତ ଥିବାରୁ ମୋର ପିଠି ଆଞ୍ଚୁଡ଼ି ହୋଇ ରକ୍ତାକ୍ତ ହୋଇଗଲାଣି । ତଥାପି ବାଘକୁ ଡରି ମୁଁ ପ୍ରାଣ ବିକଳରେ ଆଗକୁ ଘୋଷାରି ଚାଲିଥାଏ ।

 

ଯେତେବେଳେ ମୁଁ ସେହି କଣାବାଟେ କାନ୍ଥର ଅନ୍ୟ ପଟକୁ ଚାଲିଗଲି, ସେହି ସମୟରେ ମୋ ମନରେ ଗୋଟିଏ କିମ୍ଭୁତ-କମାକାର ଧାରଣା ଜାତ ହେଲା: ବିଲେଇମାନଙ୍କ ସମ୍ପର୍କରେ ଶୁଣିଥିବା ଗୋଟିଏ ବିଷୟ ମୋର ମନେ ପଡ଼ିଲା–ସେମାନଙ୍କ ନିଶଦ୍ଵାରା ସେମାନେ କୁଆଡ଼େ ପ୍ରଥମେ କଣା (ଯେଉଁବାଟେ ଗଳିବାକୁ ଥିବ) ମାପି ନିଅନ୍ତି । ଯଦି ନିଶ କଣାର କୌଣସି ପାର୍ଶ୍ଵକୁ ସ୍ପର୍ଶ ନକରେ, ତାହାହେଲେ ହିଁ ସେମାନେ ସେ କଣା ଭିତରେ ପ୍ରବେଶ କରିଥା’ନ୍ତି–ଏହାଦ୍ଵାରା ସେମାନେ ବିପଦଗ୍ରସ୍ତ ହୋଇ ନ ଥା’ନ୍ତି । ମୁଁ ବିଲେଇମାନଙ୍କର ଏହି ନିଶକୁ ତଦାରଖୀ-ନିଶ ବୋଲି କହେ । ମୁଁ ଭାବୁଛି ଯେ ଅତୀତରେ (ଅର୍ଥାତ୍ ସତ୍ୟ, ତ୍ରେତୟା, ଦ୍ଵାପର ଯୁଗମାନଙ୍କରେ) ମୋ’ପରି ଅନେକ ନିରୀହ ଓ ଦୁର୍ବଳ ଲୋକ ଏହି ଧରଣର ଗୋଟିଏ ତଦାରଖୀ-ନିଶ ମଣିଷକୁ ଦେବା ପାଇଁ ଭଗବାନଙ୍କ ନିକଟରେ ନିଶ୍ଚୟ ତପସ୍ୟା ଓ ପ୍ରାର୍ଥନା କରିଥିବେ । ଦୟାମୟ ପରମେଶ୍ଵର ସେମାନଙ୍କ ଗୁହାରି ସମ୍ପର୍କରେ ଆଲୋଚନା କରି ଭକ୍ତମାନଙ୍କ ପ୍ରାର୍ଥନା ନାମମଞ୍ଜୁର କରିଦେଇଥିବେ; କାରଣ ପୁରୁଷମାନଙ୍କୁ ତ ଏକ ଫୁଟ ଲମ୍ବା ବିଶିଷ୍ଟ ତଦାରଖୀ-ନିଶ ଦେବାର କୌଣସି ଅସୁବିଧା ନାହିଁ; କିନ୍ତୁ ନାରୀମାନଙ୍କୁ ତ ଏହା ଦେଇ ହେବନାହିଁ-। ଏହାର କାରଣ ହେଉଛି ଯେ ନାରୀମାନଙ୍କର ଆଜନ୍ମମୃତ-ନିଶ (still-Born Moustache) ସାମାନ୍ୟ ଗାଡ଼ ହୋଇଗଲେ, ସେମାନେ ବର୍ତ୍ତମାନ ଯେତେ ପ୍ରକାର Cosmetic ପଦାର୍ଥ ବ୍ୟବହାର କରନ୍ତି, ତା’ର ହିସାବ ନାହିଁ । ସେମାନଙ୍କର ଏହି ଜନ୍ମଗତ ନିଶ-ବିରୋଧୀ ମନୋଭାବକୁ ଭ୍ରୂକ୍ଷେପ ନକରି ଭଗବାନ ଯଦି ସେମାନଙ୍କ ନାକ ତଳେ ଫୁଟେ ଦୈର୍ଘ୍ୟର ଗୋଟିଏ ନିଶ ଜନ୍ମାଇବେ, ତାହାହେଲେ ସେମାନେ ଭଗବାନଙ୍କ ବିରୁଦ୍ଧରେ ମଧ୍ୟ ହରତାଳ କରିବାକୁ ପଛେଇବେ ନାହିଁ ।

 

କଣାବାଟେ ଗଳିଯିବା ପରେ ମୁଁ କାନ୍ଥ ସେପଟରୁ ଚାଲିଗଲି । ବର୍ତ୍ତମାନ କାନ୍ଥର ଏହି ନୂଆ ପାର୍ଶ୍ୱ ସମ୍ପର୍କରେ ପଦେ ଅଧେ କହୁଛି । ଏହି କାନ୍ଥର ଉଚ୍ଚତା କଳନା କରି ହେଉ ନାହଁ; ଯେତେ ଉପରକୁ ଚାହିଁବ, ତା’ର ଉଚ୍ଚତା ସେତେ ବଢ଼ିବା ପରି ଜଣା ପଡ଼ୁଥାଏ । ପୁଣି କଳା ଅନ୍ଧକାର ଚାରିଆଡ଼େ ଘୋଟି ହୋଇ ରହିଛି । ଏହା ମତେ ପ୍ରଥମେ ପ୍ରେତପୁରୀ ପରି ଲାଗିଲା । ମୁଁ ସେଠାରେ ନୀରବରେ ଠିଆହୋଇ ରହିଥାଏ । ରିପ୍ଳାଇ କାର୍ଡ଼ କେବେ ଆସିବ ଓ ସେଥିରେ ବୁଢ଼ୀ କ’ଣ ଲେଖିଥିବ ବୋଲି ଜାଣିବା ପାଇଁ ମୁଁ ସେଠାରେ ଆତୁରତାର ସହିତ ଅପେକ୍ଷା କରିଥାଏ । ମୁଁ ସ୍ଥିର କରିଛି ଯେ ବାଘ ଚାଲିଗଲେ ମୁଁ ପୁଣି କାନ୍ଥର ଅପର ପଟକୁ ଚାଲିଯିବି । କିନ୍ତୁ ବହୁ ସମୟ ଅପେକ୍ଷା କରିବା ପରେ ସୁଦ୍ଧା ଜୋତା ମଚ୍ ମଚ୍ ହୋଇ ଧା’ ଧପଡ଼ ହେଉଥିବା ଶବ୍ଦ ମତେ ସେ ପଟରୁ ଶୁଣାଯାଉଥାଏ । ମଝିରେ ମଝିରେ ଗୁଳି ଫୁଟିବାର ଶବ୍ଦ ମଧ୍ୟ ସ୍ପଷ୍ଟଭାବେ ବାରି ହେଉଥାଏ-। ମୋର ଯାହା ଅନୁମାନ ହେଲା, ଏହି ସବୁ ବୁଲେଟ୍ ଲକ୍ଷ୍ୟଭ୍ରଷ୍ଟ ହୋଇ ଯାଉଥିବ । ନଚେତ ଏତେ ସମୟ ଧରି ଗୁଳି ଫୁଟିବାର କିଛି କାରଣ ନାହିଁ । ଯେତେଦୂର ସମ୍ଭବ, ବାଘ କୌଶଳର ସହିତ ଶିକାରୀମାନଙ୍କର ସବୁ ପ୍ରକାର ଉଦ୍ୟମକୁ ପଣ୍ଡ କରି ଦେଉଛି ଓ ମଣିଷ ଖାଇବାରେ ବ୍ୟସ୍ତ ରହିଛି-। ହିଂସ୍ର ଜନ୍ତୁ ହେଉ କିମ୍ବା ମନୁଷ୍ୟର ହିଂସ୍ର ପ୍ରବୃତ୍ତି ହେଉ–ଏହା ଯଦି ତାଣ୍ଡବଲୀଳା ଆରମ୍ଭ କରି ଦେଇଛି, ତାହାହେଲେ ସୃଷ୍ଟି ଶେଷ ନକରିବା ପର୍ଯ୍ୟନ୍ତ ତାକୁ ବିଶ୍ରାମ କିମ୍ବା ଶାନ୍ତି ନାହିଁ । ସେ କାନ୍ଥ ଉପରେ କାନରଖି ସେପଟର ହୃଦୟ ବିଦାରକ ଚିତ୍କାର ଓ ହାହାକାର ଶୁଣିପାରୁଥାଏ । ଏହି ପରିବେଶରେ ଦୋକାନୀଠାରୁ ବୁଢ଼ୀର ରିପ୍ଲାଇ କାର୍ଡ଼ ପାଇବା କିମ୍ବା ତା’ର ବିରାଟ ଭୂସମ୍ପତ୍ତିର ନିରଙ୍କୁଶ ମ୍ୟାନେଜର ହେବା ଏବଂ ହରିଆନା-ଗାଈର ସରମିଶା ଖାଣ୍ଟି ସିଝାଦୁଧ ପିଇବା ଇତ୍ୟାଦି ବିଷୟ ମତେ କ୍ରମଶଃ ଅବାସ୍ତବ ବୋଧ ହେଲା । ଆଉ ଲୋଭର ଦାସ ନ ହୋଇ ଲୋଭକୁ ନିଜର ଦାସ କରିବା ଉଚିତ ବୋଲି ଭାବିବାକୁ ବାଧ୍ୟ ହେଲି । ସେଠାରେ ଆଉ ଅଧିକ ସମୟ ବାନ୍ଧି ହୋଇ ରହିବାର ବିଜ୍ଞତା ସମ୍ପର୍କରେ ମୁଁ ନିଜକୁ ନିଜେ ପ୍ରଶ୍ନ ପଚାରିଲି । ତଥାପି ମନର କେଉଁ କୋଣରେ କ୍ଷୀଣ ଆଶା ଲୁଚି ରହିଥାଏ । ଘଣ୍ଟା ଘଣ୍ଟା ଧରି ଠିଆ ହେବା ଯୋଗୁ ମତେ ବଡ଼ କ୍ଲାନ୍ତ ଲାଗିଲା । ଶେଷରେ କାନ୍ଥକୁ ଆଉଜି ବସିଲି । କ୍ରମେ କ୍ରମେ ମତେ ଛାଇ-ନିଦ ମାଡ଼ିଲା । ସେତେବେଳର ସ୍ୱପ୍ନିଳ ସମୟରେ ମୋ ମନରେ ଯେଉଁ ଦୃଶ୍ୟ ନାଚି ଉଠିଲା, ତା’ର ବିବରଣୀ ବର୍ତ୍ତମାନ ଦେଉଛି :

 

–ବୁଢ଼ୀର ସାନ ପୁଅ ଉଚ୍ଚ ଶିକ୍ଷା ପାଇଁ ବିଦେଶକୁ ଚାଲିଯିବା ପରେ, ଜମିବାଡ଼ି ବୁଝାବୁଝି କରିବା ପାଇଁ ବୁଢ଼ୀ କୌଣସି ବିଶ୍ୱସ୍ତ ଲୋକକୁ ପାଇଲା ନାହିଁ । ପୁଣି ତା’ର ଦୁର୍ବଳ ଅବସ୍ଥା ଯୋଗୁ ସେ ନିଜେ ଜମିର ତଦାରଖ କରି ପାରିଲା ନାହିଁ । ତେଣୁ ସେ ଗାଁରେ ଯେଉଁ ଲୋକମାନକୁ ବିଶ୍ଵାସନୀୟ ବୋଲି ଭାବୁଥିଲା, ସେମାନଙ୍କୁ ଚଷିବା ପାଇଁ ଜମି ଦେଲା । ବୁଢ଼ୀ ଓ ସେମାନଙ୍କ ମଧ୍ୟରେ ସର୍ତ୍ତ ଥିଲା ଯେ ସେମାନେ ଜମିର ଫସଲ ପାଇଁ ଯାହା ଖର୍ଚ୍ଚ ଓ ପରିଶ୍ରମ ଆବଶ୍ୟକ, ନିଜେ ଖଟାଇବେ ଏବଂ ଯାହା ଆଦାୟ ହେବ ତା’ର ଏକଚତୁର୍ଥାଂଶ ଭାଗ ବୁଢ଼ୀକୁ ରାଜ ଭାଗ ହିସାବରେ ଦେବେ । ପୁଣି ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି ଯେ ଯେଉଁ ବର୍ଷ ବୁଢ଼ୀ କହିବ, ସେମାନେ ସେହି ବର୍ଷ ବୁଢ଼ୀକୁ ଜମି ଛାଡ଼ିଦେବେ ।

 

କିନ୍ତୁ ଦୁଇବର୍ଷ ପରେ ବୁଢ଼ୀ ଯେତେବେଳେ ସେମାନଙ୍କୁ ଜମି ଛାଡ଼ିବା ପାଇଁ କହିଲା, ସେମାନେ ରାଜି ହେଲେ ନାହିଁ । ଚରମ ବିଶ୍ୱାସଘାତକତା କରି ସେମାନେ ବୁଢ଼ୀକୁ ଜଣାଇଲେ ଯେ ସେହି ଜମି ସେମାନଙ୍କର । ସେମାନେ ଜମିର ଚାଷୀ ହୋଇଥବା ଯୋଗୁଁ ସେମାନେ ହିଁ ପ୍ରକୃତ ମାଲିକ-ଲଙ୍ଗଳ ଯାହାର ଜମି ତାହାର; ଜମି ଭାଗଚାଷୀର କ୍ଷମତାଧୀନ ହେବ; ଘରେ ଶୋଇଥିବା ବୁଢ଼ୀ କମ୍ବା ସିସ୍ତୁ ଅସୁଲ କରୁଥିବା ସରକାରର ନୁହେଁ । ଭଗଚାଷୀମାନଙ୍କ ସହିତ କୋର୍ଟ କଚେରି କିମ୍ବା ଶାରୀରିକ ବଳଦ୍ଵାରା ଯୁଦ୍ଧ କରିବାକୁ ବୁଢ଼ୀର ସାମର୍ଥ୍ୟ ନାହିଁ । ତେଣୁ ସେ ନିଜ କପାଳକୁ ନିନ୍ଦାକରି ରହିଲା । ସେତେବେଳେ ସେହି ଗାଁର ଦଶଜଣ ବଳୁଆ ଓ ପଇସାବାଲା ଲୋକ ବୁଢ଼ୀ ପାଖକୁ ଗଲେ ଏବଂ ତାକୁ ବୁଝାଇ କହିଲେ ଯେ ସେ ଯଦି ସେମାନଙ୍କୁ ସେହି ବିବାଦଗ୍ରସ୍ତ ଜମିଗୁଡ଼ିକ କମ୍ ଦାମରେ ରେଜିଷ୍ଟ୍ରି କରି ବିକ୍ରି କରିଦେବ, ତାହାହେଲେ ସେମାନେ କିଣିବାକୁ ପ୍ରସ୍ତୁତ ଅଛନ୍ତି । ଏହି ବଳୁଆମାନଙ୍କର ଉଦ୍ଦେଶ୍ୟ ହେଉଛି ଯେ ସେମାନେ ଜମି କଣି ସାରିବା ପରେ ଭାଗଚାଷୀମାନଙ୍କୁ ଜବରଦସ୍ତି ସେହି ଜମିରୁ ହଟାଇବେ । ବୁଢ଼ୀ ତ ସେହି ଜମିଗୁଡ଼ିକୁ ସ୍ୱାଧୀନ କରି ପାରିବ ବୋଲି ଆଶା ଛାଡ଼ି ଦେଇଥିଲା । ତେଣୁ ବର୍ତ୍ତମାନ ଏହି ଲୋକମାନଙ୍କର ପ୍ରସ୍ତାବକୁ ଗ୍ରହଣ କଲା–ଏହା ଫଳରେ ସେ କିଛି ଟଙ୍କା ପାଇବ ଏବଂ ଏହି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କଲେ ସେ ଶାନ୍ତି ଓ ଆରାମରେ ସୁଧ ପାଇପାରିବ ବୋଲି ଭାବିଲା । ତା’ପରେ ବୁଢ଼ୀ ଓ ଉପରୋକ୍ତ କ୍ରେତାମାନଙ୍କ ମଧ୍ୟରେ ରେଜିଷ୍ଟ୍ରି ଅଫିସକୁ ଯିବାପାଇଁ ଦିନ ଧାର୍ଯ୍ୟ ହେଲା । ବୁଢ଼ୀ ସେଦିନ ନିକଟସ୍ଥ ଟାଉନ୍‌ରେ ଥିବା ରେଜିଷ୍ଟ୍ରି ଅଫିସକୁ ଯାଇ ଉକ୍ତ ପ୍ରଭାବଶାଳୀ ଦଶଜଣ ବ୍ୟକ୍ତିଙ୍କୁ ଜମି ବିକ୍ରି କରିଦେଲା । ଏହି ବିଷୟ ସେହି ଜମିର ଭାଗଚାଷୀମାନେ ଜାଣି ପାରିଲେ । ସେମାନେ ଭଲଭାବେ ବୁଝିଗଲେ ଯେ କ୍ରେତାମାନେ ତାଙ୍କୁ ଜମିରୁ ନିକାଲିବା ପାଇଁ ବଳ ପ୍ରୟୋଗ କରିବେ । ଏଥିରୁ ହୁଏତ ନାନା ପ୍ରକାର ଗଣ୍ଡଗୋଳ ଉପୁଜିବ । ତେଣୁ ଭବିଷ୍ୟତ ବିଷୟରେ ଭାବିବା ମାତ୍ରେ ସେମାନେ ବଡ଼ ଚିନ୍ତିତ ହୋଇ ପଡ଼ିଲେ ।

 

ଏହି ସବୁ ଦୁର୍ଭାବନାର ମୂଳରେ ଅଛି ବୁଢ଼ୀର ଜମିବିକ୍ରି । ତେଣୁ ସେମାନଙ୍କର କ୍ରୋଧ ସର୍ବ ପ୍ରଥମେ ବୁଢ଼ୀ ଉପରେ କେନ୍ଦ୍ରୀଭୂତ ହେଲା । ସେମାନେ ଏକଜୁଟ୍ ହୋଇ ଗୋଟିଏ ଷଡ଼ଯନ୍ତ୍ର କଲେ । ବୁଢ଼ୀ ରେଜିଷ୍ଟ୍ରି ଅଫିସରୁ ଘରକୁ ଫେରୁଥିବାବେଳେ ତା’ଉପରେ କାତି-କୁରାଡ଼ି ଦ୍ୱାରା ଆକ୍ରମଣ କଲେ । ଘଟଣାସ୍ଥଳରେ ବୁଢ଼ୀର ଅବସ୍ଥା ସଙ୍କଟାପନ୍ନ ହୋଇଗଲା । ତାକୁ ଘରେ ପହୁଞ୍ଚାଇବାର ଚବିଶି ଘଣ୍ଟା ମଧ୍ୟରେ ତା’ର ମୃତ୍ୟୁ ଘଟିଲା ।

 

–ସଙ୍ଗେ ସଙ୍ଗେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ତତ୍ପର ହୋଇ ଉଠିଲେ । ଦଳ ଦଳ ପୋଲିସ ଗାଁକୁ ଚାଲିଲେ । ବର୍ତ୍ତମାନ ଭାଗ-ଚାଷୀମାନେ ଜମିରେ ଚାଷ କରିବାକୁ ହଳ ନେବା ବେଳେ କ୍ରେତାମାନେ ସେମାନଙ୍କୁ ବାଧା ଦେଲେ ଏବଂ ନିଜର ହଳ-ଲଙ୍ଗଳ ଧରି ବାହାରିଲେ । ତା’ପରେ ରକ୍ତପାତ ଆରମ୍ଭ ହୋଇଗଲା । ସେଠାରେ ୧୪୪ ଧାରା ଜାରି କରିଗଲା । ଗାଁର ଲୋକମାନେ ବର୍ତ୍ତମାନ ଭୀତତ୍ରସ୍ତ ହୋଇ ଘର ଭିତରେ ଲୁଚି ରହିଲେ । ଗାଁର ମଝିଦାଣ୍ଡରେ ଗୋଟିଏ ବିଲେଇ-ପିଲା ମଧ୍ୟ ବୁଲୁଥିବାର ଦେଖାଗଲା ନାହଁ । ଏହି ଅବସରରେ ବୁଢ଼ୀର ବଡ଼ ଦୁଇ ପୁଅ ଖବର ପାଇ ସେମାନଙ୍କର ଦୂରବର୍ତ୍ତୀ କାର୍ଯ୍ୟ କ୍ଷେତ୍ରରୁ ଗାଁକୁ ଆସିଲେ । ଅବଶ୍ୟ ସାନ ପୁଅ ବିଦେଶରେ ଥିବା ଯୋଗୁଁ, ସେ ଆସିବା ସମ୍ଭବ ହୋଇ ନ ଥିଲା । ବଡ଼ ଦୁଇ ପୁଅ ଗାଁରେ ପହଞ୍ଚିବା ବେଳେ ବୁଢ଼ୀର ଶବଦାହ ହୋଇ ସାରିଥିଲା । ମା’ର ଶେଷ ଦର୍ଶନ ନ ପାଇବାରୁ ସେମାନଙ୍କ ଶୋକ ଦ୍ଵିଗୁଣିତ ହୋଇଗଲା ।

 

ତା’ପରେ ସେମାନେ ବିଭିନ୍ନ ଜାଗାରେ ଥିବା ନିଜର ଆତ୍ମୀୟ ସ୍ୱଜନମାନଙ୍କ ପାଖକୁ ବାର୍ତ୍ତାମାନ ପଠାଇଲେ । ଠିକ୍ ଏମିତି ସମୟରେ ମୋର ପୂର୍ବ ବର୍ଣ୍ଣିତ ରିପ୍ଲାଇ କାର୍ଡ଼ ସହିତ ଚିଠିଟି ବଡ଼ ପୁଅ ପାଇଲା । ବଡ଼ ପୁଅ ଚିଠିଟିରେ ମୁଁ ମ୍ୟାନେଜର ହେବା ପାଇଁ ଲେଖିଥିବା ବିଷୟ ପଢ଼ି ଆହୁରି ଶୋକାଭିଭୂତ ହୋଇ ପଡ଼ିଲା । ଗୋଟିଏ ଡେସିମିଲ ଜମି ମଧ୍ୟ ବର୍ତ୍ତମାନ ତା’ର ନ ଥିବା ଯୋଗୁଁ ସେ ମର୍ମାହତ ହେଲା ଏବଂ ଭାବିଲା ଯେ ମତେ ମ୍ୟାନେଜର ପଦରୁ ବାହାର କରି ନ ଥିଲେ ସେମାନେ ହୁଏତ ବର୍ତ୍ତମାନ ଭୂମାଲିକ ହୋଇ ରହିଥାନ୍ତେ ।

 

ଯାହାହେଉ, ଗାଁର କେତେକ ଲୋକଙ୍କ ଠାରୁ ବଡ଼ ପୁଅ ଶୁଣିଲା ଯେ, ବୁଢ଼ୀ ମରିବା ପୂର୍ବରୁ ମୋ ନାମ ଧରି ବାଉଳେଇ ହେଉଥିଲା । ବୋଧହୁଏ ମତେ ଦେଖିବା ପାଇଁ ଚାହୁଁଥିଲା । ବୁଢ଼ୀର ଏହି ଅନ୍ତିମ ଇଚ୍ଛା ପୂରଣ ନ କରି ପାରିଲେ ସୁଦ୍ଧା ବଡ଼ ପୁଅ ଭାବିଲା ଯେ, ବୁଢ଼ୀର ଅନ୍ତ୍ୟେଷ୍ଟକ୍ରିୟାରେ ଯୋଗ ଦେବା ପାଇଁ ସେ ମତେ ନିମନ୍ତ୍ରଣ କରିବ । ତେଣୁ ମୁଁ ପଠାଇଥିବା ରିପ୍ଳାଇ-କାର୍ଡ଼ରେ ସେ ଲେଖିଲା :

 

ସ୍ଵର୍ଗତ ଗଙ୍ଗା

 

ମହାଶୟ,

 

ଆମର ମାତା ସୁଲକ୍ଷଣା ଦେବୀ ମାଘ ମାସ ଶୁକ୍ଳ ସପ୍ତମୀ ଦିନ ପରଲୋକକୁ ଗମନ କଲେ । ଏହି ଦୁର୍ବଳ କାର୍ଯ୍ୟରେ ଆପଣ ଉପସ୍ଥିତ ହୋଇ ଆମକୁ ସାହାଯ୍ୟ ଓ ସାହାସ ଦେବା ପାଇଁ ଆମେ ସକରୁଣ ନିବେଦନ କରୁଛୁଁ । ଏହା ଲେଖିବାକୁ ପରମେଶ୍ଵର ଆମକୁ ବାଧ୍ୟ କଲେ ।

 

ଇତି

ଆପଣଙ୍କର ଅଭାଗା

[ଏଠାରେ ଦୁଇ ପୁଅ ଦସ୍ତଖତ କରିଥିଲେ ।]

 

–ଏହି ଦୁଃସମ୍ବାଦ ପାଇ ମୁଁ ସଙ୍ଗେ ସଙ୍ଗେ ବୁଢ଼ୀର ଗାଁକୁ ଗଲି । ସେଠାରେ ମୁଁ ପହଞ୍ଚିବା ବେଳେ ଶ୍ରେଣୀ-ସଂଘର୍ଷ ଉତ୍କଟ ଆକର ଧାରଣ କରିଛି । ଭାଗଚାଷୀମାନେ ମୋ ପରି ଏଜେଣ୍ଟମାନଙ୍କୁ ବରଦାସ୍ତ କରିବାକୁ ଆଉ ପ୍ରସ୍ତୁତ ନ ଥିଲେ । ମତେ ଦେଖୁ ଦେଖୁ ଜଣେ ଭାଗଚାଷୀ କହିଲା, ‘ଆରେ, ବୁଢ଼ୀ ତ ମଲା । ମାତ୍ର ତା’ର ପୋଷାକୁକୁର ମରି ନାହିଁ । ମାଲିକାଣୀକୁ ଆମେ ମାରିଛେ ବୋଲି ଯଦି ଏହି ପୋଷାକୁକୁର ଆମକୁ କାମୁଡ଼ି ଦେବ, ତାହାହେଲେ ଆମକୁ ମୋଟା ମୋଟା ଚଉଦଟା ଇଞ୍ଜେକସନ୍ ଫୋଡ଼ିବାକୁ ପଡ଼ିବ । ମନେ ରଖିଥାଅ ଯେ ପୋଷାକୁକୁର ବିଷ କମ୍ ମାରାତ୍ମକ ନୁହେଁ । ତାକୁ ଦେଖୁ ଦେଖୁ ଶେଷ କରିଦେବା ଓ ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ଯେ ତାକୁ ନର୍କକୁ ନେଇଯାଆନ୍ତୁ…’ ଏହି ଭାଗଚାଷୀଟି ଜମି କ୍ରେତାମାନଙ୍କ ସହିତ ଅଳ୍ପ ଦିନ ପୂର୍ବେ ସଶସ୍ତ୍ର ଗଣ୍ଡଗୋଳ ସମୟରେ ଆହତ ହୋଇ ଯାଇଥିଲା ଓ ତା’ର ହାତର ହାଡ଼ ଭାଙ୍ଗି ଯାଇଥିଲା । ତେଣୁ ସେହି ଆହତ ହାତଟିକୁ ପ୍ଲାଷ୍ଟରିଂ କରି ତା’ର ବେକରେ କନାଦ୍ୱାରା ବନ୍ଧା ଯାଇଥିଲା । ବର୍ତ୍ତମାନ ସେ ମତେ ଦେଖି ତାତିଗଲା ଓ ଉପରୋକ୍ତ ଉତ୍ତେଜକ ଭାଷଣ ଦେବା ବେଳେ ସେ ହାତଟିକୁ ମୁଠା କରି ମୁଣ୍ଡ ଉପରକୁ ଉଞ୍ଚାଇବା ଯୋଗୁଁ ବନ୍ଧା ଯାଇଥିବା କନାଟି ଛିଣ୍ଡିଗଲା । ତା’ର କ୍ରୋଦ୍ଧ ଓ ଯନ୍ତ୍ରଣା ସଙ୍ଗେ ସଙ୍ଗେ ତା’ ପଛ ପଟେ ଥିବା ଅନ୍ୟାନ୍ୟ ଭାଗଚାଷୀମାନଙ୍କୁ ସଂକ୍ରମିତ ହେଲା । ସେମାନଙ୍କ ମଧ୍ୟରୁ କେତେଜଣ ମୋ ଉପରକୁ କାତି ଓ କୁରାଢ଼ୀ ଫୋପାଡ଼ିଲେ । ସେହି ଆଘାତରେ ମୋ ପେଟ ଚିରିଯାଇ ହୃତ୍‌ପିଣ୍ଡ କଟିଗଲା ଓ ପିଚ୍ ପିଚ୍ ହୋଇ ରକ୍ତ ଅବିଶ୍ରାନ୍ତ ଭାବେ ବହିଲା…

 

‘ଏମିତି ସମୟରେ ମୋ ଛାଇ ନିଦ ଭାଙ୍ଗିଗଲା । ସେତେବେଳେ ମୁଁ ଦୁଇ ହାତରେ ଛାତିକୁ ଚାପି ଧରି ଥାଏ, ସତେ ଯେମିତି ମୋର ପ୍ରକୃତରେ ରକ୍ତସ୍ରାବ ହେଉଛି ଏବଂ ମୁଁ ରକ୍ତଧାର ବନ୍ଦ କରିବାକୁ ଚେଷ୍ଟା କରୁଛି । ମୁଁ ଉପରେ ଯେଉଁ ବୁଢ଼ୀର ମୃତ୍ୟୁ ସମ୍ବନ୍ଧିତ ଦୁଃଖଦାୟକ ଘଟଣାଟି ବର୍ଣ୍ଣନା କଲି, ଏହା ଦୁଃସ୍ୱପ୍ନ ନା ଦୁର୍ଭାବନା ମୁଁ କହି ପାରିବି ନାହିଁ । କିନ୍ତୁ ସେତେବେଳେ ଏହା ମତେ ଅକ୍ଷରେ ଅକ୍ଷରେ ସତ ପରି ଲାଗିଲା । ସହର ଛାଡ଼ି ଗାଁକୁ ଚାଲିଗଲେ, ମୁଁ ଗାଁରେ ସୁଖଶାନ୍ତି ପାଇବି ବୋଲି ଯେଉଁ ମରୀଚିକା ପଛରେ ଆଜିଯାଏ ଦୌଡ଼ୁଥିଲି ତାହା ମୋର ଗୋଟିଏ ପୁରୁଣାକାଳିଆ ଧାରଣା ବୋଲି ମୁଁ ଅନୁଭବ କଲି । ତା’ପରେ ନିରାସକ୍ତ ଭାବେ ଜୀବନ ଯାପନ କରିବା ପାଇଁ ମୁଁ ଜଗି ରହିଥିବା କାନ୍ଥଠାରୁ କ୍ରମଶଃ ଦୂରକୁ ଦୂରକୁ ପାଦ ବଢ଼ାଇଲି ଓ ସାଂସାରିକ ଆଶା ଠାରୁ ଦୂରେଇ ଗଲି । ସେହି ଅନ୍ଧକାର ଭିତରେ ମୋର ନିରାସକ୍ତ ମନ ହିଁ ମତେ ଟର୍ଚ୍ଚ ଆଲୋକ-ପରି ବାଟ କଢ଼ାଉଥାଏ । କିଛି ସମୟ ପରେ ଦେଖିଲି ଯେ ଅନ୍ଧକାରର ଘନତ୍ଵ କ୍ରମଶଃ କମି-ଯାଉଛି । ତା’ପରେ ମୁଁ ଈଷତ୍ ଆଲୋକର ସନ୍ଧାନ ପାଇଲି । ଅଳ୍ପଦୂର ଯିବା ପରେ ମୁଁ ଭାବିଲି ଯେ ବର୍ତ୍ତମାନ ଯାଏଁ ମୁଁ ମାୟା ସଂସାରର ଅନ୍ଧକାରରେ ପଶି ବାଟବଣା ହୋଇ ଯାଇଥିଲି ଓ ବର୍ତ୍ତମାନ ସେଥିରୁ ନିଷ୍କୃତି ପାଇବା ପାଇଁ ପଦକ୍ଷେପ ନେଉଛି ।

 

ସ୍ଵାମୀଜୀଙ୍କ ଭାଷଣ ଏମିତି ଚାଲିଥିବାବେଳେ ଜଣେ ବ୍ୟକ୍ତି ସଭାସ୍ଥଳୀରୁ ଉଠି ପାଟି କରି ସମସ୍ତଙ୍କୁ ଜଣାଇଲା, ‘ଭାଇମାନେ ! ସ୍ଵାମୀଜୀଙ୍କ ଭାଷଣ ଶୁଣିଲ ତ, ଏହି ଭାଷଣର ଅର୍ଥ ହେଉଛି ଯେ ଏହି ଯୁଗଟା ଖାସୁ-ଯୁଗ । ଅର୍ଥାତ୍ ଆମର ସବୁ ଚେଷ୍ଟା ନିଷ୍ଫଳ ହେବ । ତାଙ୍କ ମତରେ ଆମେ ପଳାୟନପନ୍ଥୀଭାବେ ବଣକୁ ଚାଲିଯିବା ଉଚିତ । ଆମେ ତାଙ୍କ ଦ୍ଵାରା ବର ପାଇ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରି ପାରିବା ବୋଲି ଏଠାରେ ଅଧିଆ ପଡ଼ିଥିଲେ । କିନ୍ତୁ ସେ ଆମକୁ ବରଦେବା ପରିବର୍ତ୍ତେ ସଂସାର ଛାଡ଼ିବାକୁ ମତାଇଲେ । ତେଣୁ ଆମ ପାଇଁ ସେ ଗୋଟିଏ ଅବାଞ୍ଛିତ ବ୍ୟକ୍ତି । ନିଜେ ଚେଷ୍ଟା ନ କଲେ କୌଣସି ଦୈବୀ ଶକ୍ତି ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେବ:ନାହିଁ । ତେଣୁ ସବୁ ପ୍ରକାର ବାଧାବିଘ୍ନକୁ ସମ୍ମୁଖୀନ ହେବାକୁ ପଡ଼ିବ । ଦରକାର ହେଲେ, ଉପସ୍ଥିତ ସରକାର ଓ ଶାସନପଦ୍ଧତିକୁ ମଧ୍ୟ ଆମେ ସାହସର ସହିତ ମୁକାବିଲା କରିବୁ; କିନ୍ତୁ ସ୍ୱାମୀଜୀଙ୍କପରି ଭୟରେ ବାବାଜୀ ହୋଇ ଯିବୁ ନାହିଁ ।’ ସଭାସ୍ଥଳୀର ଜନତା ମଧ୍ୟରୁ କିଏ ଚାକିରି ପାଇବା ପାଇଁ, କିଏ କୋର୍ଟ କଚେରି ଦ୍ୱାରା ଆଉ ଅଧିକ ହଇରାଣ ନ ହେବାକୁ, କେଉଁ ବ୍ୟକ୍ତି ଅକାରଣରେ ମିଶା ଆଇନର ଶୀକାର ନ ହେବାକୁ ଇତ୍ୟାଦି ବିଭିନ୍ନ କାରଣରୁ ସେଠାରେ ରୁଣ୍ଡ ହୋଇଥିଲେ । ସ୍ୱାମୀଜୀଙ୍କ ଭାଷଣପ୍ରତି ଉକ୍ତ ଲୋକଟିର କଟୁ ମନ୍ତବ୍ୟ ସେମାନଙ୍କ ମନକୁ ପାଇଲା-। ତେଣୁ ତୁରନ୍ତ ସମସ୍ତେ ସଭା ଛାଡ଼ି ଚାଲିଗଲେ । ଏହି ଘଟଣାରେ ମର୍ମାହତ ନ ହୋଇ ସ୍ୱାମୀଜୀ ପୁଣି କହିବାରେ ଲାଗିଲେ, “ମୁଁ ପରେମେଶ୍ଵରଙ୍କୁ ପ୍ରାର୍ଥନା କରି ପୁଣି ଆଲୋକର ସନ୍ଧାନରେ ଆଗେଇଲି । ବହୁତ ଦୂର ଯିବା ପରେ ଦେଖିଲି ଯେ କେତେକ ଭକ୍ତ ତାଳ, ଗିନି, ମୃଦଙ୍ଗ ଧରି ତନ୍ମୟ ହୋଇ ନାମ-ଯଜ୍ଞରେ ବ୍ୟସ୍ତ ଅଛନ୍ତି । ସେମାନଙ୍କ ମୁଖରୁ ଅହରହ ଝରୁ ଥାଏ :

 

ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ, ରାମ ରାମ ହରେ ହରେ..

 

ଏହି ମନ୍ତ୍ରର ଅଲୌକିକ ଶକ୍ତିରେ ମୁଁ ତତକ୍ଷଣାତ୍ ବଶୀଭୂତ ହୋଇଗଲି । ସବୁ ପ୍ରକାର ଦୁଃଖ-ଦୁଶ୍ଚିନ୍ତା ଭୁଲି ଯାଇ ସେମାନଙ୍କ ସହିତ ତାଳଦେଇ ହରେକୃଷ୍ଣ ନାମ ଗାଇବାରେ ଲାଗିଲି…”

 

ଏମିତ କହି ସ୍ଵାମୀଜୀ ଭାବବିହ୍ଵଳ ହୋଇ ତାଙ୍କ ଆସନରୁ ଉଠିଲେ । ଚେଲାମାନେ ଆଲଟଚାମରରେ ବିଞ୍ଚି ତାଙ୍କୁ ଆପ୍ୟାୟିତ କରୁଥାନ୍ତି । ସେତେବେଳେ ମହାଦେବ ମନ୍ଦିରର ପୂଜାରୀ ଆଳତି ପାଇଁ ଦୀପ ଜଳାଇଛି । ଘଣ୍ଟା ବାଜି ଉଠିଲା । ଘଣ୍ଟାର ଜୀବନ୍ତ ଧ୍ୱନୀ ଶୁଣି ମୁଁ ହାତଯୋଡ଼ି, ଭୁଇଁରେ ଆଣ୍ଠୁମାଡ଼ି ରହିଲି; ଯେମିତି ମହାଦେବ ମୃର୍ତ୍ତି ସମ୍ମୁଖରେ ବୃଷଭ ରହିଥାଏ । ତା’ପରେ କେତେସମୟ ବିତିଗଲା-ମୁଁ ଜାଣି ନାହିଁ । ମୋର ଷଡ଼ ରିପୁ କେଉଁ ମହାଶୂନ୍ୟରେ ବିଲୀନ ହୋଇଗଲେ, ମୁଁ କହି ପାରିବି ନାହଁ । ମୋର ଚେତା ଫେରିବା ସମୟକୁ ମୁଁ ଦେଖିଲି ଯେ ସ୍ୱାମୀଜୀ ମୋ ମୁଣ୍ଡ ଉପରେ ହାତ ବୁଲାଇ ମତେ ଆର୍ଶୀବାଦ ଦେଉଛନ୍ତି । ତା’ପରେ ମୁଁ ସ୍ୱାମୀଜୀଙ୍କ ପଛେ ପଛେ ନତମସ୍ତକରେ ଚାଲିଲି ଓ ସେତେବେଳେ ଭାବିଲି ଯେ ଏଥର ମତେ ମିଶାଇ ସ୍ୱାମୀଜୀଙ୍କ ଚେଲା ସଂଖ୍ୟା ପାଞ୍ଚରୁ ଛଅକୁ ବୃଦ୍ଧି ପାଇବ ।

 

ସେହି ଝାପସା ଅନ୍ଧକାରରେ ଆମ ଗାଁର ସରପଞ୍ଚ ଶ୍ରୀ ଛୋଟା ପଟ୍ଟନାୟକ ଓ ଆଉ ଦୁଇ ଚାରି ଜଣ ଲୋକ ଗୋଟିଏ କିଆ ବୁଦା କଡ଼ରେ ଲୁଚି କ’ଣ କଥା ଭାଷା ହେଉଥିବାର ମୁଁ ଦେଖି ପାରିଲି । ଛୋଟାଙ୍କୁ ଦେଖି ମୁଁ ପ୍ରମାଦ ଗଣିଲି କାରଣ ତାଙ୍କର ସ୍ୱଭାବ ଭଲ ନୁହେଁ ଓ ଷଡ଼ଯନ୍ତ୍ର ଭିଆଇବାରେ ସେ ପ୍ରକୃତରେ ପଟ୍ଟନାୟକ । ଏହି ମହାଶୟଙ୍କର ସରପଞ୍ଚ ହିସାବରେ କାର୍ଯ୍ୟକାଳ ପୂରି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ସରକାର ନିର୍ବାଚନକୁ ସ୍ଥଗିତ କରିଥିବା ଯୋଗୁଁ ସେ ସରପଞ୍ଚ ପଦବୀରେ ରହିଛନ୍ତି । ସେ ସରକାରୀ-ଦଳର ସମର୍ଥକ ଓ ବର୍ତ୍ତମାନ ଆମ ବ୍ଳକ୍‌ର କ୍ଷମତାସୀନ-ରାଜନୈତିକ-ଦଳର ସେକ୍ରେଟାରୀ ଅଛନ୍ତି । ଚାରି ଛଅ ମାସ ପୂର୍ବେ ତାଙ୍କୁ ଭିତ୍ତିକରି ଘଟିଥିବା ଗୋଟିଏ ହାସ୍ୟାସ୍ପଦ ଘଟଣା ଦ୍ଵାରା ମୁଁ ତାଙ୍କର ପରିଚୟ ଦେବାକୁ ଚାହୁଁଛି:–ସେତେବେଳେ ଦେଶସାରା ଫାଶୀବାଦ ବିରୁଦ୍ଧରେ ସଭାସମିତି ଓ ବିକ୍ଷୋଭମାନ ସରକାରୀ ଦଳ ତରଫରୁ ଅନୁଷ୍ଠିତ ହେଉଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଆମ ବ୍ଲକ୍‌ର ଶ୍ରୀ ଛୋଟା ପଟ୍ଟନାୟକଙ୍କ ପାଖକୁ ଦଳ ପକ୍ଷରୁ ଟଙ୍କା ପଠାଯାଇ ଥିଲା ଏବଂ ବିକ୍ଷୋଭ ଓ ପଟୁଆରମାନ କରିବାପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଛୋଟାଙ୍କର ବୟସ ସତୁରୀ ବର୍ଷ ତଥାପି ସେ ବେଶ ଶକ୍ତ ଅଛନ୍ତି । ସେ ଦଳର ଗୋଟିଏ ସକ୍ରିୟ କର୍ମୀ । ସେ ବିଶେଷ ଉତ୍ସାହର ସହିତ ଦଳର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗି ପଡ଼ିଲେ । ଏଥିପାଇଁ ପାଳ ଓ ନଡ଼ା ସଂଗ୍ରହ କରି ସେଥିରେ ପ୍ରାୟ ଦଶଟି ନକଲି ବିରାଟ ମଣିଷ ତିଆରି କଲେ ଓ ସେଗୁଡ଼ିକୁ ଉଚ୍ଚ-ବାଉଁଶ ଖମ୍ବର ଟିପରେ ବାନ୍ଧି ଗାଁର ବଡ଼ ଦାଣ୍ଡରେ ପୋତିଲେ । ଏହି ଦୃଶ୍ୟ ଦେଖି ଗ୍ରାମବାସୀମାନେ କୌତୂହଳବଶତଃ ସେଠାରେ ଏକତ୍ରିତ ହେଲେ । ତା’ପରେ ଛୋଟା ଭାଷଣଦେଲେ, ଆପଣମାନେ ଜାଣନ୍ତି ଯେ ବିଚାରାଳୟରୁ ନ୍ୟାୟ ପାଇବା ବେଳେ ସମୟ ସପେକ୍ଷ ନୁହେଁ; ଏଥିପାଇଁ ଅସମ୍ଭବ ରକମର ହଇରାଣ ହେବାକୁ ପଡ଼େ । ପୁଣି ବିଚାରପତିମାନେ ସରକାରଙ୍କ ପ୍ରଗତିଶୀଳ ନୀତିମାନଙ୍କୁ ସମର୍ଥନ କରିବା ପରିବର୍ତ୍ତେ ବିରୋଧ କରୁଛନ୍ତି । ସେମାନଙ୍କର ଏହି ଗରିବ-ବିରୋଧୀ ରାୟ ଯୋଗୁଁ ସରକାର ସମସ୍ତ ଚଳନଶକ୍ତି ହରାଉଛନ୍ତି । ଏହି ଦୁର୍ଗୁଣକୁ ଦୂର କରିବା ପାଇଁ ଆମ ସରକାର ବିଚାର ବିଭାଗର କ୍ଷମତା ସଙ୍କୁଚିତ କଲେ । ଏହାକୁ ବିଚାରପତିମାନେ ଆନନ୍ଦର ସହିତ ଗ୍ରହଣ କରିବା ପରିବର୍ତ୍ତେ ବଡ଼ କ୍ଷୁବ୍‌ଧ ହୋଇ ପଡ଼ିଛନ୍ତି । ସେମାନେ ରାଗରେ ସାମାନ୍ୟ ଦୋଷ ପାଇଁ ମଧ୍ୟ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେଉଛନ୍ତି । ତେଣୁ ଆମ ଦଳ ତରଫରୁ ଏହି ଫାଶୀ ଦଣ୍ଡ ବିରୁଦ୍ଧରେ ପ୍ରତିବାଦ ଦିବସ ଆଜି ପାଳିତ ହେଉଛି । ଆପଣମାନେ ଏହି ଯେଉଁ ପାଳ ପୁତ୍ତଳିକାମାନ ଏଠାରେ ଦେଖୁଛନ୍ତି, ଏହା ବିଚାରପତିମାନଙ୍କର ମୂର୍ତ୍ତି । ତେଣୁ ଏଗୁଡ଼ିକୁ ଦାହ କରିବାକୁ ହେବ । ସମସ୍ତେ ଆନନ୍ଦିତ ହୁଅ କରତାଳି ଦିଅ । ମୁଁ ମୂର୍ତ୍ତିମାନଙ୍କରେ ବର୍ତ୍ତମାନ ଅଗ୍ନି ସଂଯୋଗ କରିବି ।’ ତା’ପରେ ଛୋଟା ନିଆଁ ଲଗାଇଲେ । ସେତେ ବେଳେ ମୁଁ ଗାଁ ଶେଷରେ ଥିବା ପୋଖରି ହୁଡ଼ାରେ ଝାଡ଼ା ଫେରୁଥିଲି । ଏହି ଫାଶୀ ବାଦ ବିରୁଦ୍ଧରେ ଆଜି ପ୍ରତିବାଦ ଦିବସ ପାଳିତ ହେଉଛି ବୋଲି ମୁଁ ପୂର୍ବରୁ ଜାଣି ନ ଥିଲି । ତେଣୁ ଗାଁର ମଝିଦାଣ୍ଡରୁ ଯେତେବେଳେ ଅଗ୍ନି ଶିଖା ଆକାଶକୁ ଉଠୁ ଥିବାର ଦେଖିଲି, ମୁଁ ଭୟ ଓ ଆଶଙ୍କାରେ ତତ୍‌କ୍ଷଣାତ୍ ଗାଁ ଆଡ଼କୁ ଦୌଡ଼ିଲି । ମତେ ଆଉ ଶୌଚ ହେବାକୁ ସମୟ ମିଳିଲା ନାହିଁ-। ମୋ କାନରେ ପଇତା ବେଢ଼ା ହୋଇଥାଏ ଏବଂ କଛା ରାସ୍ତାରେ ଘୋଷାରି ହେଉଥାଏ । କିନ୍ତୁ ଏ ସବୁ ପ୍ରତି ମୋର ଖାତିର ନାହିଁ । କାଳେ ମୋ ନଡ଼ାରେ ତିଆରି ଗୁହାଳ ଘରେ ନିଆଁ ଲାଗିଯାଇଥିବ ବୋଲି ଭୟ କରି ମୁଁ ପ୍ରାଣ ବିକଳରେ ଦୌଡ଼ୁଥାଏ କିନ୍ତୁ ଗାଁରେ ପହଞ୍ଚି ଦେଖିଲି ଯେ ଦଳେ ଲୋକ ଠିଆ ହୋଇ ତଥାକଥିତ ବିଚାରପତିମାନଙ୍କର ପାଳ ପୁତ୍ତଳିକା ଦାହକୁ ଆନନ୍ଦର ସହିତ ଉପଭୋଗ କରୁଛନ୍ତି ଓ ସରପଞ୍ଚ ଫାଶୀଦଣ୍ଡର ଅମାନୁଷିକତା ବିଷୟରେ କହି ଚାଲିଛନ୍ତି । ସରକାରୀ ଦଳ ଯେଉଁ ଫାଶୀବାଦ ବିରୁଦ୍ଧରେ ଛୋଟା ପଟ୍ଟନାୟକଙ୍କୁ ଟଙ୍କା ଦେଇଥିଲେ, ତାହା ହିଟଲର ମୁସୋଲିନୀଙ୍କ ଏକଛତ୍ରବାଦୀ ଫାଶୀବାଦ ଯୁକ୍ତି ବିରୁଦ୍ଧରେ । କିନ୍ତୁ ଛୋଟା ପଟ୍ଟନାୟକଙ୍କୁ ଏହି ବିଷୟରେ କିଛି ଜଣା ନାହିଁ । ସେ ଫାଶୀବାଦ ବୋଇଲେ ନିଜେ ନିଜେ ଯାହା ବୁଝିଲେ ଯାହା ଲୋକଙ୍କୁ ବୁଝାଇଲେ । ଫାଶୀବାଦ ବୋଇଲେ ସେ ଏକ ରାଜନୈତିକ ମତବାଦ ବୋଲି ଜାଣି ନାହାନ୍ତି-ଏହା କୋର୍ଟ କଚେରିର ଫାଶୀ ଦଣ୍ଡ ବୋଲି ବୁଝିଛନ୍ତି । ତଦନୁସାରେ ସେ ମାତିଛନ୍ତି । ମୁଁ ତାଙ୍କର ଏହି ନିର୍ବୋଧତା ଓ ଉପର ଠଉରିଆ ସ୍ୱଭାବ ଦେଖି ମନେ ମନେ ଖୁବ୍ ହସିଲି ।

 

ଯାହାହେଉ, ସ୍ୱାମୀଜୀଙ୍କ ଆର୍ଶୀବାଦ ପାଇବା ପରେ ମୁଁ ମହାଦେବ-ମନ୍ଦିର ସମ୍ମୁଖସ୍ଥ ମଣ୍ଡପ ଉପରେ ବସିଲି । ଆଜି ମହାଦେବଙ୍କ ପ୍ରସାଦ ସେବନ କରିବା ପାଇଁ ମେ ମନରେ ପ୍ରବଳ ଇଚ୍ଛା ଜାଗରିତ ହୋଇଛି । ଏଥିପାଇଁ ଅପେକ୍ଷା କରି ରହିଥିବା ବେଳେ ସେଠାରୁ ମୁଁ ସରପଞ୍ଚଙ୍କ ଗତିବିଧି ପ୍ରତି ଲକ୍ଷ୍ୟ ରଖିଥାଏ । ଅଳ୍ପ ସମୟ ପରେ ଦେଖିଲି ଯେ ସରକାରୀ ଦଳର ଜନୈକ ପ୍ରଭାବଶାଳୀ ରାଜନୈତିକ ନେତା ଅନ୍ୟ କେଉଁଠାରୁ ହଠାତ୍‌ ପହଞ୍ଚି ସରପଞ୍ଚଙ୍କ ସହିତ ପରାମର୍ଶ କଲେ । ତା’ପରେ ସେ ଆମ ଆଡ଼କୁ ଦୌଡ଼ି ଆସିଲେ । ବର୍ତ୍ତମାନ ସେ ସ୍ୱାମୀଜୀଙ୍କୁ ଲକ୍ଷ୍ୟ କରି କହିଲେ, ‘ହେଇରେ ହରିକୁଷି ଆଟା ! ଏଠାରେ ଦାଢ଼ିପିନ୍ଧି ବସିଛି…ୟା’ର ମୁଣ୍ଡ ବଡ଼ ବିଚିତ୍ର ! ଏକାଥରକେ ସାହିତ୍ୟ, ଧର୍ମନୀତି, ରାଜନୀତିରେ ଖେଳୁଛି । ୟା’ର ରୂପ ଘଡ଼ି ଘଡ଼ିକେ ଆନ ! କେତେବେଳେ ସରକାରୀ ଦଳର ତ, କେତେବେଳେ ବିରୋଧୀ ଦଳର ଓ କେତେବେଳେ ସ୍ୱାଧୀନ-। ଏଇ ବୃଦ୍ଧ ଜରଦ୍‌ଗବ ମନ୍ତ୍ରୀମଣ୍ଡଳକୁ ଆଙ୍ଗୁଠି ଟିପରେ ରହିବାକୁ ଚାହୁଁଛି । ଫଳରେ କେଉଁ ମାଇକିନାର ଶାଢ଼ୀ ଝିଙ୍କୁଛି ତ କେଉଁ ଅଣ୍ଡିରାର କଛା ଉପାଡ଼ୁଛି । ବୁଢ଼ା କାଳରେ ମଧ୍ୟ ରକମ ରକମର ବାଳ-କୃଷ୍ଣଲୀଳା ଚଳାଉଛି…ମାତ୍ର ଏହି ସବୁ ଆଚରଣ ଫଳରେ ରହିଛି ଗୋଟିଏ ମୂଳନୀତି–ତାହା ହେଉଛି ବୁଢ଼ାର କୂଟନୀତି । ବୁଢ଼ାକୁ ବାନ୍ଧି ଫାଣ୍ଡିରେ ପୁରାଇ ଦେଲେ ଆମ ସରକାର ପାଞ୍ଚ ବର୍ଷ ଯାଏଁ ତିଷ୍ଠିଯିବ; ଦେଶ ମଧ୍ୟ ସମୃଦ୍ଧ ହେବ…ଆମେ ସୁଖ ଓ ଶାନ୍ତିରେ ରହି ପାରିବା…ଆମକୁ ଶାନ୍ତି ମିଳିବ; ଶାନ୍ତି ମିଳିବ ।’ ତା’ପରେ ସେ ‘ଓଁ ଶାନ୍ତି, ଶାନ୍ତି, ଶାନ୍ତି’ ବୋଲି କହି ସ୍ୱାମିଜୀଙ୍କୁ ଗିରଫ କରିବାକୁ ତାଙ୍କ ପଛରେ ଥିବା ଦୁଇଜଣ ପୋଲିସଙ୍କୁ ଆଦେଶ ଦେଲେ । ପ୍ରକାଶ ଥାଉ କି, ସେତେବେଳେ ଉପରୋକ୍ତ ପ୍ରଭାବଶାଳୀ ରାଜନୈତିକ ନେତା ଏଠାକୁ ଆସିଲେ, ସେ ତାଙ୍କ ସହିତ ଏହି ଦୁଇ ଜଣ ପୋଲିସଙ୍କୁ ଧରି ଆସିଥିଲେ । ଜଣେ ରାଜନୈତିକ ନେତା ପୋଲିସ ସଂସ୍ଥାପରି ଏକ ନିରପେକ୍ଷ ସରକାରୀ ବିଭାଗକୁ କେଉଁ ଅଧିକାର ବଳରେ ଆଦେଶ ଦେଲେ-ତାହା ମୁଁ ବୁଝିପାରୁ ନ ଥାଏ । ପୋଲିସମାନେ ତୁରନ୍ତ ସ୍ୱାମୀଜୀଙ୍କୁ ହାତକଡ଼ା ପିନ୍ଧାଇଲେ । ତାଙ୍କର ଚେଲାମାନଙ୍କୁ ମଧ୍ୟ ସେମାନେ ଅବିଳମ୍ଵେ ବନ୍ଦୀ କଲେ । ପରେ ମୁଁ ବୁଝିଲି ଯେ ଯେଉଁ ସ୍ଵାମୀଜୀ ଆଜି ଭାଷଣ ଦେଉଥିଲେ, ସେ ପ୍ରକୃତରେ ସନ୍ନ୍ୟାସୀ ନୁହନ୍ତି । ସେ ବିରୋଧୀ ଦଳର ଜଣେ ରାଜନୈତିକ ନେତା । ବର୍ତ୍ତମାନ ଜରୁରୀ ପରିସ୍ଥିତି ଜାରି ହେବା ପରେ ସରକାର ବିରୋଧୀ ଦଳଗୁଡ଼ିକ ଉପରେ କଡ଼ା ନଜର ରଖିଛନ୍ତି ଏବଂ ସରକାରଙ୍କ ବିରୁଦ୍ଧରେ ଯେମିତି ପଦେ କଥା କେହି ନ କହେ–ସେଥିପ୍ରତି ସଜାଗ ରହିଛନ୍ତି । ଉକ୍ତ ସ୍ଵାମୀଜୀଙ୍କ ପ୍ରକୃତ ନାମ ହେଉଛି ହରେକୃଷ୍ଣ ବାବୁ ଓ ସେ ସରକାରଙ୍କ ବିରୁଦ୍ଧରେ ପ୍ରଚାର କରୁଥିବା ଯୋଗୁଁ ପୋଲିସ ତାଙ୍କୁ ଜେଲକୁ ନେବା ପାଇଁ ଚେଷ୍ଟା କରୁଥାଏ । ସେ ବିଭିନ୍ନ ପ୍ରକାର ଛଦ୍ମ ବେଶରେ ପୋଲିସକୁ ଆଜି ପର୍ଯ୍ୟନ୍ତ ଠକି ଆସୁଥିଲେ । ଏବେ ଆକସ୍ମିକ ଭାବେ ଧରା ପଡ଼ିଲେ । ମୋର ବିଶ୍ଵାସ ହେଉଛି ଯେ ହରେକୃଷ୍ଣ ବାବୁଙ୍କ ସରକାର ବିରୋଧୀ ଭାଷଣ ଶୁଣି ଆମ ଗାଁର ଛୋଟା ସରପଞ୍ଚ ନିକଟସ୍ଥ ଟାଉନର ଉପରୋକ୍ତ ପ୍ରଭାବଶାଳୀ ରାଜନୈତିକ ନେତାଙ୍କୁ ଖବର ଦେଲେ । ତାରି ଫଳରେ ହରେକୃଷ୍ଣ ବାବୁ ଗିରଫ ହେଲେ । ତାଙ୍କ ଗିରଫ-ଘଟଣା ମୋ ମନରେ ଗଭୀର ଧକ୍‌କା ଦେଲା କାରଣ ତାଙ୍କର ଭାଷଣ ଶୁଣିବା ବେଳେ ମୁଁ ଥରେ ଥରେ ଆତ୍ମହରା ହୋଇ, ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି, ସଂସାର ଛାଡ଼ି ଚାଲିଯିବି ବୋଲି ଭାବୁଥିଲି । ସେ ଗୋଟିଏ ଭଣ୍ଡ ତପସ୍ୱୀ ବୋଲି ଜାଣିବା ପରେ ମୁଁ ବୋକା ବନିଗଲି । ମୁଁ ଲଜ୍ଜିତ ହୋଇ ପୋଲିସ-ପାର୍ଟି ଆଡ଼କୁ ଚାହିଁବାବେଳେ ଦେଖିଲି ଯେ ପୋଲିସମାନେ ହରେକୃଷ୍ଣ ବାବୁ ଓ ତାଙ୍କ ଚେଲାମାନଙ୍କର ନକଲି ନିଶ ଓ ଦାଢ଼ି ଟାଣି ବାହାର କରୁଛନ୍ତି ।

 

ମନ୍ଦିରର ପୂଜାରୀଠାରୁ ପରମାରାଧ୍ୟ ଈଶ୍ଵରଙ୍କର ପ୍ରସାଦ ସେବନ କରି ମୁଁ ଘରକୁ ଫେରିଲି । ସେଦିନ ରାତିରେ ବିଛଣା ଧରିବା ପରେ ମତେ ଆଉ ନିଦ ମାଡ଼ିଲା ନାହଁ । ଘଣ୍ଟା ଘଣ୍ଟା ଧରି ହରେକୃଷ୍ଣ ବାବୁଙ୍କ ବୟାନ ଉପରେ ଭାବିଲି । ହରେକୃଷ୍ଣବାବୁ ତାଙ୍କ ଭାଷଣ ପ୍ରସଙ୍ଗରେ କ୍ଷମତାଲୋଭୀମାନଙ୍କ ବିରୁଦ୍ଧରେ ବିଷୋଦ୍ ଗାର କଲେ । ଏହା ବ୍ୟତୀତ ବର୍ତ୍ତମାନ ସମାଜରେ ରହିଥିବା ଅସନ୍ତୋଷର କାରଣଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେଲେ । ଏଗୁଡ଼ିକ ମଧ୍ୟରୁ କେତେକ ହୁଏତ ସରକାରଙ୍କ ଭୁଲ ନୀତି ଓ ଅପାରଗତା ଯୋଗୁଁ ସୃଷ୍ଟି ହୋଇଥିବ । କିନ୍ତୁ ଅଧିକାଂଶ ତୃଟି ମଣିଷର ସ୍ୱଭାବରେ ଅନ୍ତର୍ନିହିତ । ସାଧାରଣତଃ ପ୍ରତ୍ୟେକ ମଣିଷର ପ୍ରକୃତି ସ୍ୱଭାବ ହେଉଛି କ୍ଷମତାର ଅଧିକାରୀ ହେବା–ସବୁ ଲୋକଙ୍କୁ ଓ ବିଭିନ୍ନ ଶକ୍ତିକୁ ନିଜ ଅଧୀନରେ ରଖିବା । ହରେକୃଷ୍ଣ ବାବୁ ଏହା କେବଳ ଶାସକ ଦଳର ଦୁର୍ଗୁଣ ବୋଲି ବର୍ଣ୍ଣନା କରିଛନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ପ୍ରକୃତରେ ସେ ନିଜେ ଯେଉଁ ଭାଷଣ ଦେଲେ, ତା’ର ମୂଳ ଲକ୍ଷ୍ୟ ହେଉଛି: ଆମ ସମାଜରେ ଥିବା ସମସ୍ତ ପ୍ରକାର ଜନ ଅସନ୍ତୋଷକୁ କେନ୍ଦ୍ରୀଭୂତ କରି ସରକାରଙ୍କ ବିରୁଦ୍ଧରେ ପରିଚାଳନା କରିବା ଓ ପରିଶେଷରେ ନିଜେ ଶାସନ ଗାଦି ମାଡ଼ି ବସିବା । ତାଙ୍କ ଭାଷଣ ଶେଷରେ ସେ ବାନପ୍ରସ୍ଥ କରିବା ପାଇଁ ଲୋକଙ୍କୁ ଯେଉଁ ଉପଦେଶ ଦେଲେ, ତାହା କେବଳ କୂଟନୀତି । ସେ ନିଜେ ଯେତେବେଳେ ବୃଦ୍ଧାବସ୍ଥାରେ ବାନପ୍ରସ୍ଥ ନ କରି ରାଜନୀତିରେ ମାତିଛନ୍ତି, ସେତେବେଳେ ଅନ୍ୟ ଲୋକମାନଙ୍କୁ ସଂସାରତ୍ୟାଗୀ ହେବା ପାଇଁ କହିବା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ନୁହେଁ । ଯେତେଦୂର ସମ୍ଭବ, ତାଙ୍କ ଭାଷଣରେ ସର୍କାର-ବିରୋଧୀ ବିଷୟବସ୍ତୁ ଥିବା ଯୋଗୁଁ କାଳେ ତାଙ୍କୁ ଲୋକେ ଖୋଲାଖୋଲି ଭାବେ ଅତି ସହଜରେ ଜାଣିଦେବେ ବୋଲି ସନ୍ଦେହ କରି ସେ ଭାଷଣର ଶେଷ ଭାଗରେ ବାନପ୍ରସ୍ଥ କରିବା ପାଇଁ ଉପଦେଶ ଯୋଡ଼ିଲେ । ତେଣୁ ସଂସାର ତ୍ୟାଗ ପାଇଁ ତାଙ୍କର ଏହି ଆହ୍ୱାନ ଗୋଟିଏ ଛଳନା ମାତ୍ର–କୂଟନୀତିର ଏକ ଅଂଶ ବିଶେଷ । କିନ୍ତୁ ମୋ ମନ ଅଲଗା ବାଟ ଧରିଲାଣି । ମୋର ଆଉ ସାଂସାରିକ କ୍ଷେତ୍ରରେ ଆଗ୍ରହ ନାହିଁ । ଗୃହ ସଂସାର ଛାଡ଼ି ଚାଲିଯିବା ପାଇଁ ମୋ ମନ ଟାଣିଲାଣି । ହରେକୃଷ୍ଣ ବାବୁଙ୍କ ଯାହା କିଛି ରାଜନୈତିକ ଉଦ୍ଦେଶ୍ୟ ଥାଉ ନା କାହିଁକି, ମୁଁ ବେଶ୍ ଭଲ ଭାବେ ହୃଦୟଙ୍ଗମ କରିଛି ଯେ ମଣିଷର କ୍ଷମତା-ଲାଳସା ଯୋଗୁଁ ଦେଶ, ଜାତି ଓ ସମାଜ ଯେମିତି ଦୁର୍ଦ୍ଦଶାଗ୍ରସ୍ତ ହୋଇଛି, ତାହା ସମସ୍ତଙ୍କର ଚିନ୍ତାର ବିଷୟ ହେବା ଉଚିତ । ଦିନେ ଏହି ଦୁର୍ବଳତା ଯୋଗୁଁ ମଣିଷର ବ୍ୟକ୍ତିଗତ ଜୀବନରେ ମଧ୍ୟ ଘୋର ବିପର୍ଯ୍ୟୟ ଘଟିଥାଏ । କ୍ଷମତା ହାସଲ କରିବା ଜଣେ ବ୍ୟକ୍ତି ପକ୍ଷରେ ଯେମିତି ଗୌରବମୟ ଘଟଣା, କ୍ଷମତାକୁ ଉପଯୁକ୍ତ ଭାବେ ବ୍ୟବହାର କରି ଠିକ୍ ସମୟରେ କ୍ଷମତାରୁ ଅବସର ନେବା ସେମିତି ତା’ର ବିଜ୍ଞତାର ପରିଚୟ ଦିଏ; ଏହା ତା’ର ଦୁର୍ବଳତା ନୁହେଁ । ଏହି ଧରଣର ଧାରଣା ମୋ ମନରେ ଜନ୍ମିବା ଯୋଗୁଁ ମୋର ହୃଦୟ ପରିବର୍ତ୍ତନ ଘଟିଲା ଓ ସନ୍ନ୍ୟାସ-ବ୍ରତ ଗ୍ରହଣ କରିବାକୁ ମୁଁ ସିଦ୍ଧାନ୍ତ ନେଲି ।

 

ଆମ ସମାଜରେ ବହୁ ସଂଖ୍ୟାରେ ସନ୍ନ୍ୟାସୀ ଦେଖାଯା’ନ୍ତି । କିନ୍ତୁ ଏମାନେ ଶୁଖୁଆ ପୋଡ଼ା-ଖିଆ ସନ୍ନ୍ୟାସୀ । ଏମାନେ ପ୍ରକୃତରେ ସନ୍ନ୍ୟାସୀ ନୁହନ୍ତି; ସନ୍ନ୍ୟାସୀ ପରି ଦେଖାଯା'ନ୍ତି । ବିଦ୍ରୋହୀ ରାଜନୈତିକ ନେତାମାନେ ଆତ୍ମଗୋପନ କରିବାକୁ ଦାଢ଼ି ଲଗାଇ ବାବାଜୀ ରୂପରେ ଅବତୀର୍ଣ୍ଣ ହେଉଛନ୍ତି । ମୁଠେ ଅଧିକ ଭିକ ମିଳିବ ବୋଲି ଭିକାରୀମାନେ ବାବାଜୀବେଶ ଧାରଣ କରୁଛନ୍ତି । ଗୁପ୍ତଚରମାନେ ଭିତରିଖବର ବାହାର କରିବାକୁ ବାବାଜୀପରି ନିଜକୁ ଦେଖାଇଥା’ନ୍ତି । ପ୍ରେମିକ ପ୍ରେମିକାକୁ ଗୋପନୀୟ ଭାବେ ସାକ୍ଷାତ କରିବାକୁ ମଧ୍ୟ ଏଇ ଦାଢ଼ୀଆ ତପସ୍ଵୀ ଭାବେ ନିଜକୁ ସଜାଇଥାଏ । ପୋଲିସ୍‌ର ଦୃଷ୍ଟି ଏଡ଼ାଇବା ପାଇଁ ଚୋର, ତସ୍କର, ହତ୍ୟାକାରୀ ଇତ୍ୟାଦି ସମାଜ ବିରୋଧୀ ଲେକମାନଙ୍କ ପାଇଁ ଏହି ବାବାଜୀ ବେଶ ଗୋଟିଏ ରେଡ଼ିମେଡ଼୍ ଉପାୟ । ଆଜିକାଲି ଲୋକେ ଖଦଡ଼ ଖୋଳକୁ ଯେମିତି, ବାବାଜୀମାନଙ୍କୁ ମଧ୍ୟ ସେମିତି ପ୍ରଥମ ଦର୍ଶନରୁ ସନ୍ଦେହ ଚକ୍ଷୁରେ ଦେଖନ୍ତି । ଆମ ସମାଜରେ ବର୍ତ୍ତମାନ ପ୍ରଚଳିତ ଏହି ପ୍ରତିକୂଳ ମନୋଭାବ ଯୋଗୁଁ ମୁଁ ନିଶ ଦାଢ଼ୀ ଛାଡ଼ି ବାବାଜୀ ହୋଇ ରହିଲେ ମତେ ଅନୁକୂଳରୁ କେତେ ଟାହି ଟାପରା ସହବାକୁ ପଡ଼ିବ ନାନା ପ୍ରକାର ଅବାନ୍ତର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ମୁଁ ବଣକୁ ଗଲେ ନିଶ୍ଚିନ୍ତ ଭାବେ, ଏକାଗ୍ର ଚିତ୍ତରେ ତପସ୍ୟା କରିପାରିବି ମୋ ଆତ୍ମାକୁ ପରମାତ୍ମାରେ ଯଥାଶୀଘ୍ର ବିଲୀନ କରିପାରିବି । ତେଣୁ ତୁରନ୍ତ ଘର ଛାଡ଼ିବାକୁ ମୁଁ ପ୍ରସ୍ତୁତ ହେଲି ।

 

ମୋର ଯୌବନାବସ୍ଥାରୁ ମୁଁ ଦେବୀ ଲକ୍ଷ୍ମୀଙ୍କର ପୂଜା ଉପାସନା କରେ । ଏଥିପାଇଁ ମୋ ବାସ ଘରରେ ଗୋଟିଏ ଛୋଟ-ବଖରା ଲକ୍ଷ୍ମୀ-ମୂର୍ତ୍ତିଟିଏ ରଖିଛି । ଦୈନିକ ଶୁଦ୍ଧ ପୁତଭାବେ ଲକ୍ଷ୍ମୀଙ୍କୁ ଫୁଲ, ଚନ୍ଦନ, ଧୂପଦୀପ ଦିଏ । ସେଠାରେ ଅହର୍ନିଶି ଗୋଟିଏ ଘିଅ-ଦୀପ ଜଳୁଥାଏ । ସେ ଦିନ ରାତି ଅଧରେ ମୁଁ ଏହି ପୂଜା ଘରକୁ ଗଲି ଏବଂ ନୂଆ ଚାବି-ମାଳଟି ତାଙ୍କ ପାଦତଳେ ରଖିଲି । ତାଙ୍କ ପ୍ରସାଦରୁ ଯାହାକିଛି ଧନ-ସମ୍ପତ୍ତି ରୋଜଗାର କରିଛି ତାହା ତାଙ୍କୁ ସମର୍ପଣ କରି ଆଶ୍ୱସ୍ତି ଅନୁଭବ କଲି । ଭାବିଲି ମୋ ମୁଣ୍ଡର ଭାରି ବୋଝଟି ଚାଲିଗଲା । ତା’ପରେ ମୁଁ ବାରଣ୍ଡାକୁ ଆସିଲି-। ସେତେବେଳେ ଗ୍ରୀଷ୍ମଋତୁ । ଗାଁର ଅଧିକାଂଶ ପୁରୁଷ ମଝି ଦାଣ୍ଡରେ ଖଟପକାଇ ଶୋଇଥା’ନ୍ତି । ଏମିତିକି ଘରେ ଫୋନ ଥିଲେ ମଧ୍ୟ କେତେକ ଲୋକ ଈଶ୍ଵରଦତ୍ତ ମୁକ୍ତ ବାୟୁପାଇଁ ଆକାଶ ତଳେ ଶୋଇଥା’ନ୍ତି । ମୁଁ ଯେତେ ବେଳେ ଦାଣ୍ଡକୁ ଆସିଲି ସେତେବେଳେ ରାତି ଗୋଟାଏ ହେବ । କାକର ପଡ଼ିଲାଣି । ସମସ୍ତେ ଦାଣ୍ଡରେ ନିଘୋଡ଼ ନିଦରେ ଶୋଇଥା'ନ୍ତି-। ମୁଁ ନୀରବରେ ଘରୁ ବାହାରିଲି-। ଆମ ଗାଁ ମୁଣ୍ଡରେ ଥିବା ଗ୍ରାମ-ଦେବୀଙ୍କୁ ଶେଷ ପ୍ରଣାମ ଜଣାଇ ଗାଁ ଛାଡ଼ିଲି । କିଛି ସମୟ ଯାଏଁ ପିଚୁ ରାସ୍ତାରେ ଯିବାପରେ,ପାର୍ଶ୍ଵସ୍ଥ ଗୋଟିଏ ପାଦଚଲା ଅଣଓସାରିଆ ରାସ୍ତା ଧରିଲି । ଏହି ରାସ୍ତା ଆମ ଗାଁରୁ ବଣକୁ ଯାଇଛି । ସାଧରଣତଃ ଖରାଦିନେ ଏହି ରାସ୍ତା ଦେଇ ବଣରୁ ଭାଲୁମାନେ ଆମ ଗାଁ ପୋଖରୀର ପାଣି ପିଇବାକୁ ଆସିଥା’ନ୍ତି । ଏହି ବିପଦସଙ୍କୁଳ ରାସ୍ତାରେ ଯିବାବେଳେ ମୁଁ ଭାରି ଭୟ କରୁଥାଏ । ଦୂରରେ, ଅଦୂରରେ କୌଣସି ମାଟିଡ଼ିମା ଦେଖିଲି, ମୁଁ ଭାବେ ଯେ ବୋଧହୁଏ ଗୋଟେଏ ଭାଲୁ ଶୋଇଛି । ତା’ପରେ ମୋ ପାଦ ଆପେ ଆପେ ଅଟକି ଯାଏ । ଏମିତି ରହି ରହି କିଛିଦୂର ଯିବାପରେ କେତୋଟି ବିଲରେ ଗଉଡ଼ମାନେ ଗାଇ ଓ ଛେଳିପଲ ବାନ୍ଧିଥିବାର ମୁଁ ଦେଖିଲି । ଏହି ପାହାଡ଼ିଆ ଜମିଗୁଡ଼ିକ ଅନୁର୍ବର । ତେଣୁ ଖରାଦିନରେ ଗାଈ ଓ ଛେଳିମାନଙ୍କୁ ରାତି ସାରା ଏହି ବିଲ ଭିତରେ ରଖାଯାଇଥାଏ । ସେମାନଙ୍କ ମଳ ମୂତ୍ରରେ ଜମିକୁ ଖତ ମିଳିଥାଏ । ପାହାଡ଼ିଆ ଜମିରେ ଏମିତି ବ୍ୟବସ୍ଥା ନ କଲେ ଘାସ ମଧ୍ୟ କଅଁଳିବ ନାହିଁ । ମୁଁ ଯିବାବେଳେ ଦୂରରୁ ଦେଖି ପାରିଲି ଯେ କେତେ ପଲ ଗାଈ ଓ ଛେଳିଙ୍କୁ ଏମିତି ଆବଦ୍ଧ କରି ବିଭିନ୍ନ କ୍ଷେତମାନଙ୍କରେ ରଖାଯାଇଛି । ଏମାନଙ୍କୁ ଗଉଡ଼ମାନେ ରଖିଛନ୍ତି । ବିପଦ ଆପଦରେ ସାହାଯ୍ୟ କରିବାପାଇଁ, ସଜାଗ ଓ ଧୂର୍ତ୍ତ କୁକୁରମାନଙ୍କୁ ମଧ୍ୟ ଏମାନେ ପାଖରେ ରଖିଥା’ନ୍ତି । ତେଣୁ ମୁଁ ପ୍ରମାଦ ଗଣିଲି ହୁଏତ ମତେ ଦେଖି କୌଣସି କୁକୁର ଭୁକିଲେ, ଗଉଡ଼ମାନେ ଜାଗ୍ରତ ହୋଇଯିବେ । ଏହି ଗଉଡ଼ମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଆଖପାଖ ଗାଁର ଓ ମୋର ପର୍ବ ପରିଚିତ । ରାତି ଅଧରେ ମତେ ଏକା ଯାଉଥିବା ଦେଖି ସେମାନେ ସନ୍ଦେହ କରିବେ ଓ ମୋ ଉଦ୍ଦେଶ୍ୟ ଜାଣିବା ପାଇଁ ନାନା ପ୍ରକାର ପ୍ରଶ୍ନ ପଚାରିବେ । ତେଣୁ ଏହି ଅସ୍ୱସ୍ତିକର ସମ୍ଭାବନାକୁ ଏଡ଼ାଇବା ପାଇଁ ମୁଁ ବିଲର ବଡ଼ ବଡ଼ ହୁଡ଼ା ତଳେ ଲୁଚି ଲୁଚି ଅଣ୍ଟା ନୂଆଁଇ ସତର୍କତାର ସହିତ ସେହି ରାସ୍ତା ଅତିକ୍ରମ କଲି । ମୋର ଏହି ବନ-ଗମନ କେହି ଜାଣି ପାରିଲେ ନାହିଁ ।

 

ଘଞ୍ଚ ଜଙ୍ଗଲ ମଧ୍ୟରେ ପହଞ୍ଚିବାବେଳେ ପ୍ରାୟ ରାତି ଦୁଇଟା ହୋଇଥିଲା । ସେତେବେଳେ ମୁଁ କ୍ଳାନ୍ତ ହୋଇ ପଡ଼ିଥିଲି । ଗୋଟିଏ ବଡ଼ ଗଛର ଗଣ୍ଡି ଉପରେ ଆଶ୍ରୟ ନେଇ ଠିଆ ହେଲି । ଅଚାନକ ଭାବେ ଦୁଇଟି ଜ୍ୱଳନ୍ତ ଆଖି ଦେଖି ମୁଁ ଚମକି ପଡ଼ିଲି । ଅବଶ୍ୟ ହଠାତ୍ ଏହା ଉଭେଇ ଗଲା । ଏହି ବଣକୁ ବାଘ ଭାଲୁ ଆସୁଥିବାର ବିଷୟ ଆମ ଗାଁରେ ଲୋକେ କଥା ହେଉଥିବାର ମୁଁ ବେଳେ ବେଳେ ଶୁଣିଛି । ସେତେବେଳେ ଏହା ଗୁଜବ ବୋଲି ମୁଁ ଏହା ବିଷୟକୁ କୌଣସି ଗୁରୁତ୍ଵ ଦେଉ ନ ଥିଲି । କିନ୍ତୁ ବର୍ତ୍ତମାନ ନିଜ ଆଖିରେ ଏହାର ପ୍ରମାଣ ପାଇଲି । ବାଘକୁ ଦେଖି ବରଡ଼ାପତ୍ରପରି ଥରିଥିଲି ଓ ସେତେବେଳେ ଅସହାୟ ଭାବେ ଅନୁଭବ କରିଥିଲି ଯେ ଆତ୍ମରକ୍ଷା ପାଇଁ ମୋ ପାଖରେ କୌଣସି ଉପାୟ ନାହିଁ । ଏବେ ଏହି ବିଷୟ ଭାବିବା ମାତ୍ରେ ମୋ ମନ ଅନ୍ଧକାରାଚ୍ଛନ୍ନ ହୋଇ ଯାଉଛି । ଅବଶ୍ୟ ପୁରାଣ ବର୍ଣ୍ଣିତ ଜନୈକ ମହର୍ଷିଙ୍କ ବିଷୟରେ ମୋରମନେ ପଡ଼ୁଛି, ଯିଏକି ଥରେ ଏମିତି ଗୋଟିଏ ବାଘକୁ ଦେଖୁ ଦେଖୁ ତାକୁ ଏକ ଲୟରେ ତରାଟି ଚାହିଁଲେ; ମହର୍ଷିଙ୍କ ଏହି ତୀକ୍ଷ୍‌ଣ ଓ ସ୍ଥିର ଦୃଷ୍ଟିଟି ତୀର ପରି କାର୍ଯ୍ୟ-କଲା ଓ ବାଘଟି ଚାଲିଗଲା । ମହର୍ଷି ଏହି ଉପାୟରେ ଆତ୍ମରକ୍ଷା କରିପାରିଲେ । ଏହାକୁ ତ୍ରାଟକ ଯୋଗ କହନ୍ତି । ମୁଁ ମଧ୍ୟ ବର୍ତ୍ତମାନ ଅନୁମାନ କରୁଛି ଯେ ଭବିଷ୍ୟତରେ ବାଘ ମତେ ଦେଖିଲେ ଡରି ଚାଲିଯିବ ଏହା ଉପରୋକ୍ତ ତ୍ରାଟକ ଯୋଗ ଯୋଗୁଁ ହେଉ….କିନ୍ତୁ ଭୟରେ ଆଖିବାଟେ ମୋ ପ୍ରାଣ ଚାଲିଯିବା ଦ୍ଵାରା ତରାଟି ଚାହିଁବା ଯୋଗୁଁ ନ ହେଉ ! -ଏହାହିଁ ପରମେଶ୍ଵରଙ୍କ ନିକଟରେ ମୋର ପ୍ରାର୍ଥନା ।

Image